Unknown

 

 

 

 

 

 

 

 

 

 

 

ଅଶରୀରୀର ତୃଷ୍ଣା

ଶ୍ରୀ ନାରାୟଣ ମହାପାତ୍ର

 

ତୁମପାଇଁ ମିଛ, ମୋପାଇଁ ସତ !!

 

ନୂଆଭାବ, ନୂଆରୂପ, ନୂଆ ଫେସନ, ସବୁ କିପରି ଅଲଗାଅଲଗା ଦିଶେ । ନୂଆ କଥାକୁ ସମସ୍ତେ କାନପାରି ଶୁଣନ୍ତି । ନୂତନତାର ଚମକରେ ଦେହ ମନ ଉଲସି ଉଠେ । ନୂଆ ଭାବନାଟା ପୁରୁଣା ହେବାପାଇଁ ବେଶିଦିନ ଲାଗେ ନାହିଁ । ମାତ୍ର ସେଇ କେତେଦିନର ‘ଅଭିନବ’ର ଭେଳିକି ବେଶ୍‌ ଆନନ୍ଦଦାୟକ ହୁଏ । ଶ୍ରୀ ନାରାୟଣ ମହାପାତ୍ରଙ୍କ ମାନସ ସନ୍ତାନ ‘ଅଶରୀରୀର ତୃଷ୍ଣା’ ଓଡ଼ିଶାର ରସିକ ପାଠକ ମହଲରେ ସେହିପରି ଯଦି ମନଛୁଆଁ ଭାବ ଖେଳାଇପାରେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ‘ଅଶରୀରୀର ତୃଷ୍ଣା’ କଥାବସ୍ତୁର ପ୍ରୟୋଗ ଯେ ନିଶ୍ଚିନ୍ତ ଭାବରେ ଅଭିନବ ଏବଂ ଆକସ୍ମିକ, ଏହା ସ୍ୱୀକାର କରିବାକୁ ହେବ ।

 

ଏହି ଭୌତିକ ସଂସାରର ଯାତ୍ରାପଥରେ ଚଲାଫେରା କରୁଥିବା ମନୁଷ୍ୟଟି ପ୍ରତି ମୁହୂର୍ତ୍ତରେ କେତେ କଥା ହରାଇ ବସେ ତ କେତେ ଜିନିଷକୁ ଗ୍ରହଣ କରୁଥାଏ । କିନ୍ତୁ ତା’ର ମନ ଏପରି ଚଞ୍ଚଳ ଯେ ପ୍ରାପ୍ତିର ଆନନ୍ଦରେ ବିହ୍ୱଳିତ ହେଉ ହେଉ ହରାଇବାର ଦୁଃଖରେ ଅଧିକ ବିଚଳିତ ହୋଇପଡ଼େ । ହଜିଲାର-ସ୍ମୃତି ତାକୁ ପଦେପଦେ କ୍ଷତବିକ୍ଷତ କରୁଥାଏ । ଅତୀତର ମଧୁର ସ୍ମୃତିରେ ପହଁରି ପହଁରି ସେ ଉବେଇ ଟୁବେଇ ହେବାକୁ ସୁଖପାଏ । ମନେମନେ ସ୍ୱପ୍ନ ଦେଖୁଥାଏ, । ଅତୀତଟା ହେଲେ ଫେରି ଆସନ୍ତା ଅଭୁଲା ଓ ଅଲିଭା ରୂପରେ ! ଯେଉଁମାନେ ହଜିଗଲେ, ସେମାନେ ହେଲେ ଫେରି ଆସନ୍ତେ, ସେମାନଙ୍କ ଗହଣରେ ସେ ପୁନର୍ବାର ନିଜକୁ ମିଳାଇ ଦେଇ ଅପୂର୍ବ ସୁଖ ଆହରଣ କରନ୍ତା ପରା !

 

ବାସ୍ତବ ଜୀବନରେ ମନୁଷ୍ୟ ଯାହା ପାଏନାହିଁ, ତାହା ସେ ସ୍ୱପ୍ନ ଦେଖି ଚରିତାର୍ଥ କରେ । ସ୍ୱପ୍ନତନ୍ଦ୍ରିଳ ଅନୁଭୂତି କେତେ ମଧୁର ଓ ଆବେଗ ପରିପୂର୍ଣ୍ଣ ! ଆହା ! ସ୍ୱପ୍ନ ହେଲେ ସତ ହୋଇଯାଉଥାଆନ୍ତା ! ସେଇମିତି ଆମର ଭାରତୀୟ ସାମାଜିକ ସଂସ୍କାର ଓ ପରମ୍ପରାରେ ମୃତଲୋକର ଆତ୍ମା ଘୂରି ବୁଲିଥାଏ । ସେ ହୁଏ ପ୍ରେତ । ସେ ଅଶରୀରୀ ହୋଇ ଘୂରି ବୁଲୁଥାଏ ନିଜର ଅତୃପ୍ତ କାମନା ବାସନାକୁ ଚରିତାର୍ଥ କରିବାପାଇଁ । ସେ ବିକଳତାର ସୀମା ନାହିଁ । ତାହା ଅଚିନ୍ତନୀୟ । କାମନା ବାସନା ଚରିତାର୍ଥ ନ ହେଲା ଯାଏଁ ଅଶରୀରୀ ପ୍ରେତ ରୂପରେ ବିକଳ ହେଉଥାଏ । ତା’ର ମୁକ୍ତି ହୁଏ ନାହିଁ । ନିଜର ସ୍ୱଭାବ ଅନୁସାରେ ଏହି ଅଶରୀରୀମାନେ ନିଜ ପୂର୍ବଜନ୍ମର ଆତ୍ମୀୟସ୍ୱଜନଙ୍କର ବହୁ ଉପକାର ଅଥବା ଅପକାର ସାଧନ କରିଥାଆନ୍ତି । ସେହିମାନଙ୍କୁ ମୁକ୍ତିଦେବା ଉଦ୍ଦେଶ୍ୟରେ ଆମ ସମାଜରେ ଶ୍ରାଦ୍ଧର ପରିକଳ୍ପନା, ପିଣ୍ଡଦାନର ବ୍ୟବସ୍ଥା-

 

ଏହିପରି ଏକ ସାମାଜିକ ସଂସ୍କାରକୁ ଉପଲକ୍ଷ୍ୟ କରି ‘ଅଶରୀରୀର ତୃଷ୍ଣା’ ଉପନ୍ୟାସର ପରିକଳ୍ପନା । ଏଥିରେ ପ୍ରେତରୂପରେ ମୃତପତ୍ନୀର ସାଂସାରିକ ଅଭିନୟ କେବଳ ମଙ୍ଗଳପୁର ଗ୍ରାମର ହେମକାନ୍ତଙ୍କୁ ବିଭ୍ରାନ୍ତ ଓ ବିମୂଢ଼ କରିନାହିଁ; ଶେଷ ପର୍ଯ୍ୟନ୍ତ ପାଠକ ମଧ୍ୟ ପ୍ରେତାତ୍ମା ହେମଲତାର ସ୍ନେହ, ପ୍ରେମ, ଈର୍ଷା, ଦ୍ୱେଷ ଏବଂ ଆସକ୍ତିର ବ୍ୟାମୋହ ମଧ୍ୟରେ ହଜି ଯାଇଛି । ଚଳଚ୍ଚିତ୍ରର ଛାୟାଲୋକ ପରି ତାହାକୁ ସେ ସତ୍ୟ ମନେ କରି ଆଶା ଓ ନୈରାଶ୍ୟ ମଧ୍ୟରେ ସନ୍ତୁଳି ହୋଇ ଉଠିଛି । ସଂସାରୀ ହେମକାନ୍ତ ଏବଂ ପ୍ରେତାତ୍ମା ହେମଲତାର ପ୍ରଣୟାନୁଭୂତିଜନିତ ଇନ୍ଦ୍ରଜାଲ ମଧ୍ୟରେ ବିଚାରୀ ଦ୍ୱିତୀୟାପତ୍ନୀ ଲକ୍ଷ୍ମୀର ଜୀବନ ଓଲଟପାଲଟ ହୋଇଯାଇଛି । ଅଶରୀରୀର ଅଭିନୟକୁ ଲେଖକ ଅତ୍ୟନ୍ତ ଚମତ୍କାର ଭାବରେ ରୂପାୟିତ କରି ସମଗ୍ର ଉପନ୍ୟାସିଟିକୁ ରହସ୍ୟବ୍ୟଞ୍ଜିତ କରିଦେଇଛନ୍ତି । ଶେଷପର୍ଯ୍ୟନ୍ତ ଏହି ରହସ୍ୟର କୁହେଳି ଏପରି ଆଚ୍ଛନ୍ନ ହୋଇ ରହିଛି ଯେ ତାହାରି ମଧ୍ୟରେ ନାଟୁଆ ‘ଭରତ’ ପରି ଗୋଟିଏ ଜୀବନଧର୍ମୀ ସ୍ୱାଭାବିକ ଚରିତ୍ରର ଚଳଚଞ୍ଚଳତା କିଛି ମାତ୍ର ରେଖାପାତ କରୁଥିଲେହେଁ ଅନ୍ୟ ସମସ୍ତ ଚରିତ୍ର ସେହି ପ୍ରେତାୟିତ-କୁହୁଡ଼ି ମଧ୍ୟରେ ହଜିଯାଇଛନ୍ତି । କାନ୍ତି ଓ ବାସନ୍ତୀ ପରି ଦୁଇଟି ନବୋଢ଼ାର ଅବତାରଣା ମଧ୍ୟରେ ସାମାଜିକ ଜୀବନର ନିତିଦିନିଆ ସୁଖ ଦୁଃଖର ଅଙ୍ଗେ ନିଭାଇବା ସଂଳାପ ଅତ୍ୟନ୍ତ ସୁଖକର ହୋଇଅଛି ।

 

ଉପନ୍ୟାସରେ ଚରିତ୍ରର ବିକାଶ ହୁଏତ ଅଛି, ମାତ୍ର ଅଶରୀରୀ କାହାଣୀର କିମିଆ ମଧ୍ୟରେ ପାଠକ ଆଉ କିଛି ଖୋଜିବାପାଇଁ ଅବସର ପାଏ ନାହିଁ । ସେ ଖାଲି ଲୋଡ଼ୁଥାଏ ଅତ୍ୟନ୍ତ ସନ୍ତର୍ପଣରେ–ଏ କାହାଣୀ ଅସରା ହୁଅନ୍ତା କି !!!

 

ତା ୨୧ । ୧୦ । ୮୨

ପଠାଣି ପଟ୍ଟନାୟକ

 

ଅଧ୍ୟକ୍ଷ, ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ

Image

 

ପରଲୋକଗତା ଉମାଦେବୀଙ୍କ ଉଦ୍ଦେଶ୍ୟରେ :

 

ଦେଠେଇ,

 

ତୁମେ ଥିଲ ବାଳଶ୍ରୀ ବିଧବା । ଜୀବନକୁ ନିଃସଙ୍ଗ ପ୍ରଦୀପର କୁହୁଳା ସଳିତା ଭଳି ଜାଳି ଦେଲ । ମାତ୍ର ହୃଦୟର ଦୁଃଖ, ଯନ୍ତ୍ରଣାକୁ ହୃଦୟରେ ଚାପି ରଖି ଆମକୁ କରିଥିଲ ମଣିଷ । ତୁମ ଆଶୀର୍ବାଦରୁ ମୁଁ, କୁନି, ବୁଢ଼ା, ଇନ୍ଦୁ ସଂସାର ପାରାବାର ଭିତରେ ଖଣ୍ଡିଏ ଖଣ୍ଡିଏ ହୁଲିଡ଼ଙ୍ଗା ଧରି ଆଗକୁ ଆଗକୁ ଚାଲିଛୁ । ତୁମ ପୂର୍ବରୁ ବୋଉ ସେପୁରକୁ ଚାଲି ଯାଇଥିଲା । ତୁମ ପରେ ତ ନନା ଗଲେ । ବହୁ ଆଗରୁ ଚାଲି ଯାଇଥିଲା ଭଉଣୀଟି–କଳିଟିଏ ପ୍ରସ୍ଫୁଟିତ ହେବା ଆଗରୁ ମଉଳି ଗଲା ଭଳି ।

 

ସେପୁରର ବହୁ ମଣିଷଙ୍କର ଅତୃପ୍ତ ଆତ୍ମା ଏପୁରରେ ତୃପ୍ତିପାଇଁ ଘୂରି ବୁଲୁଛି । କିଏ କେତେ ପ୍ରକାର କାମନା, ବାସନା ନେଇ ବୁଲୁଛନ୍ତି, ତାହା ଜାଣିବା ବଡ଼ କଷ୍ଟକର । ମୁଁ ଏଭଳି ଶତ ଶତ ଘଟଣା ମଧ୍ୟରୁ ଗୋଟିଏ ଘଟଣାକୁ ମାତ୍ର ନେଇ ‘ଅଶରୀରୀର ତୃଷ୍ଣା’ ଲେଖି ତୁମ ଉଦ୍ଦେଶ୍ୟରେ ଉତ୍ସର୍ଗ କଲି ।

 

ତୁମର ଚିର ଆଶୀର୍ବାଦାଭିଳାଷୀ

ଜଟି

Image

 

ଲେଖକଙ୍କର ନିଜ ମତ

 

କାମନା, ବାସନା ଶାନ୍ତ ହୃଦୟରେ ଓ ଶାନ୍ତ-ପରିବେଶରେ ଅଶାନ୍ତ ଝଡ଼ ସୃଷ୍ଟି କରେ । କାମନା ପୂର୍ଣ୍ଣ ନ ହୋଇ ମୃତ୍ୟୁ ଘଟିଲେ ଅଶରୀରୀ ଆତ୍ମା ତା’ର ତୃଷ୍ଣା ପରିପୂର୍ଣ୍ଣ ପାଇଁ ବିଭିନ୍ନ ରୂପରେ ଆସି ଉଦ୍ୟମ କରିଥାଏ । ଏହା କାଳ୍ପନିକ ନୁହେଁ; ବହୁ କ୍ଷେତ୍ରରେ ଘଟିଛି । ଅନେକଠାରେ ଏବେ ମଧ୍ୟ ଘଟୁଥିବାର ଶୁଣିବାକୁ ମିଳୁଛି । ଏହା ଜାଣିବାପାଇଁ ବହୁ ସାଧନା ଉଦ୍ୟମ, ନିଷ୍ଠା ଓ ପରିଶ୍ରମ ଦରକାର । ସେହିପରି ଏକ ଅତୃପ୍ତ ଆତ୍ମା ଘଟଣାକୁ ନେଇ ‘ଅଶରୀରୀର ତୃଷ୍ଣା’ ଉପନ୍ୟାସର ପରିକଳ୍ପନା ।

 

ପାଠକପାଠିକା ଏହାର ଶ୍ରେଷ୍ଠ ବିଚାରକ । ‘‘ବହିଟି ଭଲ ହୋଇଛି’’ ବୋଲି ଶୁଣିଲେ ଲେଖକର ଭୋକିଲା ପେଟ ଯେପରି ପୂରି ଉଠେ, ‘‘କ’ଣ ପାଗଳଙ୍କ ଭଳି ଏଣୁତେଣୁ ଲେଖିଛି’’ ଶୁଣିଲେ ତା’ର ଉପାସିଆ କଳା ମୁହଁଟି ଆହୁରି କଳା ପଡ଼ିଯାଏ । ଆମ ରାଜ୍ୟର ଲେଖକମାନେ ହେଉଛନ୍ତି ଏକ ଅଭିଶପ୍ତ ଗୋଷ୍ଠୀ । ସେମାନେ ନିଃସ୍ୱ, କୂପମଣ୍ଡୁକ । ଅର୍ଥାଭାବରୁ ବିଭିନ୍ନ ସ୍ଥାନ ଦେଖିବାର ତାଙ୍କର ସୁଯୋଗ ନାହିଁ । ବହୁ ଲେଖକଙ୍କର ନିଜସ୍ୱ ପାଠାଗାରଟିଏ ସୁଦ୍ଧା ନାହିଁ । ଦୁଃଖ, ଯନ୍ତ୍ରଣା, ଜଞ୍ଜାଳ, ଅପମାନ, ଅଭିମାନ ଗାଳିମନ୍ଦର ଅନୁଭୂତିକୁ ସମ୍ୱଳ କରି ତାଙ୍କ ଲେଖନୀ ଆଗେଇ ଚାଲେ ।

 

ପୁସ୍ତକଟିର ରଚନା ଦିଗରେ ମୋର ପରମପୂଜ୍ୟ ବିଶିଷ୍ଟ ସାହିତ୍ୟିକ ସମାଜର ବାର୍ତ୍ତା ସଂପାଦକ ଶ୍ରୀଯୁକ୍ତ ଉଦୟନାଥ ଷଡ଼ଙ୍ଗୀ, ଶ୍ରୀ ମୁରଲୀଧର ମଲ୍ଲିକ, ଶ୍ରୀ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପକ ଡକ୍‌ଟର ଦେବେନ୍ଦ୍ର ନାଥ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ଶ୍ରୀ ପରମାନନ୍ଦ ଅଧିକାରୀ, ଗୁଣପୁରର ସାମ୍ୱାଦିକ ଶ୍ରୀ ଲୋକନାଥ ପାଣିଗ୍ରାହୀ ଏବଂ ମୋର ସହଧର୍ମିଣୀ ଶ୍ରୀମତୀ ସୁଷମା ମହାପାତ୍ର ଉତ୍ସାହିତ କରିଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ମୋର ପୂଜ୍ୟ ଗୁରୁଦେବ ବିଶିଷ୍ଟ ସାହିତ୍ୟିକ, ଖ୍ରୀଷ୍ଟ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକ ଉପନ୍ୟାସଟି ପଢ଼ି ତାଙ୍କର ମୂଲ୍ୟବାନ ମତାମତ ଦେଇଥିବାରୁ ମୁଁ ତାଙ୍କ ପାଖରେ ବିଶେଷ ଋଣୀ ।

 

ଫୁଲଗଛଟି ବଞ୍ଚିଲେ ଫୁଲ ଫୁଟି ତା’ର ସୁବାସ ସମସ୍ତେ ଉପଭୋଗ କରନ୍ତି । ସେହି ଫୁଲଗଛଟିକୁ ବଞ୍ଚାଇ ରଖିବାରେ ମାଳୀର ଉତ୍ସର୍ଗୀକୃତ ଅବଦାନ ରହିଛି । ‘ଅଶରୀରୀର ତୃଷ୍ଣା’ ଉପନ୍ୟାସ ଭଳି ପୁଷ୍ପଟିକୁ ଲୋକଲୋଚନକୁ ଆଣିଥିବାରୁ ନାଲନ୍ଦା ପ୍ରତିଷ୍ଠାନ ନିକଟରେ ମୁଁ ଅନ୍ତରର ଗଭୀର କୃତଜ୍ଞତା ଜଣାଉଛି ।

 

ତା ୨୭ । ୧୦ । ୧୯୮୨

ଲେଖକ

ବିଜୟା ଦଶମୀ

 

Image

 

–ଏକ–

 

ଆଜି ହେମକାନ୍ତଙ୍କର ଚଉଠି । ମନରେ ତାଙ୍କର କେତେ ଆଶା, ଆକାଂକ୍ଷା, ଆନନ୍ଦ, ଉଦ୍ଦୀପନା, ଭାବନା, କଳ୍ପନା, ଦୁଃଖ ଓ ନୈରାଶ୍ୟ–କୁମାରପୂର୍ଣ୍ଣିମାର ଜ୍ୟୋତ୍ସ୍ନାଧୌତ ଆକାଶରେ ବାଦଲ ଖଣ୍ଡ ଭାସି ଗଲା ପରି ଦେଖାଦେଇ ପୁଣି ଉଭେଇ ଯାଉଛି । ବନ୍ଧୁବାନ୍ଧବଙ୍କ କୋଳାହଳ, ଖିଆପିଆ, ହସଖୁସି ଭିତରେ ମଧ୍ୟ ସେ ଆଜି ପୂର୍ବ ଘଟଣାଗୁଡ଼ିକ ଭୁଲି ପାରୁନାହାନ୍ତି ।

 

ସାତବର୍ଷ ତଳର କଥା । ହେମକାନ୍ତଙ୍କର ବାପା, ବୋଉ ମରି ଯାଇଥାନ୍ତି । ସେ ତାଙ୍କ ସଂସାରର ଯାହା କିଛି ପୈତୃକ ଜମିବାଡ଼ି ଥିଲା ବିକି ଭାଙ୍ଗି ବାପା ବୋଉଙ୍କୁ ଶୁଦ୍ଧି ଶ୍ରାଦ୍ଧ ହୋଇଥାନ୍ତି-। ବିଶେଷ ପଇସା ହାତରେ ନଥାଏ । ସେ କେବଳ ମାଟ୍ରିକ ଖଣ୍ଡିକ ପାସ୍‍ କରିଥାନ୍ତି-। ତାହା ପୁଣି ତୃତୀୟ ଶ୍ରେଣୀରେ । ସେହି ଯୋଗ୍ୟତାକୁ ସମ୍ୱଳ କରି ସେ ବହୁ ଜାଗା ଚାକିରିଟିଏ ପାଇଁ ବୁଲିଲେ-। ଚାକିରି ଖଣ୍ଡିଏ ଯୋଗାଡ଼ କରିଦେବା ସକାଶେ କେତେ ଲୋକଙ୍କୁ ମଧ୍ୟ ନେହୁରା ହେଲେ-। କେତେ ଲୋକଙ୍କର ପାଦ ଧରିଲେ । ନିଜ ଶକ୍ତିକୁ ଚାହିଁ ଟଙ୍କାପଇସା ଦେଲେ । ଜଳଖିଆ ଖୁଆଇଲେ । ପନି, ପରିବା, ମାଛ, ଘିଅ, ଅରୁଆ ଚାଉଳ ପର୍ଯ୍ୟନ୍ତ ଭେଟିବି ଦେଲେ-। ହେଲେ, ସମସ୍ତେ ଖାଇପିଇ ମୁହଁ ପୋଛି ଦେଇଥିଲେ । ଆଜି ଆସ, କାଲି ଆସ, ଦୁଇଦିନ ଛାଡ଼ି ଆସ ବୋଲି କହି ବାରମ୍ୱାର ଦୌଡ଼ାଇଥିଲେ । ଥରକୁଥର ଦୌଡ଼ିବାର ଅଯଥା ପଇସା ଖର୍ଚ୍ଚ ହେଲା ସିନା, କିଛି ଲାଭ ହେଲାନାହିଁ ।

 

ସେଦିନ ସେମିତି ହତାଶ ହୋଇ ଚନ୍ଦ୍ରଶେଖରପୁର ଗାଁ ଦେଇ ନିଜ ଗାଁ ମଙ୍ଗଳପୁରକୁ ଫେରୁଥିଲେ ହେମକାନ୍ତ । ମଙ୍ଗଳପୁରକୁ ଆସିବାକୁ ହେଲେ ଚନ୍ଦ୍ରଶେଖରପୁର ଗାଁ ଭିତର ଦେଇ ଖଣ୍ଡିଏ ଗହୀର ବିଲ ପାର ହେବାକୁ ପଡ଼େ । ଏବେ ଅବଶ୍ୟ ଚନ୍ଦନବଜାର ରାସ୍ତାରୁ ମଙ୍ଗଳପୁରକୁ ଗୋଟିଏ ପଞ୍ଚାୟତ ରାସ୍ତା ତିଆରି ହୋଇଛି । କିନ୍ତୁ ଏ ରାସ୍ତାଟି ଚନ୍ଦ୍ରଶେଖରପୁର ରାସ୍ତାଠାରୁ ଅଧିକ ବାଟ ପଡ଼େ । ପଞ୍ଚାୟତ ରାସ୍ତାଟି ଅଧିକ ବାଟ ପଡ଼ୁଥିଲେ ସୁଦ୍ଧା ହେମକାନ୍ତ ସେହିବାଟେ ଚନ୍ଦନବଜାରକୁ ଯାଆନ୍ତି । ସେହିଠୁ ଘରୋଇ ବସ୍‌ ଚଢ଼ି କଟକ, ଭୁବନେଶ୍ୱର ଯାଇ ଚାକିରି ଅନ୍ୱେଷଣ କରନ୍ତି କିମ୍ୱା ଅନ୍ୟ କୌଣସି କାମ ଥିଲେ ଯିବା ଆସିବା କରନ୍ତି ।

 

ଦିନେ ସେ ଚନ୍ଦ୍ରଶେଖରପୁର ଗାଁ ମଝିରେ ଆସୁଛନ୍ତି, ତାଙ୍କୁ ପଛରୁ ଶୁଭିଲା–କିଏସେ ଜଣେ ‘ହେମକାନ୍ତ’ ‘ହେମକାନ୍ତ’ ବୋଲି ଡାକୁଛନ୍ତି । ହେମକାନ୍ତ ଆଶ୍ଚର୍ଯ୍ୟ ହୋଇ ପଛକୁ ଚାହିଁଲେ । ଦେଖିଲେ ଜଣେ ବିଧବା ସ୍ତ୍ରୀଲୋକ ଦୁଆରମୁହଁରେ ଠିଆ ହୋଇ ତାଙ୍କୁ ଆସିବାକୁ ହାତ ଠାରୁଛନ୍ତି । ସେ ପାଖକୁ ଆସିଲେ । ସାବିତ୍ରୀ ମାଉସୀଙ୍କୁ ଦେଖି ମୁଣ୍ଡ ନୁଆଁଇ ନମସ୍କାର କଲେ ।

 

ହେମକାନ୍ତଙ୍କର ବୋଉ ବଞ୍ଚିଥିଲାବେଳେ ଏହି ସାବିତ୍ରୀ ମାଉସୀଙ୍କ ଘରକୁ ସେ ବୋଉଙ୍କ ସାଙ୍ଗରେ ଅନେକ ଥର ଆସିଛନ୍ତି । ବୋଉ ତାଙ୍କର କହନ୍ତି–ସାବିତ୍ରୀ ମୋର ଭଉଣୀଠାରୁ ଆହୁରି ବଳେ । ସାବିତ୍ରୀର ମୋର ଏକାଠି ଗାଁ ସ୍କୁଲ୍‍ରେ ପାଠ ପଢ଼ୁଥିଲୁ । ଏକାଠି ବୁଲୁଥିଲୁ । ଏକାଠି ଖାଉଥିଲୁ । ଏକାଦିନକେ ମଧ୍ୟ ଆମ ଦୁଇଜଣଙ୍କର ବାହାସାହା ହୋଇଥିଲା ।

 

ସାବିତ୍ରୀ ମାଉସୀଙ୍କ ସ୍ୱାମୀ ବଞ୍ଚିଥିବା ସମୟରେ ଅନେକ ଥର ସେ ହେମକାନ୍ତଙ୍କ ଘରକୁ ଆସିଛନ୍ତି । ଭଲରେ ମନ୍ଦରେ ବାପା ମଧ୍ୟ ବହୁବାର ତାଙ୍କ ଘରକୁ ଯାଇଛନ୍ତି । ମାତ୍ର ବାପା, ବୋଉ, ମଉସା ମଲା ଦିନଠାରୁ ଆଉ ସାବିତ୍ରୀ ମାଉସୀଙ୍କ ଘର ସହିତ ହେମକାନ୍ତଙ୍କର ସେତେ ସମ୍ପର୍କ ନଥିଲା । ସାବିତ୍ରୀ ମାଉସୀ ମଧ୍ୟ ତାଙ୍କର ସ୍ୱାମୀ ମଲା ଦିନଠାରୁ ଏବଂ ବଡ଼ପୁଅ ଅଜୟ ଆଜକୁ ପାଞ୍ଚବର୍ଷ ହେଲା କେଉଁଆଡ଼େ ଚାଲିଯିବା ଦିନରୁ ଏତେ ଆଉ କାହା ଘରକୁ ଯିବା ଆସିବା କରନ୍ତି ନାହିଁ । ଘରେ ତାଙ୍କର ଏକମାତ୍ର ଝିଅ ହେମଲତା । ବୟସ ଅଠର ପୂରି ଊଣେଇଶି ଚାଲିଛି-। ମା’, ଝିଅ ଦୁଇଜଣଯାକ ଜମିରୁ ଯାହା ଧାନ, ମୁଗ ଆମଦାନୀ ହୋଇ ଆସେ, ସେହିଥିରେ ବର୍ଷଟି ଖୁସିରେ ଚଳିଯାଆନ୍ତି ।

 

ସାବିତ୍ରୀ ମାଉସୀ ପଚାରିଲେ–କେଉଁଆଡ଼େ ଯାଇଥିଲୁ ହେମକାନ୍ତ ? ତୋର ତ ଆଉ ଦେଖା ନାହିଁ ? ତୋ ବାପା, ବୋଉ ମଲା ଦିନଠାରୁ କେଉଁଠି ରହୁଛୁ, କେଉଁଠି ଖାଉଛୁ, କ’ଣ କରୁଛୁ, ତୋ ଖବର ମୁଁ ଆଉ କିଛି ପାଇନି । କାହିଁକି ତ କେଡ଼େ ଅବସ୍ଥା ଦିଶୁଛୁ ! କଳା ପଡ଼ିଗଲୁଣି-। ଦେହପା କ’ଣ ଭଲ ନଥିଲାକି ?

 

ହେମକାନ୍ତ କ’ଣ କହି ଆସୁଥିଲେ । ମାତ୍ର ସାବିତ୍ରୀ ମାଉସୀ କହିଲେ, ଆ ଘର ଭିତରକୁ ଆ !

 

ହେମକାନ୍ତ ଘର ଭିତରକୁ ଗଲେ । ସାବିତ୍ରୀ ମାଉସୀ ଭିତର ବାରଣ୍ଡାରେ ସଉପ ମସିଣାଟିଏ ପକାଇ ଦେଇ କହିଲେ–ବସ । ଝିଅ ହେମଲତାଙ୍କ ଉଦ୍ଦେଶ୍ୟରେ ଡାକିଲେ–ଆଲୋ ମା’ ହେମ, ଆ ଦେଖିବୁ ଆ । ଆମ ଘରକୁ କିଏ ଆସିଛି ।

 

ହେମଲତା ରୋଷେଇଘରେ ଥିଲେ । ରୋଷେଇ କରୁଥିଲେନା କ’ଣ । ହାତ ଧୋଇ ଆସି ବୋଉଙ୍କ ପାଖରେ ଠିଆ ହେଲେ । ହେମକାନ୍ତ ଦେଖିଲେ, ହେମଲତାଙ୍କର ନାଁଟି ଯେମିତି, ତନୁଟି ସେମିତି । ଦେହରେ ଯୌବନର ଜ୍ୟୋତ୍ସ୍ନା ଲହଡ଼ି ଖେଳୁଛି । ଚାହାଣିରେ ଚଞ୍ଚଳତା, ଓଠ ତଳେ ଲାଜମିଶା ହସ । କଥାକଥାକେ ଅଭିମାନର ଛଟା ଲାଗି ରହିଛି । ହେମକାନ୍ତ ହେମଲତାଙ୍କ ମୁହଁକୁ ବେଶୀ ସମୟ ଚାହିଁ ପାରିଲେ ନାହିଁ । ମାଉସୀଙ୍କୁ ଚାହିଁ ପଚାରିଲେ–ହେମ ବର୍ତ୍ତମାନ କ’ଣ କରୁଛି ?

 

‘‘ନାଇଁମ ପୁଅ, ଆଉ କରିବ କ’ଣ ? ଘରେ ଅଛି । ବଢ଼ିଲା ଝିଅକୁ ଏକୁଟିଆ କେଉଁଠିକି ପାଠ ପଢ଼ାଇବାକୁ ଛାଡ଼ିବି କହୁନୁ ? ସମସ୍ତେ କହୁଥିଲେ ହେମ ଭଲ ପଢ଼ୁଛି । ତାକୁ ଆଉ ପଢ଼ାଅ । ହେଲେ ମୁଁ ମଙ୍ଗିଲିନି । ଭଲ ପାତ୍ରଟିଏ ଖୋଜୁଛି । ଏବର୍ଷ ହେଉ ବା ଆସନ୍ତା ବର୍ଷ ହେଉ ତାକୁ ହାତକୁ ଦିହାତ କରିଦେଲେ, ମୁଁ ଟିକିଏ ନିଶ୍ଚିନ୍ତ ହେବି ।’’ ସାବିତ୍ରୀ ମାଉସୀ ଏତିକି କହି ହେମଲତାଙ୍କ ଆଡ଼କୁ ଚାହିଁଲେ ।

 

ହେମଲତା ଅଭିମାନ ମିଶା ସ୍ୱରରେ କହିଲେ–ତୋର ତ ଆଉ କିଛି ଚିନ୍ତା ନାହିଁ । ଯେ ବାହାରୁ ଆସିଲା, ଗଲା, ତାଙ୍କ ଆଗରେ ଖାଲି ଝିଅ ବାହାଘର କଥା ।

 

ସାବିତ୍ରୀ ମାଉସୀ କହିଲେ–ଏ କିଏ ତୁ ଚିହ୍ନିଛୁ ତ ? ଏ ପରା ହେମକାନ୍ତ । ମଙ୍ଗଳପୁର ମାଉସୀଙ୍କ ପୁଅ । ମାଉସୀ, ମଉସା ମଲା ଦିନଠାରୁ କେତେ ଅବସ୍ଥା ଦିଶିଲାଣି ।

 

ହେମଲତା ହେମକାନ୍ତଙ୍କୁ ନମସ୍କାର କଲେ । ହେମକାନ୍ତ ପ୍ରତିନମସ୍କାର ଜଣାଇଲେ । ହେଲେ, ହେମକାନ୍ତଙ୍କ ଚାହାଣିରେ ଥିଲା ହତାଶ, ବିଷାଦ, ନିରାଶର ଆବରଣ ।

 

ସାବିତ୍ରୀ ମାଉସୀ ହେମଲତାକୁ କହିଲେ–ଯା, ଦହି କାଗଜିଲେମ୍ୱୁ ଦେଇ ସରବତ ଟିକିଏ କରି ଆଣେ ।

 

ହେମଲତା ରୋଷେଇଘର ଆଡ଼େ ଚାଲିଗଲେ ।

 

ସାବିତ୍ରୀ ମାଉସୀ ହେମକାନ୍ତଙ୍କୁ ପଚାରିଲେ–ବର୍ତ୍ତମାନ କ’ଣ କରୁଛୁ ତୁ ?

 

ହେମକାନ୍ତ କହିଲେ–ଚାକିରି ଖଣ୍ଡିଏପାଇଁ ବୁଲି ବୁଲି ପାଉନି । ଜମିବାଡ଼ି ଯାହା ଥିଲା ବିକି ଭାଙ୍ଗିତ ବାପା ବୋଉଙ୍କର ଶୁଦ୍ଧି ଶ୍ରାଦ୍ଧ କଲି । ବଡ଼ କଷ୍ଟ, ଅସୁବିଧାରେ ଅଛି ।

 

ସାବିତ୍ରୀ ମାଉସୀ କହିଲେ–ଚନ୍ଦନବଜାରରେ ଘର ଖଣ୍ଡିଏ ନେଇ ଲୁଗା ଦୋକାନଟିଏ କରୁନୁ ? ଭଲ ଲୁଗା ଦୋକାନଟିଏ ତ ବଜାରରେ ନାହିଁ ।

 

ହେମକାନ୍ତ ନିଜର ଅସାମର୍ଥ୍ୟତା ପ୍ରକାଶ କରି କହିଲେ–ଏତେ ଟଙ୍କା କୁଆଡ଼ୁ ଆଣିବି ? ଲୁଗା ଦୋକାନଟିଏ କଲେ ତ ଅତି କମ୍‌ରେ ପାଞ୍ଚହଜାର ଟଙ୍କା ଦରକାର ।

 

‘‘ଟଙ୍କା କଥା ମୁଁ ବୁଝିବି, ତୁ ଘର ଖଣ୍ଡିଏ ଦେଖେ ।’’ ସାବିତ୍ରୀ ମାଉସୀ କହିଲେ ।

 

ମାଉସୀଙ୍କ କଥା ହେମକାନ୍ତଙ୍କ ଶରୀରରେ ଶକ୍ତିର ଶିହରଣ ଖେଳାଇ ଦେଲା । ମୁହୂର୍ତ୍ତକ ଭିତରେ ମନରେ ନାନା ଭାବନା ଖେଳିଗଲା ।

 

ଏତିକିବେଳେ ହେମଲତା ସର୍ବତ୍‍ ଗ୍ଲାସ୍‌ଟି ଧରି କହିଲେ–ସର୍ବତ୍‍ ନିଅନ୍ତୁ ।

 

ମୁହଁ ହାତ ଧୋଇବାକୁ ପାଣି ଟିକିଏ ମାଗିଲେ ହେମକାନ୍ତ । ହେମଲତା ଦୌଡ଼ିଯାଇ ଢାଳରେ ପାଣି ଆଣି ଦେଲେ । ହେମକାନ୍ତ ଗୋଡ଼ହାତ ମୁହଁ ଧୋଇ ସର୍ବତ୍‍ ଗ୍ଲାସ୍‌ଟି ପିଇଲେ । ତାଙ୍କୁ ଟିକିଏ ଆରାମ ଲାଗିଲା । ବହୁଦିନ ରୋଗଶଯ୍ୟାରେ ପଡ଼ିଥିବା ହତାଶ ରୋଗୀ ଭଲ ହେବାପରେ ଭାତ ଦୁଇଟି ପଥି କଲାବେଳେ ଯେପରି ଲାଗେ, ହେମକାନ୍ତଙ୍କୁ ସେହିଭଳି ଲାଗୁଥିଲା-

 

ସର୍ବତ୍‍ ଗ୍ଲାସ୍‌ଟି ପିଇ ସାରିବା ପରେ ହେମକାନ୍ତ କହିଲେ–ମୁଁ ଯାଉଛି ମାଉସୀ !

 

‘‘ନା, ନା, ଇଲେ କୁଆଡ଼େ ଯିବୁ ? ଆମର ରୋଷେଇବାସ ଶେଷ ହେବା ଉପରେ । ଭାତ ଦି’ଟା ଖାଇଦେଇ ଯିବୁ ।’’ ସାବିତ୍ରୀ ମାଉସୀ ହେମଲତାକୁ କହିଲେ–ଯା ମା’, ଚଞ୍ଚଳ ଟିକିଏ ତରକାରୀ କରିଦେ । ହେମକାନ୍ତ ଦି’ଟା ଖାଇଦେଇ ଯିବ ।

 

ହେମକାନ୍ତଙ୍କର ଆଜି ମଧ୍ୟ ସେଦିନର କଥାଗୁଡ଼ିକ ଗତକାଲି ଘଟିଥିବା ଘଟଣା ଭଳି ମନେ ପଡ଼ୁଛି । ସେ ଖାଇସାରି ଆଉ ଗାଁକୁ ଗଲେ ନାହିଁ । ସିଧା ଚାଲିଲେ ଚନ୍ଦନବଜାରକୁ ।

 

ଚନ୍ଦନବଜାରଟି କ୍ରମେ ବଢ଼ିବାରେ ଲାଗିଛି । ଏଥିମଧ୍ୟରେ ଚାଉଳ ଡାଲି ଦୋକାନ, ଜଳଖିଆ ଦୋକାନ, ଖିଲିପାନ ଦୋକାନ, ଗାମୁଛା ଲୁଙ୍ଗିଦୋକାନ, ବହି ଦୋକାନ, ଔଷଧ ଦୋକାନ, ଷ୍ଟେସନାରୀ ଦୋକାନ, ପନିପରିବା ଦୋକାନ, ଫଳମୂଳ ଦୋକାନ, ମାଛ ମାଂସ ଦୋକାନ ଆଗ ଅପେକ୍ଷା ଅନେକ ହୋଇ ଗଲାଣି । ବଜାରରେ ଖାଲିଜାଗାର ଜମିମାଲିକମାନେ ମଧ୍ୟ ଅଧିକରୁ ଅଧିକ ଭଡ଼ା ପାଇବା ଆଶାରେ ଘର ପରେ ଘର ତୋଳିବାରେ ଲାଗିଛନ୍ତି । ଚନ୍ଦନବଜାରକୁ ବିଜୁଳି ଆଲୁଅ ଆସିଗଲାଣି । ମଫସଲ ଜାଗା ହେଲେ କ’ଣ ହେବ, ବଜାର ଅଞ୍ଚଳଟି ଗୋଟିଏ ଛୋଟିଆ ସହର ଭଳି ଦିଶୁଛି ।

 

ସମୟ ଯେତେବେଳେ ଭଲ ଆସେ, ମାଟି ଧରିଲେ ସୁନା ପାଲଟେ । ହେମକାନ୍ତଙ୍କୁ ଚନ୍ଦନବଜାରରେ ଘର ପାଇବାରେ ବିଶେଷ କିଛି ଅସୁବିଧା ହେଲାନାହିଁ । ସାବିତ୍ରୀ ମାଉସୀ ମଧ୍ୟ ପାଞ୍ଚହଜାର ଟଙ୍କା ଲୁଗା ଦୋକାନ କରିବାକୁ ଦେଲେ । ସମ୍ୱଲପୁର ଶାଢ଼ି, ମାଣିଆବନ୍ଧ ଶାଢ଼ି, କଟକର ଛାପା ଶାଢ଼ି, ଖୋର୍ଦ୍ଧାର ଲୁଙ୍ଗି ଗାମୁଛା ପ୍ରଭୃତି ଆଣି କାଠ ର‍୍ୟାକ୍‌ରେ ରଖି ବିକୁ ବିକୁ ବର୍ତ୍ତମାନ ହେମକାନ୍ତଙ୍କର ଲକ୍ଷେ ଟଙ୍କାର ଦୋକାନ ହେଲାଣି । ଦୋକାନରେ ବିକ୍ରି କରିବାକୁ ଏବେ ଦୁଇଜଣ ପିଲା ରହିଛନ୍ତି । ଟଙ୍କା ଆଣିବାର ବର୍ଷ ଦୁଇଟାରେ ହେମକାନ୍ତ ସାବିତ୍ରୀ ମାଉସୀଙ୍କର ପାଞ୍ଚହଜାର ଟଙ୍କା ଶୁଝି ଦେଲେ ସତ, ମାତ୍ର ହେଲେ ସାବିତ୍ରୀ ମାଉସୀଙ୍କର ଉପକାର ମନରୁ ତାଙ୍କର ଗଲା ନାହିଁ ।

 

ଲୁଗା ଦୋକାନ ବଢ଼ିବା ସଙ୍ଗେ ସଙ୍ଗେ ସାବିତ୍ରୀ ମାଉସୀଙ୍କ କ୍ଷୁଦ୍ର ପରିବାର ସହିତ ହେମକାନ୍ତଙ୍କର ଘନିଷ୍ଠତା କ୍ରମେ ବଢ଼ିବାରେ ଲାଗିଲା । ସାବିତ୍ରୀ ମାଉସୀଙ୍କ ସ୍ନେହ, ଶ୍ରଦ୍ଧା, ଆଦେଶ, ପରାମର୍ଶ, ଉପଦେଶକୁ ହେମକାନ୍ତ ଉପେକ୍ଷା କରିପାରିଲେ ନାହିଁ । ଅଧିକାଂଶ ସମୟରେ ସେ ଆସି ସାବିତ୍ରୀ ମାଉସୀଙ୍କ ଘରେ ଖାଇଲେ, ବସିଲେ, ଶୋଇଲେ, ମାଉସୀଙ୍କ ସହିତ ଗପ୍‍ସପ୍ ହେଲେ । ହେମଲତାଙ୍କ ସହିତ ହସଖୁସି ହେଲେ । ଲୁହାକୁ ଚୁମ୍ୱକ ଟାଣିଲା ପରି ହେମଲତାଙ୍କର ତନୁଲାବଣ୍ୟ ସହିତ ହୃଦୟର ଆକର୍ଷଣ ହେମକାନ୍ତ ବେଶୀ ଉପଲବ୍ଧି କଲେ । ଉଭୟଙ୍କ ଭିତରେ ହସ, ଖୁସି, ସ୍ନେହ ଆଦର ବଢ଼ୁ ବଢ଼ୁ ତାହା ବିବାହ ବନ୍ଧନରେ ପରିଣତ ହେଲା । ଯେଉଁ ସାବିତ୍ରୀ ମାଉସୀଙ୍କୁ ହେମକାନ୍ତ ମାଉସୀ ଆଖିରେ ଦେଖୁଥିଲେ, ହେମଲତାଙ୍କୁ ବିବାହ କରିବା ପରେ ସେ ହେଲେ ଶାଶୁ, ବୋଉ, ମୁରବି, ପରାମର୍ଶଦାତ୍ରୀ–ସବୁକିଛି ।

 

ତା’ପରେ ହେମକାନ୍ତ ହେମଲତାଙ୍କୁ ସହଧର୍ମିଣୀ କରି ଆଣି ମଙ୍ଗଳପୁରରେ ଏହି ଘରେ ତାଙ୍କର ନୂତନ ଜୀବନଯାତ୍ରା ଆରମ୍ଭ କଲେ । ସେତେବେଳେ ତାଙ୍କର ଚଉଠି ହୋଇଥିଲା ଚନ୍ଦ୍ରଶେଖରପୁର ହେମଲତାଙ୍କ ଘରେ । ସାବିତ୍ରୀ ମାଉସୀ ବିବାହଠାରୁ ଚଉଠି, ସାତମଙ୍ଗଳା ପର୍ଯ୍ୟନ୍ତ ସବୁଖର୍ଚ୍ଚ ନିଜେ ତୁଲାଇ ଥିଲେ । ହେମଲତା ଓ ହେମକାନ୍ତ ସେଠାରେ ଗୋଟିଏ ମାସ ଚଳିବାପରେ ମଙ୍ଗଳପୁର ଆସି ନିଜର ଘର ପ୍ରତି ଦୃଷ୍ଟି ଦେଲେ । ହେମକାନ୍ତ ଓ ହେମଲତାଙ୍କୁ ଉଭୟ ଗ୍ରାମର ଘରକଥା ଦେଖିବାକୁ ପଡ଼ିଲା ।

 

ହସ, ଖୁସି ଆନନ୍ଦ ଭିତରେ ହେମକାନ୍ତ ଓ ହେମଲତାଙ୍କର ଦିନଗୁଡ଼ିକ ଗଡ଼ିଚାଲିଲା । ସାବିତ୍ରୀ ମାଉସୀ ହେମକାନ୍ତ ଓ ହେମଲତାଙ୍କୁ ‘ଲକ୍ଷ୍ମୀ ନାରାୟଣ’ ବୋଲି କହୁଥିଲେ । ହେମଲତାଙ୍କର ରୂପ ଯେପରି ସୁନ୍ଦର ଥିଲା, ଗୁଣ ମଧ୍ୟ ସେମିତି ଉତ୍ତମ ଥିଲା । ହେମକାନ୍ତ କେବଳ ଦୋକାନଟି କଥା ବୁଝୁଥିଲେ । ହେଲେ ଗଲାଅଇଲା, ବନ୍ଧୁବାନ୍ଧବ, ବେଭାର ବନ୍ଦାଣ, ପୁନିଅଁପର୍ବ, ଘର ଛପରବନ୍ଦି, ଦୈନନ୍ଦିନଖର୍ଚ୍ଚ, ଗାଈଗୋରୁ ଧନ୍ଦା ସବୁ କଥା ବୁଝୁଥିଲେ ହେମଲତା । ହେମକାନ୍ତ ସକାଳୁ ଉଠି ନିତ୍ୟକର୍ମ ସାରି ଦୋକାନକୁ ବାହାରିଲାବେଳେ ତାଙ୍କ ରୁଚି ଅନୁସାରେ ଜଳଖିଆ କରି ପାଖରେ ବସି ହେମଲତା ଯେପରି ଖୁଆଇ ଛାଡ଼ୁଥିଲେ, ଦୋକାନରୁ ଫେରିଲା ପରେ ସେହିପରି ଗରମ ଗରମ ଭାତ, ଡାଲି, ତରକାରୀ, ମାଛ ବାଢ଼ି ଦେଇ ପାଖରେ ବସି ପଙ୍ଖା କରୁଥିଲେ ଏବଂ ୟାକୁ ଖାଅ, ତାକୁ ଖାଅ ବୋଲି ଜିଦ୍‌ କରି ଖୁଆଉଥିଲେ । ହେମକାନ୍ତଙ୍କୁ ମାଂସ, ଅଣ୍ଡା ଅପେକ୍ଷା ମାଛ ଭଲଲାଗେ ବୋଲି ସେ ତାଙ୍କ ମନଜାଣି ପ୍ରତିଦିନ ମାଛ ଦି’ଟା କେଉଁଠୁଁ ହେଲେ ଆଣି ତରକାରୀ ବା ଭଜା କରି ଖାଇବାପତ୍ରରେ ବାଢ଼ୁଥିଲେ ।

 

ହେମଲତାଙ୍କର ଖାଇବା ଭଲ ଭଲ ଶାଢ଼ି ଗହଣା ପିନ୍ଧିବା, ଯାନିଯାତ୍ରାରେ ବିଭିନ୍ନ ସ୍ଥାନକୁ ଯିବା, କେଉଁ ଥିରେ ଊଣା ନଥିଲା । ହେମକାନ୍ତ ତାଙ୍କ ମନକୁ ଚାହିଁ ସେ କହନ୍ତୁ ବା ନ କହନ୍ତୁ ଆଗୁଆ ସବୁ ବ୍ୟବସ୍ଥା ନିଜଆଡ଼ୁ କରିଦେଉଥିଲେ । ତେଣୁ ହେମକାନ୍ତଙ୍କ ଦୁଇଜଣିଆ ପରିବାର ଭିତରେ ପ୍ରକୃତ ସ୍ୱର୍ଗସୁଖ ବିରାଜୁଥିଲା ।

ଠାକୁରଙ୍କର କେଜାଣି କାହିଁକି ଏପରି ଗୋଟିଏ ପରପଞ୍ଚ ସ୍ୱଭାବ ଯେ ଯେଉଁଠି ସବୁ ସୁଖ, ଆନନ୍ଦ ସେଠାରେ ସେ ଅଶାନ୍ତି, ଦୁଃଖ ଯନ୍ତ୍ରଣାର କଳାଜାଇଟିଏ ରଖିଦେଇ ଥାଆନ୍ତି । ସେ କଳାଜାଇଟି ଦେହରେ ଦିନକୁଦିନ ଯାଦୁ, ବିଞ୍ଚି ଭଳି ମାଡ଼ି ମାଡ଼ି ଚାଲେ ସିନା ଲିଭେ ନାହିଁ ।

ସବୁ ସୁଖ ଭିତରେ ହେମଲତାଙ୍କର ଗୋଟିଏ ଦୁଃଖ ଥିଲା–ପିଲାଟିଏ ପାଇଁ । ପାଞ୍ଚବର୍ଷ ହେଲା ବିବାହ କରିଥିଲେ ସୁଦ୍ଧା କୌଣସି ସନ୍ତାନସନ୍ତତି କୋଳରେ ସେ ଦେଖି ନଥିଲେ । ଏଥିପାଇଁ ହେମଲତା, ସାବିତ୍ରୀ ମାଉସୀ କେତେ ଦିଅଁଦେବତା କଲେ । କେତେ ସାଧୁ ସନ୍ନ୍ୟାସୀଙ୍କ ଆଶ୍ରା ନେଲେ । ଡାକ୍ତରୀ, କବିରାଜ, ହୋମିଓପାଥି, ୟୁନାନି, ଠୁଣୁଠୁଣୁକା, କାଟପାଣି କଲେ । କେତେ ଡେଉଁରିଆ, ଚେରମୂଳି ଆଣି ହାତରେ ବାନ୍ଧିଲେ । ଜ୍ୟୋତିଷଙ୍କ ପରାମର୍ଶରେ ଗୋମେଦ ପ୍ରଭୃତି କେତେ ପ୍ରକାରର ଗ୍ରହଶାନ୍ତି ପଥରବସା ମୁଦି ପୂଜାକରି ଆଙ୍ଗୁଠିରେ ପିନ୍ଧିଲେ । ପୂର୍ଣ୍ଣିମା, ସଂକ୍ରାନ୍ତି, ଅମାବାସ୍ୟା, ଶନିବାର, ମଙ୍ଗଳବାର, ରବିବାର ଉପବାସ କଲେ, ପୂଜା ହୋମ କଲେ, ହେଲେ କୌଣସିଟି ତାଙ୍କପାଇଁ ଫଳ ଦେଲାନାହିଁ ।

ସାବିତ୍ରୀ ମାଉସୀ ହେମଲତାଙ୍କ କୋଳରୁ ପିଲାଟିଏ ଆଣି ନିଜ କୁଳରେ ବସାଇବେ ବୋଲି ଯେଉଁ ଆଶା, ଭରସା କରି ଏତେଦିନ ଚାହିଁ ରହିଥିଲେ, ତାହା କ୍ରମେ କୁହେଳିରେ ପରିଣତ ହେବାକୁ ଲାଗିଲା ।

ହେମଲତାଙ୍କର ଶୋଇଲେ, ବସିଲେ, ଖାଇଲେ, କେଉଁ ଆଡ଼କୁ ଗଲେ, ପିଲାମାନଙ୍କୁ ଦେଖିଲେ, ଅକୁହା ଯନ୍ତ୍ରଣାରେ ହୃଦୟ କରତି ହେବାରେ ଲାଗିଲା । ତାଙ୍କରି ବୟସର ଝିଅମାନେ ବାହାସାହା ହୋଇ ଦୁଇ ତିନୋଟି ପୁଅ, ଝିଅଙ୍କର ମା’ ହେଲେଣି । ପିଲାଙ୍କର ଅଳିଝଳି, ଦରୋଟିକଥା, ଠୁକୁଠୁକୁ ଚାଲିଲେ ଘର ଆନନ୍ଦଭବନ ପାଲଟିଛି । ତାଙ୍କଠାରୁ ଯେଉଁମାନେ ହୀନ ଅବସ୍ଥାରେ ଅଛନ୍ତି, ଘରେ ଖାଇବାକୁ ନାହିଁ, ପିଲାଙ୍କୁ କ୍ଷୀର ଟିକିଏ ଦେବାକୁ, ପେଣ୍ଟ ଜାମା ଖଣ୍ଡେ କରିବାକୁ ପାଖରେ ପଇସା ନାହିଁ ତାଙ୍କ ଘର ପୁଅଝିଅଙ୍କ କୋଳାହଳ, ଖୁସି ଆନନ୍ଦରେ ଫାଟି ପଡ଼ୁଛି, ଅଥଚ ତାଙ୍କର ସବୁସୁଖ ଥାଇ ସେ ଆଜି ହୀନକପାଳୀ । ମନର ଦୁଃଖ ବେଳେବେଳେ ସେ ହେମକାନ୍ତଙ୍କ ଆଗରେ କହନ୍ତି । ମାତ୍ର ହେମକାନ୍ତ ତା’ ଉପରେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ, କହନ୍ତି–ତୁମେ କାହିଁକି ଏତେ ବ୍ୟସ୍ତ ହୋଇ ପଡ଼ୁଛ ହେମ ! ପିଲାପିଲି ହେବାର ବୟସ ଆମର କ’ଣ ଚାଲିଗଲାଣି ? ଆଜି ନ ହେଇଛି, କାଲି ହେବ, ସମୟ ଆସିଲେ ନିଶ୍ଚୟ ଆମର ପିଲାଛୁଆ ହେବେ, ସେ ବିଶ୍ୱାସ ମୋର ରହିଛି ।

ହେମକାନ୍ତଙ୍କ ଛାତିରେ ହେମଲତା ମୁଣ୍ଡ ଗୁଞ୍ଜି ତାଙ୍କ ମୁହଁକୁ ଚାହିଁ ଆଶାୟୀ କଣ୍ଠରେ ପଚାରନ୍ତି–ଆମର ପିଲାପିଲି ନିଶ୍ଚୟ ହେବ ?

ହେମକାନ୍ତ ହେମଲତାଙ୍କର ନରମ କେଶଗୁଡ଼ିକ ଉପରେ ହାତ ବୁଲାଉ ବୁଲାଉ ଉତ୍ତର ଦିଅନ୍ତି–ନିଶ୍ଚୟ ହେବ ।

ହେମକାନ୍ତଙ୍କ କଥାରେ କି ଅମୃତ ଥାଏ କେଜାଣି, ହେମଲତା ତୃପ୍ତି ଅନୁଭବ କରନ୍ତି, ଦେହରେ ତାଙ୍କର ପୁଲକ ଜାଗେ । ଶିହରଣ ସୃଷ୍ଟି ହୁଏ ।

 

ଚନ୍ଦ୍ରଶେଖରପୁର ଗାଁରେ ମାଧବୀବୋଉଙ୍କ ଘର । ମାତ୍ର ତାଙ୍କ ସ୍ୱାମୀ ଓ ପିଲାମାନେ କଟକରେ ରହନ୍ତି । ଏବେ ସେମାନେ ସହରରେ ଜାଗା କିଣି ଘର କରିଛନ୍ତି । ଗାଁରେ ମାଧବୀଙ୍କ ଦାଦା ତାଙ୍କର ଗଛ, ମାଛ, ଜମିବାଡ଼ି କଥା ବୁଝନ୍ତି । ମାଧବୀବୋଉ ମଝିରେ ମଝିରେ ଗାଁକୁ ଆସି ଜମିବାଡ଼ି କଥା ଦେଖନ୍ତି । ଧାନ, ମୁଗ, ବିରି, ସୋରିଷ ପ୍ରଭୃତି ଯେଉଁ ସବୁ ଫସଲ ଆଦାୟ ହୋଇଥାଏ, ନିଅନ୍ତି ।

 

ମାଧବୀବୋଉ ଥରେ ଗାଁକୁ ଆସିଥିଲେ । ସାବିତ୍ରୀ ମାଉସୀ ସକାଳୁ ଗାଧୋଇ ଗାଁମୁଣ୍ଡ ରାଧାମାଧବଙ୍କ ମନ୍ଦିରରେ ମୁଣ୍ଡିଆ ମାରି ହେମଲତାଙ୍କ କୋଳରେ ପିଲାଟିଏ ଦିଅ ବୋଲି ଠାକୁରଙ୍କୁ ଜଣାଇ ଘରକୁ ଫେରୁଛନ୍ତି, ଏହି ସମୟରେ ମାଧବୀବୋଉଙ୍କ ସହିତ ତାଙ୍କର ଦେ‌ଖାଦେଲା ।

 

ମାଧବୀବୋଉ ପଚାରିଲେ–ହେମର କ’ଣ ପିଲାଛୁଆ ହେଲାଣି ହେମବୋଉ ?

 

ସାବିତ୍ରୀ ମାଉସୀ ଦୀର୍ଘନିଃଶ୍ୱାସ ପକାଇ କହିଲେ–ନାଇଁ କିଛି ହୋଇନି । ‘‘ବିଭା ହେବାର ତ ଆସି ପାଞ୍ଚବର୍ଷ ହୋଇଯିବଣି ?’’ ମାଧବୀବୋଉ ପଚାରି ସାବିତ୍ରୀ ମାଉସୀଙ୍କ ମୁହଁକୁ ଚାହିଁଲେ ।

 

ସାବିତ୍ରୀ ମାଉସୀ କହିଲେ–କ’ଣ କରିବା ! ଭାଗ୍ୟ ସେ । ଖାଇବା, ପିଇବା, ପିନ୍ଧିବା, ଯାନିଯାତ୍ରା, ଭଲମନ୍ଦ, ଦୁଃଖୀ ଗରିବଙ୍କୁ ହାତଟେକି ଦେବା କେଉଁଥିରେ ତା’ର ଅଭାବ ଭଗବାନ ରଖି ନାହାନ୍ତି । ହେଲେ ପିଲାଟିଏ କୋଳରେ ଦେଇ ନାହାଁନ୍ତି ବୋଲି ସବୁବେଳେ ମନ ମାରି ରହୁଛି-। ମନରେ କ’ଣ ତା’ର ଆଗପରି ଆଉ ସୁଖ, ଶ୍ରଦ୍ଧା, ଆଗ୍ରହ ବା ଉତ୍ସାହ ଅଛି ? ଦିନେ ଓଳିଏପାଇଁ ଯଦି ଘରକୁ ଆସିଲା, ଭଲକରି ଗଣ୍ଡେ ଖାଇଲା, ନା ମନଖୋଲି ହସି ଦିପଦ କଥାବାର୍ତ୍ତା ହେଲା-?

 

ମାଧବୀବୋଉ କହିଲେ–ଏଥିପାଇଁ ଏତେ ଚିନ୍ତା କାହିଁକି କରୁଛ ? ହେମ କାଲିକାର ଛୁଆଟା । ତା’ର କ’ଣ ପିଲାଛୁଆ ହେବନି ?

 

‘‘ତୁମ ତୁଣ୍ଡ ଶ୍ରୀତୁଣ୍ଡ କରନ୍ତେ ହେଲେ ଭଗବାନ’’ କହି ସାବିତ୍ରୀ ମାଉସୀ ଠାକୁରଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ନମସ୍କାର କଲେ ।

 

ମାଧବୀବୋଉ କହିଲେ–ଆମ ମାଧବୀର ସେମିତି ସାତବର୍ଷ ପର୍ଯ୍ୟନ୍ତ କୌଣସି ପିଲାଛୁଆ ଦେଲେ ନାହିଁ । ସେଥିପାଇଁ ତା’ ବାପା, ମୁଁ, ମାଧବୀ, ତାଙ୍କର କ’ଣ କମ୍‌ ଉପାୟ କରିଛୁ ? ଏ ଦିଗରେ ଆମର ବହୁ ପଇସା ଖର୍ଚ୍ଚ ହୋଇଛି । ହେଲେ କୌଣସିଥିରେ କିଛି ଫଳ ପାଇଲୁ ନାହିଁ । ଇମିତି ତୁମରି ଭଳି ବଡ଼ ଚିନ୍ତାରେ ଆମେ ଥିଲୁ । କିଛିଦିନ ପରେ ହିମାଳୟର ଜଣେ ନାଗା ସନ୍ନ୍ୟାସୀ ପୁରୀରେ ଜଗନ୍ନାଥ ଦର୍ଶନ କରି କଟକ ଦେଇ ଫେରୁଥିଲେ । ସେ ଗୋପାଳଜୀଉ ମନ୍ଦିରରେ ଦୁଇଦିନ ପାଇଁ ରହିଥିଲେ । ସହରର ବହୁ ଲୋକ ତାଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ମୁଁ, ମାଧବୀ ବାପା ଓ ମାଧବୀ ସେ ଦିନ ସନ୍ଧ୍ୟାରେ ତାଙ୍କୁ ଦର୍ଶନ କରିବାକୁ ଯାଇଥାଉ । କେତେ ଲୋକ ବସିଥାନ୍ତି । ଆମେ ମଧ୍ୟ ବସିଥାଉ । ନାଗା ସନ୍ନ୍ୟାସୀ କ’ଣ ଠଉରେଇଲେ କେଜାଣି, ଆମକୁ ପାଖକୁ ଡାକିଲେ । ସେ ମାଧବୀ ମୁହଁକୁ ଚାହିଁ କହିଲେ–‘‘କାର୍ତ୍ତିକ ପୂର୍ଣ୍ଣମୀ ଦିନ ପୁରୀ ସାଗରରେ ସ୍ନାନ ପରେ ସୂର୍ଯ୍ୟଙ୍କୁ ନମସ୍କାର କରି ମନକଥା ଜଣାଇବ । ତା’ପରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବ । ସେଠାରୁ ନିର୍ମଳ ମନରେ ଯାଇ ମଡ଼ିଛି କୁଣ୍ଡରେ ମୁଣ୍ଡିଆମାରି ହାତ ବଢ଼ାଇ ଯାହା ପାଇବ, ଆଖି ମୁଦି ପାଇଦବ । ଏହିଭଳି ଲାଗଲାଗ ଦୁଇଟି ବର୍ଷ କଲେ, ପାତକ ଦୋଷ କ୍ଷୟ ହେବ । ଭଲ ସମୟ ଆସିଲେ ସନ୍ତାନସନ୍ତତି ଲାଭ କରିବ ।’’ ନାଗା ସନ୍ନ୍ୟାସୀଙ୍କ ଉପଦେଶ ଅନୁସାରେ ମାଧବୀ ଲାଗଲାଗ ଦୁଇଟି ବର୍ଷ ଏହିଭଳି କଲା । ତୃତୀୟ ବର୍ଷ ବେଳକୁ ଜଗନ୍ନାଥ ତା’ର ଦୁଃଖ ଶୁଣିଲେ । ଏବେ ତା’ର ଦୁଇଟି ପୁଅ, ଗୋଟିଏ ଝିଅ । ପିଲାମାନଙ୍କ ହସ, ଖୁସି, ଖେଳ, ପାଟିତୁଣ୍ଡ, ଧାଁ ଦଉଡ଼ରେ ଘର ଫାଟିପଡ଼ୁଛି ।

 

ସାବିତ୍ରୀ ମାଉସୀ କହିଲେ–ଆଚ୍ଛା !

 

ମାଧବୀବୋଉ କହିଲେ–ମୁଁ ଏହି ଉପାୟଟି କଟକରେ ବହୁ ଲୋକଙ୍କୁ କହିଲିଣି । ସେମାନେ ମଧ୍ୟ ଫଳ ପାଇଲେଣି । ତୁମେ ବୁଝୁନ, ଯାହା ଘରେ ପିଲାଟିଏ ନାହିଁ, ତା’ ଘର କ’ଣ ଘର ଭଳି ଲାଗେ, ନା ସୁନ୍ଦର ଦିଶେ ?

 

ସାବିତ୍ରୀ ମାଉସୀ ଆଉ କିଛି ଉତ୍ତର ଦେଲେ ନାହିଁ । କେବଳ ଏତିକି କହିଲେ–ମୁଁ ଯାଉଛି । ବାହାରଘର କବାଟ ଆଉଜାଇ ଦେଇ ଆସିଥିଲି । ଘରେ କୁକୁର କି ଗାଈ ପଶିବଣି ।

 

ମାଧବୀବୋଉ ପୋଖରୀକୁ ଯାଉ ଯାଉ କହିଲେ–ତୁମେ ସେୟା କରମ ହେମବୋଉ ! ଦେଖିବନି, ବର୍ଷ ଗୋଟିଏ ଦୁଇଟିରେ ହେମ କୋଳରେ ନିଶ୍ଚୟ ଗୋଟିଏ କି ଦୁଇଟି ଛୁଆ ଖେଳୁଥିବେ । ସେତେବେଳେ ମୋ କଥା ମନେପକାଇବ ଯେ ?

 

ମାଧବୀବୋଉଙ୍କଠାରୁ ଏକଥା ସାବିତ୍ରୀ ମାଉସୀ ଶୁଣିବା ପରେ କେଉଁ କାମରେ ଘରେ ଆଉ ତାଙ୍କର ମନ ଲାଗିଲା ନାହିଁ । ତରବର ହୋଇ ଘରେ ଥିବା ଠାକୁରଙ୍କ ଉପରେ ପାଣି ମୁଠେ, ଫୁଲ ଦି’ଟା ପକାଇ ଦେଇ ପାଟିରେ କ’ଣ ଦି’ଟା ଦେଲେ କି ନାହିଁ, ସିଧା ଚାଲିଲେ ମଙ୍ଗଳପୁର ଝିଅଘରକୁ । ସେତେବେଳକୁ ହେମକାନ୍ତ ଦୋକାନରୁ ଫେରି ନଥିଲେ । ହେମଲତା ରୋଷେଇବାସ କରୁଥିଲେ । ସାବିତ୍ରୀ ମାଉସୀ ସିଧାସଳଖ ରୋଷେଇଘରେ ପଶି ମାଧବୀବୋଉ କହିଥିବା ସମସ୍ତ କଥା ହେମଲତାଙ୍କୁ କହିଲେ ଏବଂ ପରାମର୍ଶ ଦେଲେ, ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀ ଦିନ ତୁ ଓ ହେମକାନ୍ତ ପୁରୀ ଯିବାପାଇଁ ହେମକାନ୍ତକୁ କହ ।

 

ହେମକାନ୍ତ ଦୋକାନରୁ ଫେରିଲେ । ଗୋଡ଼ହାତ ଧୋଇ ଖାଇବାକୁ ବସୁଛନ୍ତି, ହେମଲତା କହିଲେ–ବୋଉ ଆସିଛି ।

 

ହେମକାନ୍ତ ଶାଶୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ।

 

ସାବିତ୍ରୀ ମାଉସୀ ଝିଅକୁ ଆଖି ଠାରି ଦେଲେ–ଆଗ ଖାଇବାକୁ ବାଢ଼ିଦେ । ଭୋକ ଉପାସରେ ଦୋକାନରୁ ଫେରିଛି । ଯେତେ ନିଜର ଲୋକ ହେଲେ କ’ଣ ହେଲା, ମରଦପୁଅ । କାମରୁ ଫେରୁଥିଲେ ଆଗ ଖାଇବାକୁ ଦେଇ ପେଟ ତାଙ୍କର ଶାନ୍ତି କରି ସାରିଲେ ପଛେ ନିଜ କଥା ଯାହା କହିବ । ନହେଲେ ଭୋକିଲା ପେଟରେ ଥିଲେ ଯେତେ ହିତକର ଅମୃତତୁଲ୍ୟ କଥା କହିଲେ ମଧ୍ୟ ତାଙ୍କୁ ବିଷ ପରି ଲାଗିବ, ନାଗସାପ ପରି ଫଁ ଫଁ ହେବେ । ଶେଷରେ ଚୋଟ ମାରିବେ ।

 

ହେମଲତା ପିଢ଼ା ପକାଇ ହେମକାନ୍ତଙ୍କ ପାଇଁ ଖାଇବାକୁ ବାଢ଼ିଦେଲେ । ପାଖରେ ବସି ପଙ୍ଖା କଲେ । ହେମକାନ୍ତ ଅଧାଅଧି ଖାଇ ସାରିବା ପରେ ହେମଲତା କହିଲେ–ବୋଉ କାହିଁକି ଆସିଛି ଜାଣିଛ ?

 

ହେମକାନ୍ତ ହେମଲତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଲେ । ଭାବିଲେ ଶାଶୁ ତ ଚାରି ପାଞ୍ଚ ଦିନରେ ଥରେ ବରାବର ଆସନ୍ତି । ସକାଳୁ ଆସିଲେ ସଞ୍ଜକୁ ଯାଆନ୍ତି କିମ୍ୱା ଦିନେ ଓଳିଏ ରହି ଯାଆନ୍ତି । ଏ ତ ଦିହସୁହା ଘଟଣା । ତେଣୁ ଏଥିରେ ଜାଣିବାରେ କ’ଣ ଅଛି ?

 

ସାବିତ୍ରୀ ମାଉସୀ ରୋଷେଇଘରେ ଥିଲେ । ସେ ହଠାତ୍‌ ବାହାରି ଆସି କହିଲେ–ମୁଁ କ’ଣ କହୁଥିଲି କି ହେମକାନ୍ତ, ତୁମେ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀଙ୍କୁ ହେମକୁ ନେଇ ପୁରୀ ଯାଆ ।

 

ହେମକାନ୍ତ ଶାଶୁଙ୍କ କଥା କିଛି ବୁଝି ପାରିଲେ ନାହିଁ । ସେ ଘଟଣା କ’ଣ ଜାଣିବାପାଇଁ ହେମଲତାଙ୍କ ମୁହଁକୁ ଚାହିଁ ରହିଲେ ।

 

ସାବିତ୍ରୀ ମାଉସୀ ମାଧବୀବୋଉଙ୍କ ଠାରୁ ଯାହା ସବୁ କଥା ଶୁଣିଥିଲେ, ଗୋଟି ଗୋଟି କରି ହେମକାନ୍ତଙ୍କୁ କହିଗଲେ ।

 

ହେମକାନ୍ତ ସବୁ କଥା ଶୁଣିବା ପରେ ହସି ଉଠିଲେ, କହିଲେ–ଏଇ କଥା ବୋଉ ! ଏଥିରେ ଭାବିବାର ବା କ’ଣ ଅଛି ? ଠାକୁରଙ୍କ ସ୍ଥାନକୁ ଯିବାରେ କିଛି ତ ଆପତ୍ତି ନାହିଁ ।

 

‘‘ତୁମେ ତେବେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ହେମକୁ ନେଇ ପୁରୀ ଯିବ ? ମାଧବୀ ବୋଉ ଯାହା ଯାହା କହିଛନ୍ତି, ତା’ ସବୁ କରି ଆସିବ ?’’ ସାବିତ୍ରୀ ମାଉସୀ ପଚାରି ହେମକାନ୍ତଙ୍କ ମୁହଁକୁ ଚାହିଁ ରହିଲେ ।

 

ହେମକାନ୍ତ କିଛି ସମୟ ନୀରବ ରହି, କ’ଣ ସବୁ ଭାବୁଥିଲେ । ହେମଲତା ତାଙ୍କ ଭାବନାରେ ବାଧା ଦେଇ କହିଲେ–ବୋଉ ପରା ତୁମକୁ କ’ଣ ପଚାରୁଛି ?

 

ହେମକାନ୍ତ ସେହି ଭାବିବା ଅବସ୍ଥାରେ ଅନ୍ୟମନସ୍କ ଭାବରେ କହିଲେ–ତୁମେ, ବୋଉ ଦୁହେଁ ମିଶି ପୁରୀ ଗଲେ ହୁଅନ୍ତା ନାହିଁ ? ମୁଁ ସବୁ ବ୍ୟବସ୍ଥା କରିଦେବି । ମୋର ଜଣେ ବ୍ୟବସାୟୀ ସାଙ୍ଗ ପୁରୀରେ ଅଛି । ତା’ର ପୁରୀ ଜଗନ୍ନାଥଙ୍କ ମନ୍ଦିର ପାଖରେ ଦୁଇ ମହଲା କୋଠା । ତା’ର ବହୁତଗୁଡ଼ାଏ ଘର । ତେଣୁ ତୁମର ରହିବା, ଖାଇବା, ସମୁଦ୍ରରେ ଗାଧୋଇବା, ଜଗନ୍ନାଥଙ୍କ ଦର୍ଶନ କରିବା କେଉଁଥିରେ ଅସୁବିଧା ହେବନାହିଁ । ସେ ତୁମକୁ ସାଙ୍ଗରେ ନେଇ ସବୁ ବ୍ୟବସ୍ଥା କରିଦେବ । ଆଉ ତ ଅଳ୍ପ ଦିନ କାର୍ତ୍ତିକ ପୂର୍ଣ୍ଣମୀ ରହିଲା । ମୁଁ ଏହା ଭିତରେ ଚିଠି ଲେଖି ସବୁ ବ୍ୟବସ୍ଥା କରିଦେବି ।

 

ହେମଲତା ପଚାରିଲେ–କାହିଁକି ତୁମେ ଗଲେ କ’ଣ ଅସୁବିଧା ହେବ ? ମୁଁ କହୁଥିଲି, ତୁମେ, ମୁଁ, ବୋଉ ତିନିଜଣଯାକ ଯାଆନ୍ତେ । ପୂର୍ଣ୍ଣମୀ ଦିନ ସକାଳେ ତ ଏସବୁ କାମ । ଉପରବେଳା କି ତହିଁ ପରଦିନ ସକାଳେ ଗାଁକୁ ଫେରି ଆସନ୍ତେ ।

 

ହେମକାନ୍ତ କହିଲେ–ସେ ଦିନ ଚନ୍ଦନବଜାରରେ ଯାତ୍ରା । ସବୁ ବର୍ଷ କିପରି ଦିନସାରା ଲୋକ ଭିଡ଼ ହୁଏ ଦେଖିନ ? ଖାଲିଦିନ ହୋଇଥାନ୍ତା, ସେ ଅଲଗା କଥା । କାରବାର ଦିନରେ ଦୋକାନଟାକୁ ବନ୍ଦ କରି ଦେବାକୁ ମନ କାହିଁକି ଡାକୁନି ।

 

ହେମଲତା କହିଲେ–ସବୁ ଦିନ ତ କାରବାର କରୁଛ, ଦିନେ ଓଳିଏ ଦୋକାନ ବନ୍ଦ କଲେ ଚଳନ୍ତା ନାହିଁ ?

 

‘‘ତୁମେ କ’ଣ ଜାଣିଛ ହେମ ? ସେ ଦିନ ମଫସଲରୁ ବହୁତ ବେପାରୀ, ସାଧାରଣ ଲୋକ ଧୋତି, ଶାଢ଼ି, ପିଲାଙ୍କ ପାଇଁ ପେଣ୍ଟ ଜାମା କିଣିବାକୁ ଆସନ୍ତି । ଚନ୍ଦନବଜାରରେ ହଜାର ହଜାର ଟଙ୍କା କାରବାର ହୁଏ ।’’ ହେମକାନ୍ତ କହି ପାଣି ଢୋକେ ପିଇଲେ ।

 

ସାବିତ୍ରୀ ମାଉସୀ କହିଲେ–ଏତେ କଥା କାହିଁକି ? ହେମକାନ୍ତ ତେବେ ଥାଉ । ଆମେ ତୋର ମୋର ପୁରୀ ଯିବା । ଜଗନ୍ନାଥଙ୍କର ଯଦି ଡୋରି ଲାଗିଥିବ, ଆସନ୍ତା ବର୍ଷକୁ ତୋର, ହେମକାନ୍ତର ସାଥିହୋଇ ଯିବ । ସେ ତା’ ସାଙ୍ଗପାଖକୁ ପୁରୀକୁ ଚିଠି ଲେଖି ଦେଉ । ଆମେ ପୂର୍ଣ୍ଣମୀର ଦିନକ ପୂର୍ବରୁ ଯାଇ ପୁରୀରେ ପହଞ୍ଚିବୁ । ସେ ଆମକୁ ଟିକିଏ ବସ୍‌ଷ୍ଟାଣ୍ଡରୁ ତାଙ୍କ ଘରକୁ ନେଇଯିବାକୁ ଲୋକ ପଠାଇବେ ।

 

ହେମକାନ୍ତ କହିଲେ–ସେ ସବୁ କିଛି ଅସୁବିଧା ହେବନାହିଁ ବୋଉ ! ମୁଁ ସବୁ ବନ୍ଦୋବସ୍ତ କରିଦେବି ।

 

ହେମକାନ୍ତ ଖାଇ ସାରି ବିଶ୍ରାମ ନେଲେ । ଉପରବେଳା ଦୋକାନକୁ ଯାଇ ପୁରୀର ତାଙ୍କ ସାଙ୍ଗ ରଘୁନାଥବାବୁଙ୍କ ପାଖକୁ ଏ ବିଷୟରେ ଚିଠି ଖଣ୍ଡିଏ ଲେଖି କାର୍ତ୍ତିକ ପୂର୍ଣ୍ଣମୀକୁ ଶାଶୁ ଓ ତାଙ୍କ ସ୍ତ୍ରୀ ପୁରୀ ଯାଉଛନ୍ତି ବୋଲି ଜଣାଇ ଦେଲେ ।

 

ଚାରିଦିନ ପରେ ପୁରୀରୁ ଉତ୍ତର ଆସି ପହଞ୍ଚିଗଲା । ରଘୁନାଥବାବୁ ନିଜେ ଲେଖିଥିଲେ–ତୋର ସ୍ତ୍ରୀ ଓ ଶାଶୁ ପୁରୀକୁ କାର୍ତ୍ତିକବୁଡ଼ ପକାଇବାକୁ ଆସୁଛନ୍ତି ଶୁଣି ଭାରି ଖୁସି ଲାଗିଲା । ତାଙ୍କର ଏଠାରେ ରହିବା, ଖାଇବା, ସମୁଦ୍ରରେ ବୁଡ଼ପକାଇବା, ଜଗନ୍ନାଥ ଦର୍ଶନ କରିବା–କୌଣସିଥିରେ ଅସୁବିଧା ହେବ ନାହିଁ । ମୋ ଶାଶୁ ମଧ୍ୟ ଆସିଛନ୍ତି । ସମସ୍ତେ ଏକାଠି କାର୍ତ୍ତିକ ପୂର୍ଣ୍ଣମୀଦିନ ଭୋରରୁ ଉଠି ବୁଡ଼ ପକାଇବାକୁ ଯିବେ । ମୁଁ ବସ୍‌ଷ୍ଟାଣ୍ଡକୁ ଲୋକ ପଠାଇଥିବି । ତୁ ଯଦି ସୁବିଧା କରି ଆସି ପାରିବୁ, ଆହୁରି ଭଲ ହେବ । ହେମକାନ୍ତ ଚିଠି ଖଣ୍ଡିକ ଆଣି ହେମଲତାଙ୍କୁ ଦେଖାଇଲେ ।

 

କାର୍ତ୍ତିକ ପୂର୍ଣ୍ଣମୀ ଦିନକ ଆଗରୁ ସକାଳେ ଚନ୍ଦନ ବଜାରରୁ କଟକ ଛାଡ଼ୁଥିବା ଘରୋଇ ବସ୍‌ରେ ହେମଲତା ଓ ସାବିତ୍ରୀ ମାଉସୀଙ୍କୁ ହେମକାନ୍ତ ବସାଇ ଦେଲେ । ହେମଲତାଙ୍କ ହାତରେ ପାଞ୍ଚଶହ ଟଙ୍କା ଦେଲେ । ବସ୍‌ ଡ୍ରାଇଭର, କ୍ଲିନର୍, କଣ୍ଡକ୍ଟର୍‍ଙ୍କୁ ଅନୁରୋଧ କରି କହିଲେ–‘‘ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ସୁବିଧାକରି ପୁରୀ ବସ୍‌ରେ ହେମ ଓ ବୋଉଙ୍କୁ ବସାଇଦେବ-।’’ ବସ୍‌ କଟକ ଛାଡ଼ିବା ପର୍ଯ୍ୟନ୍ତ ଚନ୍ଦନବଜାର ବସ୍‌ଷ୍ଟାଣ୍ଡରେ ହେମକାନ୍ତ ଠିଆ ହୋଇ ରହିଥିଲେ ଏବଂ ହେମଲତାଙ୍କୁ ସୁବିଧାରେ ଯାଇ ସୁବିଧାରେ ଆସିବାପାଇଁ ନାନା ପରାମର୍ଶ ଦେଇଥିଲେ-

 

ସେ ଦିନ ସନ୍ଧ୍ୟାରେ ଯେତେବେଳେ କଟକରୁ ଚନ୍ଦନବଜାରକୁ ବସ୍‌ଟି ଫେରି ଆସିଲା–ସେତେବେଳେ ମଧ୍ୟ ହେମକାନ୍ତ ବସ୍‌ର କ୍ଲିନର୍‍, କଣ୍ଡକ୍ଟର୍ ଓ ଡ୍ରାଇଭରଙ୍କୁ ପଚାରି ବୁଝିଥିଲେ ଯେ, ସେମାନେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ଗୋଟିଏ ଘରୋଇ ବସ୍‌ରେ ତାଙ୍କ ଶାଶୁ ଓ ସ୍ତ୍ରୀଙ୍କୁ ସୁବିଧାରେ ବସାଇ ଦେଇଥିଲେ । ବସ୍‌ରେ ବସି ପୁରୀ ଯିବାକୁ ହେମଲତା ଓ ତାଙ୍କ ବୋଉ ଜାଗା ପାଇଲେ । କିଛି ଅସୁବିଧା ହୋଇ ନାହିଁ । ସେହି ବସ୍‌ରେ ଚନ୍ଦନ ବଜାରରୁ କଟକ ଯାଇଥିବା ଅନ୍ୟ ଲୋକେ ଆସି ହେମକାନ୍ତଙ୍କୁ କହିଲେ–ତୁମ ସ୍ତ୍ରୀ ଓ ଶାଶୁ ସୁବିଧାରେ ପୁରୀ ବସ୍‌ରେ ବସି ପୁରୀ ଗଲେ । ତୁମକୁ ଜଣାଇ ଦେବାକୁ କହିଛନ୍ତି ।

 

ତା’ପରେ କ’ଣ ଘଟଣା ଘଟିଲା ଜଣା ପଡ଼ିଲା ନାହିଁ । କାର୍ତ୍ତିକ ପୂର୍ଣ୍ଣମୀ ଯିବାର ଦିନେ ଗଲା, ଦୁଇଦିନ ଗଲା । ପାଞ୍ଚଦିନ ଗଲା । ସାତଦିନ ଗଲା । ହେମଲତା ଓ ସାବିତ୍ରୀ ମାଉସୀ ପୁରୀରୁ ଫେରିଲେ ନାହିଁ । ହେମକାନ୍ତ ବାଧ୍ୟ ହୋଇ ପୁରୀର ତାଙ୍କ ସାଙ୍ଗ ରଘୁନାଥବାବୁଙ୍କ ପାଖକୁ ଚିଠି ଲେଖିଲେ ଶୀଘ୍ର ସେମାନଙ୍କୁ ଘରକୁ ପଠାଇ ଦେବାକୁ । ସେ ଏଠାରେ ଖାଇବାକୁ ଭାରି ହଇରାଣ ହେଉଛନ୍ତି । ସେମାନେ ଆସିଲାବେଳେ କିଛି ଶୁଖିଲା ଅନ୍ନ ମହାପ୍ରସାଦ ତାଙ୍କ ହାତରେ ପଠାଇବାକୁ ମଧ୍ୟ ଲେଖିଥିଲେ ।

 

ଚିଠି ପଠାଇବାର ଚାରିଦିନ ପରେ ରଘୁନାଥବାବୁଙ୍କ ଠାରୁ ଉତ୍ତର ଆସି ପହଞ୍ଚିଲା । ସେଥିରେ ଲେଖାଥିଲା–‘‘ତୋ ସ୍ତ୍ରୀ ଓ ଶାଶୁ ପୂର୍ଣ୍ଣମୀକୁ ଆସିବେ ବୋଲି ଆମେ ବଡ଼ ଆଗ୍ରହର ସହିତ ଚାହିଁ ବସିଥିଲୁ । ତହିଁ ପୂର୍ବଦିନ ତୋ ଚିଠି ମୁତାବକ ବସ୍‌ଷ୍ଟାଣ୍ଡରେ ମୋର ଜଣେ ଲୋକ ଦିନ ଦଶଟା ବେଳୁ ଯାଇ ରାତିପର୍ଯ୍ୟନ୍ତ ଜଗି ରହିଥିଲା । ମୁଁ ମଧ୍ୟ ଦୁଇ ତିନି ଥର ବସ୍‌ଷ୍ଟାଣ୍ଡକୁ ଗଲି । ପରଦିନ, ଅର୍ଥାତ୍‌ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସକାଳେ ସେମାନେ କାଳେ ଆସି ପହଞ୍ଚିବେ, ସେଥିପାଇଁ ଆମ ପିଲାମାନେ ସେମାନଙ୍କୁ ଜଗି ରହିଥିଲେ ଏବଂ ସେଦିନ ବିଳମ୍ୱରେ ସମୁଦ୍ରକୁ ସ୍ନାନ କରିବାକୁ ଗଲେ । ମୁଁ ଭାବିଲି, ବୋଧହୁଏ କିଛି ତୋର ଅସୁବିଧା ଘଟିଲା, ଯାହାଫଳରେ କି, ତୋର ସ୍ତ୍ରୀ କି ଶାଶୁ ପୁରୀ ଆସି ପାରିଲେ ନାହିଁ । ମାତ୍ର ତୋ ଚିଠି ପାଇ ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ସେମାନେ ହୁଏତ ପୁରୀରେ ତୋର ଅନ୍ୟ କୌଣସି ବନ୍ଧୁ ଘରେ ପହଞ୍ଚିଥିବେ; ମାତ୍ର ଆମ ଘରକୁ ଆସି ନାହାନ୍ତି-। ତୋ ସ୍ତ୍ରୀ ଓ ଶାଶୁ ଗାଁରେ ପହଞ୍ଚିବା ପରେ ପୁରୀରେ କେଉଁଠି ଥିଲେ, ଆମ ଘରକୁ କାହିଁକି ଆସିଲେ ନାହିଁ ମୋ ପାଖକୁ ଲେଖ‌ିବୁ ।’’

 

ରଘୁନାଥଙ୍କ ଚିଠି ଖଣ୍ଡି ପଢ଼ି ହେମକାନ୍ତଙ୍କର ମଥା ଭିତରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେଲା । ଖାଇବା, ଶୋଇବା ଦୋକାନରେ ବିକ୍ରିବଟା କରିବା କେଉଁଥିରେ ମନ ଲାଗିଲା ନାହିଁ । ଚୋର, ଡକାୟତ, ମଣିଷମାରୁଙ୍କର ଧରା ପଡ଼ିଯିବା ହେଲା ଗୋଟିଏ ଭାବନା । ମାତ୍ର ଯାହାର ଚୋରି ଗଲା, ଯାହା ଘରୁ ଡକାୟତି ହେଲା ବା ଆତତାୟୀ ହାତରେ ମଣିଷ ମଲା–ତା’ ମନରେ ଭାବନାର ସୀମା ନାହିଁ । ଭାବନା ପରେ ଭାବନା ହେମକାନ୍ତକୁ ବ୍ୟସ୍ତ କରିପକାଇଲା । ହେମକାନ୍ତ ଚିଠି ଖଣ୍ଡିକ ନେଇ ତା’ର ପଡ଼ୋଶୀ, ସାଙ୍ଗସୁଖ, ପାଖ ବ୍ୟବସାୟୀଙ୍କୁ ଦେଖାଇଲେ । ସେମାନେ ପରାମର୍ଶ ଦେଲେ–ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । ତୁମ ଶାଶୁ, ସ୍ତ୍ରୀ ପୁରୀରେ ପହଞ୍ଚି ହୁଏତ ତୁମ ସାଙ୍ଗକୁ କିମ୍ୱା ତାଙ୍କ ଲୋକଙ୍କୁ ଚିହ୍ନି ନପାରି ଅନ୍ୟ କୌଣସି ବନ୍ଧୁବାନ୍ଧବଙ୍କ ବସାରେ ଉଠିଥିବେ-। ଏତେ ବାଟ ଯାଇଛନ୍ତି ଯେତେବେଳେ, ଫେରିଲାବେଳେ ସାକ୍ଷୀଗୋପାଳ, କୋଣାର୍କ, ଚନ୍ଦ୍ରଭାଗା, ଭୁବନେଶ୍ୱର ମନ୍ଦିର, କଟକଚଣ୍ଡୀଙ୍କୁ ଦର୍ଶନ କରି ଫେରୁ ଫେରୁ ହୁଏତ ବିଳମ୍ୱ ଘଟିଛି । ବରଂ ତୁମେ ଗୋଟିଏ କାମ କର । ଆଜି ଉପରବେଳା ଦୋକାନ ବନ୍ଦ କରି ପୁରୀ ଚାଲିଯାଅ । ରଘୁନାଥବାବୁଙ୍କୁ ସାଙ୍ଗରେ ଧରି ତୁମର ଏବଂ ତୁମ ଶାଶୁଙ୍କର ଯେଉଁଠି ସବୁ ବନ୍ଧୁବାନ୍ଧବ ଅଛନ୍ତି, ସେମାନଙ୍କ ଘରକୁ ଯାଇ ପଚାରି ବୁଝିଲେ ଘଟଣାଟା ନିଶ୍ଚୟ ଜଣା ପଡ଼ିଯିବ । ସେମାନେ ଯଦି ବନ୍ଧୁବାନ୍ଧବଙ୍କ ମୁହଁ ଉପରୋଧରେ ନ ଆସିପାରି ରହି ଯାଇଥିବେ, ବରଂ ତୁମେ ସାଙ୍ଗରେ ଧରି ଚାଲି ଆସିବ-

 

ହେମକାନ୍ତ ସେମାନଙ୍କ ପରାମର୍ଶ ଅନୁଯାୟୀ ସେହିଦିନ ଉପରବେଳା ଚନ୍ଦନବଜାରରୁ ଘରୋଇ ବସ୍‌ଟି ଧରି କଟକ ବାଦାମବାଡ଼ି ଗଲେ । ସେଠାରୁ ବସ୍‌ ଧରି ପୁରୀ ଯାଇ ରାତି ପ୍ରାୟ ସାଢ଼େ ନଅଟାବେଳେ ସାଙ୍ଗ ରଘୁନାଥବାବୁଙ୍କ ପାଖରେ ପହଞ୍ଚିଲେ । ରଘୁନାଥବାବୁ ବହୁ ଦିନ ପରେ ହେମକାନ୍ତଙ୍କୁ ଦେଖି ଭାରି ଖୁସି ହୋଇଗଲେ । ସଙ୍ଗେ ସଙ୍ଗେ ଜଳଖିଆ, ଚା, ପାନ ବରାଦ ହୋଇଗଲା । ଦୁଇ ବନ୍ଧୁ ବସି କିଛି ସମୟ ଦୁଃଖ ସୁଖ ହେଲେ । ଜଳଖିଆ, ଚା, ପାନ ଆସି ପହଞ୍ଚିଲା । ଖାଇଲେ । ତା’ପରେ ହେମକାନ୍ତ ଓ ତାଙ୍କ ଶାଶୁଙ୍କର ଯେତେ ବନ୍ଧୁବାନ୍ଧବ ଓ ଜଣାଶୁଣା ଲୋକ ଥିଲେ ସେମାନଙ୍କର ଗୋଟିଏ ତାଲିକା ପ୍ରସ୍ତୁତ କଲେ । ରିକ୍‍ସାରେ ଜାଗାକୁ ଜାଗା ବୁଲିଲେ ବିଳମ୍ୱ ହେବ ବୋଲି ଗୋଟିଏ ଅଟୋରିକ୍‍ସା ଭଡ଼ାକୁ ନେଲେ । ତା’ପରେ ମନ୍ଦିର ପଛ ବାସେଳୀ ସାହି, ମାର୍କଣ୍ଡେଶ୍ୱର ସାହି ଠାରୁ ଖୋଜିବା ଆରମ୍ଭ କରିଦେଲେ ।

 

ଦୁଇଘଣ୍ଟା ଭିତରେ ଅଟୋରିକ୍‌ସାରେ ହେମକାନ୍ତ ଓ ରଘୁନାଥବାବୁ ପୁରୀ ସହରର ସାତସାହି, ବୟାଳିଶି ଗଳି ବୁଲି ଆସିଲେ । ବନ୍ଧୁବାନ୍ଧବ, ଜଣାଶୁଣା, ଚିହ୍ନା ପରିଚୟ ସବୁ ଜାଗାରେ ସବୁ ଲୋକଙ୍କ ଘରେ ମୁହଁ ମାରିଲେ । ମାତ୍ର ସବୁଠାରୁ ଗୋଟିଏ ମାତ୍ର ଜବାବ ପାଇଲେ–‘‘ହେମଲତା କିମ୍ୱା ତାଙ୍କ ବୋଉ ଏଠାକୁ ଆସିନାହାନ୍ତି ।’’ ବରଂ ସବୁଠାରୁ ଓଲଟା ପ୍ରଶ୍ନ ହେଲା–ସେମାନେ କେଉଁଦିନ ଆସିଥିଲେ, କାହା ସାଙ୍ଗରେ ଆସିଥିଲେ, କେଉଁଠି ରହିବାପାଇଁ ଠିକ୍‌ କରି ଆସିଥିଲେ ଇତ୍ୟାଦି । ଏସବୁ ପ୍ରଶ୍ନର ଉତ୍ତର ଦେଉ ଦେଉ ବରଂ କେତେକ ସ୍ଥାନରେ ବିଳମ୍ୱ ଘଟିଲା ।

 

ରାତି ବାରଟା ହେଲାଣି । ସବୁ ଜାଗାରୁ ହେମଲତା ଓ ଶାଶୁଙ୍କ ଆସିବା ବିଷୟରେ ନିରାଶ ବାଣୀ ଶୁଣି ହେମକାନ୍ତ ନିରାଶରେ ଭାଙ୍ଗିପଡ଼ୁଥାନ୍ତି । ରଘୁନାଥବାବୁ ମଝିରେ ମଝିରେ ତାଙ୍କୁ ଆଶ୍ୱାସନା ଦେଉଥାନ୍ତି । କହୁଥାନ୍ତି–ପୁରୀ ଛୋଟିଆ ସହରଟିଏ ହେଲେ କ’ଣ ହେଲା, ହଜାର ହଜାର ଲୋକ ରହିବା ଭଳି ଜାଗା ଏଠାରେ ଅଭାବ ନାହିଁ । ମଠବାଡ଼ି, ଲଜିଂ, ଧର୍ମଶାଳା, ହୋଟେଲ, ଘରୋଇ ଭଡ଼ାଘର ସବୁ ରହିଛି । କାଲି ସକାଳୁ ଯାଇ ସେ ସବୁ ଜାଗା ଖୋଜିବା । ପୁରୀ ସଦର ଥାନାରେ ମୋର ଚିହ୍ନା ପରିଚୟ ପୁଲିସ ଅଫିସର ଅଛନ୍ତି । ସେମାନଙ୍କୁ ଘଟଣାଟା ଜଣାଇ ସେମାନଙ୍କର ସାହାଯ୍ୟ ନେବା । ପୁରୀ ସହର ଭିତରେ ଆମେ ସବୁ ଆପଣାର ଲୋକ ଥାଉଁଥାଉଁ ତୋର ସ୍ତ୍ରୀ, ଶାଶୁ କୁଆଡ଼େ ଉଭେଇ ଯିବେ ?

 

ରଘୁନାଥବାବୁଙ୍କ ଦୁଆରମୁହଁରେ ଅଟୋରିକ୍‌ସା ଚାଳକ ଆଣି ଗାଡ଼ି ରଖିଲେ । ରଘୁନାଥବାବୁ ପକେଟରୁ ପଇସା କାଢ଼ି ଚାଳକଙ୍କ ହାତକୁ ବଢ଼ାଇ ଦେଉ ଦେଉ କହିଲେ–କାଲି ଟିକିଏ ଭୋରରୁ ଏଠାକୁ ଚାଲି ଆସିବ । ଆମର କେତେକ ଜାଗା ଯିବାର ଅଛି ।

 

ଅଟୋରିକ୍‌ସା ଚାଳକ ମୁଣ୍ଡ ହଲାଇ ସମ୍ମତି ଜଣାଇ ବିଦାୟ ନେଲା ।

 

ରଘୁନାଥବାବୁଙ୍କ ଘର ଭିତରକୁ ପଶୁ ପଶୁ ହେମକାନ୍ତ ଭୋ ଭୋ ହୋଇ କାନ୍ଦି ଉଠିଲେ-। କହିଲେ–ମୁଁ କ’ଣ ଆଉ ହେମଲତା ଓ ବୋଉଙ୍କୁ ପାଇବିନି ?

 

ରଘୁନାଥବାବୁ ହେମକାନ୍ତଙ୍କ ଆଖି ନିଜ ରୁମାଲରେ ପୋଛି ଦେଇ କହିଲେ–ଇମିତି କ’ଣ ତୁ ପିଲାଙ୍କ ପରି ହେଉଛୁ ? ମୁଁ ତତେ ଜବାବ ଦେଉଛି, କାଲି ନିଶ୍ଚୟ ତୋ ସ୍ତ୍ରୀ ଓ ଶାଶୁଙ୍କୁ ଖୋଜି ବାହାର କରିଦେବି ।

 

ରଘୁନାଥବାବୁଙ୍କର ଥିବା ଅତିଥି ଭବନରେ ହେମକାନ୍ତ ସେଦିନ ରାତିରେ ରହିଲେ । ପୂଜାରୀ ଥାଳିରେ ଆଣି ଜଗନ୍ନାଥଙ୍କ ପ୍ରସାଦ, ଅଭଡ଼ା, ଡାଲି, ମହୁର, ବେସର ଏବଂ ବାଟିରେ କ୍ଷୀରା ଖାଇବାକୁ ଦେଇଗଲା । ହେମକାନ୍ତ କେବଳ ଅଭଡ଼ାରୁ ଗଣି ଦେଲା ପରି ଦୁଇଟି ନେଇ ପାଟିରେ ଲଗାଇ ଠାକୁରଙ୍କ ଉଦ୍ଦେଶ୍ୟରେ ନମସ୍କାର କଲେ ଏବଂ ପୂଜାରୀକୁ ଏହି ସବୁ ଜିନିଷ ନେଇଯିବାକୁ ଇଙ୍ଗିତ ଦେଲେ । ରଘୁନାଥବାବୁ ଖାଇବାକୁ ଯେତେ ଅନୁରୋଧ କଲେ, ନିବେଦନ କଲେ, ରାଣନିୟମ ପକାଇଲେ ସୁଦ୍ଧା ହେମକାନ୍ତ ଖାଇଲେ ନାହିଁ । କେବଳ ଏତିକି କହିଲେ–‘‘କାଲି ଯଦି ହେମଲତା ଓ ବୋଉ ମିଳିଯାଆନ୍ତି, ତେବେ ତୋ ଘରେ ଆମେ ସମସ୍ତେ ଦୁଇଦିନ ପର୍ଯ୍ୟନ୍ତ ରହିବୁ, ଖାଇବୁ । ଜଗନ୍ନାଥଙ୍କ ପାଖରେ ଭୋଗ ଲଗାଇ ଗାଁକୁ ଯିବୁ ।’’

 

ରଘୁନାଥବାବୁ ହେମକାନ୍ତଙ୍କର ମନର ଅବସ୍ଥା ବୁଝିଲେ । ସେ ତାଙ୍କ ଉପରେ ଏତେ ଆଉ ଖାଇବାପାଇଁ ଜୋର ଦେଲେ ନାହିଁ । ପୂଜାରୀକୁ ଖାଇବା ଜିନିଷ ନେଇଯିବାକୁ କହି ନିଜ ବଖରାକୁ ଶୋଇବାକୁ ଗଲେ ।

 

ରଘୁନାଥବାବୁଙ୍କର ଅତିଥିବାସ ଘରଟି ଅତି ଆଧୁନିକ ଧରଣର ଥିଲା । ଘରକୁ ଲାଗି ଗାଧୁଆଘର, ପାଇଖାନା । ଶୋଇବା ଘରଟି ମୋଜାକ ହୋଇଛି । ଘର ଭିତରେ ଦୁଇଟି ଖଟ ପଡ଼ିଛି । ତା’ ଉପରେ ବେଡ଼୍‍ସିଟ୍‌ । ମୁଣ୍ଡ ଉପରେ ଓ ଗୋଡ଼ ତଳେ ଦୁଇଟି ଲେଖାଏଁ ତକିଆ । ଘୋଡ଼ି ହେବାକୁ ଚଦର । ନେଟ୍ କନାର ମଶାରି । ଉପରେ ବିଦ୍ୟୁତ ପଙ୍ଖା । ଘର କାନ୍ଥରେ ଗୋଲାପି ରଙ୍ଗ ଲାଗିଥିବାରୁ ବିଦ୍ୟୁତ ଆଲୁଅରେ ଖୁବ୍‌ ସୁନ୍ଦର ଦିଶୁଥିଲା ।

 

ହେମକାନ୍ତ ଗାଧୁଆଘରେ ଭଲ ଭାବରେ ଧୁଆଧୋଇ ହୋଇ ଆସି ଶେଯ ଉପରେ କିଛି ସମୟ ବସି ଜଗନ୍ନାଥଙ୍କୁ ସ୍ମରଣ କଲେ । ମନକଥା ଜଣାଇଲେ । ହେମଲତା ଓ ଶାଶୁ ମିଳିଗଲେ ଏକଶହ ଆଠ ଟଙ୍କାର ଭୋଗ ଦେବେ ବୋଲି ଯାଚିଲେ । ତା’ପରେ ଶୋଇଲେ । ବହୁ ସମୟ ପର୍ଯ୍ୟନ୍ତ ଶେଯରେ ଶୋଇ ଏକଡ଼ ସେକଡ଼ ହେଲେ । ମାତ୍ର ଆଖିକୁ ନିଦ ଆସିଲା ନାହିଁ । ଓଲଟି ନାନାପ୍ରକାର ଭାବନା ଓ ଦୁର୍ଭାବନା ମନରେ ଭରିଗଲା । ବେଳେବେଳେ ପେଟ ଭିତରୁ ଅମାବାସ୍ୟା ରାତ୍ରିର ସମୁଦ୍ର ଲହଡ଼ି ଭଳି କୋହ ମାଡ଼ି ଆସୁଥିଲା । ସେହି ରାତିରେ ସେ ଶେଯରେ ଶୋଇ କେତେବେଳେ ପିଲାଙ୍କ ପରି କଇଁକଇଁ ହୋଇ କାନ୍ଦି ଉଠୁଥିଲେ ତ କେତେବେଳେ କ’ଣ ସବୁ ଭାବି ଗୋଟିଏ ଦିଗକୁ ଶୂନ୍ୟ ମସ୍ତିଷ୍କରେ ଚାହିଁ ରହୁଥିଲେ । କେତେବେଳେ ମନେମନେ ହସୁଥିଲେ ତ, କେତେବେଳେ ମନକୁ ମନ ଦମ୍ଭ ଦେଇ କହୁଥିଲେ–ଠାକୁରଙ୍କ ଇଚ୍ଛା ! ମଣିଷ ହାତରେ କ’ଣ ଅଛି ?

 

ରାତିରେ ତାଙ୍କୁ ନିଦ ହୋଇଛି କି ନାହିଁ ଜଣା ନାହିଁ । ମାତ୍ର ରଘୁନାଥବାବୁଙ୍କ ପୂଜାରୀ ଚା’ ଧରି ଭୋରରୁ ଦୁଆରେ ଠକ୍‌ ଠକ୍‌ ଶବ୍ଦ କଲା ବେଳକୁ ହେମକାନ୍ତ ଉଠି ତାଙ୍କର ପ୍ରାତଃକୃତ୍ୟ ଶେଷ କରି ରଘୁନାଥବାବୁଙ୍କ ଅପେକ୍ଷାରେ ପେଣ୍ଟ ଜାମା ପିନ୍ଧି ବସିଥିଲେ । ପୂଜାରୀ ଚା’ ଦେଲା ବେଳକୁ ପଚାରିଲେ–ବାବୁ ତୁମର ଉଠିଲେଣି ?

 

ପୂଜାରୀ ଉତ୍ତର ଦେଲା–ବାବୁ ଉଠି ଗାଧୁଆଘରକୁ ଯାଇଛନ୍ତି ।

 

ହେମକାନ୍ତ ଆଉ କିଛି ପୂଜାରୀକୁ ପଚାରି ନଥିଲେ । ନୀରବରେ ଚା’ ପିଇ କପ୍‌ ପ୍ଲେଟ୍ ତା’ ହାତକୁ ବଢ଼ାଇ ଦେଲେ । ପୂଜାରୀ ଚାଲିଗଲା । ହେମକାନ୍ତ ବସିଛନ୍ତି, ଏହି ସମୟରେ ସମ୍ବାଦପତ୍ର ହକର ସମ୍ବାଦପତ୍ର ଦେଇଗଲା । ହେମକାନ୍ତ କାଗଜଟିରେ ପ୍ରକାଶ ପାଇଥିବା ବଡ଼ବଡ଼ ସମ୍ବାଦର ହେଡ଼ିଙ୍ଗ୍‍ଗୁଡ଼ିକ ଉପରେ ପ୍ରଥମେ ଆଖି ବୁଲାଇ ଆଣିଲେ । ଦେଖିଲେ ଦେଶ, ବିଦେଶର ବିଭିନ୍ନ ସମ୍ବାଦ ସହିତ ରେଳ ଦୁର୍ଘଟଣା, ବସ୍‌ ଦୁର୍ଘଟଣା, ଖଣି ଦୁର୍ଘଟଣା, ଟ୍ରକ୍‌, କାର୍, ସ୍କୁଟର୍ ଦୁର୍ଘଟଣା, ଦୁଇଦଳଙ୍କ ଭିତରେ ସଂଘର୍ଷରେ ମୃତ୍ୟୁ ପ୍ରଭୃତି ଅନେକ ସମ୍ବାଦ ରହିଛି । ସେ ଅନ୍ୟ ସମ୍ବାଦଗୁଡ଼ିକ ନ ପଢ଼ି ଏହି ମୃତ୍ୟୁ ସମ୍ବାଦଗୁଡ଼ିକ ଆମୂଳଚୂଳ ପଢ଼ି ଦୀର୍ଘ ନିଃଶ୍ୱାସ ପକାଇଲେ । ତା’ପରେ ସେ ଘରର ଏଣିକି ତେଣିକି ଚାହିଁଲେ । ଦେଖିଲେ ଗୋଟିଏ ଛୋଟ ଟେବୁଲ ଉପରେ କେତେଗୁଡ଼ିଏ ପୁରୁଣା ଖବରକାଗଜ ଓ ପତ୍ରପତ୍ରିକା ସୁନ୍ଦର ସୁନ୍ଦର ଶଙ୍ଖ ପେପର୍‍ଓ୍ୱେଟ୍ ତଳେ ରହିଛି । ହେମକାନ୍ତ ସେଦିନର ସମ୍ବାଦପତ୍ରଟିକୁ ଖଟ ଉପରେ ରଖି ପୁରୁଣା ସମ୍ବାଦପତ୍ରଗୁଡ଼ିକ ଆଣି ତା’ ଉପରେ ଆଖି ବୁଲାଇଲେ । ଦେଖିଲେ–କାର୍ତ୍ତିକପୂର୍ଣ୍ଣିମା ଦିନ ପୁରୀରେ ସମୁଦ୍ର ସ୍ନାନ, ଶ୍ରୀଜୀଉଙ୍କ ଦର୍ଶନ ଓ ବହୁଲୋକଙ୍କ ସମାବେଶ କଥା ବଡ଼ବଡ଼ ଅକ୍ଷରରେ ସେଦିନ ସମ୍ବାଦପତ୍ରରେ ବାହାରିଛି । ହେମକାନ୍ତ ମନୋଯୋଗ ସହକାରେ ସମ୍ବାଦଟି ଧାଡ଼ି ପରେ ଧାଡ଼ି ପଢ଼ିଗଲେ । ଏପରିକି କୌଣସି ଶବ୍ଦ, ଆକାର କମା ସୁଦ୍ଧା ଛାଡ଼ିଲେ ନାହିଁ । ସେଦିନ ସମୁଦ୍ରସ୍ନାନ ସମୟରେ ବୁଡ଼ି ମରିଥିବା ଲୋକଙ୍କ ସଂଖ୍ୟା ଓ ସେମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଛି । ପୁରୀ ଜଗନ୍ନାଥଙ୍କ ମନ୍ଦିର ପାଖରେ ସେଦିନ ସକାଳେ ପ୍ରବଳ ଭିଡ଼ରେ ଦଳାଚକଟାରେ ଆହତ ହୋଇଥିବା ଲୋକଙ୍କ ନାମ ସବୁ ବାହାରିଛି । ପୂର୍ବଦିନ ସାକ୍ଷୀଗୋପାଳ ଓ ଚନ୍ଦନପୁର ମଝିରେ ରେଳ ଲାଇନ୍ ଓ ଜଗନ୍ନାଥ ସଡ଼କକୁ କ୍ରସ୍‌ କରୁଥିବା ସମଯାଜପୁର ଲେବଲକ୍ରସିଂଠାରେ ପାସେଞ୍ଜର ଟ୍ରେନ୍‍ ଧକ୍କାରେ ଗୁରୁତର ଭାବରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବସ୍‌ ଏବଂ ମୃତ ଆହତ ଯାତ୍ରୀମାନଙ୍କର ଫଟୋଚିତ୍ର ନାମ, ଠିକଣାସହ ପ୍ରକାଶ ପାଇଛି । ସେ ସବୁ ତନ୍ନତନ୍ନ କରି ହେମକାନ୍ତ ପଢ଼ିଲେ ଏବଂ ମୃତାହତ ଲୋକଙ୍କ ଭିତରେ କାଳେ ତାଙ୍କ ସ୍ତ୍ରୀ ଓ ଶାଶୁ ଥିବେ, ସେଥିପାଇଁ ଭଲ ଭାବରେ ଓ ବାରମ୍ୱାର ଫଟୋଚିତ୍ରଗୁଡ଼ିକ ଦେଖିଲେ । ନାଁଗୁଡ଼ିକ ପଢ଼ିଲେ । ତା’ ପୂର୍ବଦିନ, ପରଦିନ ସମ୍ବାଦପତ୍ରଗୁଡ଼ିକ ଆଣି ତା’ ଉପରେ ଆଖି ବୁଲାଇଲେ, ହେଲେ ସେଥିରୁ ହେମଲତା ଓ ଶାଶୁଙ୍କର କୌଣସି ସୂଚନା ପାଇଲେ ନାହିଁ । ତଥାପି ସେ ସମ୍ବାଦପତ୍ରଗୁଡ଼ିକ ଗୋଟିକ ପରେ ଗୋଟିଏ ଆଣି ଆଖି ପକାଉଥିଲେ । ଏହି ସମୟରେ ସେ ଘର ଭିତରକୁ ପଶି ଆସିଲେ ରଘୁନାଥବାବୁ । ପଚାରିଲେ–କ’ଣ କରୁଛୁ ହେମକାନ୍ତ ?

 

ହେମକାନ୍ତ ସେହି ସମ୍ବାଦପତ୍ର ଉପରେ ଆଖି ରହିଥିବା ଅବସ୍ଥାରେ ଉତ୍ତର ଦେଲେ–କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଏପର୍ଯ୍ୟନ୍ତ ବାହାରିଥିବା ସମ୍ବାଦପତ୍ର ଉପରେ ଆଖି ବୁଲାଉଛି । ଯଦି କୌଣସି ଦୁର୍ଘଟଣା ଘଟି ହେମଲତା ଓ ଶାଶୁ ଡାକ୍ତରଖାନାରେ ପଡ଼ିଥିବେ କିମ୍ୱା ଅନ୍ୟ କିଛି.......

 

ରଘୁନାଥବାବୁ ହେମକାନ୍ତଙ୍କ ହାତରୁ ସମ୍ବାଦପତ୍ରଗୁଡ଼ିକ ଛଡ଼ାଇ ନେଇ କହିଲେ–ତୋ ସ୍ତ୍ରୀ ଓ ଶାଶୁ କୌଣସି ଦୁର୍ଘଟଣାରେ ପଡ଼ି ଆହତ ହୋଇଥିବେ ବା ମରିଯାଇଥିବେ ବୋଲି ଆଶଙ୍କା କରୁଛୁ ? ଏଡ଼େ ପାଗଳ ହେଲୁ ତୁ ? ମୁଁ ଯାହା ଶୁଣିଛି, ତୋ ଶାଶୁ ଭାରି ଚଲାକ, ଚତୁର, ହୁସିଆର ଲୋକ । ସେ ଦୁର୍ଘଟଣାରେ ପଡ଼ିଥିଲେ ନିଶ୍ଚୟ ତୋ ପାଖକୁ ପତ୍ର ଦେଇ ଜଣାଇଥାନ୍ତେ ।

 

‘‘ଜୀବନରେ ଥିଲେ ତ ?’’ ଆଉ କିଛି କହିପାରିଲେ ନାହିଁ ହେମକାନ୍ତ । ତାଙ୍କୁ ଜଣାଗଲା, ତାଙ୍କ କଣ୍ଠକୁ କିଏ ଯେପରି ଚିପି ଧରୁଛି, ଫଳରେ ସେ ଅନ୍ତରର କଥା ବାହାରକୁ ପରିଷ୍କାର ପ୍ରକାଶ କରି ପାରୁନାହାନ୍ତି । ହୃଦୟ ଭିତର ଖାଲି ଘାଣ୍ଟି ଚକଟି ହେଲା ପରି ଲାଗୁଛି । ଆଖି ଦୁଇଟି ଲୁହରେ ପୂରି ଯାଉଛି । ସ୍ପଷ୍ଟ ଦେଖାଯାଉ ନାହିଁ ।

 

ଏହି ସମୟରେ ପୂଜାରୀ ଦୁଇଟି ପ୍ଲେଟ୍‍ରେ ଗୁରି, ତରକାରୀ, ମିଠା, ପାଚିଲା କଦଳୀ ଆଣି ଟେବୁଲ ଉପରେ ଥୋଇ ଦେଇଗଲା । ପାଣି ଦୁଇଗ୍ଲାସ୍‌ ଆଣି ଥୋଇଲା ଏବଂ ଚା’ ଆଣିବାକୁ ଯାଉ ଯାଉ କହିଲା–ଅଟୋରିକ୍ସା ଆସିଗଲାଣି ।

 

ରଘୁନାଥବାବୁ ପୂଜାରୀ ଉଦ୍ଦେଶ୍ୟରେ କହିଲେ–‘‘ଅଟୋରିକ୍ସା ଡ୍ରାଇଭରଙ୍କୁ ଚା’ ଦିଅ । ତାଙ୍କୁ କୁହ, ଟିକିଏ ଅପେକ୍ଷା କରନ୍ତୁ, ଆମେ ଯାଉଛୁ ।’’ ଏଣେ ହେମକାନ୍ତଙ୍କ ଉଦ୍ଦେଶ୍ୟରେ କହିଲେ–ନେ, ଚଞ୍ଚଳ ଖାଆ । ଯିବା । ଆଜି ପୁରୀ ସହରରେ ଯେତେ ସବୁ ଧର୍ମଶାଳା, ଲଜିଂ, ହୋଟେଲ, ଘରୋଇ ଭଡ଼ାଘର ଅଛି, ସବୁ ଜାଗା ଖୋଜିବାକୁ ପଡ଼ିବ ।

 

ହେମକାନ୍ତଙ୍କର ଜଳଖିଆ ଖାଇବାକୁ ଇଚ୍ଛା ହେଉ ନଥିଲେ ସୁଦ୍ଧା ସେ ରଘୁନାଥବାବୁଙ୍କ ଅନୁରୋଧ ଏଡ଼ାଇ ନ ପାରି ତାଙ୍କ ସାଙ୍ଗରେ ବସି ଜଳଖିଆ, ଚା’ ଖାଇଲେ । ତା’ପରେ ଦୁହେଁ ଅଟୋରିକ୍ସାରେ ବସି ଗଲେ ଗୋଏଁକା ଧର୍ମଶାଳାକୁ । ତା’ପରେ ଡୁଡ଼ୁଆଲା, ବାଖିରିଆ ପ୍ରଭୃତି ବିଭିନ୍ନ ଧର୍ମଶାଳା, ମଠ, ଲଜିଂ, ହୋଟେଲ ବୁଲି ଦେଖିଲେ । ସେ ସବୁ ଜାଗାର ମ୍ୟାନେଜରଙ୍କୁ ହେମଲତା ଓ ଶାଶୁଙ୍କ କଥା ପଚାରିଲେ । ସେମାନଙ୍କ ଯାତ୍ରୀଖାତା ଦେଖି ଗୋଟି ଗୋଟି କରି ନାଁ ମିଳାଇଲେ । ହେଲେ କେଉଁଠାରେ ସନ୍ଧାନ ପାଇଲେ ନାହିଁ ।

 

ତା’ପରେ ରଘୁନାଥବାବୁ ଓ ହେମକାନ୍ତ ଦୁହେଁ ପୁରୀ ସଦରଥାନାଙ୍କୁ ଗଲେ । ରଘୁନାଥବାବୁଙ୍କର ଚିହ୍ନାଥିବା ପୁଲିସ ଇନିସ୍‌ପେକ୍‌ଟରଙ୍କୁ ସବୁକଥା ଜଣାଇଲେ । ତାଙ୍କ ପରାମର୍ଶରେ ଥାନାରେ ହେମଲତା ଓ ତାଙ୍କ ବୋଉ ହଜିଥିବା ବିଷୟ ଡାଇରି ଦେଲେ । କାର୍ତ୍ତିକପୂର୍ଣ୍ଣିମା ପୂର୍ବଦିନ ଠାରୁ ସେଦିନପର୍ଯ୍ୟନ୍ତ ଯେତେ ଲୋକ ଦୁର୍ଘଟଣାରେ ବା ଚୋର ଡକାୟତଙ୍କ ହାତରେ ମରିଥିଲେ ବା ଆହତ ହୋଇଥିଲେ, ସେମାନଙ୍କର ନାଁ, ଠିକଣା ଓ ଫଟୋଚିତ୍ର ଦେଖିଲେ । ମାତ୍ର ସେଠାରୁ ମଧ୍ୟ କୌଣସି ଖବର ପାଇଲେ ନାହିଁ । କିନ୍ତୁ ସଦରଥାନା ଇନିସ୍‌ପେକ୍‌ଟର ପ୍ରତିଶ୍ରୁତି ଦେଲେ, ଆମେ ଥାନା ପକ୍ଷରୁ ଏ ବିଷୟରେ ଅନୁସନ୍ଧାନ କରି ଆପଣଙ୍କୁ ଖୁବ୍‌ କମ୍‌ ଦିନ ଭିତରେ ଘଟଣା ସମ୍ପର୍କରେ ଜଣାଇନେବୁ ।

 

ପୁରୀ ସଦରଥାନାରୁ ଫେରି ସେ ଦୁହେଁ ଆସିଲେ ପୁରୀ ବଡ଼ ଡାକ୍ତରଖାନା । ସେଠାରେ ପ୍ରତି ବିଭାଗର ମହିଳା ଓ୍ୱାର୍ଡ଼ ବୁଲି ପ୍ରତ୍ୟେକ ରୋଗୀଙ୍କର ଖଟିଆ ଦେଖିଲେ । ସେହି ସମୟ ମଧ୍ୟରେ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଥିବା ଏବଂ ରୋଗ ଭଲ ହେବାପରେ ଡାକ୍ତରଖାନା ଛାଡ଼ି ଘରକୁ ଯାଇଥିବା ଏବଂ ରୋଗ କିମ୍ୱା ଦୁର୍ଘଟଣାରେ ପ୍ରାଣ ହରାଇଥିବା ରୋଗୀଙ୍କ ରେଜିଷ୍ଟ୍ରିର ଖାତା ଦେଖିଲେ । ମାତ୍ର ସେଠାରେ ମଧ୍ୟ ନିରାଶ ହେବାକୁ ପଡ଼ିଲା । ତା’ପରେ ସେ ଦୁହେଁ ଆସିଲେ ପୁରୀ ଷ୍ଟେସନ୍ ପାଖରେ ଥିବା ସଂକ୍ରାମକ ରୋଗ ଡାକ୍ତରଖାନାକୁ । ସେଠାରେ ଡାକ୍ତରଖାନା ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ସବୁ କଥା ଜଣାଇ ସମସ୍ତ କାଗଜପତ୍ର ଦେଖିଲେ; ହେଲେ ହେମଲତା ଓ ତାଙ୍କ ବୋଉଙ୍କର କୌଣସି ସନ୍ଧାନ ପାଇଲେ ନାହିଁ ।

 

ଚାରିଆଡ଼ୁ ନିରାଶବାଣୀ ଶୁଣି ଶୁଣି ହେମକାନ୍ତଙ୍କର ମୁଣ୍ଡ ଘୂରିଗଲା ଭଳି ଲାଗିଲା । ସେ ଅଟୋରିକ୍ସାକୁ ଆସି ଗୋଟିଏ କୋଣକୁ ଆଉଜି କିଛି ସମୟ ଆଖି ବୁଜି ବସିଗଲେ । ରଘୁନାଥବାବୁଙ୍କୁ ଯେପରି ଏସବୁ ଘଟଣା ସ୍ୱପ୍ନଭଳି ଲାଗୁଥିବା । ତାଙ୍କର ଦମ୍ଭ, ସାହସ ଯେପରିକି ଦୁର୍ବଳ ହୋଇ ଆସୁଥିଲା । ସେତେବେଳକୁ ଦିନ ପ୍ରାୟ ଦୁଇଟା ବାଜିଥିଲା । ସେ ଅଟୋରିକ୍ସାରେ ବସି ଘରକୁ ଯିବାପାଇଁ ଚାଳକକୁ ନିର୍ଦ୍ଦେଶ ଦେଲେ ।

 

ରଘୁନାଥବାବୁଙ୍କ ଦୁଆରମୁହଁରେ ଅଟୋରିକ୍ସାଟି ଆସି ଠିଆ ହେଲା । ସେପର୍ଯ୍ୟନ୍ତ ଦୁଇ ବନ୍ଧୁ ନୀରବରେ ବସି ଏହି ଘଟଣାକୁ ନେଇ ବିଭିନ୍ନ କଥା ଭାବୁଥିଲେ ରଘୁନାଥବାବୁ ଅଟୋରିକ୍ସା ଚାଳକଙ୍କୁ ତାଙ୍କ ଭଡ଼ା ଦେଇ ବିଦାୟ କରି ଦେବାର ବସିଥିଲେ, ମାତ୍ର ହେମକାନ୍ତ ମନାକଲେ । ସେ କହିଲେ ମୁଁ ଏହି ଅଟୋରିକ୍ସା ନେଇ ସାକ୍ଷୀଗୋପାଳ ଯିବି ।

 

ରଘୁନାଥବାବୁ ଆଶ୍ଚର୍ଯ୍ୟ ହେଲେ । ମାତ୍ର ହେମକାନ୍ତ କିଛି ନକହି ସିଧା ସିଧା ରଘୁନାଥବାବୁଙ୍କ ଅତିଥି ଭବନକୁ ପଶିଯାଇ ନିଜ ଆଟାଚିଟି ଧରି ବାହାରି ଆସିଲେ ।

 

ରଘୁନାଥବାବୁ ପଚାରିଲେ–କିଛି ଖାଇବୁନି, ବିଶ୍ରାମି ଟିକିଏ ନେବୁ ଇମିତି ଇମିତି ଚାଲିଯିବୁ ?

 

ହେମକାନ୍ତ ମ୍ଳାନ ହସ ହସି କହିଲେ–‘‘ତୁ ଭାଇ, ମତେ ଆଉ ବଳାନା ମୋପାଇଁ ଦୁଇଦିନ ହେଲା ବହୁ ପରିଶ୍ରମ କଲୁଣି । ମୁଁ ହତଭାଗା, ତୋ କଥା ଶୁଣିପାରିବି ନାହିଁ ।’’ କହୁ କହୁ କାନ୍ଦି ପକାଇଲେ ହେମକାନ୍ତ । ଦୁଃଖ, ଭୋକ, ହତାଶ, ନିରାଶ ଏକତ୍ର ହୋଇ ଯେପରିକି ତାଙ୍କ ପେଟ ଭିତରୁ ବୁକୁ ଥରାଇ କୋହ ଆକାରରେ ବାହାରି ଆସୁଥିଲା । ସେ ରୁମାଲରେ ଆଖି ପୋଛି ଅଟୋରିକ୍ସାରେ ବସି କହିଲେ–ସାକ୍ଷୀଗୋପାଳ ଚାଲ ।

 

ଅଟୋରିକ୍ସା ଚାଳକ ରଘୁନାଥବାବୁଙ୍କ ଦୁଆରୁ ଅଟୋରିକ୍ସା ଚଳାଇ ବହୁଦୂର ଯିବାପରେ ଗୋଟିଏ ହୋଟେଲ ସମ୍ମୁଖରେ ରଖିଦେଲେ । କହିଲେ–ବାବୁ ଟିକିଏ ଏ ହୋଟେଲରୁ ଖାଇ ଦେଇ ଆସୁଛି ।’’ ହେମକାନ୍ତଙ୍କୁ ପଚାରିଲେ–‘‘ଆପଣ କିଛି ଖାଇବେ ନାହିଁ ?’’

 

ହେମକାନ୍ତ ପକେଟରୁ ଶହେଟଙ୍କିଆ ନୋଟ୍‌ଟିଏ ଅଟୋରିକ୍ସା ଚାଳକଙ୍କ ହାତକୁ ବଢ଼ାଇ ଦେଇ କହିଲେ–ଏଇ ଟଙ୍କା ନିଅ । ହୋଟେଲରୁ ମୋପାଇଁ କେବଳ ଗ୍ଲାସେ ଖଣ୍ଡେ ପାଣି ଆଣିବ ।

 

ଅଟୋରିକ୍ସା ଚାଳକ ଶହେ ଟଙ୍କାର ନୋଟ୍‌ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ଏତେ ଟଙ୍କା କ’ଣ ହେବ ?

 

ହେମକାନ୍ତ କହିଲେ–ତୁମେ ମୋତେ ସାକ୍ଷୀଗୋପାଳ, କୋଣାର୍କ, ଭୁବନେଶ୍ୱର, କଟକ ଦେଇ ଆମ ଗାଁ ଚନ୍ଦନ ବଜାରରେ ଛାଡ଼ି ଆସିବ । ହୁଏତ ଚାରି ପାଞ୍ଚଦିନ ଲାଗି ଯାଇପାରେ । ବରଂ ତୁମେ ହୋଟେଲରେ ଖାଇ ସାରି ତୁମ ଘରକୁ ଯାଇ ଲୁଗାପଟା ଧରି ଆସ । ମୁଁ ଚନ୍ଦନ ବଜାରରେ ପହଞ୍ଚିଲେ ତୁମର ଯାହା ଭଡ଼ାଟଙ୍କା ହେବ ସବୁ ତୁଟେଇ ଦେବି ।

 

ଅଟୋରିକ୍ସା ଚାଳକ ଆଉ କିଛି କହିଲେ ନାହିଁ । ଶହେଟଙ୍କିଆ ନୋଟ୍‌ଟି ପକେଟରେ ରଖିଲେ, ପାଣି ଗ୍ଲାସେ ଆଣି ହେମକାନ୍ତଙ୍କୁ ଦେଲେ । ହୋଟେଲରୁ ଖାଇ ଅଟୋରିକ୍ସାକୁ ନେଇ ବସାକୁ ଗଲେ । ଲୁଗାପଟା ଗୋଟିଏ ଆଟାଚିରେ ପୂରାଇ ଆଣିଲେ । ସାଙ୍ଗରେ ପନ୍ଦର ଷୋଳବର୍ଷର ପିଲାଟିଏ ଧରି ଆସିଲେ । ଦୂରବାଟ ଯିବେ, ବାଟରେ ଭଲ ଅଛି, ମନ୍ଦ ଅଛି । ସାଙ୍ଗରେ ପିଲାଟିଏ ଥିଲେ ଅବଶ୍ୟ ସାହାଯ୍ୟ କରିବ । ଅଟୋରିକ୍ସା ଚାଳକ ସାଙ୍ଗରେ ପିଲାଟିକୁ ନେବାର ଏହାହିଁ ଉଦ୍ଦେଶ୍ୟ ଥିଲା । ହେମକାନ୍ତଙ୍କର ଏଥିରେ ଆପତ୍ତି କରିବାର କିଛି ନଥିଲା ।

 

ହେମକାନ୍ତ ସାକ୍ଷୀଗୋପାଳ ମନ୍ଦିରକୁ ଗଲେ । ଠାକୁରଙ୍କୁ ଦର୍ଶନ କଲେ । ପଣ୍ଡାପଢ଼ିଆରୀ ଓ ଆଖପାଖ ଲୋକଙ୍କୁ ସ୍ତ୍ରୀ ଓ ଶାଶୁଙ୍କ ବିଷୟରେ ପଚାରିଲେ । ଧର୍ମଶାଳା, ଡାକ୍ତରଖାନା, ପୁଲିସଥାନାର କାଗଜପତ୍ର ଦେଖିଲେ । ସେଠାରେ କୌଣସି ସନ୍ଧାନ ନପାଇ ଗଲେ କୋଣାର୍କ ।

 

କୋଣାର୍କରେ ପହଞ୍ଚିଲା ବେଳକୁ ରାତି ଆଠଟା । ଦିନସାରା ଅଖିଆ ଅପିଆ ପରିଶ୍ରମ ଫଳରେ ଭାରି କ୍ଳାନ୍ତ ଲାଗୁଥିଲା ହେମକାନ୍ତଙ୍କୁ । ସେ ପାନ୍ଥଶାଳାରେ ଗୋଟିଏ ରୁମ୍‌ ନେଇ ଗାଧୁଆ ପାଧୁଆ ଖିଆପିଆ ସାରି ଶୋଇଗଲେ । ସେଦିନ ରାତିରେ ତାଙ୍କୁ ଖୁବ୍‌ ନିଦ ହୋଇ ଯାଇଥିଲା । ନିଦ ଭାଙ୍ଗିଲା ବେଳକୁ ଗଛପତ୍ରରେ ଖରା ପଡ଼ିଥିଲା । ସେ ଉଠି ନିତ୍ୟକର୍ମ ସାରି, ଚା’ ଜଳଖିଆ ଖାଇ ପାନ୍ଥଶାଳାରୁ ବାହାରିଲା ବେଳକୁ ଅଟୋରିକ୍ସା ଚାଳକ ନିତ୍ୟକର୍ମ ସାରି ପ୍ରସ୍ତୁତ ହୋଇ ରହିଥିଲେ । ହେମକାନ୍ତ ଅଟୋରିକ୍ସାରେ ବସି ଚନ୍ଦ୍ରଭାଗାଠାରୁ କୋଣାର୍କ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳ ଖୋଜିଆସିଲେ । ହେଲେ ହେମଲତା କିମ୍ୱା ଶାଶୁଙ୍କର କୌଣସି ସନ୍ଧାନ ପାଇଲେ ନାହିଁ ।

 

ତା’ପରେ ସେ ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନ ଖୋଜିଲେ । ସେଠାରେ କୌଣସି ସନ୍ଧାନ ନ ପାଇବାରୁ ସମ୍ବାଦପତ୍ରରେ ହେମଲତା ଓ ଶାଶୁଙ୍କର ନିଖୋଜ ଖବର ପ୍ରକାଶ କଲେ । କଟକ ପୁଲିସ ଥାନାରେ ଏ ବିଷୟରେ ଏତଲା ଦେଇ ସେଦିନ ସନ୍ଧ୍ୟାରେ ସେହି ଅଟୋରିକ୍ସାରେ ଆସି ଚନ୍ଦନ ବଜାରରେ ପହଞ୍ଚିଲେ ।

 

ହେମକାନ୍ତଙ୍କୁ ଦେଖି ସାଙ୍ଗ ବ୍ୟବସାୟୀ ଓ ଅନ୍ୟାନ୍ୟ ଲୋକ ଘେରିଗଲେ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ–ତୁମ ସ୍ତ୍ରୀ ଓ ଶାଶୁଙ୍କର ସନ୍ଧାନ ମିଳିଲା ?

 

ସମସ୍ତଙ୍କୁ ଗୋଟିଏ ସଂକ୍ଷିପ୍ତ ଉତ୍ତରରେ ‘‘ନାହିଁ’’ ବୋଲି କହି ଅଟୋରିକ୍ସା ଚାଳକଙ୍କୁ ଦୋକାନ ଫିଟାଇ ଟଙ୍କା ଦେଇ ବିଦାୟ କଲେ । ସେଦିନ ଆଉ କୌଣସି କାମରେ ତାଙ୍କର ମନ ଲାଗିଲା ନାହିଁ । ଦୋକାନ ବନ୍ଦ କରି ଚନ୍ଦ୍ରଶେଖରପୁର ବାଟ ଦେଇ ଗାଁକୁ ଆସିଲେ । ତଥାପି ମନରେ ଆଶା ଥିଲା–ହେମଲତା ଓ ବୋଉ ଯଦି ଏଥିମଧ୍ୟରେ ଫେରି ଆସିଥିବେ । ମାତ୍ର ହେମକାନ୍ତଙ୍କର ଆଶା ଆଶାରେହିଁ ରହିଲା । ବରଂ ଚନ୍ଦ୍ରଶେଖରପୁର ଗାଁ ଠାରୁ ନିଜ ମଙ୍ଗଳପୁର ଗାଁ ପର୍ଯ୍ୟନ୍ତ ସେ ଯେଉଁବାଟ ଦେଇ ଆସିଲେ, ସବୁଆଡ଼େ ସେହି ଗୋଟିଏ ପ୍ରଶ୍ନ ତାଙ୍କୁ ଶୁଣିବାକୁ ପଡ଼ୁଥିଲା–‘‘ସ୍ତ୍ରୀ ଓ ଶାଶୁ ତୁମର ମିଳିଲେ ?’’

 

କେଉଁଠି ହେମକାନ୍ତ ‘‘ନାହିଁ’’ ବୋଲି କହୁଥିଲେ ତ କେଉଁଠି ‘‘ନାହିଁ’’ ବୋଲି ମୁଣ୍ଡ ହଲାଇ ଇସାରା ଦେଉଥିଲେ । ତା’ପରେ ନିଜ ଗାଁ ଘରକୁ ଆସି ଘରଦୁଆରର କୋଲପ ଖୋଲି ଭିତରକୁ ପଶିଲେ । ଘର ଖାଲି । କେହି କେଉଁଆଡ଼େ ନାହାନ୍ତି । ନିର୍ଜନ । ନିଛାଟିଆ । ଶୋଇବା ଘର ଖୋଲିଲେ । ଖଟ ଉପରେ କିଛି ସମୟ ଥକା ମାରି ବସିଲେ । ଘରର ଚାରିପଟକୁ ଚାହିଁଲେ । ଦେଖିଲେ ର‍୍ୟାକ୍‍ରେ ହେମଲତାଙ୍କର ଶାଢ଼ି, ବ୍ଲାଉଜ୍, ଛାୟା ରହିଛି । ତାଙ୍କ ହାତବାକ୍ସ ସେମିତି ବେଞ୍ଚ୍‌ ଉପରେ ଥୁଆ ହୋଇଛି । ମୁଣ୍ଡ କୁଣ୍ଡାଇବା ପାନିଆ, ସ୍ନୋ, ପାଉଡ଼ର, ନଡ଼ିଆତେଲ ଶିଶି, କଜଳପାତି, ସିନ୍ଦୂର ଡବା ଡ୍ରେସିଙ୍ଗ୍ ଟେବୁଲ୍ ଉପରେ ପଡ଼ିରହିଛି ।

 

ହେମଲତା ପୁରୀ ଯିବାଦିନ ଯେଉଁ ଜିନିଷ ଯେମିତି ରଖି ଯାଇଥିଲେ, ସେଗୁଡ଼ିକ ସେମିତି ରହିଛି । ହେମକାନ୍ତ ନିଜକୁ ଆୟତ୍ତରେ ରଖି ପାରିଲେ ନାହିଁ । ‘‘ହେମଲତା’’ ‘ହେମଲତା’ କହି ଜୋରରେ ପିଲାଙ୍କ ପରି ଖଟରେ ଶୋଇ କାନ୍ଦି ଉଠିଲେ । କିଛି ସମୟ ଧରି କାନ୍ଦିବା ପରେ ନିଜ ମନକୁ ନିଜେ ବୁଝାଇ ଧୈର୍ଯ୍ୟ ଧରି ଖଟ ଉପରେ ବସିଲେ । ତା’ପରେ; ନିଜର ଚଳିବା ମୁତାବକ ଲୁଗାପଟା ଧରି ଦୁଆର ଘର ଚାବିଦେଇ ଚନ୍ଦନ ବଜାର ଦୋକାନକୁ ସେଦିନ ରାତିରେ ଚାଲି ଆସିଲେ । ତା’ପର ଠାରୁ ସେ ଆଉ ଗାଁକୁ ଆସୁନଥିଲେ । ଦୋକାନରେ କାମ କରୁଥିବା ପିଲା ଦୁଇଟି ରାତିରେ ଗାଁ ଘର ଜଗି ଶୋଉଥିଲେ ।

 

ସେହିଦିନ ଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ହେମକାନ୍ତ ହେମଲତା ଓ ଶାଶୁଙ୍କୁ ମନେମନେ ବହୁତ ଖୋଜିଛନ୍ତି । ମଝିରେ ମଝିରେ ଦୋକାନ ଚାରି ପାଞ୍ଚଦିନ ପାଇଁ ବନ୍ଦକରି ପୁରୀଠାରୁ ଚନ୍ଦ୍ରଶେଖରପୁର ଗାଁ ପର୍ଯ୍ୟନ୍ତ ଖୋଜି ଆସିଛନ୍ତି । ଏପଟେ ଯାଜପୁର, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର, ହାବଡ଼ାକୁ ଟ୍ରେନ୍‌ରେ ଯାଇ କଲିକତାରେ ରହି ବିଭିନ୍ନ ଗଳିକନ୍ଦି ଖୋଜିଛନ୍ତି । ହେଲେ କେଉଁଠାରେ ହେମଲତା ବା ଶାଶୁଙ୍କର କୌଣସି ସନ୍ଧାନ ପାଇ ନାହାନ୍ତି । କିଏ କହୁଛି–ସେମାନେ ହୁଏତ କାର୍ତ୍ତିକ ପୂର୍ଣ୍ଣିମା ଦିନ ସମୁଦ୍ରରେ ଗାଧୋଉ ଗାଧୋଉ ବୁଡ଼ି ମରିଛନ୍ତି । କେହି ଜାଣିପାରି ନାହାନ୍ତି । କିଏ କହୁଛି–ହେମଲତାଙ୍କ ଦେହରେତ ଗୁଡ଼ାଏ ସୁନା ଅଳଙ୍କାର ଥିଲା । କୌଣସି ଚୋର, ଡକାୟତ ଲୋଭରେ ମାଆ, ଝିଅଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ମାରି ମାଟିରେ ପୋତି ଦେଇଛି । କିଏ କହୁଛି–କୌଣସି ସାଧୁ ସନ୍ନ୍ୟାସୀ ଏମାନଙ୍କୁ ଭୁଲାଇ ଦୂର ସ୍ଥାନକୁ ନେଇ ଯାଇଛି । ଏହିଭଳି ବହୁକଥା ହେମକାନ୍ତ ଆଜିକୁ ଦୁଇବର୍ଷ ହେଲା ଶୁଣୁଛନ୍ତି । ହେଲେ କାହାରି କଥାକୁ ସେ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁ ନାହାନ୍ତି କି ଅବିଶ୍ୱାସ ମଧ୍ୟ କରୁ ନାହାନ୍ତି । ତାଙ୍କୁ ସବୁ ଯେପରି ଏକ ରହସ୍ୟମୟ ଘଟଣା ଭଳି ଲାଗୁଛି ।

 

ଦୁଇବର୍ଷ ପରେ ସାଙ୍ଗ, ସାଥୀ, ବନ୍ଧୁବାନ୍ଧବ, ସାଇପଡ଼ିଶାଙ୍କ ଏକାନ୍ତ ଅନୁରୋଧ ଫଳରେ ସେ ତିନି ଦିନ ହେଲା ପୁଣି ଥରେ ବିବାହ କରିଛନ୍ତି ଲକ୍ଷ୍ମୀଙ୍କୁ । ଆଜି ତାଙ୍କର ଚଉଠି ।

 

ନୂତନ ସ୍ତ୍ରୀଙ୍କର ବଡ଼ଭାଇ ରବିବାବୁ ଆସି କହିଲେ–‘‘ନିମନ୍ତ୍ରିତ ଲୋକେ ସବୁ ଖାଇବାକୁ ଆସିଗଲେଣି । ତୁମେ ଘରେ ବସିଲେ ଆଉ ଚଳିବ ? ଆସି ଦେଖ କିଏ ଆସିଲେ, ନ ଆସିଲେ । ଏଥର ପତର ଲଗେଇ ଖାଇବାକୁ ଦେଇ ପ୍ରଥମ ବ୍ୟାଚ୍‌ କାମସାରି ଦେବାକୁ ପଡ଼ିବ ।’’

 

ଗାଁର ମୁଖିଆ ମୁଖିଆ ଲୋକ ଆସି କହିଲେ–ହେମକାନ୍ତ, ତୁ ଆଉ ଏତେବେଳେ ବସି ରହନା ବାବା, ରାତି ବେଶୀ ହୋଇଯିବ । ଯେଉଁମାନେ ଆସିଲେଣି, ସେମାନଙ୍କୁ ଖାଇବାକୁ ଦେଇ ବିଦାୟ କରିଦିଅ ।

 

ହେମକାନ୍ତଙ୍କର ଧ୍ୟାନ ଭାଙ୍ଗିଗଲା । ପୂର୍ବସ୍ମୃତି ମନପରଦା ଉପରୁ କିଛି ସମୟପାଇଁ ଉଭେଇ ଗଲା । ଆଖିରୁ ଦୁଇଧାର ଲୁହ ଗଡ଼ି ଆସୁଥିଲା, ତାକୁ ସମସ୍ତଙ୍କ ଅଜାଣତରେ ସେ ରୁମାଲରେ ପୋଛିଲେ । ଦୀର୍ଘ ନିଃଶ୍ୱାସଟିଏ ପକାଇ ନୀରବରେ ବାହାରକୁ ଆସିଲେ ।

 

–ଦୁଇ–

 

ଚଉଠି ଖିଆପିଆ ଶେଷ ହେଲା । ସେତେବେଳକୁ ରାତି ପ୍ରାୟ ଦଶଟା ହୋଇଥିଲା, ପାଖଆଖର ବନ୍ଧୁବାନ୍ଧବମାନେ ବିଦାୟ ନେଇ ଯେ ଯାହାର ଘରକୁ ଗଲେ । କେତେକ ବନ୍ଧୁବାନ୍ଧବ ମଧ୍ୟ ହେମକାନ୍ତଙ୍କ ଘରେ ଶୋଇବାକୁ ଅସୁବିଧା ହେବ ଭାବି ସେହି ଗାଁରେ ସେମାନଙ୍କର ଥିବା ଅନ୍ୟ ବନ୍ଧୁଙ୍କ ଘରକୁ ଚାଲିଗଲେଣି । ହେମକାନ୍ତଙ୍କର ନୂଆଶଳା ରବୀନ୍ଦ୍ର ଖାଇପିଇ ବିଦାୟ ନେଲେ-। ତାଙ୍କୁ ହେମକାନ୍ତ ନେଇ ଗାଁମୁଣ୍ଡରେ ଛାଡ଼ି ଦେଇ ଆସିଲେ ।

 

ତା’ପରେ ଆରମ୍ଭ ହେଲା ଚଉଠି ରାତିର ଚଉସମ ବିଧି । ହେମକାନ୍ତ ଖାଇସାରି ଶଶୁରଘରୁ, ବଡ଼ ଶଳା ରବୀନ୍ଦ୍ର ଆଣି ଦେଇଯାଇଥିବା ନୂଆ ଲୁଗା, ଗଞ୍ଜି, ପଞ୍ଜାବି ପିନ୍ଧି, ରୁମାଲରେ ସେଣ୍ଟ ଦେଇ, କାନରେ ସେଣ୍ଟ ଲଗା ତୁଳାଟିକିଏ ଖୋସି, ମସଲାଦିଆ ପାନ ଖଣ୍ଡିଏ ପାଟିରେ ପୂରାଇ ଶୋଇବା ଘରକୁ ଗଲେ । ଶୋଇବା ଘରେ ପାଖକୁ ପାଖ ଲାଗି ଦୁଇଟି ଖଟ ପଡ଼ିଛି । ଖଟଉପରେ ନଡ଼ିଆକତା ଗଦି ଉପରେ ପଡ଼ିଛି ଫୁଲପକା ସୁନ୍ଦର ବେଡ଼୍‌ସିଟ୍ । ଉଭୟ ଖଟରେ ମୁଣ୍ଡ ଦେଇ ଶୋଇବାକୁ ରହିଛି ଦୁଇ ଦୁଇଟି ଲେଖାଏଁ ତକିଆ । ମାତ୍ର ଗୋଟିଏ ନେଟ୍ କନାର ମଶାରି ଭିତରେ ଖଟଦୁଇଟି ଅଛି । ଖଟ ଉପରେ ମଲ୍ଲୀ, ଜାଇ, ଜୁଇ, ହେନା ଫୁଲ ବିଛା ହୋଇଛି, ଚନ୍ଦନମିଶା ସେଣ୍ଟ୍‌ ପଡ଼ିଛିନା କ’ଣ, ଭାରି ବାସୁଛି । ଖଟ ବାହାରେ ଗୋଟିଏ ଛୋଟ ଟୁଲ୍‌ ଉପରେ ବିଡ଼ିଆ ଭଙ୍ଗାପାନ, ଲବଙ୍ଗ ଅଳେଇଚ ଥୁଆହୋଇଛି । ଘରର ଗୋଟିଏ କୋଣରେ ବଡ଼ ଘିଅ ଦୀପଟିଏ ରୁଖାଉପରେ ଦିକ୍‌ ଦିକ୍‌ ହୋଇ ଜଳୁଛି । ତା’ତଳେ ନୂଆ ଲଣ୍ଠନଟିଏ ଚନ୍ଦ୍ରପକ୍ଷ ରାତିରେ ନୀଳ ଆକାଶର ଛୋଟ ତାରାଟିଏ ଆଖି ମିଟି କଲାପରି ଆଲୁଅ ଦେଉଛି ।

 

ହେମକାନ୍ତ ସେ ଘରକୁ ପଶିଗଲା ପରେ ତାଙ୍କ ହୃଦୟରେ ନୂଆ ପୁଲକ ଓ ଶିହରଣ ସୃଷ୍ଟି ହେଲା । ହେମଲତାଙ୍କ ସହିତ ଚଉଠି ରାତିର ମିଳନକଥା ତାଙ୍କ ମନଆକାଶରେ କ୍ଷଣକପାଇଁ ଉଙ୍କି ମାରିଲା ସତ ମାତ୍ର ନୂତନ ବାନ୍ଧବୀ ଲକ୍ଷ୍ମୀଙ୍କର ଆଗମନକୁ ସ୍ୱାଗତ କରିବାର ଭାବନା ତାଙ୍କୁ କଳ୍ପନା ଜଗତରେ ଅଧିକ ବୁଡ଼ାଇ ରଖିଲା । ସେ ଖଟଉପରେ କେତେବେଳେ ଚିତ୍‌ ହୋଇ, କେତେବେଳେ ମୁହଁମାଡ଼ି ବା କେତେବେଳେ ବାଁ କଡ଼ ମାଡ଼ି ଶୋଇ ଆଉଜା ଦୁଆର ଆଡ଼କୁ ବାରମ୍ୱାର ଚାହୁଁଥିଲେ । ଲକ୍ଷ୍ମୀଙ୍କର ଆସିବାରେ ବିଳମ୍ୱ ତାଙ୍କୁ ଯେପରିକି ଅସହ୍ୟ ବୋଧ ହେଉଥିଲା-

 

ଏହି ସମୟରେ ହେମକାନ୍ତଙ୍କ ପିଉସୀଝିଅ ଭଉଣୀ କାନ୍ତି ଓ ମାମୁଝିଅ ଭଉଣୀ ବାସନ୍ତୀ ହେମକାନ୍ତଙ୍କ ଶୋଇବା ଘରଦୁଆର ବାହାରେ ଠିଆହୋଇ ଲକ୍ଷ୍ମୀଙ୍କୁ ଘରଭିତରକୁ ଠେଲି ଦେଇ ହସି ହସି ବାହାରୁ କବାଟ ଆଉଜାଇ କହିଲେ, ‘‘ଆମେ ଯାଉଛୁହେ ଭାଉଜ, ତୁମ ଯତି ପତି, ଚଉଠିରାତି, ନବଦମ୍ପତି ଭାବପୀରତି, କେମିତି ଲାଗିଲା କହିବ ସକାଳୁ ଉଠି ।’’

 

ଲକ୍ଷ୍ମୀ ଘରର ଦୁଆର କୋଣରେ ମୁଣ୍ଡ ତଳକୁ ପୋତି ଠିଆ ହୋଇ ରହିଲେ । ହେମକାନ୍ତ ଖଟଉପରୁ ଉଠି ଧୀରେ ଧୀରେ ପାଦ ପକାଇ ଭିତରୁ କବାଟଟି ଦେଇଦେଲେ । ତା’ପରେ ଲକ୍ଷ୍ମୀଙ୍କ ହାତକୁ ଧରି ଆଣି ଖଟ ଉପରେ ବସାଇଲେ । ମୁଣ୍ଡରୁ ଓଢ଼ଣାଟି ଖସାଇ ଦେଲେ । ତାଙ୍କ ପାଖକୁ ଆହୁରି ଲାଗି ଆସିଲେ । ତାଙ୍କୁ ଦୀପ ଆଲୁଅରେ ଲକ୍ଷ୍ମୀଙ୍କ ମୁହଁ ଖୁବ୍‌ ସୁନ୍ଦର ଦେଖା ଯାଉଥିଲା । ତାଙ୍କୁ ଜଣାପଡ଼ୁଥିଲା ସେ ଯେପରି ଲକ୍ଷ୍ମୀଙ୍କ ଭିତରେ ହେମଲତାଙ୍କୁ ପାଇଛନ୍ତି । ହେମଲତା ପ୍ରକୃତରେ କୁଆଡ଼େ ଚାଲିଯାଇ ନାହାନ୍ତି, ସେ ଆଜି ଲକ୍ଷ୍ମୀ ନାମରେ ତାଙ୍କରି ରୂପ ଓ ବୟସ ଧରି ତାଙ୍କ ଘରକୁ ଆସିଛନ୍ତି, ତାଙ୍କ ପାଖରେ ବସିଛନ୍ତି । ହେମକାନ୍ତ ଅଧୀର ହୋଇ ଲକ୍ଷ୍ମୀଙ୍କର ମୁହଁକୁ ନିଜ ଆଡ଼କୁ ଟାଣି ଆଣିଲେ । ଲକ୍ଷ୍ମୀ ବିନା ପ୍ରତିବାଦରେ ହେମକାନ୍ତଙ୍କର ଡାହାଣ ଆଣ୍ଠୁରେ ନିଜ ମୁହଁଟିକୁ ରଖି ତାଙ୍କ ମୁହଁକୁ ଚାହିଁ କହିଲେ, ‘‘ଦୀପଟିକୁ ଲିଭାଇ ଦିଅ ।’’

 

ଆଶ୍ଚର୍ଯ୍ୟର କଥା, ଲକ୍ଷ୍ମୀଙ୍କ ମୁହଁରୁ ଦୀପ ଲିଭାଇବା କଥା ବାହାରିଛି କି ନାହିଁ ଦୀପଟି ଆପେଆପେ ଲିଭିଗଲା । ତା’ ସଙ୍ଗେ ସଙ୍ଗେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଲଣ୍ଠନଟି ମଧ୍ୟ ଦପଦପ ହୋଇ ଲିଭିଗଲା । ସମଗ୍ର ଶୋଇବା ଘରଟି ଅନ୍ଧକାରରେ ପୂରିଗଲା । ହେମକାନ୍ତ ତକିଆରେ ମୁଣ୍ଡ ଦେଇ ଚିତ୍‌ ହୋଇ ଶୋଇ ଲକ୍ଷ୍ମୀଙ୍କୁ ନିଜ ଛାତି ଉପରକୁ ଭିଡ଼ି ଆଣିଲେ । ଲକ୍ଷ୍ମୀ ହେମକାନ୍ତଙ୍କ ଛାତି ଉପରେ ମୁଣ୍ଡ ରଖି ଶୋଇଗଲେ ।

 

ହେମକାନ୍ତ ଲକ୍ଷ୍ମୀଙ୍କ ମୁଣ୍ଡର ସୁବାସିତ ପୁଷ୍ପରାଶିଭରା ନରମ ଘନ କେଶରାଜି ଉପରେ ହାତ ବୁଲାଉ ବୁଲାଉ ଡାକିଲେ–ଲକ୍ଷ୍ମୀ !

 

ଲକ୍ଷ୍ମୀ ଉତ୍ତର ଦେଲେ–‘‘ଉଁ’’ !

 

ହେମକାନ୍ତ କହିଲେ–ମୁଁ ତୁମକୁ ଆଜି ପାଇ ନିଜକୁ ବଡ଼ ଭାଗ୍ୟବାନ ମନେ କରୁଛି । ମୋର ଯେପରି ମନେ ହେଉଛି, ବହୁଦିନ ତପସ୍ୟା ପରେ ମୁଁ ତୁମକୁ ପାଇଛି । ତୁମେ ମୋର ଅତି ଆପଣାର । ବହୁଦିନର ପରିଚିତ ।

 

ଲକ୍ଷ୍ମୀଙ୍କ ଠାରୁ ହେମକାନ୍ତ ଠିକ୍‌ ଏହିଭଳି ପ୍ରତ୍ୟୁତ୍ତର ପାଇବେ ବୋଲି ଆଶା କରିଥିଲେ-। କିଛି ସମୟ ନୀରବରେ କଟିଗଲା । ତା’ପରେ ହଠାତ୍‌ ଲକ୍ଷ୍ମୀ କାନ୍ଦି ଉଠିଲେ । ଲକ୍ଷ୍ମୀ କାନ୍ଦୁଥିବାର ଦେଖି ହେମକାନ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ସେ ଭାବିଲେ, ବୋଧହୁଏ ଲକ୍ଷ୍ମୀଙ୍କର ବାପଘର କଥା ମନେ ପଡ଼ିଲା । ତେଣୁ ବାପା, ବୋଉ, ଭାଇ ଭଉଣୀଙ୍କ କଥା ଭାବି ଲକ୍ଷ୍ମୀ କାନ୍ଦୁଛନ୍ତି । ତେଣୁ ସେ ଲକ୍ଷ୍ମୀଙ୍କ ଆଖିରୁ ଲୁହ ପୋଛି ଦେଇ କହିଲେ–‘‘ଛି ଲକ୍ଷ୍ମୀ ! ତୁମେ ଆଜିଭଳି ଶୁଭଦିନରେ କାନ୍ଦୁଛ ? ଆମ ଦୁହିଁଙ୍କ ମିଳନର ଏହି ପ୍ରଥମ ରାତ୍ରି କ’ଣ ଜୀବନରେ ଆଉ ଆସିବ ? ଆଜି ଏହି ରାତ୍ରିରୁ ପରା ଦୁଇଟି ଜୀବନର ସ୍ରୋତ ଏକତ୍ର ହୋଇ ଗୋଟିଏ ପଥରେ ପ୍ରବାହିତ ହୁଏ । ମୋ ରାଣ, ତୁମେ କାନ୍ଦନି । ଆଜି ଏହି ମଙ୍ଗଳ ରାତ୍ରିରେ ପ୍ରଥମ ମିଳନ ଶଯ୍ୟାରେ କାନ୍ଦିବା ଅର୍ଥ ଆମ ଦୁହିଁଙ୍କୁ ସାରା ଜୀବନପାଇଁ କାନ୍ଦିବାକୁ ପଡ଼ିବ । ତୁମର ଯଦି ଘରକଥା, ବାପା ବୋଉ, ଭାଇ ଭଉଣୀଙ୍କ କଥା, ଗାଁ ସାଙ୍ଗସାଥୀଙ୍କ କଥା ମନେ ପଡ଼ି କାନ୍ଦ ମାଡ଼ୁଛି, ତେବେ ସାତମଙ୍ଗଳା ପରେ ଦୁହେଁ ତୁମ ଗାଁକୁ ଯିବା । କିଛିଦିନ ରହି ଫେରି ଆସିବା । ନାହିଁ ଯଦି ତୁମେ ଘରେ ଅଧିକ କିଛିଦିନ ରହିବାକୁ ଚାହିଁବ, ତେବେ ତୁମେ ରହିବ, ମୁଁ ଚାଲି ଆସିବି । ତୁମେ ପରେ ଆସିବ । ଯାହା ତୁମର ଖୁସି । ଆମ ଘରେ ତ କେହି ମୁରବି ନାହାନ୍ତି । ତେଣୁ ଆମର ଯାହା ଖୁସି, ଯେମିତି ସୁବିଧା ହେବ ସେମିତି କରିବା ।

 

ଏତେ ବୁଝାଇବା ସତ୍ତ୍ୱେ ଲକ୍ଷ୍ମୀଙ୍କ କାନ୍ଦର ବିରାମ ଘଟିଲା ନାହିଁ, ବରଂ ବେଳକୁ ବେଳ ସେ ଅଧିକ କଇଁକଇଁ ହୋଇ କାନ୍ଦିବାରେ ଲାଗିଲେ ।

 

ହେମକାନ୍ତ ବାଁ କଡ଼ ବୁଲାଇ ଶୋଇ ଲକ୍ଷ୍ମୀଙ୍କୁ ନିଜ କୋଳକୁ ଆଉଜାଇ ଆଣି ପଚାରିଲେ–କାହିଁକି ତୁମେ କାନ୍ଦୁଛ ? ଦେଖ ତୁମ ମୋ ବ୍ୟତୀତ ଏ ଘରେ ଆଉ କେହି ନାହାନ୍ତି । ତେଣୁ ତୁମର କ’ଣ ହୋଇଛି, ମୁହଁ ଖୋଲି କହିବାରେ ଆପତ୍ତି ବା କ’ଣ ଅଛି ? ତୁମେ ଯଦି ଭାବୁଥାଅ ଯେ, ଭଉଣୀ ଦୁହେଁ ଅଛନ୍ତି, ତୁମକୁ ହଇରାଣ କରିବେ ବା ତୁମ ଉପରେ ମୁରବିପଣିଆ ଦେଖାଇବେ, ତେବେ ତାହା ତୁମର ଭାବିବା ଭୁଲ । ସେମାନେ ମୋର ନିଜର ଭଉଣୀ ନୁହଁନ୍ତି । ଜଣେ ମାମୁ ଝିଅ, ଅନ୍ୟ ଜଣକ ପିଉସୀ ଝିଅ ଭଉଣୀ । ସେମାନେ କାଲି ସକାଳେ ଚାଲି ଯାଇଥାନ୍ତେ । ମାତ୍ର ମୁଁ ତାଙ୍କୁ ବାଧ୍ୟ କରି ରଖାଇଛି । ସାତମଙ୍ଗଳା କିମ୍ୱା ଆଠମଙ୍ଗଳା ପରେ ଚାଲିଯିବେ ।

 

ଏତେ ବୁଝାଇବା ସତ୍ତ୍ୱେ ଲକ୍ଷ୍ମୀ କାନ୍ଦ ବନ୍ଦ କରିବା ପରିବର୍ତ୍ତେ ଓଲଟି ଖଟ ଉପରେ ବସି କାନ୍ଦିଲେ । ବେଳକୁ ବେଳ ତାଙ୍କ କାନ୍ଦର ସ୍ୱର ବଢ଼ିବାରେ ଲାଗିଲା ।

 

ହେମକାନ୍ତ ଲକ୍ଷ୍ମୀଙ୍କ କାନ୍ଦରେ ମନେମନେ ଯେତିକି ବିସ୍ମିତ ହେଉଥିଲେ, ସେତିକି ବିରକ୍ତ ହେଉଥିଲେ । ସେ ମନର ଭାବକୁ ପ୍ରକାଶ ନକରି, କିଛି ସମୟ ନୀରବରେ ଶୋଇ ରହିଲେ-। ତା’ପରେ ଖଟ ଉପରେ ଉଠି ବସିଲେ । ଲକ୍ଷ୍ମୀଙ୍କୁ ନିଜ ଛାତିକୁ ଆଉଜାଇ ଆଣି ମୁଣ୍ଡରେ ହାତ ବୁଲାଇ କହିଲେ–ଲକ୍ଷ୍ମୀ, କାହିଁକି ତୁମେ କାନ୍ଦୁଛ, କ’ଣ ତୁମର ହୋଇଛି କହୁନ ?

 

ଲକ୍ଷ୍ମୀ କିନ୍ତୁ କୌଣସି ଉତ୍ତର ଦେଲେ ନାହିଁ ।

 

ହେମକାନ୍ତ ତକିଆ ତଳୁ ଟର୍ଚ୍ଚଟି ଖୋଜି ବାହାର କଲେ । ଟର୍ଚ୍ଚ ଆଲୁଅରେ ଖଟତଳକୁ ଓହ୍ଲାଇ ଆଲଣାରେ ଥିବା ପୁରୁଣା ଜାମା ପକେଟରୁ ଦିଆସିଲିଟି କାଢ଼ି ପ୍ରଥମେ ଦୀପଟି ଲଗାଇ ତା’ପରେ ଲଣ୍ଠନଟି ଲଗାଇଲେ । ଦେହରୁ ନୂଆଜାମା, ଲୁଗା କାଢ଼ି ଲୁଙ୍ଗିଟି ପିନ୍ଧିଲେ । ଖଟ ଉପରକୁ ଆସୁଛନ୍ତି, ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହେଲା ପରି ପଚାରିଲେ–ଦୀପ, ଲଣ୍ଠନ ଏକାବେଳକେ ଲଗାଇ ଦେଇ ଆସିଲ ଯେ !

 

ହେମକାନ୍ତ ଲକ୍ଷ୍ମୀଙ୍କ ମୁହଁଙ୍କୁ ଚାହିଁଲେ । ଦେଖିଲେ ଲକ୍ଷ୍ମୀ ଖଟରେ ଶୋଇ ତାଙ୍କ ଆଡ଼କୁ ଚାହିଁ ହସୁଛନ୍ତି । ଓଠଟି ତାଙ୍କର ପ୍ରସ୍ଫୁଟିତ ହୋଇ ଆସୁଥିବା ଗୋଲାପ କଢ଼ି ଭଳି ଦିଶୁଛି । ମୁହଁଟି ପୂର୍ଣ୍ଣମୀର ଚନ୍ଦ୍ରପରି ବେଶ୍‌ ବର୍ତ୍ତୁଳ ଓ ଚଟୁଳ । ସେ ହଠାତ୍‌ ସ୍ଥିରକରି ପାରିଲେ ନାହିଁ, ଏ ହେମଲତା ନା ଲକ୍ଷ୍ମୀ !

 

ଲକ୍ଷ୍ମୀ ହସି ହସି କହିଲେ–କ’ଣ ଏତେ ସମୟ ମୋ ମୁହଁକୁ ଚାହିଁ ଦେଖୁଛ ଯେ ? ଲଣ୍ଠନ ଜଳୁଥାଉ । ଦୀପଟି ଲିଭାଇ ଦେଇ ଆସ, ଶୋଇପଡ଼ । ରାତି ଅନେକ ହେଲାଣି ।

 

ହେମକାନ୍ତ ଲକ୍ଷ୍ମୀଙ୍କ ପାଖକୁ ଆସି ଦେଖିଲେ–ତାଙ୍କ ଆଖିରେ ବୁନ୍ଦାଏ ହେଲେ ଲୁହ ନାହିଁ କିମ୍ୱା କାନ୍ଦିଲାବେଳେ ଆଖି ମକଚି ଫୁଲିଯିବା ବା କାନ୍ଦିବା ପରେ ଶୁଷ୍କ ଲୁହଧାର ଗଣ୍ଡଦେଶରେ ଲାଗି ରହିବାର କୌଣସି ଚିହ୍ନ ଦେଖାଯାଉନାହିଁ ।

 

ହେମକାନ୍ତ ଲକ୍ଷ୍ମୀଙ୍କର ଆହୁରି ପାଖକୁ ଆସି ପଚାରିଲେ–ଲକ୍ଷ୍ମୀ, ସତ କୁହ, ଏତେ ଜୋରରେ କାନ୍ଦୁଥିଲ କାହିଁକି ? ତୁମର ଘର କଥା ମନେ ପଡ଼ିଲା ନା ଅନ୍ଧାରକୁ ଦେଖି ଡର ଲାଗିଲା-?

 

ଲକ୍ଷ୍ମୀ ହସି ହସି ଉତ୍ତର ଦେଲେ–ମୁଁ କାନ୍ଦିବି କାହିଁକି ? ତୁମ ଗାଁ ଭଳି ଆମ ଗାଁକୁ ମଧ୍ୟ ବିଜୁଳି ଆଲୁଅ ଯାଇନି । ଆମେ ତ ଘରେ ରାତିରେ ବରାବର ଅନ୍ଧାରରେ ଶୋଉ । ଅନ୍ଧାରକୁ ମତେ ଡର ଭୟ ନାହିଁ । ତା’ପରେ ତୁମେ ତ ପାଖରେ ଅଛ । ଡର ଭୟର ପ୍ରଶ୍ନ ଉଠୁଛି କେଉଁଠି ? ଘର କଥା ମନେ ପଡ଼ୁଛି ସତ, ହେଲେ ଏତେଟା ନୁହେଁ । ଝିଅମାନେ ବିଭା ହୋଇ ସାରିଲାପରେ ସ୍ୱାମୀଘର ହେଉଛି ତାଙ୍କ ନିଜଘର ।

ହେମକାନ୍ତ କିଛି ସମୟ ଭାବିଲାପରି କହିଲେ–ନାଇଁ, ତୁମେ ତୁମର ମନକଥା ମତେ ଲୁଚାଉଛ । ଦେଖ, ତୁମ ମନରେ ଦୁଃଖ, ଅଶାନ୍ତି, ଅଭାବ, ଅସୁବିଧା, ସନ୍ଦେହ ବା ଭାବନା ଯାହା ଆସୁ, ତୁମେ ମୋତେ ଖୋଲାଖୋଲି ଭାବରେ କହିଦେବ, କାରଣ ତୁମେ ମୋ ହୃଦୟକୁ ଚିହ୍ନିନ । ମୁଁ ଭାରି ଖୋଲା ଏବଂ ସରଳ ।

ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହେଲାପରି ହାଲୁକା ସ୍ୱରରେ କହିଲେ–ଏ ତୁମେ କ’ଣ କହୁଛ ଯେ ! ମୁଁ ତ ଆଦୌ କାନ୍ଦିନି । ମୋତେ କାନ୍ଦୁଛ ବୋଲି କହି ଅଯଥା ଏଣୁତେଣୁ ଗୁଡ଼ାଏ ଗପିବାରେ ଲାଗିଛ । ତୁମେ ବୋଧେ ସ୍ୱପ୍ନ ଦେଖିଲନା କ’ଣ ? ଶୋଇଥିଲ, ହଠାତ୍‌ ଚମକି ପଡ଼ି ଉଠି ଟର୍ଚ୍ଚଟା ଜାଳି ଦୀପ, ଲଣ୍ଠନ ଦୁଇଟିଯାକ ଏକାବେଳକେ ଲଗାଇ ପକାଇଲ ।

ତା’ପରେ ଆଶ୍ଚର୍ଯ୍ୟ ହୋଇ ଉଭୟେ ଉଭୟଙ୍କ ମୁହଁକୁ କିଛିକ୍ଷଣ ଚାହିଁଲେ । ପୁଣି କ’ଣ ଭାବିଲା ଭଳି ଅନ୍ୟମନସ୍କ ହେଲେ । ପରକ୍ଷଣରେ ନିଜେ ନିଜକୁ ଅବିଶ୍ୱାସ କରିବାରେ ଲାଗିଲେ । ଲକ୍ଷ୍ମୀ ନୀରବତା ଭାଙ୍ଗି ହେମକାନ୍ତଙ୍କୁ କହିଲେ–‘‘ତୁମେ ଶୁଅ । ମୁଁ ଦୀପଟା ଲିଭାଇ ଦେଇ ଆସୁଛି-।’’

ଲକ୍ଷ୍ମୀ ଖଟତଳକୁ ଓହ୍ଲାଇ ଦୀପଟିକୁ ଲିଭାଇ ଦେଲେ । ଖଟ ଉପରକୁ ଆସି ହେମକାନ୍ତଙ୍କ ଦେହରେ ପତଳା ଚଦରଟିଏ ଘୋଡ଼ାଇ ଦେଇ ନିଜେ ତାଙ୍କର ବାଁ ପଟେ କାନ୍ଥମୂଳକୁ ଶୋଇ ଚଦରଟି ଭିତରେ ପଶିଗଲେ ଏବଂ ଖିଲି ଖିଲି ହୋଇ ହସି ଉଠିଲେ । ସେ ହେମକାନ୍ତଙ୍କ ମୁହଁକୁ ନିଜ ଆଡ଼କୁ ଟାଣି ଆଣି ତାଙ୍କ ମୁହଁରେ ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ–ତୁମେ ବହୁତ ଭାବୁଛ । ଆରଜନ୍ମରେ ତୁମେ କବି କି ଲେଖକ ଥିଲ ।

ହେମକାନ୍ତ କିଛି ଉତ୍ତର ଦେଲେ ନାହିଁ । ତାଙ୍କୁ ଯେପରି ସବୁ ଆଶ୍ଚର୍ଯ୍ୟ ଏବଂ ରହସ୍ୟ ଭଳି ଜଣାପଡ଼ୁଥିଲା ।

ଲକ୍ଷ୍ମୀ କହିଲେ–ବର୍ଷକ ତଳେ ମୋର ଗୋଟିଏ ସାଙ୍ଗର ବାହାଘର ହୋଇଥିଲା । ତା’ର ବାପା ଜଣେ ବଡ଼ କଣ୍ଟ୍ରାକ୍ଟର । ପାଠପଢ଼ା ସେତେ ନଥିଲେ ମଧ୍ୟ ସେ ଗୋଟିଏ ବଡ଼ ଅଫିସରକୁ ବାହା ହେଲା । ତାଙ୍କର କିମିତି ଚଉଠି ରାତି କଟିଥିଲା ଜାଣିଛ ?

ଲକ୍ଷ୍ମୀ ଅଳ୍ପକ୍ଷଣ ନୀରବ ରହି ପୁଣି କହିଲେ–ସେ କହୁଥିଲା, ଚଉଠି କର୍ମ ତାଙ୍କର ଦିନ ବାରଟା ସୁଦ୍ଧା ଶେଷ ହୋଇଗଲା । ତା’ପରେ ସେ ଓ ତା’ ସ୍ୱାମୀ ଗୋଟିଏ ଟାକ୍‌ସି କରି ପୁରୀ ଚାଲିଗଲେ । ପୁରୀ ସମୁଦ୍ରକୂଳରେ ଆଗରୁ ହୋଟେଲର ଗୋଟିଏ ରୁମ୍‌ ରିଜର୍ଭ୍‍କରି ରଖିଥିଲେ । ସିଧାସିଧା ଚାଲିଲେ ସେହି ହୋଟେଲକୁ । ଜିନିଷପତ୍ର ହୋଟେଲରେ ରଖି ଜଳଖିଆ କଫି ଖାଇ ବାହାରିଲେ ସମୁଦ୍ରକୂଳକୁ । ଜହ୍ନ ରାତି, ଆକାଶ ଥାଏ ବେଶ୍‌ ପରିଷ୍କାର, ନିର୍ମଳ ଛୋଟ ଛୋଟ ଢେଉ ଆସି କୂଳରେ କୁଳୁକୁଳୁ ରାଗିଣୀ ତୋଳି ପୁଣି ପଛକୁ ଫେରି ଯାଉଥାନ୍ତି । ଗ୍ରୀଷ୍ମ ସନ୍ଧ୍ୟାର ସାଗରଭିଜା ଶୀତଳ ସମୀର ଉଭୟଙ୍କ ଦେହରେ ଶିହରଣ ସୃଷ୍ଟି କରୁଥାଏ । ମୋ ବାନ୍ଧବୀ ତା’ ସ୍ୱାମୀଙ୍କ କୋଳରେ ମୁଣ୍ଡ ରଖି ଶରୀରଟିକୁ ଲମ୍ୱେଇ ଦେଇଥାଏ ସମୁଦ୍ର ବାଲି ଉପରେ । ସ୍ୱାମୀ ତା’ର ପବନରେ ଉଡ଼ି ମୁହଁରେ ପଡ଼ୁଥିବା ସାମ୍ପୁକରା ବାଳଗୁଡ଼ିକୁ ସଜାଡ଼ି ଦେଉ ଦେଉ କହୁଥାନ୍ତି–ପ୍ରେୟସୀ, ବାସ୍ତବିକ ତୁମେ କେଡ଼େ ସୁନ୍ଦର !

ଏହି ସମୟରେ ଦପ୍‌ ଦପ୍‌ ହୋଇ ଲଣ୍ଠନଟି ଲିଭିଗଲା । କିଛିକ୍ଷଣ ଲକ୍ଷ୍ମୀ ନୀରବ ରହିବା ପରେ ହଠାତ୍‌ କାନ୍ଦି ଉଠିଲେ । ସେ କାନ୍ଦର ଲହର ଥିଲା ମନକୁ ବାଧିଲା ଭଳି, ଶରୀର ଉପରେ ଆଘାତ ଆସିଲା ଭଳି ଅତିକରୁଣ ।

ହେମକାନ୍ତ କିଛି ଭାବି ନପାରି ଲକ୍ଷ୍ମୀଙ୍କୁ ଜୋର୍‌ରେ ହଲାଇ ଦେଇ ଡାକିଲେ, ଲକ୍ଷ୍ମୀ, ଲକ୍ଷ୍ମୀ, କ’ଣ ହେଲା ତୁମର ? କଥା କହୁ କହୁ ପୁଣି କାନ୍ଦିଲ କାହିଁକି ? ତୁମ ସାଙ୍ଗ କଥା ପରା କହୁଥିଲ । କୁହ, ତା’ପରେ କ’ଣ ହେଲା ? ତାଙ୍କ ସ୍ୱାମୀ ଅଲରାବାଳକୁ ସଜାଡ଼ି ଦେଉ ଦେଉ କହିଲେ–ପ୍ରେୟସୀ, ବାସ୍ତବିକ ତୁମେ କେଡ଼େ ସୁନ୍ଦର ! ତା’ପରେ ?

ଲକ୍ଷ୍ମୀ ଶୁଣିବା ଅବସ୍ଥାରେ ନଥିଲେ । ତାଙ୍କ କାନ୍ଦ ବେଳକୁ ବେଳ ବଢ଼ୁଥିଲା । ହେମକାନ୍ତ ମନେମନେ ବିରକ୍ତ ହୋଇ କହିଲେ–ଆଚ୍ଛା ପାଗଳୀ ହାବୁଡ଼େ ମଣିଷ ପଡ଼ିଲା ! ଏଇଲେ ହସ, ଗପ; ଅଥଚ ଲଣ୍ଠନ ଲିଭିଗଲେ ଆରମ୍ଭ ହୋଇଗଲା କାନ୍ଦ ! ବଡ଼ ଅଦ୍ଭୁତ ଝିଅ ! ବଡ଼ ଅସହ୍ୟ ପରିସ୍ଥିତି । ହେମଲତା ନିଖୋଜ ହେବାପରେ ଦୁଇବର୍ଷ କଟିଗଲା ବରଂ ସେ ଅବସ୍ଥା ଭଲ ଥିଲା । ଏଭଳି ଗୋଟିଏ ପାଗଳୀକୁ ନେଇ ମୁଁ କି ସଂସାର କରିବି ? ତା’ପରେ ଖଟ ଉପରେ ବସି ଲକ୍ଷ୍ମୀଙ୍କୁ ହଲାଇ ଦେଇ ପୁଣି ପଚାରିଲେ–ଲକ୍ଷ୍ମୀ, ଲକ୍ଷ୍ମୀ କାହିଁକି ତୁମେ କାନ୍ଦୁଛ ? କ’ଣ ତୁମର ହେଉଛି ? ଅନ୍ଧାରଘର ଡର ଲାଗୁଛି ?

କାନ୍ଦି କାନ୍ଦି ଲକ୍ଷ୍ମୀଙ୍କର ସେପରିକି କଣ୍ଠରୁଦ୍ଧ ହୋଇ ଆସୁଥିଲା ।

ହେମକାନ୍ତ ତକିଆ ତଳୁ ଟର୍ଚ୍ଚଟି କାଢ଼ି ଜଳାଇ ଲକ୍ଷ୍ମୀଙ୍କ ମୁହଁକୁ ଚାହିଁଲେ । ଟର୍ଚ୍ଚ ଆଲୁଅରେ ଲକ୍ଷ୍ମୀଙ୍କ କାନ୍ଦ କୁଆଡ଼େ ଉଭେଇ ଗଲା । ସେ ଈଷତ୍ ହସି ଦେଇ କହିଲେ–ଟର୍ଚ୍ଚଟା କାହିଁକି ଜଳାଇଲ ?

ହେମକାନ୍ତ କଣ୍ଠକୁ ଗମ୍ଭୀର କରି କହିଲେ–କୁହ ଲକ୍ଷ୍ମୀ, ତୁମେ କାହିଁକି ବାରମ୍ୱାର କାନ୍ଦୁଛ, କାରଣ କିଛି ନ କହିଲେ ମୁଁ ଏ ଘର ଛାଡ଼ି ଅନ୍ୟତ୍ର ଚାଲିଯିବି । କଥା କହୁ କହୁ କାନ୍ଦୁଛ, ଅଥଚ ଯେତେ ପଚାରିଲେ କିଛି କହୁନ ? ତୁମକୁ କ’ଣ ଅନ୍ଧାରଘର ଭୟ ଲାଗୁଛି ? ଏ ଲଣ୍ଠନଟା କାହିଁକି କେଜାଣି ଲିଭି ଯାଉଛି, କିରାସିନି ଅଧିକ ପଡ଼ି ଯାଇଛିନା କ’ଣ, ଅନ୍ୟ ଲଣ୍ଠନ ଆଣି ଲଗାଇ ରଖିବି । ନଚେତ ଦୀପରେ ଯାହା ଘିଅ ଅଛି, ସେ ପ୍ରାୟ ଆହୁରି ଅନେକ ରାତିଯାଏଁ ଜଳିବ । ତୁମେ କାହିଁକି କାନ୍ଦୁଛ କିଛି କହୁନ, ନିଜେ ଶୋଉନ କିମ୍ୱା ମୋତେ ଶୁଆଇ ଦେଉନ । ଆଜି ଦିନଟାଯାକ ଏପଟ ସେପଟ ହୋଇ ମୋତେ ଭାରି କ୍ଳାନ୍ତ ଲାଗୁଛି । ମୋର ଆଉ ତୁମ ପ୍ରହସନ ଦେଖିବାକୁ ଧୈର୍ଯ୍ୟ ନାହିଁ । ଶୋଇବ ଯଦି ନିଶ୍ଚିନ୍ତରେ ଶୁଅ; ନାହିଁ ଯଦି ତୁମକୁ ଭୟ ଲାଗୁଛି, କିମ୍ୱା ଅନ୍ୟ କିଛି ଅସୁବିଧା ହେଉଛି ପରିଷ୍କାର କୁହ । କିଛି ନକହି କାନଟା ପାଖରେ ଭେରଣ୍ଡା ବିଲୁଆ ଭଳି ଶବ୍ଦ କଲେ ଭାରି ବିରକ୍ତ ଲାଗୁଛି ।

ଲକ୍ଷ୍ମୀ ହସି ହସି କହିଲେ–‘‘ମୁଁ ତ କାନ୍ଦୁନି । କିନ୍ତୁ ତୁମେ କାନ୍ଦିବା କାନ୍ଦିବା କହି ଗର୍ଜନ କରି ମୋ କାନକୁ ତାବଦା କରି ଦେଲଣି । ତୁମର କ’ଣ ହୋଇଛି ମୁଁ କିଛି ବୁଝିପାରୁନି ?’’

କିଛି ସମୟ ଲକ୍ଷ୍ମୀ କ’ଣ ଭାବିଲା ପରେ କହିଲେ–ମୁଁ ତ ମୋ ସାଙ୍ଗ ଚଉଠି ରାତିର ନୂଆ ଅଭିଜ୍ଞତା କଥା କହୁଥିଲି । ତୁମେ ଶୁଣୁ ଶୁଣୁ ବୋଧେ ଘୁମେଇ ପଡ଼ିଥିଲ । ତୁମକୁ କ’ଣ କାନ୍ଦିଲା ଭଳି ଶୁଭିଲା ?

‘‘ମୁଁ ଶୋଇ ନଥିଲି । ଆଖି ମୁଦି ତୁମ କଥା ଶୁଣୁଥିଲି, ହଠାତ୍‌ ଲଣ୍ଠନ ଲିଭି ଘର ଅନ୍ଧାର ହୋଇଗଲା । ତୁମ କାନ୍ଦ ଆରମ୍ଭ ହେଲା । ଏହିଭଳି ଦୁଇବାର ଘଟିଲାଣି ।’’ ହେମକାନ୍ତ ବିରକ୍ତ ସ୍ୱରରେ କହିଲେ ।

 

ଲକ୍ଷ୍ମୀ ଫିକା ହସ ହସି କହିଲେ–ଆଜି ରାତିଟି କିମିତି ଆସିଛି କେଜାଣି, ତୁମେ ମୋତେ କହୁଛ–ମୁଁ କାନ୍ଦୁଛି, ମୁଁ ତୁମକୁ କହୁଛି–ତୁମେ ଘୁମେଇ ପଡ଼ିବାମାତ୍ରକେ ତୁମ କାନକୁ କେହି କାନ୍ଦିଲା ପରି ଶୁଭୁଛି । ରାତି ଅନେକ ହେଲାଣି, ତୁମକୁ କ୍ଳାନ୍ତି ଲାଗିଲାଣି । ମତେ ମଧ୍ୟ ଭାରି ନିଦ ଲାଗିଲାଣି । ଚାଲ ଶୋଇ ପଡ଼ିବା ।

 

ହେମକାନ୍ତ କହିଲେ–ମୁଁ କହି ରଖୁଛି ଲକ୍ଷ୍ମୀ, ଏଥର ତୁମେ ଯଦି କାନ୍ଦିବ, ମୁଁ ଉଠି ଚାଲିଯିବି ।

 

ଲକ୍ଷ୍ମୀ ଆଉ କିଛି ଉତ୍ତର ଦେଲେ ନାହିଁ । ହେମକାନ୍ତ ତାଙ୍କ ଉପରେ ବିରକ୍ତ ହେଉଛନ୍ତି ବୋଲି ସେ ଅନୁଭବ କରୁଥିଲେ । ମାତ୍ର ତାଙ୍କର ଦୋଷ କେଉଁଠି ରହୁଛି, ସେ ଜାଣିପାରୁ ନଥିଲେ ।

 

ହେମକାନ୍ତ ଟର୍ଚ୍ଚ ଲିଭାଇ ତକିଆରେ ମୁଣ୍ଡ ଦେଇ ଉପରକୁ ଚାହିଁ ଶୋଇ ରହିଲେ । ଲକ୍ଷ୍ମୀ ହେମକାନ୍ତଙ୍କ ତକିଆରେ ତାଙ୍କ କାନ ପାଖେ ମୁହଁଟି ଲଗାଇ ଶୋଇଥିଲେ । କିଛି ସମୟ ନୀରବରେ କଟିଗଲା । ହେମକାନ୍ତଙ୍କ କାନପାଖେ ଲକ୍ଷ୍ମୀ ପୁଣି ହଠାତ୍‌ କାନ୍ଦିବା ଆରମ୍ଭ କରିଦେଲେ-। ହେମକାନ୍ତ ଭୀଷଣ ବିରକ୍ତ ହୋଇ ଆଉ କିଛି ନ କହି ଖଟତଳକୁ ଟର୍ଚ୍ଚଟି ଧରି ଓହ୍ଲାଇ ଆସିଲେ-। ଟର୍ଚ୍ଚ ଆଲୁଅରେ ସେହି ଶୋଇବାଘର କୋଣରେ ଥିବା ପୁରୁଣା ସଉପ ମସିଣା ଓ ପୁରୁଣା ତକିଆଟିଏ ଆଣି ତଳେ ପକାଇ ଶୋଇଗଲେ ।

 

ଲକ୍ଷ୍ମୀଙ୍କର କାନ୍ଦ ବନ୍ଦ ହୋଇଗଲା । ହେମକାନ୍ତ ତଳେ ଶୋଇବାର ଦେଖି ତାଙ୍କୁ ଭାରି ଅଭିମାନ ଲାଗିଲା । ତାଙ୍କ ଆଖିକୋଣରେ ଲୁହ ଜମି ଆସିଲା । ତଳ, ଉପର ଓଠ ଧାର ଦୁଇଟି ଥରି ଉଠିଲା । ସେ ଖଟ ଉପରେ ଏକାଏକା ଶୋଇରହି ଦୀର୍ଘ ନିଃଶ୍ୱାସ ପକାଇ ଚାଲିଲେ ।

 

କିଛି ସମୟ ଏହିଭଳି ଭାବରେ କଟିଗଲା । ହେମକାନ୍ତଙ୍କୁ ଲାଗିଲା ଯେପରିକି ଲକ୍ଷ୍ମୀ ଆସି ତାଙ୍କ ପାଖରେ ଶୋଉଛନ୍ତି । ସେ ରାଗ ଓ ଅଭିମାନରେ କୌଣସି କଥା ନକହି ତାଙ୍କ ଆଡ଼କୁ ନଚାହିଁ କାନ୍ଥ ଆଡ଼କୁ ମୁହଁ ବୁଲାଇ କଡ଼ ଲେଉଟାଇ ଶୋଇଲେ । ତାଙ୍କ ଦେହକୁ ଲାଗି ଯେପରିକି ଲକ୍ଷ୍ମୀ ଶୋଇବା ଭଳି ସେ ଅନୁଭବ କଲେ । ହେମକାନ୍ତ ବେଶୀ ସମୟ ମନକୁ ତାଙ୍କର କଠୋର କରି ରଖିପାରିଲେ ନାହିଁ । ବରଫ ତରଳିଲା ଭଳି ହୃଦୟ ତାଙ୍କର ତରଳି ସ୍ନେହ, ପ୍ରେମ, ମମତା ଓ ଆକର୍ଷଣର ସ୍ରୋତ ସୃଷ୍ଟିକଲା । ସେ କଡ଼ ଲେଉଟାଇ ପାଖରେ ଶୋଇଥିବା ସ୍ତ୍ରୀକୁ ନିଜ ଛାତି ଟାଣି ଆଣିଲେ । ତାଙ୍କର ମୁକୁଳିତ କେଶରାଶି ଉପରେ ହାତ ବୁଲାଇ କହିଲେ–‘‘ଅନ୍ଧାରକୁ ତୁମକୁ ଭୟ ଲାଗେ, ନୁହେଁ ? ମୁଁ କାଲି ଗୋଟିଏ ଦାମିକା ଲ୍ୟାମ୍ପ୍‌ ବଜାରରୁ ଆସିଲା ବେଳକୁ କିଣି ଆଣିବି । ରାତିସାରା ଜଳୁଥିବ, ଆଉ ଲିଭିବ ନାହିଁ ।’’ ତା’ପରେ ତାଙ୍କ ଆଖି ପୋଛି ଦେଲେ । ତାଙ୍କୁ ଲାଗିଲା ଯେପରିକି ଲକ୍ଷ୍ମୀର ଆଖିରୁ ଲୁହ ଝରୁଛି । ହେମକାନ୍ତ କହିଲେ–ଛି, ତୁମେ କାନ୍ଦୁଛ ? ମୁଁ ବିରକ୍ତ ହୋଇ ଖଟଉପରୁ ତଳକୁ ଆସି ଶୋଇଲି ବୋଲି ତୁମ ମନରେ କଷ୍ଟ ହେଲା, ନୁହେଁ ? ଦେଖ, ଆମ ଘରେ କିଏ ଆଉ ଅଛି ? ତୁମେ ଓ ମୁଁ । ତୁମ ମନରେ ଯାହା ଦୁଃଖ, ଅଭିମାନ, କିମ୍ୱା କୌଣସି ଜିନିଷ ପ୍ରତି ତୁମର ଇଚ୍ଛା, ତୁମେ ମୋତେ ଖୋଲି କରି ନ କହିଲେ ମୁଁ ଜାଣିବି କେମିତି ? ବାରମ୍ୱାର ଗୋଟିଏ କଥା ପଚାରିଲେ ତୁମେ ତାକୁ ପେଟଭିତରେ ଘୋଡ଼ାଇ ରଖୁଛ, ଅନ୍ତର ଖୋଲି କହୁନ । ଏଥିରେ ମୋତେ ବିରକ୍ତ ଲାଗିବ ନାହିଁ ?

 

ଖଟ ଉପରେ ଶୋଇ ଲକ୍ଷ୍ମୀ ହେମକାନ୍ତଙ୍କର ଏହି କଥାଗୁଡ଼ିକ ଶୁଣୁଥିଲେ । ହେମକାନ୍ତ ତଳେ ଶୋଇ ଅନ୍ଧାରରେ କାହାସହିତ କଥାବାର୍ତ୍ତା ହେଉଛନ୍ତି ଜାଣିବାପାଇଁ ଖଟ ଦାଢ଼କୁ ଆସି ଚାହିଁଲେ । ମାତ୍ର ଘନଅନ୍ଧାରରେ କେବଳ ହେମକାନ୍ତଙ୍କର ଅସ୍ପଷ୍ଟ ଶରୀରଟି ବ୍ୟତୀତ ତାଙ୍କୁ ଆଉ କିଛି ଦେଖାଗଲା ନାହିଁ । ସେ ଖଟ ଉପରେ ତକିଆରେ ମୁହଁ ମାଡ଼ି ଶୋଇ ହେମକାନ୍ତ ଆଉ କ’ଣ ସବୁ କହୁଛନ୍ତି, ଶୁଣିବାପାଇଁ କାନ ଡେରିଲେ ।

 

ହେମକାନ୍ତ କହିଲେ–ଚାଲ ଖଟ ଉପରକୁ ଯିବା ।

 

ତାଙ୍କୁ ଲାଗିଲା, ସ୍ତ୍ରୀଲୋକଟି ଯେପରିକି ସେହି ତଳେ ଶୋଇବାପାଇଁ ଭିଡ଼ି ଧରି ସଙ୍କେତ ଦେଉଛି । ହେମକାନ୍ତ କହିଲେ–ବେଶ୍‌, ଆମେ ଏହି ତଳେ ଶୋଇବା । ଦେଖ, ତୁମର ଯେଉଁଥିରେ ଖୁସି, ମୋର ସେଥିରେ କୌଣସି ଆପତ୍ତି ନାହିଁ । ମୋର କେବଳ ଗୋଟିଏ ଆପତ୍ତି, ତୁମେ ଖୋଲା ମନରେ ହସି, ଖେଳି, ଖାଇପିଇ ଆନନ୍ଦରେ ମୋ ସାଙ୍ଗରେ ଦିନଗୁଡ଼ିକ କଟାଅ । ମନଖୋଲି ଯେ ତା’ ଅନ୍ତରକଥା ନକହି ଲୁଚାଇବାକୁ ଚେଷ୍ଟା କରେ ବା ଗୋଟିଏ କଥା ଭାବୁଥାଏ, ଗୋଟିଏ କଥା କହୁଥାଏ; ଗୋଟିଏ ଆଡ଼େ ଚାହିଁଥାଏ, ଗୋଟିଏ କାମ କରୁଥାଏ, କାମ, କଥା, ଭାବନା, ଚାହାଣି କାହାରି ସହିତ କାହାର ସାମଞ୍ଜସ୍ୟ ନଥାଏ, ସେଭଳି ଲୋକକୁ ଦେଖିଲେ ମତେ ଭାରି ବିରକ୍ତ ଲାଗେ ।

 

ଲକ୍ଷ୍ମୀଙ୍କୁ ହେମକାନ୍ତଙ୍କ କଥାଗୁଡ଼ିକ କ୍ରମେ ଖୁବ୍‌ ମଜା ଲାଗୁଥିଲା । ସେ ଖଟ ଉପରେ ଶୋଇ ମନେମନେ ଭାବୁଥିଲେ–‘‘ଶେଯରେ ଶୋଇବାମାତ୍ରକେ ୟାଙ୍କୁ ନିଦ । ସଙ୍ଗେ ସଙ୍ଗେ ସ୍ୱପ୍ନ ଦେଖିବା ଓ ବିଳିବିଳେଇ ଉଠି ଏଣୁତେଣୁ ଗପିବା ୟାଙ୍କର ଅଭ୍ୟାସ । ଅଥଚ ନିଦରେ ଶୋଇ କ’ଣ ଶୁଭୁଛି କେଜାଣି, ମତେ ଓଲଟି କାନ୍ଦୁଛୁ ବୋଲି କହି ହେଉଛନ୍ତି । ବେଶ୍‌ ରାତିଟିତ ଇମିତି ଗଲାଣି, ଯାଉ, କାଲି କଥାବାର୍ତ୍ତା ।’’

 

ଲକ୍ଷ୍ମୀ ସେହିଭଳି ଆଖିମୁଦି, କାନ ଡେରି ଶୋଇ ରହିଲେ ।

 

ହେମକାନ୍ତ କହିଲେ–ଆହୁରି ତୁମେ ପାଖକୁ ଲାଗିଆସ । ହେମଲତାକୁ ହରାଇ ମୁଁ ତୁମକୁ ପାଇଛି । ତୁମେ ମୋ ହୃଦୟର ହେମଲତା । ମୁଁ ତୁମର ସ୍ୱାମୀ ନୁହେଁ, ସାଥୀ । ତୁମେ ଖୁବ୍‌ ସୁନ୍ଦର, ଖୁବ୍‌ ସରଳ । ମୋର ଖାଇବା, ଭଲମନ୍ଦ, ଘରର ହାନିଲାଭ ସବୁ ଏଣିକି ତୁମ ଉପରେ । ମାମୁ ଝିଅ ଭଉଣୀ, ପିଇସୀ ଝିଅ ଭଉଣୀ ଦୁଇଟି ଅଛନ୍ତି । ସେମାନେ ଦିନେ ଓଳିଏ ଭିତରେ ତାଙ୍କ ଘରକୁ ଚାଲିଯିବେ । ଘର ଖାଲି ହୋଇଯିବ । କେବଳ ତୁମେ ଓ ମୁଁ ଦୁଇଜଣ ରହିବା, ଚଳିବା । ତେଣୁ ମୋ ସୁନାଟି ପରା, ତୁମେ ମନରେ ଯାହା ଯେତେବେଳେ ଭାବିବ, ମୋତେ ସଙ୍ଗେ ସଙ୍ଗେ କହିଦେବ ।

 

ହେମକାନ୍ତଙ୍କୁ ଯେପରି ଶୁଭିଲା–ଲକ୍ଷ୍ମୀ କହୁଛନ୍ତି, ତୁମେ କ୍ଳାନ୍ତ, ରାତି ଅନେକ ହେଲାଣି-। ତୁମେ ଶୋଇପଡ଼ ।

 

ହେମକାନ୍ତଙ୍କୁ ଲକ୍ଷ୍ମୀଙ୍କ ଶରୀରର ଉଷ୍ମ ସ୍ପର୍ଶ ତାଙ୍କର ସର୍ବାଙ୍ଗରେ ଅନୁଭବ କରୁଥିଲା ଭଳି ଜଣାଗଲା । ସେ କିଛି ଆଉ କହି ପାରିଲେ ନାହିଁ । କିଛି ସମୟ ପରେ ଗୋଟିଏ ନୀରବ, ନିସ୍ତବ୍ଧ ପରିବେଶ ସୃଷ୍ଟି ହେଲା । ଲକ୍ଷ୍ମୀ ଖଟ ଉପରେ ଶୋଇ ଭାବୁଥିଲେ–ତାଙ୍କ ସାଙ୍ଗ କହୁଥିଲା, ସେମାନେ ସମୁଦ୍ରକୂଳରୁ ରାତି ଦଶଟାରେ ହୋଟେଲକୁ ଫେରି ଆସିଲେ । କୁକୁଡ଼ା ରୋଷ୍ଟ୍, ପଲାଉ, ଡାଲି, ତରକାରୀ ଖାଇବାପାଇଁ ବରାଦ କରିଥିଲେ । ସେ ଓ ତା’ ସ୍ୱାମୀ ତାଙ୍କ ବଖରାର ଟେବୁଲ ପାଖରେ ପାଖକୁ ପାଖ ବସି ଖାଇଲେ । ତା’ପରେ ଟିକିଏ ବିଶ୍ରାମ ନେଲେ । ଘରକୁ ଲାଗିଥିବା ବାରଣ୍ଡା ଉପରେ ଗଦି ତକିଆ ନେଇ ପକାଇ ଶୋଇଲେ । ରାତିଟିଯାକ ଜ୍ୟୋତ୍ସ୍ନାବିଧୌତ ସାଗରର ଦିଗନ୍ତ ନୀଳଜଳରାଶିର ଶୋଭା ଉପଭୋଗ କଲେ । ଆଃ ! ସେ ଚଉଠି ରାତିର ଉପଭୋଗ, ଅନୁଭୂତି, ଆଉ ଆଜିର ଅନୁଭୂତି ! ସେ ଆଉ ଭାବି ପାରିଲେ ନାହିଁ । ଆଖିରୁ ଲୋତକର ସ୍ରୋତ ବହି ଚାଲିଲା । କେତେବେଳେ ତାଙ୍କୁ ନିଦ ଲାଗିଛି ଜଣା ନାହିଁ । ଯେତେବେଳେ ଦୁଆରେ ବାହାରୁ ଖଟ୍‍ଖଟ୍ ଶବ୍ଦ ଶୁଣିଲେ, ହଠାତ ତାଙ୍କର ନିଦ ଭାଙ୍ଗିଗଲା । ତଳକୁ ଚାହିଁ ଦେଖିଲେ, ହେମକାନ୍ତ ନିଶ୍ଚିନ୍ତରେ ଶୋଇଛନ୍ତି । ସେ ଦୁଆର ଖୋଲି ବାହାରକୁ ଆସିଲେ । ସେତେବେଳକୁ ଦିନ ଅନେକ ହୋଇ ଯାଇଥିଲା ।

 

–ତିନି–

 

ସକାଳୁ ଶୋଇବା ଦୁଆର ମେଲାହେବା ଦେଖି ହେମକାନ୍ତ ତଳୁ ଉଠିଯାଇ ଖଟ ଉପରେ ଶୋଇଲେ । ସେତେବେଳକୁ ଆଖିରୁ ତାଙ୍କର ନିଦ ଛାଡ଼ି ନଥାଏ । ଆଖି ଦୁଇଟି ଗତରାତ୍ରି ଅନିଦ୍ରା ଫଳରେ ପୋଡ଼ୁ ଥାଏ । ଏଣେ ଦିନ ବେଳକୁ ବେଳ ଅଧିକ ହେବା ଫଳରେ ନିଦ ଲାଗୁ ନଥାଏ । ମାତ୍ର ଆଖି ଖୋଲିବାକୁ ଇଚ୍ଛା ହେଉ ନଥାଏ । ସେ ଖଟ ଉପରେ ଚଦରଟିଏ ଘୋଡ଼ି ହୋଇ ଆଖି ମୁଦି ପଡ଼ିଥାନ୍ତି । ଏହି ସମୟରେ ତାଙ୍କ ପିଉସୀ ଝିଅ ଭଉଣୀ କାନ୍ତି ଆସି ଡାକିଲା–ଭାଇ, ଭାଇ, ଉଠ, ଚା’ ଖାଇବ ।

 

ହେମକାନ୍ତ ଉଠି ଖଟ ଉପରେ ବସିଲେ । କହିଲେ, କିଏ କାନ୍ତି ? କାନ୍ତି କହିଲେ–ହଁ ।

 

‘‘ଆ ବସ ।’’ ରାତିରେ ପାନ ଓ ମସଲା ରହିଥିବା ଟୁଲ୍‌ଟି ଦେଖାଇ ଦେଲେ ହେମକାନ୍ତ-

 

କାନ୍ତି ବସିଲେ ।

 

ହେମକାନ୍ତ କହିଲେ–କାଲି ରାତିଟିଯାକ ମୁଁ ଶୋଇନି ।

 

କାନ୍ତି କହିଲେ–ଚଉଠି ରାତି ସମସ୍ତଙ୍କର ସେମିତି ଗପ୍‍ସପ୍‍ରେ ପାହିଯାଏ । ହେମକାନ୍ତ ଟିକିଏ ନୀରବ ରହି କହିଲେ–କାଲି ରାତିରେ କେଜାଣି କାହିଁକି ଧପ୍‌ଧପ୍‌ ହୋଇ ଲଣ୍ଠନଟି ଲିଭିଗଲା । ପୁଣି ଥରେ ଲଗାଇଲି । ପୁଣି ଲିଭିଗଲା ।

‘‘କିରାସିନି ପୂରା ରହିଥିଲାନା କ’ଣ ? ଆଜି ଟିକିଏ କମ୍‌ କରି ଲଣ୍ଠନରେ କିରାସିନି ପକାଇଲେ ହେବ–’’ କାନ୍ତି ସହଜଭାବେ ଉତ୍ତର ଦେଲା ।

‘‘ଲଣ୍ଠନଟି ଲିଭିଯିବାମାତ୍ରେ ଲକ୍ଷ୍ମୀ ଏତେ ଜୋରରେ କାନ୍ଦି ଉଠୁଥାଏ ଯେ ମୋ କାନ ତାବଦା ହୋଇ ଯାଉଥାଏ । ମୁଁ ଆଉ ଶୋଇବି କ’ଣ ?’’ ହେମକାନ୍ତ ଚଦରଟିକୁ ଦେହରୁ କାଢ଼ି ଅଣ୍ଟାପାଖରେ ଗୁଡ଼ାଇ ଦେଇ ଆଉ ଟିକିଏ ଖଟ ଦାଢ଼କୁ ଘୁଞ୍ଚି ଆସିଲେ ।

‘‘ପିଲା ଲୋକ । ନୂଆ ହୋଇ ଏଘରକୁ ଆସିଛି । ବାପ, ବୋଉ, ଭାଇ, ଭଉଣୀଙ୍କ ପାଖରେ ଗହଳ ଭିତରେ ଚଳୁଥିଲା । ସେମିତି ବିନାକେତେ ଡର ଭୟ ତାକୁ ଲାଗିବ । ତା’ପରେ ଆସ୍ତେ ଆସ୍ତେ ଚଳିଯିବ ଯେ ?’’ କାନ୍ତି କହିଲେ ।

‘‘ଅବଶ୍ୟ ରାତି ଶେଷ ପହର ବେଳକୁ ନିଶ୍ଚିନ୍ତରେ ଶୋଇଲା । କିନ୍ତୁ ରାତି ଗୋଟେ ଦୁଇଟା ପର୍ଯ୍ୟନ୍ତ ନା ମୁଁ ଶୋଇ ପାରିଲି, ନା ସେ ଶୋଇ ପାରିଲା । କାହିଁକି କାନ୍ଦୁଛ କୁହ, ଯେତେ ପଚାରିଲେ ମଧ୍ୟ କୌଣସି ଉତ୍ତର ନାହିଁ । ବରଂ କାନ୍ଦ ଅଧିକରୁ ଅଧିକ ବଢ଼ୁଥାଏ’’ ହେମକାନ୍ତ କହି ବିସ୍ମିତ ନୟନରେ କାନ୍ତିଙ୍କ ଆଡ଼କୁ ଚାହିଁ ରହିଲେ ।

‘‘ଘରକଥା ମନେ ପଡ଼ୁଥିବ । ନୂଆବୋହୂ, ଧରି ଆଣିଲା ଶାରି । ତେଣୁ ଦିନାକେତେ ପଞ୍ଜୁରୀରେ ରହିବା ନା ଶିଖିବା ପର୍ଯ୍ୟନ୍ତ କେତେ ଫଡ଼ଫଡ଼, ଧଡ଼ଧଡ଼, ହେବ, କେତେ ପ୍ରକାର ସ୍ୱର କରିବ । କିଛିଦିନ ରହି ଚଳିଯିବା ପରେ ପୁଣି ସେ ତୁମ ବାଟରେ ପଡ଼ିଯିବ, ତୁମ କଥା ଶୁଣିବ, ମାନିବ, ଉତ୍ତର ଦେବ ।’’

‘‘ମୁଁ କ’ଣ କହୁଥିଲି କି ?’’ ହେମକାନ୍ତ କ’ଣ ଭାବିଲା ପରି କାନ୍ତିଙ୍କ ମୁହଁକୁ ଚାହିଁ ରହିଲେ-

କାନ୍ତି କହିଲେ, କ’ଣ ଆଉ ଭାବୁଚ ଯେ ? ମୁଁ ଯାହା ଦେଖୁଛି, ହେମଲତାର ଯେମିତି ମୁହଁ, ଯେମିତି ଚାଲି, ଯେମିତି କଥାବାର୍ତ୍ତା; ଲକ୍ଷ୍ମୀର ଅବିକଳ ସେମିତି ମୁହଁ, ସେମିତି ଚାଲି, ସେମିତି କଥାବାର୍ତ୍ତା । ମୁଁ ତ ପ୍ରଥମେ ଆଖିକୁ ବିଶ୍ୱାସ କରି ପାରୁ ନଥିଲି, ଏ ହେମଲତା ନା ଲକ୍ଷ୍ମୀ ? ମୁଁ ମନେମନେ ଭାବୁଥିଲି–ଭାଇ, ହେମଲତା ନୂଆବୋଉଙ୍କୁ ପୁଣି ଥରେ କ’ଣ ବାହା ହେଲେ ?

ହେମକାନ୍ତ କହିଲେ–ମୁଁ ସେ କଥା କହୁନାହିଁ । ମୁଁ ଭାବୁଛି, ତୁ ଆଉ ବାସନ୍ତୀ ତୁମ ଘରକୁ ଚାଲିଯିବା ପରେ ଲକ୍ଷ୍ମୀ ଏକୁଟିଆ କିପରି ଏ ଘରେ ଚଳିବ ? ତାଙ୍କ ପରିବାର ଛାଡ଼ି ଶାଶୁ ତ ଏଠି ଆସି ବେଶିଦିନ ରହିପାରିବେ ନାହିଁ । ସାନ ଭଉଣୀଟିକୁ ନେଇ ଆସିଲେ ଦୁଇ ଭଉଣୀଯାକ ଏଠାରେ ଚଳନ୍ତେ । ସାନ ଭଉଣୀଟି ହାଇସ୍କୁଲ୍‍ରେ ପାଠ ପଢ଼ୁଛି । ସେ କ’ଣ ପଢ଼ା ଛାଡ଼ି ଆସି ପାରିବ ?

‘‘ହଁ, ଏ ଗୋଟିଏ ସମସ୍ୟା ।’’ କାନ୍ତି ଦୀର୍ଘ ନିଃଶ୍ୱାସ ପକାଇ କହିଲେ । ହେମକାନ୍ତ କିଛି ସମୟ ଭାବିଲା ପରି କହିଲେ–ବଡ଼ଅପାଙ୍କୁ ଘେନି ଆସିଲେ କେମିତି ହୁଅନ୍ତା ?

କାନ୍ତି ପଚାରିଲେ–କ’ଣ ମୋ ବୋଉ କଥା କହୁଛ ?

ହେମକାନ୍ତ କହିଲେ–ହଁ ।

କାନ୍ତି କିଛି ସମୟ କ’ଣ ଭାବିଲେ କେଜାଣି, କହିଲେ–ଭଲ ହୁଅନ୍ତା ।

 

ହେମକାନ୍ତ କହିଲେ–‘‘ଖବର ଦେଲେ ଅପା ଆସିବ ତ ?’’ କିଛି ସମୟ କାନ୍ଥଆଡ଼କୁ ଚାହିଁ କହିଲେ–ବାହାଘର ପୂର୍ବଦିନ ବଡ଼ଅପା ଆମ ଘରକୁ ଆସିଥିଲେ । ମୁଁ ପାଲିଙ୍କିରେ ବସି ବାହା ହେବାକୁ ଯିବା ପର୍ଯ୍ୟନ୍ତ ଆମ ଘରେ ଥିଲେ । ବାହାଘର ପରଦିନ ଆସି ଶୁଣିଲି, ବଡ଼ଅପା ଗାଁକୁ ଚାଲି ଯାଇଛନ୍ତି । କହିଯାଇଛନ୍ତି–ସାତମଙ୍ଗଳା ଦିନ ଆସିବେ ।

 

‘‘ବୋଉ କହିଛି ଯେତେବେଳେ, ସାତମଙ୍ଗଳା ଦିନ ସକାଳୁ ନିଶ୍ଚୟ ଆସି ପହଞ୍ଚିବ । ତୁମେ ବ୍ୟସ୍ତ ହୁଅ ନାହିଁ । ତା’ପରେ ବୋଉ ଆମ ଘରେ ଭାରି ହଇରାଣ ହେଉଛି । ବୋହୂଟିଏ କରି ଆଣିଲା ଘରକାମରୁ ଟିକିଏ ନିଷ୍କୃତି ମିଳିବ ବୋଲି ଯେ, ବୋହୂତ ସାହେବାଣୀ । ଉଠିବେ ଦିନ ସାତଟା ବେଳକୁ । ଦାନ୍ତ ଘଷି, ଗାଧୋଇ ଆସୁ ଆସୁ ସାଢ଼େ ଆଠ । ବୋଉର ମଧ୍ୟ କହିବାକୁ ଯୁ ନାହିଁ । ମୁହେଁ ମୁହେଁ ଜବାବ । ସାନଭାଇ ତ ଆମର ଧର୍ମରାଜ ଯୁଧିଷ୍ଠିର । ପାଠ ତ ପଢ଼ିଲାନି । କ’ଣ ସଙ୍ଗୀତ ଶିକ୍ଷକ, କଳାକାର ହୋଇଛି । ତାଙ୍କ ଡ୍ରେସ୍, ତାଙ୍କ ଚାଲି, ତାଙ୍କ କଥାବାର୍ତ୍ତା ଶୁଣିଲେ ତୁମେ ଭାବିବ ଯେ, ସତେଅବା ତାଙ୍କର ସଙ୍ଗୀତରେ ଏ ପୃଥିବୀରେ ବିଭିନ୍ନ ପ୍ରକାର ଫୁଲ ଫୁଟୁଛି, ବର୍ଷା ହେଉଛି, ଫସଲ ଫଳୁଛି, ଭ୍ରମର, ପ୍ରଜାପତି, କୋଇଲି, ଶୁଆ, ଶାରି, ସୁମଧୁର ସ୍ୱରରେ ଗୀତ ଗାଉଛନ୍ତି । ଏ ଧରଣୀ ଶସ୍ୟଶାମଳା ହୋଇଛି । ଆଉ ଅଳ୍ପଦିନ ପରେ ଏ ଧରା ସ୍ୱର୍ଗର ନନ୍ଦନକାନନ ପାଲଟିଯିବ । ଯଦି ସାନଭାଇ ଆମର ଗୀତ ବୋଲୁ ନଥାନ୍ତା, ତେବେ ଏ ପୃଥିବୀ କେଉଁ କାଳରୁ ମରୁଭୂମି ପାଲଟି ଯାଆନ୍ତାଣି । ସେ କହେ, ଏ ପୃଥିବୀରେ ସେ ସୁନ୍ଦର, ତା’ କଣ୍ଠ ସୁନ୍ଦର ତା’ ସ୍ତ୍ରୀ ସୁନ୍ଦର । ପୃଥିବୀଯାକର ଲାବଣ୍ୟ (….) ତା’ ସ୍ତ୍ରୀ ଆମଘରକୁ ଆସିଛି ।

 

ହେମକାନ୍ତ କାନ୍ତିଙ୍କ କଥା ଶୁଣି ନ ହସି ରହିପାରିଲେ ନାହିଁ ।

Unknown

 

ସାନଭାଇ ତ ସବୁବେଳେ ସ୍ତ୍ରୀଙ୍କୁ ସଜାଇବାରେ ଲାଗିଲେ । ତାଙ୍କ ରୂପ, ଗୁଣ, ଚାଲିକୁ ପ୍ରଶଂସା କଲେ । ସ୍ତ୍ରୀଙ୍କ ଦେହରେ ଧୂଳି କି ମଇଳା ଟିକିଏ ଲାଗିଲେ ତାକୁ ତିନିଥର ଝାଡ଼ି, ଚାରିଥର ଫୁଙ୍କି ସଫା କଲେ । ତେଣୁ ସେ କାହିଁକି ଆଉ ଶାଶୁକୁ ଶାଶୁ ବୋଲି ମାନିବ ? ସ୍ୱାମୀକୁ ସ୍ୱାମୀ ବୋଲି ଖାତିରି କରିବ ? ସାନଭାଇ ସ୍ତ୍ରୀ ଇଲେ ଘରର ଶାଶୁ, ମୁରବି, ମାଲିକିଣୀ ସବୁକିଛି । ଶାଶୁ ଚାକରାଣୀ । ସ୍ୱାମୀ ସେବାକାରୀ ।

 

ହେମକାନ୍ତ ପଚାରିଲେ–ବଡ଼ ଅପା ଆସିଲେ ମାସେ ଦୁଇ ମାସ ରହିବେ ତ ?

 

ନ ରହିବ କାହିଁକି ? ସାତମଙ୍ଗଳା ଦିନ ସକାଳ ପର୍ଯ୍ୟନ୍ତ ତ ମୁଁ ଅଛି । ତାକୁ ଏଠାରେ ରହିବାକୁ ମୁଁ ବାଧ୍ୟ କରିବି । ଘରେ ଦିନରାତି ଅଶାନ୍ତିରେ ରହିବା ଅପେକ୍ଷା, ଏଇଠି ବରଂ ଦୁଇ ତିନି ମାସ ଶାନ୍ତିରେ ରହିବ । ସାନଭାଇ, ତାଙ୍କ ସୁନ୍ଦରୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ କଥା ବୁଝୁଥାନ୍ତୁ । ସକାଳୁ ଉଠି ଗାଈ ଦୁହିଁବ, ଘରଦ୍ୱାର ଓଳାଇବ, କୂଅରୁ ପାଣି ଆଣି ରୋଷେଇ କରି ଦେବ, ବିଲବାଡ଼ି କଥା ବୁଝିବ । ସକାଳୁ ରାତିରେ ଶେଯକୁ ଯିବା ପର୍ଯ୍ୟନ୍ତ ଖଟି ଖଟି ମରୁଥିବ ବୋଉ; ଅଥଚ ସାନଭାଇ ତାଙ୍କ ସ୍ତ୍ରୀଙ୍କର ବୋଉ ଉପରେ ଯେଉଁ ହାକିମି !

 

ହେମକାନ୍ତ ପଚାରିଲେ–କେତେ ଟଙ୍କା ସେ ମାସକୁ ରୋଜଗାର କରୁଛି ?

 

କାନ୍ତି କହିଲେ–କେଜାଣି । ସାନଭାଇ ଆଉ ତା’ ସ୍ତ୍ରୀ ଜାଣିଥିବେ । ମାତ୍ର ବୋଉ ହାତକୁ ସେମାନେ କାଣି କଉଡ଼ିଟିଏ ସୁଦ୍ଧା ଦିଅନ୍ତି ନାହିଁ । ଓଲଟି ବୋଉ ଶାଗରୁ ମାଛରୁ ଏପଟ ସେପଟ କରି ଯେଉଁ ଦୁଇ ପଇସା ହାତରେ ରଖିଥାଏ, ତାକୁ ବେଳ ପଡ଼ିଲେ ନେଇ ଯାଆନ୍ତି ।

 

କିଛି ସମୟ ରହି ପୁଣି କହିଲେ–ତୁମେ କହୁନ ଭାଇ, ହେଇ ହେଇ ଟଙ୍କା ଦୁଇ ତିନି ଶହ ମାସକୁ ରୋଜଗାର କରୁଥିବ । ତା’ର ଚୁଡ଼ିଦାର ପଞ୍ଜାବି, ହାତୀଖୋଜିଆ ପେଣ୍ଟ, ସେଥିରେ ଠିପିରେ ମରା ସେଣ୍ଟ୍‌, ମାଇପର ଶାଢ଼ି, ବ୍ଲାଉଜ୍, ସାୟା, ସ୍ନୋ, ପାଉଡ଼ର, ଅତର, ସାମ୍ପୋ, ସାବୁନ, ହାଇହିଲ୍ ଜୋତାରେ ରଙ୍ଗ ଦେବା ଓ ମରାମତି କରିବାକୁ ତ ସେ ଟଙ୍କା ନିଅଣ୍ଟ ।

 

ହେମକାନ୍ତ ହସ ସମ୍ଭାଳି ପାରିଲେ ନାହିଁ । ସେ ମୁହଁରେ ଚାଦର ଦେଇ କହିଲେ–ହଉ ତୁ ଗଲୁ । ମୋପାଇଁ ପାଣି, ପେଷ୍ଟ୍‌ ଆଉ ବ୍ରସ୍‍ଟା ଆଣି ଦେବୁ । ଅନେକ ଦିନ ହେଲାଣି । ମୁଁ ଦାନ୍ତ ଘଷେ ।

 

କାନ୍ତି ଘରୁ ବାହାରକୁ ଯାଉ ଯାଉ ପଚାରିଲେ–ଚା’ ଖାଇବ ନା ଲେମ୍ୱୁ, ଦହି, ଚିନି ଦେଇ ସରବତ ପିଇବ ?

 

‘‘ନାଇଁ, ଆଗ ସରବତ ଟିକିଏ ଦେ । ତା’ପରେ ଚା’ ଖାଇ ଗାଧୋଇବାକୁ ଯିବି । ଲକ୍ଷ୍ମୀକୁ ଏ ଘରକୁ ପଠାଇଦେବୁ । ସେ ସଉପଟା ତଳୁ ଉଠାଇ, ଘର ଝାଟେଇ ଦେଇଯିବ ।’’ ହେମକାନ୍ତ କହୁ କହୁ ଖଟର ତଳକୁ ଆସି ଦର୍ପଣରେ ଚାହିଁ ମୁଣ୍ଡ କୁଣ୍ଡେଇବାରେ ଲାଗିଲେ ।

 

ଅଳ୍ପ ସମୟ ପରେ ଲକ୍ଷ୍ମୀ ସେ ଘରକୁ ପଶି ଆସିଲେ । ଗାଧୋଇ ଆସି ମୁଣ୍ଡ କୁଣ୍ଡାଇ ବାଳଗୁଡ଼ିକ କେବଳ ଗୋଟିଏ ସାଦା ଗଣ୍ଠି ପକାଇଥିଲେ । ସେହି ଗଣ୍ଠି ଦେହରେ କାନ୍ତି ଗୋଟିଏ ନାଲି ଗୋଲାପଫୁଲ ଖୋସି ଦେଇଥିଲେ । ମୁହଁରେ ଲଗାଇଥିଲେ ପାଉଡ଼ର । ଆଖିରେ କଜ୍ଜ୍ୱଳ ଓ କପାଳରେ ଛୋଟ ନାଲି ସିନ୍ଦୂର ବିନ୍ଦୁଟି ଲକ୍ଷ୍ମୀଙ୍କ ମୁହଁକୁ ଖୁବ୍‌ ମାନୁଥିଲା ଏବଂ ଖୁବ୍‌ ସୁନ୍ଦର ଦେଖାଯାଉଥିଲା । ହାତରେ ଧରିଥିବା ଖଜୁରି ଝାଡ଼ୁଟି ତଳେ ପକାଇ ଦେଇ ମସିଣାଟି ଗୁଡ଼ାଇ ସେ ଘରକୋଣରେ ରଖିଦେଲେ । ତକିଆଟି ନେଇ ରଖିବାକୁ ଯାଉଛନ୍ତି, ହେମକାନ୍ତ ଦର୍ପଣର କାଚ ଭିତରେ ଲକ୍ଷ୍ମୀଙ୍କର ରୂପ ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ହଠାତ୍‌ ବୁଲି ପଡ଼ି ତାଙ୍କର ହାତଟିକୁ ଧରି ପକାଇ କହିଲେ–‘‘ଲକ୍ଷ୍ମୀ’’ !

 

ଲକ୍ଷ୍ମୀ ଲଜ୍ଜାରେ ମୁହଁକୁ ତଳକୁ କରି ଈଷତ୍‌ ହସି କହିଲେ–‘‘ଛାଡ଼ । କିଏ ଘର ଭିତରକୁ କାଳେ ପଶି ଆସିବ ।’’ ମୁଣ୍ଡରୁ ତାଙ୍କର ଓଢ଼ଣିଟି ଖସିଗଲା । ହେମକାନ୍ତଙ୍କ ଲୋଭିଲା ଦୃଷ୍ଟି ଲକ୍ଷ୍ମୀଙ୍କ କଳା ମଣ୍ଡାଫୁଲ ଭଳି କେଶର ଗଣ୍ଠିଟି ଉପରେ ପଡ଼ିଲା । ଆବେଗରେ ସେ ଲକ୍ଷ୍ମୀଙ୍କୁ ନିଜ ଛାତି ଆଡ଼କୁ ଟାଣି ଆଣୁଥିଲେ, ଏହି ସମୟରେ ହଠାତ୍‌ କାନ୍ଥରେ ଲାଗିଥିବା ବଡ଼ ଦର୍ପଣଟା ତଳେ ଖସିପଡ଼ିଲା । ସେ ଶବ୍ଦରେ ଲକ୍ଷ୍ମୀ ଏବଂ ହେମକାନ୍ତ ଚମକି ପଡ଼ିଲେ । କାନ୍ତି ଓ ବାସନ୍ତୀ ମଧ୍ୟ ‘‘କ’ଣ ହେଲା ଭାଇ ?’’ କହି ଦୌଡ଼ି ଆସିଲେ । ଦେଖିଲେ, ଦର୍ପଣଟା ଭାଙ୍ଗି ଘରସାରା କାଚ ପଡ଼ିଛି । କାନ୍ତି, ବାସନ୍ତୀ ଓ ଲକ୍ଷ୍ମୀ ତଳେ ବସି କାଚଗୁଡ଼ିକ ଗୋଟାଇ ଏକାଠି କରିବାରେ ଲାଗିଲେ । କାନ୍ତି କହିଲେ–ଭଲ କରି କାଚ ନ ଗୋଟାଇ ଘର ସଫା ନ କଲେ କାହା ଗୋଡ଼ରେ କାଚ ପଶିବ ।

 

ବାସନ୍ତୀ ପଚାରିଲେ–ଏଡ଼େ ବଡ଼ ଦର୍ପଣଟା, କାନ୍ଥରେ ଲାଗିଥିଲା । ତଳେ ପଡ଼ିଲା କେମିତି ?

 

ହେମକାନ୍ତ ସହଜ ଗଳାରେ କହିଲେ–ପ୍ରାୟ ତିନିବର୍ଷ ହେଲା ଦର୍ପଣଟା କାନ୍ଥରେ ଲାଗିଥିଲା । ହେମଲତା ତାକୁ ଦୁର୍ଗାପୂଜାବେଳେ ଚନ୍ଦନବଜାରରୁ କିଣି ଆଣିଥିଲା । ଦର୍ପଣ ଉପରେ ଲାଗିଥିବା ସୂତୁଲି ଛିଣ୍ଡି ଯାଇଥିବ କିମ୍ୱା ତଳ କଣ୍ଟା ଦୁଇଟା ଖସି ପଡ଼ିଥିବ ।

 

ହେମକାନ୍ତଙ୍କ ଆଖି ଆଗରେ ନାଚିଗଲା ହେମଲତାଙ୍କ ମୁହଁଟି । ମହାସପ୍ତମୀ ଦିନଠାରୁ ଚନ୍ଦନବଜାର ଦଶହରା ପଡ଼ିଆରେ ବଡ଼ବଡ଼ ଦୋକାନ ବସେ । ବିଭିନ୍ନ ଗ୍ରାମରୁ ବହୁଲୋକ ଦେବୀ ଦେଖିବାକୁ ଆସନ୍ତି । ବିଭିନ୍ନ ବ୍ୟବସାୟୀଙ୍କର ଭଲ କାରବାର ମଧ୍ୟ ହୁଏ । ଦଶହରା ଦିନ ହେମଲତା ତାଙ୍କ ସହିତ ଦେବୀ ଦେଖିବାକୁ ଯାଇଥିଲେ । ଦୁହେଁ ଏକାଠି ବସି ହୋଟେଲରେ ଖାଇଲେ । ହେମଲତା ନାଲିକାଚ ପିନ୍ଧିଲେ । ଠାକୁର ପୂଜାପାଇଁ ପଥୁରି ବାସନ, ବିଭିନ୍ନ ପ୍ରକାର ପୁରାଣ, ଉପନ୍ୟାସ, ଗପବହି କିଣିଲେ । ତାଙ୍କର ଆଖି ପଡ଼ିଲା ଦର୍ପଣ ଆଉ ଫଟୋ ଦୋକାନ ଉପରେ । ସେ ନିଜେ ଏହି ବଡ଼ ଦର୍ପଣଟି ପସନ୍ଦ କରି କିଣିଥିଲେ । କେତେଗୁଡ଼ିଏ ବଡ଼ବଡ଼ ଫଟୋ ଘର ସଜାଇବା ପାଇଁ ଆଣିଥିଲେ । ସେହି ଫଟୋଗୁଡ଼ିକ ଭିତରେ ରାଧାକୃଷ୍ଣଙ୍କ ମୂର୍ତ୍ତି, ଶିବପାର୍ବତୀଙ୍କ ମୂର୍ତ୍ତି, ରାମସୀତାଙ୍କ ମୂର୍ତ୍ତି, ଶିବଙ୍କ ମୂର୍ତ୍ତି ପାଖରେ ପାର୍ବତୀଙ୍କ ତପସ୍ୟା ପ୍ରଭୃତି ଥିଲା-। ଫଟୋଗୁଡ଼ିକ ଏବେ ମଧ୍ୟ ଶୋଇବା ଘରେ ଟଙ୍କା ହୋଇଛି । ଦର୍ପଣ ଓ ଫଟୋଗୁଡ଼ିକ ଧରି ସାଙ୍ଗରେ ଘରକୁ ଫେରିଲାବେଳେ ହେମଲତାଙ୍କ ମନରେ ଯେଉଁ ଆଗ୍ରହ, ଯେଉଁ ଉତ୍ସାହ, ତାହା ଆଜି ମଧ୍ୟ ହେମକାନ୍ତଙ୍କ ଆଖିରୁ ଲିଭିନି । ହେମକାନ୍ତ ଥରେ ଫଟୋଗୁଡ଼ିକ ଉପରେ ଓ ଥରେ ଭଙ୍ଗା ଦର୍ପଣଟି ଉପରେ ଆଖି ପକାଇଲେ । ଦୀର୍ଘ ନିଃଶ୍ୱାସଟିଏ ପକାଇ ବାହାରକୁ ଆସି ଦାନ୍ତ ଘଷି ବସିଲେ ।

 

ଲକ୍ଷ୍ମୀ ଝାଡ଼ୁଟି ଧରି ଘର ଓଳାଇବାକୁ ଯାଉଥିଲେ । କାନ୍ତି କହିଲେ–ଦେ, ମୋତେ ଝାଡ଼ୁଟା ଦେ, ମୁଁ ଘର ସଫା କରି ଦେଉଛି । ତୁ ବାସନ୍ତୀ ସାଙ୍ଗରେ ଯାଆ । ସେ ସର୍ବତ୍‍ କରିଦେବ । ତୁ ଆଣି ଭାଇଙ୍କୁ ପିଇବାକୁ ଦେବୁ ।

 

ଲକ୍ଷ୍ମୀ ଓ ବାସନ୍ତୀ ରୋଷେଇଘରକୁ ଚାଲିଗଲେ । କାନ୍ତି ଘରଟିକୁ ଭଲ ଭାବରେ ଦୁଇ ତିନି ଥର ଓଳାଇ କାଚଗୁଣ୍ଡଗୁଡ଼ିକ ଓ ଭଙ୍ଗା ଦର୍ପଣଟିକୁ ନେଇ ବାହାରେ ପକାଇ ଦେଇ ଆସିଲେ ।

 

ହେମକାନ୍ତ ଦାନ୍ତ ଘଷିସାରି ଶୋଇବାଘର ଭିତରକୁ ଆସି ଖଟ ଉପରେ ଶୋଇ ଫଟୋଗୁଡ଼ିକ ଉପରେ ଆଖି ବୁଲାଉଥିଲେ । ଏହି ସମୟରେ ଲକ୍ଷ୍ମୀ ସର୍ବତ୍‍ ଗ୍ଲାସ୍‍ଟି ଧରି ଖଟ ପାଖରେ ଠିଆ ହୋଇ କହିଲେ–ସର୍ବତ୍‍ ନିଅ ।

 

ହେମକାନ୍ତ ସର୍ବତ୍‍ ଗ୍ଲାସ୍‍ଟି ଲକ୍ଷ୍ମୀଙ୍କ ହାତରୁ ନେଉ ନେଉ କହିଲେ–ଆସ, ଖଟ ଉପରକୁ ଆସି ବସ ।

 

ଲକ୍ଷ୍ମୀ କହିଲେ–ନାଇଁ ଥାଉ । ତୁମେ ସର୍ବତ୍‍ ପିଇଦିଅ । ମୁଁ ଗ୍ଲାସ୍‌ଟି ନେଇ ଚାଲିଯିବି ।

 

ହେମକାନ୍ତ ଡାହାଣ ହାତରେ ସର୍ବତ୍‍ ଗ୍ଲାସ୍‌ଟି ଧରି ବାମ ହାତରେ ଲକ୍ଷ୍ମୀଙ୍କ ଲୁଗାକାନିକୁ ଟାଣି ଆଣି କହିଲେ–ଖଟ ଉପରକୁ ଆସ ।

 

ଲକ୍ଷ୍ମୀ ଖଟ ଉପରକୁ ଯାଉଛନ୍ତି, ହେମକାନ୍ତ ସର୍ବତ୍‍ ଗ୍ଲାସ୍‍ଟି ପିଇବେ ବୋଲି ମୁହଁ ପାଖରେ ଲଗାଇଛନ୍ତି, ହଠାତ୍‌ ତକିଆ ତଳୁ ଟର୍ଚ୍ଚଟି ଗଡ଼ି ଆସି ତଳେ ପଡ଼ି ଭାଙ୍ଗିଗଲା ଏବଂ ଖୁବ୍‌ ଜୋର୍‌ରେ ଶବ୍ଦ ହେଲା ।

 

ଲକ୍ଷ୍ମୀ ଖଟପାଖକୁ ଖଣ୍ଡେ ଦୂରକୁ ଘୁଞ୍ଚି ଆସି କହିଲେ–ମୁଁ ମନା କରୁଛି, ମୋ ସାଙ୍ଗରେ ଲାଗନି ବୋଲି । ହେଇଟି, ଟିକିଏ, ଅସାବଧାନ ହେଲ ବୋଲି ଟର୍ଚ୍ଚଟି ପଡ଼ି ଭାଙ୍ଗିଗଲା ।

 

ହେମକାନ୍ତ ସର୍ବତ୍‍ ପିଇସାରି ଗ୍ଲାସ୍‌ଟି ଲକ୍ଷ୍ମୀଙ୍କ ହାତକୁ ବଢ଼ାଇ ଦେଉ ଦେଉ ଗ୍ଲାସ୍‌ଟି ମଧ୍ୟ ତଳେ ପଡ଼ି ଗୁଣ୍ଡ ହୋଇଗଲା ।

 

ରୋଷେଇଘରୁ କାନ୍ତି ପଚାରିଲେ–ପୁଣି କ’ଣ ହେଲା ? ଗ୍ଲାସ୍‌ କ’ଣ ଭାଙ୍ଗିଲାନା କ’ଣ-?

 

ଲକ୍ଷ୍ମୀ ଗ୍ଲାସ୍‌ କାଚ ଓ ଟର୍ଚ୍ଚର ଭଙ୍ଗା କାଚଗୁଡ଼ିକ ଗୋଟାଉ ଗୋଟାଉ ଉତ୍ତର ଦେଲେ–ତାଙ୍କ ହାତରୁ ଗ୍ଲାସ୍‍ଟି ପଡ଼ି ଭାଙ୍ଗିଗଲା ।

 

ହେମକାନ୍ତଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ମୀ କହିଲେ–ଆଜି ସକାଳୁ ସକାଳୁ ବହୁତ ଜିନିଷ ତଳେ ପଡ଼ି ଭାଙ୍ଗିଲାଣି । ଦିନଟି ପୁଣି ଅଛି । ତୁମେ ଯାଅ, ଗାଧୋଇସାରି ଠାକୁର ମନ୍ଦିରରେ ଟିକିଏ କ’ଣ ଭୋଗ କରିଦେଇ ଆସିବ ।

 

ହେମକାନ୍ତ ହାଲ୍‍କା ସ୍ୱରରେ କହିଲେ–ଭାଙ୍ଗିବା ଯୋଗଥିବା ଜିନିଷ ଭାଙ୍ଗିବ, ନଷ୍ଟ ହେବା ଜିନିଷ ନଷ୍ଟ ହେବ, ହଜିବା ଜିନିଷ ହଜିବ । ଏଥିରେ ବ୍ୟସ୍ତ ହେବାର କ’ଣ ଅଛି ?

 

ସେ ଘର ବାହାରକୁ ଆସୁ ଆସୁ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କହିଲେ–କାନ୍ତିକୁ କୁହ, ମୋତେ ନଡ଼ିଆତେଲ ଡବାଟା ଆଉ ତଉଲିଆଟା ଦେବ । ମୁଁ ଗାଧୋଇ ଆସେ ।

 

ଲକ୍ଷ୍ମୀ ରୋଷେଇଘର ଆଡ଼େ ଚାଲିଗଲେ । କାନ୍ତି ନଡ଼ିଆତେଲ ଡବା ଓ ତଉଲିଆଟି ଆଣି ହେମକାନ୍ତକୁ ଦେଲେ । ହେମକାନ୍ତ ତେଲ ଲଗାଇ ଗାଧୋଇବାକୁ ଗାଁମୁଣ୍ଡ ପୋଖରୀକୁ ଗଲେ ।

 

ହେମକାନ୍ତ ଗାଧୋଇ ଆସି ଲୋକଙ୍କୁ ହଣ୍ଡାହାଣ୍ଡି ମାଜି ଯାହାର ଯେଉଁ ଜିନିଷ ତାଙ୍କୁ ଫେରାଇ ଦେବାକୁ ବରାଦ ଦେଲେ । ଶୋଇବା ଘରକୁ ଆସି ମୁଣ୍ଡ କୁଣ୍ଡେଇ ଲୁଗା ବଦଳାଇଲେ । କାନ୍ଥ ଉପରକୁ ଚାହିଁ ଠାକୁରଙ୍କ ଫଟୋଗୁଡ଼ିକ ଉପରେ ଆଖି ବୁଲାଇ ଆଣିଲେ । ତାଙ୍କୁ ଠାକୁରଙ୍କ ବଦଳରେ ଜଣାଗଲା, ଯେପରିକି ଫଟୋଗୁଡ଼ିକ ଭିତରେ ହେମଲତା ବିଷଣ୍ଣ ବଦନରେ ଅନାଇ ରହିଛନ୍ତି । ଆଖିରୁ ଲୁହଧାର ଗଡ଼ି ଆସୁଛି । ମୁହଁ ଏକବାର ଶୁଖି ଯାଇଛି । କୋମଳ, ନରମ ଘନ କୃଷ୍ଣ କେଶଗୁଡ଼ିକ ବିପର୍ଯ୍ୟସ୍ତ । ତୈଳ ଅଭାବରୁ ଫୁର୍‌ଫୁର୍‌ ହୋଇ ଉଡ଼ୁଛି । ସେ ଫଟୋଗୁଡ଼ିକ ଭିତରୁ ଯେପରିକି କହୁଛନ୍ତି–ତୁମେ ମୋତେ ଏତେ ଚଞ୍ଚଳ ଭୁଲିଗଲ ? ଆମ ଦୁହିଁଙ୍କର ଏତେ ସ୍ନେହ, ଶ୍ରଦ୍ଧା, ପ୍ରେମ ବନ୍ଧନ ଏତେ ଚଞ୍ଚଳ ଛିଣ୍ଡେଇ ଦେଇ ପାରିଲ ?

 

ହେମକାନ୍ତ ଗୁଣୁଗୁଣୁ ହୋଇ ଉତ୍ତର ଦେଲେ–ମୁଁ ଆଉ କ’ଣ କରିଥାନ୍ତି ? ଦୁଇବର୍ଷ କାଳ ତ ମୋର ସାଧ୍ୟମତେ ତୁମକୁ, ବୋଉଙ୍କୁ ଖୋଜିଲି । ଜ୍ୟୋତିଷ, ସର୍ବଜାଣ ସାଧୁ, ସନ୍ନ୍ୟାସୀ ସମସ୍ତଙ୍କୁ ପଚାରିଲି । କେହି ତ ମନପ୍ଲୁତ ଭାବରେ ଉତ୍ତର ଦେଇ ପାରିଲେ ନାହିଁ । କେତେଦିନ ଆଉ ଇମିତି ନିଃସଙ୍ଗ ଜୀବନ ଧରି ଚାଲିଥାନ୍ତି ! ବନ୍ଧୁ, ବାନ୍ଧବ, ସାଙ୍ଗ, ସୁଖ, ସାଇଭାଇଙ୍କ ଅନୁରୋଧରେ ଆଉଥରେ ବିବାହ କରିବାକୁ ବାଧ୍ୟ ହେଲି ।

 

ମୋ ଅବସ୍ଥାରେ ତୁମେ ଯଦି ଆଜି ରହିଥାନ୍ତ, ତେବେ ସାରା ଜୀବନଟି ତ ମତେ ଅପେକ୍ଷା କରିବାକୁ ପଡ଼ିଥାନ୍ତା । ତୁମେ ଏତିକି କରିପାରିଲ ନାହିଁ ? ହେମଲତା କହୁ କହୁ ଯେପରିକି କୋହ ସମ୍ଭାଳି ନପାରି ଜୋରରେ କାନ୍ଦି ଉଠିଲେ ।

 

ହେମକାନ୍ତ ଅନ୍ୟମନସ୍କ ଭାବରେ ପାଟିକରି କହି ଉଠିଲେ–‘‘ହେମ ! ଏବେ ମଧ୍ୟ ମୁଁ ତୁମ ଅପେକ୍ଷାରେ ଅଛି । ତୁମେ ଯେଉଁଠି ଅଛ ଚାଲିଆସ । ମୁଁ ତୁମକୁ ଆଦୌ ହତାଦର କରିବି ନାହିଁ ।’’

 

ହେମକାନ୍ତଙ୍କ ଦୁଇଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା । ତାଙ୍କର ହେମଲତାଙ୍କ ସହିତ ପ୍ରଥମ ଦିନର ସାକ୍ଷାତଠାରୁ ଏପର୍ଯ୍ୟନ୍ତ ଯାହା ସବୁ ଘଟଣା ଘଟିଥିଲା, ସବୁ ଗୋଟି ଗୋଟି ହୋଇ ମନେ ପଡ଼ିଲା । ସେ ନୀରବରେ ଆଖି ପୋଛି ହେମଲତା ବ୍ୟବହାର କରୁଥିବା ଟ୍ରଙ୍କ୍, ବାକ୍‌ସ, ତକିଆ, ଫଟୋଗୁଡ଼ିକ ଉପରେ ଆଖି ବୁଲାଇ ଆଣିଲେ । ପଛକୁ ଚାହିଁ ଦେଖିଲା ବେଳକୁ ଲକ୍ଷ୍ମୀ ଠିଆ ହୋଇଛନ୍ତି । ହେମକାନ୍ତଙ୍କର ସ୍ମୃତି ପାର୍ଥିବ ଜଗତକୁ ଫେରିଆସିଲା । ସେ ମନେମନେ ଲଜ୍ଜିତ ହୋଇ ଭାବିବାରେ ଲାଗିଲେ–ଲକ୍ଷ୍ମୀ ଯଦି ମୋର ସବୁ କଥା ଶୁଣି ପାରିଥିବ ? ମୋ ଆଖିରେ ଲୁହ ଦେଖି ପାରିଥିବ ? ସେ କିଛି ନଜାଣିଲାପରି ତରବର ହୋଇ ପାନିଆରେ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ କହିଲେ–ଲକ୍ଷ୍ମୀ ‘ ଆସ, ଭିତରକୁ ଆସ । ଦୁଆରମୁହଁରେ ଠିଆ ହୋଇ ରହିଛ କାହିଁକି ?

 

ହେମକାନ୍ତ ଗତ ରାତିଠାରୁ ଏପର୍ଯ୍ୟନ୍ତ କରୁଥିବା କଥାବାର୍ତ୍ତା, ଚାଲିଚଳନ, ଗତିବିଧି ଦେଖି ଲକ୍ଷ୍ମୀ ମନେମନେ ଭାବୁଥିଲେ, ହୁଏତ ତାଙ୍କ ସ୍ୱାମୀ ତାଙ୍କୁ ବିବାହ କରିଥିଲେ ସୁଦ୍ଧା ଆଗ ସ୍ତ୍ରୀ ହେମଲତାଙ୍କ କଥା ଭୁଲି ପାରି ନାହାଁନ୍ତି କିମ୍ୱା ତାଙ୍କର ଅନ୍ୟ କୌଣସି ଝିଅ ସହିତ ଏହା ଭିତରେ ସ୍ନେହ, ସଦ୍‌ଭାବ ବଢ଼ିଛି । ତା’ କଥା ସେ ଚରାଚର ଭାବି ଅନ୍ୟମନସ୍କ ହେଉଛନ୍ତି । ମୋତେ ଅନ୍ୟକଥା କହି ଭୁଲାଇବାକୁ ଚେଷ୍ଟା କରୁଛନ୍ତି ।

 

ସେ ହୃଦୟର କଥା ହୃଦୟରେ ଗୋପନ ରଖି କହିଲେ–‘‘ଖାଇବାକୁ ବଢ଼ା ହେଲାଣି, ଆସ ।’’ କିନ୍ତୁ ଲକ୍ଷ୍ମୀଙ୍କର ଏହି ଦୁଇଟି କଥା ବରାବର ମନରେ ଉଙ୍କି ମାରିଲା । ତାଙ୍କ ଯୌବନଭରା ଜୁଆରିଆ ହୃଦୟ ହାହାକାର କରି ଉଠିଲା । ମନରେ କେତେ ଆଶଙ୍କା, ପ୍ରତିକୂଳ କଥା ଖେଳିଗଲା–ମୋତେ ଯଦି ମୋ ସ୍ୱାମୀ ଭଲ ନ ପାଆନ୍ତି ? ଏଘରୁ କିଛିଦିନପରେ ବାହାର କରି ଦିଅନ୍ତି ? କେତେକ ସ୍ଥାନରେ ଘଟୁଥିବା ଘଟଣାଭଳି ତଣ୍ଟିଚିପି ହତ୍ୟା କରନ୍ତି ? ସେ ଭାବିଲେ, ହେମଲତାଙ୍କୁ ଓ ତାଙ୍କ ବୋଉଙ୍କୁ ଯେ ତାଙ୍କ ସ୍ୱାମୀ ପୂର୍ବରୁ ଯୋଜନା କରି ହତ୍ୟା କରି ନଥିବେ, କିଏ କହିବ ? ନାନାପ୍ରକାର ଦୁର୍ଭାବନାରେ ତାଙ୍କ ଦେହ ଶୀତେଇ ଉଠିଲା । ତାଙ୍କ ଲୋମମୂଳଗୁଡ଼ିକ ଟାଙ୍କୁରି ଉଠିଲା । ସେ କାନ୍ତି ଓ ବାସନ୍ତୀ ଶୋଉଥିବା ଘରକୁ ପଶି ଯାଇ ମନେମନେ କିଛି ସମୟ କାନ୍ଦିଲେ ।

 

କାନ୍ତି ଡାକ ପକାଇଲେ–ଲକ୍ଷ୍ମୀ ଭାଉଜ ! ଲକ୍ଷ୍ମୀ ଭାଉଜ ! ଘରଟା ଭିତରେ କ’ଣ ସବୁବେଳେ ବସିଛ ! ଆସ ବାହାରକୁ ଆସ । ଏଠାରେ କେଉଁ ଶାଶୁ, ଶଶୁର ଅଛନ୍ତି ଯେ, ଏତେ ଲାଜ କରୁଛ । ଭାଇଙ୍କ ପାଇଁ ପାନ ଦୁଇଖଣ୍ଡ ଭାଙ୍ଗିଦିଅ ।

 

ଲକ୍ଷ୍ମୀ ଆଖି ପୋଛି ବାହାରକୁ ଆସିଲେ । ହେମକାନ୍ତଙ୍କ ପାଇଁ ପାନ ଭାଙ୍ଗି ବସିଲେ । ହେମକାନ୍ତ ଖାଇସାରି ଶୋଇବାଘରକୁ ଯାଇ ପଞ୍ଜାବି ପିନ୍ଧି ବାହାରିଲେ ଦୋକାନ ଯିବାକୁ । ବାହାରିବାବେଳେ ସେହି ଘରଭିତରେ ଥାଇ ଡାକି କହିଲେ–କାନ୍ତି, ଲକ୍ଷ୍ମୀକୁ ପାନ ଆଣିବାକୁ କହିଲୁ-!

 

ଲକ୍ଷ୍ମୀ ପାନ ଦୁଇଖଣ୍ଡି ଧରି ଶୋଇବାଘରକୁ ଆସିଲେ । ହେମକାନ୍ତ ତାଙ୍କର ପଞ୍ଜାବି ପକେଟରୁ ଟଙ୍କା ଶହେଟି କାଢ଼ି ଲକ୍ଷ୍ମୀଙ୍କ ହାତକୁ ବଢ଼ାଇ ଦେଇ କହିଲେ–ଏଇ ନିଅ । ଏ ଟଙ୍କା ରଖିଥାଅ ।

 

ଲକ୍ଷ୍ମୀ କହିଲେ–ମୋର ଟଙ୍କା କ’ଣ ହେବ ?

 

‘‘ତୁମେ ରଖନା ।’’ ହେମକାନ୍ତ ଲକ୍ଷ୍ମୀଙ୍କ ବାଁ ହାତଟିଧରି ଡାହାଣ ହାତରେ ଟଙ୍କା ଦେବାକୁ ଯାଉଛନ୍ତି ଏବଂ ଲକ୍ଷ୍ମୀଙ୍କର ବାଁ ହାତଟି ହେମକାନ୍ତଙ୍କର ଛାତିରେ ଓ ଡାହାଣ ହାତଟି ସିଧା ଭାବରେ ବାହାରକୁ ରହିଛି, ଏହି ସମୟରେ ହେମକାନ୍ତ ପିନ୍ଧିଥିବା ନୂଆ ଟେରିଲିନ ପଞ୍ଜାବିଟି ପଛପାଖରୁ ଫଡ଼୍‌ଫଡ଼୍‌ ଶବ୍ଦ କରି ଦୁଇଫାଳ ହୋଇ ଚିରିଗଲା । ହେମକାନ୍ତ ଲକ୍ଷ୍ମୀଙ୍କ ହାତକୁ ଛାଡ଼ିଦେଇ ପଞ୍ଜାବିଟିକୁ କାଢ଼ି ଦେଖିଲେ । ଲକ୍ଷ୍ମୀ ପାନ ଦିଖଣ୍ଡ ଖଟ ଉପରେ ରଖି ଦେଇ ବାହାରକୁ ଚାଲିଗଲେ । ହେମକାନ୍ତ ଦେଖିଲେ, ବିବାହପାଇଁ ଏତେ ଶ୍ରଦ୍ଧାରେ ଏବଂ ଏତେ ଦାମିକା କନାରେ କରିଥିବା ପଞ୍ଜାବିଟିର ପଛ ପାଖରୁ କିଏ ଯେପରିକି ବ୍ଲେଡ଼୍‌ରେ ଦୁଇଫାଳକରି ଚିରି ଦେଇଛି । ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଚାହିଁଲେ । ଖଟଧାର, ମଶାରିବାଡ଼, କାନ୍ଥ ଦେହରେ ହାତମାରି ଲୁହାକଣ୍ଟା ଥିବ ବୋଲି ପରୀକ୍ଷା କଲେ । ମାତ୍ର ସେପରି କିଛି ଦେଖିବାକୁ ପାଇଲେ ନାହିଁ । ଲକ୍ଷ୍ମୀଙ୍କ ଉପରେ ମଧ୍ୟ ଅବିଶ୍ୱାସ କରିବାର କିଛି ନଥିଲା । କାରଣ ସେ ସାମନାରେ ଥିଲେ । ପୁରୁଣାକନା ବୋଲି ସନ୍ଦେହ କରିବାର କଥା । ମାତ୍ର ସେ ନିଜେ କନା ବାଛି କିଣିଥିଲେ । କେବଳ ଦରଜି ଉପରେ ଅବିଶ୍ୱାସ କରିବାର କଥା । ସେ ହୁଏତ କନା ବଦଳାଇ ଦେଇଥିବ । ମନର ଦୁଃଖ ମନରେ ମାରି ଅନ୍ୟ ଗୋଟିଏ ପଞ୍ଜାବି ପିନ୍ଧି ଦୋକାନକୁ ବାହାରିଗଲେ । ହେଲେ, ମନ ତାଙ୍କର କିଛି ଭଲ ଲାଗୁ ନଥିଲା । ଏହି କେତେଦିନ ହେଲା ହେମଲତାଙ୍କ କଥା ବେଶୀ ମନେ ପଡ଼ିବା ଫଳରେ ହୃଦୟ ଭିତର ଅଧିକରୁ ଅଧିକ ମନ୍ଥି ହେଉଥିଲା ।

 

–ପାଞ୍ଚ–

 

ବିବାହ, ବ୍ରତଦିନ ହୋଇଥିବାରୁ ସେଦିନ ଅନ୍ୟ ଦିନ ଅପେକ୍ଷା ବେପାରୀଙ୍କ ସଂଖ୍ୟା ଟିକିଏ ବେଶୀ ଥିଲା । ତେଣୁ ହେମକାନ୍ତ କାରବାରରେ ବ୍ୟସ୍ତ ରହି ଆଉ ଖରାବେଳେ ଖାଇବାକୁ ଆସି ପାରିଲେ ନାହିଁ । ଦୋକାନରେ ବିକିବାକୁ ଥିବା ପିଲାଙ୍କ ହାତରେ ଖାଇବାକୁ ମଗାଇ ନେଇ ସେଇଠି ଖାଇଲେ । ସେ ଘରକୁ ଫେରିଲାବେଳକୁ ରାତି ନଅଟା ହେଲା । ଆସିଲା ବେଳକୁ ଟର୍ଚ୍ଚଟା ମରାମତି କରି ଆଣିଥିଲେ । ଗୋଟିଏ ବଡ଼ ଲ୍ୟାମ୍ପ୍‌ କିଣି ଆଣିଥିଲେ । ଲକ୍ଷ୍ମୀ, କାନ୍ତି, ବାସନ୍ତୀଙ୍କ ପାଇଁ ଶାଢ଼ି, ପିଲାଙ୍କ ପାଇଁ ପେଣ୍ଟ ଜାମା କିଛି ମିଠା ଧରି ଆସିଥିଲେ ।

 

ସମସ୍ତଙ୍କ ପାଇଁ ଶାଢ଼ି ଆସିଥିବାରୁ ଲକ୍ଷ୍ମୀ, କାନ୍ତି, ବାସନ୍ତୀ ଖୁସି ହୋଇଗଲେ । ଖିଆପିଆ ଶେଷ ହେଲା । ହେମକାନ୍ତ ଶୋଇବା ଘରକୁ ଗଲାବେଳକୁ ଲ୍ୟାମ୍ପ୍‍ରେ ତେଲ ପୂରାଇ ଲଗାଇ ନେଇଥିଲେ । କାନ୍ଥରେ ଗୋଟିଏ କଣ୍ଟା ମାରି ଝୁଲାଇ ଦେଲେ । ଲଣ୍ଠନ, ଦିଆସିଲି ମଧ୍ୟ କାନ୍ଥମୂଳେ ରଖିଥିଲେ । ଟର୍ଚ୍ଚଟି ତକିଆତଳେ ରଖି ଖଟଉପରେ ଶୋଇଲେ । ମନରେ ତାଙ୍କର ଏଣୁତେଣୁ ଭାବନା । ଆଜି ଟିକିଏ ଦୋକାନରେ ଭଲକାରବାର ହୋଇଥିବାରୁ ମନ ଭଲ ଥାଏ । ଘରେ କାଲିଠାରୁ ଗୋଟିଏ ଚାକର ପିଲା ଆଣି ରଖିବାପାଇଁ ଭାବୁଥାନ୍ତି । ଏହି ସମୟରେ ତାଙ୍କର ମନେ ପଡ଼ିଲା ହେମଲତାଙ୍କ କଥା । ପ୍ରତିଦିନ ଶୋଇବାକୁ ଆସିଲାବେଳକୁ ହେମଲତା ଗୁଜୁରାତି, ଅଳେଇଚ ଦେଇ ପାନ ଦୁଇଖଣ୍ଡି ଭାଙ୍ଗି ଆଣିଥାନ୍ତି । ସେ ଶୋଇବା ଘରେ ପଶି ଦୁଆର ଦେଇ ଖଟ ପାଖକୁ ଆସିବାର ଦେଖିଲେ ହେମକାନ୍ତ ଆଖିମୁଦି ଶୋଇ ପଡ଼ିଲା ପରି ଛଳନା କରନ୍ତି । ହେମଲତା ପାଖକୁ ଆସି ତାଙ୍କ ନରମ, ଧୀର ଗଳାରେ ପଚାରନ୍ତି–କ’ଣ ଶୋଇଗଲଣିନା କ’ଣ ?

 

ହେମକାନ୍ତ କୌଣସି ଉତ୍ତର ନ ଦେଇ ଆଖିମୁଦି ମନେମନେ ହସି କାନ୍ଥଆଡ଼କୁ ମୁହଁକରି ଶୋଇ ରହନ୍ତି ।

 

ହେମଲତା ଶୁଣେଇଲା ଭଳି କହନ୍ତି–‘‘ଶୋଇ ପଡ଼ିଲେଣି ତ ଆଉ କ’ଣ କରିବା । ନିଦ ଭାଙ୍ଗିବାଟା ଭଲ ନୁହେଁ । ଧୀରେ ଧୀରେ ଖଟ ଉପରକୁ ଆସି ତାଙ୍କ ଲୁଗାକାନିକୁ ମୋଡ଼ି କାନଭିତରେ ପୂରାଇ ସଲସଲ କରି ଦିଅନ୍ତି । ହେମକାନ୍ତଙ୍କର ଶୋଇବାର ଛଳନା କେଉଁ ଆଡ଼େ ଉଭେଇଯାଏ । ସେ ହେମଲତାଙ୍କୁ ହସି ହସି କହନ୍ତି–ଏଡ଼େ ଦୁଷ୍ଟ ତୁମେ ?

 

ହେମଲତାଙ୍କ ନାଲିଓଠରେ ହସଟି ରକ୍ତଜବା ଭଳି ଦିଶେ । ହେମକାନ୍ତ ହେମଲତାଙ୍କ ମୁହଁକୁ ଚାହିଁ ରହନ୍ତି । ସେ ବିଶ୍ୱାସ କରିପାରନ୍ତି ନାହିଁ–ହେମଲତା ତାଙ୍କ ସ୍ତ୍ରୀ, ସାବିତ୍ରୀ ମାଉସୀଙ୍କ ଝିଅ ନା ସ୍ୱର୍ଗର ଅପସରୀ !

 

ହେମଲତା କହନ୍ତି–ମୋ ମୁହଁକୁ ଏତେ ସମୟ ଚାହିଁ ରହିଛ କ’ଣ ? ସେ ହେମକାନ୍ତଙ୍କ ପାଟିରେ ଆଣିଥିବା ପାନରୁ ଖଣ୍ଡିଏ ପୂରାଇ ଦେଇ ନିଜେ କଣ୍ଡିଏ ପାଟିରେ ପୂରାନ୍ତି । ତା’ପରେ ଖଟ ପାଖ ଚୌକି ଉପରେ ଜଳୁଥିବା ଳଣ୍ଠନଟିକୁ କମାଇ ଦିଅନ୍ତି । ମାଳତିଲତା ପରି ହେମଲତା ଲଟେଇ ଯାଆନ୍ତି ତାଙ୍କରି ଦେହରେ ।

 

ଶୋଇବାଘରର ଆଉଜା କବାଟ ଖୋଲିଗଲା । ଲକ୍ଷ୍ମୀ ଘର ଭିତରକୁ ଆସିଲେ, ହେମକାନ୍ତଙ୍କର ହଠାତ୍‌ ହେମଲତାଙ୍କୁ ନେଇ ଅତୀତ ଭାବନାଗୁଡ଼ିକ କେଉଁଆଡ଼େ ଉଭେଇ ଗଲା । ତା’ପରେ ଳକ୍ଷ୍ମୀଙ୍କୁ ନେଇ ଭାବନା ଆରମ୍ଭ ହେଲା । ଲକ୍ଷ୍ମୀଙ୍କ ମୁହଁକୁ ହେମକାନ୍ତ ଚାହିଁ ରହିଲେ । ମନେମନେ କହିଲେ, କାନ୍ତି କହୁଥିଲା–ଲକ୍ଷ୍ମୀର ମୁହଁ ହେମଲତାଙ୍କ ମୁହଁ ଭଳି । କାନ୍ତି ମିଛ କହିନି । ଲକ୍ଷ୍ମୀଙ୍କ ମୁହଁ ପୂର୍ଣ୍ଣମୀ ଜହ୍ନପରି ଚକା, ଦେହର ବର୍ଣ୍ଣ ଗୋରା । ମଥାର କଳାଭ୍ରମର ପରି କେଶଗୁଡ଼ିକ ଖୁବ୍‌ ସୁନ୍ଦର, ନରମ, ମସୃଣ । ଆଖି, ଓଠ, ନାକ, ଭୂରୁ ଠିକ୍‌ ହେମଲତାଙ୍କ ପରି । ଏକା ଦିନକେ ଏକା ଛାଞ୍ଚକେ ବିହି ଏହି ଦୁଇ ଜଣଙ୍କୁ ଯେପରିକି ଗଢ଼ିଥିଲାନା କ’ଣ ?

 

‘‘କବାଟ ବନ୍ଦ କରିଦେବି ?

 

ଲକ୍ଷ୍ମୀଙ୍କ ପ୍ରଶ୍ନରେ ହେମକାନ୍ତଙ୍କ ଧ୍ୟାନ ଭାଙ୍ଗିଗଲା । ସେ ପଚାରିଲେ–ପାନ ଏବଂ ପିଇବା ପାଣି ଆଣିଛ ?

 

‘ହଁ’ ଲକ୍ଷ୍ମୀ ଉତ୍ତର ଦେଲେ ।

 

‘‘ତୁମେ ଖଟ ଉପରକୁ ଆସ । ମୁଁ କବାଟଟା ବନ୍ଦ କରି ଦେଉଛି ।’’ ହେମକାନ୍ତ କବାଟଟା ବନ୍ଦ କରିବାକୁ ଯାଉଥିଲେ । ମାତ୍ର ଲକ୍ଷ୍ମୀ କବାଟ ଭିତରୁ ବନ୍ଦ କରି ଆସିଲେ । ଖଟ ପାଖକୁ ଆସୁ ଆସୁ ଭାବୁଥିଲେ, ଚଉଠି ରାତିଟି କେତେ ଆନନ୍ଦରେ ଝିଅମାନଙ୍କର କଟେ । ମାତ୍ର ଆମର କେବଳ ପରସ୍ପରକୁ ଦୋଷ ଦେଇ ଅନିଦ୍ରାରେ କଟିଗଲା । ଆଜି ଏପରି କିଛି କୌଶଳ କରିବାକୁ ହେବ, ଯଦ୍ଦ୍ୱାରା କି ରାତିଟି ହସଖୁସିରେ କଟିବ । ସେ ପାନଖଣ୍ଡିକ ଧରି ହେମକାନ୍ତଙ୍କୁ କହିଲେ–ତୁମେ ଆଁ କର ।

 

ହେମକାନ୍ତ ପଚାରିଲେ–କ’ଣ ଭଲ ଜିନିଷ ଆଣିଛ ନା କ’ଣ ? ଲକ୍ଷ୍ମୀ କହିଲେ–ତୁମେ ଆଁ କରନା !

 

ହେମକାନ୍ତ ଆଁ କଲେ । ଲକ୍ଷ୍ମୀ ତାଙ୍କ ପାଟିରେ ମସଲା ପାନ ଖଣ୍ଡିକ ଖୁଆଇ ଦେବାକୁ ଯାଉଛନ୍ତି, ଏହି ସମୟରେ ଶୋଇବାଘର କବାଟଟି ଜୋର୍‌ରେ ମେଲା ହୋଇଗଲା ଏବଂ କବାଟର ଦୁଇପଟ ଦୁଆର ଦୁଇକଡ଼ କାନ୍ଥରେ ମାଡ଼ ହୋଇ ଶବ୍ଦ କଲା । ସେ ଶବ୍ଦରେ ଲକ୍ଷ୍ମୀ ଓ ହେମକାନ୍ତ ଚମକି ପଡ଼ିଲେ । ହେମକାନ୍ତଙ୍କୁ କବାଟ ଖୋଲିଯିବା ଘଟଣାଟା ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ସୁଦ୍ଧା ସେ ଲକ୍ଷ୍ମୀଙ୍କୁ ସାହସ ଦେବାପାଇଁ କହିଲେ–ଆମର ହେଉଛି ଦକ୍ଷିଣମୁହାଁ ଦୁଆର । ଟିକିଏ ଜୋର୍‌ରେ ପବନ ହେଲେ କବାଟଟା ଆପେଆପେ ଖୋଲିଯାଏ । ସେଥିପାଇଁ ମୁଁ କବାଟକୁ ଚାପିରଖିଲା ଭଳି କାଠ ଖଣ୍ଡିଏ ରଖିଛି । ଦେଇଦିଏ । ତୁମେ ବୋଧେ କାଠଖଣ୍ଡିକ ଦେଇ ନଥିଲ । ବ୍ୟସ୍ତ ହେବାର କିଛି ନାହିଁ । ମୁଁ ଯାଉଛି, କବାଟ ଦେଇ, କାଠଟି ଲଗାଇ ଆସିବି ।

 

ହେମକାନ୍ତ କବାଟଟି ଲଗାଇ, କାଠ ଦେଉ ଦେଉ ଭାବୁଥିଲେ–ଲକ୍ଷ୍ମୀଙ୍କୁ କିଏ କ’ଣ ଆଉ ଗୁଣିଟୁଣି କରିଛି, ନା ମୋର ଏ ବିବାହରେ କେହି ଖୁସି ନ ହୋଇ ବିବାଦୀ ସାଧୁଛି ? ସେ ମନର କଥା ମନରେ ରଖି ଖଟ ଉପରକୁ ଆସିଲେ । ତାଙ୍କର ମନରେ ସନ୍ଦେହ ହେଉଥିଲା–ଲକ୍ଷ୍ମୀଙ୍କର ଆଗରୁ କାହା ସହିତ ଯଦି ସ୍ନେହ, ସଦ୍‌ଭାବ ଥାଏ, ତେବେ ସେ ହୁଏତ ବିବାହ ପରେ ଏଭଳି ଦାଉ ସାଧି ପାରୁଥାଏ । ଲକ୍ଷ୍ମୀଙ୍କର ଗତରାତ୍ରିର କାନ୍ଦ, ସକାଳର ଦର୍ପଣ ପଡ଼ି ଭାଙ୍ଗିଯିବା, ପଞ୍ଜାବି ପଛ ପାଖ ଚିରିଯିବା ପ୍ରଭୃତି ଗୋଟି ଗୋଟି ହୋଇ ସମସ୍ତ ଘଟଣା ତାଙ୍କର ମନେ ପଡ଼ିଲା-। ପୁଣି ସେ ମନକୁ ମନ ଭାବୁଥିଲେ, ଲକ୍ଷ୍ମୀ ତ ରାତିରେ ତଳେ ଆସି ପାଖରେ ଶୋଇଲେ-। ତା’ପରେ ତ ଆଉ ସେପରି କିଛି ଘଟଣା ଘଟି ନାହିଁ ?

 

ଲକ୍ଷ୍ମୀ ଭାବୁଥିଲେ–ହେମକାନ୍ତର ଅନ୍ୟ କେଉ ଝିଅ ସହିତ ହୁଏତ ସ୍ନେହ ସଦ୍‌ଭାବ ଅଛି-। ସେ ଏଘରେ ଏଭଳି କିଛି ଜିନିଷ ରଖିଛନ୍ତି, ଯାହାକି ଧରା ପଡ଼ିଯିବାର ବହୁ ସମ୍ଭାବନା ରହିଛି-। ତେଣୁ ଏଘରକୁ ସେ ଆସିବାକୁ ବୋଧହୁଏ ଚାହୁଁ ନାହାନ୍ତି । କାଲି ରାତିରେ ସେହି ଝିଅ ଏହିଭଳି ଆପେଆପେ କବାଟ ଖୋଲି ଆସିଛି । କବାଟ କିପରି ବାହାର ପାଖରୁ ଖୋଲିବାକୁ ହୁଏ, ତାକୁ ଜଣା । କାଲି ତାଙ୍କ ସ୍ୱାମୀ ତଳେ ଶୋଇବାମାତ୍ରେ ଠିକ୍‌ ସେ ଆସିଥିଲା । ଏ ମୋତେ କାନ୍ଦୁଛୁ ବୋଲି ବାରମ୍ୱାର ଦୋଷ ଦେଇ, ତଳେ ସେଇଥିପାଇଁ ଯାଇ ଶୋଇଥିଲେ । ଆଜି କବାଟ ଖୋଲି ସେହି ଝିଅଟି ଘରେ ପଶିବାକୁ ହୁଏତ ଚେଷ୍ଟା କରୁଥିଲା । କବାଟଟି ଜୋର୍‌ରେ ଶବ୍ଦ କରିବାରୁ ଏବଂ ମୁଁ ଠିଆ ହୋଇଥିବାର ଦେଖିବାରୁ ସେ ଯାଇ ଘରେ କେଉଁଠି ଲୁଚିଗଲା । ଆଜି ରାତିରେ ସବୁ ଘଟଣା ଆପେଆପେ ଜଣା ପଡ଼ିଯିବ ।

 

ଲକ୍ଷ୍ମୀ ଓ ହେମକାନ୍ତ ନିଜ ନିଜ ମନକଥା ମନରେ ରଖି ଖଟ ଉପରକୁ ଆସି ନୀରବରେ ଶୋଇଲେ । କିଛି ସମୟ କଟିଯିବା ପରେ ହେମକାନ୍ତ କଡ଼ ଲେଉଟାଇ ଲକ୍ଷ୍ମୀଙ୍କ ଆଡ଼କୁ ଚାହିଁ ପଚାରିଲେ–କବାଟ ଖୋଲିଯିବା ଶବ୍ଦରେ ତୁମେ ଡରିଗଲନା କ’ଣ ? ପବନରେ ବେଳେବେଳେ ଏହିଭଳି କବାଟ ଖୋଲିଯାଏ । ଏଥିରେ ଡରିବାର କିଛି ନାହିଁ ।

 

ଲକ୍ଷ୍ମୀ କହିଲେ–ନା, ମୁଁ ଡରିବି କାହିଁକି ? କବାଟଟା ଖୋଲିଗଲେ କ’ଣ ମଣିଷ ଡରିଯାଏ ?

 

ପୁଣି ନୀରବରେ କିଛି ସମୟ କଟିଗଲା । ଲ୍ୟାମ୍ପ୍‍ଟି ଧପ୍‌ଧପ୍‌ ହୋଇ ଲିଭିଗଲା । ଅଳ୍ପ ସମୟ ପରେ ଲକ୍ଷ୍ମୀ କାନ୍ଦିବାକୁ ଆରମ୍ଭ କଲେ । ହେମକାନ୍ତ ଦେଖିଲେ, କାଲି ରାତିର ଅବସ୍ଥା ସୃଷ୍ଟି ହେବାକୁ ଯାଉଛି । ସେ ପ୍ରଥମେ ଲକ୍ଷ୍ମୀଙ୍କୁ କିଛି କହିଲେ ନାହିଁ । ମାତ୍ର ଲକ୍ଷ୍ମୀଙ୍କର କାନ୍ଦ କ୍ରମେ ବଢ଼ିବାରୁ ହେମକାନ୍ତ ଧୈର୍ଯ୍ୟ ହରାଇ ବସିଲେ । ସେ ପଚାରିଲେ–କାଲି ରାତିରେ ସେମିତି ଆଲୁଅ ଲିଭିଯିବାରୁ କାନ୍ଦି ଉଠିଲ । ଆଜି ସେହିଭଳି କାନ୍ଦ ଆରମ୍ଭ କରିଦେଲଣି । କ’ଣ ତୁମର ହୋଇଛି କହୁନ କାହିଁକି ?

 

ଲକ୍ଷ୍ମୀ କାନ୍ଦି କାନ୍ଦି କହିଲେ–ତୁମେ ମୋତେ କ୍ରମେ ଭୁଲିଯିବାକୁ ଚେଷ୍ଟା କରୁଛ । ମୁଁ କ’ଣ ଜାଣିପାରୁ ନାହିଁ ? ହେଲେ, ମୁଁ ତୁମକୁ ଛାଡ଼ି ରହିପାରିବି ନାହିଁ ।

 

ହେମକାନ୍ତଙ୍କୁ ଲକ୍ଷ୍ମୀଙ୍କ କଥା ଆଶ୍ଚର୍ଯ୍ୟ ଲାଗିଲା । ସେ ମ୍ଳାନ ହସ ହସି କହିଲେ–ଏ ତୁମେ କ’ଣ କହୁଛ ଲକ୍ଷ୍ମୀ ! ମୁଁ ତୁମକୁ ଭୁଲିଯିବାକୁ ଚେଷ୍ଟା କରୁଛି କି ଅଧିକ ଭଲ ପାଉଛି ତୁମେ ଜାଣି ପାରୁନ ? ବିବାହର ମାତ୍ର ଏହି ପାଞ୍ଚଦିନ ନ ଯାଉଣୁ ତୁମ ମନରେ କାହିଁକି ଏଭଳି ଭ୍ରମ ଧାରଣା ଆସୁଛି ? କିଏ ତୁମକୁ କ’ଣ କହିଛି ?

 

‘‘ନା’’ । ଲକ୍ଷ୍ମୀ ତୁନି ରହିଲେ ।

 

ହେମକାନ୍ତ ପଚାରିଲେ–କେହି ତ କିଛି କହି ନାହାନ୍ତି, ତେବେ ତୁମେ ମନରେ ଏଭଳି ଅଯଥା ଧାରଣା ଆଣି କାନ୍ଦିବାରେ କ’ଣ ଲାଭ ପାଉଛ ? ମନ ଭିତରେ ତୁମର ଏଭଳି ଭୁଲ ଧାରଣା ଜନ୍ମିବା ଅର୍ଥ ତୁମେ ସନ୍ଦେହ ଆଉ ଅଶାନ୍ତିରେ ଛଟପଟ ହେଉଛ, ମୋ ମନରେ ମଧ୍ୟ ଅଶାନ୍ତି ଓ ବିରକ୍ତି ଆସୁଛି । ଏ ଘରର ମାଲିକାଣୀ ତୁମେ, ତୁମେ ଏ ଘର ଚଳାଇବ । ଟଙ୍କାପଇସା ରଖିବ । ଭଲମନ୍ଦ, ବନ୍ଧୁବାନ୍ଧବଙ୍କ କଥା ବୁଝିବ । ତେଣୁ ତୁମେ ଏଭଳି ଧାରଣା କଲେ ଆମେ ଦୁହେଁ ମନ ମିଳାଇ ଚଳିବା କିମିତି ?

 

‘‘ଜଣେ ଜଣକୁ ତା’ର ମନ, ପ୍ରାଣ, ହୃଦୟ, ବନନ ଦେଇ ଭଲ ପାଉଥିଲାବେଳେ ସେ ତାକୁ ଯଦି ମନରୁ ପୋଛିଦିଏ, ତାହା କ’ଣ ଯନ୍ତ୍ରଣାଦାୟକ ନୁହେଁ ? ଆମର କେତେ ଦିନର ସ୍ନେହ, ଶ୍ରଦ୍ଧା, ପ୍ରେମ, ମମତା ଆଜି କ’ଣ ହୋଇଗଲା !’’ ଲକ୍ଷ୍ମୀ ଏତିକି କହି କଇଁକଇଁ ହୋଇ କାନ୍ଦିବାରେ ଲାଗିଲେ ।

 

ହେମକାନ୍ତଙ୍କର ମନରେ କ୍ରମେ କ୍ରୋଧ ପ୍ରକାଶ ପାଇଲା । ସେ ଈଷତ୍‌ ବିରକ୍ତି ପ୍ରକାଶ କରି ପଚାରିଲେ–‘‘ତୁମେ କାହା କଥା କହୁଛ ?’’ ତାଙ୍କ ମନରେ ସନ୍ଦେହ ହେଲା ହୁଏତ ଲକ୍ଷ୍ମୀ ଅନ୍ୟ କାହାକୁ ହୃଦୟ ଦେଇ ଭଲ ପାଉଥିଲେ । ବାପା ମାଆ ତାଙ୍କର ଏଠାରେ ବିବାହ କରିଦେବାରୁ ଲକ୍ଷ୍ମୀ ବିଶେଷ ମର୍ମାହତ । ସ୍ତ୍ରୀଲୋକମାନେ କହୁ କହୁ ଅନେକ କଥା କହି ଯାଆନ୍ତି, ତାହା ତାଙ୍କ ପକ୍ଷରେ ହିତ କି ଅହିତ ଜାଣି ପାରନ୍ତି ନାହିଁ । ଲକ୍ଷ୍ମୀ ହୁଏତ ଏହି ଦୁଇଦିନ ହେଲା ସେହି ପୂର୍ବ ଭଲ ପାଇବା କଥା ଭାବି କାନ୍ଦୁଛନ୍ତି ।

 

‘‘ଯାହାଙ୍କୁ ଦେଖିବା ଦିନଠାରୁ ପ୍ରାଣ ଦେଇ ଭଲ ପାଇଥିଲି ଏବଂ ଯିଏ ମୋତେ ତାଙ୍କ ପ୍ରାଣଠାରୁ ବଳି ଅଧିକ ଭଲ ପାଉଥିଲେ, ମୁଁ ତାଙ୍କରି କଥା କହୁଛି । କେତେ ଆଶା, ଆକାଂକ୍ଷା, ଭରସା ନେଇ ଆସିଥିଲି । ଆଜି ଏସବୁ କ’ଣ ଦେଖିବାକୁ ମିଳୁଛି ! ମୁଁ ତୁମକୁ ଛାଡ଼ି ଯାଇ ପାରିବି ନାହିଁ ।’’ ଲକ୍ଷ୍ମୀଙ୍କର କାଳକ୍ରମେ ବଢ଼ିବାରେ ଲାଗିଲା ।

 

ହେମକାନ୍ତ ଅତି ବ୍ୟସ୍ତ ଓ ବିରକ୍ତ ହୋଇପଡ଼ିଲେ । ମନର କଥା ମନରେ ଚାପି ରଖି, ଗମ୍ଭୀର ହୋଇ ପଚାରିଲେ–ତୁମେ କ’ଣ ବିବାହ ପୂର୍ବରୁ କାହାରିକୁ ଆଉ ଭଲ ପାଉଥିଲ ?

 

‘‘ତୁମେ କ’ଣ କିଛି ଜାଣିନ ?’’

 

‘‘ମୁଁ ଜାଣିବି କେମିତି ?’’

 

‘‘ତୁମେ କ’ଣ ଜାଣିନ–ଯେଉଁ ଝିଅ ଥରେ ଯେଉଁ ପୁରୁଷକୁ ଭଲପାଏ, ତାକୁ ଜୀବନ ଦେଇ, ଜୀବନସାରା ଭଲପାଏ ବୋଲି ?’’

 

‘‘ଜାଣେ ?’’

 

‘‘ସବୁ ଜାଣି ପୁଣି ନ ଜାଣିଲା ଭଳି କାର୍ଯ୍ୟ କଲ କିପରି ?’’

 

‘‘ଭୁଲ କରିଛି ।’’

 

‘‘ଶୁଖିଲା ଭୂଇଁରେ ମାଛ ଛଟପଟ ହେଲାଭଳି ମୁଁ କିପରି ଯନ୍ତ୍ରଣାରେ ଛଟପଟ ହେଉଛି, ତୁମେ ଦେଖି ପାରୁନ ?’’

 

‘‘ବେଶ୍‌ ଦେଖି ପାରୁଛି’’ । ହେମକାନ୍ତ ଲକ୍ଷ୍ମୀଙ୍କ ପ୍ରଶ୍ନର ଉତ୍ତର ଦେଲାବେଳେ ଅଧିକରୁ ଅଧିକ ଗମ୍ଭୀର ହୋଇ ପଡ଼ୁଥିଲେ ।

 

‘‘କିଛି ପ୍ରତିକାର କରିପାରିବ ନାହିଁ ?’’ ଲକ୍ଷ୍ମୀ କାନ୍ଦି କାନ୍ଦି ହେମକାନ୍ତଙ୍କ ଛାତିରେ ହାତ ବୁଲାଇ ପଚାରିଲେ ।

 

ହେମକାନ୍ତ ବିରକ୍ତିରେ ଲକ୍ଷ୍ମୀଙ୍କ ହାତକୁ ନିଜ ଛାତି ଉପରୁ ବାହାର କରି ତଳେ ରଖି ଖଟ ଉପରେ ବସି କହିଲେ–‘‘ସେ ପ୍ରତିକାର ବରଂ ତୁମଆଡ଼ୁ ତୁମେ କରିବା ଭଲ ।’’

 

‘‘ମୋ ତରଫରୁ ହେଲେ ତୁମ ମନରେ ଆଘାତ ଆସିବ ନାହିଁ ? କାରଣ ତୁମ ମନରେ କଷ୍ଟ କି ଆଘାତ ହେଲେ ମୁଁ ସହି ପାରିବି ନାହିଁ ତୁମ ହୃଦୟରେ କଷ୍ଟ, ଯନ୍ତ୍ରଣା ହେଲେ ମୁଁ ଦେଖି ରହି ପାରିବି ନାହିଁ ।’’ ଲକ୍ଷ୍ମୀ ହେମକାନ୍ତଙ୍କ କୋଳରେ ନିଜ ମଥାଟିକୁ ରଖି କହିଲେ ।

 

‘‘ନା, ନା, କିଛି କଷ୍ଟ ହେବ ନାହିଁ ।’’ ହେମକାନ୍ତଙ୍କ ହୃଦୟ ଭିତରେ ଯେପରିକି ବିସ୍ଫୋରଣ ସୃଷ୍ଟି ହେଉଥିଲା । କଣ୍ଠରେ ତାତ୍ସଲ୍ୟ ଓ ଚକ୍ଷୁରେ ଲକ୍ଷ୍ମୀଙ୍କ ପ୍ରତି ଘୃଣା ଭରି ଉଠୁ ଥିଲା ।

 

‘‘ତୁମେ ଗୋଟିଏ କାମ କରିପାରିବ ?’’ ଅତି ଅନୁନୟ ହୋଇ ପଚାରିଲେ ଲକ୍ଷ୍ମୀ ।

 

କିଛି ସମୟ ନୀରବ ରହି ହେମକାନ୍ତ କଣ୍ଠକୁ ଅଧିକ ଗମ୍ଭୀରକରି କହିଲେ, କ’ଣ ?’’

 

ଲକ୍ଷ୍ମୀ କହିଲେ–‘‘ନାଇଁ ଥାଉ ।’’

 

‘‘କ’ଣ କହୁଛ କହୁନ ?’’

 

‘‘ନାଇଁ, ଯାହା କରିବା କଥା ମୁଁ କରିବି ।’’ ଲକ୍ଷ୍ମୀ କାନ୍ଦୁଥିବା ଅବସ୍ଥାରେ କହୁଥିଲେ ।

 

କିଛି ସମୟ ରହି ଲକ୍ଷ୍ମୀ ଦୀର୍ଘ ନିଃଶ୍ୱାସ ପକାଇ କହିଲେ–‘‘ପୁରୁଷ ଓ ନାରୀର ହୃଦୟ ଓ ଧୈର୍ଯ୍ୟ, ଜଣେ ଜଣଙ୍କୁ ଅପେକ୍ଷା କରିବାର ଶକ୍ତି ମଧ୍ୟରେ ବହୁତ ତଫାତ୍‌ । ପୁରୁଷ ଅନ୍ୟ ଯୁବତୀର ସୌନ୍ଦର୍ଯ୍ୟରେ ହଠାତ୍‌ ଭୁଲିଯାଏ, ନିଜ ସ୍ତ୍ରୀ ପ୍ରେମିକାର ଭଲ ପାଇବାରେ କୁଠାରଘାତ କରି ତା’ ହୃଦୟରେ ଅଶେଷ ଦୁଃଖ, ଯନ୍ତ୍ରଣା, ନିରାଶ, ହତାଶର ନିଆଁଜାଳି ତାକୁ ଛାଡ଼ି ରହିଯାଏ । ମାତ୍ର ତା’ ସ୍ତ୍ରୀ, ବା ପ୍ରେମିକା କ’ଣ ହୁଏ ଜାଣ ? ପାଗଳ ! ପାଗଳ ! ଗ୍ରୀଷ୍ମଦିନର ଲତାଟି ଭଳି ଶୁଖି ଶୁଖି ମରିଯାଏ ।’’ ‘‘ହାଃ, ହାଃ, ହୋ, ହୋ, ହୋଇ କାନ୍ଦମିଶା ସ୍ୱରରେ ହସି ଉଠିଲେ ଲକ୍ଷ୍ମୀ ।

 

ହେମକାନ୍ତ ଖଟତଳକୁ ଓହ୍ଲାଉ ଓହ୍ଲାଉ କହିଲେ–‘‘ଆଚ୍ଛା ପାଗଳୀ ହାବୁଡ଼େ ପଡ଼ିଛି ମଣିଷ ! କିଛିଦିନ ପରେ ନିଜେ ମୁଁ ମଧ୍ୟ ପାଗଳ ହୋଇଯିବି ।’’

 

ଦିଆସିଲି ଜାଳି ଲଣ୍ଠନଟି ଲଗାଇଲେ । ଗତ ରାତି ଭଳି ତଳେ ମସିଣା, ତକିଆ ପକାଇ ମଶାରିଟାଣି ମନରେ ଅଶେଷ ଜ୍ୱାଳା, ଯନ୍ତ୍ରଣା, ଭାବନା, ଚିନ୍ତା ନେଇ ଶୋଇଗଲେ ହେମକାନ୍ତ ।

 

ଲଣ୍ଠନ ଲାଗିବାରୁ ଲକ୍ଷ୍ମୀ ଖଟ ଉପରେ ଉଠି ବସିଲେ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ଲଣ୍ଠନ ଲଗାଇ, ତଳେ ଶୋଇଲ ଯେ ? କ’ଣ ଖଟ ଉପରେ ଗରମ ହେଲା ?

 

ହେମକାନ୍ତ କିଛି ଉତ୍ତର ଦେଲେ ନାହିଁ । କାନ୍ଥଆଡ଼କୁ ମୁହଁକରି ଶୋଇ ରହିଲେ ।

 

ଲକ୍ଷ୍ମୀ କହିଲେ–‘‘ମୁଁ ଏହି ଦୁଇଦିନ ହେଲା ଲକ୍ଷ୍ୟ କରୁଛି, ତୁମେ ସବୁବେଳେ ଅନ୍ୟମନସ୍କ ରହୁଛ । ମନେମନେ କ’ଣ ସବୁ ଭାବୁଛ କେଜାଣି ? କାଲି ରାତିରେ ଯାଇ ତଳେ ଶୋଇଲ । ଆଜି ସେହିପରି ହଠାତ୍‌ ଉଠିପଡ଼ି ଲଣ୍ଠନ ଲଗାଇ ତଳେ ମସିଣା ତକିଆ ପକାଇ ଶୋଇଲଣି ! କ’ଣ ତୁମ ମନରେ ହୋଇଛି, ତୁମକୁ ମୋ ରାଣ, ସତକରି କୁହ ।’’

 

କୌଣସି ଉତ୍ତର ନ ପାଇ ସେ ତଳକୁ ଆସି ହେମକାନ୍ତଙ୍କ ଗୋଡ଼ ଦୁଇଟିକୁ ଧରି ଅତି କରୁଣ କଣ୍ଠରେ ପଚାରିଲେ–‘‘ତୁମେ କ’ଣ ମୋତେ ବିବାହ କରି ସୁଖୀ ନୁହ ?’’ ଆଖିରୁ ତାଙ୍କର କାକର ଟୋପା ଭଳି ଲୋତକ ବିନ୍ଦୁ ପଡ଼ି ହେମକାନ୍ତଙ୍କ ପାଦକୁ ସିକ୍ତ କରୁଥିଲା ।

 

ହେମକାନ୍ତ ମୁହଁ ବୁଲାଇ ଡାହାଣ ହାତ ପାପୁଲିରେ ନିଜ ମଥାକୁ ରଖି ଲକ୍ଷ୍ମୀଙ୍କ ମୁହଁକୁ ଚାହିଁ ବିରକ୍ତି ସ୍ୱରରେ ପଚାରିଲେ–‘‘ମୁଁ ଯଦି ତୁମକୁ ସେହି ପ୍ରଶ୍ନ ପଚାରେ ?’’ ମୁହଁ ତାଙ୍କର କ୍ରୋଧରେ ତରଳା ଲୁହା ଭଳି ଲାଲ ଦିଶୁଥିଲା ।

 

ଲକ୍ଷ୍ମୀ ହେମକାନ୍ତଙ୍କ ମୁହଁକୁ ଚାହିଁ ଭୟରେ ବ୍ୟାକୁଳ ହୋଇ ଉଠିଲେ । ପଚାରିଲେ–‘‘ମୋର କ’ଣ ଦୋଷ, ମୁଁ ତ କିଛି ଜାଣିପାରୁ ନାହିଁ । ଅଥଚ, ତୁମେ ମୋ ଉପରେ ଅଯଥା ବିରକ୍ତ ହେବାରେ ଲାଗିଛ !

 

‘‘ମୁଁ ତୁମ କଥାବାର୍ତ୍ତାରୁ ଠିକ୍‌ ଠଉରେଇ ସାରିଲିଣି, ତୁମେ ବିବାହ ପୂର୍ବରୁ ଅନ୍ୟ କାହାକୁ ଭଲ ପାଉଥିଲ । ମୋତେ ବିବାହ କରିବାପାଇଁ, ତୁମର ଆଦୌ ମନ ନଥିଲା । ତୁମ ବାପା, ବୋଉ ବାଧ୍ୟକରି ତୁମକୁ ମୋତେ ବିବାହ ଦେଇଛନ୍ତି ।’’ ହେମକାନ୍ତଙ୍କ କଥାରେ ଦୃଢ଼ତା ଥିଲା ।

 

ଲକ୍ଷ୍ମୀଙ୍କ ଓଠ ଦୁଇଟି ଥରିବାକୁ ଲାଗିଲା । ସେ କାନ୍ଦି କାନ୍ଦି କହିଲେ–‘‘ତୁମେ ଏକଥା କହିପାରୁଛ ?’’

 

‘‘ମୁଁ କାହିଁକି କହିବି ? ତୁମେ ତୁମ ତୁଣ୍ଡରେ ନିଜେ କହୁଛ । ଯେତେବେଳେ ତୁମର ସେ ପ୍ରେମିକର କଥା ମନେ ପଡ଼ିଯାଉଛି, ତୁମର କାନ୍ଦ ପଞ୍ଚମକୁ ଉଠି ଯାଉଛି ତୁଣ୍ଡରୁ ତା’ରି କଥା ବାହାରୁଛି । ଆଖିରେ ତୁମର ତା’ରି ରୂପନାଚୁଛି । କାଲି ରାତିରେ ଆଲୁଅ ଲିଭିଗଲାରୁ ମୁଁ ଭାବୁଥିଲି, ତୁମେ ଅନ୍ଧାରଘରକୁ ଭୟ କରୁଚ । ମାତ୍ର ଆଜି ଦେଖୁଛି, ଘଟଣା ପ୍ରକୃତରେ ତାହା ନୁହେଁ-।’’ ହେମକାନ୍ତ କହିଲାବେଳେ ରାଗରେ ତାଙ୍କର ସର୍ବାଙ୍ଗ ଥରୁଥିଲା । ସେ ମୁଣ୍ଡରୁ ହାତ ବାହାର କରି ମୁହଁ ମାଡ଼ି ତକିଆରେ ଶୋଇ କାନ୍ଥଆଡ଼କୁ ଚାହିଁ ରହିଲେ ।

 

ଲକ୍ଷ୍ମୀ ମୁଣ୍ଡରେ ହାତ ଦେଇ ବସି ପଡ଼ି କହିଲେ–‘‘କେତେ କଥା ତୁମେ କହି ଯାଉଛ ? ବିବାହ ପୂର୍ବରୁ କୌଣସି ଝିଅ କ’ଣ ଅନ୍ୟ ପୁରୁଷକୁ ଭଲପାଇପାରେ ? ହେ ଭଗବାନ ! ଏ କାନ କ’ଣ ଆଜି ଶୁଣୁଛି ? ମନରେ କେତେ ଆଶାଭରସା ଥିଲା, ଆଜି ଭବିଷ୍ୟତ ମୋର କ’ଣ ହେବାକୁ ଯାଉଛି !’’ ସେ ଆଉ କିଛି କହି ପାରିଲେ ନାହିଁ । ମୁଣ୍ଡ ତାଙ୍କର ଘୂରାଇ ଦେଲା ଭଳି ମନେ ହେଲା । ଚତୁର୍ଦ୍ଦିଗ ଯେପରିକି ତାଙ୍କୁ ଅନ୍ଧକାର ଦିଶିଲା ।

 

ହେମକାନ୍ତ ତକିଆରୁ ମୁଣ୍ଡକୁ ଅଳ୍ପ ଉଠାଇ କହିଲେ–‘‘ମୁଁ ଏତେକ ଜାଣିଥିଲେ ତୁମକୁ ବିବାହ କରି ନଥାନ୍ତି ।’’

 

କିଛି ସମୟ ନୀରବରେ କଟିଗଲା । ହେମକାନ୍ତ କି ଲକ୍ଷ୍ମୀ କାହାରି ତୁଣ୍ଡରେ ଭାଷା ନଥିଲା । ଏହି ସମୟରେ ଲଣ୍ଠନଟି ଦପଦପ ହୋଇ ଲିଭିଗଲା । ହେମକାନ୍ତଙ୍କ ଗୋଡ଼ତଳେ ଲକ୍ଷ୍ମୀ ଶୋଇ ପଡ଼ିଲେ । ହେମକାନ୍ତଙ୍କଠାରୁ ଏତେ କଥା ଶୁଣିବା ପରେ ତାଙ୍କର ଆଉ ବସିବାକୁ ଶକ୍ତି ନଥିଲା । ଦେହ ଯେପରିକି ଅଳସ ଭଳି ଲାଗୁଥିଲା । ମଥା ଭିତରେ ସେ ଶୂନ୍ୟତା ଅନୁଭବ କରୁଥିଲେ ।

 

କିଛି ସମୟ ପରେ ପୁଣି ଲକ୍ଷ୍ମୀ କଇଁକଇଁ ହୋଇ କାନ୍ଦି ଉଠିଲେ । ହେମକାନ୍ତଙ୍କୁ ଭୀଷଣ ବିରକ୍ତ ଲାଗିଲା । ସେ ମସିଣାରୁ ଉଠିଯାଇ ଖଟ ଉପରେ ଶୋଇଲେ ଏବଂ ମନେମନେ ଠିକ୍‌ କଲେ, ଲକ୍ଷ୍ମୀ ଯଦି ଏଥର ଖଟ ଉପରକୁ ଆସେ, ତେବେ ତାଙ୍କୁ ଧକ୍କା ଦେଇ ତଳକୁ ଓହ୍ଲାଇ ଦେବେ, ସିଧା ସିଧା ବାହାରକୁ ଚାଲିଯିବେ ।

 

ହେମକାନ୍ତ ଖଟ ଉପରକୁ ଯିବାପରେ ଲକ୍ଷ୍ମୀଙ୍କର କାନ୍ଦ ବନ୍ଦ ହୋଇଗଲା । ସେ ହାତରେ ଅଣ୍ଡାଳି ଦେଖିଲେ, ହେମକାନ୍ତ ସେଠାରେ ନାହାନ୍ତି । ସେ ହେମକାନ୍ତଙ୍କୁ ଆଉ ଖୋଜିଲେ ନାହିଁ । ସେହି ମସିଣାରେ ନୀରବରେ ଶୋଇ ରହି ଆଖିରୁ ଲୁହ ଝରାଇବାରେ ଲାଗିଲେ ।

 

ହେମକାନ୍ତ ଖଟ ଉପରେ ମୁଣ୍ଡତଳେ ଦୁଇହାତ ଦେଇ ଚିତ୍‌ ହୋଇ ଉପରକୁ ଚାହିଁ ଶୋଇ ରହିଲେ । ତାଙ୍କର ହେମଲତାଙ୍କ କଥା ମନେ ପଡ଼ିଲା । ମନେ ପଡ଼ିଲା, ହେମଲତାଙ୍କ ହୃଦୟ କି ସରଳ, ନିର୍ମଳ ଥିଲା ! ଛନ୍ଦ, କପଟ କ’ଣ ସେ ଜାଣି ନଥିଲେ । ମନର କଥା ବଙ୍କେଇ କହିବାର ଢଙ୍ଗ ତାଙ୍କୁ ଜଣା ନଥିଲା । କେତେବେଳେ ସେ ତାଙ୍କ ଉପରେ କୌଣସି କଥାରେ ବିରକ୍ତ ହୋଇ ଦୁଇପଦ କହି ଦେଉଥିଲେ, ହେମଲତା ତାକୁ ଛଳ କରୁ ନଥିଲେ । ଯେତେବେଳେ ହେମଲତା କୌଣସି କଥାରେ ରୁଷି ଅଭିମାନ କରି ନ ଖାଇ ଲୁହ ଗଡ଼ାଉଥିଲେ, ହେମକାନ୍ତ ତାଙ୍କ ଆଖିରୁ ଲୁହ ପୋଛି, ମୁଣ୍ଡରେ ହାତ ବୁଲାଇ ଆଣୁଥିଲେ । ସେ ରୁଷା, ଅଭିମାନ, ଦୁଃଖ ତାଙ୍କର କେଉଁ ଆଡ଼େ ଉଭେଇ ଯାଉଥିଲା । ସବୁବେଳେ ମୁହଁରେ ତାଙ୍କର ହସ ଲାଗି ରହିଥିଲା । ଏଭଳିଗୁଡ଼ାଏ କାନ୍ଦିବା, ଗୁଡ଼ାଏ ଏଣୁତେଣୁ ଗପିବ । ସେ କେବେ ତାଙ୍କଠାରେ ଦେଖି ନଥିଲେ ।

 

ହେମକାନ୍ତ ଏଭଳି ଭାବୁଥିବାବେଳେ ଯେପରିକି କାହାର ହସ୍ତସ୍ପର୍ଶ ଅନୁଭବ କରି ଚମକି ଉଠିଲେ । କାନ୍ଥକୁ ଲାଗିଥିବା ଖଟ ଧାରକୁ ଘୁଞ୍ଚିଗଲେ । ମନରେ ତାଙ୍କର ଘୃଣା ଓ ବିରକ୍ତି ଅଧିକ ମାତ୍ରାରେ ଦେଖାଦେଲା ।

 

‘‘ତୁମେ ମୋ ଉପରେ ରାଗିଛ ? ମୋ ସୁନାଟି ପରା ! ମୁଁ ତୁମକୁ ଛାଡ଼ି କେବେ ରହିପାରିବି ? ତୁମ ମୁହଁ ଟିକିଏ ଶୁଖିଗଲେ ମୋ ମନରେ କେତେ ଦୁଃଖ, କେତେ କଷ୍ଟ ହୁଏ ତୁମେ ଜାଣି ପାରିବ ନାହିଁ । ମୋ ହୃଦୟ-ମନ୍ଦିରର ଦେବତା ପରା ତୁମେ । ମୁଁ ତୁମ ପୂଜାରିଣୀ । ଦେବତାକୁ ଛାଡ଼ି ପୂଜାରିଣୀ ରହି ପାରିବ ? ଆସ । ମୁହଁ ବୁଲାଅ ।’’

 

ହେମକାନ୍ତ କୌଣସି ଉତ୍ତର ଦେଲେ ନାହିଁ । ମାତ୍ର ରାଗ, ଘୃଣା ବଦଳରେ ଅଭିମାନ ଯେପରିକି ତାଙ୍କ ମନକୁ କ୍ରମେ ଅଧିକାର କରୁଥିଲା । ତାଙ୍କୁ ଜଣା ପଡ଼ୁଥିଲା ସେ ଯେପରିକି ହେମଲତାଙ୍କର ସ୍ୱର ତାଙ୍କ କାନ ପାଖରେ ଶୁଣି ପାରୁଛନ୍ତି, ହେମଲତାଙ୍କର ସ୍ପର୍ଶ ଶରୀରର ପ୍ରତି ରକ୍ତବିନ୍ଦୁରେ ଅନୁଭବ କରୁଛନ୍ତି ।

 

‘‘ଦୋକାନରୁ ଖଟି ଖଟି ଆସିଲ । କେତେ ଚିନ୍ତା, ଭାବନା, ଉଦ୍‌ବେଗ, କ୍ଳାନ୍ତି ନେଇ ଘରକୁ ଫେରିଛ । ଘରେ ଟିକିଏ ଆନନ୍ଦ ପାଇବ ବୋଲି । ମନରେ ତୁମର ଅଶାନ୍ତି ଆସିଲେ ଦେହ ତୁମର ଝଡ଼ି ଯିବନି ?’’

 

‘‘ସେ କଥା ବୁଝୁଥିଲେ ଦୁଇଦିନ ହେଲା ରାତିରେ ତୁମେ କାନ ପାଖରେ ଭେରଣ୍ଡା ବିଲୁଆ ଭଳି କାନ୍ଦି କାନ ଫଟାଉଥାନ୍ତ ? ମୁଁ ତୁମକୁ କହି ଦେଉଛି, ତୁମେ ଯଦି ଅନ୍ୟ କାହାକୁ ଭଲ ପାଉଥାଅ, ତେବେ ପରିଷ୍କାର କରି କହିଦିଅ । ମୁଁ ତୁମକୁ ଏଥିରେ ବାଧା ଦେବି ନାହିଁ, ତୁମର କିଛି କ୍ଷତି କରିବି ନାହିଁ । ବରଂ ତୁମ ଦୁହିଁଙ୍କର ପୁନର୍ମିଳନରେ ମୁଁ ସାହାଯ୍ୟ କରିବି ।’’

 

ହେମକାନ୍ତଙ୍କୁ ଆଉ କିଛି କହିବାକୁ ନ ଦେଇ, ତାଙ୍କ ପିଠିକୁ ଲାଗିଆସି ମୁହଁ ଉପରେ ମୁହଁ ରଖି ପାଟିରେ ହାତ ଦେଇ ସେ କଥାକୁ ବନ୍ଦକରି ଦେଲା ଭଳି ତାଙ୍କୁ ଲାଗିଲା । ହେମକାନ୍ତ ତାଙ୍କର ଡାହାଣ ହାତ ତା’ ଦେହରେ ବୁଲାଇ ଅନୁଭବ କଲେ, ଯେପରିକି ହେମଲତାଙ୍କ ଶରୀରର ସମସ୍ତ ଆଭରଣ, କୋମଳତା, ଉଷ୍ମତା ଆଉ ଉତ୍ତେଜନା ନେଇ ଲକ୍ଷ୍ମୀ ତାଙ୍କ ପାଖରେ ଶୋଇଛନ୍ତି ।

 

ଖଟଉପରୁ ହେମକାନ୍ତଙ୍କର କଥାବାର୍ତ୍ତା ଆରମ୍ଭ ହେବା ଶୁଣି ଲକ୍ଷ୍ମୀ ତଳେ ମଶାରି ଭିତରେ ଶୋଇ ସତର୍କ ଓ ସତେଜ ହୋଇ କାନ ପାରି ଏବଂ ଖଟଆଡ଼କୁ ମୁହଁ ରଖି ନିଦରେ ଶୋଇବା ଭଳି ଅଭିନୟ କରୁଥିଲେ ।

 

ହେମକାନ୍ତ କହିଲେ–‘‘ମୋତେ ବିରକ୍ତ କରିବାକୁ ତୁମକୁ ବୋଧେ ଭଲ ଭଲ ଲାଗେ, ନୁହେଁ ?’’

 

‘‘ପୁରୁଷ ହସିଲେ, ଖୁସିଥିଲେ, ଅଭିମାନ କଲେ, ରାଗିଲେ, ଭାବୁଥିଲେ, ମନରେ ଦୁଃଖକଷ୍ଟ ଥିଲେ ତାଙ୍କ ମୁହଁ କିମିତି ଦିଶେ, ଦେହ କିପରି ଥରେ, ହାତ, ପାଦ କେଉଁ ଅବସ୍ଥାରେ ଥାଏ, ସ୍ତ୍ରୀ ହୋଇ ତ ତାହା ସବୁ ମୋର ଜାଣିବା ଉଚିତ ।’’ ହେମକାନ୍ତଙ୍କ ପାଖରେ ଶୋଇଥିବା ଯୁବତୀଙ୍କ କଣ୍ଠରୁ ଶୁଣିବାକୁ ମିଳିଲା ।

 

ହେମକାନ୍ତ ନିଜ ଦେହ ଆଡ଼କୁ ତାଙ୍କୁ ଆହୁରି ଆଉଜାଇ ଆଣି, ତାଙ୍କ ଗଣ୍ଡଦେଶରେ ସରୁ ଚାପୁଡ଼ାଟି ଦେଇ କହିଲେ, ଦୁଃଷ୍ଟ !

 

ଉଭୟେ ହସି ଉଠିଲେ । ସେହି ହସର ଲହରରେ ଲକ୍ଷ୍ମୀ ଚମକି ପଡ଼ିଲେ । ତାଙ୍କ ଛାତି ଭିତରେ ଢିଙ୍କି ପାହାର ଭଳି ଶବ୍ଦ ଶୁଣାଗଲା । ହୃଦୟରେ ଶତ ଆଶଙ୍କା ଝଡ଼ର ଊର୍ମିମାଳା ସୃଷ୍ଟିକଲା-। ତାଙ୍କ ସ୍ୱାମୀ ଭଲ ପାଉଥିବା ଝିଅଟି ବର୍ତ୍ତମାନ ତାଙ୍କ ପାଖକୁ ଆସିଛି ଏବଂ ଏହିଘରେ ସେ ଲୁଚି ରହିଥିଲା–ଏହି ଦୃଢ଼ ଧାରଣା ତାଙ୍କ ମନରେ ଜାଗ୍ରତ ହେଲା । କୌଣସି ଶବ୍ଦ ନ ହେଲା ଭଳି ସେ ଧୀରେ ଧୀରେ ତଳୁ ମଶାରି ଭିତରୁ ଉଠି ଖଟ ପାଖକୁ ଗଲେ । ତାଙ୍କ ସନ୍ଦେହୀ ଦୃଷ୍ଟିରେ ଖଟ ଉପରକୁ ଚାହିଁଲେ । ତାଙ୍କୁ ଜଣାଗଲା, ଯେପରିକି ତାଙ୍କ ସ୍ୱାମୀଙ୍କ ପାଖରେ ଗୋଟିଏ ଯୁବତୀ ଝିଅ ଖୁବ୍‌ ପାଖକୁ ଲାଗି ଶୋଇଛି ଏବଂ ତା’ରି ଛାତିରେ ତାଙ୍କ ସ୍ୱାମୀଙ୍କର ମୁହଁଟି ରହିଛି । ଯୁବତୀଟି ଗୌର । ଧବଳ ଶାଢ଼ି ପରିହିତା । ମୁକୁଳିତ କେଶ ମାତ୍ର କାନ୍ଥଆଡ଼କୁ ତା’ର ମୁହଁଟି ଥିବାରୁ ସ୍ପଷ୍ଟ ଦେଖାଯାଉ ନାହିଁ । ଲକ୍ଷ୍ମୀ ଏ ଦୃଶ୍ୟ ବେଶୀ ସମୟ ଦେଖି ପାରିଲେ ନାହିଁ । ଚକ୍ଷୁ ଦୁଇଟି ଆପେଆପେ ତାଙ୍କର ବନ୍ଦ ହୋଇ ଆସିଲା । ଶରୀରରେ ଶତ ବୃଷ୍ଚିକର ଦଂଶନ ସେ ଅନୁଭବ କଲେ । ଖଟ ପାଖରୁ କିଏ ଯେପରିକି ଧକ୍କା ଦେଲାପରି ତାଙ୍କୁ ଲାଗିଲା । ସେ କଚାଡ଼ି ହୋଇ ତଳେ ପଡ଼ିଗଲେ । ତାଙ୍କର ହୋସ୍‌ ନଥିଲା ।

 

ଲକ୍ଷ୍ମୀ ତଳେ କଚାଡ଼ି ହୋଇ ପଡ଼ିବାର ଶବ୍ଦ ଶୁଣି ହେମକାନ୍ତ କ’ଣ ଘଟିଲା ବୋଲି ଜାଣିବାପାଇଁ ଉଦ୍‌ବିଗ୍ନ ହୋଇ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ । ଯୁବତୀଟି ନିବିଡ଼ ଭାବରେ ବାହୁବେଷ୍ଟନୀ ଭିତରେ ହେମକାନ୍ତକୁ ଛନ୍ଦି ଦେଇ କହିଲେ–‘‘ନା, ନା, ତୁମେ ଯାଅନା । ବିରାଡ଼ି କି ମୂଷା ଡେଇଁ କୌଣସି ଜିନିଷ ପକାଇ ଦେଇଥିବ ।’’

 

ଯୁବତୀର ଅଙ୍ଗଲତାର ଛନ୍ଦ ମଧ୍ୟରେ ହେମକାନ୍ତ ଛନ୍ଦି ହୋଇ ରହି ଭାବୁଥିଲେ, ସେ ଯେପରି କ୍ରମେ ନିଜକୁ ହରାଇ ବସୁଛନ୍ତି । ତାଙ୍କର ଯେପରି ଚଳନଶକ୍ତି, ବାକ୍‌ ଶକ୍ତି, ପୌରୁଷ ଏକୀଭୂତ ହୋଇ ସେ ଶକ୍ତି ପାଖରେ ନିଜର ସତ୍ତା ହରାଇ ବସିଛି ।

 

ରାତି ଭିତରେ ଆଉସବୁ କ’ଣ ଘଟିଲା ଲକ୍ଷ୍ମୀ କିମ୍ୱା ହେମକାନ୍ତଙ୍କୁ ଜଣା ନଥିଲା । କବାଟରେ କାନ୍ତିଙ୍କର ଠକ୍ ଠକ୍ ଶବ୍ଦରେ ଲକ୍ଷ୍ମୀଙ୍କର ନିଦ ଭାଙ୍ଗିଗଲା । ସେ କେତେ ସମୟ ବେହୋସ ହୋଇ ପଡ଼ିଥିଲେ । କେତେବେଳେ ତାଙ୍କର ଚେତନା ଫେରି ଆସିଲା, କିଛି ମନେ ପଡ଼ିଲା ନାହିଁ । ମାତ୍ର ସେ ଉଠିଲା ବେଳକୁ ଭାରି ଦୁର୍ବଳ ଅନୁଭବ କରୁଥିଲେ । ସେ ଉଠି ବସିଲେ । ଘରର ଚଉଦିଗକୁ ଚାହିଁଲେ । ଝରକା, କବାଟର ଫାଙ୍କ ଭିତର ଦେଇ ଆସୁଥିବା ପ୍ରଭାତର କ୍ଷୀଣ ଆଲୋକରେ ଘରଟି ତାଙ୍କୁ ବେଶ୍ ପରିଷ୍କାର ଦେଖା ଯାଉଥିଲା । କ୍ରମେ କ୍ରମେ ତାଙ୍କର ପୂର୍ବରାତି କଥା ମନେ ପଡ଼ିଲା । ସେ କବାଟ ପାଖକୁ ଦ୍ରୁତ ପାଦରେ ଯାଇ ଦେଖିଲେ କବାଟଟି ଭିତରୁ ବନ୍ଦ ଅଛି । ତା’ପରେ ସେ ଅତି ସନ୍ତର୍ପଣରେ ଆସି ଖଟ ଉପର ମଶାରି ବାହାରୁ ହେମକାନ୍ତଙ୍କ ମୁହଁକୁ ଅନାଇଲେ । ଦେଖିଲେ ହେମକାନ୍ତ ନିଶ୍ଚିନ୍ତରେ ତାଙ୍କରି ଆଡ଼କୁ ମୁହଁ କରି ଶୋଇଛନ୍ତି । ସେ ଖଟ ଉପରେ ପଡ଼ିଥିବା ବେଡ଼୍‍ସିଟ୍‍ର ପ୍ରତି ଇଞ୍ଚ୍ ଜାଗା ତାଙ୍କ ସନ୍ଦେହୀ ଦୃଷ୍ଟିରେ ପରୀକ୍ଷା କରି ଚାଲିଲେ । ଦେଖିଲେ, ଖଟ ଉପରେ ହାତର ଭଙ୍ଗାକାଚ, ସ୍ତ୍ରୀ ମୁଣ୍ଡର ଲମ୍ୱ ଅଡ଼ୁଆ ବାଳ ପଡ଼ିଛି । ତାକୁ ସବୁ ବେଡ଼୍‍ସିଟ୍‌ ଉପରୁ ହେମକାନ୍ତଙ୍କ ଅଜାଣତରେ ସାଉଁଟି ଆଣି ଏକତ୍ର କରି ଖଣ୍ଡିଏ ଛିଣ୍ଡାକନାରେ ବାନ୍ଧି ଲୁଚାଇ ରଖିଲେ । ତା’ପରେ ଭାରାକ୍ରାନ୍ତ ହୃଦୟରେ ଟଳି ଟଳି କବାଟ ଖୋଲି ବାହାରକୁ ଆସିଲେ । ଲକ୍ଷ୍ମୀ ବାହାରକୁ ଆସିଲାବେଳେ ଭାବୁଥିଲେ, ସେ ନିଦ୍ରିତ ଥିବା ଅବସ୍ଥାରେ ଝିଅଟି ବୋଧେ ଏଘରୁ ଚାଲିଯାଇଛି ଏବଂ ତାଙ୍କ ସ୍ୱାମୀ କବାଟ ବନ୍ଦ କରି ଆସି ଶୋଇଛନ୍ତି । ରାତିଟିଯାକ ତା’ ସହିତ ହସଖୁସିରେ କଟାଇ ଥିବାରୁ ବର୍ତ୍ତମାନ ସୁଦ୍ଧା ନିଦ ଛାଡ଼ିନି ।

 

–ଛଅ–

 

କାନ୍ତି ଓ ବାସନ୍ତୀଙ୍କ ସହିତ ଲକ୍ଷ୍ମୀ ପୋଖରୀକୁ ଗାଧୋଇବାକୁ ଗଲେ ସତ, ହେଲେ ପ୍ରତି ମୁହୂର୍ତ୍ତରେ ତାଙ୍କୁ ଲାଗୁଥିଲା, ତାଙ୍କର ଏ ଅବଶ ଦୁର୍ବଳ ଶରୀରରେ ସେ ବେଶୀକ୍ଷଣ ଧରି ଚାଲି ପାରିବେ ନାହିଁ; ସେ ନିଶ୍ଚୟ ବାଟରେ କୌଣସିଠାରେ ପଡ଼ିଯିବେ । ବାଟରେ ଯାଉ ଯାଉ ତାଙ୍କୁ କାନ୍ତି ଓ ବାସନ୍ତୀଙ୍କର କଥା ଭଲ ଲାଗୁ ନଥିଲା । କେବଳ ମ୍ଳାନ ହସ ମୁହଁରେ ସେମାନଙ୍କର ପ୍ରଶ୍ନଗୁଡ଼ିକୁ ‘‘ହଁ’’ ‘‘ନାହିଁ’’ ବୋଲି ମୁଣ୍ଡ ହଲାଇ ଉତ୍ତର ଦେଉଥିଲେ ଏବଂ କହୁଥିଲେ–‘‘ମୋ ଦେହ ଭଲ ଲାଗୁନାହିଁ । ଭାରି ଅବଶ ଲାଗୁଛି ।’’

 

କାନ୍ତି ଥଟ୍ଟା କରି କହିଲେ–‘‘ସେମିତି ଲାଗେଲୋ ମା’ ! ନୂଆ ଯୁବତୀ, ନୂଆ ପୀରତି, ସ୍ନେହ, ସୋହାଗରେ ପାଏ ରାତିଟି । ଦିନ ହେଲେଟି, ଆଖି ମଳି ମଳି ଶେଯ ଛାଡ଼ନ୍ତି, ହେଲେ ନିଦ ଲାଗିଥାଏ ଆଖିପତାଠି ।’’

 

ବାସନ୍ତୀ ହସି ହସି କହିଲେ–ତୋ ଭଳି ଅଲାଜୁକି ଆଉ କେହି ନାହାନ୍ତି ।

 

କାନ୍ତି କହିଲେ–ତୁ କହୁନୁ, ଚଉଠି ଠାରୁ ସାତମଙ୍ଗଳା ରାତିପର୍ଯ୍ୟନ୍ତ ତୋର କିମିତି କଟିଥିଲା ?

 

ବାସନ୍ତୀଙ୍କର ଚଉଠି ରାତି କଥା ମନେ ପଡ଼ିଲା । ମୁହଁଟି ତାଙ୍କର ଶୁଖିଗଲା । ସେ କହିଲେ ମୋ କଥା ତୁ କାହିଁକି ତୁଣ୍ଡରେ ଧରୁଛୁ ? ମୁଁ ଏକ ହତଭାଗିନୀ ।

 

କାନ୍ତି କହିଲେ–ଥାଉ, ଥାଉ, ଆଉ କହନା, କହନା । ତୋ ସ୍ୱାମୀ ଯବାନ । ସୈନ୍ୟବାହିନୀରେ ଚାକିରି । ଦେଶର ମେରୁଦଣ୍ଡ । ଆଖି ତରାଟି, ନିଶ ମୋଡ଼ି ଅନାଇ ଦେଲେ ପାଞ୍ଚ ପାଞ୍ଚଟା ଶତ୍ରୁ ପିନ୍ଧାଲୁଗା ମାରାକରି ପ୍ରାଣଭୟରେ ପଛୁଆ ପଛୁଆ ଦୌଡ଼ି ପଳାଇବେ, ପୋଖରୀ ଗଡ଼ିଆ ଖୋଜିବେ । ଆମ ଭଳି କ’ଣ ତୋ ସ୍ୱାମୀ ଚାଷୀ ହଳିଆ ହୋଇଛନ୍ତି ?

 

‘‘ବରଂ ଚାଷୀ ହଳିଆ ହୋଇଥିଲେ ଭଲ ହୋଇଥାନ୍ତା । ପ୍ରତିଦିନ ସକାଳେ ସଞ୍ଜରେ ତ ତାଙ୍କୁ ଟିକିଏ ଦେଖିବାକୁ ପାଉଥାନ୍ତି ! ଦୁଇମାସ ଛୁଟି ନେଇ ଆସିଥିଲେ । ଘରେ ଥିଲେ । ଏବେ ଛୁଟି ପୂରିଗଲା, ଗଲେ । କେଉଁ ସୀମାନ୍ତର ବଣ ଜଙ୍ଗଲ, ପାହାଡ଼ ଅପନ୍ତରା ଜାଗାରେ ଡିଉଟି ପଡ଼ିଥିବ । ରହିଥିବେ ।’’ ବାସନ୍ତୀ କହୁ କହୁ ତାଙ୍କର ଆଖିପତା ଲୁହରେ ଓଦା ହୋଇ ଆସିଲା । ସେ ଲୁଗାକାନିରେ ଆଖି ପୋଛିଲେ ।

 

କାନ୍ତି କହିଲେ–କିମିତି ବୁଟ୍‌, ସୁଟ୍‌ ପିନ୍ଧି ବନ୍ଧୁକ କାନ୍ଧରେ ପକାଇ ଲେଫ୍‍ଟ, ରାଇଟ୍‌ କରି ତୋ ସ୍ୱାମୀ ମାଡ଼ି ଆସୁଛନ୍ତି ଦେଖୁଛୁଟି ? ତାଙ୍କର ଗାଡ଼ି, ମଟର, ଟ୍ରେନ୍‌, ପ୍ଲେନ୍‍ରେ ଯିବା ଆସିବା । ଦୁଇମାସ ରହିଲେ ମଧ୍ୟ ସେଥିରେ ଆନନ୍ଦ ଅଛି । ଗୋଛାଗୋଛା ନୋଟ୍ ବିଡ଼ା ଆଣି ଫିଙ୍ଗି ଦେଉଛନ୍ତି । ଯେଉଁ ଦୁଇ ମାସ ସେ ଘରେ ରହିଲେ–ପିଲାଙ୍କ ସହିତ ଦୁହେଁ ଖାଇଲ ପିଇଲ, ସିନେମା, ଥିଏଟର ଦେଖିଲ, ଯାନିଯାତ୍ରା ବୁଲିଲ, ସ୍ନୋ, ପାଉଡ଼ର, ଅଳତା, ବାସ୍ନାତେଲ ଲଗାଇଲ । ଦେହକୁ ଚକଚକ ମହମହ କଲ । ତୁ ଭଲ ଶାଢ଼ି ପିନ୍ଧିଲୁ । ଦୁହେଁ ବେଶ୍ ଫୂର୍ତ୍ତି କଲ । ଆଉ ଆମ ଭଳି, ଆମ ସ୍ୱାମୀ ସକାଳୁ ଉଠି ଗାମୁଛା ଖଣ୍ଡେ ପିନ୍ଧି ବିଡ଼ି ଦିଖଣ୍ଡ ଗୁଡ଼ାଖୁ ମେଞ୍ଚେ କାନରେ ଖୋସି ବିଲକୁ ଚାଲିଲେ । ଯେବେ କହିବ–ଆହେ ଦାନ୍ତ ଘଷି କ’ଣ ଦି’ଟା ପାଟିରେ ପକାଇ ବିଲକୁ ଯାଅ । ଦେହ ଖରାପ ହେବ, ଜରରେ ପଡ଼ିବ ?’’ ଆମ ପୁରୁଷସିଂହ ହୁଙ୍କାର ଦେଇ କହିବେ–‘‘ତୁମେ ସେମିତି ସବୁଦିନ ସକାଳୁ ବକ ବକ ହୁଅନା ବୋଲି ପରା କହୁଛି । ଯେଉଁଆଡ଼େ ବାହାରିଲେ ପଛରୁ ଗଜରଗଜର ହେବା ଅଭ୍ୟାସ ଗଲାନି ।’’ ତା’ପରେ ଅଣ୍ଟା ଖୋସଣିରୁ ବାହାରିବ ଦିଆସିଲି । କାନରୁ ବିଡ଼ି ଖଣ୍ଡେ ବାହାର କରି ତା’ ମୁଣ୍ଡ ହାତ ପାପୁଲିରେ ଦୁଇଥର ବାଡ଼ିଆ ହେବ । ତା’ପରେ ସେ ଲାଗିବ । ବାବୁ ଆମର ଧୂଆଁ ଛାଡ଼ି ଛାଡ଼ି ପାହୁଲ ପକେଇ ପକେଇ ବିଲକୁ ଚାଲିବେ । ସେଠାରୁ ଫରୁ ଫେରୁ ଦିନ ବାର ।

 

‘‘ସେ ପର୍ଯ୍ୟନ୍ତ ଚା’ କି ଜଳଖିଆ କିଛି ଖାଇ ନଥାନ୍ତି ?’’ ବାସନ୍ତୀ ପଚାରିଲେ । କାନ୍ତି କହିଲେ–ନାଇଁମ, ଆଉ ଖାଇବେ କ’ଣ ? ତେଣୁ ଆସି ଫାଁ ଗାଳି ଦେଇ ବସି ପଡ଼ିବେ । ମୋ ଦେହ କ’ଣ ହୋଇ ଯାଉଛି । ମୋତେ ଭାରି ଭୋକ । ମୁଁ ଘରଦ୍ୱାର ଛାଡ଼ି କୁଆଡ଼େ ପଳେଇବି । ଏ ବିଲବାଡ଼ି କାମକୁ ପାରିବିନି । ଆରମ୍ଭ ହେବ ବକ୍ତବ୍ୟ । ମୁଁ ତାଙ୍କ କଥା ଜାଣେ, ଅଧବେଲାଏ ଖଣ୍ଡେ କ୍ଷୀର, ମୁଢ଼ି, ଚିନି ହେଉ କିମ୍ୱା ଛତୁଆ, ଗୁଡ଼ ହେଉ ବା ଚୁଡ଼ା, ଗୁଡ଼, ପାଚିଲା କଦଳୀ ହେଉ–ଚକଟି ଆଣି ଥୋଇଦେଇ ପାଖରେ ବସି ପଙ୍ଖା କରି ସେତକ ଖାଇବାକୁ ଦେଇଦିଏ । ଖାଇ ସାରିଲା ପରେ ପଚାରେ–ଆହେ, କହୁଥିଲ ପରା ଏ ଘରଦ୍ୱାର ବିଲବାଡ଼ି ଛାଡ଼ି କୁଆଡ଼େ ଚାଲିଯିବ ବୋଲି । ଚାଲ ଯିବା, ସହରରେ ଘର ନେଇ ରହିବା । ହୋଟେଲରେ ଖାଇ ଦିନଟିଯାକ ରିକ୍‌ସା ଖଣ୍ଡିଏ କରି ଦୁହେଁ ସହରସାରା ବୁଲିବା । ସନ୍ଧ୍ୟାବେଳକୁ ସିନେମା ଦେଖି, ପୁଣି ହୋଟେଲରେ ଖାଇ ବସାକୁ ଆସିବା–ଆଉ ଯାଏଁ କୁଆଡ଼େ ? ସଙ୍ଗେ ସଙ୍ଗେ କଥା ମୋ ଉପରକୁ ଓଲଟିଲା ‘‘କ’ଣ କହିଲୁ ? ହୋଟେଲରେ ଖାଇ, ରିକ୍‌ସାରେ ବସି ସହର ବୁଲିବୁ ? ସିନେମା ଦେଖିବୁ ?’’ ମୁଁ କି ଛାଡ଼ିବା ଜନ୍ତୁ-। ମୁଁ କହେ, ତୁମେ ଏଇଲେ କହୁଥିଲନା ?

 

‘‘ମଲୁନି ଯାହା ତୁ କାନ୍ତି !’’ ବାସନ୍ତୀ ହସି ହସି କାନ୍ତିକୁ ଠେଲି ଦେଲେ । କାନ୍ତି ଯାଇ ଲକ୍ଷ୍ମୀଙ୍କ ଦେହରେ ଧକ୍କା ଖାଇଲେ । ଲକ୍ଷ୍ମୀଙ୍କୁ ମିଶାଇ ସମସ୍ତଙ୍କ ମୁହଁରେ ହସ ପ୍ରକାଶ ପାଇଲା ।

 

ତିନିହେଁ ଯାକ ପୋଖରୀକୂଳରେ ପହଞ୍ଚିଲେ । ପୁଣି କାନ୍ତି ଆରମ୍ଭ କଲେ, ବୁଝିଲୁ ବାସନ୍ତୀ, ଆମର କିମିତି ଚଉଠି ରାତି କଟିଲା ଜାଣିଛୁ ?

 

‘‘କିମିତି ?’’ ଶୁଣିବାପାଇଁ ଆଗ୍ରହରେ କାନ୍ତିଙ୍କ ମୁହଁକୁ ଚାହିଁଲେ ବାସନ୍ତୀ । ଲକ୍ଷ୍ମୀ ମଧ୍ୟ ତାଙ୍କ ଓଢ଼ଣା ଭିତରୁ କାନ୍ତିଙ୍କ ମୁହଁକୁ ଚାହିଁଥିଲେ ।

 

କାନ୍ତି କହିଲେ–ଚଉଠି ଦିନ ହୋମ ଓ ଖିଆପିଆ ଶେଷ ହେଉ ହେଉ ରାତି ଏଗାରଟା ହେଲା । ଆମ ଗେରସ୍ତ କ’ଣ କରିଛନ୍ତିନା ତାଙ୍କ ସାଙ୍ଗସୁଖଙ୍କ ସାଙ୍ଗରେ ପଡ଼ି ଚଉକଷ ଭାଙ୍ଗ ଗ୍ଲାସ୍‌ଟିଏ ପକାଇ ଦେଇ ଖାଇପିଇ ଶୋଇବାଘରେ ଆସି ଶୋଇଲେ । ଆମ ମାଇପିଙ୍କର ସବୁ ଖିଆପିଆ ସରିଲା । ଆମ ଗେରସ୍ତଙ୍କ ଉପର ଭଉଣୀ ଆଉ ପଡ଼ିଶାଘରର ଦୁଇଟି ଝିଅ ମୋତେ ଧରି ଧରି ଆଣି ସେଘରକୁ ଠେଲି ଦେଇ ବାହାରୁ କବାଟ ଆଉଯାଇ ଦେଲେ । ମୁଁ ଶୋଇବାଘର ଭିତରକୁ ପଶି ଚାହିଁଲା ବେଳକୁ ସ୍ୱାମୀ ଆମର ନୂଆଲୁଗା, ନୂଆ ଗଞ୍ଜି ପିନ୍ଧି, ବେକରେ ମୋଟା କୁସୁମ ଫୁଲ ମାଳଟିଏ ପକାଇ ନୂଆ ସଉପ ଓ ତକିଆରେ ଶୋଇ ବେଶ୍‌ ଘୁଙ୍ଗୁଡ଼ି ମାରୁଛନ୍ତି । ଘରର ଗୋଟିଏ କୋଣରେ ପୁଲାଙ୍ଗ ତେଲର ଦୀପଟିଏ ଜଳୁଛି । ସେ ପୁଣି ଗର୍ଭକୁ ଜଳି ଆସିଲାଣି-। ହୁଏତ ଇଲେ କି ଆଉ ଟିକିଏ ଗଲେ ଲିଭିଯିବ । ମୁଁ ଭିତରୁ କବାଟଟି ଦେଇ କବାଟ କୋଣରେ ଓଢ଼ଣା ଟାଣି ଠିଆ ହୋଇଛି ତ ହୋଇଛି । ସେତ ଭାଙ୍ଗ ପେଟେ ପକାଇ ଦେଇ ଶୋଇଛନ୍ତି, ତାଙ୍କର କାହିଁକି ନିଦ ଭାଙ୍ଗିବ ! ମୁଁ ଦୀପଟାକୁ ତେଜି ଆଉ ଗୋଟିଏ ମୋଟା ବଳିତା ପକାଇଲି-। ତଳେ ଘଡ଼ିରେ ପୁଲାଙ୍ଗ ତେଲ ରହିଥିଲା । ଦୀପରେ ଭର୍ତ୍ତି କଲି । ସେ ଘରଯାକ ଗୋଡ଼କୁ କଚାଡ଼ି ଦୁଇ ତିନିଥର ଦୁମ୍‌ଦୁମ୍‌ ଭୁଷ୍‌ଭାଷ୍‌ କରି ଶବ୍ଦ କଲି । ହେଲେ କାହିଁକି ତାଙ୍କର ନିଦ ଭାଙ୍ଗିବ ! ବରଂ ତାଙ୍କ ଘୁଙ୍ଗୁଡ଼ି ରଡ଼ିରେ ମୋ ଛାତି ଭୟରେ ଥରୁଥାଏ । ମନେମନେ ଭାବୁଥାଏ, ଆଚ୍ଛା ଘୁଷୁରିଆଟାକୁ ମୋତେ ବାହା କରିଦେଲେ ! ପ୍ରଥମ ରାତିରୁ ତ ଏୟା, ୟାଙ୍କୁ ନେଇ ମୁଁ କି ଘର କରିବି ?

 

ବାସନ୍ତୀ ପଚାରିଲା–ତା’ପରେ ?

 

କାନ୍ତି କହିଲେ–ରୁଖାରେ ଥିବା ନୁଖୁରା ବଳିତାରୁ ଗୋଟିଏ ନେଇ କାନ ତାଙ୍କର ସଲସଲ କଲି । ହୁଁହାଁ କରି କଡ଼ ଲେଉଟାଇଲେ । ଆଙ୍ଗୁଠିରେ କାନକୁ ଆଉଁଶି ପୁଣି ଶୋଇଲେ ସିନା ଉଠିଲେ ନାହିଁ । ଭାରି ବିରକ୍ତ ଲାଗିଲା । ଭାବିଲି, ନୀରବରେ ତାଙ୍କ ପାଖରେ ଶୋଇଯିବି । ପୁଣି ଭାବିଲି, ପାଖରେ ନ ଶୋଇ ଗୋଡ଼ତଳେ ତାଙ୍କର ଶୋଇ ପଡ଼ିବି । ପୁଣି ଭାବିଲି, ଗୋଡ଼ତଳେ ଶୋଉ ଶୋଉ ମାରିବେ ଯଦି ଯୋଡ଼ି ଗୋଇଠା, ମୋ ପତ୍ନୀପଣିଆ ରାତିଟି ଭିତରେ ଛାଡ଼ିଯିବ । କାନ୍ଥକୁ ଆଉଜି କିଛି ସମୟ ବସିଲି । କେଉଁଠି ଥିଲେ ସେ ବଣୁଆ ଦଳୁଆ ମଶା ! ଶବକୁ ଶାଗୁଣା, ବେଢ଼ିଲା ଭଳି ଆସି ଘେରିଗଲେ । ଦେହର ଜାଗାଏ ଜାଗାଏ କାମୁଡ଼ି ଫୁଲାଇ ଦେଲେ । ଏଣେ ଘର ଚାଳ ଉପରେ ମୂଷାଗୁଡ଼ାକ ଭୂତପ୍ରେତ ଭଳି ଖଡ଼ଖଡ଼ କରୁଥାନ୍ତି । ଡର ଲାଗୁଥାଏ ଯେ କାହିଁରୁ କ’ଣ । ୟାଙ୍କର ୟେ ନିଶ୍ଚିନ୍ତରେ କୁମ୍ଭୀର ଭଳି ପଡ଼ିଥାନ୍ତି । ମନ ଆଉ ସମ୍ଭଳା ହେଲା ନାହିଁ । ଏଣେ ରାଗ ମୋର ପଞ୍ଚମକୁ ଉଠିଲାଣି । ମନ ବେଳକୁ ବେଳ ପିତା ଲାଗୁଥାଏ । ଭାବୁଥାଏ, ବରଂ ଅଭିଆଡ଼ୀ ଝିଅ ଥିଲି, ଭଲ ଥିଲି । କିଏ ହଳୁଆ, କିଏ ବଳଦିଆ, କିଏ ଘୁଷୁରିଆ କିଏ ମଦୁଆ, କିଏ ଲଫଙ୍ଗା, କିଏ ବାଳୁଙ୍ଗା, କିଏ ବାହାପିଆ, କିଏ ଅଳସୁଆ, କିଏ ଟେରା, କିଏ କଣା, କିଏ ଛୋଟା, କିଏ ମୋଟା, କିଏ ଧଡ଼ିଆ, କିଏ ପତଳା ଏମାନେ ସବୁ ଆମରି ଭାଗ୍ୟକୁ ପୁଣି ଥାଆନ୍ତି । ଏଥିରୁ ଗୋଟେ ଗୋଟେ ଧରି ଆଣି ବାହା ନାଆଁରେ ଝିଅମାନଙ୍କୁ ବାପ, ମାଆ, ବଡ଼ବାପା, ସାନବାପା, ଅଜା ଆଈ ଯେଉଁ ବାନ୍ଧି ଦେଉଛନ୍ତି, ସେଥିରେ ଝିଅମାନେ ବିଚାରୀ–ଗାଈ ମାଇଲେ ମଲି, ଗାଈକୁ ମାଇଲେ ମଲି ଅବସ୍ଥା ଭୋଗୁଛନ୍ତି ।

 

ବାସନ୍ତୀ ପଚାରିଲେ, ତା’ପରେ ତୋ ଗେରସ୍ତ କଥା କ’ଣ ହେଲା କହମ ? କାନ୍ତି କହିଲେ–କିଛି ସମୟ କାନ୍ଥକୁ ଆଉଜି ବସିଛି, ମନକୁ ଗୋଟିଏ ବୁଦ୍ଧି ଆସିଲା । କାଠ ରୁଖାରେ ଥିବା ଲୁଖୁରା ବଳିତାରୁ ଆଉ ଦୁଇଟା ଆଣି ଏକାଠି କରି ଦୀପରେ ଲଗାଇ ଗୋଡ଼କୁ ତାଙ୍କର ଚେଙ୍କି ଦେଲି । ଠିକ୍‌ କରି ନେଲି, ଏଥର ଉସ୍‌ପାର ନହେଲେ ଇସ୍‌ପାର । ଯେମିତି ବଳିତା ଚେଙ୍କା ଲାଗିଛି, ସେ ଚାଉଁ କରି ଉଠି ମସିଣା ଉପରେ ବସି ଗୋଡ଼କୁ ଆଉଁଶିବାରେ ଲାଗିଲେ । ତା’ପରେ କଟମଟ କରି ଚାରିଆଡ଼କୁ ଚାହିଁଲେ । ମୁଁ ତାଙ୍କ ଚେହେରା ଆଉ ରଙ୍ଗବୋଳା ନାଲିଆଖିକୁ ଦେଖି ଭାବୁଥାଏ–ମୋତେ ଆଜି ଖାଇଲେ ୟେ ! ମୁଁ ଦୁଇ ଆଣ୍ଠୁ ଉପରେ ହାତକୁ ରଖି ତା’ ଉପରେ ମୁହଁକୁ ତଳକୁ କରି ତାଙ୍କ ଆଡ଼କୁ କଣେଇ କଣେଇ ଚାହୁଁଥାଏ । କିଛି ସମୟ ଗୋଡ଼କୁ ଆଉଁଶିବା ପରେ ମତେ ହଲେଇ ଦେଇ କହିଲେ–ହେଇ ଶୁଣୁଛ, ତୁମେ କେତେ ବେଳୁ ଆସିଲଣି ? ମୋ ଗୋଡ଼ଟାକୁ ମୂଷା କି ବିଛା କିଏ ଗୋଟେ କାମୁଡ଼ି ଦେଲା । ଭାରି ପୋଡ଼ୁଛି । ମୁଁ କିଛି ନ ଜାଣିଲା ଭଳି ଦୀପଟାକୁ ଆଣି ତାଙ୍କ କହିବା ମୁତାବକ ଆଗ ମୂଷା, ଅସରପା, ବିଛାକୁ ବୁହେ ଖୋଜି ପକାଇଲି । ସେ ବା କାହିଁକି ସେ ଘରେ ଥାଆନ୍ତେ ! ତା’ପରେ ତାଙ୍କ ଗୋଡ଼କୁ ଦେଖିଲି । ଚେଙ୍କି ଦେଇଥିବା ଜାଗାଟା କଳା ପଡ଼ି ଯାଇଛି । ମୋ ମନରେ ଭାରି କଷ୍ଟ ହେଲା । ପ୍ରଥମ ଚଉଠି ରାତିରେ ମର୍ଦପୁଅ ଦେହରେ ନିଆଁ ଚିଆଁ ଦେଲି ! କାନ୍ଥ ଖୁରାରେ ନଡ଼ିଆ ତେଲ ବୋତଲ ଥିଲା । ଘର କୋଣରେ ପାନ ଡାଲାରେ ଚୂନ ଡବା ଥିଲା । ନଡ଼ିଆତେଲ ଓ ଚୂନ ଉପର ପାଣି ମିଶାଇ ତାଙ୍କ ଗୋଡ଼ର ପୋଡ଼ା ଜାଗାରେ ଲଗାଇ ଦେଲି । ପୋଡ଼ାଜଳା ଯେମିତି ଟିକିଏ କମିଲା, କହିଲେ–ମୁଁ କ’ଣ ଖାଇବି । ମୋତେ ଭୋକ କଲାଣି । ଆଚ୍ଛା କଥା ! ମୁଁ ତ ତିନି ଦିନ ହେଲା ଏ ଘରକୁ ବୋହୂ ହୋଇ ଆସିଛି । କେଉଁଠି କ’ଣ ଅଛି ଜାଣିଛି ଯେ, ଝଟପଟ ଯାଇ ଖାଇବାକୁ ବାଢ଼ି ଦେବି ? ଚଉଠି ଭୋଜିପାଇଁ ଯେଉଁ ରନ୍ଧାବଢ଼ା ହୋଇଥିଲା, କ’ଣ ବଳିଛି, ନ ବଳିଛି ମୋତେ ଜଣା ନାହିଁ । ପୁଣି ସେ ସବୁ ଘରେ ଅଛି କି ବାହାରେ ଅଛି, ମୁଁ ବା କେମିତି ଜାଣିବି ? ତା’ପରେ ବାସନକୁସନ କେଉଁଠି, ପାଣି ଜାଗା କେଉଁଠି, ଗ୍ଲାସ୍ କେଉଁଠି ମୋତେ କିଛି ଜଣା ନଥିଲା । ଘର କବାଟ ଭିତରୁ ଦେଇ ଯେ ଯାହାର ଶୋଇଛନ୍ତି । ବାଧ୍ୟ ହୋଇ ଶାଶୁ ଶୋଇଥିବା ଘର କବାଟକୁ ଠକ୍ ଠକ୍ କଲି । ଶାଶୁ ଉଠିଲେ । ତାଙ୍କୁ ଶୁଣେଇ ଶୁଣେଇ ଖାଇବା କଥା କହିଲି, ସେ ଉଠି ତାଙ୍କୁ ଖାଇବାକୁ ଦେଲେ । ଖାଇବା ଜାଗାରେ ଗୁଡ଼ାଏ ବାନ୍ତି କଲେ । ଦେହ ତାଙ୍କର ଝୋଲା ମାଇଲା ପରି ହୋଇଗଲା । ଯେଉଁ ଦୁଃଖ ! ଶାଶୁ ହାଉଳି ଖାଇ ଶ୍ୱଶୁରଙ୍କୁ ଉଠାଇଲେ । ଶୋଇଥିବା ବନ୍ଧୁବାନ୍ଧବ ଉଠିଲେ । ଶ୍ୱଶୁର ଭାଙ୍ଗ ଖାଇଥିବା କଥା ଶୁଣି ୟାଙ୍କ ଉପରେ ଭୀଷଣ ବିରକ୍ତ ହେଲେ । କେଉଁଠି ତେନ୍ତୁଳି, କେଉଁଠି କାଗଜିଲେମ୍ୱୁ ଅଛି ଖୋଜା ହୋଇ ଆସିଲା । ତେନ୍ତୁଳି ପାଣି ପିଇବାକୁ ଦିଆଗଲା । କାଗଜିଲେମ୍ୱୁ ଶୁଙ୍ଘେଇବାକୁ ପଡ଼ିଲା । ମୁଁ ମଧ୍ୟ କାହିଁକି ତାଙ୍କୁ ନିଦରୁ ଉଠାଇ ଏଭଳି ଦଣ୍ଡ ଦେଲି ବୋଲି ଭାବି ନିଜକୁ ନିଜେ କେତେ ଧିକ୍‌କାର କଲି । ଅନ୍ଧାରରେ ବସି ବୁହେ କାନ୍ଦିଲି । ସେ ଟିକିଏ ସୁସ୍ଥ ହେବାରୁ ଆସି ଶୋଇଲେ । ଉଠିଲା ବେଳକୁ ତହିଁ ଆରଦିନ ସକାଳ ଆଠଟା କି ନଅଟା । ଭାଙ୍ଗ ଖାଇଥିଲେ ବୋଲି ବାପା ବୋଉଙ୍କଠାରୁ ସେ ସେଦିନ ମଧ୍ୟ ଗାଳି ଖାଇଲେ । ହେଲେ ସେହିଦିନଠାରୁ ବିଡ଼ି ଖଣ୍ଡେ ଖଣ୍ଡେ ଟାଣୁଛନ୍ତି, ଗୁଡ଼ାଖୁ ଟିକିଏ ଘଷୁଛନ୍ତି ସିନା; ଭାଙ୍ଗ କି ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଆଉ ଖାଉ ନାହାନ୍ତି ।

 

ପୋଖରୀରେ ଗାଧୁଆ ଆରମ୍ଭ ହେଲା । ବାସନ୍ତୀ ପଚାରିଲେ–ତୋ ବାହାବେଳେ କ’ଣ ସବୁ ତୁମ ଘରୁ ଯୌତୁକ ଯାଇଥିଲା ?

 

ଯୌତୁକ କାହିଁକି ଦିଆଯିବମ ? ଶ୍ୱଶୁର ଆମର ମୋତେ ଦେଖିବାକୁ ଆସିଥିଲେ । ମୋ ନାଁ ହେଉଛି ସିନା କାନ୍ତି, ହେଲେ ଚନ୍ଦ୍ରକାନ୍ତି ଭଳି ସେତେବେଳେ ମୋର ଡଉଲ ଡାଉଲ ରୂପ ଥାଏ-। ଯେ ଦେଖୁଥାଏ, ଲୋଭେଇ ଯାଉଥାଏ । କେତେ ଯେ ପ୍ରସ୍ତାବ ମୋପାଇଁ ନ ଆସିଛି, ତାହା ନୁହେଁ-। ଭଲ ଭଲ ଜାଗାରୁ ମଧ୍ୟ ପ୍ରସ୍ତାବ ଆସିଥିଲା, ହେଲେ ଡିମାଣ୍ଡ୍ କାହିଁରୁ କ’ଣ । କେଉଁଠି ଟୋକାଟି ପାଠ ପଢ଼ି କିରାଣିଟିଏ ହୋଇଛି ବୋଲି ତା’ର ଢଙ୍ଗ, ରଙ୍ଗ, ଚାଲିଚଳନ, କଥାବାର୍ତ୍ତା ସତେ ବା ଦଶହଜାରୀ । ଝିଅ ଦେଖା ନ ହେଉଣୁ ଆଗ ବାପାଙ୍କୁ ମୋର ପଚରା ହେଲା–ସ୍କୁଟର୍, ଦଶହଜାର ଟଙ୍କା ବାଟଖର୍ଚ୍ଚ, ଦଶ ଭରି ସୁନାଗହଣା, ଟେପରେକର୍ଡ଼ର, ସୋଫାସେଟ୍‌ ଦେଇ ପାରିବେ ତ-? ବାପ୍‌ରେ ବାପ୍‌ ! ସେ ପାତ୍ରକୁ ନମସ୍କାର । ଦରମା ବୋଲି ପାଞ୍ଚ ଛଅ ଶହ ଟଙ୍କା । ଆମ ଘର ବଳଦ ଦୁଇଟାଙ୍କର ମାସିକ ଖାଇବା ଟଙ୍କାକୁ ନିଅଣ୍ଟ । ପୁଣି ବାବୁଙ୍କର ପେଣ୍ଟ, ଜାମା, ମାଇପର ସ୍ନୋ, ପାଉଡ଼ର, ଶାଢ଼ି, ଚପଲ କିଣା ଅଛି । ଏହା ବ୍ୟତୀତ ମାସିକ ଖାଇବା ଖର୍ଚ୍ଚ ତ ରହିଛି । ବାବୁ ବାବୁରିବାଳ ରଖି, କଳା ଚଷମା ପିନ୍ଧି, ଦାମିକା ଜୋତା ହଳେ ମଡ଼ାଇ ମଚମଚ ହୋଇ ଚାଲି ଯାଉଛନ୍ତି ବୋଲି କ’ଣ କନ୍ୟାପିତାମାନେ ତାଙ୍କ ଦୁଆରେ ଝିଅ ଦେବାପାଇଁ ମାଡ଼ଗୋଳ ଲଗାଇବେ ? ବାପା ସେ ପ୍ରସ୍ତାବକୁ ଦୂରରୁ ନମସ୍କାର କରି ପ୍ରତ୍ୟାଖ୍ୟାନ କଲେ । ଆଉ ଗୋଟିଏ ପ୍ରସ୍ତାବ ଆସିଥିଲା । ପାତ୍ରଟି ଅଧା ପାଠୁଆ । ଅର୍ଥାତ୍‌ ଆଇ.ଏ. ଫେଲ୍ । ନୁହେଁ କିରାଣିକୁ ଯୋଗ୍ୟ କି ନୁହେଁ ଚପରାସିକୁ ଯୋଗ୍ୟ । ଚାକିରି ବାକିରି ମଧ୍ୟ ନାହିଁ । ବ୍ୟବସାୟ କି ଚାଷ ଦିଗରେ ତା’ର ଆଗ୍ରହ ନାହିଁ । ବାପାଙ୍କ ପଇସାରେ ଫୂର୍ତ୍ତି କରିବା, ସିନେମା ଦେଖିବା, ବଜାରରେ ବୁଲିବା, ହୋଟେଲରେ ଖାଇବା, ଗାଁ ବଜାରୀ ଟୋକାଙ୍କ ସଙ୍ଗେ ମିଶି ଝିଅ ବୋହୂଙ୍କୁ ଆଖି ଠାରିବା ହେଲା କାମ । ବାପା ତା’ର ଚାହୁଁଥିଲେ ପୁଅଟାକୁ ହାତକୁ ଦୁଇହାତ କରିଦେଲେ ହୁଏତ ବାଟକୁ ଆସିବ । କେଉଁ କାମରେ ହେଲେ ମନ ଦେବ । ଜମିବାଡ଼ି ତାଙ୍କର ଭଲ ଥିଲା । ଗାଁରେ କୋଠାଘର । ଦୁଇହଳ ବଳଦ । ଦୁଆଁଳୀ ଗାଈ । ଖାଇବା, ପିନ୍ଧିବା କେଉଁଥିରେ ଅଭାବ ନଥିଲା । ହେଲେ ନିଜେ ପାତ୍ର ତ ଅଯୋଗ୍ୟ-। ବାହାହେଲା ବାସି ଘରକୁ ଦୁଇଖଣ୍ଡ କରିଦେବ-। ବିଲବାଡ଼ି ବିକି ପଇସା ଉଡ଼େଇ ଦେବ । ମାଇପକୁ ବାଡ଼େଇ ବାପଘରକୁ ତଡ଼ି ଦେଇ କାହା ପିଣ୍ଡା, ବାରଣ୍ଡାରେ ଗଡ଼ିବ । ତାକୁ ଝିଅ ବିଭା ଦେବା ଅପେକ୍ଷା ଘରେ ବରଂ ଅଭିଆଡ଼ୀ ରଖିବା ଭଲ । ଆଉ ଦୁଇ ତିନୋଟି ପ୍ରସ୍ତାବ ଆସିଥିଲା । କିଏ କଣା ତ, କିଏ ଛୋଟା । କିଏ ଗୋଦରା ତ କିଏ ସର୍କସ୍ ଜୋକର୍ ପରି ବାମନ । କିଏ କୁଆ ଭଳି କଳା ତ କାହାର ଯମ ଭଳି ଭୟଙ୍କର ଚେହେରା । ବାପା ଗୋଟି ଗୋଟି କରି ଏସବୁ ପ୍ରସ୍ତାବକୁ ମନା କରିଦେଲେ । ମାତ୍ର ୟାଙ୍କ ପ୍ରସ୍ତାବଟି ଯେତେବେଳେ ଆସିଲା, ବାପା, ବୋଉ କ’ଣ ଭାବୁଥିଲେ କେଜାଣି, ମୋ ମନ ଖାଲି ଅଜାଣତରେ ତାଙ୍କରି ଘରକୁ ଟାଣି ହୋଇ ଯାଉଥିଲା । ମୁଁ ଖାଲି ଭଗବାନଙ୍କୁ ଡାକୁଥାଏ, ହେ ପ୍ରଭୁ, ଏଇଠି ମୋ ବିଭାଘର ଠିକ୍‌ ହୋଇଯାଉ ।

 

ଶ୍ୱଶୁରେ ଆସି ପ୍ରଥମେ ଦେଖି ମୋ ହାତରେ ଟଙ୍କା ପାଞ୍ଚଟି ଦେଇ ବାପାଙ୍କୁ କହିଲେ–ବୁଝିଲ ଦାସେ, ତୁମେ, ତୁମ ସ୍ତ୍ରୀ ଆଜିଠାରୁ ମୋର ସମୁଦି, ସମୁଦୁଣୀ ହେଲ । କନ୍ୟାଟି ମୋ ମନକୁ ବେଶ୍ ପାଇଛି, ମୁଁ ଏହାକୁ ବୋହୂ କରି ମୋ ଘରକୁ ନେବି । ବୋଉ ମୋର ଘରକୋଣରେ ଥାଇ ବାପାଙ୍କୁ କହିଲାପରି ଶୁଣେଇ ଶୁଣେଇ କହିଲା–ତୁମ ସ୍ତ୍ରୀଙ୍କର ପସନ୍ଦ, ପୁଅର ପସନ୍ଦ ପୁଣି ଅଛି ତ-? ନା ତୁମ ପସନ୍ଦକୁ ସେମାନେ ପସନ୍ଦ କରିବେ ?

 

ଶ୍ୱଶୁରେ କହିଲେ–ଆହେ ସେମାନଙ୍କର ଗୋଟେ ପସନ୍ଦ କ’ଣ ? ମୁଁ ଘରର ମୁରବି । ମୁଁ ଯେଉଁ ଝିଅକୁ ବୋହୂପାଇଁ ପସନ୍ଦ କରିବି, ସେମାନେ ସେଥିରେ ପୁଣି ଆପତ୍ତି କରିବେ ? ସେମାନେ ଅବଶ୍ୟ ମୁଁ ଫେରିଯିବା ପରେ ଆସିବେ, ଝିଅକୁ ଦେଖିବେ । ହେଲେ ମୋର ବିଶ୍ୱାସ, ସେ ମୋ ପସନ୍ଦକୁ ଅପସନ୍ଦ କରିବେ ନାହିଁ । ବାପା ପଚାରିଲେ–ଦବାନବା କଥା ? ଶ୍ୱଶୁରେ କହିଲେ–କ’ଣ ଡିମାଣ୍ଡ୍ କଥା ପଚାରୁଛ ? ପୁଅ ମୋର ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍‌ ପାସ୍ କରିଛି । କଲେଜରେ ଅଧିକ ପଢ଼ି ଚାକିରି ବାକିରି କରିବ ବୋଲି, ତା’ର ଇଚ୍ଛା ଥିଲା ମାତ୍ର ଆମର ତ ସେହି ଖଣ୍ଡିକ ନୟନର ସଙ୍ଖାଳି, ଅନ୍ଧର ଲଉଡ଼ି । ତା’ ବୋଉ କହିଲା–ସେ ବାହାରେ ଯାଇ ରହିଲେ କି ପଢ଼ିଲେ ମୁଁ ତାକୁ ଛାଡ଼ି ରହିପାରିବି ନାହିଁ । ମୋର ମନଟା କାହିଁକି ଆଉ ପଢ଼ାଇବାକୁ ଡାକିଲା ନାହିଁ । ମୋର ଦଶ ଏକର ନାଳକୂଳିଆ ଏକ ନମ୍ୱର ଜମି, ଆମ୍ୱ, ନଡ଼ିଆ ବଗିଚା ଦୁଇଟି ଅଛି । ଗଛ ସେଥିରେ ଶହେରୁ କମ୍‌ ହେବନାହିଁ । ମୋର ମାଛପୋଖରୀ ଦୁଇଟି । ତାକୁ ନେଇ ଆଣି ଏପଟ ସେପଟ କରିଲେ ବର୍ଷକୁ ଟଙ୍କା ଦଶ ହଜାରରୁ କମ୍‌ ପାଇବ ନାହିଁ । ପାଠ ପଢ଼ି କେଉଁ ହାକିମ କିଲଟର ବା ସେ ହେବ ? କେତେ ବା ଟଙ୍କା ମଇନା ପାଇବ ? ହେଇ ହେଇ ମାସକୁ ପାଞ୍ଚଶହ କି ଅତି ବେଶୀରେ ହଜାରେ ଟଙ୍କା ଦରମା ପାଇଥାନ୍ତା । ସହରରେ ରହିଲେ ଘରଭଡ଼ା, ଧୋବା, ବାରିକ, ଜଳଖିଆ, ରିକ୍‌ସା ଖର୍ଚ୍ଚରେ ତ ସେତକ ନିଅଣ୍ଟ, ବଳିବ କ’ଣ ଯେ ପିଲା ମାଇପକୁ ପୋଷିବ ? ଇମିତି ତ ଆମ ହଳିଆ ମୂଲିଆ ମାସକୁ ପାଞ୍ଚଶହ ଟଙ୍କା ନେଇ ଯାଉଛନ୍ତି । ତେଣୁ ମୋ ପୁଅକୁ ମୁଁ ଅଧିକା ପାଠ ପଢ଼ାଇବାକୁ ପସନ୍ଦ କଲି ନାହିଁ । ମୁଁ ଠିକ୍ କରିଛି, ଯାହାଘରୁ ବୋହୂଟି ଆଣିବି, ତାଙ୍କଘରୁ କିଛି ଯାନିଯୌତୁକ ଆଣିବି ନାହିଁ । ଆହେ, ଆମେ ମଣିଷ ନା କଂସେଇ ? ବୋହୂ କରିବା ନାଁରେ ତାଙ୍କ ଘରୁ ଝିଅଟିକୁ ତ ଆଣିବା । କେତେ ଆଦର ସ୍ନେହ ଶ୍ରଦ୍ଧାରେ ପିଲାଟିକୁ ତାଙ୍କ ବାପା ମା’ ଏଡ଼େଟିରୁ ଏଡ଼େଟିଏ କରି ବଢ଼ାଇଲେ, ଫୁଲଟିଏ ଗଛରୁ ଛିଣ୍ଡାଇ ଆଣିଲା ଭଳି ଆମେ ବୋହୂ ନାଁରେ ତାକୁ ଛିଣ୍ଡାଇ ଆଣିଲୁ, ଝିଅ ବିଦାୟବେଳେ କେତେ କଷ୍ଟ ତାଙ୍କ ମନରେ ନ ହେଉଥିବ ? ସେଥିରେ ପୁଣି ଫୁଲ ଆଣିବା ଆଳରେ ଗଛଟିର କଢ଼ି, ପତ୍ର, ଡାଳ, ଏପରିକି ମୂଳଚେର ମଧ୍ୟ ଛିଣ୍ଡାଇ ଦେଇ ତାକୁ ଭୂଇଁରେ ଲୋଟାଇ ଦେଲାଭଳି ସ୍କୁଟର୍, ଘଣ୍ଟା, ରେଡ଼ିଓ, ସୁନା ଅଳଙ୍କାର, ବାଟଖର୍ଚ୍ଚ, ବାସନକୁସନ ପର୍ଯ୍ୟନ୍ତ ଦାବି କରି ସାତପୁରୁଷକୁ ବନ୍ଧୁ ବାନ୍ଧିବା ଲୋକକୁ ତଳିତଳାନ୍ତ କରିବାଟା କ’ଣ ବିବେକୀ ମନୁଷ୍ୟର କାର୍ଯ୍ୟ ?

 

କାନ୍ତି କହିଲେ–ସତରେ କହୁଛି ବାସନ୍ତୀ, ଶ୍ୱଶୁରେ ଯଦି କିଛି ଦାବି କରିଥାନ୍ତେ, ମୁଁ ସିଧା ସିଧା ଯାଇ ତାଙ୍କ ସାମନାରେ ଠିଆ ହୋଇ ‘ବାହା ହେବିନାଇଁ’ ବୋଲି ମନା କରି ଦେଇଥାନ୍ତି ।

 

ବାସନ୍ତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ତୁ ସାମନାକୁ ଯାଇ କହିପାରି ଥାଆନ୍ତୁ ?

 

କାନ୍ତି କହିଲେ–କାହିଁକି କହିପାରି ନଥାନ୍ତିମ ! ମୁଁ କ’ଣ ଡରିଛି । ଝିଅମାନେ ବୋହୂ ହୋଇଗଲେ କେଉଁ ଦୋଳିରେ ଏବେ ଶ୍ୱଶୁର ଘରେ ବସିବେ କି ?

 

ଶ୍ୱଶୁର ଘରେ ସାତମଙ୍ଗଳା ପର୍ଯ୍ୟନ୍ତ ବୋହୂ, ବୋହୂ । ତେଣିକି ତ ଆସ୍ତେ ଆସ୍ତେ ହୁଅନ୍ତି ରୋଷେୟା, ଚାକରାଣୀ, ମେହେନ୍ତରାଣୀ । ଭୋର ପାଞ୍ଚଟାରୁ ଶେଯ ଛାଡ଼ିବେ ଯେ ରାତି ଏଗାରଟାରେ ଶେଯକୁ ଯିବା ପର୍ଯ୍ୟନ୍ତ ବିଶ୍ରାମ ନଥିବ । ପୁଣି ଶେଯକୁ ଗଲାବେଳକୁ ଶ୍ୱଶୁର, ଶାଶୁ, ସ୍ୱାମୀଙ୍କର ସେବା ରହିଛି । ସକାଳୁ ଉଠି ଘରଦ୍ୱାର ଓଳେଇବା, ଧୋଇବା; କୁକୁର, ବିରାଡ଼ି, ଗାଈଗୋରୁ କିଏ କେଉଁଠି ହଗିଥିବେ, ମୂତିଥିବେ ସଫା କରିବା, ଗାଧୋଇ ଆସି ପାଣି ଆଣି ରୋଷେଇ ବସାଇବା; ଘରଲୋକଙ୍କ ମର୍ଜି ଜଗି କିଏ ମୁଢ଼ି ଚା ଖାଇବ, କିଏ ଖାଲି ଚା ଖାଇବ, କିଏ ବିସ୍କୁଟ୍ ଚା ଖାଇବ, କିଏ ପାଉଁରୁଟି, ଚା ଖାଇବ, ତାକୁ ସବୁ ମନେରଖି ଦେବା, ତା’ପରେ ରୋଷେଇ କରି ଠାଆକୁ ତିନିଠା ରାନ୍ଧି ପରଷିବା, ପୁଣି ପାଞ୍ଚମିନିଟ ଖରାବେଳେ ଖାଇସାରି ବିଶ୍ରାମ ନେଇଥିବ କି ନାହିଁ, ପିଲାଛୁଆ ଘର ହୋଇଥିଲେ ଉପର ବେଳା ଧୂପ । ତା’ପରେ ରାତି ରୋଷେଇପାଇଁ ଯୋଗାଡ଼ ଆରମ୍ଭ ହେବ । ତା’ ଭିତରେ ଅଇଁଠା ବାସନ ମଜା, ମଇଳା ଲୁଗା କଚା, ଚିରାଲୁଗା ରଫୁ, କାଠଚିରା, ଘଷି ପରା ଇତ୍ୟାଦି କାମ ରହିଛି । ଶୋଷକଲେ କେହି ପାଣି ଗ୍ଲାସ୍‌ଟିଏ ନିଜେ ଆଣି ପିଇ ପାରିବେ ନାହିଁ କି ଖାଇ ବସିଲାବେଳେ ଆସନ ଖଣ୍ଡିଏ କେହି ପକାଇ ବସି ପାରିବେ ନାହିଁ । ସବୁ ସେହି ବୋହୂ କରିବ । ଏଥିରେ ଯଦି କାହା ପାନରୁ ଚୂନ ଟିକିଏ ଖସିଗଲା, କିଏ ପିଇବାକୁ ପାଣି ଗ୍ଲାସେ ମାଗିଲା, ମଣିଷ କାମ କରୁଛି, ଶୁଣି ନପାରିଲା, କି ଟିକିଏ ବିଳମ୍ୱ ହୋଇଗଲା, ତେବେ ପୃଥିବୀ ଯେପରିକି ପ୍ରଳୟ ହୋଇଗଲା । କେତେ ପାଟିତୁଣ୍ଡ, ଗାଳି, ଆଲୋଚନା, ସମାଲୋଚନା ବୋହୂ ନାମରେ ହେବ ତା’ର ସୀମା ନାହିଁ । ବେଳେବେଳେ ହାତ ପର୍ଯ୍ୟନ୍ତ ଉଠି ଆସିବ । ବୋହୂ ଉପରେ ହାତ ଉଠିଲେ, ସ୍ଥାନ, କାଳ, ପାତ୍ର, ଜାଗା, ଦେହ, ମୁଣ୍ଡ ଭଲମନ୍ଦର ବିଚାର ନଥିବ । ସାମାନ୍ୟ ଗୋଟିଏ ମୂଲିଆ ଚାକିରିଆର ସେ ଘରେ ଯେତେ ସ୍ୱାଧୀନତା ଅଛି, ପରଘରର ଝିଅ ବୋହୂଟିଏ ହୋଇ ଆସିଲେ ତା’ର ସେତିକି ସ୍ୱାଧୀନତାବି ନାହିଁ । ପୁଣି ଶାଶୁଙ୍କର ଯେଉଁ ଧମକ । କଥା କଥାକେ, ତୁ ଚାଲିଗଲେ ତୋଠାରୁ ଆହୁରି ସୁନ୍ଦରୀ ଶହେଟା ଝିଅ ମୋ ପୁଅକୁ ବାହା ହେବାକୁ ମିଳିବେ । ମଣିଷ ଯଦି ଏହି ଅଠର ଘଣ୍ଟା ଖଟଣିପାଇଁ କେବଳ ଗୋଟିଏ ମୂଲିଆ ହିସାବରେ ମଜୁରୀ ପାଉଥାନ୍ତା, ତେବେ ଦିନକୁ କୋଡ଼ିଏ ଟଙ୍କା ହେଲେ ମାସକୁ ଛ ଶହ ଟଙ୍କାରୁ କମ୍ ରୋଜଗାରକରନ୍ତା ନାହିଁ । ସେ ଜାଗାରେ ବୋହୂ ହୋଇ ଆସି ମୁଠେ ‌ଖାଇବ, ଖଣ୍ଡେ ପିନ୍ଧିବ, ପିଲାଛୁଆ କରି ପଲେ ଜନ୍ମ କରିବ । ୟା ନା ଆଉ କ’ଣ ?

 

ବାସନ୍ତୀ ହସି ହସି କହିଲେ–ବୋହୂ ହୋଇ ଶ୍ୱଶୁରଘରକୁ ଆସିଲେ ଭବିଷ୍ୟତରେ ସେ ଘରର ସେ ମାଲିକାଣୀ ହେବ ? ପୁଅ ଝିଅ, ନାତି, ନାତୁଣୀ ଦେଖି କେତେ ସୁଖ, ଆନନ୍ଦରେ ଜୀବନ ତା’ର ନ କଟିବ ?

 

କାନ୍ତି କହିଲେ–ଆଲୋ ରଖିଥାଲୋ ତୋ ସୁଖ, ଆନନ୍ଦ ଜୀବନ ! ବାପଘର ଛାଡ଼ିଲାଦିନୁ ସୁଖ, ଆନନ୍ଦ ସବୁ ଗଲା ବୋଲି ଜାଣେ । ଶ୍ୱଶୁର, ଶାଶୁ, ନଣନ୍ଦ, ଦିଅର ଏପରିକି ନିଜ ସ୍ୱାମୀଙ୍କ ଗଞ୍ଜଣା ସହି ସହି ପ୍ରାଣ ରହିଲେ ପୁଅ, ଝିଅ ହୋଇ ଦୁଇ ଚାରିଟା ମଣିଷ ଜନମ କରିବ । ସେଥିରେ ବା କି ସୁଖ ? ସେମାନଙ୍କୁ ଖୋଇ ପେଇ ମଣିଷ କରିବ, ମାତ୍ର ମୁଣ୍ଡକୁ ଟିକିଏ ଯେମିତି ସେମାନଙ୍କର ହାତ ପାଇଯିବ, ଦେଖି, ସେମାନେ ପୁଣି ହାକିମହୋଇ ତୁମ ଆଗରେ ଆସି ଠିଆ ହେବେ । ଆମରି ଠାରୁ ଜନ୍ମ ହୋଇ, ଆମରି ଠାରୁ ଶିଖି, ଆମକୁ କହିବେ କ’ଣ ନା ଏମାନେ ମୂର୍ଖ; ଏମାନେ କ’ଣ ଜାଣନ୍ତି ? ଓଟ ପାହାଡ଼ ନଦେଖି ଥିବା ପର୍ଯ୍ୟନ୍ତ ମୋଠାରୁ ଉଚ୍ଚା କେହି ପୃଥିବୀରେ ନାହିଁ ବୋଲି ଭାବିଲା ଭଳି ସେମାନେ ଭାବନ୍ତି ଆମଠାରୁ, ଜାଣିବାର ଆଉ ଏ ମର୍ତ୍ତ୍ୟମଣ୍ଡଳରେ କେହି ନାହାନ୍ତି । ଟିକିଏ ଟିକିଏ କଥାରେ ପିଲାଙ୍କର ଯେଉଁ ରାଗ, ଯେଉଁ ରୁଷା, ଆରେ ବାପରେ !

 

ଟିକିଏ ରହି କାନ୍ତି ପୁଣି କହିଲେ–ବୁଝିଲୁ ବାସନ୍ତୀ, ଲକ୍ଷେ କି ଦେଢ଼ଲକ୍ଷ ପାପ କରିଥିଲେ ଝିଅହୋଇ ଜନ୍ମ ହେବ ।

 

‘‘ସବୁ ବୋହୂ କ’ଣ ଦୁଃଖ ଯନ୍ତ୍ରଣା ପାଉଛନ୍ତି ? ପୁଣି କେତେ ତ ବୋହୂ ଅଛନ୍ତି, ସେମାନଙ୍କୁ ସ୍ୱାମୀ ତାଙ୍କର ମୁଣ୍ଡରେ ବସାଇଛନ୍ତି । ସେ ଯାହା କହୁଛନ୍ତି, ସେୟା କରୁଛନ୍ତି । ତାଙ୍କରି କଥା ରହୁଛି । ତାଙ୍କରି ନିର୍ଦ୍ଦେଶରେ ଘର ଚଳୁଛି,’’ କହି ବାସନ୍ତୀ କାନ୍ତି ମୁହଁକୁ ଚାହିଁଲେ ।

 

କାନ୍ତି କହିଲେ–ହଁ ସେମିତି ଅନେକଙ୍କ ଘରେ ଅବଶ୍ୟ ହେଉଛି । ହେଲେ ଯାହା ସ୍ୱାମୀ ମାଇଚିଆ, ଅପାରିବାର, ରୋଗା, ରୋଜଗାର କରିବାର ଶକ୍ତି ନାହିଁ କିମ୍ୱା ଯାହାର ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ, ଗୀତ ଗାଉଛି, ନାଚୁଛି, ଫିଲ୍ମରେ ଅଭିନେତ୍ରୀ ହେଉଛି, ବଡ଼ ଚାକିରି କରି ଗୁଡ଼ାଏ ଟଙ୍କା ଦରମା ପାଉଛି ଅନ୍ୟତ୍ର ପଳାଇ ଯିବାର ସମ୍ଭାବନା ଅଛି ବା ବାପଘରର ଏକମାତ୍ର ଝିଅ, ବାପଘର ସମ୍ପତ୍ତିର ମାଲିକାଣୀ ହେବାର ସମ୍ଭାବନା ଅଛି, କିମ୍ୱା ବାପ ତାଙ୍କ ଝିଅ ନାଁରେ କୋଠାବାଡ଼ି, ସମ୍ପତ୍ତି କରି ଦେଇଛନ୍ତି; ସେ ଜାଗାରେ ସ୍ୱାମୀ, ଶ୍ୱଶୁର, ଶାଶୁ ତାକୁ କରପତ୍ର ଯୋଡ଼ି ରହିଛନ୍ତି । ହେଲେ ଆମ ସାଧାରଣଙ୍କ ଘରେ ? ଆରେ ବାପ୍‌ରେ ! ବୋହୂ ହାକିମି ତ ଦୂରର କଥା, ନ୍ୟାୟ ଅନ୍ୟାୟରେ କଥା ପଦେ କହିଲା, ତ ତେବେ ତା’ର ଚୁଟି ରହିବ ନାହିଁ ।

 

‘‘ହଉ, ହଉ, ତୋ ବକ୍ତବ୍ୟ ଏତିକିରେ ରଖ । ଚାଲେ ଚଞ୍ଚଳ ଗାଧୋଇ ପଳାଇବା । ତେଣେ ହେମକାନ୍ତ ଭାଇ ଦୋକାନକୁ ଯିବାକୁ ଏପଟ ସେପଟ ହେଉଥିବେ’’, ବାସନ୍ତୀ କହୁ କହୁ ଲୁଗା ଚିପୁଡ଼ି ପାଣିରୁ ଉପରକୁ ଉଠିଲେ । ତାଙ୍କୁ ଦେଖି ଲକ୍ଷ୍ମୀ ମଧ୍ୟ ଉଠି ଉପରେ ଆସି ଠିଆହେଲେ । କାନ୍ତି ମୁଣ୍ଡ ଧୋଇ ଗାଧୋଇ ବାଳଗୁଡ଼ିକ ଗଣ୍ଠିଟିଏ ପକାଇ ଉପରକୁ ଆସିଲେ ।

 

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ମାରି ଆସୁ ଆସୁ କାନ୍ତି କହିଲେ–ବାସନ୍ତୀ ! ତୋ କଥା ତ ତୁ କିଛି କହିଲୁ ନାହିଁ ?

 

ବାସନ୍ତୀ ଦୀର୍ଘ ନିଃଶ୍ୱାସ ପକାଇ କହିଲେ–ତୋ କଥା କ’ଣ ସରିଲାଣି ଯେ, ମୋ କଥା ମୁଁ ଆରମ୍ଭ କରିବି ?

 

କାନ୍ତି ଘରକୁ ଆସୁ ଆସୁ ବାଟରେ ପୁଣି ଆରମ୍ଭ କଲେ–ଶ୍ୱଶୁରେ ଯେତେବେଳେ କହିଲେ, ମୋର କିଛି ଦାବି ନାହିଁ । ପିଲାଟି ମୋର ପସନ୍ଦ ହୋଇଛି, ବୋହୂ କରିନେବି; ମୋର କାହିଁକି ଦେହ, ମନ ମାଘମାସର ଓଠଥରା ଶୀତ ପରେ ଫଗୁଣର ପ୍ରଥମ ବସନ୍ତରେ ଯେମିତି ନୂତନ ଶିହରଣ ଆସେ, ସେମିତି ଆନନ୍ଦରେ ନାଚିଗଲା । ମନ ଡାକୁଥିଲା କାଲି ହେଲେ ବାହାଘରଟା ସରି ଯାଆନ୍ତା କି ! ମୁଁ ବାଡ଼ି ଘରକୁ ଯାଇ କବାଟ କଣରେ ଲୁଚି ବସି କେତେ ଆଡ଼ୁ କେତେ କଥା ଭାବିଗଲି । ମୋ ସାଙ୍ଗସୁଖଙ୍କ ବିବାହ, କନ୍ୟାବେଶ ସାଜି ବେଦି ଉପରକୁ ଆସିବା, ବିବାହଦିନ ବନ୍ଧୁବାନ୍ଧବଙ୍କ ସମାଗମ, ଖିଆପିଆ, ହସଖୁସି, ବାଜା, ଶଙ୍ଖ, ହୁଳହୁଳି ସବୁ ଆଖି ଆଗରେ ନାଚିଗଲା । ଆନନ୍ଦରେ ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା । ପୁରୁଷପୁଅ ନୂଆ ଚାକିରିରେ ପଶିଲେ ତାଙ୍କ ଗୋଡ଼ ଯେଭଳି ତଳେ ନପଡ଼େ, ମୋ ମନ ତ ସେମିତି ଲାଗିଲା ।

 

ବାସନ୍ତୀ ହସି ହସି କହିଲେ–‘ତା’ପରେ ?

 

କାନ୍ତି କହିଲେ–ମୋ ବୋଉର ଗୋଡ଼ ସେତେବେଳକୁ ତଳେ ଲାଗୁ ନଥାଏ । ସାଙ୍ଗେ ସାଙ୍ଗେ ନୂଆ ସମୁଦିଙ୍କୁ ଜଳଖିଆ, ଚା, ପାନ ଦେଇ ଚର୍ଚ୍ଚା ଆରମ୍ଭ କରି ଦେଲା । ତା’ପରେ ଆସି ପାଖରେ ବସିପଡ଼ି କହିଲା–ତୁମେ ତ ସମୁଦି ବୋହୂକୁ ଦେଖିଲ । ଟିକିଏ ସମୁଦୁଣୀ ଆଉ ପୁଅକୁ ତୁମର ପଠାଇ ଦେବ ।

 

ଶ୍ୱଶୁର କହିଲେ–ତୁମେ ଆଗ ଯାଇ ଆମ ଘରଦ୍ୱାର, ଜୋଇଁକୁ ଟିକିଏ ଦେଖିଦେଇ ଆସ ।

 

ଦିନାକେତେ ଆମଘର ଓ ତାଙ୍କଘର ଲୋକଙ୍କ ଭିତରେ ଦେଖାଚାହାଁ ଚାଲିଲା । ତା’ପରେ ତ ବାହାଘର ହେଲା । ପ୍ରକୃତରେ ଶ୍ୱଶୁର, ଶାଶୁ କିମ୍ୱା ଆମର ଏ ମହାତ୍ମା ବିବାହପାଇଁ ପାହୁଲାଟାଏ ସୁଦ୍ଧା ଦାବି କରି ନାହାନ୍ତି । ବରଂ ଶ୍ୱଶୁର ଆମ ବିବାହ ସମୟରେ ବାରମ୍ୱାର ବାପାଙ୍କୁ ତାଗିଦା କରି କହିଛନ୍ତି–ବିଭାଘରରେ ଦେଖିଚାହିଁ ଖର୍ଚ୍ଚ କରିବ ସମୁଦି, କରଜ କରିବ ନାହିଁ । ବେଶୀଗୁଡ଼ାଏ ଲୋକଙ୍କୁ ଡାକି ଖାଇବାକୁ ଦେବ ନାହିଁ । ଏସବୁ ବାଜେ ଖର୍ଚ୍ଚ । ଦିନକପାଇଁ ବାବୁ ବାବୁ ଶୁଣି ଜୀବନସାରା ହଇରାଣ ହେବାରେ କେଉଁ ଯଶ ? ବୋଉ ଚଉଠିପାଇଁ ବଡ଼ି, ଚାଉଳ, ପନିପରିବା, ମୁଗଜାଇ, ମିଠେଇ ଭାର ଦେଲା ବୋଲି ଶ୍ୱଶୁରଙ୍କର ଯେଉଁ ରାଗ ! କହିଲେ–ଏସବୁ ମୋ ଘରେ ନାହିଁ ଯେ ସେ ପଠାଇଛନ୍ତି ? ସେ କହନ୍ତି–ଭାଗ୍ୟରେ ଯଦି ଭୋଗ କରିବାକୁ କି ଉନ୍ନତି କରିବାକୁ ନାହିଁ, ତେବେ କିଏ ଥରେ ଅଧେ ଦେଲେ କ’ଣ ସେତିକିରେ ଅଣ୍ଟିଯିବ ?

 

ବାସନ୍ତୀ କହିଲେ–ମାତ୍ର ମୋ ଶ୍ୱଶୁର ତୋ ଶ୍ୱଶୁରଠାରୁ ସମ୍ପୂର୍ଣ୍ଣ ବିପରୀତ । ସେ ରୋଗଶଯ୍ୟାରେ ପଡ଼ିଛନ୍ତି, ଆଜିକୁ ଦୁଇମାସ ହୋଇଗଲା । ଉଠି ବସି ପାରୁ ନାହାନ୍ତି । କିଏ ତାଙ୍କୁ ଇଲେ ସେବା କରୁଛି ? ମୁଁ ତ କରୁଛି । ଗୁହ, ମୂଳ କାଢ଼ିବା, ‌ଖୁଆଇ ଦେବା, ଦେହକୁ ତାଙ୍କର ପ୍ରତିଦିନ ଗରମ ପାଣିରେ ପୋଛି ସଫା କରିବା, ପଥି ପାଞ୍ଚନ ଦେବାରେ ଦିନରୁ ଅଧେ ସମୟ ମୋର ଯାଉଛି ।

 

କାନ୍ତି ପଚାରିଲେ–କାହିଁ, ନଣନ୍ଦମାନେ ?

 

ବାସନ୍ତୀ କହିଲେ–କେଉଁ ନଣନ୍ଦମାନେ ଆସି ଦିନକୁ ପାଞ୍ଚଦିନ ରହି ଏସବୁ କାମ କରିବେମ ? ଦିନେ ଓଳିଏପାଇଁ ଆସିଲେ ଖାଲି ପରାମର୍ଶ–ତୁମେ ନୂଆବୋଉ ବାପାଙ୍କୁ ଦିନ ଦଶଟା ବେଳକୁ ଗରମପାଣିରେ ନ ପୋଛି ଆଠଟା ବେଳୁ ପୋଛିଦିଅ । ଅଙ୍ଗୁର, କମଳା, ବେଦନାରସ କରି ତାଙ୍କୁ ଦିନକୁ ଚାରି ପାଞ୍ଚଥର ଖୁଆଅ । ପଇଡ଼ ପାଣି, ପରିବା ସିଝା ପାଣି ଦିଅ । ପୁରୁଣା ଉଷୁନାଚାଉଳ ବାଟି ଗଇଣ୍ଠା କରି ଖାଇବାକୁ ଦିଅ ।

 

କାନ୍ତି ପଚାରିଲେ–ଏସବୁ ଖୁଆଇବାକୁ ପଇସା ?

 

ବାସନ୍ତୀ କହିଲେ–ଗହଣା ବିକ୍ରି କରି କର । ସେମାନେ ବାପାଙ୍କୁ ଦେଖିବା ନାଁରେ ଦିନେ ଓଳିଏ ସକାଶେ ଆସିଲେ–ଖାଇବେ, ପିଇବେ ଯାହାତ ମଣିଷ ହଇରାଣ ହେବ ଛାଡ଼ । ଗଲାବେଳକୁ ଚାଉଳ, ନଡ଼ିଆ, ମୁଗ, ଯାହା ବାଡ଼ିରେ ପନିପରିବା ଥିବ, ରୁଣ୍ଡେଇ ପୁଣ୍ଡେଇ ପୁଳେ ବାନ୍ଧି ତାଙ୍କ ଶାଶୁଘରକୁ ଚାଲିଯିବେ । ଝିଅମାନେ ତାଙ୍କୁ ଦେଖିବାକୁ ଆସି ପହଞ୍ଚିଗଲେ ସେହି ରୋଗଶେଯରେ ଶ୍ୱଶୁରଙ୍କର ମୋ ଉପରେ ଯେଉଁ ପାଟି ! ହେଇ ଏତେ ଦିନକେ ଝିଅ ଟୁନି ଆସିଛି, ତାକୁ ମାଂସ ଭଲ ଲାଗେ, ତା’ପାଇଁ ଆଜି ଟିକିଏ ମାଂସ ମଗାଇ ଭଲ କରି ରାନ୍ଧି ଖାଇବାକୁ ଦେ । ହେଇ ଝିଅ କୁନି ଆସିଛି । ସେ ଗଲାବେଳକୁ ତା’ପାଇଁ ଶାଢ଼ି, ତା’ ପିଲାଙ୍କ ପାଇଁ ପେଣ୍ଟ ସାର୍ଟ୍ ଯେମିତି ହେଲେ କିଣି ଆଣି ଦବୁ । ସେ ଗଲାଥର ଆସିଥିଲା, ଖାଲି ହାତରେ ଯାଇଛି ।

 

କାନ୍ତି ପଚାରିଲେ–ତୋ ଶାଶୁ ?

 

‘‘ମଲା ତୁ କ’ଣ ଜାଣିନୁ ? ସେ ଆଜକୁ ତିନିବର୍ଷ ହେଲା ମଲେଣି’’ । –ବାସନ୍ତୀ କହିଲେ-। ତା’ପରେ ପୁଣି ଟିକିଏ ରହି ଆରମ୍ଭ କଲେ–ସେହିକଥା ପରା କହୁଛି–ଶ୍ୱଶୁରେ ମୋ ବାହାଘରବେଳେ ବାପାଙ୍କୁ ପାଣି ପିଆଇ ଦେଇଥିଲେ । କହିଲେ–ଏହି ବେଦି ଉପରେ ବାଟଖର୍ଚ୍ଚ ବାବଦକୁ ଦୁଇହଜାର ଟଙ୍କା, ଘଣ୍ଟା ରେଡ଼ିଓପାଇଁ ହଜାରେ ଟଙ୍କା ଏହିପରି ନଗଦ ତିନିହଜାର ଟଙ୍କା ନଦେଲେ ମୁଁ ହାତଗଣ୍ଠି ପକାଇ ଦେବି ନାହିଁ ।

 

ବାପା କହିଲେ–ଆପଣ ତ ଆଗରୁ ଏ ସବୁ କଥା ଜବାବ କରି ନଥିଲେ । ଆପଣ କହିଲେ–ମୋ ପୁଅର ରେଡ଼ିଓ, ଘଣ୍ଟା ଅଛି, ସେସବୁ ଦରକାର ନାହିଁ ।

 

‘‘ରେଡ଼ିଓ, ଘଣ୍ଟା ଦରକାର ନାହିଁ ବୋଲି ସିନା କହିଥିଲି, ମାତ୍ର ତା’ ବାବଦକୁ ଟଙ୍କା ନେବାକୁ କ’ଣ ମନା କରିଥିଲି ?’’ ଶ୍ୱଶୁର ଜିଦ୍‌ଧରି ବସିଲେ । ବାପା ମୋର ଯେତେ ନେହୁରା ହେଲେ ଗୋଡ଼ହାତ ଧରି କହିଲେ–‘‘ପରେ ମୁଁ ଏ ଟଙ୍କା ଯୋଗାଡ଼ କରି ଦେଇଦେବି, ବର୍ତ୍ତମାନ ହାତଗଣ୍ଠିଟା ପଡ଼ିଯାଉ ।’’ ଶ୍ୱଶୁରେ କିମ୍ୱା ତାଙ୍କ ପକ୍ଷ ଲୋକ ଆଦୌ ବାପାଙ୍କ କଥା ଶୁଣିଲେ ନାହିଁ । ମୋର ସେତେବେଳକୁ ରାଗ ପଞ୍ଚମକୁ ଉଠିଥିଲା–ଭାବିଲି, ସେହି ବେଦି ଉପରେ ଠିଆହୋଇ ଶ୍ୱଶୁରଙ୍କୁ ପରିଷ୍କାର କହିଦେବି ଯେ ତୁମ ପୁଅକୁ ତୁମେ ଏଠୁ ଫେରାଇନିଅ ମୁଁ ବିଭା ଦେବାକୁ ଆଦୌ ଚାହେଁନା । ମାତ୍ର ଗାଁ ଗହଳର ଝିଅ ଆମେ । ନାଇଁ ଆମର ପାଠ, ନାଇଁ ଆମର ଶାଠ । ବାହା ବେଦିରୁ ବର ଫେରି ଯାଇଛି ବୋଲି ପ୍ରଚାର ହୋଇଯିବା କ୍ଷଣି ଆଉ କେହି ବିବାହ କରିବେ ନାହିଁ । ବାଛନ୍ଦ କରିବେ । ବିବାହ ନହେଲେ କେଉଁ ଚାକିରି ବା ବ୍ୟବସାୟ କରି ଆମେ ସ୍ୱାଧୀନ ଭାବରେ ଚଳି ପାରିବା ? ଏସବୁ କଥା ପରକ୍ଷଣରେ ଭାବି କାନ୍ଦ ମାଡ଼ିଲା । ସେହି ବେଦିଉପରେ ମୁଁ କୋହରେଇ ହୋଇ କାନ୍ଦୁଥାଏ । ମାମୁ ଜିନିଷପତ୍ର ଘର ଦାୟିତ୍ୱରେ ଥାନ୍ତି । ତାଙ୍କ କାନରେ ଏକଥାଟା ପଡ଼ିଲା । ପୁଣି ତିନିହଜାର ଟଙ୍କା କୁଆଡ଼ୁ ଯୋଗାଡ଼ କରି ଆଣି ଦେବାରୁ ହାତଗଣ୍ଠି ପଡ଼ିଲା । ବାପାଙ୍କୁ ସେ ଟଙ୍କା ଶୁଝୁ ଶୁଝୁ ପାଞ୍ଚବର୍ଷ ଲାଗିଗଲା । ପୁଣି ଆମ ଗେରସ୍ତଙ୍କର ବାହାଘର ପରଦିନ ଶୀଘ୍ର ଆସି କାମରେ ଯୋଗ ଦେବାକୁ ତାଙ୍କ ସୈନ୍ୟବାହିନୀର ମୁଖ୍ୟ ଅଫିସରଙ୍କଠାରୁ ଟେଲିଗ୍ରାମ୍ ଆସିଲା । ସେ ସଙ୍ଗେ ସଙ୍ଗେ ଚାଲିଗଲେ । ଆଉ ଚଉଠି ହୋଇ ପାରିଲା ନାହିଁ । ମୁଁ ତାଙ୍କ ଘରେ ସାତମଙ୍ଗଳା ପର୍ଯ୍ୟନ୍ତ ରହି ଆମ ଘରକୁ ଆସିଲି । ତା’ପରେ ଚାରିମାସ ବିତିଗଲା । ସେ ମାସେ ଛୁଟି ନେଇ ପୁଣି ଘରକୁ ଆସିଲେ । ଖଟ, ଶେଯ, ଭାରଥୋର ନେଇ ପୁଆଣି ହୋଇ ପୁଣି ମୁଁ ତାଙ୍କ ଘରକୁ ଗଲି । ତା’ପରେ ପୁନେଇଁ ପରବ, ଭଲମନ୍ଦ ଦିନରେ ଆମଘରୁ ଭାର ଗଲେ ଆମ ଶ୍ୱଶୁରଘରର କାହାରି ମନକୁ ପୁଣି ପାଏନାହିଁ । ଯେତେ ଦେଲେ ମଧ୍ୟ ତାଙ୍କ ଆଖିକୁ ଦିଶେ ନାହିଁ । ସେମାନେ ଆମ ଘର ଜିନିଷ ଦେଖି ଯାହାସବୁ କହନ୍ତି ନା, ମୁଁ ବୋଲି ତାକୁ ସହି ଏପର୍ଯ୍ୟନ୍ତ ତାଙ୍କ ଘରେ ରହିଛି । ଅନ୍ୟ କିଏ ଝିଅ ହୋଇଥିଲେ ଜହର ଖାଇ କି ବେକରେ ଦଉଡ଼ି ଦେଇ ମରନ୍ତାଣି କିମ୍ୱା ଘରଦ୍ୱାର ଛାଡ଼ି କୁଆଡ଼େ ଚାଲି ଯାଆନ୍ତାଣି ।

 

କଥାବାର୍ତ୍ତା ହୋଇ ଲକ୍ଷ୍ମୀ, କାନ୍ତି, ବାସନ୍ତୀ ଆସି ଘରେ ପହଞ୍ଚିଲେ । ଏମାନଙ୍କର ଫେରିବାରେ ଡେରି ଦେଖି ହେମକାନ୍ତ ଗାଧୋଇ, ନିଜ ହାତରେ ଚା ଖାଇ ଦୋକାନକୁ ବାହାରିଥିଲେ । ସେ କାନ୍ତିଙ୍କୁ କହିଲେ, ଲକ୍ଷ୍ମୀକୁ ଟିକିଏ ଶୋଇବା ଘରକୁ ପଠାଇ ଦେ, କାମ ଅଛି । ମୋର ବେଳ ହେଲାଣି । ମୁଁ ଦୋକାନକୁ ଚାଲିଯିବି ।

 

କାନ୍ତି ପଚାରିଲେ–କିଛି ଖାଇବ ନାହିଁ ?

 

ହେମକାନ୍ତ କହିଲେ–ମୁଁ ହାତରେ ଚା କରି ଖାଇ ସାରିଲିଣି । ଆଉ ବେଳ ନାହିଁ । ମୁଁ ବଜାରରେ ଜଳଖିଆ ଟିକିଏ କ’ଣ କିଣି ଖାଇଦେବି । ଳକ୍ଷ୍ମୀକୁ କହ, କେବଳ ପାନ ଦୁଇ ତିନି ଖଣ୍ଡ ଭାଙ୍ଗିଦେବ ।

 

ହେମକାନ୍ତ ଶୋଇବାଘରକୁ ଯାଇ ଏଣୁତେଣୁ ଖୋଜିବାର ବାହାନା କରି ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଅପେକ୍ଷା କରି ରହିଲେ ।

 

ଲକ୍ଷ୍ମୀଙ୍କର ଶୋଇବାଘର ଭିତରକୁ ଆସିବାକୁ ଆଦୌ ମନ ଡାକୁ ନଥିଲା । ବରଂ ଗାଧୋଇବାପାଇଁ ପୋଖରୀକୁ ଯିବାଠାରୁ ଘରକୁ ଫେରିବା ପର୍ଯ୍ୟନ୍ତ କାନ୍ତି ଓ ବାସନ୍ତୀଙ୍କ କଥା ଶୁଣି ମନ ତାଙ୍କର ବେଶ୍ ହାଲ୍‍କା ଲାଗୁଥିଲା । ଘର ଭିତରକୁ ପଶିବାମାତ୍ରେ ହଠାତ୍‌ ପୂର୍ବ ଦୁଇଟି ରାତି କଥା ମନେ ପଡ଼ି ପାହାଡ଼ ଭଳି ଚିନ୍ତା ମୁଣ୍ଡ ଭିତରେ ଆସି ମାଡ଼ି ବସିଲା । ସେ ମନେ କରୁଥିଲେ, ନଖାଇ ନପିଇ ଗୋଟିଏ ଘରେ ଚୁପ୍‌ଚାପ୍‌ ମୁହଁ ଘୋଡ଼ାଇ କିଛି ସମୟ ଶୋଇ ପଡ଼ିଲେ ତାଙ୍କୁ ବରଂ ଭଲ ଲାଗିବ । ହେମକାନ୍ତଙ୍କ ବାରମ୍ୱାର ଡାକ ଓ କାନ୍ତିଙ୍କ ପାଟିରେ ବାଧ୍ୟ ହୋଇ ଲକ୍ଷ୍ମୀ ପାନ ଚାରି ଖଣ୍ଡ ଭାଙ୍ଗି ଶୋଇବାଘରକୁ ଆସିଲେ । ଘରେ ପଶିବାମାତ୍ରେ ମୁହଁଟି ତାଙ୍କର ଝାଉଁଳି ପଡ଼ିଲା । କ୍ରମେ କଳା ପଡ଼ି ବିବର୍ଣ୍ଣ ଦିଶିଲା । ହେମକାନ୍ତ ଲକ୍ଷ୍ମୀଙ୍କ ମୁହଁକୁ ଚାହିଁ ହଠାତ୍‌ ଚମକି ପଡ଼ିଲେ । ପଚାରିଲେ–ଦେହ କ’ଣ ତୁମର ଭଲ ଲାଗୁନାହିଁ ?

 

ଲକ୍ଷ୍ମୀ କିଛି ନ କହି ପାନ ଚାରି ଖଣ୍ଡ ଖଟ ଉପରେ ଥୋଇ ଦେଇ ଘର ବାହାରକୁ ପଳାଇ ଆସୁଥିଲେ । ହେମକାନ୍ତ ଲକ୍ଷ୍ମୀଙ୍କର ହାତଟା ଧରି ପକାଇ କହିଲେ–‘‘ଶୁଣ ! ମୁହଁ କାହିଁକି କଳା ଦିଶୁଛି ? ଆଖିର ଦୁଇ ପତାରେ କଳାଦାଗ, ଓଠ ରକ୍ତ ନଥିଲା ଭଳି ଶେତା ଦିଶୁଛି । ରାତି ଅନିଦ୍ରା ଯୋଗୁଁ ଦେହ ଭଲ ଲାଗୁନାହିଁ ନା ଜରଜର ଲାଗୁଛି ?

 

ଲକ୍ଷ୍ମୀ ଚାଲିଯିବା ପାଇଁ ହାତ ଟାଣୁଥିଲେ । ମାତ୍ର ହେମକାନ୍ତ ତାଙ୍କୁ ନିଜ ଆଡ଼କୁ ଆଣିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ କାନ୍ଥରେ ଟଙ୍ଗା ହୋଇଥିବା ରାଧାମାଧବଙ୍କ ବଡ଼ ଫଟୋଟି ହଠାତ୍‌ ଖସି ପଡ଼ି ଭାଙ୍ଗିଗଲା । ସେ ଶବ୍ଦରେ ହେମକାନ୍ତ ଓ ଲକ୍ଷ୍ମୀ ଚମକି ପଡ଼ିଲେ । ହେମକାନ୍ତଙ୍କର ହାତ ଲକ୍ଷ୍ମୀଙ୍କ ହାତରୁ ଖସିଗଲା । ଲକ୍ଷ୍ମୀ ତରବର ହୋଇ ବାହାରକୁ ଚାଲି ଆସିଲେ ।

 

ହେମକାନ୍ତ ପଛକୁ ମୁହଁ ଫେରାଇ ଚାହିଁଲେ । ପାଟିରୁ ଆପେଆପେ ବାହାରି ଆସିଲା–ହେମଲତା କିଣିଥିଲା । କ୍ରମେ ତା’ରି ଜିନିଷଗୁଡ଼ିକ ମନକୁ ମନ ପଡ଼ି ଭାଙ୍ଗି ଯାଉଛି । ହେମଲତାଙ୍କ ରୂପଟି ଆଖି ଆଗରେ ତାଙ୍କର ନାଚିଗଲା । ଅନ୍ୟ ଫଟୋଗୁଡ଼ିକୁ ହେମକାନ୍ତ ଚାହିଁଲେ । ତାକୁ ଜଣାଗଲା, ଯେପରିକି ହେମଲତା ତା’ରି ଭିତରେ ଠିଆ ହୋଇଛନ୍ତି । ମୁହଁଟି ତାଙ୍କର ଶୁଖି ଯାଇଛି-। ହେମକାନ୍ତଙ୍କର ଅଜାଣତରେ ତୁଣ୍ଡରୁ ତାଙ୍କର ବାହାରି ଆସିଲା–‘‘ହେମଲତା’’ ! କିଛି ସମୟ ଫଟୋଗୁଡ଼ିକ ଆଡ଼କୁ ଚାହିଁବା ପରେ ତାଙ୍କର ଆଖି ପଡ଼ିଲା ଦୁଆରମୁହଁରେ କାନ୍ତି ଠିଆ ହୋଇଛନ୍ତି-। ସେ ନିଜକୁ ଲଜ୍ଜିତ ମନେକଲେ । ଖଟଉପରୁ ପାନ ଚାରି ଖଣ୍ଡ ଆଣି ପକେଟରେ ପୂରାଇ ଘର ବାହାରକୁ ଯାଉ ଯାଉ କହିଲେ, ଫଟୋଟା ପଡ଼ି ଭାଙ୍ଗିଗଲା । କାଚ ଗୋଡ଼ରେ ପଶିବ-। ଟିକିଏ ଘରଟା ସଫା କରିଦେବୁ ।

 

–ସାତ–

 

ହେମକାନ୍ତ ସେଦିନ ଖରାବେଳେ ଅଳ୍ପ ସମୟପାଇଁ ଘରକୁ ଖାଇବାକୁ ଆସିଥିଲେ । ସାଙ୍ଗରେ ଆଣିଥିଲେ ଗୋଟିଏ ପଚାଶ, ବାଉନବର୍ଷ ବୟସର ଲୋକଟିଏ । ଲୋକଟିର ନାମ ଥିଲା ଭରତ । ତା’ର ମୁଣ୍ଡର ବାଳଗୁଡ଼ିକ କାଶତଣ୍ଡୀ ଫୁଲ ଭଳି ଧଳା ଦିଶୁଥିଲେ ମଧ୍ୟ କାନ୍ଧ ପର୍ଯ୍ୟନ୍ତ ତାହା ଲମ୍ୱିଥିଲା । ଆଖିରେ ସେ ନାଇଥିଲେ କଜ୍ଜ୍ୱଳ, ମଥାରେ ସିନ୍ଦୂର ଟୋପା, ସଫା ଧୋତି, ଗଞ୍ଜି ପିନ୍ଧିଥିଲେ । କାନ୍ଧରେ ପକାଇ ଥିଲେ ନାଲି ଗାମୁଛାଟିଏ । ତାଙ୍କର କଥା ଓ ଚାଲି ଥିଲା ଗୋଟିଏ ସ୍ତ୍ରୀଲୋକ ଭଳି ।

 

ହେମକାନ୍ତଙ୍କ ପଛେ ପଛେ ଭରତ ଘର ଭିତରକୁ ପଶି ଆସିବା ଦେଖି କାନ୍ତି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପଚାରିଲେ, ଭାଇ ! ଏ କି ଜୀବ ?

 

ଭରତ କହିଲେ–ନାଇଁ ମା’, ମୁଁ ଜୀବ ନୁହେଁ, ଭରତ । ବାବୁ ମୋତେ ରୋଷେଇବାସ, ଘର ଝାଡ଼ୁ ଦେବା, ଗାଈଗୋରୁ କାମ କରିବା, ବାସନ ମାଜିବା, ପରିବା ଆଣିବା ଏହି ସବୁ କାମପାଇଁ ଆଣିଛନ୍ତି । ବାବୁ ମତେ ଭଲ ଭାବରେ ଜାଣନ୍ତି । ଏଥର ଦେଖିବନି ମା’, ତୁମର କୌଣସିଥିରେ ଅସୁବିଧା ହେବ ନାହିଁ । ସକାଳୁ ଉଠି ଚା ସମସ୍ତଙ୍କୁ ଦେଇ ସାରିବା ପରେ ପୁରି, ସିଙ୍ଗଡ଼ା, ପକୁଡ଼ି, ବରା, ଆଳୁଦମ, ଡାଲମା, ଘାଣ୍ଟ ତରକାରୀ ଯାହା ବରାଦ ହେବ, ସେହି ଅନୁସାରେ ମୁଁ ଜଳଖିଆ ପ୍ରସ୍ତୁତ କରି ସମସ୍ତଙ୍କ ପାଖେ ପହଞ୍ଚାଇ ଦେବି । ତା’ପରେ ବସିବ ରୋଷେଇ । ମାଛ ତରକାରୀ, ମାଛ କାଲିଆ, ମାଛ ଭଜା, ମାଛ ଚିଞ୍ଚଡ଼ା, ମାଛ ବେସର, ମାଛ ଝୋଳ ଯାହା ବରାଦ ହେବ ଭାତ, ମାଛ, ଡାଲି, ସବ୍‍ଜି, ବିଲାତି ଖଟା, ଭଜା ସବୁ ରାନ୍ଧି ଘଣ୍ଟାକ ଭିତରେ ରଖିଦେବି ।

 

କାନ୍ତି ପଚାରିଲେ–ଏହା ପୂର୍ବରୁ ତୁମେ କ’ଣ କରୁଥିଲ ?

 

ଭରତ କହିଲେ–ଥାଉ ମା’, ପଚାରି ଦୁଃଖ ଦିଅନା । ଯାତ୍ରାଦଳଗୁଡ଼ିକରେ ଜୀବନର ଅଧାରୁ ଅଧିକ ସମୟ କଟିଗଲା । କେତେ ଲୋକଙ୍କୁ ହସାଇଲି, କେତେ ଲୋକଙ୍କୁ କନ୍ଦାଇଲି । ମୋ ନାଚ, ଗୀତ, ଅଭିନୟ ଦେଖି କେତେ ଲୋକ ପ୍ରଶଂସା କଲେ । ଶେଷକୁ ଦେଖିଲି, ଖାଲି ବାଃ, ବାଃରେ ପେଟ ପୂରିବ ନାହିଁ ।

 

‘‘କ’ଣ ସବୁ ପାର୍ଟ୍ କହୁଥିଲ ?’’ କାନ୍ତି ପଚାରିଲେ ।

 

ଭରତ କହିଲେ–ମା’, ମୁଁ ପିଲାଦିନରୁ କଳାକାର । ଆମ ଗାଁ ସପନି ମାଷ୍ଟ୍ରେ ମତେ ପିଲାଟିବେଳୁ ନାଚ, ଗୀତ ଶିଖାଇଥିଲେ । ମୋ ମୁଣ୍ଡରେ ତୁମ ମୁଣ୍ଡଠାରୁ ଆହୁରି ବେଶୀ ବାଳ ଥିଲା-। ତୁମ ମୁହଁ କ’ଣ ସୁନ୍ଦର, ମୋ ମୁହଁରେ ପାଉଡ଼ର ବୋଳି ଦେଲେ ଆହୁରି ସୁନ୍ଦର ଦେଖା ଯାଉଥିଲା-। ମୁଁ ଯେତେବେଳେ ଗୋଟା ବେଣୀ ଛାଡ଼ି, ସେଥିରେ ମଲ୍ଲୀ ଫୁଲ ମାଳ ଖୋସି, ମୁହଁରେ ପାଉଡ଼ର ମାରି, ଆଖିରେ କଜ୍ଜ୍ୱଳ, ଓଠରେ ଲିପ୍‌ଷ୍ଟିକ୍, ମଥାରେ ସିନ୍ଦୂର କଲି, ଦୁଇ ହାତରେ ରୋଲ୍‌ଡ଼ ଗୋଲ୍‌ଡ଼ କାଚ, ଛାତିରେ ଦୁଇଟି କନାପିଣ୍ଡଳା, ଗୋଡ଼ରେ ଘୁଙ୍ଗୁର ନାଇ ଶାଢ଼ି ପିନ୍ଧି ବାହାରି ପଡ଼ୁଥିଲି, ତୁମଭଳି କେତେ ଝିଅ, ବାବୁଙ୍କ ଭଳି କେତେ ପୁଅ ମୋ ମୁହଁକୁ ଚାହିଁ ବୋକାଭଳି ଠିଆ ହୋଇ ରହୁଥିଲେ । ମୁଁ ନାଚିବାପାଇଁ ଆସି ଠିଆ ହେଲେ ତାଳି ମାଡ଼ର ଲହରୀ ଖେଳି ଯାଉଥିଲା-। ଖଣ୍ଡେ ଗୀତ ଗାଇ ଥରେ ନାଚି ଆସିବା ପରେ ‘‘ଇନ୍‌କୋର’’ ‘‘ଇନ୍‌କୋର’’ ବୋଲି ଦର୍ଶକ ପାଟି କରି କମ୍ପାଉ ଥିଲେ ।

 

କାନ୍ତି କହିଲେ–ମଲିନି ମୁଁ ଯାହା !

 

ଭରତ କହିଲେ–ସପନି ମାଷ୍ଟ୍ରେ ମରିଗଲେ । ତାଙ୍କ ଗୋଟିପୁଅ ନାଚ ପାଟି ଭାଙ୍ଗିଗଲା-। ମୁଁ ଆମ ଗାଁ ଯାତ୍ରାଦଳରେ ଆସି ମିଶିଲି । କେତେବେଳେ ସଖୀ ପାର୍ଟ୍ କଲି ତ କେତେବେଳେ ରାଣୀପାର୍ଟ୍ କଲି । କମିକ୍‌ ପାର୍ଟ୍‍ରେ ମୁଁ ଯଦି କାହାର ସ୍ତ୍ରୀ ହୋଇ ବାହାରୁ ଥିଲି କିମ୍ୱା ଖାଲି ଖାଲି ଆସି ଦର୍ଶକ ସାମନାରେ ନାଚି ଯାଉଥିଲି, ପୁଅ, ଝିଅ, ବୁଢ଼ାବୁଢ଼ୀମାନେ ପରା ପାଗଳ ହୋଇ ଉଠୁଥିଲେ ମା’ !

 

‘‘ଛାଡ଼ି ଦେଲ କାହିଁକି ?’’ କାନ୍ତି ପଚାରିଲେ । ସେତେବେଳକୁ ବାସନ୍ତୀ ଆସି ଭରତଙ୍କ ମୁହଁକୁ ଚାହିଁ ରହିଥିଲେ । କାନ୍ତି, ବାସନ୍ତୀ ଶୋଉଥିବା ବଖରାରୁ ଲକ୍ଷ୍ମୀ କାନ ପାରି ଭରତଙ୍କ କଥା ଶୁଣୁଥିଲେ ।

 

‘‘ଟଙ୍କାପଇସା ଅଭାବରୁ ଯାତ୍ରା ଦଳ ପାର୍ଟିଅର୍‍ମାନଙ୍କୁ ଟଙ୍କା ଦେଇ ପାରିଲେ ନାହିଁ । ବହୁ ଯାତ୍ରା ଦଳ ଭାଙ୍ଗିଲା । ବାଧ୍ୟ ହୋଇ ମୁଁ କଲିକତା ଚାଲିଗଲି । ସେଠାରେ ଜଣେ ବଡ଼ଲୋକ ଘରେ ରହି ରୋଷେଇବାସ କଲି । କିଛିଦିନ ସେଠାରେ ରହିବା ପରେ ପୁଣି ଗାଁରେ ନୂଆ ଯାତ୍ରା ଦଳ ଗଢ଼ାହେଲା । ମୋ ପାଖକୁ ଚିଠି ଗଲା, ତୁରନ୍ତ ଚାଲିଆସି ଦଳରେ ଯୋଗ ଦେବାକୁ । ବାଧ୍ୟ ହୋଇ ବାବୁଘର ଚାକିରି ଛାଡ଼ି ଚାଲିଆସିଲି । ସେ ଯାତ୍ରା ଦଳ ମଧ୍ୟ ପାଞ୍ଚବର୍ଷ ଚାଲିଲା । ଭଲ ଭଲ ନାଟକ କରୁଥିଲେ ମା’, ହରିଶ୍ଚନ୍ଦ୍ର, ସୁଦାମା, ରଘୁ-ଅରକ୍ଷିତ, ନଳ-ଦମୟନ୍ତୀ ।’’ ଭରତ କହି ଚାଲିଲେ ।

 

ବାସନ୍ତୀ ଏଚାରିଲେ–ତୁମେ କି ପାର୍ଟ୍ କରୁଥିଲ ?

 

‘‘ମୋର ତ ସବୁବେଳେ ଫିମଲ ପାର୍ଟ୍’’ ମୁରୁକିହସା ଦେଇ କହିଲେ ଭରତ । ହେମକାନ୍ତ ଶୋଇବା ଘରୁ ଲୁଗାପଟା ବଦଳାଇ ଗୋଡ଼ହାତ ଧୋଇ ଖାଇବାକୁ ଆସିଲେ । ଭରତ ଗପୁଥିବାର ଦେଖି କହିଲେ–ତୁମେ ଆଉ ଠିଆ ହୋଇ ଗପ କର ନାହିଁ ଭରତ ! ତେଣେ ଗ୍ରାହକମାନେ ମଫସଲରୁ ଆସି ବସିଛନ୍ତି । ସେମାନଙ୍କର ହିସାବ ପତ୍ର ହେଲେ ସେମାନେ ଯିବେ ।’’

 

ହେମକାନ୍ତ କାନ୍ତିଙ୍କ ଉଦ୍ଦେଶ୍ୟରେ କହିଲେ–‘‘ଭରତକୁ ଦେଖାଇ ଦେବୁଟି କେଉଁଠି ସେ ଲୁଗାପଟା ରଖିବ ।’’ ଭରତକୁ କହିଲେ–ଶୁଣ, ତୁମେ ଗାଧୋଇଛ ?

 

ଭରତ କହିଲେ–‘‘ହଁ’’

 

‘‘ତୁମେ ଗୋଡ଼ହାତ ଧୋଇ ଶୀଘ୍ର ମୋପାଇଁ ଗଣ୍ଡିଏ ଖାଇବାକୁ ବାଢ଼ିଦିଅ । ଆଜିଠାରୁ ରୋଷେଇବାସ, ଘରଦ୍ୱାର ଓଳିଆ, ବାସନ ମଜା–ସବୁ ତୁମକୁ ଲାଗିଲା ।’’ ହେମକାନ୍ତ ଖଣ୍ଡିଏ ପିଢ଼ା ପକାଇ ଖାଇବାକୁ ବସିଲେ ।

 

ଭରତ କହିଲେ–ଆପଣ ନିଶ୍ଚିନ୍ତ ରହନ୍ତୁ ବାବୁ ! ଆପଣ ଦେଖିବେନି ମୁଁ ଯାହା କରିବି, ଆପଣଙ୍କ ଘରମଣିଷ ତା’ କରିପାରିବେନି ।

 

କାନ୍ତି ହେମକାନ୍ତଙ୍କ ପାଇଁ ଖାଇବାକୁ ବାଢ଼ୁ ବାଢ଼ୁ ପଚାରିଲେ–ଭାଇ, ବୋଉ ପରା ଆସି ରହିବ ବୋଲି କହୁଥିଲ ?

 

ହେମକାନ୍ତ କହିଲେ–ଅପା ବୁଢ଼ୀ ଲୋକ । ସେ ଘରର ଏତେ କାମକୁ କ’ଣ ଏକା ପାରିବେ ? ସେ ଖାଲି ଆମ ଘରେ ମୁରବି ହୋଇ ବସି ରହିଲେ, କାମ ବରାଦ କଲେ ହେଲା ।

 

କାନ୍ତି ଶୁଣି ଖୁସି ହୋଇଗଲେ । ସେ ହେମକାନ୍ତଙ୍କ ପାଇଁ ଖାଇବାକୁ ବାଢ଼ିଦେଇ ପାଣି ଗ୍ଲାସ୍‌ଟି ଆଣୁ ଆଣୁ ଭରତଙ୍କୁ ଦେଖି ପଚାରିଲେ–ତୁମେ ବାହା ହୋଇଛଟି ?

 

ମୋର ତ ନାଚ ପାଟିରେ ଦିନ ଗଲା । ବାହା ହବାକୁ ବେଳ କାହିଁ ? ଏ ବୟସରେ ବାହା ହୋଇ ମୁଁ ଆଉ ମାଇପଙ୍କ ପଛରେ ଗୋଡ଼େଇ ପାରିବିନି ମା’ ! ମୁଁ ଯେମିତି ଅଛି ବରଂ ଭଲରେ ଅଛି ।’’ ଭରତ ନାଚିଲା ଢଙ୍ଗରେ ଅଣ୍ଟାରେ ବାଁ ହାତ, ଓଠରେ ଡାହାଣ ହାତର ଆଙ୍ଗୁଠି ଦେଇ କହି କହି ପାଣି ଢାଳଟିଏ ଧରି ବାଡ଼ିପଟକୁ ଗୋଡ଼ହାତ ଧୋଇବାକୁ ଚାଲିଗଲେ । ତାଙ୍କର ଚାଲି, କଥା ଓ ଅଙ୍ଗଭଙ୍ଗୀ ଦେଖି ସମସ୍ତେ ଠୋଠୋ ହୋଇ ହସି ଉଠିଲେ ।

 

ହେମକାନ୍ତ ଖାଇସାରି ଶୋଇବାଘରକୁ ଯାଇ ଖଟ ଉପରେ ଟିକିଏ ବିଶ୍ରାମ ନେଲେ । ଭରତ ଗୋଡ଼ହାତ ଧୋଇ ଆସିବାରୁ କାନ୍ତି କହିଲେ–ଭରତ, ତୁମେ ଖାଇଦିଅ ।

 

ଭରତ ଜିଭ କାମୁଡ଼ି ପକାଇ କହିଲେ–ଏ କି ଅଘଟଣ କଥା କହୁଛ ! ମାଆମାନେ ମୋର ଖାଇନାହାନ୍ତି; ମୁଁ ଆଗ ଖାଇଦେବି ? ମାଆମାନେ ସବୁ ବସ । ମୁଁ ଖାଇବାକୁ ବାଢ଼ିଦେବି । ତୁମେମାନେ ଖାଇସାରିଲେ ବାସନଗୁଡ଼ିକ ଉଠେଇ ଦେଇ ସେ ଜାଗାଟି ଗୋବରରେ ଲିପିବି । ସଙ୍ଖୁଡ଼ି ଚୁଲି ଲିପି ଅଇଣ୍ଠା ବାସନଗୁଡ଼ିକ ମାଜିଦେବି । ତା’ପରେ ମୁଁ ଯାଇ ଖାଇବି । ମୋ ବାସନ ଧୋଇ ବିଶ୍ରାମ ନେବି । ଶୋଇ ଉଠିଲେ ପୁଣି ଉପରବେଳା କାମ ଆରମ୍ଭ ହେବ ।

 

କାନ୍ତି ଡାକିଲେ–ବାସନ୍ତୀ, ନୂଆବୋଉ, ଆସ ଆମର ଆମେ ଖାଇଦେବା ।

 

ସମସ୍ତେ ଖାଇ ବସିଲେ । ଭରତ ସେମାନଙ୍କୁ ଖାଇବାକୁ ବାଢ଼ିଦେଲେ । ଖାଉ ଖାଉ ବାସନ୍ତୀ ପଚାରିଲେ–ତୁମର ଆଉ ସବୁ କିଏ ଅଛନ୍ତି ଭରତ ?

 

ଭରତ କହିଲେ–ମୋର ? ମୋର ମା’ ଅଛି, ବଡ଼ ଭାଇ, ସାନ ଭାଇ ଅଛନ୍ତି ।

 

‘‘ଭାଇମାନେ ସବୁ ବାହା ହୋଇଛନ୍ତି ?’’ କାନ୍ତି ପଚାରିଲେ ?

 

ମଲା, ତାଙ୍କର ପୁଅ ଝିଅ ପରା ହେଲେଣି ମା’ ! ଭରତ କହିଲେ । ବାସନ୍ତୀ ପଚାରିଲେ–‘‘ସେମାନେ ତୁମକୁ ଖୋଜନ୍ତି ନାହିଁ ?’’

 

‘‘ଖୋଜନ୍ତି, ହେଲେ ଆଉ ଜଞ୍ଜାଳିଆ, ଘୋଘା ସଂସାର ଭିତରେ ପଶିବାକୁ କାହିଁକି ମନ ଡାକୁନି ମା’ ! ଏଇ ହେମବାବୁ ଘରଭଳି ମୁଁ ଗୋଟିଏ ଜାଗା ଖୋଜୁଥିଲି । କେଁକାଁ ଭେଁଭାଁ ପାଟିତୁଣ୍ଡ ନାହିଁ । ବାବୁ ଆମର ଥଣ୍ଡା ମିଞ୍ଜାସର ଲୋକ । ବେଶ୍‌, ମୋତେ ଏଇ ସହି । ମୋ କାମ ମୁଁ କଲି । ଖାଇଲି, ପିଇଲି, ବସିଲି, ଉଠିଲି । ମୋତେ କେହି କହିବାକୁ ନାହିଁ କି ମୋ କାମକୁ କେହି ଶୁଣିବାକୁ ନାହିଁ ।’’ ଭରତ କହୁ କହୁ ଧାଇଁ ଯାଇ ତାଙ୍କ ବ୍ୟାଗ୍‌ ଭିତରୁ ଗୋଟିଏ ଛୋଟ ଦର୍ପଣ କାଢ଼ି ମୁହଁକୁ ଚାହିଁଲେ । ପ୍ଲାଷ୍ଟିକ୍‌ ପାନିଆଟି କାଢ଼ି ମୁଣ୍ଡ କୁଣ୍ଡାଇଲେ । ତା’ପରେ କ’ଣ ଖୋଜିଲା ପରି ହେଲେ । ବୋଧହୁଏ ଜିନିଷଟି ପାଇଲେ ନାହିଁ । ଦର୍ପଣଟି ହାତରେ ଧରି ଆସି ପଚାରିଲେ–ମା’ ମାନେ, ତୁମର ସିନ୍ଦୂର କାହିଁ ?

 

କାନ୍ତି ପଚାରିଲେ–ଆଲୋ ମା’, ସିନ୍ଦୂର କ’ଣ ହେବ ?

 

ମଲା ମୁଣ୍ଡଟା ମୋର ଖାଲି ଦିଶୁଛି । ସିନ୍ଦୂର ଟିକିଏ ଲଗାଇବିନି ? ଭରତ କହିଲେ ।

 

ବାସନ୍ତୀ ହସି ହସି ସାମନା କାନ୍ଥକୁ ଦେଖାଇ ଦେଇ କହିଲେ–ଏଇ କାନ୍ଥ ଆଲମିରାରେ ପାନିଆ, ଦର୍ପଣ, ସ୍ନୋ, ପାଉଡ଼ର, କଜ୍ଜ୍ୱଳ, ସିନ୍ଦୂର, ଅଳତା ସବୁ ଅଛି ।

 

ଭରତ କାନ୍ଥ ଆଲମିରାରୁ ସିନ୍ଦୂର ଆଣି ମୁଣ୍ଡରେ ଲଗାଉ ଲଗାଉ କହିଲେ–‘‘ମୋର ମୁଁ ସଜ ହୋଇ ଆସିଥାନ୍ତିମ ମା’ ! ବାବୁ ପରା ତରବର କଲେ । ଦେଖୁନ, ମୁଣ୍ଡଟା କିମିତି ଖାଲି ଦିଶୁଛି-। ଯାହା ଆଖିରେ କଜ୍ଜ୍ୱଳ ଟିକିଏ ଲଗାଇ ଥିଲି ସେତିକି ।’’ ଖାଇବା ଥାଳିକୁ ଚାହିଁ କହିଲେ–ଆଉ ତୁମକୁ କ’ଣ ଦିଆଯିବ ମା’ ?

 

‘‘ତୁମପାଇଁ ଖାଇବାକୁ ରଖିଛ ତ ?’’ କାନ୍ତି ପଚାରିଲେ ।

 

ଭରତ କହିଲେ–ତୁମେ ମୋପାଇଁ କେହି ବ୍ୟସ୍ତ ହେବନି ମା’ ! ତୁମେ ଘର ଲୋକେ ଖାଇପିଇ ଶାନ୍ତି ହେଲେ ମୁଁ ଶାନ୍ତି । ଡାଲି, ତରକାରୀ ଅଛଟଛଟରେ ନ ଅଣ୍ଟିଲେ, ମୁଁ ଆଳୁ, ବାଇଗଣ ପୋଡ଼ି ଚଳେଇ ଦେବିନି ?

 

Unknown

ହେମକାନ୍ତ ଲୁଗା, ପଞ୍ଜାବି ପିନ୍ଧି ବାହାରିଲେ ଦୋକାନକୁ । ଗଲାବେଳେ କହିଲେ–ମୁଁ ଯାଉଛି ଭରତ ! ଏ ଘର କଥା ତୁମକୁ ଲାଗିଲା । ରାତିପାଇଁ ପରିବାପତ୍ର ସବୁ ଅଛି ତ ? ଦେଖିନିଅ-

 

ଭରତ କହିଲେ–ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ବାବୁ ! ଆପଣ ଯାଆନ୍ତୁ । କ’ଣ ଜିନିଷ ଦରକାର ପଡ଼ିଲେ ଚଳେଇ ହବନି ନା ସେମିତି ଅତି ଦରକାର ପଡ଼ିଲେ ଦୋକାନରୁ ଯାଇ ଆଣି ହେବନି ? ଭରତକୁ ଏ ଗାଁର କେଉଁକଥା ଅଜଣା ?

 

ହେମକାନ୍ତ ଲକ୍ଷ୍ମୀଙ୍କ ମୁହଁକୁ କଣେଇ କଣେଇ ଚାହିଁ ଦୋକାନକୁ ଚାଲିଗଲେ । ଲକ୍ଷ୍ମୀ ଖାଉ ଖାଉ ହେମକାନ୍ତଙ୍କ ଆଖିରେ ତାଙ୍କର ଆଖି ମିଶିଯିବାରୁ ଲାଜରେ ମୁହଁ ପୋତିଲେ । ମୁହଁଟି ତାଙ୍କର ଶୁଖିଗଲା ଓ ଛାତି ଭିତରୁ ଆପେଆପେ ଗୋଟିଏ ଦୀର୍ଘନିଃଶ୍ୱାସ ବାହାରି ଆସିଲା । ସେ ହେମକାନ୍ତଙ୍କ ଚାହାଣି ଭିତରେ ମାୟା, ମମତା, ସ୍ନେହ ବଦଳରେ ଯେପରିକି କୁଟିଳ, ନିଷ୍ଠୁର, ଜଟିଳ ଆଭାସ ରହିଥିଲା ବୋଲି ମନେମନେ ଭାବୁଥିଲେ ।

 

ଖିଆପିଆ ଶେଷ ହେଲା । ଭରତ ବାସନଗୁଡ଼ିକ ଉଠାଇ ଆଣି ନଳାମୁହଁରେ ବସି ମାଜିଲେ । କାନ୍ତି, ବାସନ୍ତୀ, ପାନ ଭାଙ୍ଗି ବସି ଗପ୍‍ସପ୍ ଆରମ୍ଭ କଲେ । ମାତ୍ର କୌଣସି କଥା ବା କାହାରି କଥା ଲକ୍ଷ୍ମୀଙ୍କୁ ଭଲ ଲାଗୁ ନଥିଲା । ସେ କାନ୍ତି, ବାସନ୍ତୀ ଶୋଉଥିବା ଘରେ ସଉପଟି ପକାଇ ଚାଦରଟିଏ ମୁହଁଠାରୁ ଦେହ ପର୍ଯ୍ୟନ୍ତ ଢାଙ୍କି ଶୋଇଗଲେ ।

 

ଭରତ ବାସନ ମାଜି ଚୁଲି ଲିପିଲେ । ତା’ପରେ ନିଜେ ଖାଇ ବସିବା ଅବସ୍ଥାରେ ସେ କେତେକଅଣ କହିବାରେ ଲାଗିଥାନ୍ତି । କହୁଥାନ୍ତି ଛିଆଲୋ, ମଣିଷ ଜୀବନ ଗୋଟେ ଜୀବନକୁ ଲେଖା ! ରୋଜଗାର କଲେ ଚଳିବ, ରୋଷେଇ କଲେ ଖାଇବ, ବାସନ ମାଜିଲେ ବାଢ଼ିବ, ଘର ଓଳେଇଲେ ସଫା ହେବ, ଶେଯ ପକାଇଲେ ଶୋଇବ । ଖାଇବାପାଇଁ ପୁଣି ନାନା କଥା ଲୋଡ଼ା । ଆଣ ଚାଉଳ, ଆଣ ଡାଲି, ଆଣ ପରିବା, ଆଣ ମାଛ, ଆଣ ଲୁଣ, ଆଣ ମସଲା ମସଲି । କେଉଁଥିରୁ ଟିକିଏ ଊଣା ହୋଇଗଲେ କଥା ସରିଲା ! ମା’ଲୋ ! ଭଗବାନ ଅଲକ୍ଷଣାର ଏ କି ଅଘଟଣ ! ପୁଣି ମଣିଷ ଭିତରେ ଧନୀ, ଗରିବ ଅଛନ୍ତି । ଯାହାର ଯେତେ ଟଙ୍କା ରୋଜଗାର ତା’ର ସେମିତି କୋଠାବାଡ଼ି, ଗାଡ଼ି, ଚାକରବାକର । ଗରିବ ଲୋକର କ’ଣ ଅଛି ? ଯାହା ବାରଣ୍ଡାରେ ରହିଲେ ସେହି ତା’ର ଘର । ଯେଉଁଦିନ ଯାହା ତାକୁ ଖାଇବାକୁ ମିଳିଲା ସେହି ତା’ର ଆହାର । ପୁଣି ଟଙ୍କା ରୋଜଗାରର କେତେ ଫିସାଦି, କେତେ କାରସାଦି, କେତେ ତିଣ୍ଟିଚିପା, କେତେ ଧନ୍ଦାଲୋ ମା’ !

 

କାନ୍ତି ପଚାରିଲେ–କାହା ସହିତ କଥାବାର୍ତ୍ତା ହେଉଛ କି ଭରତ ?

 

ଭରତ କହିଲେ–ନାଇଁମ ମା’, ଆଉ କାହା ସହିତ କଥାବାର୍ତ୍ତା ହେବି । ତୁମେ ତ ଯାଇ ପାନ ଭାଙ୍ଗି ବସି ଗପ୍‍ସପ୍ କଲ । ତୁମେ ଏଇଠାକୁ ଆସୁନ । ଗପ କରିବା । ମୁଁ ଖାଇବି । ମୁଁ ବହୁଦିନ ପର୍ଯ୍ୟନ୍ତ ଯାତ୍ରା, ଗୋଟିପୁଅ ନାଚରେ ରହିଗଲି । ରାତି ପାହିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆଖଡ଼ା ଘରେ କଟିଲା । ଯେଉଁଦିନ ବାହାରେ ଯାତ୍ରା କି ଗୋଟିପୁଅ ନାଚ କରିବାକୁ ବରାଦ ଥିଲା ତ ଭଲ କଥା, ନୋହିଲେ, ସେହି ଆଖଡ଼ା ଘରେ ନାଚ ଗୀତ ଶିଖିବା, ପାର୍ଟ୍ ଘୋଷିବାରେ ଦିନ ଚାଲିଯାଏ । ତେଣୁ ଏକୁଟିଆ ରହିବାକୁ, ବସିବାକୁ, ଖାଇବାକୁ ମୋତେ ଆଦୌ ଭଲ ଲାଗେନି । ପୁଣି ଉର୍ଦ୍ଦଣ୍ଡ ମରଦଙ୍କୁ ଦେଖିଲେ ମୋତେ ଭାରି ଡର ମାଡ଼େ ।

 

ବାସନ୍ତୀ କହିଲେ–ଆଲୋ କାନ୍ତି, ମରଦ ତ ମରଦ, ପୁଣି ଉର୍ଦ୍ଦଣ୍ଡ ମରଦ କ’ଣ ?

 

‘‘ଆମ ଯାତ୍ରା ଦଳରେ ଯେଉଁମାନେ ସବୁ କଂସ, ରାବଣ, ରାକ୍ଷସ, ହତ୍ୟାକାରୀ, ସେନାପତି, ଅତ୍ୟାଚାରୀ ରାଜା ପାର୍ଟ୍‍ ସବୁ କରନ୍ତିନା ମା’, ତାଙ୍କୁ ସବୁ ଦେଖିନ ? ମୋଟା ମୋଟା ବାହା, କଦଳୀ ଗଛ ମୋଟା ଜଙ୍ଘ । ଡିମିରିଫଳ ପରି ଆଖି । ଏଡ଼େ ଏଡ଼େ ଲମ୍ୱ ନିଶ । ସେମାନେ ଯେତେବେଳେ ବେଶପୋଷକ ପିନ୍ଧି ବାହାରି ପଡ଼ନ୍ତିନା, ଦର୍ଶକଙ୍କ ଛାତି ଖାଲି ଦାଉଁ ଦାଉଁ ପଡ଼ୁଥାଏ, ଉଠୁଥାଏ । ସେମାନେ ସବୁ ବେଶପୋଷାକ ପିନ୍ଧୁଥିବାବେଳେ ଆମେ କ’ଣ ତାଙ୍କ ପାଖରେ ପଶୁ କି-?’’ ଭରତ କହି ଚାଲିଲେ ।

 

କାନ୍ତି ପଚାରିଲେ–ଆଉ ?

 

ଆମେ ଯେଉଁମାନେ ଫିମଲ ପାର୍ଟ୍ କରୁ, ଆମ ଦଳ ଅଲଗା । ଆମର ଯେଉଁଠି ଶାଢ଼ି, ବ୍ଲାଉଜ୍, ମୁଣ୍ଡବାଳ, ଘୁଙ୍ଗୁର, କଜ୍ଜଳ, ପାଉଡ଼ର ଥାଏ, ଆମେ ସବୁ ସେଇଠି ଏକାଠି ବସି ବେଶ ହେଉଥାଉ । ଗପ କରୁଥାଉ । ଆଖଡ଼ାରେ ମଧ୍ୟ ଆମ ଦଳ ସେମାନଙ୍କ ଠାରୁ ଅଲଗା । ଆମର କିଏ ସେମାନଙ୍କ ସାଙ୍ଗରେ ମିଶିଲେ ମା’ ! ଏଣେ ସେମାନେ ହାତଟାକୁ ଟାଣି ଦେବେ, ସେଣେ ଗାଲଟାକୁ ଚିମୁଟି ଦେବେ । ଏଣେ ବାଳଗୁଡ଼ିକ ଅଲରା କରିଦେଲେତ, ସେଣେ ସିନ୍ଦୂର କଜ୍ଜଳ ଏକାଠି କରି ଆମ ମୁହଁସାରା ବୋଳି ଦେବେ । ତେଣୁ ମୁଁ ତାଙ୍କ ନାଁ ଦେଇଛି ଉର୍ଦ୍ଦଣ୍ଡ ମରଦ ।

 

ଭରତ କିଛି ସମୟ ରହି ପୁଣି କହିଲେ–ମା’ମ ! ପଶୁ ପକ୍ଷୀ ଜନମ ଭଲ । କେତେ ଜିନିଷ ଯୋଗାଡ଼ କଲେ ମଣିଷ ଗଣ୍ଡେ ଖାଉଛି, ଖଣ୍ଡେ ପିନ୍ଧୁଛି, ମଣିଷ ଘର ଖଣ୍ଡିଏ କରି ରହୁଛି । ସେହି ଜିନିଷ ଯୋଗାଡ଼ କରିବାକୁ କେତେ ପରିଶ୍ରମ କରିବାକୁ ପଡ଼ୁଛି । ପୁଣି ତା’ ଭିତରେ କେତେ ଦୁଃଖ କଷ୍ଟ ରହିଛି ? ପଶୁ ପକ୍ଷୀଙ୍କର ଖାଇବାକୁ, ପିଇବାକୁ, ରହିବାକୁ କେଉଁଥିରେ ଅଭାବ ଅଛି ? ତାଙ୍କପାଇଁ ସାରା ଦୁନିଆ ପଡ଼ିଛି । ତାଙ୍କପାଇଁ ଏ ସଂସାରଟା ସବୁଠି ସମାନ ।

 

ବାସନ୍ତୀ କହିଲେ–ମଣିଷ ଜୀବନ ଦୁର୍ଲଭ ଜୀବନ ପରା । ସବୁଜୀବନ ପାର ହେଲେ ଯାଇ ମଣିଷ ଜୀବନ ମିଳେ ।

 

ଲକ୍ଷ୍ମୀ ଘର ଭିତରେ ନୀରବରେ ଆଉ ଶୋଇ ପାଇଲେ ନାହିଁ । ସେ ବାହାରକୁ ଆସି ଗପ୍‍ସପ୍‍ରେ ଯୋଗ ଦେଲେ । ସେ କହିଲେ–ମଣିଷ ଜୀବନଠାରୁ କଷ୍ଟ ଜୀବନ ଆଉ କାହାର ନାହିଁ-। ହୃଦୟରେ ଦୁଃଖ, କଷ୍ଟ, ଯନ୍ତ୍ରଣା ପାଇଲେ ମଧ୍ୟ ତାକୁ କେହି ଦେଖିବାକୁ ନାହିଁ । କହିଲେ ମଧ୍ୟ କେହି ତାକୁ ଅନୁଭବ କରିପାରିବ କି ନାହିଁ ସନ୍ଦେହ । ସବୁଠାରୁ ସଂସ୍କାରରେ ଝିଅ, ବୋହୂ, ସ୍ତ୍ରୀଲୋକ ହେଉଛନ୍ତି ବେଶୀ ଦୁଃଖୀ । ଲକ୍ଷ ଲକ୍ଷ ପାପ କହିଥିଲେ ଏଭଳି ହୀନିମାନୀ–ଜନ୍ମ ହୁଅନ୍ତି-

 

କାନ୍ତି କହିଲେ–ତା’ ଠିକ୍‌ । ଘରର ବୋହୂ ହେଲେତ ନିଜ ସ୍ୱାମୀଠୁ ଆରମ୍ଭ କରି ଦି’ବର୍ଷର ନଣନ୍ଦ, ଦିଅର ପର୍ଯ୍ୟନ୍ତ ସମସ୍ତଙ୍କର ମର୍ଜି ଜଗି ଚଳିବାକୁ ପଡ଼ିବ ।

 

ଭରତ କହିଲେ–ତୁମେ ସେମିତି ମାଇପ ବୋଲି ମର୍ଜି ଜଗୁଛିନା ? ମୁଁ ଯଦି ତୁମ ଗେରସ୍ତଙ୍କ ସ୍ତ୍ରୀ ହୋଇଥାନ୍ତିନା, ରାତି ପାଇଲେ ତାଙ୍କୁ ପରା ବସ ଉଠୁ କରୁଥାନ୍ତି । ମଲାମର ! ତମ କାମ ତ ତମେ କରିବ । ଆମ କାମ ତ ଆମେ କରିବୁ । ଆମଉପରେ ସବୁବେଳେ ଖିଟିଖିଟି ଚିଡ଼ିଚିଡ଼ି ହବ କାହିଁକିମ ? ତୁମର ଯଦି ଆମ ଉପରେ ମନ ପାଉନି, ଆଉ ଗୋଟେ ବାହା ହୋଇ ପଡ଼ୁନ ? ତୁମକୁ କିଏ ମନା କରୁଛିକି ?

 

ବାସନ୍ତୀ ଦୀର୍ଘ ନିଃଶ୍ୱାସ ପକାଇ କହିଲେ–କେଉଁଠି ତା’ ହୋଇ ପାରୁଛି ? ସହର, ବଜାର କଥା ଅଲଗା । ମଫସଲରେ ତ ଆମେ ଥରେ ବେଦିରେ ହାତଧରି ବାହା ହେବା ମାନେ ସାରା ଜୀବନ ଶାଶୁଘରୁ ଗଞ୍ଜଣା, ଯନ୍ତ୍ରଣା, ମାଡ଼ଗାଳି ଖାଇ ପଡ଼ିଥିବୁ । କେହି ଖାଇଲା ନ ଖାଇଲା ବୁଝିବେନି କି ଦେହ ମୁଣ୍ଡ କଥା ଶୁଣିବେ ନାହିଁ । ଦେହ ମୁଣ୍ଡ ଭଲ ନ ଲାଗିଲେ ଚୁପ୍‌ ହୋଇ ଯଦି ପାଞ୍ଚ ମିନିଟ୍‌ କେଉଁଠି ମଣିଷ ପଡ଼ିଗଲା, କିଏ କେତେ ପ୍ରକାର କଥା କହିଯିବେ । ତା’ର ବାଛବିଚାର ନାହିଁ । କିଏ କହିବ କାମ କରିବାକୁ ପଡ଼ୁଛି ବୋଲି ଛଇ କାଢ଼ୁଛି । କିଏ କହିବ–ପେଟେତ ଠୁଙ୍କୁଛି । ଦେହ ମୁଣ୍ଡ ହେଲେ କ’ଣ ଖାଇବାକୁ ଇଚ୍ଛା ହୁଏ ? କିଏ କହିବ–ମଣିଷ ଠାପୁଆ ହେଲେ ଏଇମିତି ଶୋଇବାକୁ ମନ ହୁଏ । କିଏ କହିବ–ସ୍ତ୍ରୀ ଜନମ ପାଇ ଏତେ ଶୋଇବ କ’ଣମ ? କିଏ କହିବ–କେଡ଼େ କେଡ଼େ ଘରର ବୋହୂ, ଝିଅ ତ ଘରେ ତାଙ୍କର କାମ କରୁଛନ୍ତି । କାମ ନ କଲେ କିଏ ଖାଇବାକୁ ଦେଉଛି ? ଆମ ସାଆନ୍ତାଣୀ, ମାସକେ ପନ୍ଦର ଦିନ ଦେହ ମୁଣ୍ଡ କହି ଶୋଇବେ ।

 

ଭରତ କହିଲେ–ସେ ଘରକୁ ଧିକ୍‌, ସେ ମଣିଷମାନଙ୍କୁ ଧିକ୍‌ । ମଣିଷ ଜୀବନରେ ଆଉ କ’ଣ ଆରାମ, ବେରାମ ନାହିଁ ?

 

କାନ୍ତି କହିଲେ–ସବୁ ଅଛି । ତୁମେ ଯଦି ଠିକ୍‌ ଥିବ କେହି ଘରେ ତୁମକୁ ପଦେ ପାଟି ଫିଟାଇ ପାରିବେ ନାହିଁ । ମୁଁ ସଫାସଫା ବତାଇଦିଏ–ସମସ୍ତଙ୍କର ତ ମଣିଷ ଜୀବନ । ଏକା ହାଡ଼, ମାଉଁସ, ରକ୍ତ, ଚମରେ ଶରୀର ଗଢ଼ା । ଖାଲି ତୁମରି ଜୀବନରେ ସବୁ ଭୋଗ, ବୈରାଗ, ଆରାମ, ଭଲମନ୍ଦ ଅଛି ଆମେ ବୋହୂ ହୋଇ ଆସିଛୁ ବୋଲି ଦିନରାତି ଘୁଷୁରି ଭଳି ଖଟୁଥିବୁ ?

 

ଭରତଙ୍କ ମନକୁ କଥାଟା ବେଶ୍‌ ପାଇଲା । କହିଲେ–‘‘ମା’ ଖଣ୍ଡେ ଦେଖିଲି ତମକୁ !’’

 

ଖାଇସାରି ଭରତ ହାତ ଧୋଇ ଖାଇବା ବାସନ ଧୋଇ ଆଣି ଘରେ ରଖିଲେ । କାନ୍ତି, ବାସନ୍ତୀ, ଲକ୍ଷ୍ମୀଙ୍କ ପାଖେ ବସିଲେ । କାନ୍ତି ଭରତଙ୍କ ହାତକୁ ପାନ ଖଣ୍ଡିଏ ବଢ଼ାଇ ଦେଲେ । ଭରତ ପଚାରିଲେ–ମା’, ଟିକିଏ ଜରଦା, ପିପରମେଣ୍ଟ ଦେଇଛ ?

 

ବାସନ୍ତୀ କହିଲେ–ପିପରମେଣ୍ଟ ଜରଦା କୁଆଡ଼ୁ ଆସିବ ?

 

‘‘ମଲାମର, ମତେ କହୁନ । ମୋର ସବୁ ପାନ ସଜ ଅଛି, ମୁଁ କାହାଉପରେ ନିର୍ଭର କରେନି ।’’ ଭରତ ଉଠିଯାଇ ନିଜ ବ୍ୟାଗ୍‌ରୁ ଜର୍ଦା, ପିପରମେଣ୍ଟ ଡବା ଆଣି ଦେଇ କହିଲେ–ନିଅ, ମସଲା ଦେଇ ଭଲକରି ପାନ ଭାଙ୍ଗ । ନଭାଙ୍ଗି ପାରିଲେ ମୋ ଆଡ଼କୁ ପାନଡ଼ାଲାଟା ବଢ଼ାଇ ଦିଅ । ମୁଁ ପାନ ଭାଙ୍ଗି ସମସ୍ତଙ୍କୁ ଦେବି । ପାଟି ମହମହ ନ ବାସିଲେ, ଓଠ ନାଲି ନ ପଡ଼ିଲେ ସେ କି ପାନ ଖିଆମ ? ଛେଳି କ’ଣ ପତର ଚୋବାଉନି କି ?

 

କାନ୍ତି ପାନଡ଼ବାଟା ଭରତ ଆଡ଼କୁ ବଢ଼ାଇ ଦେଇ କହିଲେ–ନିଅ, ତୁମେ ପାନ ଭାଙ୍ଗ, ତୁମ ହାତ ପାନ କେମିତି ଲାଗୁଛି ଦେଖିବା ।

 

ପାନ ଭାଙ୍ଗି ଭରତ ସମସ୍ତଙ୍କୁ ଦେଲେ । ଭରତ କହିଲେ–ମା’ମାନେ, ଗୋଡ଼ ନମ୍ୱାଅ । ମୁଁ ଜଣ ଜଣ କରି ଘଷି ଦେବି ।

 

ବାସନ୍ତୀ କହିଲେ–ନାଇଁମ, କ’ଣ ଆମ ଗୋଡ଼ ଘଷିବ ? ତୁମେ ଆମଠାରୁ ବୟସରେ କେତେ ବଡ଼ ।

 

‘‘ଆଲୋ ମା’, ତୁମର ସେହି ପୁରୁଣାକାଳିଆ ଢଙ୍ଗ ଯାଇନି ଦେଖୁନି । ଯାହା ସୁଖ କରିଥିବ, ଏଇଠି ଟିକିଏ ବସି, ଶୋଇ, ହସଖୁସି କରି । ଆଉ କ’ଣ ଶାଶୁଘରକୁ ଗଲେ ଫୁରୁସତ୍‍ ପାଇବ ? ଏପଟ ସେପଟ ଦିନସାରା ହୋଇ ଏଇ ଗୋଡ଼ ତ ଲାଠି ହୋଇଯିବ । କେହି ବସିପଡ଼ ବୋଲି କହିବେ ନାହିଁ କି କିଏ ଶୋଇପଡ଼ ବୋଲି କହିବେ ନାହିଁ । କାହାର ପାଟିରୁ କେତେ ଖଟୁଛ ବୋଲି ପ୍ରଶଂସା ବା ଆହା ବୋଲି ପଦେ ବାହାରିବ ନାହିଁ ।’’ ଭରତ କହୁ କହୁ କାନ୍ତିଙ୍କ ଗୋଡ଼ ଟାଣି କହିଲେ–ଦେଖାଅ ମା’, ମୁଁ ତୁମ ଗୋଡ଼ ଆଗ ଟିକିଏ ଘଷି ଦିଏ ।

 

ବାସନ୍ତୀ କହିଲେ–ପ୍ରଶଂସା କରିବା ତ ଦୂରର କଥା, ଦିନସାରା ଖଟୁଥିଲେ ଖାଇଚ ନ ଖାଇଚ ବୋଲି କେହି ପଚାରନ୍ତି ଆଗ ?

 

ଭରତ କହିଲେ–ତୁମ ମା’ମାନଙ୍କ ନାଁ କ’ଣ ତ ମତେ କହୁନ ?

 

ବାସନ୍ତୀ କହିଲେ–ମୋ ନାଁ ବାସନ୍ତୀ । ତୁମେ ଗୋଡ଼ ଯାହାର ମୋଡ଼ୁଛ ତା’ ନାଁ କାନ୍ତି ।

 

କାନ୍ତି କହିଲେ–ମୁଣ୍ଡରେ ଓଢ଼ଣା ଦେଇ ଯେ ବୋହୂ ହୋଇ ବସିଛନ୍ତି ତାଙ୍କ ନାଁ ଲକ୍ଷ୍ମୀ । ସେ ବାହାହୋଇ ଆସିବାର ଆଜିକୁ ଛଅଦିନ ହେଲା । ଆମେ ହେଉଛୁ ଏ ଘରର କୁଣିଆ । ଆମେ କାଲି ଚାଲିଯିବୁ । ଏ ହେଉଛନ୍ତି ଘରର ମାଲିକାଣୀ । ସବୁଦିନ ଏଇ ଘରେ ରହିବେ ।

 

କାନ୍ତିଙ୍କ କଥା ଶୁଣି ଲକ୍ଷ୍ମୀଙ୍କ ହୃଦୟ ଥରାଇ ଏକ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା । ମନକୁ ମନ ମ୍ଳାନ ହସ ହସି କହିଲେ–ଯେଉଁ ଚାରାଗଛର ଚେର ନାହିଁ, ସେ ପୁଣି ଗଛ ହୋଇ ବଞ୍ଚି ରହିବ ? ଯାହାର ସ୍ୱାମୀ ନିଜ ସ୍ତ୍ରୀକୁ ଭଲ ନପାଇ ଅନ୍ୟ ଝିଅକୁ ଭଲ ପାଏ, ତା’ ସ୍ତ୍ରୀ ପୁଣି ମାଲିକାଣୀ ହେବ ?

 

‘ତୁମେ ସବୁ ବେଦି ବନ୍ଦାପନା କରୁଛଟି ?’ ଭରତ ପଚାରିଲେ ।

 

କାନ୍ତି କହିଲେ–ଚଉଠି ପର୍ଯ୍ୟନ୍ତ ହେଉଥିଲା । ବରକନ୍ୟାଙ୍କୁ ବେଦି ଉପରେ ନେଇ ବନ୍ଦାଇବା ସିନା ଘରର ବୟସ୍କା ସ୍ତ୍ରୀଲୋକମାନଙ୍କର କାମ । ଆମେ ବୟସରେ ହେମକାନ୍ତ ଭାଇ ଠାରୁ ସାନ । ଆମେ କ’ଣ ତାଙ୍କୁ ବନ୍ଦାଇବୁ ?

 

‘‘ମଲାମୋର ! ସାତମଙ୍ଗଳା ଯାଏଁ ବେଦି ଉପରେ ବରକନ୍ୟା ବନ୍ଦାପନା, ରାତିରେ ଶୁଖୁଆ ବିକା, କେତେ ଖିଆପିଆ, ହସଖୁସି ଲାଗିଥାନ୍ତା । ଯାହା କହନ୍ତି ଘରର ମୁରବି ନଥିଲେ ବିଧି ନାହିଁ ।’’ ଟିକିଏ ରହି ଭରତ କହିଲେ–କାନ୍ତି ଅପା, ବାସନ୍ତୀ ଅପାମ ? ମୁଁ ଆଜି କାକରା ପିଠା କରି ଦେଉଛି । ଚାଲ ସାତଦୀପ, ପିଠା ନେଇ ବେଦି ବନ୍ଦାଇ ଆସିବା ।

 

ବାସନ୍ତୀ ହସି ହସି କହିଲେ–କନ୍ୟା ସିନା ଘରେ, ବର ତ ଯାଇ ଦୋକାନରେ । ଆଉ ବନ୍ଦାଇବା କାହାକୁ ? କାଲି ତ ଆମେ ଦିନ ଥାଉଁଥାଉଁ ଆମ ଘରକୁ ଚାଲିଯିବୁ । ପୁଣି ବେଦି ବନ୍ଦାଇବ କିଏ ?

 

ଭରତ କହିଲେ–ତେବେ ଅପାମାନେମ, ଗୋଟିଏ କାମ କରିବା । ମୁଁ ରାତି ଖାଇବାପାଇଁ କାକରା ପିଠା, ତରକାରୀ, କ୍ଷୀରୀ କରି ଦେଉଛି । ଆଜି ଛଅମଙ୍ଗଳା । ଏଇ ଘରେ ପିଠା, କ୍ଷୀରୀ ପାଣି ଛଡ଼ାଇ ଦେବା ।

 

କାନ୍ତି କହିଲେ–ହଁ ସେୟା କର । ହେମକାନ୍ତ ଭାଇଙ୍କୁ ମଧ୍ୟ କାକରା ପିଠା ଭଲ ଲାଗେ-

 

ଭରତ କାନ୍ତିଙ୍କର ବାଁ ଗୋଡ଼ ଘଷିବା ପରେ ଡାହାଣ ଗୋଡ଼ଟି ଆଣି ଘଷୁଥିଲେ । ସେତେବେଳକୁ ପ୍ରାୟ ଫୁଲସଞ୍ଜ ବେଳ ହେବ । ଘରର ବାଡ଼ିପଟ କବାଟ ମେଲା ହେଲା ଭଳି କେଁ କରି ଶବ୍ଦ କଲା । କାନ୍ତି, ବାସନ୍ତୀ, ଭରତ ଓ ଲକ୍ଷ୍ମୀ ଘର ଭିତରକୁ ବାଡ଼ିପଟୁ କେହି ଆସୁଛନ୍ତି ବୋଲି ବିଚାରି ସେହି ଦିଗକୁ ଚାହିଁଛନ୍ତି । ଏହି ସମୟରେ ଦେଖାଗଲା ଗୋଟିଏ ବାଇଶି, ତେଇଶିବର୍ଷର ଯୁବତୀ ବାଡ଼ିପଟରୁ ଝଡ଼ ବେଗରେ ଘର ଭିତରକୁ ପଶି ଆସି ହେମକାନ୍ତଙ୍କ ଶୋଇବା ଘର ଭିତରେ ପଶିଗଲା । ସମସ୍ତଙ୍କୁ ଜଣାଗଲା ଯେପରି କି ଯୁବତୀଟି ଧଳା ଶାଢ଼ିଟିଏ ପିନ୍ଧିଛି । ଦେହଟି ମଲ୍ଲୀଫୁଲ ଭଳି ଗୋରା, ମୁହଁଟି ଚକା ଥାଳି ଭଳି ଗୋଲ । ବାଳଗୁଡ଼ିକ ମୁକୁଳା ।

 

ଭରତଙ୍କର ନଜର ପଡ଼ିବାମାତ୍ରକେ ସେ ଉଠିପଡ଼ି ହେମକାନ୍ତଙ୍କ ଶୋଇବା ଘର ପାଖକୁ ଯାଇ ଘର ଭିତରକୁ ଅନାଇଲେ । ମାତ୍ର ସେ ଘରେ କେହି ଥିଲା ଭଳି ତାଙ୍କୁ ଦିଶିଲା ନାହିଁ । ତା’ପରେ ଘର ଭିତରକୁ ଯାଇ ଖଟ ତଳ, କବାଟ କଣ, ଟ୍ରଙ୍କ୍ ବାକ୍‌ସ ସନ୍ଧି, କାନ୍ଥକୁ ଡେରା ହୋଇଥିବା ମସିଣା ଶେଯକୁ ଆଡ଼େଇ ଦେଖ‌ିଲେ । ମାତ୍ର କାହାରିକୁ ଦେଖିବାକୁ ପାଇଲେ ନାହିଁ । କାନ୍ତି ଓ ବାସନ୍ତୀ ଦୁହେଁ ଉଠିଯାଇ ହେମକାନ୍ତଙ୍କ ଶୋଇବା ଘର ବାହାରେ ଠିଆ ହୋଇ ପଚାରିଲେ–କିଏ କି ଭରତ ?

 

ଭରତ ଘର ଭିତରେ ସନ୍ଦେହୀ ଚକ୍ଷୁରେ ଖୋଜୁଥିବା ଅବସ୍ଥାରେ କହିଲେ–ବାବୁଙ୍କ ଶୋଇବାଘର ଭିତରକୁ କେହି ଜଣେ ସ୍ତ୍ରୀଲୋକ ପଶିଗଲା ଭଳି ଦିଶିଲା । ମାତ୍ର ଘର ଭିତରେ କାହିଁ କେହିଁ ତ କେଉଁଠି ଦେଖା ଯାଉ ନାହାନ୍ତି ?

 

କାନ୍ତି ଓ ବାସନ୍ତୀ ଏକାବେଳକେ କହିଲେ–‘‘ହଁ, ଆମକୁ ତ ସେହିଭଳି ଜଣାଗଲା ।’’

 

ତା’ପରେ ଦୁହେଁ ଅତି ସନ୍ତର୍ପଣର ସହିତ ଘର ଭିତରକୁ ଯାଇ ସନ୍ଦେହ ଓ ଭୟମିଶା ଚକ୍ଷୁରେ ଘରର ଚାରିଆଡ଼କୁ ଅନାଇଲେ । ସେମାନେ ମନେମନେ ଭୟ କରୁଥିଲେ ଯଦି ଚୋର କି ଡକାୟତ ହେମକାନ୍ତଙ୍କ ଶୋଇବାଘର ଭିତରେ ଚୋରି କରିବା ଉଦ୍ଦେଶ୍ୟରେ ପଶି ଲୁଚିଥିବ, ତେବେ ହଠାତ୍‌ ବାହାରି ପଡ଼ି ଆଘାତ କରିବ କି ଛୁରା ଭୁଷିଦେବ ।

 

ଲକ୍ଷ୍ମୀ କିନ୍ତୁ ଯେଉଁଠି ବସିଥିଲେ, ସେଇଠି ବସି ରହି ମନେମନେ ଖୁସି ହେଉଥିଲେ । ସେ ନିଶ୍ଚିତ ଭାବରେ ସ୍ଥିର କରି ନେଇଥିଲେ, ଏହି ଝିଅଟିକୁ କାନ୍ତି, ବାସନ୍ତୀ, ଭରତ ନିଶ୍ଚୟ ଧରିନେବେ । ଫଳରେ ତାଙ୍କ ସ୍ୱାମୀ ଓ ଏହି ଝିଅ ପରସ୍ପରକୁ ଭଲ ପାଉଥିବା କଥା ଆଜି ସବୁ ପଦାରେ ପଡ଼ିଯିବ । ଗତ ଦୁଇ ରାତି ହେଲା ସେ ଯେଉଁ ଦୁଃଖ, କଷ୍ଟ ଭୋଗିଲେଣି, ଆଜି ଖୋଲି ସମସ୍ତଙ୍କ ଆଗରେ କହିଦେବେ । ତାଙ୍କୁ ବିବାହ କରିବା ପରେ ମଧ୍ୟ ଏ ଘରେ କିପରି ପ୍ରହସନ ଚାଲିଛି, ସମସ୍ତେ ଜାଣନ୍ତୁ । ହୁଏତ ତାଙ୍କର କ୍ଷତି ହୋଇପାରେ । ତାଙ୍କ ସ୍ୱାମୀ ପୂର୍ବରୁ ଭଲ ପାଉଥିବା ଝିଅକୁ ରଖି, ତାଙ୍କୁ ଘରୁ ବାହାର କରି ଦେଇପାରନ୍ତି । ମାତ୍ର ମତେତ ଏଥିପାଇଁ କେହି ଦୋଷ ଦେଇ ପାରିବେ ନାହିଁ । ଏ ଦୋଷ ବାପା, ଭାଇ, ବୋଉଙ୍କର । ସେମାନେ ତାଙ୍କୁ ବିବାହ ଦେବା ପୂର୍ବରୁ ସବୁ ବିଷୟ ଭଲ ଭାବରେ ବୁଝି, ପାଞ୍ଚଜଣଙ୍କୁ ଭଲମନ୍ଦ ବିଷୟରେ ପଚାରି ବିବାହ ଦେବା ଉଚିତ ଥିଲା ।

 

ଭରତ ଘର ବାହାରକୁ ଆସୁ ଆସୁ କହିଲେ–ତୁମେ କାନ୍ତି ଅପା, ବାସନ୍ତୀ ଅପା ସେହି ଦୁଆରମୁହଁରେ ଠିଆ ହୋଇଥାଅ । ମୁଁ ବତିଟା ଲଗାଇ ଆଣେ । ଘର ଭିତରେ ସ୍ତ୍ରୀଲୋକଟିଏ ପଶିଗଲା ପରି ଦିଶିଲା । ଅଥଚ ଦେଖିଲା ବେଳକୁ କେହି ନାହାନ୍ତି !

 

କାନ୍ତି କହିଲେ–କାହିଁକି ସେଥିରେ ମାତିଛ ଭରତ ? ସ୍ତ୍ରୀଲୋକଟି ଘର ଭିତରକୁ ପଶିଥିଲେ ଆଉ ଯାଆନ୍ତା କୁଆଡ଼େ ? ଝରକା, କବାଟ ଖୋଲି ଦେଲେ ତ ଘରସାରା ଆଲୁଅ ହୋଇ ଯାଉଛି । କ’ଣ ଘରେ ଚୋରା ଘର ନା ଆଟୁ ଅଛି ଯେ, ତା’ ଭିତରେ ଯାଇ ଲୁଚିବ ?

 

ବାସନ୍ତୀ ଘର ଭିତରୁ ବାହାରକୁ ଆସି କବାଟ ପାଖରେ ଠିଆ ହୋଇ କହିଲେ–ସୂର୍ଯ୍ୟ ବୁଡ଼ିଗଲା ବେଳକୁ ଗଛର ଛାଇ ସେମିତି ମଣିଷ ଆସିଲା ଗଲା ପରି ଦିଶେମ ! ମୁଁ ତ କେତେ ଥର ଘରେ ସେହି ଛାଇକୁ ଦେଖି ଚମକି ପଡ଼ିଛି ।

 

ଏସବୁ କଥାବାର୍ତ୍ତା ଶୁଣି ଲକ୍ଷ୍ମୀଙ୍କ ମନ ଆଦୌ ବୁଝିଲା ନାହିଁ । ସେ ମନରେ ଭାବିଲେ ଏମାନେ କେହି ତାକୁ ପାଉ ନାହାନ୍ତି । ଏମିତି ସେ ଘରେ ନିଶ୍ଚୟ ଗୋଟିଏ ଜାଗା ଅଛି, ଝିଅଟି ଯେତେବେଳେ ଆସୁଛି, ସେଇଠି ଲୁଚି ରହୁଛି । ଆଜି ତାକୁ ନିଶ୍ଚୟ ଖୋଜି ବାହାର କରିବାକୁ ପଡ଼ିବ । ଲକ୍ଷ୍ମୀ ମନେମନେ ସ୍ଥିର କରି ବସିଥିବା ଜାଗାରୁ ଉଠି ଶୋଇବା ଘର ଭିତରକୁ ଗଲେ । ଭରତ ବତିଟା ଲଗାଇ ଆଣି ପୁଣି ଥରେ ଘରର ସବୁ ଆଡ଼ ଖୋଜିଗଲେ । ଲକ୍ଷ୍ମୀ ମଧ୍ୟ ଘରର ଯେଉଁ ଜାଗାକୁ ସନ୍ଦେହ କଲେ, ସେଠାରେ ହାତମାରି ପରୀକ୍ଷା କରି ନେଲେ । ମାତ୍ର କୌଣସି ଲୋକ ବା ସ୍ତ୍ରୀଲୋକର କୌଣସି ସନ୍ଧାନ ମିଳିଲା ନାହିଁ । ଶେଷରେ ସମସ୍ତେ ବାହାରକୁ ଆସିଲେ । ଲକ୍ଷ୍ମୀ ବାହାରୁ କବାଟଟିକୁ ଶିକୁଳି ପକାଇ ଆଣିଲେ ।

 

ଭରତ କହିଲେ–ମୁଁ ପରିଷ୍କାର ଦେଖିଛି, ସ୍ତ୍ରୀଲୋକଟିଏ, ଧଳା ଶାଢ଼ିଟିଏ ପିନ୍ଧିଛି । ବାଳଗୁଡ଼ିକ ମୁକୁଳା । ବାହାରୁ ଆସି ବାବୁଙ୍କ ଶୋଇବା ଘରକୁ ପଶିଗଲା ।

 

କାନ୍ତି, ବାସନ୍ତୀ ସ୍ତ୍ରୀଲୋକଟିକୁ ଦେଖିଥିଲେ ମଧ୍ୟ ମନର କଥା ମନରେ ଚାପି ରଖି ବାହାରକୁ ଦେ‌ଖାଇ ହେବା ଭଳି କହିଲେ–ବେଳେବେଳେ ମଣିଷକୁ କଥା ଲହସରେ ସେମିତି ଜଣାପଡ଼େ । ସ୍ତ୍ରୀଲୋକଟା ଯଦି ସେ ଘରେ ପଶିଥାନ୍ତା, ତେବେ ଯାଆନ୍ତା କୁଆଡ଼େ ? ଆମେ ତ କେତେ ତାକୁ ସେ ଘରେ ଖୋଜିଲେଇଁ ?

 

ସମସ୍ତେ ନୀରବ ହୋଇ କିଛି ସମୟ ବସି ରହିଲେ । ଲକ୍ଷ୍ମୀଙ୍କୁ ଘଟଣାଟି ଅତି ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ମଧ୍ୟ ସେ ମନେମନେ ଠିକ୍‌ କରି ନେଇଥିଲେ, ସେ ଘରେ ଝିଅଟି ନିଶ୍ଚୟ ଲୁଚି ରହିଛି । ରହୁ, କେତେବେଳଯାଏଁ ରହିବ, ଦେଖିବା । ଝିଅଟି ବରାବର ଆସିବା ଫଳରେ ତା’ ସହିତ ତାଙ୍କ ସ୍ୱାମୀ ବେଶ୍‌ ହସଖୁସି, ଆନନ୍ଦରେ ରାତିଟି କଟାଇ ନେଉଛନ୍ତି । ଭୋରରୁ ସେ ଉଠି ଚାଲିଯାଉଛି । ଝିଅଟି ବେଶ୍‌ ଚଲାକି ଅଛି । ନଚେତ ସେ ନିଶ୍ଚୟ ଧରା ପଡ଼ି ସାରନ୍ତାଣି ।

 

ଭରତ କହିଲେ–ଯାଉଛିଲୋ ମା’, ଚା ବସାଏ । ଚା ଟିକିଏ ଟିକିଏ ପିଇବା । ଚା ଖିଆ ବେଳ ହୋଇଗଲାଣି ।

 

ଭରତ ଚା କରିବାକୁ ଗଲେ । ଲକ୍ଷ୍ମୀ, ବାସନ୍ତୀ ଓ କାନ୍ତି ବାରଣ୍ଡାରେ ବସି କଣେଇ କଣେଇ ସନ୍ଦେହ ଚକ୍ଷୁରେ ହେମକାନ୍ତଙ୍କ ଶୋଇବା ଘର ଓ ବାଡ଼ିପଟ ଘରକୁ ଚାହୁଁଥିଲେ । ମନରେ ସେମାନଙ୍କର ନାନାପ୍ରକାର ଆଶଙ୍କା ଓ ଭାବନା ଉଙ୍କି ମାରୁଥିଲା ।

 

–ଆଠ–

 

ଭରତ ଚା କରି ସମସ୍ତଙ୍କୁ ଦେଲେ । ଲକ୍ଷ୍ମୀ, କାନ୍ତି, ବାସନ୍ତୀ, ଚା ଖାଇ ସାରିବା ପରେ କାନ୍ତି ଝାଡ଼ୁଧରି ବାହାରିଲେ ଘର ଓଳାଇବାକୁ । ଭରତ କାନ୍ତିଙ୍କ ହାତରୁ ଝାଡ଼ୁଟା ଛଡ଼ାଇ ନେଇ କହିଲେ–ଏ କ’ଣ ଅଭିଲା କଥା କରୁଛମ ଅପା ! ଭରତ ଥାଉଁଥାଉଁ ତୁମେ ଘର ଝାଡ଼ୁ କରିବ ? ରନ୍ଧାବଢ଼ା କରିବ, ବାସନ ମାଜିବ ? ତା’ କେବେ ଭରତ କରାଇ ଦେବନି ।

 

ବାସନ୍ତୀ କହିଲେ–ତୁମେ ଏକା ସବୁ କାମ କରିବ ? ଆମେ ଟିକିଏ ମିଶି ଗଲେ ଅବଶ୍ୟ ତୁମକୁ କେତେଟା ତ ହାଲ୍‍କା ଲାଗିବ । ଆମକୁ ଖାଲିଟାରେ ବସି ରହିଲେ ବିରକ୍ତ ଲାଗିବନି ?

 

ଭରତ କହିଲେ–ତୁମେ ଗୋଟିଏ କାମ କରୁନ ଅପାମାନେ । ଚୁଲି ଲଗାଇ କାକରାପାଇଁ ଖଳି ବସାଇଦିଅ । ମୁଁ ଘର ଓଳାଇ ଆସିଲେ ଖଳି ଓହ୍ଲାଇ ଡାଲମା ବସାଇ ଦେବି । ଖଳି ଚକଟି ରଖିଦେବି । ତୁମ ଭିତରୁ କେହି ଜଣେ ବେଲି ଦେଲେ ମୁଁ ଘିଅରେ ଛାଣି ଦେବି । ତା’ପରେ ଅଳ୍ପ ଟିକିଏ କ୍ଷୀରୀ କରିଦେବା ।

 

ସତରେ କ’ଣ ତୁମେ କାକରା, ଡାଲମା କ୍ଷୀରୀ କରିବ ଭରତ ? କାନ୍ତି ପଚାରି ଭରତଙ୍କ ମୁହଁକୁ ଚାହିଁ ରହିଲେ ।

 

ଭରତ କହିଲେ–କି କଥା କହୁଛମ କାନ୍ତି ଅପା ? ବାବୁଙ୍କର ବାପା ବୋଉ ଯଦି ବଞ୍ଚିଥାନ୍ତେ, ସାତମଙ୍ଗଳାଯାକ ଘର କମ୍ପୁଥାନ୍ତା । ବାବୁଙ୍କର ବାପା, ବୋଉ ନାହାନ୍ତି ବୋଲି କ’ଣ ବିଧିବିଧାନ ସବୁ ବୁଡ଼ିଯିବ ? ଆଜି ଛଅମଙ୍ଗଳା ହେବ, କାଲି ସକାଳେ ଖେଚୁଡ଼ି, ମାଛ ତରକାରୀ, ଡାଲି, ପିଠା, କ୍ଷୀରୀ ହୋଇ ସାତମଙ୍ଗଳା ଭୋଗ କରିବା । ଆଠ, ନଅମଙ୍ଗଳା ପର୍ଯ୍ୟନ୍ତ ଉତ୍ସବ ଚାଲିବ, ଦଶମଙ୍ଗଳା ଦିନ ତ ସାନ ଅପା ଆମର ଯାଇ ତାଙ୍କ ବାପଘରେ ଉଠିବେ । ତାଙ୍କ ବୋଉ ଭାଇ ଭଉଣୀଙ୍କ ସାଙ୍ଗରେ ମାଉସୀଙ୍କ ସୁଆଦିଆ ରନ୍ଧାଖାଇ ଭାଇ, ଭଉଣୀ, ସାଙ୍ଗସାଥୀଙ୍କ ସହିତ ଦିନରାତି ତାସ ପାଲି ପକାଇଥିବେ ।

 

ଲକ୍ଷ୍ମୀ ଅଳ୍ପ ହସି କହିଲେ–ତୁମକୁ ତ ସବୁ କଥା ମାଲୁମ ଭରତ !

 

‘‘ଭରତ ପରା ମୁହଁକୁ ଚାହିଁଲେ ସବୁ କଥା କହିଯିବ ଅପା !’’ ଭରତ ଝାଡ଼ୁ ଧରି ଅଣ୍ଟାରେ ହାତ ଦେଇ ଘର ଓଳାଇବାରେ ଲାଗିଲେ । କିଝି ସମୟ ପରେ କହିଲେ–ଅପାମାନେମ ସନ୍ଧ୍ୟା ହୋଇ ଆସିଲାଣି । ସଞ୍ଜ ବଳିତା ବସଉଚ ତ ? ନୋହିଲେ କେଉଁଠି ଧୋବକନା କି ତୁଳା ଥିବ, ଆଣି ବଳିତା ଦି’ଟା ବଳିଦିଅ, ମୁଁ ଠାକୁରଙ୍କ ଘରେ, ଦାଣ୍ଡ ଆଡ଼େ, ବାଡ଼ିଆଡ଼େ, ତୁଳସୀଚଉରା ମୂଳେ ଘିଅବୁଡ଼େଇ ବଳିତା ଲଗାଇ ଦୁଇ ଦୁଇଟି କରି ବସାଇ ଦେବି । ବଳିତା ବସାଇବାବେଳେ ଠାକୁରଙ୍କୁ ଡାକି ଶୁଭ ମନାସି ମୁଣ୍ଡିଆ ମାରିବା କଥା ।

 

ବାସନ୍ତୀ ଅପାମ, ତୁମେ ମୋ କଥା ନାକରା ବୁଝିଲ କି ? ଆଜିକାଲି ଯାହା ଘରେ ଝିଅ, ବୋହୂ ସବୁ ଶିକ୍ଷିତ, ତାଙ୍କ ଘରେ ସଞ୍ଜ ବଳିତା ଦିଆଯାଉଛିନା, ଠାକୁର ଅଛନ୍ତି ? ତୁଳସୀଚଉରା ତ ଦେଖିବାକୁ ସପନ । ସେମାନେ ପରା କହୁଛନ୍ତି–ସଞ୍ଜବତି ଦେବା, ଠାକୁର ରଖି ପୂଜା କରିବା, ଘରେ ତୁଳସୀ ଗଛ ରଖିବା ଏସବୁ ବାଜେ କାମ । ଯାହାର କିଛି କାମଧନ୍ଦା ନାହିଁ, ସେ ଏହିଥିରେ ସମୟ ନଷ୍ଟ କରନ୍ତି । ଘରେ ଠାକୁର ରଖି ଘଣ୍ଟା ଘଣ୍ଟା ଧରି ତାଙ୍କ ପାଖରେ ଆଖି ବୁଜି ବସିଲେ କ’ଣ ଦେଶ ଓଲଟପାଲଟ ହେଇଯିବ ? ଏତିକି ସମୟ ଠାକୁରଙ୍କ ପାଖରେ ବସି ନଷ୍ଟ କରିବା ଅପେକ୍ଷା, ଖଣ୍ଡିଏ ନଭେଲ୍ ଧରି ପଢ଼ିଲେ ହେଲେ ମନରେ ଆନନ୍ଦ ଆସିବ । ମଣିଷ ବହୁତ କଥା ଜାଣିବ । ସଞ୍ଜ କେତେବେଳେ ହେବ, ମଣିଷ ସଞ୍ଜ ବଳିତା ଦେବ ବୋଲି ଚାହିଁ ସମୟ ନଷ୍ଟ କରିବ କାହିଁକିମ ? ସଞ୍ଜ ଦିଆଯିବ ବୋଲି ତ ସବୁଦିନ ଚାହିଁ ରହିଲେ ମଣିଷ ସିନେମା, ଥିଏଟର, କ୍ଲବ ଘର କି ଭୋଜି, ନିମିତ୍ତ, ଉତ୍ସବରେ ଯୋଗ ଦେଇ ପାରିବ ନାହିଁ । ତୁଳସୀ ଗଛ ପୋତିବାପାଇଁ ଜାଗା ଛାଡ଼ିବା ଅପେକ୍ଷା ସେହି ଜାଗାରେ ବଖରେ ଘର କରିଦେଲେ ତ ଶହେଟଙ୍କା ଭଡ଼ା ମିଳିବ, କିମ୍ୱା କୁକୁଡ଼ା ଭାଡ଼ି କରି ଫାର୍ମ କୁକୁଡ଼ା ଦୁଇଟା ଆଣି ରଖିଲେ ଅଣ୍ଡା କିଣିବାକୁ ପଡ଼ିବ ନାହିଁ ।’’ ଭରତ କହି ଚାଲିଲେ ।

 

କାନ୍ତି କହିଲେ–ତୁମକୁ କେତେ କଥା ଜଣାହେ ଭରତ !

 

ମୁଁ ପରା ଏଥିରେ ଅନୁଭବୀ ଅପା ! ଏସବୁ କଥା ଶୁଣି ଶୁଣି ଭରତ କାନ ବଧିରା ହୋଇଗଲାଣି । ଆଜିକାଲିକା ଶିକ୍ଷିତ ଝିଅ, ବୋହୂ କ’ଣ କହୁଛନ୍ତି, ଶୁଣିଛ ଅପା ? କହୁଛନ୍ତି–ଠାକୁରପୂଜା, ସଞ୍ଜଦୀପ ଦେବା, ତୁଳସୀ ଗଛ ରଖି ପୂଜା କରିବା–ଏସବୁ ପୁରୁଣାକାଳିଆ, ନିକମା ଲୋକଙ୍କ କାମ ଥିଲା । ସେମାନଙ୍କର ଧନ୍ଦା କିଛି ନଥିଲା । ପଶୁ ପରି ଗୁଡ଼ାଏ ଖାଇ ଶୋଇ ଶୋଇ ସମୟ ନଷ୍ଟ କରୁଥିଲେ । ସେଥିପାଇଁ ଅଳସୁଆ, ନିକମା କଥା ମୁଣ୍ଡରୁ ବାହାରିଲା–ଠାକୁରପୂଜା, ସଞ୍ଜବତି, ଶ୍ରାଦ୍ଧ, ନାନାପ୍ରକର ପର୍ବପୁନିଅଁ । ଯେଉଁମାନେ ଠାକୁରପୂଜା କରୁ ନାହାନ୍ତି, ସେମାନେ କ’ଣ ଆଉ ସ୍ୱର୍ଗକୁ ଯାଉନାହାନ୍ତି ? ଠାକୁର ପୂଜା କରୁଥିବା ଲୋକ କ’ଣ ରୋଗରେ ପଡ଼ୁ ନାହାନ୍ତି-? ଅଭାବ, ଅସୁବିଧା ଭୋଗୁ ନାହାନ୍ତି ? ମରୁ ନାହାନ୍ତି ? ସଞ୍ଜବତି ଦେଉଥିବା ବୋହୂମାନେ କ’ଣ ଗରିବ ବା ବିଧବା ହେଉ ନାହାନ୍ତି ? ନାନାପ୍ରକାର ଯୁକ୍ତି । ବୁଝାଇବ କିଏ ? ଭରତ କହିଲେ-

 

ବାସନ୍ତୀ କହିଲେ–ଆଚ୍ଛା !

 

ଭରତ ଘର ଓଳାଇ କହିଲେ–ଆଜିକାଲିକା ଶିକ୍ଷିତ ପିଲାଙ୍କର ଏମିତି ଅଦ୍ଭୁତ ଯୁକ୍ତି । ତାଙ୍କୁ ଉତ୍ତର ଦେବା ଅପେକ୍ଷା ବରଂ ଚୁପ୍‌ ରହିବା ଭଲ ।

 

କାନ୍ତି କହିଲେ–ଆଲୋ ମା’, ସଞ୍ଜବତିଟି ଦେଇ ବୃନ୍ଦାବତୀଙ୍କ ପାଖରେ ନିଜ ପିଲା, ସ୍ୱାମୀଙ୍କର ଦେହପା ଭଲ ରହିବାପାଇଁ କହି ମୁଣ୍ଡିଆଟିଏ ମାଇଲେ ମନରେ କେତେ ଶାନ୍ତି ଆନନ୍ଦ ଆସେ ସେମାନେ କୁଆଡ଼ୁ ବୁଝିବେ ? ଆଜିକାଲିକା ପାଠୁଆ ଝିଅ ବୋହୂତ ଚାକିରି କଲେ । ସିନେମା, ଥିଏଟର, କ୍ଲବ ଘର ଗଲେ । ମରଦଙ୍କ ସାଙ୍ଗରେ ମରଦ ହୋଇ ଠିଆ ହେଲେ । ସେମାନଙ୍କୁ କାହିଁକି ଧର୍ମ, ଅଧର୍ମ କଥା ଜଣା ପଡ଼ିବ ?

 

ଭରତ ଘର ଓଳାଇ ସାରି ହାତ ଧୋଇ ରୋଷେଇଘରେ ପଶୁ ପଶୁ କହିଲେ–ଅପାମାନେମ, ତାଙ୍କର ପରା ଅସଲ ଧର୍ମ ହେଲା ଅର୍ଥ । ସେମାନେ କହନ୍ତି ବ୍ୟାଙ୍କ୍ କିମ୍ୱା ପୋଷ୍ଟ୍ ଅଫିସ୍‍ରେ ଯଦି ଆମର ପଚାଶ ହଜାର କି ଲକ୍ଷେ ଟଙ୍କା ଅଛି, ତେବେ କେତେ ଦିଅଁ, ଦେବତା, ଧର୍ମ ପୁରୁଷ, ସାଧୁ, ସନ୍ନ୍ୟାସୀ ଆମ ଗୋଡ଼ ତଳକୁ ଆସିବେ ।

 

ବାସନ୍ତୀ କହିଲେ–କଥାଟା ସତ ନୁହେଁ କି ? ଯାହାକୁ ଲକ୍ଷ୍ମୀ ବରଦାୟକ ହେଲେ, ସେ ସମାଜରେ ଧର୍ମପତି, ଶିଳ୍ପପତି, ସମାଜପତି, ବଡ଼ ବ୍ୟବସାୟୀ ହେଲା । ସେ ଠାକୁରଙ୍କୁ ଶହ ଶହ ଟଙ୍କାର ଭୋଗ ଲଗାଇଲେ । ତାଙ୍କୁ ଠାକୁରେ ଦିବ୍ୟଦୃଷ୍ଟିରେ ନ ଚାହିଁ ଆମକୁ କ’ଣ ଚାହିଁବେ ?

 

ଭରତ କହିଲେ–ତୁମେ ଜାଣିନମ ବାସନ୍ତୀ ଅପା ! ତାଙ୍କ ପଇସା କ’ଣ ଠାକୁରଙ୍କ ପାଖେ ଭୋଗ ଲାଗୁଛି ନା ଗରିବଗୁରୁବାଙ୍କ ତୁଣ୍ଡରେ ପଡ଼ୁଛି ?

 

‘ଆଉ’ ? ବାସନ୍ତୀ ଆଶ୍ଚର୍ଯ୍ୟ ହୋଇ ଭରତଙ୍କ ମୁହଁକୁ ଚାହିଁ ରହିଲେ ।

 

ଭରତ ମୁଣ୍ଡ ହଲାଇ କହିଲେ–ଖାଲି ମଦପିଆ, ମର୍ଦ ହେଇଥିଲେ ଅନ୍ୟ ମାଇକିନିଆ ପିଛା, ମାଇକିନିଆ ହେଇଥିଲେ ଅନ୍ୟ ମର୍ଦପିଛା ଗୋଡ଼େଇବା, ହୋଟେଲରେ, କ୍ଲବ୍‌ ଘରେ ଖିଆପିଆ, ନାଟତାମସାରେ ମାତିବାରେ ଯାଉଛିନା !

 

ବାସନ୍ତୀ ମୁହଁ ଝିଞ୍ଚାଡ଼ି କହିଲେ–ଛିଆଲୋ, ଇଏ କେଉଁ ଢଙ୍ଗର ମର୍ଦ, ମାଇକିନିଆମ ?

 

କାନ୍ତି କହିଲେ–ଭରତ ଯାହା କହୁଛନ୍ତି, ପ୍ରକୃତ କଥା । ସେ ଯାତ୍ରାଦଳରେ ରହି ବହୁତ ଆଡ଼େ ବୁଲିଛନ୍ତି, ବହୁତ ସ୍ଥାନ ଦେଖିଛନ୍ତିନା; ତେଣୁ ଦୈନନ୍ଦିନ ଘଟୁଥିବା ଘଟଣାମାନ ତାଙ୍କୁ ଜଣା ।

 

କାନ୍ତି ଚୁଲି ଲଗାଇ କାକରାପିଠା ପାଇଁ ଖଳି କରି ସାରିଥିଲେ । ଭରତ କହିଲେ–କାନ୍ତି ଅପାମ, ଆଗ କ୍ଷୀରୀ ବସାଇ ଦବା । ଆଗରୁ କ୍ଷୀରୀ ନକଲେ ଖାଇଲା ବେଳକୁ ଥଣ୍ଡା ହୋଇ ନଥିବ ।

 

ବାସନ୍ତୀ କହିଲେ–କରୁନ । ତୁମର ଯାହା ଖୁସି କର । ଏ ଘରେ ଆମେ ସମସ୍ତେ ସମାନ । ପଚାରୁଛ କାହାକୁ ?

 

କାନ୍ତି ଗୁଣ୍ଡକ୍ଷୀର ଡବାଟି ଭରତଙ୍କ ହାତକୁ ବଢ଼ାଇ ଦେଇ କହିଲେ–ଗରମ ପାଣି କରି ଏଇଥିରୁ ଯେତିକି ଗୁଣ୍ଡକ୍ଷୀର ଦରକାର କାଢ଼ି ଗୋଳାଅ । ମୁଁ ଅରୁଆ ଚାଉଳ, ଚିନି ଦଉଛି ।

 

ଭରତ ଗୁଣ୍ଡକ୍ଷୀର ଗରମ ପାଣିରେ ଗୋଳାଇ ସିଲ୍‌ଭର ଡେକ୍‌ଚିରେ ଅଜାଡ଼ି ଚୁଲି ଉପରେ ବସାଇଲେ । ରୋଷେଇଘର ଦୁଆରମୁହଁରେ ବସିଥାନ୍ତି ଲକ୍ଷ୍ମୀ ଆଉ ବାସନ୍ତୀ । କାନ୍ତି ଭଣ୍ଡାରଘରୁ ଅରୁଆ ଚାଉଳ, ଚିନି ଆଣି ଦେଇ ଲକ୍ଷ୍ମୀ, ବାସନ୍ତୀଙ୍କ ପାଖେ ବସିଲେ । ପୁଣି ଭରତ ଗପ ଆରମ୍ଭ କଲେ–ଅପାମାନେମ, ଆମେ ଚାରିଟାବେଳେ ବାବୁଙ୍କ ଶୋଇବାଘରେ କିଏ ବାଡ଼ିପଟୁ ଆସି ପଶିଗଲା ବୋଲି ଭାବି ଖୋଜିଲେନି ? ସେମିତି ଘଟଣା ଥରେ ଗୋଟେ ଗାଁରେ ଘଟିଲା । ଆମେ ସବୁ ଯାତ୍ରା କରିବାକୁ ସେ ଗାଁକୁ ଯାଇଥାଉ । ରାତି ଆଠଟା ବେଳୁ ଯାତ୍ରା ଦେଖିବେ ବୋଲି ମଫସଲରୁ ଲୋକ ଥାଟ ଚାଲିଥାନ୍ତି । ଆମେ ସବୁ କ୍ଷିଅର ହୋଇ ମୁଣ୍ଡ ଗୁଣ୍ଡେଇ ମୁହଁରେ ପାଉଡ଼ର, ଆଖିରେ କଜ୍ଜ୍ୱଳ, ମୁଣ୍ଡରେ ସିନ୍ଦୂର, ଗୋଡ଼ରେ ଅଳତା ଲଗାଇ ଶାଢ଼ି, ବ୍ଲାଉଜ୍ ପିନ୍ଧୁଥାଉ ।

 

‘‘ତୁମେ କ’ଣ କ୍ଷିଅର ହୁଅ ଭରତ ?’’ କାନ୍ତି ହସି ହସି ପଚାରିଲେ ।

 

‘‘ମଲାମର ମୁଁ ମର୍ଦଟେନା । ମୁଁ କ୍ଷିଅର ହେବିନି ? ପୁଣି ଯେଉଁଦିନ ଯାତ୍ରା ଥାଏ, ସେ ଦିନ ଦି’ ଦି’ ଥର କ୍ଷିଅର ହବାକୁ ପଡ଼େ । ସକାଳେ ଥରେ କ୍ଷିଅର ହୋଇଥାଉ । ପୁଣି ରାତିରେ ବେଶ ଘରକୁ ଗଲେ ଆଉଥରେ କ୍ଷିଅର ହେଉ । ଖାଲି ମୁହଁ ନୁହେଁମ ଅପା ! ମୁହଁ, କାଖ ଉଭୟ କ୍ଷିଅର ହେଉ ।’’ ଭରତ କହି ଚାଲିଲେ ।

 

ବାସନ୍ତୀ କହିଲେ–ତୁମ ସାଙ୍ଗରେ କ’ଣ ବାରିକ ଯାଇଥାଏ ?

 

ଭରତ ଅରୁଆ ଚାଉଳ ଧୋଇ ଡେକ୍‌ଚିରେ ପକାଉ ପକାଉ କହିଲେ–ଖାଲି କ’ଣ ବାରିକ ଅପା ? ବାରିକ, ପୂଜାରୀ, ବେଶକାରୀ, ଟହଲିଆ, ବିଗୁଲ, ଡ୍ରମ୍‌, ପଖଜ, ଡୁବି, ବଂଶୀ, ସୀତାର ପ୍ରଭୃତି ବିଭିନ୍ନ ବାଜା ବଜାଇବା ପାଇଁ ଭିନ୍ନ ଭିନ୍ନ ଲୋକ, ପାର୍ଟିଅର୍ ମାନେଜର ସମସ୍ତେ ଯାଇଥାନ୍ତିନା ! ସମସ୍ତଙ୍କ ଉପରେ ତ ମାଷ୍ଟ୍ରେ । ମାନେଜରଙ୍କ କଥାକୁ ଏଡ଼ି ଦେଇ ହେବ, ପାର୍ଟିଅର୍‍ଙ୍କ କଥାକୁ ଏଡ଼ି ଦେଇ ପାରିବ; ହେଲେ ମାଷ୍ଟ୍ରେଙ୍କ କଥାକୁ କେହି ଏଡ଼ି ଦେଇ ପାରିବେ ନାହିଁ । ସେ ଶକ୍ତି କାହାରି ନାହିଁ ।

 

ବାସନ୍ତୀ କହିଲେ–କାହିଁକି ?

 

ଭରତ ଜିଭ କାମୁଡ଼ି କହିଲେ–ସେ ପରା ଗୁରୁ । ମହୁମାଛି ଭିତରେ ଯେମିତି ରାଣୀ ମହୁମାଛି, ଉଇମାନଙ୍କ ଭିତରେ ଯେମିତି ରାଣୀ ଉଇ, ଯାତ୍ରାଦଳରେ ମାଷ୍ଟ୍ରେ ସେମିତିନା ! ଜଣେ ମାଷ୍ଟ୍ରେ ତ ତୁମ ଆମ ପରି କେତେ କେତେ କଳାକାରଙ୍କୁ ଉତ୍ତାରି ଦେବେ; ମାତ୍ର କେତେ ଜଣ କଳାକାର ଗୁରୁହୋଇ ବାହାରୁଛନ୍ତି କହୁନ ?

 

କାନ୍ତି କହିଲେ–ତା’ପରେ କ’ଣ ହେଲା ?

 

ଭରତ କହିଲେ–ଆମର ସେଦିନ ଛଅଜଣ ପିଲାକର ପ୍ରଥମରୁ ଶିବ ବନ୍ଦନା ଥାଏ । ଶିବ ବନ୍ଦନା ପରେ ଯାତ୍ରା ଆରମ୍ଭ ହେବ । ଆମେ ବେଶ ହୋଇ ମୁଣ୍ଡରେ ଫୁଲ ବାନ୍ଧି, ଶାଢ଼ି, ବ୍ଲାଉଜ୍ ପିନ୍ଧି, ଗୋଡ଼ରେ ଘୁଙ୍ଗୁର ବାନ୍ଧୁଛୁ, ଗାଁ ମଝିରୁ ଜଣଙ୍କ ଘରୁ ଡାକ ଶୁଭିଲା ଦୌଡ଼ି ଆସ, ଦୌଡ଼ି ଆସ । ମୋ ଘରେ ଚୋର ପଶିଛି । ଲୋକେ କିଲିବିଲି ହୋଇ ଉଠି କିଏ ଠେଙ୍ଗା, କିଏ ବାଡ଼ି, କିଏ କଟୁରି, କିଏ ଶାବଳ, କିଏ ଖଣତି, କିଏ ତେଣ୍ଟା, କିଏ ପନିକି ଧରି ତାଙ୍କ ଘରକୁ ଦୌଡ଼ିଲେ । ତାଙ୍କ ଘରକୁ ଚାରି ପାଖକୁ ଘେରିଗଲେ । ଯେତେ ବାହାରପଟ କବାଟ ବାଡ଼େଇଲେ ମଧ୍ୟ ଭିତରୁ କେହି କବାଟ ଫିଟାଇଲେ ନାହିଁ । ଘରର ମାଲିକଟି ଚୋର ଚୋର ବୋଲି ସେମିତି ରାସ୍ତାରେ ଠିଆ ହୋଇ ପାଟି କରୁଥାନ୍ତି । ତାଙ୍କ ସ୍ତ୍ରୀ, ମା’, ପିଲାମାନେ ବାହାରେ ଠିଆ ହୋଇ କାନ୍ଦିକାଟି ଗାଁ କମ୍ପାଉଥାନ୍ତି । ଏହି ସମୟରେ ଲୋକେ ତାଙ୍କ ଘରର ଚାଳ ଉପରେ ଚଢ଼ି ଘର ଭିତରକୁ ପଶିଲେ । ଦେଖିଲେ ଘର ଅଗଣାରେ ଗୋଟିଏ ପାଗଳୀ ଆରାମରେ ମସିଣା, ତକିଆ ପକାଇ ଶୋଇ ଆକାଶକୁ ଚାହିଁ ଏଣୁତେଣୁ ଗପିବାରେ ଲାଗିଛି । ଲୋକେ ଘର ଅଗଣାରୁ ଡେଇଁବାର ଦେଖି ପାଗଳୀଟି ବଡ଼ପାଟିରେ ପଚାରିଲା–ମୋ ଘରେ ତମେ ସବୁ କିଏରେ ? ଅଗଣାକୁ ଡେଇଁଥିବା ଲୋକେ ତ ପ୍ରଥମେ ତା’ ପାଟି ଶୁଣି ଭୟ କରିଗଲେ । ତା’ପରେ ସ୍ତ୍ରୀଲୋକଟିକୁ କାବୁ କରି ବାହାରକୁ ଆଣି ଆଲୁଅରେ ତା’ ମୁହଁକୁ ଅନାଇଲା ବେଳକୁ ସେ କୁଆଡ଼େ ଘର ମାଲିକର ଭଉଣୀ । ପାଖ ଗାଁରେ ବାହା ହୋଇଛି । ମୁଣ୍ଡ କ’ଣ ଖରାପ ହୋଇ ପାଗଳୀ ପାଲଟି ଯାଇଛି ।

 

କାନ୍ତି ପଚାରିଲେ–ସେ କିମିତି ଘରେ ପଶିଲା ?

 

ମଲାମର, ତୁମେ ବୁଝି ପାରୁନକି ଅପା ? ତାଙ୍କ ଘରୁ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଯାତ୍ରା ଦେଖିବାପାଇଁ ଆସିଲେ । ଘର ମାଲିକ ବାହାର କବାଟ ଆଉଜାଇ ଦେଇ ଦୋକାନକୁ ପାନ ଆଣିବାକୁ ଆସିଛି, ଏହି ସମୟରେ ଏହି ପାଗଳୀ ଯାତ୍ରା ଦେଖିବାକୁ ଆସି ବାପଘର କବାଟ ମେଲା ଦେଖି ଘରେ ପଶି ବାହାରୁ କବାଟ ଦେଇ ଦେଇଛି ।

 

ବାସନ୍ତୀ ପଚାରିଲେ–ତା’ପରେ ?

 

ଭରତ କହିଲେ–ଲୋକଙ୍କ ଭିତରେ ଗୁଡ଼ାଏ ହସ ବୃଷ୍ଟି ହେଲା । ଲକ୍ଷ୍ମୀଙ୍କର ଏଥର ମୁହଁ ଫିଟିଲା । ସେ କହିଲେ, ନା ଆମେ ଯେଉଁ ଝିଅକୁ ଘର ଭିତରେ ପଶିବାର ଦେଖିଲେଇଁ ତାହା ଠିକ୍‌ ଦେଖିଥାଇଁ । କୌଣସି ଗୋଟିଏ ଝିଅ ଏ ଘରକୁ ବରାବର ଆସୁଛି ଏବଂ ଶୋଇବା ଘରେ ପଶି କୌଣସି ଅଜଣା ଜାଗାରେ ଲୁଚି ଯାଉଛି ।

 

ଭରତ କହିଲେ–ଏକି ଆଶ୍ଚର୍ଯ୍ୟ କଥା କହୁଛମ ସାନ ଅପା ! ଆମେ ସମସ୍ତେ ଖୋଜିଲେଇଁ । ମୁଁ ପୁଣି ବତିଜାଳି ଖୋଜିଲି । ସେ ଘରେ ଯଦି କୌଣସି ଝିଅ ପଶିଥାନ୍ତା, ସେ ଆମର ଚାରି ଯୋଡ଼ା ଆଖିକୁ ଏଡ଼ି ଦେଇ ପଳାଇ ଯାଆନ୍ତା ? ଏଡ଼େ ପାରିବାର ସେ ?

 

ବାସନ୍ତୀ କହିଲେ–ସୂର୍ଯ୍ୟ ବୁଡ଼ି ଆସୁଥିଲାବେଳେ କୌଣସି ବଡ଼ ପକ୍ଷୀ ସୂର୍ଯ୍ୟ କିରଣ ଦେଇ ଉଡ଼ିଗଲେ ସେମିତି ଜଣାପଡ଼େ । ଗଛର ଛାଇ ସୂର୍ଯ୍ୟଙ୍କ କିରଣରେ ମଧ୍ୟ ବେଳେବେଳେ ସେମିତି ଆଖିକୁ ଲାଗେ । ମୁଁ ପରା ନିଜେ ଅନୁଭବୀ ।

 

କାନ୍ତି କହିଲେ–ଶୋଇବା ଘରର ବାହାରପଟ ଝରକାରେ ତ ଲୁହାଜାଲି ଲାଗିଛି । ସେ ବାଟେ ଡେଇଁ ବାହାରକୁ ଯିବାର ଉପାୟ ନାହିଁ । ଆମେ ସମସ୍ତେ ତ ଘର କବାଟ ମୁହଁରେ ଠିଆ ହୋଇ ରହିଥିଲେ । ଦୁଆର ବାଟେ ତ କେହି ଯାଇ ନାହାନ୍ତି । ଆଉ ଗଲା କେଉଁବାଟେ ? ବାସନ୍ତୀ ଯାହା କହୁଛି, ତା’ ଠିକ୍‌ । ମଣିଷ ଘରେ ଏକୁଟିଆ ଥିଲେ କିମ୍ୱା ବାଟରେ ଏକୁଟିଆ ଯାଉଥିଲେ ପଛରେ କେହି ନଥିଲେ ମଧ୍ୟ ଯେପରି ଜଣେ କିଏ ଆସୁଥିଲା ଭଳି ଲାଗେ, ବାରମ୍ୱାର ପଛକୁ ଚାହିଁ ମନରୁ ଭୟ ଦୂର କରିବାକୁ ପଡ଼େ, ଏ ଘଟଣା ମଧ୍ୟ ସେମିତି ଘଟିଲା । ଶୋଇବାଘରକୁ ଝିଅଟିଏ ପଶିଗଲା ଭଳି ମତେ କ’ଣ ଦିଶିଲାନି କି ? ହେଲେ ଘରେ ପଶିଥିଲେ ଯାଆନ୍ତା କୁଆଡ଼େ ? ତା’ପରେ ସେ ଘରେ ତ ପଶି ଭରତ, ମୁଁ, ତୁ, ବାସନ୍ତୀ ସମସ୍ତେ ତନ୍ନତନ୍ନ କରି ଖୋଜି ଆସିଲେ । ମଣିଷଟେ ଲୁଚିବା ଭଳି ଜାଗାତ ସେ ଘରେ କୌଣସିଠାରେ ନାହିଁ ।

 

ଲକ୍ଷ୍ମୀ ନିଜ କଥାକୁ ଆହୁରି ମଜବୁତ୍‌ କରିବାପାଇଁ ନୀରବରେ ଉଠି ଚାଲିଗଲେ । କାନ୍ତି, ବାସନ୍ତୀ ଶୋଇଥିବା ଘରେ ଅଖା ସନ୍ଧିରେ ଲୁଚାଇ ରଖିଥିବା ମୁଣ୍ଡର ଅଡ଼ୁଆ କେଶ ଏ ଭଙ୍ଗାକାଚ ପୁଡ଼ିଆଟି ଆଣି ଦେଖାଇଲେ । କହିଲେ–ମୁଁ ଯଦି ମିଛ କହୁଛି, ଏସବୁ କାହାର କହୁନ ଭରତ ? ସେ ଝିଅ ବରାବର ୟାଙ୍କ ପାଖକୁ ଆସୁଛି ।

 

ଭରତ, କାନ୍ତି, ବାସନ୍ତୀ ସମସ୍ତେ ପୁଡ଼ିଆଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାନ୍ତି କିଛି ସମୟ ଭାବିଲା ପରେ କହିଲେ–କିଲୋ, ମୁଁ ଦେଖୁଛି ତୁ ତ ମହାଚତୁରୀ ! ଆମ ସମସ୍ତଙ୍କୁ ଭେଳିକି କରି ଦେବାକୁ ବସିଛୁ ?

 

ଅଡ଼ୁଆ ବାଳକୁ ବାସନ୍ତୀଙ୍କୁ ଶୁଙ୍ଘାଇ ପୁଣି କାନ୍ତୀ କହିଲେ–ଶୁଙ୍ଘିଲୁ ବାସନ୍ତୀ, ଆମେ ଯେଉଁ ବାସନା ତେଲ ଲଗାଇ ମୁଣ୍ଡ କୁଣ୍ଡାଇ ଥିଲେ, ଏ ଅଡ଼ୁଆ ବାଳ ସେହି ତେଲ ବାସନା କରୁଛି କି ନାହିଁ ?

 

ବାସନ୍ତୀ କହିଲେ–ନୂଆବୋଉ ଆମର ଛୋପରା ହେଉଛନ୍ତିନା ! ଇଏ ତାଙ୍କରି ମୁଣ୍ଡରବାଳ ।

 

ଅଡ଼ୁଆ ବାଳଟିକୁ ଲମ୍ୱେଇ ଦେଇ ବାସନ୍ତୀ ପୁଣି କହିଲେ–ଦେଖୁନୁ, ତାଙ୍କରି ମୁଣ୍ଡବାଳ ଯେତିକି ଲମ୍ୱ, ଏ ଛିଣ୍ଡା ବାଳ ଦି’ଟା ସେତିକି ଲମ୍ୱ କି ନୁହେଁ ? ଜାଣିସିଆଣିଆନା, ଇମିତି କହିଲେ ଆମେ ଯେମିତି ବିଶ୍ୱାସ କରିଯିବା, ନୂଆବୋଉ ଆମର ବାହାହବା ପରେ କ’ଣ ସବୁ ଘଟେ କିଛି ଜାଣନ୍ତି ନାହିଁ । ଧୁଆ ତୁଳସୀ ପତ୍ରଟିଏ !

 

ଭରତ ଲକ୍ଷ୍ମୀଙ୍କର ହାତଟାକୁ ଟାଣି ଦେଇ ତାଙ୍କ ହାତ କାଚ ସଙ୍ଗେ ଭଙ୍ଗାକାଚକୁ ମିଶାଇ କହିଲେ–ଦେଖେଲୋ ମା’, ନିଜ ଭଙ୍ଗାକାଚକୁ ସାଇତି ରଖି, ମୁଡ଼ୁକି, ମୁଡ଼ୁକି ହସି କେମିତି ଆମକୁ ବୋକା କରିଦେବାକୁ ବସିଛନ୍ତି !

 

ଏଇ ଦେଖୁନ କାନ୍ତି ଅପା, ବାସନ୍ତୀ ଅପା ! ସାନଅପାଙ୍କ ହାତକାଚ ମିଶି ଯାଉଛି କି ନାହିଁ ? କୁଆଡ଼ୁ ଦୌଡ଼ିଯାଇ ଅଡ଼ୁଆ ବାଳ, ଭଙ୍ଗାକାଚ ନେଇ ଆସି ଆମକୁ ତ ସାନଅପା ଏଇଲେ ବୋକା କରି ଦେଇଥିଲେ ?

 

କାନ୍ତି, ବାସନ୍ତୀ, ଭରତଙ୍କ କଥାଗୁଡ଼ିକ ଯେପରି କି ଶାଣଦିଆ ଛୁରି ହୃଦୟରେ ଚାଲିଲାଭଳି ଲକ୍ଷ୍ମୀଙ୍କୁ ଲାଗୁଥିଲା । ସେ ମନେମନେ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲେ–ସେ ସକାଳେ ଖଟଉପରୁ ଯେଉଁ ଭଙ୍ଗାକାଚ ସାଉଁଟି ଆଣି କାଗଜ ପୁଡ଼ିଆରେ ଲୁଚାଇ ରଖିଥିଲେ, ସେସବୁର ରଙ୍ଗ ଆକାର ଯେପରି କି ବଦଳି ଯାଇଛି । ଲକ୍ଷ୍ମୀ ଆଉ କିଛି କହିଲେ ନାହିଁ । ନୀରବରେ ମୁହଁକୁ ମାରି ବସିଲେ । ତାଙ୍କ ଛାତି ଭିତର ଯେପରିକି ଶୁଖି ଗଲାପରି ଏବଂ ଜିଭ ଭିତରକୁ ପଶିଗଲାପରି ଲାଗିଲା । ଦେହ ଥରିଲା । ସେ ଭରତଙ୍କୁ କହିଲେ–ରୋଷେଇଘରେ ପିଇବା ପାଣି ଅଛି ଭରତ ? ଟିକିଏ ଗିନା କି ଗ୍ଲାସ୍‌ରେ ଦେଲ ।

 

ଭରତ ଗୋଟିଏ କଂସା ଗିନାରେ ପାଣି ଗିନାଏ ଦେଲେ । ଲକ୍ଷ୍ମୀ ସେଇଠି ବସି ପାଣି ଗିନାଟି ମୁହଁରେ ଲଗାଇ ଢକଢ଼କ କରି ପିଇଦେଲେ । ପେଟ ଭିତରଟି ତାଙ୍କୁ ଯେତେକି ଥଣ୍ଡା ଲାଗିଲା, ମୁଣ୍ଡ ଭିତରଟା ସେତିକି ଗରମ ଭଳି ଜଣାଗଲା । ସେ ଭଙ୍ଗାକାଚ, ଅଡ଼ୁଆବାଳ ଉଠାଇ କାଗଜରେ ଗୁଡ଼ାଇ ଧୀରେ ଧୀରେ ଲୁଚାଇ ଅଣ୍ଟାରେ ଖୋସି ଦେଲେ ।

 

ବାସନ୍ତୀ କହିଲେ–ମଲାମର, ଏତେ ପାଣି ପିଇଲୁଣି । ରାତିରେ କିଛି ଖାଇବୁନି ନା କ’ଣ ?

 

କାନ୍ତି କହିଲେ–କାକରା ପିଠା, କ୍ଷୀରୀ, ଡାଲମା ହେଉଛି, ଖାଇବନି କିଆଁ ? ଗପ ପଡ଼ିଥିଲା, ଆମକୁ ଛାନିଆ କରିଦେବାକୁ ସେ ଗୋଟିଏ ଫିକର ପାଞ୍ଚି ଥିଲାନା ! ସେ କ’ଣ ଭାବିଥିଲା, ହଠାତ୍ ଇମିତି ଧରା ପଡ଼ିଯିବ ? ଆମେ ଇମିତି ଜାଣିଯିବୁ ବୋଲି ?

 

ଭରତ କହିଲେ–କାନ୍ତି ଅପା, ବାସନ୍ତୀ ଅପାମ ! ସାନଅପା ଆମର ଯେମିତି ମୁହଁ ଶୁଖାଇ କଥାଟି କହିଲେ ଏବଂ ଅଡ଼ୁଆବାଳ, ଭଙ୍ଗାକାଚ ପୁଡ଼ିଆ ଆଣି ଦେଖାଇଲେ, ମୁଁ ତ ଏକବାରେ ଘଟଣାଟା ସତ ବୋଲି ଭାବି ନେଇଥିଲି । ସତ କହୁଛି ଡରିଯାଇଥିଲିମ ? ସାନଅପା ଆମର...

 

‘‘ଚତୁରୀ ଅପା ରାଶି ମାଲପା

ଦେହକୁ ହିତ ଜାଣିଥା ବାପା ।’’

 

ଭରତଙ୍କ କଥା ଶୁଣି କାନ୍ତି, ବାସନ୍ତୀ, ଲକ୍ଷ୍ମୀ ସମସ୍ତେ ହସି ଉଠିଲେ । ଲକ୍ଷ୍ମୀଙ୍କର ଚଉଠି ରାତିଠାରୁ ଏପର୍ଯ୍ୟନ୍ତ ଘଟିଯାଇଥିବା ଘଟଣାଗୁଡ଼ିକ ଚଳଚ୍ଚିତ୍ର ଦେଖିଲା ଭଳି ଲାଗୁଥାଏ । ଆଶ୍ଚର୍ଯ୍ୟ, ଆଶଙ୍କା, ଭୟ ଭ୍ରାନ୍ତିରେ ତାଙ୍କ ଶରୀରରେ କେତେବେଳେ ଶିହରଣ ସୃଷ୍ଟି ହେଉଥାଏ ତ କେତେବେଳେ ଛାତି ଭିତରେ ଅମାବାସ୍ୟା ସାଗରର ଢେଉ ଭଳି ଭାବନାର ଛୋଟ ବଡ଼ ବହୁ ତରଙ୍ଗ ଦେଖାଦେଇ ଉଭେଇ ଯାଉଥାଏ ।

 

ବାସନ୍ତୀ କହିଲେ–ଭରତ, ମୋ ଆଡ଼କୁ ଖଳି କରେଇଟା ବଢ଼ାଇ ଦିଅ । ମୁଁ ଖଳି ଚକଟି କାକରାପାଇଁ ଗୁଳା କରିଦିଏ ।

 

କାନ୍ତି କହିଲେ–ମୋ ଆଡ଼କୁ ପନିକି, ପରିବା ଡାଲାଟା ଦିଅ । ମୁଁ ଡାଲମାପାଇଁ ପରିବା କାଟିଦିଏ । ଖାଲିଟାରେ ବସିଲେ କ’ଣ ହେବ, ତେଣେ ଡେରି ହୋଇଯିବ । ହେମ ଭାଇ ଆସି ପହଞ୍ଚିଯିବେ ।

 

ଭରତ ବାସନ୍ତୀଙ୍କ ହାତକୁ ଖଳି କରେଇ ଓ କାନ୍ତିଙ୍କ ହାତକୁ ପରିବାଡ଼ାଲା, ପନିକି ବଢ଼ାଇ ଦେଇ କହିଲେ–ଅପାମାନେମ, ତୁମେ କାଲି ଯାଅନି, ଆଉ ଚାରିଦିନ ରହ । ତୁମେ ଦୁହେଁ ଚାଲିଗଲେ ଘର ଖାଲି ହୋଇଯିବ । ସାନଅପା ଯାଇ ତାଙ୍କ ଶୋଇବାଘର ଖଟଉପରେ ଶୋଇ ନଭେଲ୍ ପଡ଼ୁଥିବେ । ବାବୁତ ଦୋକାନକୁ ଚାଲିଯିବେ । ମୋତେ ଏକୁଟିଆ ଭାରି ଖରାପ ଲାଗିବ ।

 

ବାସନ୍ତୀ କହିଲେ–କି କଥା କହୁଛମ ଭରତ ! ମୁଁ ପରା ମୋ ପୁଅଟାକୁ ବାପଘରେ ଛାଡ଼ି, ରୋଗଣା ଶ୍ୱଶୁରଙ୍କ ଭାର ପଡ଼ିଶା ଘର ଝିଆରୀ ହିସାବ ହେବ ତା’ରି ଜିମା ଦେଇ ଆସିଛି । ମୁଁ ଆଉ କ୍ଷଣେ ରହିପାରିବି ନାହିଁ । ଆଜିକୁ ସାତଦିନ ହେଲା ଆସିଲିଣି ଯେ ଶ୍ୱଶୁରେ ତେଣେ ଘରକୁ ପାଟି ତୁଣ୍ଡକରି ତଳ ଉପର କରୁଥିବେ ।

 

କାନ୍ତି କହିଲେ–ଆମ ସେ ତ କାଲି ସକାଳୁ ଆସି ପହଞ୍ଚି ଯାଉଛନ୍ତିନା କ’ଣ ଦେଖ । ମୁଁ କି ତାଙ୍କ ପିଲେ କୁଆଡ଼େ ଦିନେ ଓଳିଏପାଇଁ ଗଲେ, ସେ ଯେପରି ପାଗଳ ହୋଇ ଯାଆନ୍ତି । ବୋଉ ମୋର ଘରେ ଅଛି ବୋଲି ପିଲା ଦୁଇଟାଙ୍କୁ ସମ୍ଭାଳିଛି । ଗାଈଗୋରୁ କାମ, ହଳିଆ ମୂଲିଆ ଖାଇବା କଥା ବୁଝୁଥିବାରୁ ମୁଁ ଏଣେ ପଳାଇ ଆସି ରହିଛି, ନହେଲେ ଏତେବେଳକୁ ସେ ଆମର ଏଠାକୁ ଆସି ଘରକୁ ଚାଲ ଚାଲ ବୋଲି କହି ବସୁଧା କମ୍ପାନ୍ତେଣି ।

 

ଲକ୍ଷ୍ମୀ ନୀରବରେ ବସି ସବୁ କଥା ଶୁଣୁଥିଲେ ଏବଂ ମନେମନେ ଭାବୁଥିଲେ ସମସ୍ତଙ୍କର ଘର ଅଛି, ସ୍ୱାମୀ ନିଜର ହୋଇ ରହିଛନ୍ତି । କେତେ ସୁଖ ! କେତେ ଆନନ୍ଦ ! ହେଲେ ମୋ ଭାଗ୍ୟରେ ବିଭା ହେବାର ଚଉଠି ରାତିଠାରୁ ଏପର୍ଯ୍ୟନ୍ତ ସବୁ ଅଘଟଣ ଘଟିବାରେ ଲାଗିଛି । ମନର କଥା ମନରେ ରଖି ମୁଣ୍ଡ ତଳକୁ ପୋତି ଡାଲାରେ ଥିବା ଆଳୁ, ସାରୁ ଉପରୁ ହାତରେ ଚୋପା ଛଡ଼ାଇବାରେ ଲାଗିଲେ ଲକ୍ଷ୍ମୀ ।

 

କାନ୍ତି କାକରା ଗଢ଼ି ଦେଉଥାନ୍ତି, ଭରତ ଘିଅ କରେଇରେ କାକରା ଛାଣିବାରେ ଲାଗିଥାନ୍ତି । ଏହି ସମୟରେ ହେମକାନ୍ତବାବୁ ମାଛ ଧରି ଆସି ପହଞ୍ଚିଲେ । ରୋଷେଇଘର ପାଖରେ ସମସ୍ତେ ବସିଥିବାର ଦେଖି ହସି ହସି ପଚାରିଲେ–ଆଜି ଭୋଜି ହେଉଛିନା କ’ଣ ?

 

କାନ୍ତି କହିଲେ–ଏସବୁ ଭରତଙ୍କ କାମ । ଆଜି ଛଅମଙ୍ଗଳା ବୋଲି ତାଙ୍କର ଜିଦ୍‌ ଯେ କାକରା ହେବ, କ୍ଷୀରୀ, ଡାଲମା ହେବ । ତୁମେ, ନୂଆବୋଉ ଦୁହେଁ ମୁକୁଟ ପିନ୍ଧି ବେଦି ଉପରେ ବସି ବନ୍ଦେଇ ହେବ । ଶୁଖୁଆ ବିକାହେବ । ଆଜି ଯେଉଁ ସବୁ ବିଧିବିଧାନ ହେବାର କଥା, ସବୁ ହେବ ।

 

‘‘ନାଇଁ ନାଇଁ ଏତେ ରାତିରେ ବେଦି ଉପରେ ବସି ବନ୍ଦାପନା ହେବାକଥା ବନ୍ଦ ରହୁ । ଏହି ଘର ଭିତରେ ଯାହା ସବୁ କରୁଛ, କର । ହେମକାନ୍ତ କହି କହି କାନ୍ତିଙ୍କ ହାତକୁ ପୁଡ଼ିଆଟି ବଢ଼ାଇ ଦେଲେ ଏବଂ କହିଲେ–ଏଥିରେ ମାଛ ଅଛି ।’’

 

‘‘ମାଛଗୁଡ଼ାକ କାହିଁକି ଆଣିଲେ ?’’ କାନ୍ତି ପଚାରିଲେ ।

 

‘‘ସୁବିଧା ପାଇଲି ବୋଲି ନେଇ ଆସିଲି ।’’ ହେମକାନ୍ତ କହି ଗୋଡ଼ହାତ ଧୋଇ ତାଙ୍କ ଶୋଇବା ଘରକୁ ଗଲେ ।

 

କାନ୍ତି କହିଲେ–ବାସନ୍ତୀ ତୁ ଖଳି ବେଲିଦେ । ମୁଁ ନୂଆବୋଉ ମିଶି ମାଛତକ ବାଛି ଦେଉଛୁ ।

 

ଭରତ କହିଲେ–ଥାଉମ କାନ୍ତି ଅପା ! ମୁଁ ମାଛ ବାଛି ଦେବିନି ?

 

‘‘ନାଇଁ ତୁମର ଡେରି ହେବ ।’’ କାନ୍ତି ମାଛ ବାଛିବାକୁ ଗଲେ । ଲକ୍ଷ୍ମୀ ତାଙ୍କୁ ସାହାଯ୍ୟ କଲେ । ବାସନ୍ତୀ ଖଳି ବେଲି ଭରତଙ୍କ ହାତକୁ ବଢ଼ାଇ ଦେଲେ । ଭରତ ପୂର୍ବପରି ପିଠା ଛାଣିବାରେ ଲାଗିଲେ ।

 

ହେମକାନ୍ତ ଶୋଇବାଘରୁ ଡାକିଲେ–କାନ୍ତି, କାନ୍ତି, ଲକ୍ଷ୍ମୀକୁ ଟିକିଏ କହିଲୁ ବାହାରେ ମୋର ଲୁଙ୍ଗିଟା ଅଛି, ଦେଇଯିବ ।

 

କାନ୍ତି କହିଲେ–ସେ ପରା ମୋ ସଙ୍ଗେ ବସି ମାଛ ବାଛୁଛନ୍ତି ?

 

‘‘ଆଚ୍ଛା ହେଉ’’–ହେମକାନ୍ତ କହି ବାହାରକୁ ଆସି ଲୁଙ୍ଗିଟିନେଇ ପାଲଟି ଖଟ ଉପରେ ଶୋଇ ଏକଡ଼ ସେକଡ଼ ହେବାରେ ଲାଗିଲେ ।

 

ଭରତ କାକରା, କ୍ଷୀରୀ, ଡାଲମା, ମାଛ ତରକାରୀ କରି ସାରିବା ପରେ ନିଜେ ମୁରୁଜଟିଏ ପକାଇ ଛଅଟି କାକରା, କ୍ଷୀରୀ, ଡାଲମା ଆଣି ଥୋଇଲେ । ଘିଅ ଦୀପଟିଏ ଜାଳି ହୁଳହୁଳି ପକାଇ ପାଣି ଛଡ଼ାଇଲେ । ହୁଳହୁଳି ପଡ଼ିବା ଦେଖି ହେମକାନ୍ତ ବାହାରକୁ ଆସି ଭରତଙ୍କର କାମ ଦେଖି ହସିବାରେ ଲାଗିଲେ ।

 

କାନ୍ତି ପଚାରିଲେ–ଭରତ ତୁମେ ହୁଳହୁଳି ପକାଇବା କେଉଁଠୁଁ ଶିଖିଲ ?

 

ଭରତ କହିଲେ–ମଲାମର, ଯାତ୍ରାରେ ପରା ଆମର ବନ୍ଦାପନା, ପୂଜା, ହୁଳହୁଳି ପକା ସବୁ ହୁଏ । ଆମ ଭିତରେ ପରା ଏଥିପାଇଁ କେତେ ଜିଦି ମରାମରି, ପ୍ରତିଯୋଗିତା ହୋଇଥାଏ । ଶେଷରେ ମାଷ୍ଟ୍ରେ ଆମର ଆମ ହୁଳହୁଳି କି ପାର୍ଟ୍ ଶୁଣି ଯାହାର ଭଲ ହୁଏ, ତାକୁ ସାବାସ କହି, ତା’ ପିଠିରେ ହାତ ମାରି ଦେବାପରେ ଆମ କଜିଆ ଭାଙ୍ଗେ । ଏଇ ହୁଳହୁଳି ପାଇଁ କେତେଥର ମୁଁ ସାବାସ ପାଇଛିନା ଅପା !

 

ଭରତ ପୂଜାସାରିବା ପରେ, କାନ୍ତି ହେମକାନ୍ତଙ୍କୁ ଖାଇବାକୁ ବାଢ଼ିଦେଲେ । ହେମକାନ୍ତ ଖାଇ ହାତଧୋଇ ଶୋଇବାଘରକୁ ଯିବା ପରେ ଗୋଟିଏ ଜାଗାରେ କାନ୍ତି, ବାସନ୍ତୀ, ଲକ୍ଷ୍ମୀ ଓ ଅନ୍ୟ ଗୋଟିଏ ଜାଗାରେ ଭରତ ଖାଇବାକୁ ଆଣି ବସିଗଲେ । ପାଖରେ ଭରତ କ୍ଷୀରୀ, କାକରା, ଡାଲମା, ମାଛ ତରକାରୀ ରଖି ଦେଇ କହିଲେ–ଅପାମାନେମ, ଯାହାର ଦରକାର ହେବ, ବାଁ ହାତରେ ଏଇଥିରୁ ନବା ।

 

କାନ୍ତି ଖାଉ ଖାଉ କହିଲେ–କେଉଁ ଜିନିଷକୁ ଆଜି ବାରିବାର ନାହିଁ । ଭାରି ବଢ଼ିଆ ରାନ୍ଧିଛ ତ ଭରତ ! ତୁମେ ତ ଲୁଣ, ମସଲା ମାପଚୁପରେ ଦେବାରେ ଆମ ମାଇପଙ୍କଠାରୁ ବଳି ଯାଇଛି !

 

‘‘ତୁମେ ତ ଆଉ ଦୁଇଦିନ ରହୁନ ଅପା ! ମୁଁ ତୁମକୁ କେତେ କେତେ ରକମର ପିଠାପଣା କରି ଖୁଆନ୍ତି ।’’ ଭରତ କହୁ କହୁ ମାଛ ତରକାରୀ ବାଁ ହାତରେ ଡଙ୍କିରେ ନେଇ କାନ୍ତି, ବାସନ୍ତୀ, ଲକ୍ଷ୍ମୀ ଖାଉଥିବା ବାଟିରେ ଦେଲେ ।

 

ବାସନ୍ତୀ କହିଲେ–ଥାଉ, ଥାଉ, ଆମର ଅଛି, ବରଂ ତୁମେ କ’ଣ ତରକାରୀ ନେଇଛ, ଆଉ ଟିକିଏ ନିଅ ।

 

ଭରତ କହିଲେ, ମଲାମର, ମନବୋଧ କରି ଖାଉନ ! ଆଉ କ’ଣ ଇମିତି ସାଙ୍ଗସୁଖ ସମୟ ଆସିବ ଯେ ଇମିତି ସାଙ୍ଗ ହୋଇ ବସି ଖାଇବା ? କାଲି ଏତେବେଳକୁ ତ କିଏ କେଉଁଠି ଯାଇଥିବ ।

 

ସମସ୍ତଙ୍କର ଖାଇବା ଶେଷ ହେଲା । କାନ୍ତି ଖାଇବା ବାସନ ଉଠାଇବାକୁ ଯାଉଥିଲେ । ଭରତ ତାଙ୍କ ହାତ ଦୁଇଟାକୁ ଧରି ପକାଇ କହିଲେ–ଇଏ କ’ଣ କରୁଛମ ଅପା ! ତୁମେ ଯାଉନ ହାତ ଧୋଇବ ।

କାନ୍ତି କହିଲେ–ଖାଇବା ବାସନ ଦିଖଣ୍ଡ ଉଠାଇ ଦେଇ ଘରଭିତରେ ଥୋଇଦେଲେ ଯିବ ।

ଭରତ କହିଲେ–ନାଇଁମ କାନ୍ତି ଅପା ! ବାସନ ଥାଉ, ତୁମେ ହାତଧୋଇ ପାନ ଭାଙ୍ଗ କି, ମୁଁ ବାସନ ଉଠାଇ ମାଜି ଦେଉଛି । ରାତିରେ ଅଇଁଠା ବାସନ ନମାଜି ରଖିଲେ ସକାଳୁ ଅଇଁଠାଗୁଡ଼ିକ ଶୁଖି ରେକେଟା ଧରିଯିବ ।

କାନ୍ତି ହାତ ଧୋଇ ପାନ ଭାଙ୍ଗି ବସିଲେ । ବାସନ୍ତୀ କହିଲେ–‘‘କାନ୍ତିମ, ମୁଁ ଆମପାଇଁ ଶେଯ ପକାଇ ଦେଇ ଆସୁଛି । ତୁ ମୋପାଇଁ ପାନ ଖଣ୍ଡେ ଭାଙ୍ଗିଥିବୁ । ତା’ପରେ କିଛି ସମୟ ରହି ପଚାରିଲେ–ଭରତ କେଉଁଠି ଶୋଇବେ ?

ଭରତ କହିଲେ–ମୁଁ ତୁମ ଶୋଇବାଘର ବାରଣ୍ଡାରେ ଶୋଇଯିବିମ ଅପା ! ତୁମେ ମୋପାଇଁ ବ୍ୟସ୍ତ ହୁଅନି । ମୁଁ ବାସନ ମାଜି ସାରିବା ପର୍ଯ୍ୟନ୍ତ ତୁମେ ଅପା ଦୁହେଁ ଟିକିଏ ବସ ।

ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କାନ୍ତି କହିଲେ–ନୂଆବୋଉ ! ହେମଭାଇ ପାଇଁ ପାନ ଦୁଇ ଖଣ୍ଡ ଭାଙ୍ଗି ଦେଉଛି, ତୁ ନେଇ ଯା ଶୋଇବୁ । ଆମପାଇଁ ଅକାରଣରେ କାହିଁକି ଅପେକ୍ଷା କରିବୁ ?

କାନ୍ତିଙ୍କ କଥା ଶୁଣି ଲକ୍ଷ୍ମୀଙ୍କର ପୂର୍ବ ଦୁଇ ରାତିର କଥା ମନେ ପଡ଼ିଗଲା । ଝଡ଼ବର୍ଷାରେ ଗଛ ପତ୍ର ଥରିଲା ଭଳି ଦେହ ତାଙ୍କର ଥରି ଉଠିଲା । ମନ ଯେପରିକି ତାଙ୍କର ହେମକାନ୍ତଙ୍କ ଶୋଇବା ଘରକୁ ଯିବାକୁ ଚାହୁଁ ନଥିଲା । ପାଦ ଯେପରିକି ସେହି ବସିବା ସ୍ଥାନରୁ ଉଠୁ ନଥିଲା । ସେ ଶୁଷ୍କକଣ୍ଠରେ କହିଲେ–ଏକାବେଳକେ ସମସ୍ତେ ଯିବା, ଶୋଇବା ।

କାନ୍ତି କହିଲେ–ହଉ ବସ, ଆମର ଆପତ୍ତି ନାହିଁ । ହେଲେ ହେମଭାଇ ତୋ ଡେରିପାଇଁ ନ ରାଗିଲେ ହେଲା ।

‘ନାଇଁମ ରାଗିବେ କାହିଁକି ?’’ ଅନ୍ୟମନସ୍କ ଭାବରେ ଉତ୍ତର ଦେଲେ ଲକ୍ଷ୍ମୀ ।

ଭରତ ବାସନ ମାଜୁ ମାଜୁ କହିଲେ–ସାନଅପା ଟିକିଏ ବସନ୍ତୁ । ଶୋଇବାକୁ ଯିବେ ତ, ଏତେ ତରତର କାହିଁକି ? ଶୋଇବାକୁ ତ ରାତି ଗୋଟାକଯାକ ପଡ଼ିଛି । ଆମେ ଆଜି ରାତିରେ ଚାରିଜଣ ଏକାଠି ବସି ଯେଉଁ ଗପ୍‍ସପ୍ ହେଉଥାଇଁ, କାଲିକି କ’ଣ ଇମିତି ଆଉ ଗପ୍‍ସପ୍, ସୁଖଦୁଃଖ ହୋଇ ପାରିବା ?

ଭରତ ବାସନ ମାଜି ସାରିଲେ । ହସଖୁସି ଭିତରେ ପାନଖିଆ ଶେଷ ହେଲା । କାନ୍ତି, ବାସନ୍ତୀ ତାଙ୍କ ଶୋଇବା ଘରକୁ ଯାଇ କବାଟ ଦେଇ ଶୋଇଲେ । ଭରତ ବାହାର ପଟ ବାଟଘରେ ତାଙ୍କ ବିଛଣା ପକାଇ ବସି ଲଣ୍ଠନ ଆଲୁଅରେ ନାଟକ ବହି ପଢ଼ିଲେ । ଲକ୍ଷ୍ମୀ ଧୀରେ ଧୀରେ ହେମକାନ୍ତଙ୍କ ଶୋଇଥିବା ଘରକୁ ଗଲେ । ସେ ଘରର କବାଟ ଠେଲିବାକୁ ଚେଷ୍ଟା କଲେ । ମାତ୍ର ଘରଭିତରୁ ନାରୀକଣ୍ଠ ଶୁଣି ଚମକି ପଡ଼ିଲେ । ସେ କବାଟରେ କାନ ଲଗାଇ ଶୁଣିବାକୁ ପାଇଲେ–

‘‘ଏଇ ପାନ ନିଅ । ତୁମକୁ ଏତେ ଚଞ୍ଚଳ ନିଦ ଲାଗିଗଲାନା କ’ଣ ?’’

‘‘କେତେଟା ବାଜିଲାଣି ତୁମକୁ ଜଣାପଡ଼ୁଛି ତ ? ବାରଟା ଆସି ବାଜିଲାଣି ।’’ ହେମକାନ୍ତ ଉତ୍ତର ଦେଲେ ।

 

‘‘ମୁଁ କ’ଣ କରିବି ଯେ, ସମସ୍ତେ ଖାଇସାରି ଶୋଇବାକୁ ଗଲେ ସିନା ଆସିବି ?’’ ତୁମେ ତ ଦେଖୁଛ, ସକାଳୁ ରାତି ପର୍ଯ୍ୟନ୍ତ ଘରେ କିପରି ଗହଳ ଲାଗିଛି । ଆଜି ଚାରିଟାବେଳେ ଏ ଘରକୁ ଟିକିଏ ପଶିଗଲି ବୋଲି ଯେଉଁ ଖୋଜା, ଲୋଡ଼ା ଟାହିଟାପରା, ଶଙ୍କିତ-ସନ୍ଦେହ ଦୃଷ୍ଟି ! ତୁମେ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଥାନ୍ତ । ମୋ ସ୍ୱାମୀ । ମୋ ପ୍ରାଣର ଦେବତା । ମୋ ହୃଦୟ ମନ୍ଦିରର ଠାକୁର ତୁମେ । କେତେ ମୁଁ ତୁମକୁ ଭଲ ପାଏ, ଏମାନେ କ’ଣ ତା’ ବୁଝିବେ ? ମୋ ଘରେ ମୁଁ କୁଆଡ଼େ ଗଲି ଆସିଲି, ଏମାନେ କାହିଁକି ମୋତେ ସନ୍ଦେହ କରିବେ ? ମୁଁ ମୋଟେ ଦଶ ମିନିଟପାଇଁ ଶୋଇବାଘର ଭିତରକୁ ଆସିଥିଲି । ଘରଟି ଓଳାଇ ଖଟଉପର ଝାଡ଼ି ବିଛଣାଚଦରଟା ସଜାଡ଼ି ଦେଇ ଯାଇଥାନ୍ତି । ମାତ୍ର ମୁଁ ଶୋଇବାଘର ଭିତରକୁ ପଶିଛି କି ନାହିଁ, ଭରତ, କାନ୍ତି ଅପା, ବାସନ୍ତୀ ଅପା ସମସ୍ତେ ମାଡ଼ି ଆସିଲେ । ଭରତ ପୁଣି ଆଲୁଅ ଧରି ମୋତେ ଖୋଜୁଛି । ମୋତେ ଏଥିରେ ହସ ଯେତିକି ମାଡ଼ିଲା, ରାଗ ମଧ୍ୟ ସେତିକି ଲାଗିଲା । ମନେମନେ ରାଗକୁ ସମ୍ଭାଳି ନେଲି-। ଭାବିଲି, କାହିଁକି ଏତେ କଥା । କାଲିତ ସମସ୍ତେ ଚାଲିଗଲେ ଆମେ ଆମର ଏକୁଟିଆ ଏ ଘରେ ଚଳିବା ।

 

ହେମକାନ୍ତଙ୍କର ଭାବାବେଗ ଦେଖାଦେଲା । ତାଙ୍କ କଣ୍ଠରୁ ବାହାରି ଆସିଲା ‘ଲକ୍ଷ୍ମୀ’ !

 

ଯୁବତୀଟି କହିଲା–ତୁମେ ମୋତେ ଏଣିକି ଆଉ ଲକ୍ଷ୍ମୀ ବୋଲି ଡାକିବ ନାହିଁ । ପୂର୍ବରୁ ଯେମିତି ହେମଲତା ବୋଲି ଡାକୁଥିଲ, ସେମିତି ହେମଲତା ବୋଲି ଡାକିବ । ମୋ ମୁହଁକୁ ଚାହିଁଲ, ମୁଁ କ’ଣ ତୁମ ହେମଲତା ଭଳି ଦିଶୁନି ?

 

ଯୁବତୀଟି ମଥାରୁ ଓଢ଼ଣୀଟି ଧୀରେ ଧୀରେ ଖସାଇ ବେକ ପାଖରେ ରଖିଲା । ହେମକାନ୍ତ ଆଶ୍ଚର୍ଯ୍ୟ ହୋଇ ଯୁବତୀଟି ମୁହଁକୁ ଅପଲକ ଦୃଷ୍ଟିରେ ଚାହିଁ ରହିଲେ । ସେ ମନେମନେ ଭାବୁଥିଲେ, ସେତ ଆଉ ସ୍ୱପ୍ନ ଦେଖୁନାହାନ୍ତି ? ଏହି ଯୁବତୀଟି ଲକ୍ଷ୍ମୀ ନା ହେମଲତା ? ଏ ପ୍ରଶ୍ନ ତାଙ୍କ ମନରେ ବାରମ୍ୱାର ଜାଗ୍ରତ ହେଲା । ସେ ଯୁବତୀଟିର ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଗୋଟିଏ ଦୃଷ୍ଟିରେ ଚାହିଁ ଦେଇଗଲେ । ଦେଖିଲେ, ଠିକ୍‌ ଯେପରି ହେମଲତାଙ୍କର ନରମ ଘନକୃଷ୍ଣ କେଶ, ସୁନ୍ଦର ଲଲାଟ ମଝିରେ ବାଳାରୁଣ ଭଳି ନାଲି ସିନ୍ଦୂର ବିନ୍ଦୁ । କଳାଭ୍ରମର ଭଳି ଭ୍ରୂ ଯୁଗଳ ମଧ୍ୟରେ ବନ ହରିଣୀର ଚାହାଣି । ପୂର୍ଣ୍ଣମୀର ଶଶୀଭଳି ମୁଖ । ଜବାକୁସୁମର ଓଷ୍ଠଧାର, ତିଳ ନାସା । ପଦ୍ମପାଖୁଡ଼ା ଭଳି କର୍ଣ୍ଣ । ବେଶ, ଭୂଷା, ଅଳଙ୍କାର ଠିକ୍‌ ହେମଲତାଙ୍କ ଭଳି । ହେମକାନ୍ତ କ୍ଷଣକ ମଧ୍ୟରେ ପାଗଳ ଭଳି ହୋଇଗଲେ । ସେ ଯୁବତୀଟିର ନରମ କୋମଳ କେଶଗୁଡ଼ିକ ଉପରେ ଦୁଇ ହାତକୁ ତାଙ୍କର ଛନ୍ଦି ମାଳା କରି କାନ ପାଖରେ ତା’ର ବାରମ୍ୱାର କହିବାକୁ ଲାଗିଲେ–ତୁମେ ମୋର ହେମଲତା । ତୁମେ ମୋର ପ୍ରାଣର ହେମଲତା, ତୁମେ ମୋ ହୃଦୟ କମଳର କେଶର ହେମଲତା ମୁଁ ତୁମକୁ ଆଜି ବହୁଦିନ ପରେ ପାଇଛି । କେତେ ସ୍ଥାନ ଭ୍ରମି ଭ୍ରମି ପାଇଛି, କେତେ ଦିବାରାତ୍ର ଉଜାଗର ରହି ପାଇଛି । ମୁଁ ତୁମକୁ ଆଦୌ ଛାଡ଼ିବିନି ।

 

କବାଟ ଆରପାଖରେ ଲକ୍ଷ୍ମୀ ଥାଇ ହେମକାନ୍ତଙ୍କର କଥାଗୁଡ଼ିକ ବେଶ୍‌ ଶୁଣି ପାରୁଥିଲେ-। ତାଙ୍କ ହୃଦୟ କ୍ରମେ ଦୁଃଖ, ଅଭିମାନରେ ଭାଙ୍ଗି ପଡ଼ୁଥିଲା । ମାତ୍ର ପରକ୍ଷଣରେ ସେ କ୍ରୋଧ ଏବଂ ଘୃଣାରେ ପ୍ରତିହିଂସାପରାୟଣ ହୋଇ ଉଠିଲେ । ଲକ୍ଷ୍ମୀ କବାଟରେ ଖୁବ୍‌ ଜୋର୍‌ରେ ଧକ୍କା ଦେଲେ । ସେ ମନେମନେ ଭାବୁଥିଲେ, ତାଙ୍କ ସଂସାରରେ ଆଜି ଯେ ନିଆଁ ଜାଳିବାକୁ ବସିଛି, ତା’ ସଂସାରକୁ ମଧ୍ୟ ନିଆଁ ଜାଳି ଛାରଖାର କରିଦେବେ ।

 

କବାଟରେ ଧକ୍କା ଦେବାପରେ ଲକ୍ଷ୍ମୀଙ୍କ ଶରୀରର ସମସ୍ତ ଶକ୍ତି ଯେପରିକି କ୍ଷୀଣ ହୋଇ ଆସୁଥିଲା ତଥାପି ସେ ପରବର୍ତ୍ତୀ ଘଟଣା କ’ଣ ଘଟିବାକୁ ଯାଉଛି, ଧୈର୍ଯ୍ୟର ସହିତ ଠିଆ ହୋଇ ଲକ୍ଷ୍ୟ କରିବାକୁ ଲାଗିଲେ । କବାଟ ଧକ୍କା ଶବ୍ଦରେ ହେମକାନ୍ତଙ୍କର ସ୍ୱପ୍ନ ଜଗତରେ ହେମଲତାଙ୍କ ସହିତ ବିବରଣ କରୁଥିବା ସରସ ସତେଜ ପୁଲକିତ ମନ ହଠାତ୍‌ ପାର୍ଥିବ ଜଗତକୁ ଫେରି ଆସିଲା-। ସେ ଚମକି ପଡ଼ିଲା ପରି ପଚାରିଲେ–କବାଟରେ ଖୁବ୍‌ ଜୋରରେ ଶବ୍ଦ ହେଲା ଯେ-!

 

ଯୁବତୀଟି ହସି ହସି କହିଲା–ମାଛ ଗନ୍ଧକୁ ବିରାଡ଼ି ବାଇ । ତା’ରି ଶବ୍ଦ ଏ !

 

ହେମକାନ୍ତ ପୁଣି ଥରେ ଶବ୍ଦ ହେବ ବୋଲି ଭାବି କାନ ଡେରି ଶୋଇବାଘର କବାଟଆଡ଼କୁ ଚାହିଁ ରହିଲେ ।

 

ଯୁବତୀଟି ହେମଲତାଙ୍କ ମୁହଁକୁ ନିଜ ଆଡ଼କୁ ଟାଣିଆଣି କହିଲା–କ’ଣ ଭାବୁଛ ?

 

ହେମକାନ୍ତ ଅଳ୍ପ ହସି ଉତ୍ତର ଦେଲେ–କାହିଁ ନାଇଁତ !

 

ଯୁବତୀଟି ହେମକାନ୍ତଙ୍କର ମୁଣ୍ଡର ବାଳଗୁଡ଼ିକ ଭିତରେ ଅଙ୍ଗୁଳି ଚାଳନା କରୁ କରୁ କହିଲା–ମଣିଷ ଏତେ ଚିନ୍ତା କଲେ ଚଳିବ ?

 

ହେମକାନ୍ତ ଦୀର୍ଘ ନିଃଶ୍ୱାସ ପକାଇ କହିଲେ–ମୁଁ କ’ଣ ଚିନ୍ତା କରୁଥିଲି ଜାଣିଛ ?

 

ଯୁବତୀଟି ହସି ହସି ପଚାରିଲା–କ’ଣ ଶୁଣେ ?

 

‘‘ତୁମେ ଆଜିକୁ ଦେଢ଼ବର୍ଷ ହେଲା ଲୁଚି ରହିଥିଲ କେଉଁଠି ?’’ ହେମକାନ୍ତ ଯୁବତୀର ଅଲରା କେଶଗୁଡ଼ିକ ସଜାଡ଼ି ଦେଉ ଦେଉ ପଚାରିଲେ ।

 

ଯୁବତୀଟି କହିଲା–କହିବି । ମାତ୍ର ଆଜି ନୁହେଁ । ଆଜି ରାତି ଅନେକ ହେଲାଣି । ତୁମେ ଦୋକାନରୁ ଖଟି ଖଟି ଆସିଛ । ଶୋଇପଡ଼ ।

 

ହେମକାନ୍ତ କ’ଣ ଭାବିଲା ପରି ପଚାରିଲେ–ତୁମେ ଖାଇଛ ?

 

କାହିଁକି ? ଯୁବତୀଟି ଅଧରରେ ହସ ଖେଳାଇ ମଥାର କେଶଗୁଡ଼ିକ ବେଶୀ କରିବାକୁ ଲାଗିଲେ ।

 

ହେମକାନ୍ତ ତାଙ୍କର କେଶଗୁଡ଼ିକ ନିଜ ହାତରେ ପୁଣି ମୁକୁଳିତ କରୁ କରୁ ପଚାରିଲେ–ତୁମେ କାନ୍ତି ଅପା, ବାସନ୍ତୀ ଅପାଙ୍କ ସଙ୍ଗେ ଖାଇ ବସିଥିଲ, କିନ୍ତୁ ମୋର ସନ୍ଦେହ ହେଉଛି, ତୁମେ ପେଟପୂରେଇ ହୁଏତ ଖାଇ ପାରି ନଥିବ ।

 

ଯୁବତୀ ନୀରବ ରହିଲେ ।

 

ହେମକାନ୍ତ କହିଲେ–ଚାଲ ଖାଇଦେଇ ଆସିବ । ମୁଁ ବାଢ଼ି ଦେବି, ପାଖରେ ବସିବି । ତୁମେ ଖାଇବ ।

 

ଯୁବତୀଟି କହିଲା–ନା ଥାଉ । କାନ୍ତି ଅପା, ବାସନ୍ତୀ ଅପା ଭରତ ଦେଖିଲେ କ’ଣ ଭାବିବେ ?

 

‘‘ସେମାନେ ଶୋଇ ପଡ଼ିଲେଣି, ଆସ ।’’ ହେମକାନ୍ତ ଯୁବତୀଟିର ହାତ ଧରି ଖଟତଳକୁ ଓହ୍ଲାଇ ଆଣିଲେ ।

 

ଘରଭିତରେ କ’ଣ ସବୁ ଘଟଣା ଘଟୁଛି, ଦେଖିବା ସକାଶେ ସେତେବେଳ ପର୍ଯ୍ୟନ୍ତ ଲକ୍ଷ୍ମୀ କବାଟ ଫାଙ୍କ ବାଟେ ଚାହିଁ ରହିଥିଲେ । ମାତ୍ର କବାଟର ଅତି କ୍ଷୁଦ୍ର ଛିଦ୍ରବାଟେ କିଛି ତାଙ୍କୁ ଦେଖାଯାଉ ନଥିଲା । ହେମକାନ୍ତଙ୍କର ଶୋଇବାଘର ଚଟାଣରେ ପାଦଶବ୍ଦ ଶୁଣିବାକୁ ପାଇଲେ ଲକ୍ଷ୍ମୀ । ମନେମନେ ସେ ଠିକ୍‌ କରିପାରୁ ନଥିଲେ–ସ୍ୱାମୀ ତାଙ୍କର କବାଟ ଖୋଲିଲାବେଳେ ସେ କବାଟ ଆଗରେ ଠିଆ ହୋଇ ରହିବେ ନା ଭରତ ଶୋଇଥିବା ଘରଭିତରେ ଲୁଚି ରହି ଯୁବତୀଟିକୁ ପ୍ରଥମେ ଭଲ ଭାବରେ ଦେଖି ତା’ପରେ ପ୍ରତିବିଧାନ ବ୍ୟବସ୍ଥା କରିବେ । ସେ ଏହି ଦୋଘାଇରେ ପଡ଼ିଥିବାବେଳେ ଘରଭିତରୁ ଶୁଣିବାକୁ ପାଇଲେ ହେମକାନ୍ତ ଓ ଯୁବତୀଟିର ମିଳିତ ହାସ୍ୟଧ୍ୱନି । ଯୁବତୀଟି କହୁଥିଲା–ତୁମେ ମୋ ସହିତ ଯେତିକି ସମୟ ଲାଗିବ, ରାତି ସେତିକି ଅଧିକ ହେବ । ତୁମ ଶୋଇବା ଓ ଉଠିବାରେ ସେତିକି ବିଳମ୍ୱ ଘଟିବ । ଶୀଘ୍ର ଚାଲ ଖାଇଦେଇ ଚାଲି ଆସିବା ।

 

ହେମକାନ୍ତ ଯୁବତୀଟି ସହିତ ବାହାରକୁ ଆସୁଥିବାର ଶୁଣିବାକୁ ପାଇ ଲକ୍ଷ୍ମୀ ଭରତ ଶୋଇଥିବା ଘରକୁ ପଶିଗଲେ । ମନରେ ତାଙ୍କର ଯୁବତୀଟି ପ୍ରତି ଯେତିକି ହିଂସା ଓ ରାଗ ଜନ୍ମୁଥିଲା, ତାଙ୍କୁ ଦେଖିବାପାଇଁ ମନରେ ସେତିକି ଆଗ୍ରହ ଦେଖା ଦେଉଥିଲା । ସେ ମନେମନେ ଠିକ୍‌ କଲେ, ଯୁବତୀଟି ଖାଇ ବସିଥିବା ଅବସ୍ଥାରେ ପହଞ୍ଚିଯାଇ ପାଟିକରି ହେମକାନ୍ତଙ୍କର ସବୁ ଗୁମର ପଦାରେ ପକାଇ ଦେବେ । କାନ୍ତି ଅପା, ବାସନ୍ତୀ ଅପା ଜାଣନ୍ତୁ ତାଙ୍କ ଭାଇ କିପରି ବୁଡ଼ି ବୁଡ଼ି ପାଣି ପିଉଛନ୍ତି । ତାଙ୍କ ମନ ଭିତରେ ଯଦି ଏତେ କଥା ଥିଲା, ସେ ପୁଣି ମତେ ହାତ ଧରି ବିବାହ କରୁଥିଲେ କାହିଁକି ? ସେତେବେଳକୁ ଭରତ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲେ ଏବଂ ତାଙ୍କ ପାଖରେ ଜଳୁଥିବା ଲଣ୍ଠନଟି ଲିଭି ଯାଇଥିଲା ।

 

ଲକ୍ଷ୍ମୀ କବାଟକୁ ଦରଆଉଜା କରି ହେମକାନ୍ତଙ୍କ ଶୋଇବାଘରକୁ ଚାହିଁଥାନ୍ତି । ଦେଖିଲେ–ହେମକାନ୍ତ କବାଟ ଖୋଲି ଶୋଇବାଘରେ ଜଳୁଥିବା ଲଣ୍ଠନଟି ଧରି ଆଗେଆଗେ ଆସିଲେ । ତାଙ୍କ ପଛେ ପଛେ ଧୀରେ ଧୀରେ ପାଦ ପକାଇ ଆସୁଥିଲା ଯୁବତୀଟି, ଶିକାରୀ ବିରାଡ଼ି ଭଳି ସତର୍କରେ ଏଣିକି ତେଣିକି ଚାହିଁ ପରିସ୍ଥିତିକୁ ଲକ୍ଷ୍ୟ କରୁଥିଲା । ଦେହରେ ଥିଲା ତା’ର ଧଳା ଶାଢ଼ି ଓ ତା’ ସହିତ ନାଲି ରଙ୍ଗର ବ୍ଲାଉଜ୍ । ମୁଣ୍ଡରେ ଥିଲା ପଣତ । ସତେବା ତାଙ୍କରି ଭଳି ସେ ନୂଆବୋହୂ ସାଜିଛି । ଲଣ୍ଠନ ଆଲୁଅରେ ମୁହଁଟି ତା’ର ପରିଷ୍କାର ଦେଖାଯାଉ ନଥିଲା ।

 

ଯୁବତୀଟି ରୋଷେଇଘର ପାଖରେ ତଳେ ବସି ପଡ଼ିଲା । କହିଲା–ତୁମେ ଖାଇବାକୁ ବାଢ଼ିଆଣ । ତୁମପାଇଁ ମଧ୍ୟ ଆଣିବ ।

 

ହେମକାନ୍ତ କହିଲେ–ମୁଁ ବର୍ତ୍ତମାନ ଖାଇ ଉଠିଛି । ଆଉ ଖାଇବାକୁ ଆଚ୍ଛା ନାହିଁ । କେବଳ ତୁମପାଇଁ ବାଢ଼ି ନେଇ ଆସୁଛି ।

 

ଏହା କହି ହେମକାନ୍ତ ରୋଷେଇଘର ଭିତରକୁ ଗଲେ । ଭିନ୍ନ ଭିନ୍ନ ଜାଗାରେ କାକରା, କ୍ଷୀରୀ, ଡାଲମା, ମାଛ ତରକାରୀ ଓ ମାଛଭଜା ଆଣି ବାଢ଼ି ଦେଲେ । ଯୁବତୀଟି ନିଃସଙ୍କୋଚରେ ଖାଇବାରେ ଲାଗିଲା । ହେମକାନ୍ତ ପାଖରେ ବସି ରହିଲେ ।

 

ଲକ୍ଷ୍ମୀ ଏହି ମଉକା ଦେଖି ନିଜକୁ ଆଉ ଆୟତ୍ତରେ ରଖି ପାରିଲେ ନାହିଁ । ନାଗସାପ ଦେହରେ ଆଘାତ ଲାଗିଲା ଭଳି ସେ ହିଂସ୍ର ହୋଇ ଉଠିଲେ । ଭରତକୁ ହଲାଇ ଉଠାଇବାକୁ ଚେଷ୍ଟା କଲେ । ମାତ୍ର ଭରତଙ୍କର ନିଦ ଭାଙ୍ଗିଲା ନାହିଁ । ଲକ୍ଷ୍ମୀ ତାଙ୍କ ଅଣ୍ଟାରେ ଲୁଗା କାନିକୁ ଗୁଡ଼ାଇ, ଦାନ୍ତକୁ ଚିପି ହଠାତ୍‌ ଘର ବାହାରକୁ ଯାଇ ଯୁବତୀଟିକୁ ଧରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ତାଙ୍କ ତଣ୍ଟିକୁ କିଏ ଯେପରିକି ଜୋରରେ ଚିପି ଦେଲା ଭଳି ତାଙ୍କୁ ଲାଗିଲା । ଲକ୍ଷ୍ମୀଙ୍କର ଶ୍ୱାସରୁଦ୍ଧ ହୋଇ ଆସିଲା । ଅଜ୍ଞାନ ହୋଇ ସେହି ଘର ଭିତରେ ଏରୁଣ୍ଡିବନ୍ଧ ତଳେ ପଡ଼ିଗଲେ । ତାଙ୍କୁ ଆଉ କିଛି ଜଣାଗଲା ନାହିଁ ।

 

ଯୁବତୀଟି ଖାଇ ସାରି ନିଜ ଅଇଁଠା ବାସନ ଧୋଇ ରୋଷେଇଘରେ ରଖିଦେଲା । ଖାଇବା ଜାଗାକୁ ପାଣିରେ ଧୋଇ ଦେଲା । ତା’ପରେ ହେମକାନ୍ତ ରୋଷେଇଘର କବାଟ ଦେଇ ଆଗେଆଗେ ଶୋଇବାଘରକୁ ଚାଲିଲେ । ତାଙ୍କ ପଛେ ପଛେ ଚାଲିଲା ଯୁବତୀଟି । ଶୋଇବାଘର କବାଟ ଭିତରୁ ବନ୍ଦ ହେବାର ଶୁଣାଗଲା ।

 

ଲକ୍ଷ୍ମୀଙ୍କର ଚେତା ଫେରିଲା ବେଳକୁ ସକାଳ ହୋଇ ଯାଇଥିଲା । ଚେତା ଫେରିବା ପରେ ସେ ଉଠି ବସିଲେ । ଗତ ରାତ୍ରିରେ ଘଟିଥିବା ଘଟଣାଗୁଡ଼ିକ ହଠାତ୍‌ ତାଙ୍କର ମନେ ପଡ଼ିଲା ନାହିଁ । ତା’ପରେ ସେ ଘରର ଚତୁର୍ଦ୍ଦିଗକୁ ଚାହିଁଲେ । ଦେଖିଲେ, ଭରତ ଉଠିନାହାନ୍ତି । ସେ ଭରତଙ୍କ ଶୋଇବା ଘରେ ଶୋଇଥିଲେ ଭାବି ମନେମନେ ଲଜ୍ଜିତ ହେଲେ । ତା’ପରେ ଉଠି ଘର ଭିତର ବାରଣ୍ଡାକୁ ଆସିଲେ । ଦେଖିଲେ ହେମକାନ୍ତଙ୍କ ଶୋଇବା ଘର କବାଟ ଆଉଜା ହୋଇଛି । ବାଡ଼ିପଟ କବାଟ ମେଲା । ତାଙ୍କର ଗୋଟି ଗୋଟି ହୋଇ ସବୁ କଥା ମନେ ପଡ଼ିଲା । ସେ ନୀରବ, ନିଶ୍ଚଳ ଓ ଅପଲକ ଦୃଷ୍ଟିରେ କିଛି ସମୟ ବାରଣ୍ଡାରେ ବସି ହେମକାନ୍ତଙ୍କ ଶୋଇବାଘରକୁ ଚାହିଁ ଦେଲେ । ମନରେ ତାଙ୍କର ଅସୁମାରି ପ୍ରଶ୍ନ । ଏଘରେ ସେ ଆଉ କିଛିଦିନ ରହିବେ; ବାପା, ଭାଇ ଆସିଲେ ତାଙ୍କ ସାଥିରେ ବାପଘରକୁ ଯିବେ ନା ଆଜି ଚାଲିଯିବେ ? ସାତମଙ୍ଗଳାରେ ଘରୁ ଗୋଡ଼ କାଢ଼ି ଗଲେ ଲୋକେ ତାଙ୍କୁ କ’ଣ କହିବେ ? ବାପଘରେ ପହଞ୍ଚିବା ପରେ ହଠାତ୍‌ ତାଙ୍କୁ ଦେଖି ବାପା, ବୋଉ ବଡ଼ଭାଇ, ସାହି, ପଡ଼ୋଶୀ, ଜ୍ଞାତି, କୁଟୁମ୍ୱ, ସାଙ୍ଗସୁଖ ଯେଉଁ ପ୍ରଶ୍ନ ପଚାରିବେ ସେ ତା’ର କି ଉତ୍ତର ଦେବେ ? ଏଠାରେ ରହିଲେ ଦିନକୁଦିନ ଯେଉଁ ଅବସ୍ଥା ଘଟୁଛି, ସେ ସେଥିରେ ବଞ୍ଚିରହି ପାରିବେତ ? ତା’ପରେ ଯାହାକୁ ସେ ନିଜର କରି ଏ ଘରକୁ ଆସିଥିଲେ, ତାଙ୍କ ପାଖରେ ସେ ଯଦି ଅଲୋଡ଼ା, ଅଦରକାରୀ ହୁଅନ୍ତି ତେବେ ଏଠାରେ ମୁଠେ ଖାଇ କୁକୁର, ବିରାଡ଼ି ଭଳି ଜୀବନ କଟାଇବା ଅପେକ୍ଷା ବରଂ ଗଛମୂଳେ ଉପାସ ଭୋକରେ ପଡ଼ି ମରିଯିବା ଭଲ ।

 

ଲକ୍ଷ୍ମୀଙ୍କର ଭାବନା ବରଗଛର ଶାଖା ପ୍ରଶାଖା ଓହଳ ଭଳି ଝଙ୍କା ମେଲିବାରେ ଲାଗିଥିଲା । କୌଣସି ସିଦ୍ଧାନ୍ତରେ ସେ ପହଞ୍ଚି ପାରୁ ନଥିଲେ । ସେ ଭାବୁଥିଲେ–ତାଙ୍କ ସ୍ୱାମୀଙ୍କ ପାଖକୁ ଆସୁଥିବା ଯୁବତୀ ହେମଲତା ଏକା ଆସୁନାହିଁ । ସାଙ୍ଗରେ କେତେଜଣଙ୍କୁ ଧରି ଆସୁଛି । ନହେଲେ ରାତ୍ରିରେ ସେ ହେମଲତାକୁ ଧରିବାକୁ ଯିବାବେଳେ ତାଙ୍କ ତଣ୍ଟିକୁ ଚିପି ଦେଲା କିଏ ? ଭରତ ତ ଶୋଇଥିଲେ ! ଲକ୍ଷ୍ମୀଙ୍କର ବାଁ ହାତଟି ଆପେଆପେ ନିଜ ବେକ ଚାରିପାଖେ ବୁଲି ଆସିଲା । ମନେହେଲା, ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ବେକରେ ଯନ୍ତ୍ରଣା ରହିଛି ।

 

ବାରଣ୍ଡାରୁ ଯାଇ ରୋଷେଇଘର ପାଖେ କାନ୍ଥକୁ ଆଉଜି ବସି ଆକାଶକୁ ଚାହିଁ ଲକ୍ଷ୍ମୀ ଶୁଷ୍କ ମନ, ମଳିନ ବଦନ ଓ ହତାଶ ହୃଦୟରେ ପ୍ରଶ୍ନ ଏବଂ ଭାବନା ସାଗରରେ ଲକ୍ଷ୍ୟହୀନ ଭାବରେ ଭାସି ଭାସି ଚାଲିଥାନ୍ତି । ଦୀର୍ଘ ନିଃଶ୍ୱାସ ଓ ପ୍ରଖର ଶ୍ୱାସପ୍ରଶ୍ୱାସର ପ୍ରବଳ ଝଡ଼ ତାଙ୍କ ଶରୀର-ନୌକାକୁ ଦୋହଲାଇ ଦେଉଥାଏ ।

 

ଭରତ ଶେଯରୁ ଉଠି ବାହାରକୁ ଆସିଲେ । ଦେଖିଲେ ଲକ୍ଷ୍ମୀ, କେତେବେଳୁ ଉଠି ବସିଛନ୍ତି । ସେ ମୁହଁ ଧୋଉ ଧୋଉ କହିଲେ, ସାନ ଅପା ! ତୁମ୍ଭେ କେତେବେଳୁ ଉଠିଲଣିକି ? ଆଉ ଆମକୁ ଉଠାଇ ଦେଉନ ? କାନ୍ତି ଅପା, ବାସନ୍ତୀ ଅପାଙ୍କର ତ ଏଯାଏଁ ନିଦ ଭାଙ୍ଗିନି ।

 

ଘର ଭିତରୁ କାନ୍ତି ଓ ବାସନ୍ତୀ ଏକାବେଳକେ କହି ଉଠିଲେ–ଆମେ କେତେବେଳୁ ଉଠିଲୁଣିମ ଭରତ !

 

ଭରତ କହିଲେ–ଆଜି କିଏ କୁଣିଆ ଆସିବଲୋ ମା’ ! ନହେଲେ କାନ୍ତି ଅପା, ବାସନ୍ତୀ ଅପାଙ୍କ ତୁଣ୍ଡରୁ ଏକାବେଳକେ ଏକା କଥା ବାହାରି ନଥାନ୍ତା ।

 

ବାସନ୍ତୀ କବାଟ ଖୋଲି ବାହାରକୁ ଆସି କହିଲେ–କାନ୍ତିର ମୋର କେତେବେଳୁ ନିଦ ଭାଙ୍ଗିଲାଣି । ଶେଯରେ ଶୋଇ ଗପ୍‍ସପ୍ ହେଉଥିଲୁ ।

 

ଭରତ କହିଲେ–କେତେବେଳୁ ଉଠି ଗପ୍‍ସପ୍ ହେଉଛଟି ? ଚାଲ, ଚଞ୍ଚଳ ଯିବା ପୋଖରୀରେ ଗାଧୋଇ ପଡ଼ି ଆସିବା । ଦିନ ଅଧିକ ହେଲେ ପୋଖରୀ କୂଳ ମାଇପି ମିଣିପରେ ଭିଡ଼ ହୋଇଯିବ । ନିଶ୍ଚିନ୍ତରେ ବସି ଦାନ୍ତ ଘଷିବାକୁ କି ଗାଧୋଇବାକୁ ଜାଗା ଟିକିଏ ମିଳିବ ନାହିଁ ।

 

ବାସନ୍ତୀ କହିଲେ–ତୁମେ ଘରଗୁଡ଼ିକ ଝାଡ଼ୁ ମାରିଦିଅ କି, ମୁଁ କାନ୍ତିକୁ ଡାକି ଶେଯଟା ଉଠାଇ ଆସୁଛି ।

 

ମୋର ଘର ଝାଡ଼ୁ ମାରିବାରେ କେତେ ସମୟ ଲାଗିବମ ଅପା ? ଭରତ ତ ଝାଡ଼ୁ ଧରିଲେ ପାଞ୍ଚ ମିନିଟ ଭିତରେ ଦଶ ବଖରା ଘର ଓଳେଇ ଦେଇ ଆସିବ ।

 

ଭରତ ଝାଡ଼ୁ ଧରି ଓଳାଉ ଓଳାଉ କହିଲେ–ସାନଅପାମ ! ତୁମେ ସକାଳୁ ସକାଳୁ ମନମାରି ବସିଛ କାହିଁକିମ ? ଆଜି ସମସ୍ତେ ଚାଲିଯିବେ ବୋଲି ତୁମ ମନରେ କଷ୍ଟ ହେଉଛି ନା କ’ଣ ? କ’ଣ ଆଉ କରିବା । ଯେ ଯାହାର ପରିବାର ନେଇ ସଂସାର କରିଛନ୍ତି । ନିଜ ବାସ ଛାଡ଼ି ଅନ୍ୟ ବାସରେ କେତେଦିନ ରହିବେ ? ତୁମେ ମନକଷ୍ଟ କରନିମ ସାନଅପା ! ଭରତ ପରା ଅଛି । ଦେଖିବନି, ତୁମର କିଛି ଅସୁବିଧା ହେବ ନାହିଁ । ମୁଁ ମୋ ବାବୁ ଆଉ ଅପାଙ୍କୁ ହଇରାଣ, ହରକତ୍‍ କରିବି ? ଭରତ କାହାରିକୁ ହଇରାଣ ହରକତ୍‍ କରିବାର ତା’ ଜାତକରେ ନାହିଁ ।

 

ଲକ୍ଷ୍ମୀଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ିଆସିଲା । ସେ ଭରତଙ୍କ ଅଜାଣତରେ ହାତରେ ଆଖି ପୋଛି ଠିଆ ହେଲେ ।

 

ଭରତ କହିଲେ–ସାନଅପାମ ! ତୁମେ କିଛି ଚିନ୍ତା କରନି । କାନ୍ତି ଅପା, ବାସନ୍ତୀ ଅପା ଚାଲି ଯାଆନ୍ତୁ । ବାବୁତ ଖାଇସାରି ଦୋକାନକୁ ଚାଲିଯିବେ । ମୁଁ ଆଜି ଯାଇ ବଜାରରୁ ଲୁଡ଼ୁ ପାଲିଟେ, କଉଡ଼ି ଚାରିଟା, ତାସ୍‌ ମୁଠେ କିଣିବି । ଖରାବେଳଯାକ ଆମେ ଦୁହେଁ ବସି ଲୁଡ଼ୁ ହେଉ, କଉଡ଼ି ହେଉ କି ତାସ୍‌ ହେଉ ଖେଳିବା ।

 

କାନ୍ତି ଶୋଇବାଘରୁ ବାହାରକୁ ଆସି କହିଲେ–ତୁମର ଘର ଓଳା ଶେଷ ହେଲା ଭରତ-? ବେଗାବେଗି ଗାଧୋଇ ଯିବା ପରା । ସେନୁ ଫେରିଲେ କ’ଣ ଜଳଖିଆ କଲେ ହେମଭାଇ ଖାଇ ଦୋକାନକୁ ଯିବେ ।

 

‘‘ତୁମେ ଦୁଇ ଅପାଯାକ ଆଗ ବାହାରିଲ । ମୋର ତ ଘର ଓଳେଇବା ସରିଗଲାଣି । ସାନଅପାତ ଆମପାଇଁ କେତେବେଳୁ ଗାଧୋଇ ଯିବେ ବୋଲି ଅପେକ୍ଷା କରି ରହିଛନ୍ତି ।’’ ଭରତ କହି କହି ଗାମୁଛା କାନ୍ଧରେ ପକାଇ, କାଖରେ ଗରାଟିଏ କାଖେଇ, ଦାନ୍ତକାଠି କାମୁଡ଼ି ବାହାରିଲେ-

 

ବାସନ୍ତୀ ଭରତଙ୍କ କାଖରେ ଗରା ଦେଖି କହିଲେ–କିଲୋ ମା’ ! ଗରା କ’ଣ ହେବ ?

 

ଭରତ କହିଲେ–ପୋଖରୀରେ ଗାଧୋଇ ସାରିବାପରେ ଠାକୁରଙ୍କ କୂଅରୁ ପାଣି ଗରେ ଆଣିବା । ଠାକୁରଙ୍କ କୂଅପାଣି କେବେ ପିଇଛ ବାସନ୍ତୀ ଅପା ? ଭାରି ଥଣ୍ଡା, ନିର୍ମଳ । ସହରର କଳପାଣି ତା’ ଆଗରେ କିଛି ନୁହେଁ ।

 

କାନ୍ତି ପଚାରିଲେ–ଏତିକି ବାଟରୁ ପାଣି କାଖେଇ ଆସିବ ?

 

‘‘ଏ କି ବାଟମ ଅପା ! ଖରାଦିନେ ପୋଖରୀ, ଗଡ଼ିଆ, କୂଅସୁବ ଆମ ଗାଁରେ ଶୁଖିଯାଏ ଯେ, ଆମର ପରା ମାଇଲ ଦୂରରୁ ପାଣି ବୁହା ହୋଇ ଆସେ । ସେହି ପାଣିରେ ପୁଣି ରୋଷେଇ ହେବ, ଆମେ ସମସ୍ତେ ପିଇବୁ, ଗାଈଗୋରୁ ଖାଇବେ ।’’ ଭରତ ଦାନ୍ତକାଠିଟି ଦାନ୍ତରେ ଘଷି ଘଷି ଆଗେଆଗେ ଚାଲିଲେ । ତାଙ୍କ ପଛେ ପଛେ ଚାଲିଥାନ୍ତି କାନ୍ତି ଓ ବାସନ୍ତୀ । ଲକ୍ଷ୍ମୀ ବହୁ ପଛରେ ଧୀରେ ଧୀରେ ଚାଲିଥାନ୍ତି ।

 

ଲକ୍ଷ୍ମୀ ଧୀରେ ଧୀରେ ଚାଲୁଥିବାର ଦେଖି ଭରତ କହିଲେ–ରହିଥାଅମ ଅପାମାନେ, ସାନଅପା ଆମର ଆସନ୍ତୁ । ତୁମେମାନେ ଆଜି ଚାଲିଯିବ ବୋଲି ସାନଅପା ସକାଳୁ ମୁହଁ ଶୁଖେଇ ବସିଛନ୍ତି । ତୁମ ଯିବା କଥା ଭାବି ମୁହଁ ତାଙ୍କର କଳା ପଡ଼ିଗଲାଣି ।

 

ବାସନ୍ତୀ କହିଲେ–ସାଙ୍ଗସୁଖ, ହସଖୁସିରେ ଦିନ କେତୋଟି କଟି ଯାଉଥିଲା । ନୂଆହୋଇ ଏ ଘରକୁ ସେ ଆସିଛିନା । ବୋହୂ ହୋଇ ଆସିଲା ବୋଲି କ’ଣ ଏ ଘରପ୍ରତି ତା’ର ମାୟାମମତା ଲାଗିଲାଣି ?

 

ଭରତ ପଚାରିଲେ–ସାନଅପା ପରା ଆମ ବାବୁଙ୍କର କନିଆ ମାଇପ ? ତୁମେ କ’ଣ ଆଗ ଅପାଙ୍କୁ ଦେଖିଛ ବାସନ୍ତୀ ଅପା ?

 

କାନ୍ତି କହିଲେ–ଥାଉ, ସେ କଥା ବାଟରେ ପକାଅ ନାହିଁ । ଲକ୍ଷ୍ମୀ ଶୁଣିଲେ ତା’ ମନରେ କଷ୍ଟ ହେବ ।

 

ଭରତ କଥାର ଢଙ୍ଗ ବୁଲାଇ କହିଲେ–କ’ଣ ଚାଲି ପାରୁନକି ସାନଅପା ? ପିଲା ଲୋକ ତୁମେ । ଏକା ଖେପାକେ ସାନ ଧାନକିଆରି ଡେଇଁ ପଡ଼ୁଥାନ୍ତ !

 

କାନ୍ତି କହିଲେ–ତୁମେ ତ ବାହା ହୋଇନ, କିମିତି ଜାଣିବ ଭରତ ? ସାନଅପାଙ୍କର ଇଲେ ଗପ୍‍ସପ୍‍ରେ ତ ରାତି ପାହୁଥିବ ।

 

‘‘କାହା ସାଙ୍ଗରେମ ଅପା ?’’ ଭରତ ପଚାରିଲେ ।

 

‘‘ତୁମ ବାବୁଙ୍କ ସାଙ୍ଗରେ । ସାନଅପା ମନେମନେ ଭାବୁଥିବେ, ଗୋଟିଏ ଗୋଟିଏ ରାତି ସାତ ରାତି ହୋଇଯାଆନ୍ତାକି ?’’ କାନ୍ତି କହିବା ସଙ୍ଗେ ସଙ୍ଗେ ଲକ୍ଷ୍ମୀଙ୍କ ପାଖକୁ ଆସି ପଚାରିଲେ–କ’ଣ ମୋ କଥା ମିଛ ନୂଆବୋଉ ?

 

ସମସ୍ତେ ଠୋଠୋ ହୋଇ ହସି ଉଠିଲେ । ଲକ୍ଷ୍ମୀ କିଛି ଉତ୍ତର ଦେଲେ ନାହିଁ । କେବଳ ଉପରମୁହଁରେ ସମସ୍ତଙ୍କ ସହିତ ମିଶି ହସିଲେ ସତ; ହେଲେ ସେ ହସରେ ସରସତା, ପ୍ରଫୁଲ୍ଲତା, ଆନ୍ତରିକତା ନଥିଲା । ମନ ଯେପରି ତାଙ୍କର କହୁଥିଲା–ଅଭାଗୀନିର ଦିନରାତି ସବୁ ସମାନ । ତା’ପାଇଁ ଦିନ ସରେ ନାହିଁ କି ରାତି କଟେ ନାହିଁ । ବୈଶାଖ ମାସ ମଧ୍ୟାହ୍ନରେ ନଦୀବାଲିରେ ପଥିକର ଦଶା ସେ ଭୋଗି ଭୋଗି ଚାଲିଥାଏ ।

 

ବାସନ୍ତୀ କହିଲେ–କାନ୍ତି, ତେଣେ ଡେରି ହେଉଛି । ଚାଲ ଚଞ୍ଚଳ ଗାଧୋଇ ଚାଲିଯିବା । ଦୁଆର ଘର ମେଲା ପଡ଼ିଛି । ହେମଭାଇ ଉଠି ଖୋଜୁଥିବେ । ସେ ଖାଇଲେ ଦୋକାନକୁ ଯିବେ । ଆମେ ପୁଣି ଆଜି ଯିବା ଯେ, କେଉଁ ଜିନିଷ କେଉଁଠି ପଡ଼ିଥିବ, ତାକୁ ସଜାଡ଼ୁ ସଜାଡ଼ୁ ଘଣ୍ଟାଏ ଯିବ-

 

‘‘ମଲା, ଆମର ପୁଣି କି ଜିନିଷମ ? ଲୁଗା ଦିଖଣ୍ଡତ ବ୍ୟାଗ୍‌ ଭିତରେ ପୂରାଇ ଦେଲେ ଆମ ବେଡ଼ିଙ୍ଗ୍ ବନ୍ଧା ସରିଲା । ଏଥିପାଇଁ ଘଣ୍ଟାଏ ଲାଗିବ ନା ପାଞ୍ଚ ଘଣ୍ଟା ଲାଗିବ ?’’ କାନ୍ତି କହି କହି ଆଗକୁ ଆଗକୁ ଡଗଡ଼ଗ ହୋଇ ଚାଲିବାରେ ଲାଗିଲେ ।

 

ଭରତ ପଚାରିଲେ–ଅପାମାନେମ, ତୁମେ ଦୁହେଁ ଉପରବେଳାକୁ ତ ଯିବ, ଏତିକିବେଳୁ ଏତେ ଛାନିଆ କାହିଁକି ? ବାସନ୍ତୀ ଅପାଙ୍କର ମନ ତାଙ୍କ ଶାଶୁଘରେ ଯାଇ ରହିଲାଣି । ଆଉ ଏଠି ମନ ଲାଗୁନି ।

 

‘‘ଆଲୋ ତୋର ତ ଏଠାରେ ଗେରସ୍ତ ନାହିଁ । ଗେରସ୍ତ ଯାଇ ଚାକିରି ଜାଗାରେ । ଶ୍ୱଶୁର ତ ମଲାଗଲା ହୋଇ ପଡ଼ିଛି । ଥିଲେ ଯାହା, ନଥିଲେ ସେୟା । ତୁ କାହିଁକି ଯିବାପାଇଁ ଏତେ ଉଚ୍ଛନ୍ନ ହେଉଛୁ । ଆଉ ଦୁଇ ଚାରି ଦିନ ରହୁନୁ ?’’ କାନ୍ତି ବାସନ୍ତୀଙ୍କୁ ଉଦ୍ଦେଶ୍ୟ କରି କହିଲେ ।

 

ବାସନ୍ତୀ କହିଲେ–ଗେରସ୍ତ ଏଠାରେ ନାହାନ୍ତି ବୋଲି ତାଙ୍କ ଘର ଖଣ୍ଡକ ଅଛି । ରୋଗଣା ବାପ ତାଙ୍କର ଅଛନ୍ତି । ଯାହିତାହି ମାଣେ ଦୁଇ ମାଣେ ଜମିତ ଅଛି, ବାଡ଼ି ବଗିଚା ତ ପଡ଼ିଛି । କ୍ଷୀର ପାଏ ଦେଉ କି ପୋଷେ ଦେଉ ଘରେ ଗାଈଟେ ତ ବନ୍ଧା ହୋଇଛି । ମୁଁ ତ ଏଠି ବସିବି । ତାକୁ ସବୁ ଦେଖିବ କିଏ ? ବରଂ ତୋର ମୋଠାରୁ ଦାୟିତ୍ୱ କମ୍‌ । ତୋ ଶାଶୁଘରେ ଶାଶୁ ନାହିଁ କି ଶ୍ୱଶୁର ନାହାନ୍ତି । ଲେ ନାହିଁ କି ଲେଞ୍ଜେରା ନାହିଁ । ବୋଉ ତୋର ସେଠାରେ ଅଛନ୍ତି । ତୋ ପିଲାଙ୍କ କଥା, ଜୋଇଁଙ୍କ କଥା, ଗାଈଗୋରୁ ଘରଦ୍ୱାର କଥା ବୁଝୁଛନ୍ତି । ବରଂ ତୁ ମୋଠାରୁ ବହୁଗୁଣରେ ନିଜଞ୍ଜାଳି । ତୁ ଆଠଦିନ କେଉଁଠି ରହିଲେ, କିଛି ଯାଏଁ ଆସେ ନାହିଁ ।

 

ଭରତ କହିଲେ–ଅପାମାନେମ, ଶ୍ୱଶୁରଘର ଝିଅଙ୍କର ପରା ଠାକୁର ମନ୍ଦିର ! ଶ୍ୱଶୁର ଦେବତା, ଶାଶୁ ଦେବୀ, ସ୍ୱାମୀ ଦେବତା, ନଣନ୍ଦ ଦେବୀ, ଦେବର ଦେବତା କେତେ ଦେବଦେବୀ ସେଠାରେ ଅଛନ୍ତି । ଶାଶୁଘରେ ଯେତେ ଦୁଃଖ କଷ୍ଟ ପାଇଲେ ସୁଦ୍ଧା ଶାଶୁଘର ଛାଡ଼ି ବାପଘରେ ଝିଅମାନେ କ୍ଷୀରୀ, ଅମୃତ ଖାଇ କ’ଣ ଶାନ୍ତିରେ ରହିପାରିବେ ?

 

କାନ୍ତି ହସି ହସି କହିଲେ–କେତେ କଥା ତୁମକୁ ଜଣାହେ ଭରତ ?

 

ବାସନ୍ତୀ କହିଲେ–ଭରତ ଯାହା କହୁଛନ୍ତି, ପ୍ରକୃତ କଥା । ବାହାସାଆ ହେଲା ପରେ ଝିଅଙ୍କପାଇଁ ବାପଘର ବନ୍ଧୁବାସ ପରି । ମୁଁ ମୋ ଶାଶୁଘରେ ଯେତେ ଚଞ୍ଚଳ ରୋଷେଇବାସ କରେ, କୁଣିଆ ମୈତ୍ରଙ୍କୁ ଚର୍ଚ୍ଚାକରି ଛାଡ଼େ, ବାପଘରେ କେଜାଣି କାହିଁକି, ମୋ ଗୋଡ଼ହାତ ଆଦୌ ଚଳେନି କି କେଉଁ ଜିନିଷ କେଉଁଠି ଥାଏ, ମୋ ହାତରେ ପଡ଼େ ନାହିଁ ।

 

କାନ୍ତି କହିଲେ–ମୁଁ ତ ଆମ ଘରକୁ ଗଲେ ବସି, ଶୋଇ, ସାଙ୍ଗସୁଖଙ୍କ ଘରକୁ ଯାଇ ଦିନ କାଟେ । ବୋଉ ରୋଷେଇବାସ, ଘର କାମ କରୁଥାଏ । ମୋର ଘରେ ରହିବାକୁ ଆଦୌ ମନ ଲାଗେ ନାହିଁ ।

 

ଲକ୍ଷ୍ମୀ ଏମାନଙ୍କ କଥା ଶୁଣି ନୀରବରେ ଆଖିରୁ ଲୁହ ପୋଛି ପୋଛି ଚାଲିଥାନ୍ତି ।

 

ପୋଖରୀକୂଳରେ ସମସ୍ତେ ପହଞ୍ଚିଲେ । ଭରତ କହିଲେ–ତୁମେ ଆଉ ଡେରି କରନା ଅପାମାନେ । ଶୀଘ୍ର ବୁଡ଼ି ପଡ଼ି ଚାଲ । ଦିନ ଅନେକ ହେଲାଣି ।

 

ଭରତ ସେହି ମାଇପଙ୍କ ଗାଧୁଆତୁଠରେ ବୁଡ଼ି ପଡ଼ି ଗରାଟାକୁ କାଖରେ ଜାକି ଠାକୁରଙ୍କ କୂଅ ଆଡ଼କୁ ଚାଲିଲେ । ଠାକୁରଙ୍କ କୂଅରୁ ଗରାରେ ପାଣି କାଢ଼ି ପୁଣି କାଖରେ ଧରି ଆସି ମାଇପିଙ୍କ ଗାଧୁଆତୁଠରେ ପହଞ୍ଚି କହିଲେ–ଅପାମାନେମ, ଶୀଘ୍ର ଆସ ।

 

ଭରତ ଆଗେଆଗେ ଚାଲିଥାନ୍ତି । ତାଙ୍କ ପଛରେ କାନ୍ତି । କାନ୍ତିଙ୍କ ପଛରେ ବାସନ୍ତୀ । ଶେଷରେ ଆସୁଥାନ୍ତି ଲକ୍ଷ୍ମୀ ।

 

ଭରତ ନୀରବତା ଭାଙ୍ଗି କହିଲେ–କାନ୍ତିଅପାମ ! ମୁଁ ଚୁଲି ଲଗାଉ ଲଗାଉ ତୁମେ ଅଟା ଗଣ୍ଡେ ଚକଟି ଦେବ, ଆଉ ବାସନ୍ତୀ ଅପା ପରିବା ଦି’ଟା କାଟି ଦେବେ । ସାଙ୍ଗେ ସାଙ୍ଗେ ପୁରି, ତରକାରୀ କରି ବାବୁଙ୍କୁ ଖାଇବାକୁ ଦେଇଦେବା । ବାବୁ ଦୋକାନକୁ ଚାଲିଗଲା ପରେ ଆମେ ଜଳଖିଆ ଖାଇ ପୁଣି ଦିପହର ପାଇଁ ରୋଷେଇ ବସାଇବା ।

 

ବାସନ୍ତୀ ପଚାରିଲେ–କାଲି ଯାହା କହୁଥିଲ, ସେହି ଖେଚୁଡ଼ି, ଡାଲି, ତରକାରୀ କରିବ ତ ?

 

‘‘ଚାଲ, ଜଳଖିଆ ଖାଇ ସାରିବା ପରେ ବସି ବିଚାର କରିବାନି ?’’ ଭରତ କହି କହି ଆଗେଆଗେ ଚାଲିଥାନ୍ତି ।

 

ଘରେ ସମସ୍ତ ପହଞ୍ଚିଲେ । ଶୁଖିଲା ଲୁଗା ବଦଳାଇଲେ । ହେମକାନ୍ତ ସେତେବେଳକୁ ଉଠି ଗାଧୋଇ ବାହାରି ଥିଲେ । ସେ କାନ୍ତିଙ୍କୁ ପଚାରିଲେ–ତୁ, ବାସନ୍ତୀ କ’ଣ ଆଜି ଚାଲିଯିବ ?

 

ବାସନ୍ତୀ କହିଲେ–ତୁମେ ତ ହେମଭାଇ ଆମ ଘରକଥା ସବୁ ଜାଣିଛ । ଘରେ ଶ୍ୱଶୁର ବିଛଣାଲଗା ହୋଇ ପଡ଼ିଛନ୍ତି ।

 

‘‘ତୁ ଆଉ କିଛିଦିନ ରହୁନୁ କାନ୍ତି ? ବାସନ୍ତୀର ସିନା ଘରେ ଅସୁବିଧା ।’’ ହେମକାନ୍ତ ପଚାରି କାନ୍ତିଙ୍କ ମୁହଁକୁ ଉତ୍ତର ଅପେକ୍ଷାରେ ଚାହିଁ ରହିଲେ ।

 

କାନ୍ତି କହିଲେ–ଆମ ଗେରସ୍ତ ଶଗଡ଼ ଧରି ଆସି ଏହି ସକାଳୁ ସକାଳୁ ପହଞ୍ଚୁଛନ୍ତିନା କ’ଣ ଆଗ ଦେଖ । ମୁଁ ଦିନକୁ ଚାରିଦିନ କେଉଁଠି ରହିଗଲେ, ତାଙ୍କର ଯେମିତି ବୁଦ୍ଧି ବଣା ହୋଇଯାଏ ।

 

‘‘ବୋଉ ତୋର ଆଜି ଆସିବାର କଥା, ଆସିବେତ ?’’ ହେମକାନ୍ତ ପଚାରିଲେ ।

 

କାନ୍ତି କହିଲେ–କ’ଣ ବୋଉ କରୁଛି କେଜାଣି ? କହୁଥିଲାତ ଆଜି ଆସିବ ବୋଲି, କିଏ ଆସି ପହଞ୍ଚିଲେ ଜଣା ପଡ଼ିବ ।

 

ଏହି ସମୟରେ ବାହାରେ ଘଣ୍ଟି ବଳଦ ଯୋଚା ଶଗଡ଼ ଆସୁଥିବାର ଶୁଣାଗଲା । ସମସ୍ତେ ସେହି ଦିଗକୁ କାନ ଡେରିଲେ । ଘଣ୍ଟି ଶବ୍ଦ ନିକଟରୁ ନିକଟତର ହେବାରୁ ବାସନ୍ତୀ ପଚାରିଲେ–ତୋ ବର ତ ଆଉ ଗାଡ଼ି ଧରି ଆସୁନାହାନ୍ତି ?

 

‘‘କିଏ କହିବ ? ଆସୁଥାଇ ପାରନ୍ତି ।’’ କାନ୍ତି କହି କହି ବାହାର ଘରଆଡ଼େ ଗଲେ । ତାଙ୍କ ପଛେ ପଛେ ହେମକାନ୍ତ ଓ ବାସନ୍ତୀ ମଧ୍ୟ ଗଲେ ।

 

ହେମକାନ୍ତ କହିଲେ–ତୁମ ଶଗଡ଼ ହୋଇଥିଲେ, ବୋଉ ତୋର ନିଶ୍ଚୟ ଆସୁଥିବେ ।

 

ହେମକାନ୍ତଙ୍କ ଦୁଆରେ ଶଗଡ଼ଟି ଅଟକିବାକ୍ଷଣି କାନ୍ତି ହସି ହସି କହିଲେ–ମୁଁ କହୁଥିଲି ପରା, ଦିନେ ଓଳିଏ ମଣିଷ କୁଆଡ଼େ ଗଲେ ଇଏ ପାଗଳ ହୋଇଯିବେ । ହେଇ ଆସି ପହଞ୍ଚିଗଲେଣି ।

 

ଭରତ କହିଲେ–କିଏମ ଅପା ? ତୁମ ସ୍ୱାମୀ ଦେବତା ?

 

ସମସ୍ତେ ଭରତଙ୍କ କଥା ଶୁଣି ହସି ଉଠିଲେ । ହେମକାନ୍ତ ମଧ୍ୟ ନ ହସି ରହିପାରିଲେ ନାହିଁ । ସେ କହିଲେ–ସ୍ୱାମୀ ଦେବତା ନୁହେଁ, ସ୍ୱାମୀ କେଶବାନନ୍ଦ । ଆସିଗଲେ ପତ୍ନୀଙ୍କୁ ଶଗଡ଼ଯାନରେ ନେବାକୁ ।

 

ସତେମ କାନ୍ତିଅପା, ତୁମ ବର ଆସିଛନ୍ତି ? ମୁଁ ଟିକିଏ ଦେଖି ଆସେ–କିମିତି ତାଙ୍କର ମୁହଁ, ଦେହ, ରୂପ । କାନ୍ତିଅପା, ତୁମରି ପରି ତ ସିଏ ? ଭରତ ତରକାରୀ ବସାଉଥିଲେ । ହାତରେ ଡଙ୍କିଟା ଧରି ବାହାରକୁ ବାହାରି ଆସିଲେ ।

 

କାନ୍ତି କହିଲେ–ମଲାମର, ତୁମେ ଦେଖୁନ ଭରତ, ସେ ମୋ’ରି ପରି କି ଆଉ କାହାପରି ।

 

ଭରତ କାନ୍ତିଙ୍କ ସ୍ୱାମୀ କେଶବାନନ୍ଦଙ୍କୁ ଦେଖ‌ି କହିଲେ–ଆୟେ ଏଇ କେଶବବାବୁ, ତୁମ ସ୍ୱାମୀ ? ତୁମେ ମୋତେ କହୁନ କାନ୍ତିଅପା ?

 

ବାସନ୍ତୀ ପଚାରିଲେ–ତୁମେ କ’ଣ ତାଙ୍କୁ ଜାଣ ଭରତ ?

 

ମଲା, ମୁଁ କେଶବବାବୁଙ୍କୁ ଜାଣିନି ? ତାଙ୍କ ଗାଁକୁ ପରା ଅନେକ ଥର ଯାତ୍ରା କରିବାକୁ ଆମେ ଯାଇଛୁ । କେଶବବାବୁ ସେ ଗାଁର ଜଣେ ଉତ୍ସାହୀ, ମୁଖିଆ ଯୁବକ । ତାଙ୍କ ପରାମର୍ଶ ନ ନେଲେ ସେ ଗାଁରେ ଯାନି, ଯାତ୍ରା, ଠାକୁରଙ୍କ ପର୍ବପର୍ବାଣି କ’ଣ କେବେ ହୁଏ ?

 

ହେମକାନ୍ତ ବାରଣ୍ଡାରେ ଠିଆ ହୋଇ କେଶବବାବୁଙ୍କ ଉଦ୍ଦେଶ୍ୟରେ ପଚାରିଲେ–ଅପା ଆସିଛନ୍ତି ?

 

କେଶବବାବୁ ଶଗଡ଼ରୁ ବଳଦ ଫିଟାଇ ପାଖରେ ଥିବା ଗୋଟିଏ ନଡ଼ିଆଗଛ ଦେହରେ ବାନ୍ଧି ନଡ଼ା ଦୁଇବିଡ଼ା ପକାଉ ପକାଉ କହିଲେ–ଶାଶୁଙ୍କ କଥା ପଚାରୁଛ ? ସେ କୁଆଡ଼ୁ ଆସି ପାରିବେ ! ଆମ ଶ୍ରୀମତୀ ପରା ତୁମ ଘରେ ଆଠଦିନ ହେଲା ବାହାଘର ଭୋଜି ଖାଉଛନ୍ତି । ସେନେ ଦୁଇ ଦୁଇଟା ପିଲା, ହଳିଆ, ମୂଲିଆ ଗାଈଗୋରୁ, ଘରଦ୍ୱାର । ସେ ଆସିଲେ ବୁଝିବ କିଏ-?

 

କାନ୍ତି କହିଲେ–କାହିଁ ବୋଉକୁ ପଠାଇ ଦେଇ ତୁମେ ବୁଝିଲ ନାହିଁ ?

 

‘‘ହଁ ମୁଁ ଇଲେ ରୋଷେଇ କରି ପ୍ରତିଦିନ ଏବେଳା ସେବେଳା ଦଶଜଣଙ୍କୁ ଖାଇବାକୁ ଦେଇଥାନ୍ତି ? ଗୋରୁଙ୍କ ପାଇଁ କୋଳଥ ସିଝେଇ, ନଡ଼ାକାଟି ଖୁଆଉଥାନ୍ତି ?’’ କେଶବବାବୁ କଥାଟାକୁ ଈଷତ୍‌ ବିରକ୍ତି ପ୍ରକାଶ କରି କହିଲା ପରି ଜଣାଗଲା । ତାଙ୍କୁ କାନ୍ତିଙ୍କ କଥା ଶୁଣି ଲାଗିଲା, କାନ୍ତି ଯେପରିକି, ସେ ଆସିବାରେ ଖୁସି ନୁହଁନ୍ତି ?

 

କାନ୍ତି ତାଙ୍କ ସ୍ୱାମୀଙ୍କୁ ଆଉ ଟିକିଏ ଚିଡ଼େଇବାକୁ କହିଲେ–ମୁଁ ତୁ ପୁଣି ଏସବୁ କାମ ଘରେ କରୁଛି ? ଆମେ ଆଉ ମଣିଷ ନୋହୁଁ କି ତମ ଦେହ ଭଳି ଆମ ଦେହ ରକ୍ତମାଂସରେ ଗଢ଼ା ନୁହେଁ ?

 

‘‘ଆହେ, ତୁମ ମୁଣ୍ଡର ଖୋସାଟା ମୋ ମୁଣ୍ଡରେ ଖୋସି ଦିଅ, ତୁମ ଶାଢ଼ି, କାଚ, ସବୁ ମୋ ଦେହରେ ଲଗାଇ ଦିଅ, ମୁଁ ତୁମ ରୋଷେଇବାସ, ଗାଈ ବଳଦ ମୋହିଁବା, ଗାଈ ଦୁହିଁବା ସବୁ କାମ ଏଣିକି କରିବି । ତୁମେ ମୋ ଭଳି ବିଡ଼ି ଟାଣି ବିଲବାଡ଼ି କାମ ବୁଝିବ ?’’ କେଶବବାବୁ ଘର ଭିତରକୁ କହି କହି ପଶି ଆସିଲେ ।

 

ଭରତ କହିଲେ–କାନ୍ତି ଅପାଙ୍କର ମଣିଷକୁ ଚିଡ଼େଇବା ଗୁଣଟା ଗଲା ନାହିଁ । ଆୟେ, କେଶବବାବୁ ଆସି ପହଞ୍ଚିଛନ୍ତି, ଗାଧୁଆପାଧୁଆ କରିବେ କି ଚା’ ଜଳଖିଆ ଖାଇବେ କି ଟିକିଏ ବିଶ୍ରାମ ନେବେ ନା ତୁମେ କାନ୍ତି ଅପା ଘରର ଭଲମନ୍ଦ ବୁଝିବା, ଖାଇବା କଥା ବୁଝିବା ଦୂରେ ଥାଉ ଆଗ ତାଙ୍କ ସଙ୍ଗେ ଯୁକ୍ତିତର୍କ ଲଗାଇ ବସିଲ ?

 

କେଶବବାବୁ ଭରତକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପଚାରିଲେ, ତୁମେ ଭରତ ଆସି ଏଠାରେ କିପରି ଜୁଟିଲ ? ହେମକାନ୍ତଙ୍କୁ ଉଦ୍ଦେଶ୍ୟ କରି କେଶବବାବୁ କହିଲେ–ବୁଝିଲ ହେମଭାଇ, ଭରତ ଭଳି କଳାକାର ଜଣେ ଯାତ୍ରାଦଳ ପାଇଁ ମିଳିବା ବଡ଼ କଷ୍ଟ । ଯାତ୍ରାର ଯେଉଁ ଭୂମିକାରେ ଠିଆ କରିଦିଅ, ଲୋକଙ୍କୁ ସେ ହସେଇ ହସେଇ ଗଡ଼େଇ ଦେବେ ।

 

ଭରତ ନିଜର ପ୍ରଶଂସା ଶୁଣି ମନେମନେ ଖୁବ୍‌ ଖୁସି ହୋଇଗଲେ । କହିଲେ–କାନ୍ତି ଅପା, ବାସନ୍ତୀ ଅପାମ, ମୁଁ କ’ଣ କହୁଥିଲି ? କେଶବବାବୁ ପରା ମତେ ଭଲ ଭାବରେ ଚିହ୍ନିଛନ୍ତି ।

 

କେଶବବାବୁ କହିଲେ–ତୁମକୁ ଏ ଅଞ୍ଚଳରେ କିଏ ନ ଚିହ୍ନେ କହିଲ ? ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ତୁମେ ଚିହ୍ନାଜଣା । ଭରତ ଯେଉଁ ଗାଁକୁ ଯାଆନ୍ତି, ପିଲାଠାରୁ ବଡ଼ ପର୍ଯ୍ୟନ୍ତ ତାଙ୍କ କଥା ତାଙ୍କ ଗୀତ ଶୁଣିବାକୁ ଭରତଙ୍କ ପଛେ ପଛେ ଗୋଡ଼େଇଥାନ୍ତି ।

 

ଭରତ କହିଲେ–କେଶବବାବୁମ, ତୁମେ ଆଗ ଲୁଗା ବଦଳାଇ ପକାଅ । ମୁଁ ଜଳଖିଆ, ଚା କରି ଦଉଛି । ଖାଇଦିଅ । ପରେ ଗାଧୋଇ ଯିବ ।

 

‘‘ବଳଦ ଦୁଇଟାଙ୍କୁ ଟିକିଏ ପେଜ ତୋରାଣି ପିଇବାକୁ ଦେଇଥିଲେ ହୋଇଥାନ୍ତା । ସକାଳୁ ସକାଳୁ ଗୁହାଳରୁ ଫିଟାଇ ନେଇ ଆସିଲି । ତାଙ୍କର ଖାଇବାବେଳ ହୋଇଗଲାଣି ।’’ କେଶବବାବୁ କହି କହି ନିଜର ଜାମା, ଲୁଗା ବଦଳାଇ ଲୁଙ୍ଗି ପିନ୍ଧିଲେ ।

 

କାନ୍ତି ବାଲଟିରୁ ଢାଳେ ପାଣି ଆଣି ପଚାରିଲେ–ଦାନ୍ତ ଘଷିଛ ନା ନାହିଁ ?

 

ନାଇଁ ଆଉ କେତେବେଳେ ଘଷିଲି । ଦାନ୍ତକାଠି ଖଣ୍ଡେ ଦିଅ ।

 

ହେମକାନ୍ତ କହିଲେ–‘‘କେଶବବାବୁ, ମୁଁ ତେବେ ଗାଧୋଇବାକୁ ଯାଉଛି । କାନ୍ତି, ବାସନ୍ତୀ, ଭରତ ଅଛନ୍ତି, ତୁମ କଥା ବୁଝିବେ । ମୁଁ ଏଇ ସାଙ୍ଗେ ସାଙ୍ଗେ ପୋଖରୀରୁ ବୁଡ଼ି ପଡ଼ି ଆସିବି । ଆସିଲେ ସାଙ୍ଗ ହୋଇ ଜଳଖିଆ ଖାଇବା ।’’

 

ହେମକାନ୍ତ ଗାଧୋଇବା ପାଇଁ ଚାଲିଗଲେ । କେଶବବାବୁ ବାରଣ୍ଡାରେ ବସି ଦାନ୍ତ ଘଷିଲେ । ଭରତ କହିଲେ–କାନ୍ତି ଅପାମ, କେଶବବାବୁ ଦାନ୍ତ ଘଷି ସାରିଲେ ଚିନି ଲେମ୍ୱୁ ଦହି ଦେଇ ସର୍ବତ୍‍ ଟିକିଏ କରିଦେବ । ମୁଁ ବଳଦ ଦୁଇଟା ଖାଇବାପାଇଁ କୋଳଥ ଗଣ୍ଡେ ସିଝେଇ ଦେଉଛି । ବଳଦ ଦୁଇଟାଙ୍କୁ ଘର ପଛ ପାଖ ଗୁହାଳକୁ ନେଇ ଆସିଲେ, ସେଇଠି କୁଣ୍ଡ ଅଛି, ଖାଇବେ ।

 

କେଶବବାବୁ ଦାନ୍ତ ଘଷି ସାରିବା ପରେ କାନ୍ତି ସର୍ବତ୍‍ ଆଣି ଦେଲେ । ପଚାରିଲେ–ପିଲା ଦୁଇଟାକୁ ସାଙ୍ଗରେ ଆଣିଲନି ? ସ୍ୱାମୀଙ୍କୁ ଦେଖିବା ପରେ କାନ୍ତିଙ୍କ ମନରେ ନୂତନ ଭାବ, ଦେହରେ ନୂତନ ଉନ୍ମାଦନା, ଚାଲିରେ ନୂତନ ଛନ୍ଦ, କଥା କହିବାରେ ନୂଆ ଢଙ୍ଗ, ମୁଖରେ ଅମାପ ଆନନ୍ଦର ଢେଉ, କଣ୍ଠରେ କେତେ ସ୍ନେହ ପ୍ରୀତିବୋଳା ଭାଷା ପ୍ରକାଶ ପାଉଥିଲା । ବାସନ୍ତୀ, ଲକ୍ଷ୍ମୀ ହସରୁ ତାହା ଲକ୍ଷ୍ୟ କରୁଥିଲେ ଏବଂ ନିଜକୁ କାନ୍ତିଙ୍କ ତୁଳନାରେ ଏ କ୍ଷେତ୍ରରେ ଅତି ନ୍ୟୂନ ମନେ କରି ଦୀର୍ଘ ନିଃଶ୍ୱାସ ପକାଉଥିଲେ ।

 

କାନ୍ତି ପଚାରିଲେ–ଭରତମ ! କାଲି ଭାଇ ମାଛ ଆଣିଥିଲେ ଅଛି ତ ?

 

ଭରତ କହିଲେ–ତୁମେ କାହିଁକି ଏତେ ବ୍ୟସ୍ତ ହୋଇପଡ଼ୁଛମ କାନ୍ତି ଅପା ! ଭରତ ସେ କଥା ବୁଝିବନି ?

 

ଭରତ ଉପରମୁହଁରେ ଏକଥା କହିଲେ ସିନା, ମନ ତାଙ୍କର ସନ୍ଦେହରେ ପୂରି ଉଠିଲା । ରାତିରେ ବିରାଡ଼ି କି ମୂଷା ଯଦି ମାଛତକ ଖାଇ ଦେଇଥିବେ ? କୋକିଶିଆଳିଟା ଆସି ରାତିରେ ଘରଯାକ ବୁଲେ । ଯଦି ହାଣ୍ଡିଶାଳ ଘରେ ପଶି ମାଛ ଖାଇଥିବ ? ହାଣ୍ଡିଶାଳ ଘରେ ପଶି ଦେଖିଲେ, ସେ ଯାହା ସନ୍ଦେହ କରୁଥିଲେ ସତ । କାଲି ରାତିରୁ ରଖିଥିବା ମାଛରୁ ଅଧେ ନାହିଁ ।

 

କେଶବବାବୁ କହିଲେ–ହେ କାନ୍ତି, ମୋର ମନେ ପଡ଼ିଲା । ଶୁଣ, ଶଗଡ଼ ଭିତରେ ଝୁଡ଼ିରେ ବାଇଗଣ, ସାରୁ, ମୂଳା, ଆଳୁ, ବିଲାତି ଅଛି । ତା’ ପାଖରେ ଗୋଟିଏ ବଡ଼ ତାଳପତ୍ର ଭୋଗେଇରେ ମାଛ ରହିଛି । ଭରତଙ୍କୁ କହ, ଟିକିଏ ନେଇ ଆସିବେ ।

 

ଭରତଙ୍କ କାନରେ କଥାଟା ପଡ଼ିବାମାତ୍ରେ ସେ ହାଣ୍ଡିଶାଳ ଘରୁ ବାହାରି ଆସୁ ଆସୁ କହିଲେ–ଦେଖିଲେ ମିଣିପଙ୍କୁ ! ହୟେ, କେଶବବାବୁ, ତମର ତ ଇମିତିକା ଭୁଲା ମନ । ଶଗଡ଼ ଭିତରେ ରଖିଥିବା ପରିବା ଝୁଡ଼ି ମାଛ ଜାଗା କଥାତ ଭୁଲି ଯାଉଛ; ଆଉ କାନ୍ତିଅପାଙ୍କ କଥା କିମିତି ତମର ମନେ ପଡ଼ୁଛିମ ? ତୁମେତ ତାଙ୍କ କଥା ବେଳେବେଳେ ଭୁଲି ଯାଉଥିବ ?

 

‘‘ମଲାମର, କାମ ପଡ଼ିବାରୁ ମନେ ପଡ଼ୁଛିନା, ନହେଲେ ସେ ଯେମିତି ଲୋକ, କେଉଁଠି କାମଧନ୍ଦା ନଥାଇ ନିଶ୍ଚିନ୍ତ ଗଣ୍ଡେ ଖାଇବାକୁ ମିଳିଗଲେ ସେ ପିଲା ମାଇପ, ଘରଦ୍ୱାର କଥା ଭୁଲି ସେଇଠି ଦିନ ଦିନଧରି ରହିଯିବେ ।’’ କାନ୍ତି ସ୍ୱାମୀଙ୍କ ଉଦ୍ଦେଶ୍ୟରେ କହୁ କହୁ ପାନ ଦୁଇଖଣ୍ଡ ଭାଙ୍ଗି ସ୍ୱାମୀଙ୍କୁ ତାଙ୍କର ବଢ଼ାଇ ଦେଲେ ଏବଂ ପଚାରିଲେ–ନଡ଼ିଆତେଲ ଦେବି, ବର୍ତ୍ତମାନ ଗାଧୋଇବାକୁ ଯିବ ନା ଆଉ ଟିକିଏ ଡେରି କରିବ ?

 

କେଶବବାବୁ କହିଲେ–ବଳଦ ଦୁଇଟାକୁ ମୋହିଁ ଦେଇ ଗାଧୋଇବାକୁ ଯାଇଥାନ୍ତି ବୋଲି ବିଚାରୁଛି ।

 

‘‘ମଲା ମୋର, ଘରେ ବଳଦ ଦୁଇଟାଙ୍କୁ ଖାଇବାକୁ ଦେବାକୁ କ’ଣ ଆଉ କେହି ନାହାନ୍ତି-? ତୁମେ ଯଦି ଗାଧୋଇବାକୁ ଯିବ ଯାଉନ ।’’ କାନ୍ତି ନଡ଼ିଆତେଲ ବୋତଲଟା ଆଣି ସ୍ୱାମୀଙ୍କୁ ଦେଲେ ।

 

ଭରତ ବାଁ କାନ୍ଧରେ ପରିବାଝୁଡ଼ି ଓ ଡାହାଣ ହାତରେ ମାଛ ଜାଗାଟି ଶଗଡ଼ରୁ ଆଣି ଘର ଭିତରକୁ ଆସି ପଚାରିଲେ–ଆହେ କେଶବବାବୁ, ଏ ପରିବା କ’ଣ ତୁମ ବାଡ଼ିର, ଆଉ ମାଛ କ’ଣ ତୁମ ପୋଖରୀ ମାଛ ନା କିଣିକରି ଆଣିଛମ ?

 

‘‘ନାଇଁମ, ଏ ସବୁ ଆମର ବାଡ଼ି ପରିବା, ଆମର ପୋଖରୀ ମାଛ । ଆସୁଥିଲିତ, ଖାଲି ହାତରେ କିମିତି ହେମଭାଇ ଘରକୁ ଆସନ୍ତି ? ମୂଲିଆଙ୍କୁ କହିଥିଲି ସେ କାଲି ସନ୍ଧ୍ୟାରୁ ବାଡ଼ିରୁ ପରିବା ତୋଳି ରଖିଥିଲେ । ଜାଲିଆଙ୍କୁ କହିଥିଲି, ସେ ଆଜି ଭୋର ଭୋରରୁ ଜାଲ ପକାଇ ମାଛ ଧରିଲେ । ଘରେ ପିଲାମାନଙ୍କ ପାଇଁ ଅଳ୍ପ କିଛି ମାଛ ରଖି ନେଇ ଆସିଲି ।’’ ତେଲ ଲଗାଉ ଲଗାଉ କେଶବବାବୁ କହିଲେ ।

 

କେଶବବାବୁ ଗାଧୋଇବାକୁ ଗଲେ । କାନ୍ତି ସିଝା କୋଳଥ, କୁଣ୍ଡା ନେଇ ବାଡ଼ିପଟ ଗୁହାଳକୁ ବଳଦ ଦୁଇଟାଙ୍କୁ ଖୁଆଇବାକୁ ଚାଲିଗଲେ । ଭରତ ରୋଷେଇଘରେ ପୁରି ଛାଣିବାପାଇଁ ଅଟା ଚକଟିଲେ । ବାସନ୍ତୀ ମାଛ ଜାଗା ଖୋଲି ମାଛ ବାଛି ବସିଲେ ।

 

ଭରତ ଲକ୍ଷ୍ମୀଙ୍କୁ ଉଦ୍ଦେଶ୍ୟ କରି କହିଲେ–ସାନଅପାମ ! ତୁମେ ଆଉ କାହିଁକି ବସିଲ ? ତୁମେ ପରିବା ଦୁଇଟା କାଟିଦିଅ କି ତରକାରୀ ବସେଇ ଦେବା ।

 

ଲକ୍ଷ୍ମୀ ଭରତଙ୍କ କଥା ଅନୁସାରେ ଝୁଡ଼ିରୁ ପରିବା ବାହାର କରି ଡାଲାରେ ରଖି ପନିକି ପକାଇ କାଟିବାରେ ଲାଗିଲେ ସତ, ମାତ୍ର ତାଙ୍କର ସବୁବେଳେ ଦୃଷ୍ଟି ରହିଥାଏ ହେମକାନ୍ତଙ୍କ ଶୋଇବାଘର ଆଡ଼େ ।

 

ଲକ୍ଷ୍ମୀ ଅଳ୍ପ କିଛି ପରିବା କାଟିଛନ୍ତି କି ନାହିଁ, ତାଙ୍କୁ ଯେପରି ଜଣାଗଲା, ଗତ ରାତିର ସେହି ଝିଅଟି ପୁଣି ବାଡ଼ିପଟୁ ଘର ଭିତରକୁ ଆସି ହେମକାନ୍ତଙ୍କ ଶୋଇବାଘର ଭିତରକୁ ପଶିଗଲା-। ଲକ୍ଷ୍ମୀଙ୍କ ହୃଦୟରେ ବିଦ୍ୟୁତରେ ଚମକ ଖେଳିଗଲା ଭଳି ଲାଗିଲା । ସେ ହଠାତ୍‌ ପନିକି ଉପରୁ ଉଠି ହେମକାନ୍ତଙ୍କ ଶୋଇବା ଘର ଭିତରକୁ ପଶିଗଲେ । ଘର ଭିତରେ ଲକ୍ଷ୍ମୀଙ୍କୁ ପ୍ରଥମେ କିଏ ଉଚ୍ଚସ୍ୱରରେ ହସୁଥିବାର ଶୁଣାଗଲା । ତା’ପରେ ଶୁଭିଲା–ମୋର ଯେ ଅତି ଆପଣାର, ତୁ ତାକୁ ନିଜର କରିବାକୁ ବସିଛୁ ? ଏହା କେବେ ସମ୍ଭବ ହେଲାଣି ? ବର୍ଷ ବର୍ଷର ସ୍ନେହ, ପ୍ରୀତି, ମମତା, ବନ୍ଧୁତା, ଘନିଷ୍ଠତା ଏତେ ଚଞ୍ଚଳ ଭୁଲି ହୁଏନା ! ଥରେ କୌଣସି ଯୁବତୀ ଗୋଟିଏ ପୁରୁଷକୁ ଭଲ ପାଇବା ଆରମ୍ଭ କଲେ, ସେ ତାଙ୍କୁ ଦେବତାଠାରୁ ହୃଦୟରେ ଉଚ୍ଚ ସ୍ଥାନ ଦିଏ । ସେହି ଦେବତାକୁ ନ ପାଇଲେ ସେ ଗଙ୍ଗଶିଉଳି ଫୁଲ ଭଳି ସକାଳୁ ଝଡ଼ି ପଡ଼େ ସିନା, ରାତ୍ରିର କୋମଳ, ମଧୁର, ଶୀତଳ ସ୍ପର୍ଶକୁ ଭୁଲି ସୂର୍ଯ୍ୟଙ୍କ ଭଳି ଦୀପ୍ତିମନ୍ତ, ଐଶ୍ୱର୍ଯ୍ୟଶାଳୀ ଅନ୍ୟ ଯୁବକଙ୍କୁ ଦେଖି ତାଙ୍କ ଆଡ଼କୁ ଢଳି ଯାଏନା । ତୁ ମୋର ସାନ ଭଉଣୀ ଭଳି । ତୁ ମୋ ପ୍ରାଣର ଚଳନ୍ତି ଦେବତାଙ୍କୁ ଛଡ଼ାଇ ନେବାକୁ ଚେଷ୍ଟା କରନା କହୁଛି । ତା’ଦ୍ୱାରା ତୋର ଖରାପ ହେବ । ମୋ ମନରେ ପ୍ରତିହିଂସା ଜନ୍ମିବ-। ମୋର ଉପଦେଶ, ପରାମର୍ଶ ହେଉଛି–ତୁ ମୋ ପଥରୁ ଦୂରେଇଯା ।

ଯୁବତୀର କଥାଗୁଡ଼ିକ ଯେପରିକି ଜୀବନସଂଗ୍ରାମରେ ଅଗ୍ନିବର୍ଷୀ ତୀର ଭଳି ଆସି ଲକ୍ଷ୍ମୀଙ୍କ ହୃଦୟରେ ବାଜି କ୍ଷତବିକ୍ଷତ କରି ଦେଉଥିଲା । ଶେଷଥର ପାଇଁ ଯୁବତୀଟି ଯେପରି କି ସତର୍କ କରି କହିଲା ପରି ଶୁଭିଲା–ଦେଖ ଲକ୍ଷ୍ମୀ, ବାସନ୍ତୀ, କାନ୍ତି ଆଜି ଚାଲି ଯାଉଛନ୍ତି । ତୁ ଯଦି ସନ୍ଧ୍ୟା ପୂର୍ବରୁ ଏଠାରୁ ଚାଲି ନଯାଉ, ରାତିରେ ଯେଉଁ ବିଷମ ପରିଣତି ଘଟିବ, ଭୋଗିବୁ । ଆଉ ଦୋଷ ଦେବୁ ନାହିଁ । ତୁ ଭାବିଛୁ, ତୁ ମୋ ପଛେ ପଛେ ଲାଗି, ମୋତେ ଆୟତ୍ତ, ଅପଦସ୍ତ, ଅପମାନିତ କରିବୁ ବୋଲି ? ଏହା ତୋର ବାଚାଳତା । ନିଜେ ଗୁଡ଼ାଏ ଦୁଃଖ ଯନ୍ତ୍ରଣା ପାଇବୁ ସିନା ଲାଭ କିଛି ହେବ ନାହିଁ ।

ଯୁବତୀଟି ଝଡ଼ବେଗରେ ସେ ଘରୁ ବାହାରକୁ ବାହାରିଗଲା । ତା’ ଦେହର ଚମ୍ପାଫୁଲ ପରି ବାସ ଲକ୍ଷ୍ମୀଙ୍କର ନାସାରେ ଲାଗିଲା । ଶାଢ଼ି ପଣତର କାନି ଦେହରେ ବାଜିଲା । ଯୁବତୀଟି ଯିବା ଫଳରେ ସୃଷ୍ଟି ହୋଇଥିବା ସମୀରର ଢେଉ ଲକ୍ଷ୍ମୀଙ୍କର ହୃଦୟ ଭିତରେ ସାଗରର ଅମାବାସ୍ୟା ରାତ୍ରିର ଅଗଣିତ ଉତ୍ତୁଙ୍ଗ ଢେଉ ସୃଷ୍ଟି କଲା । ଲକ୍ଷ୍ମୀ କିଛି ସମୟ ହେମକାନ୍ତଙ୍କ ଶୋଇବାଘରେ ନୀରବରେ ଠିଆ ହୋଇ ରହିବା ପରେ ଆପେଆପେ ତାଙ୍କ ଶରୀରକୁ ଦୋହଲାଇ ଏକ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା । ସେ ପୁଣି ପନିକି ପାଖକୁ ଫେରିଆସି ପରିବା କାଟିବାରେ ଲାଗିଲେ । ମାତ୍ର ସବୁବେଳେ ତାଙ୍କ କାନରେ ଯୁବତୀର କଥାଗୁଡ଼ିକ ପ୍ରତିଧ୍ୱନି ସୃଷ୍ଟି କରୁଥିଲା ।

ଭରତ ପଚାରିଲେ–ପରିବା କାଟିବା ଛାଡ଼ି କୁଆଡ଼େ ଚାଲିଗଲକି ସାନଅପା ?

ଲକ୍ଷ୍ମୀ କିଛି ଉତ୍ତର ଦେଲେ ନାହିଁ । ତାଙ୍କ ମନ ଭାବନାସ୍ରୋତରେ ଭାସି ଭାସି ଚାଲିଥାଏ-। ତାଙ୍କୁ ଜଣା ଯାଉଥାଏ, ଯେପରିକି, ଏହାର କୌଣସି ସମାଧାନର କୂଳ, ସ୍ଥଳ ଆଗକୁ ଦେଖାଯାଉ ନାହିଁ ।

 

ଭରତ କହିଲେ–ବାସନ୍ତୀ ଅପାମ ! ତୁମର, କାନ୍ତିଅପାଙ୍କର ଯିବା ସମୟ ଯେତିକି ପାଖେଇ ଆସୁଛିନା, ସାନଅପାଙ୍କର ମୁହଁଟି ସେତିକି ସେତିକି ଝାଉଁଳି ପଡ଼ୁଛି ।

 

ଦୀର୍ଘ ନିଃଶ୍ୱାସ ପକାଇ ବାସନ୍ତୀ କହିଲେ–ଏ ସଂସାର ବିଚିତ୍ରହେ ଭରତ ! ବିଶେଷରେ ସ୍ତ୍ରୀ ଜନମ ଆହୁରି ବିଚିତ୍ର । ଝିଅମାନେ ଜନ୍ମ ହୋଇ ବଢ଼ିବେ ଗୋଟିଏ ଜାଗାରେ । ବାହା ହୋଇ ଘରସଂସାର କରିବେ ଆଉ ଗୋଟିଏ ଜାଗାରେ । ନିଜର ବାପା, ବୋଉ, ଭାଇ, ଭଉଣୀ ହେବେ ପର । ଯେ ଅଜଣା, ଅଶୁଣା, ଅଚିହ୍ନା ସେ ହେବେ ନିଜର । ଗଛଟିଏ ଉପାଡ଼ି ଆଣି ଅନ୍ୟଠାରେ ଲଗାଇ, ତାକୁ ପାଣି ଦେଇ ବଞ୍ଚାଇ, ସେଥିରୁ ଫୁଲ ଫଳ ପାଇବା ଯାହା, ଘରକୁ ପରଘରକୁ ଝିଅଟିଏ ଆଣି, ତାକୁ ସ୍ନେହ, ଶ୍ରଦ୍ଧା, ପ୍ରେମ, ଆଦର, ଯତ୍ନରେ ବଢ଼ାଇ ତା’ ମନରେ ନୂଆ ଘରପ୍ରତି ମମତା, ପରଲୋକଙ୍କପ୍ରତି ଆତ୍ମୀୟତା ବଢ଼ାଇବା ସେୟା । ସେଇଥିପାଇଁ ଦେଖୁନ, ବହୁ ଝିଅ ବିବାହ ପରେ ସ୍ନେହ ଆଦର, ଯତ୍ନ ନ ପାଇ ଅକାଳରେ ଝଡ଼ି ପଡ଼ୁଛନ୍ତି, ରାସ୍ତାର ଭିକାରୁଣୀ ହେଉଛନ୍ତି !

 

ତୁମେ କ’ଣ ମିଛ କହୁଛକି ବାସନ୍ତୀ ଅପା, କଥାଟି ତ ସେୟା । ଭରତ ରୋଷେଇଘରୁ ଆସି ପରିବାଡ଼ାଲା ପାଖରେ ବସି ପୁଣି କହିଲେ–ସାନଅପାମ, ତୁମ ମନ, ଦେହ ଯଦି ଭଲ ନ ଲାଗୁଛି, ଚା ଟିକିଏ ଅଦା, ଗୋଲମରିଚ ଦେଇ କରି ଦେଉଛିକି, ଖାଇ ଶୋଇପଡ଼ । ଖାଇବାକୁ ହୋଇଗଲେ, ମୁଁ ତୁମକୁ ଉଠାଇ ଦେବି ।

 

ଲକ୍ଷ୍ମୀ କିଛି ନ କହି ନୀରବରେ ପନିକି ଉପରୁ ଉଠି କାନ୍ତି, ବାସନ୍ତୀ ଶୋଉଥିବା ଘରକୁ ପଶିଗଲେ । ମସିଣା, ତକିଆ ପକାଇ ମୁହଁ ମାଡ଼ି ଶୋଇ କଇଁକଇଁ ହୋଇ କାନ୍ଦି ଉଠିଲେ । ତାଙ୍କ ଦୁଃଖ, ମନର ବେଦନା, କୋହ ଏକୀଭୂତ ହୋଇ ଲୁହ ଆକାରରେ ଆଷାଢ଼ ସନ୍ଧ୍ୟାର ବର୍ଷାବାରି ପରି ବୋହି ଚାଲିଲା । ତକିଆ ଓଦା ହେଲା, ଆଖି ଫୁଲିଗଲା, ଗଳା ରୁଦ୍ଧ ହୋଇ ଆସି, ମୁହଁ କଳାବାଦଲଘେରା ପୂର୍ଣ୍ଣଶଶୀ ଭଳି ଦିଶିଲା । ହେଲେ ଘରେ ଥିବା ଅନ୍ୟମାନେ କେହି ଏକଥା ଜାଣି ପାରିଲେ ନାହିଁ ।

 

କାନ୍ତି ବଳଦ ଦୁଇଟିଙ୍କୁ ଖୁଆଇ ଆସିଲେ । ବାସନ୍ତୀଙ୍କର ମାଛ ବଛା ଶେଷ ହେଲା । ହେମକାନ୍ତ ଓ କେଶବବାବୁ ଗାଧୋଇ ଆସିଲେ । ଭରତ ତରକାରୀ ଓହ୍ଲାଇ ପୁରି ଛାଣି ବସିଲେ ।

 

କେଶବବାବୁ ଓଦାଲୁଗା ବଦଳାଇ ଧୋତି, ଗଞ୍ଜି ପିନ୍ଧୁ ପିନ୍ଧୁ ପଚାରିଲେ–କାହିଁ ନୂଆବୋଉ ତ ଦେଖିବାକୁ ମିଳୁ ନାହାନ୍ତି ? ସବୁବେଳେ କ’ଣ ଖଟ ଲାଗି ହୋଇଛନ୍ତିନା କ’ଣ ?

 

ବାସନ୍ତୀ କହିଲେ–ଆଜି ସକାଳୁ ତାଙ୍କ ଦେହଟି କାହିଁକି ଭଲ ନାହିଁ । ମୁହଁଟି ଶୁଖିଲା ଦିଶୁଛି । ହସ ନାହିଁ । ସେ ଯାଇ ଆମ ଶୋଇବା ଘରେ ଶୋଇଛନ୍ତି ।

 

ଭରତ ଘିଅ କରେଇରେ ଅଟା ବେଲି ପକାଉ ପକାଉ କହିଲେ–ଆୟେ ନାଇଁମ ଅପା, ଶରୀର କାହିଁକି କ’ଣ ହେବ ? ତୁମେମାନେ ଚାଲିଯିବ ବୋଲି ସେ ଦୁଇଦିନ ହେଲା ସେମିତି ମୁହଁ ଶୁଖାଇ ବସୁଛନ୍ତି । ମୁଁ ପରା କାଲିଠାରୁ ଆସି ଲକ୍ଷ୍ୟ କରୁଛି ।

 

କଥାଟି ହେମକାନ୍ତ ଓ ଲକ୍ଷ୍ମୀଙ୍କ କାନରେ ପଡ଼ିଲା । ଲକ୍ଷ୍ମୀ ଶେଯ ଉପରେ ଥିବା ବେଡ଼୍‍ସିଟ୍‌ଟିକୁ ଟାଣି ଆଣି ଘୋଡ଼ି ହୋଇ କାନ୍ଥ ଆଡ଼କୁ ମୁହଁ କରି ଶୋଇଗଲେ । ହେମକାନ୍ତ ମୁଣ୍ଡ କୁଣ୍ଡାଇ ଲୁଗା ବଦଳାଇ ଆସି ପଚାରିଲେ, ଲକ୍ଷ୍ମୀ ଦେହ ଭଲ ନାହିଁ ? ଶୋଇଛି କେଉଁଠି ? କାହିଁତ ଶୋଇବା ଘରେ ନାହିଁ ?

 

କାନ୍ତି କହିଲେ–ସେ ଆମ ଶୋଉଥିବା ଘରେ ଶୋଇଛନ୍ତି । କିମିତି ସେ ଏକୁଟିଆ ଏ ଘରେ ଚଳିବ କେଜାଣି ? ବନ୍ଧୁବାନ୍ଧବ ଆସିଲେ, ଦିନେ ଓଳିଏ ରହି ଚାଲିଯିବେ ସିନା; ସେ ତ ଆଉ ମାସେ କି ଦୁଇ ମାସ ରହି ପାରିବେ ନାହିଁ !

 

ଭରତ କହିଲେ–କିଛି ନାହିଁମ ଅପା, ମୁଁ ତ ଅଛି । ଆଉ ଚିନ୍ତା କ’ଣ ? ସେ ମନରେ ଏଣୁତେଣୁ ଗୁଡ଼ାଏ କଥା ଭାବି, ସେମିତି ଅସ୍ଥିର ହେଉଛନ୍ତିନା ? ଏଇ କାଲି କଥା ଦେଖୁନ । ତାଙ୍କର ଅସଲ ମତଲପ ହେଉଛି–କାନ୍ତି ଅପା, ବାସନ୍ତୀ ଅପା କିମିତି ଆଉ କିଛିଦିନ ଏ ଘରେ ରହନ୍ତୁ ।

 

‘‘ନିଜ ଘରଦ୍ୱାର ଛାଡ଼ି କ’ଣ ବେଶି ଦିନ ଏଠାରେ ରହିହେବ ?’’ ବାସନ୍ତୀ କହୁ କହୁ ଦୀର୍ଘ ନିଃଶ୍ୱାସ ପକାଇଲେ ।

 

ହେମକାନ୍ତ ଗୋଟିଏ ଗୋଟିଏ ଚାଲି ଲକ୍ଷ୍ମୀ ଶୋଇଥିବା ଘର ଭିତରକୁ ଗଲେ । ଦେଖିଲେ ଲକ୍ଷ୍ମୀ ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ଚଦର ଘୋଡ଼ି ହୋଇ ଶୋଇଛନ୍ତି । ହେମକାନ୍ତଙ୍କର ପାଦଶବ୍ଦ ଶୁଣି ଲକ୍ଷ୍ମୀ ଆଉ ଟିକିଏ କାନ୍ଥ ଆଡ଼କୁ ଘୁଞ୍ଚିଗଲେ । ହେମକାନ୍ତ ଲକ୍ଷ୍ମୀଙ୍କ ମସିଣା ପାଖରେ ବସି ପଚାରିଲେ–କ’ଣ ଦେହ ଭଲ ଲାଗୁନି ? ଶୋଇବା ଘରକୁ ଯାଇ ଖଟରେ ଶୋଇଲନି ? ତଳେ ମସିଣାରେ କାହିଁକି ଶୋଇଛ ? କ’ଣ ଦେହରେ ଜ୍ୱର ଥିଲା ପରି ଲାଗୁଛି ?

 

ଲକ୍ଷ୍ମୀ କିଛି ଉତ୍ତର ଦେଲେ ନାହିଁ । ନୀରବରେ ତାଙ୍କ ଆଖିରୁ ଲୋତକ ଶୁଖି ଯାଉଥିବା ଲୁହଧାର ପୁଣି ଝରିବାରେ ଲାଗିଲା ।

 

ହେମକାନ୍ତ ନିଜର ଡାହାଣ ହାତଟି ଲକ୍ଷ୍ମୀଙ୍କ ଦେହରେ ବୁଲାଇ ଆଣିବାକୁ ବଢ଼ାଉ ଥିଲେ, ଏହି ସମୟରେ କାନ୍ତି କବାଟ ପାଖରେ ଠିଆ ହୋଇ ଡାକିଲେ–ହେମଭାଇ ଖାଇବାକୁ ବଢ଼ା ହେଲାଣି । ଚାଲ ।

 

ହେମକାନ୍ତଙ୍କର ଡାହାଣ ହାତଟି ଆପେଆପେ ପଛକୁ ଫେରି ଆସିଲା । ସେ ଉଠୁ ଉଠୁ କହିଲେ–ତୁମେ ଆମ ଶୋଇବା ଘର ଖଟ ଉପରକୁ ଚାଲିଯାଅ । ଦେହ ପ୍ରତି ବେଶୀ ଖରାପ ଲାଗୁଛି, କହିଲେ ମୁଁ ଦୋକାନରୁ ଫେରିଲାବେଳକୁ ଡାକ୍ତରଙ୍କୁ କହି ଔଷଧ ଆଣିଥିବି ।

 

କେଶବବାବୁ ଆଗରୁ ପିଢ଼ା ଉପରେ ଜଳଖିଆ ଖାଇବାପାଇଁ ବସିଥିଲେ । ସେତେବେଳକୁ ଦୁଇଟି ଜାଗାରେ ପୁରି, ତରକାରୀ, ମାଛଭଜା ବଢ଼ା ହୋଇଥିଲା । ହେମକାନ୍ତ ଯାଇ ନିଜ ସ୍ଥାନରେ ବସିଲେ । ହେମକାନ୍ତ ଲକ୍ଷ୍ମୀଙ୍କ ଦେହ ଖରାପ ନେଇ ଟିକିଏ ଚିନ୍ତିତ ହୋଇ ପଡ଼ିଥିଲା ପରି ଜଣା ପଡ଼ୁଥିଲେ । ତାଙ୍କ ତୁଣ୍ଡରେ କୌଣସି କଥା ନଥିଲା ।

 

ହେମକାନ୍ତଙ୍କୁ ନୀରବ ଦେଖି କେଶବବାବୁ କହିଲେ–ତୁମେ କ’ଣ ଆଜି ଦୋକାନକୁ ଯିବ ଭାଇ ?

 

‘‘ହଁ, ଇଲେ ବିଭା, ବ୍ରତ, ନିମିତ୍ତ ଘଡ଼ିତ । ମଫସଲରୁ ଲୋକେ ସବୁ ଲୁଗା ନବାକୁ ଆସୁଛନ୍ତି । ପ୍ରତିଦିନ କିଛି ନା କିଛି ବେପାରୀ ମଧ୍ୟ ଆସୁଛନ୍ତି । ପିଲା ଦୁଇଟି ଅବଶ୍ୟ ଦୋକାନରେ ଅଛନ୍ତି । ହେଲେ ସେମାନେ ହିସାବପତ୍ରକୁ ଏତେ ଧୁରନ୍ଧର ନୁହଁନ୍ତି ।’’ ହେମକାନ୍ତ ଖାଇବାରେ ଲାଗିଲେ ।

 

କେଶବବାବୁ କହିଲେ–ମୁଁ ତ କାନ୍ତିକୁ ନେଇ ଆଜି ଚାଲିଯିବି ।

 

ବାସନ୍ତୀ କହିଲେ–ମୁଁ ମଧ୍ୟ ଆପଣଙ୍କ ସଙ୍ଗେ ଯାଇ ବାଟରୁ ଓହ୍ଲାଇ ପଡ଼ିବି ।

 

ହେମକାନ୍ତ ଟିକିଏ ଚିନ୍ତା କଲା ପରି କହିଲେ–କାନ୍ତି ଆଉ ଦୁଇ ଚାରି ଦିନ ରହିଲେ କିଛି ଅସୁବିଧା ହେବ ?

 

ତୁମେ ବୁଝୁନ ଭାଇ, ବୁଢ଼ୀ ଆଉ କାମକୁ ପାରୁନାହାନ୍ତି । କାନ୍ତି ଏଇ କେତେ ଦିନ ଏଠାରେ ରହିବା ଫଳରେ ତେଣେ ବହୁ ନିଜିଷ ଉଜୁଡ଼ି ଗଲାଣି । ରାଶି, ସୋରିଷ ଏପର୍ଯ୍ୟନ୍ତ ଉପୁଡ଼ା ହୋଇନି । ପୁଲାଙ୍ଗଗୁଡ଼ାକ ବାଦୁଡ଼ି ଖାଇ ଯାଉଛନ୍ତି । ପିଲା ଦୁଇଟା ଆଈଙ୍କ ପାଖରେ ଅଛନ୍ତି ବୋଲି ଆଉ ସ୍କୁଲ୍‍କୁ ଯିବାର ନାମ ଶବ୍ଦ ଧରୁ ନାହାନ୍ତି ।

 

ଅନ୍ୟମନସ୍କ ଭାବରେ ହେମକାନ୍ତ କହିଲେ–ବେଶ୍‌, ଗୋଟିଏ କାମ କରିବ, ତୁମେ ଯିବା ସଙ୍ଗେ ସଙ୍ଗେ ଅପାଙ୍କୁ ଆଠଦିନ ପାଇଁ ପଠାଇ ଦେବ ।

 

କେଶବବାବୁ କହିଲେ–ପଚାରିବି ତାଙ୍କୁ, କ’ଣ କହୁଛନ୍ତି ।

 

କାନ୍ତି ସ୍ୱାମୀଙ୍କୁ ତାଙ୍କର ଚିଡ଼ାଇବା ଉଦ୍ଦେଶ୍ୟରେ କହିଲେ–ମୁଁ ତ ଭାବିଛି, ଆଉ ଆଠଦିନ ହେମଭାଇଙ୍କ ଘରେ ରହିବି । ନୂଆବୋଉ ନୂଆ, ପୁଣି ଏକୁଟିଆ ।

 

କେଶବବାବୁ ନିଜ ସ୍ତ୍ରୀଙ୍କ ଥଟ୍ଟା ପରିହାସ କଥା ଜାଣନ୍ତି । ସେ କହିଲେ–ତୁମେ ରହୁନ । ମୋର କ’ଣ ଆପତ୍ତି ଅଛି ? ଖାଲି ତୁମେ ଚାଲିଯିବା ପାଇଁ ଖବର ଉପରେ ଖବର ପଠାଇବାକୁ ମୁଁ ବାଧ୍ୟ ହୋଇ ଶଗଡ଼ ଧରି ଆସିଲିନା ! ନହେଲେ ମତେ କ’ଣ ଇଲେ ଆସିବାକୁ ବେଳ ଥିଲା ?

 

ଭରତ ପୁରି ଥାଳିଟା ହାତରେ ଧରି ଆସୁ ଆସୁ କହିଲେ–ଆଲୋ, ଦେଖଲୋ ମା’, କାନ୍ତିଅପାଙ୍କ ଠାରେ ପୁଣି ଏତେ ଗୁଣ ଅଛିଟି ? ସେ ତ କେଶବବାବୁଙ୍କୁ ଦିନେ ନ ଦେଖିଲେ ଅନ୍ଧ ଭଳି ହୋଇ ଯାଉଥିବେ !

 

‘‘ଭିତରେ ଭିତରେ ଏତେ କଥା,

କେମିତି ଜାଣିବ ବିଧାତା ।’’

 

ଭରତଙ୍କ କଥା ଶୁଣି ସମସ୍ତେ ଠୋଠୋ ହୋଇ ହସି ଉଠିଲେ । ହେମକାନ୍ତ ମଧ୍ୟ ନ ହସି ରହିପାରିଲେ ନାହିଁ । କାନ୍ତି ଟିକିଏ ଲଜ୍ଜିତ ହୋଇ ପଡ଼ିଲେ । ତଥାପି ମୁହଁକୁ ଜୋର୍‌ କରି କହିଲେ–ତୁମେ ଏତେ ମିଛ କହି ଜାଣ ? ମୁଁ ତୁମକୁ ଆସିବାକୁ ଖବର ପରେ ଖବର ପଠାଇଥିଲି ? କାହା ହାତରେ ପଠାଇଥିଲି କହିଲ ?

 

ଭରତ କହିଲେ–ଆହେ କାନ୍ତିଅପା, କାହା ହାତରେ କ’ଣ ଏସବୁ ଖବର ଯାଏଁ ? ତମ ମନ ଭିତର ଖବର ତାଙ୍କ ମନ ଭିତରକୁ ପରା ଟେଲିଗ୍ରାଫ୍‌ ଲାଇନ୍‍ରେ ଚାଲି ଯାଉଛି ।

 

ହେମକାନ୍ତ, କାନ୍ତି, ବାସନ୍ତୀ ଏପରିକି କେଶବବାବୁ ସମସ୍ତେ ହସରେ ଲୋଟିଗଲେ । ହେମକାନ୍ତ ଆଉ ବସି ପାରିଲେ ନାହିଁ । ସେ ହାତ ଧୋଇବାକୁ ଉଠିଗଲେ ।

 

କାନ୍ତି କହିଲେ–ଦେଖିଲ, ହେମକାନ୍ତ ଭାଇ ଉଠି ଚାଲିଗଲେ । ଆଉ ପୁରି କି ତରକାରୀ କ’ଣ ଦିଆଯାଇଥାନ୍ତା । ଏଇ ଭରତ ଯେଉଁଠି ଥିବେ....

 

ହେମକାନ୍ତ ତାଙ୍କ ଶୋଇବା ଘରକୁ ଯାଉ ଯାଉ କହିଲେ–ନାଇଁ, ମୋର ଆଉ କିଛି ଦରକାର ନଥିଲା । ଦରକାର ଥିଲେ ମୁଁ ମାଗି ନଥାନ୍ତି ? କେଶବବାବୁଙ୍କ ଉଦ୍ଦେଶ୍ୟରେ କହିଲେ–ମୁଁ ଦୋକାନକୁ ଯାଉଛି । ଶୀଘ୍ର ଫେରି ଆସିବାକୁ ଚେଷ୍ଟା କରିବି । ଫେରିଲା ପରେ ତୁମେ ଯିବ କି ରହିବ, ଯାହା ବିଚାର କରିବା ।

 

‘‘ଆଉ ବିଚାର କରିବାର କିଛି ନାହିଁ ହେମଭାଇ ! ମୁଁ ଆଜି କାନ୍ତିକୁ ନେଇ ଯେ କୌଣସିମତେ ଚାଲିଯିବି ।’’ କେଶବବାବୁ ଉଠି ହାତ ଧୋଇଲେ ।

 

ହେମକାନ୍ତ ଦେହରେ ମଠା ପଞ୍ଜାବିଟିକୁ ପିନ୍ଧି, ଛୋଟ ଦର୍ପଣରେ ମୁହଁକୁ ଦେଖି ପାନିଆରେ ମୁଣ୍ଡ କୁଣ୍ଡାଇଲେ ଏବଂ କାନ୍ଥରେ ଲାଗିଥିବା ଫଟୋଗୁଡ଼ିକ ଆଡ଼କୁ ଚାହିଁଲେ । ହେମଲତାଙ୍କ ଫଟୋରେ ଆଖି ପଡ଼ିବାମାତ୍ରେ, ତାଙ୍କୁ ଯେପରି ଜଣାଗଲା–ହେମଲତା ତାଙ୍କ ମୁହଁକୁ ଚାହିଁ ହସୁଛନ୍ତି । ହେମକାନ୍ତ କିଛି ସମୟ ଫଟୋଟିକୁ ଚାହିଁ ରହିବା ପରେ ମୁହଁ ଫେରାଇଲେ । ତା’ପରେ ବାହାରକୁ ଆସି କହିଲେ–‘‘ତୁମେ ସବୁ ଖାଇନିଅ । ଆଉ ଅପେକ୍ଷା କରନି । ପୁରି, ତରକାରୀ ଥଣ୍ଡା ହୋଇଯିବ ।’’ ଲକ୍ଷ୍ମୀ ଶୋଇଥିବା ଦୁଆରମୁହଁକୁ ଯାଇ କହିଲେ–ମୁଁ ଦୋକାନକୁ ଯାଉଛି । ସେନୁ ଡାକ୍ତରଙ୍କୁ କହି ଔଷଧ ଆଣିଥିବି । ତୁମେ ଖାଇଦିଅ । ଯଦି ଦେହ ଭଲ ନଲାଗୁଛି, ଯାଇ ଆମ ଶୋଇବା ଘର ଖଟ ଉପରେ ଶୋଇପଡ଼ । ମୁଁ ଚଞ୍ଚଳ ଆଜି ଚାଲି ଆସିବି ।

 

ଲକ୍ଷ୍ମୀ କୌଣସି ଉତ୍ତର ଦେଲେ ନାହିଁ । ହେମକାନ୍ତ ମଧ୍ୟ କୌଣସି ଉତ୍ତରକୁ ଅପେକ୍ଷା ନରଖି ଦୋକାନକୁ ଚାଲିଗଲେ । ବାସନ୍ତୀ ଆସି ଡାକିଲେ–ନୂଆବୋଉ, ନୂଆବୋଉ, ଖାଇବ ଆସ-

 

ଲକ୍ଷ୍ମୀ ନୀରବରେ ଆଖିରୁ ଲୁଗାକାନିରେ ଲୁହ ପୋଛି କହିଲେ–ମୋ ଦେହ ଆଜି ଭଲ ଲାଗୁନି । ଖାଇବାକୁ ଇଚ୍ଛା ହେଉନି । ତୁମର ତୁମେ ଖାଇଦିଅ । ମୁଁ ଟିକିଏ ନୀରବରେ ଶୋଇଲେ ମୋତେ ଭଲ ଲାଗୁଛି ।

 

କାନ୍ତି ଆସି କହିଲେ–‘‘ଆସମ ନୂଆବୋଉ, ସାଙ୍ଗ ହୋଇ ଖାଇବା ବୋଲି ଆମେ ସବୁ ଅପେକ୍ଷା କରିଛୁ ପରା ।’’ ଲକ୍ଷ୍ମୀଙ୍କ ଦେହରେ ହାତ ବୁଲାଇ କହିଲେ–ମଲାମର, ଦେହରେ ତ ତାତି କି ତବତି କିଛି ନାହିଁ । ମନଟାକୁ ମାରି କାହିଁକି ଶୋଇଛମ ? ଆସ ।

 

କାନ୍ତି ଲକ୍ଷ୍ମୀଙ୍କର ହାତଟାଣି ଉଠାଇ ବସାଇ ଦେଲେ । ଲକ୍ଷ୍ମୀ ନିଜର ମୁଣ୍ଡର ଅଲରା କେଶ ଓ ପିନ୍ଧିଥିବା ଲୁଗା ସଜାଡ଼ୁ ସଜାଡ଼ୁ ଭରତ ଆସି କହିଲେ–ଆସମ ସାନଅପା ! ଆଉ ତ ଦୁଇଥର ମାତ୍ର ସାଙ୍ଗ ହୋଇ ଖାଇବା । ତା’ପରେ କିଏ କୁଆଡ଼େ ଯିବେ । ପୁଣି ଇମିତି ସୁଯୋଗ ମିଳୁ ମିଳୁ କେତେ କାଳ ଯିବ, କିଏ କହିବ ?

 

ଲକ୍ଷ୍ମୀ କାହାରି କଥାକୁ ଏଡ଼ାଇ ନପାରି ଖାଇବାକୁ ବସିଲେ ସତ, ହେଲେ ତାଙ୍କ ପାଟିକୁ କିଛି ଭଲ ଲାଗିଲା ନାହିଁ । କୋହ ଯେପରିକି ତାଙ୍କ ପେଟକୁ ପୂରାଇ ରଖିଥିଲା । ସେ ମାତ୍ର କଷ୍ଟେମଷ୍ଟେ ଖଣ୍ଡିଏ ପୁରି ଖାଇ ଉଠି ପଡ଼ିଲେ, ମୁହଁ ଧୋଇ ପୁଣି ଚଦର ଘୋଡ଼ି ହୋଇ ପୂର୍ବ ଜାଗାରେ ଶୋଇଗଲେ ।

 

ବାସନ୍ତୀ କହିଲେ–ପ୍ରକୃତରେ ନୂଆବୋଉ ଦେହ କ’ଣ ହେଉଛି ?

 

କାନ୍ତି କହିଲେ–ପିଲା ଲୋକ । ଏକୁଟିଆ ରହିବାକୁ ମନ ଲାଗୁନି । ବରଂ କାଲିକି ପହରିଦିନ ହେମଭାଇ ନେଇ ତାଙ୍କୁ ବାପଘରେ କିଛିଦିନ ପାଇଁ ଛାଡ଼ି ଦେଇ ଆସିବା ଭଲ ।

 

ଭରତ କହିଲେ–ମଲା ମୋର, ସାନଅପାଙ୍କ ବାପା କି ଭାଇ କିଏ ନଅମଙ୍ଗଳା ଦିନ ଆସି ତାଙ୍କୁ ନେବେନି କି ?

 

କାନ୍ତି ଅଗଣାକୁ ଚାହିଁ କହିଲେ–ଭରତ ସମୟ ବହୁତ ହୋଇଗଲାଣି । ଆଉ ଗପିବାନି-। ଶୀଘ୍ର ଦ୍ୱିପ୍ରହର ଖିଆପାଇଁ ରୋଷେଇ ବସାଇବା । ବେଗାବେଗି କାମ ଶେଷ ହେଲେ ଆମେ ପୁଣି ଯିବୁ ।

 

‘‘ତୁମେ କାହିଁକି ଏମିତି ଉଚ୍ଛନ୍ନ ହେଉଛମ କାନ୍ତିଅପା ! ଭରତ ଯେତେବେଳେ ଅଛି, ତୁମର ରୋଷେଇବାସ କେଉଁଥିରେ ଚିନ୍ତା କରିବା ଉଚିତ ନୁହେଁ । ବିଳମ୍ୱ ହେଲେ ସିନା କିଏ ଆମକୁ ଦୁଇପଦ କହିବାକୁ ଯିବ ।’’ ଭରତ କହିଲେ ।

 

ବାସନ୍ତୀ ଭରତଙ୍କ କଥାକୁ ସମର୍ଥନ କରି କହିଲେ–ତା’ ସତ !

 

ଭରତ କହିଲେ–କାନ୍ତିଅପାମ, କେଶବବାବୁ ଖାଇ ସାରି ଯାଇ ବାହାର ପିଣ୍ଡାରେ ବସିଛନ୍ତି । ତୁମେ ପାନ ଦୁଇଖଣ୍ଡ ଭାଙ୍ଗି ତାଙ୍କୁ ଦିଅନି, ମୁଁ ଚୁଲି ଲଗାଇ ଡାଲି ବସାଇ ଦେଇ ବାସନଗୁଡ଼ାକ ମାଜି ପକାଉଛି । ବାସନ୍ତୀ ଅପା ପରିବା ଦୁଇଟା କାଟି ପକାନ୍ତୁ ।

 

–ଦଶ–

 

ଆଜି ସାତମଙ୍ଗଳା । ପୁଣି କାନ୍ତିଙ୍କ ସ୍ୱାମୀ କେଶବବାବୁ ଘରକୁ କୁଣିଆ ହୋଇ ଆସିଛନ୍ତି-। ଅଳ୍ପ ସମୟ ପରେ କାନ୍ତି, ବାସନ୍ତୀ ବିଦାୟ ହୋଇଯିବେ । ତେଣୁ ଭରତ, କାନ୍ତି ମିଶି କାନିକା, ଡାଲି, ସାଧା ତରକାରୀ, ମାଛ ତରକାରୀ, ବିଲାତି ଖଟା କଲେ । ହେମକାନ୍ତ ମଧ୍ୟ ଦୋକାନରୁ ବେଗାବେଗି ଚାଲି ଆସିଲେ । ହେମକାନ୍ତ ଓ କେଶବବାବୁଙ୍କୁ କାନ୍ତି ଖାଇବାକୁ ବାଢ଼ି ଦେଲେ-। ହେମକାନ୍ତ ଗୋଡ଼ହାତ ଧୋଇ ତଉଲିଆରେ ଗୋଡ଼ ପୋଛୁ ପୋଛୁ କାନ୍ତିଙ୍କୁ ପଚାରିଲେ–ଲକ୍ଷ୍ମୀ ଉଠି ଟିକିଏ ବୁଲାବୁଲି କରୁଛିନା, ସେମିତି ଶୋଇ ରହିଛି ?

 

କାନ୍ତି କହିଲେ–ନାହିଁ ସେମିତି ନୂଆବୋଉ ଶୋଇଛନ୍ତି । ଦେହରେ ଜ୍ୱର ନାହିଁ । ମାତ୍ର ମୁହଁଟି ତାଙ୍କର ଶୁଖି କଳା ପଡ଼ିଯାଇଛି ।

 

‘‘ଜଳଖିଆ କିଛି ଖାଇଛିନା ନାହିଁ ?’’ ହେମକାନ୍ତ ତଉଲିଆଟିକୁ ଦଉଡ଼ି ଉପରେ ପକାଇ ଶୋଇବା ଘରକୁ ପଶୁ ପଶୁ ପଚାରିଲେ ।

 

କାନ୍ତି କହିଲେ–ସକାଳେ ଖଣ୍ଡିଏ ମାତ୍ର ପୁରି ଖାଇଛନ୍ତି ।

 

ହେମକାନ୍ତ ତାଙ୍କ ଶୋଇବାଘର ଖଟ ଉପରକୁ ଚାହିଁଲେ, ଦେଖିଲେ ଲକ୍ଷ୍ମୀ ନାହାନ୍ତି । ଫେରି ଆସି ପଚାରିଲେ–ଲକ୍ଷ୍ମୀ କ’ଣ ତୁମରି ଶୋଇବାଘରେ ଶୋଇଛି କି କାନ୍ତି ?

 

କାନ୍ତି କହିଲେ–ହଁ ।

 

ଭରତ କହିଲେ–କାନ୍ତିଅପାମ, ଡାଲି, ତରକାରୀ, କାନିକା ଥଣ୍ଡା ହୋଇଯିବ ପରା । ବାବୁଙ୍କୁ କହ, ଆଗ ଖାଇଦେବେ ।

 

କାନ୍ତି କହିଲେ–ହେମଭାଇ, ଖାଇବାକୁ ବଢ଼ା ହେଲାଣି, ଆସ । ଲକ୍ଷ୍ମୀକୁ ଔଷଧଟା ଦେଇ ଯାଉଛି କହି ହେମକାନ୍ତ ଲକ୍ଷ୍ମୀ ଶୋଇଥିବା ଘରକୁ ପଶିଗଲେ ।

 

କେଶବବାବୁ କହିଲେ–ଭାଇ, ତୁମେ କାନ୍ତିକୁ ଔଷଧଟା ଦିଅ, ସେ ଖୁଆଇ ଦେବ । ଏଣେ ଭାତ ବଢ଼ା ହୋଇଛି । ମାଛି ବସିଲେଣି ।

 

ହେମକାନ୍ତ ଲକ୍ଷ୍ମୀଙ୍କ ଦେହରୁ ଚଦରଟି ବାହାର କରିବାକୁ ଯାଉଛନ୍ତି, ଏହି ସମୟରେ କାନ୍ତି ଘର ଭିତରକୁ ପଶି ଆସି କହିଲେ–‘‘ହେମଭାଇ, ମୋତେ ଔଷଧଟା ଦିଅ, ମୁଁ ଖୁଆଇ ଦେଉଛି, ତୁମେ ଖାଇବ ଚାଲ ।’’ ହେମକାନ୍ତଙ୍କ ହାତରୁ ଔଷଧଟି ନେଇ କାନ୍ତି ଡାକିଲେ–ନୂଆବୋଉ, ନୂଆବୋଉ, ଭାଇ ଔଷଧ ଆଣିଛନ୍ତି, ନିଅ, ଖାଇଦିଅ ।

 

ହେମକାନ୍ତ ଖାଇବା ସ୍ଥାନକୁ ଯାଉ ଯାଉ କହିଲେ–‘‘ଔଷଧଟା ଖାଇ ସାରିଲେ ଟିକିଏ ପାଣି ପିଇବାକୁ ଦେବୁ । ଚାରି ଘଣ୍ଟାରେ ଥରେ ଔଷଧ ଖାଇବାକୁ ପଡ଼ିବ ।’’

 

ହେମକାନ୍ତ ଯାଇ ଖାଇ ବସିଲେ । କାନ୍ତି ଲକ୍ଷ୍ମୀଙ୍କ ହାତକୁ ଔଷଧଟି ବଢ଼ାଇ ଦେଇ କହିଲେ–ତୁମେ ଖାଇଦିଅ । ମୁଁ ପାଣି ଆଣୁଛି ।

 

କାନ୍ତି ପାଣି ଆଣିବାକୁ ଗଲେ । ଲକ୍ଷ୍ମୀ ଔଷଧଟି ନ ଖାଇ ତକିଆ ତଳେ ଲୁଚାଇ ରଖିଦେଲେ । କାନ୍ତି ଗ୍ଲାସ୍‌ରେ ପାଣି ଆଣି ଲକ୍ଷ୍ମୀଙ୍କ ହାତକୁ ବଢ଼ାଇ ଦେବାରୁ ଲକ୍ଷ୍ମୀ ଢକଢ଼କ କରି ଗ୍ଲାସ୍‍ରୁ ପାଣିତକ ପିଇ ଦେଲେ । କାନ୍ତି ଗ୍ଲାସ୍‌ ନେଇ ଚାଲିଯିବାରୁ ଲକ୍ଷ୍ମୀ ମନେମନେ କହିଲା–ଚିନ୍ତା, ଅଶାନ୍ତି ରୋଗକୁ ଔଷଧ କ’ଣ କରିବ କାନ୍ତି ? ପାଣି ମଧ୍ୟ ହୃଦୟର ଦାହ ଲିଭାଇ ପାରିବ ନାହିଁ । ଯଦି ଖୋଜିଲା ମନ ତା’ର ଧନ ପାଇବ, ତେବେ ସେ ଅଶାନ୍ତି, ଚିନ୍ତା ଯିବ, ନଚେତ୍‌ ମଲେ, ମନରୁ ସେ ଚିନ୍ତା ଅଶାନ୍ତି ତୁଟିବ । ତାହା ନହେଲେ ଜୀବନଟି ସାରା ଶରବିଦ୍ଧ ପକ୍ଷୀଭଳି ମଣିଷ ଛଟପଟ ହେଉଥିବ ।

 

ଲକ୍ଷ୍ମୀଙ୍କର ଦେହ ଖରାପ ନେଇ ହେମକାନ୍ତ ମନେମନେ ନାନା ଆଶଙ୍କା ଚିନ୍ତା ଓ ଉଦ୍‌ବେଗ ପ୍ରକାଶ କରୁଥାନ୍ତି । ଲକ୍ଷ୍ମୀଙ୍କର ଆଜି ଯଦି କିଛି ଭଲମନ୍ଦ ହୋଇଯାଏ, ତେବେ ମରୁ ପଥିକ ଭଳି ତାଙ୍କ ହୃଦୟ ହାହାକାର ହୋଇ ଉଠିବ । ହେମଲତା କେଉଁଆଡ଼େ ଗଲା, ତା’ର କୌଣସି ସନ୍ଧାନ ବା ଖବର ସୁଦ୍ଧା ମିଳିଲାନି । ତା’ରି କଥା, ତା’ରି ଚାଲି, ତା’ରି ସ୍ନେହ, ମମତା ଆଜି ଯେପରିକି ସ୍ୱପ୍ନ ଭଳି ଲାଗୁଛି । ଲକ୍ଷ୍ମୀକୁ ଦେଖି ମନେ ହେଉଛି, ସତେକି ସେ ହେମଲତାରୂପେ ଏ ଘରକୁ ଆସିଛି । ପୁଣି ସେ ଭାବୁଛନ୍ତି–ବାସ୍ତବିକ ଯେଉଁ ଘରେ ସ୍ତ୍ରୀ, ଛୁଆ ନାହାନ୍ତି, ସେ ଘର ଘର ନୁହେଁ । ଏକ ସରେଇଘର । ସେଠାରେ ଆଦର, ଯତ୍ନ, ସ୍ନେହ, ପ୍ରୀତି, ମମତା କିଛି ନାହିଁ । ନାରୀର ସାହଚର୍ଯ୍ୟରେ, ସହଯୋଗରେ ପୁରୁଷ କେତେ ଶକ୍ତିଶାଳୀ, କାର୍ଯ୍ୟକ୍ଷମ ହୋଇ ଉଠେ, ହେମକାନ୍ତ ଅନୁଭବ କରୁଛନ୍ତି । ହେମଲତା ଥିଲାବେଳ ଏବଂ ନଥିଲାବେଳ ସମୟର ନିଜ କଥା ଓ ଦୋକାନ କଥା ସେ ଭାବୁଛନ୍ତି । ହେମଲତା ଥିଲାବେଳେ ସେ ନିଜକୁ ବେଶ୍ ଫୁର୍ତ୍ତି, କାର୍ଯ୍ୟଦକ୍ଷ, ବ୍ୟବସାୟରେ ପଟୁ ବୋଲି ମନେ କରୁଥିଲେ । ପାଞ୍ଚ ହଜାର ଟଙ୍କାର ଲୁଗା ଦୋକାନଟି ମଧ୍ୟ ଲକ୍ଷେ ଟଙ୍କାରେ ପହଞ୍ଚିଥିଲା । ନିଜର ଖାଇବା, ବନ୍ଧୁବାନ୍ଧବଙ୍କ ଚର୍ଚ୍ଚା କରିବା, ଦୀନଦୁଃଖୀଙ୍କୁ ସାହାଯ୍ୟ କରିବା କେଉଁଥିରେ ଅଭାବ ନଥିଲା । ଏହି ଘରଟି ଏକପ୍ରକାର ନନ୍ଦନକାନରେ ପରିଣତ ହୋଇଥିଲା । ହେମଲତା ଚାଲିଗଲା, କେଉଁ ଆଡ଼େ ସ୍ୱପ୍ନ ପରି ଲୁଚିଗଲା । ହେମକାନ୍ତ ନିଜର ଟଙ୍କା, ପଇସା ଶରୀରର ଦୁଃଖ, କଷ୍ଟ ଏପରିକି ଜୀବନକୁ ପାଣି ଛଡ଼ାଇ ମଧ୍ୟ ବହୁଆଡ଼ ଖୋଜିଲା । ଗଛ ମୂଳେ, ନଦୀ, କେନାଲ କୂଳେ, ପାହାଡ଼ ପର୍ବତ ଉପରେ ନ ଖାଇ, ନ ଶୋଇ ଦିନ ଦିନ ବସି ତାଙ୍କରି କଥା ଭାବିଲା; ଗଛରୁ ପତ୍ର, ଫଳଟିଏ ଝଡ଼ିଲେ ହେମଲତା ଆସୁଛି ବୋଲି ଚମକି ଚାହିଁଲା, ନଦୀ, କେନାଲ, ପୋଖରୀକୂଳରେ ସ୍ତ୍ରୀ ଝିଅମାନେ ଗାଧୋଉଥିଲେ, ରାସ୍ତାରେ ସ୍ତ୍ରୀଲୋକ ଯାଉଥିଲେ ତାଙ୍କ ଭିତରେ ହେମଲତା ଥିବ ବୋଲି ସେମାନଙ୍କ ମୁହଁକୁ ପାଗଳଙ୍କ ଭଳି ଚାହିଁଲା । ହେଲେ, ହେମଲତାଙ୍କୁ ତ ପାଇଲା ନାହିଁ, ପ୍ରକୃତରେ ସେ ଏକପ୍ରକାର ପାଗଳ ହୋଇଗଲା । ନିଜ ଘର ପାରା, ଘରଚଟିଆ, ସାପ, ମୂଷାଙ୍କର ବାସ ସ୍ଥାନ ହେଲା, ନିଜ ଦେହ ଉପଯୁକ୍ତ ଖାଦ୍ୟ, ଯତ୍ନ ଅଭାବରୁ କ୍ଷୀଣରୁ କ୍ଷୀଣତର ହେଲା । ପିନ୍ଧାଲୁଗା, ଜାମା, ଜୋତା ଛିଣ୍ଡି ଓହଳିଲା । ମୁଣ୍ଡରୁ ବାଳ, ମୁହଁର ନିଶ ଦାଢ଼ି ବଢ଼ି ଶରୀରକୁ ଆହୁରି ବିବର୍ଣ୍ଣ କଲା । ଦିନ ଦିନ ଧରି ଲୁଗା ଦୋକାନ ତାଲା ପଡ଼ି ରହିବା ଫଳରେ ଘର ସବୁ ମୂଷାଗାଡ଼ କରିପକାଇଲେ । ନୂଆଲୁଗା, କପଡ଼ା ଉପରେ ଧୂଳି ପଡ଼ି ମଇଳା, ପୁରୁଣା ଦେଖାଗଲା । ବାହାରେ ଥିବା କାଗଜପତ୍ର ତକିଆ, ଛତା, କେଉଁଠି ଉଇ ଲାଗିଗଲା ତ, କେଉଁଠି କେଉଁଠି ମୂଷା କାଟି ମାଟିଗଦାରେ ପରିଣତ କରିଦେଲେ । ତା’ପରେ ହେମକାନ୍ତ ନିଜ ମନକୁ ମନ ବୁଝାଇଲା । ସେତ ଆଉ ହେମଲତାକୁ ଘରୁ ତଡ଼ି ଦେଇନାହିଁ । ଜାଣିଶୁଣି ପାଖରୁ ଅନ୍ତର କରିନାହିଁ । ଯେବେ ସେ ପ୍ରାଣରେ ନଥିବ, ତେବେତ ହେମକାନ୍ତ ଜାଣିଶୁଣି ତାକୁ ମାରି ଦେଇନାହିଁ । ହେମଲତା ପାଇଁ ସବୁ ଦିନ ତା’ର ଦ୍ୱାର ଉନ୍ମୁକ୍ତ ରହିଛି । ହୃଦୟର ଆକର୍ଷଣ ଲକ୍ଷ୍ମୀଙ୍କୁ ବିବାହ କଲାପରେ ମଧ୍ୟ ଟିକିଏ ହେଲେ ତା’ ପ୍ରତି ଊଣା ହୋଇନାହିଁ । ପଡ଼ୋଶୀ ଦୋକାନୀ ଶୁଭେଚ୍ଛୁ, ବନ୍ଧୁବାନ୍ଧବଙ୍କ ଉପଦେଶ, ପରାମର୍ଶ, ଅନୁରୋଧ, ସତର୍କବାଣୀରେ ହେମକାନ୍ତ ପୁଣି ଦୋକାନକୁ ଫେରି ଆସିଲା । ତା’ର ଅଲରା, ମଇଳା ନିଶଦାଢ଼ି, ମୁଣ୍ଡର ବାଳ, ହାତ ଗୋଡ଼ ଆଙ୍ଗୁଠିରେ ବଢ଼ିଥିବା ନଖଗୁଡ଼ିକ କାଟି ସଫା କଲା । ସଫା ଲୁଗା, ଜାମା ପିନ୍ଧିଲା, ଗୋଡ଼ର ଜୋତା ବଦଳାଇ ନୂଆ ଜୋତା କଲା । ହୋଟେଲରେ ପାଞ୍ଚଜଣଙ୍କ ସହିତ ପେଟ ପୂରେଇ ଦୁଇବେଳା ଭାତ, ରୁଟି ଖାଇଲା, ଚା, ସର୍ବତ୍‍ ପିଇଲା ସତ, ହେଲେ ସବୁଥିରେ ହେମଲତାର ମୁହଁ, ଆଖି ଭାସି ଉଠିଲା । ହୋଟେଲରେ ଖାଇବା ସମୟରେ, ଦୋକାନରେ ବସିଥିବା ସମୟରେ ହେମଲତା ବୟସରେ କୌଣସି ଝିଅ ପଶି ଆସିଲେ ହେମଲତା ବୋଲି ଚମକି ପଡ଼ୁଥିଲା । ଦେହ ମନ ତା’ର ଅଜଣା ପୁଲକରେ ଶିହରି ଉଠୁଥିଲା । ମାତ୍ର ସେ ପୁଲକତା, ସେ ଚମକ ଅଳ୍ପ ସମୟ ପରେ ଉଭେଇ ଯାଉଥିଲା । ଚାହୁଁଚାହୁଁ ଦୁଇବର୍ଷ ବିତିଗଲା । ତା’ପରେ ସେହି ବନ୍ଧୁବାନ୍ଧବ ପଡ଼ୋଶୀ ବ୍ୟବସାୟୀଙ୍କ ପରାମର୍ଶରେ ସେ ପୁଣି ବିବାହ କଲା । ଏହି ବିବାହ ପ୍ରସ୍ତାବ ଆସିବା ପରଠାରୁ ତାଙ୍କ ହୃଦୟରେ ନୂତନ କୁସୁମ ପ୍ରସ୍ଫୁଟିତ ହେଲା । ଶରୀରରେ ନୂତନ ମଳୟର ସ୍ପର୍ଶ ସେ ଅନୁଭବ କଲେ । କଥାବାର୍ତ୍ତା, ଚାଲିଚଳନ, ପୋଷାକପତ୍ର ସବୁ କ୍ଷେତ୍ରରେ ସେ ନୂତନତା ଅନୁଭବ କଲେ । ନିଜ ଘରର ରୂପ ମଧ୍ୟ ବଦଳିଗଲା । ଘରଟି ସଫାସୁତୁରା, ଲିପାପୋଛା, ଚୂନ ଧଉଳା ହୋଇ ବେଶ୍‌ ସୁନ୍ଦର ଦେଖାଗଲା । ବ୍ୟବସାୟରେ ମଧ୍ୟ ଉନ୍ନତି ଘଟିଲା-। ଏବେ ଦିନକୁଦିନ ଅଧିକ ବ୍ୟବସାୟୀ, ଅଧିକ ଲୋକ ତାଙ୍କ ଦୋକାନକୁ ଲୁଗା, କନା, ଛତା, ତକିଆ, ଛୋଟପିଲାଙ୍କ ମଶାରି, ପେଷ୍ଟ୍, ଜାମାପାଇଁ ଆସୁଛନ୍ତି । ତାଙ୍କୁ ଛାଡ଼ି ଆଉ ଦୁଇଜଣ ପିଲା ବିକ୍ରି କରିବାକୁ ଥିଲେ ମଧ୍ୟ ସେମାନଙ୍କୁ ବେଳେବେଳେ ଅତ୍ୟଧିକ କାମ ପଡ଼ି ଯାଉଛି-। ସେ ଭାବୁଛନ୍ତି, ଆଉ ଗୋଟିଏ ପିଲା ରଖିବେ ବୋଲି । ମାତ୍ର ଏପର୍ଯ୍ୟନ୍ତ ସ୍ଥିର କରି ନାହାନ୍ତି-। ଏଥିମଧ୍ୟରେ ଲକ୍ଷ୍ମୀଙ୍କର ଯଦି ଭଲମନ୍ଦ ହୋଇଯାଏ–ତେବେ ପୁଣି ତ ତାଙ୍କର ସେହି ପୂର୍ବ ଅବସ୍ଥା ଫେରି ଆସିବ । ଆଉ ଭାବି ପାରିଲେ ନାହିଁ ହେମକାନ୍ତ । ଦୀର୍ଘ ନିଃଶ୍ୱାସ ପକାଇ ଅନ୍ୟମନସ୍କ ଭାବରେ ନଖାଇ ହାତ ଟେକି ରହିଗଲେ ।

 

ଭରତ ପଚାରିଲେ–କାନ୍ତିଅପାମ, ବାବୁଙ୍କୁ କ’ଣ କାନିକା, ଡାଲି, ତରକାରୀ ଭଲ ଲାଗୁନାହିଁକି ? ବାବୁ ତ କାହିଁକି କିଛି ଖାଉ ନାହାନ୍ତି । ହାତ ଟେକି ବସିଛନ୍ତି ।

 

କାନ୍ତି କହିଲେ–ତୁମେ ଲୁଣି, ଅଲଣା କରିଥିବ ।

 

‘‘ଇମିତି କହନିମ କାନ୍ତି ଅପା ! ଭରତ ରାନ୍ଧି ଦେଲେ ସୁଆଦ ଯେମିତି, ବାସନାରେ ସେମିତି ଜିନିଷ ମହକେ । ଲୋକେ ପରା କହୁଣି ପର୍ଯ୍ୟନ୍ତ ଚାଟି ଚାଟି ଭରତ ରାନ୍ଧିଣା ଖାଇବାର ଦେଖିଛି ।’’ ଭରତ ନିଜେ ନିଜର ପ୍ରଶଂସା କହି ସମସ୍ତଙ୍କ ମୁହଁକୁ ସମର୍ଥନ ପାଇବାପାଇଁ ଚାହିଁଲା ।

 

କେଶବବାବୁ କହିଲେ–ବାସ୍ତବିକ ଭରତଙ୍କ ରାନ୍ଧଣାରେ ଖୁଣିବାରେ କିଛି ନାହିଁ । ଲୁଣ, ମସଲା ସମାନ ଭାଗରେ ଦେଇ ତରକାରୀ ରାନ୍ଧିବାରେ ସେ ସିଦ୍ଧହସ୍ତ ।

 

‘‘ଆଉ ହେମଭାଇ ଖାଉ ନାହାନ୍ତି କାହିଁକି ?’’ କାନ୍ତି ପଚାରିଲେ ।

 

ହେମକାନ୍ତ ଏପର୍ଯ୍ୟନ୍ତ ଅନ୍ୟମନସ୍କ ଭାବରେ ରହି ତାଙ୍କରି ବିଷୟରେ ଆଲୋଚନା ହେଉଛି ବୋଲି ତାଙ୍କୁ ଜଣା ନଥିଲା । ସେ କାନ୍ତିଙ୍କ କଥାରେ ଚମକିଲା ଭଳି ହେଲେ ଏବଂ ତାଙ୍କର ସମ୍ବିତ ଫେରି ଆସିଲା । ସେ କହିଲେ–ନାଇଁ ଭରତଙ୍କ ରନ୍ଧା ଆଜି ଭାରି ଭଲ ହୋଇଛି ।

 

କାନ୍ତି କହିଲେ–ଭଲ ବୋଲି ଏତେତ ପ୍ରଶଂସା କରୁଛ, ଆଉ ଖାଉନ କାହିଁକି ?

 

‘‘ଖାଉଛିତ !’’ ହେମକାନ୍ତ ପୁଣି ଖାଇବାରେ ମନ ଦେଲେ । ମାତ୍ର ଖାଇବାବେଳେ ସେ ଯେପରି ଅନ୍ୟମନସ୍କ ରହୁଥିଲା ଭଳି ଜଣା ପଡ଼ୁଥିଲେ । କିଛି ସମୟ ନୀରବ ରହିବା ପରେ ହେମକାନ୍ତ ପଚାରିଲେ–ଲକ୍ଷ୍ମୀ କ’ଣ ଖାଇବ ?

 

କାନ୍ତି କହିଲେ–ଦେଖିବା, ଦେହ ଯଦି ଔଷଧ ଖାଇବାରେ ଟିକିଏ ଭଲ ଲାଗିବ, ଆମ ସାଙ୍ଗରେ ନୂଆବୋଉ ଏଇ କାନିକା ଡାଲି ତରକାରୀ ଖାଇବେ ନାଇଁ ଯଦି ୟାକୁ ସବୁ ନ ଖାଇବ, ତା’ପାଇଁ ବରଂ ସୁଜି ଟିକିଏ କି ରୁଟି, ପରଟା ଦୁଇଟା ଭରତ କରି ଦିଅନ୍ତୁ ।’’ ହେମକାନ୍ତ କହି ଖାଇବାରେ ମନ ଦେଲେ ।

 

ଭରତ ହେମକାନ୍ତଙ୍କ ଗିନାରେ ମାଛ ତରକାରୀ ଦେଉ ଦେଉ କହିଲେ–କାନ୍ତିଅପାମ, ବାବୁଙ୍କୁ କହୁନ, ଆମ କଥା ଆମେ ବୁଝିବୁନି ।

 

ହେମକାନ୍ତ କହିଲେ–ମୋର ଆଉ ତରକାରୀ ଦରକାର ନାହିଁ, କେଶବବାବୁଙ୍କୁ ଦିଅ ।

 

‘‘ମଲାମର, କାନିକା ତରକାରୀ କମ୍ ଅଛିନା କ’ଣ ? ପେଟ ପୂରେଇ ଖାଉନ ।’’ ଭରତ ତରକାରୀ କେଶବବାବୁଙ୍କ ଗିନାରେ ଦେଇ କାନିକା ଆଣିବାକୁ ଗଲେ । ମାତ୍ର କାନିକା କେହି ଆଉ ନେଲେ ନାହିଁ ।

 

ହେମକାନ୍ତ ଓ କେଶବବାବୁ ଖାଇସାରି, ହାତ ଧୋଇ ହେମକାନ୍ତଙ୍କ ଶୋଇବାଘରକୁ ଗଲେ । ହେମକାନ୍ତଙ୍କ ଶୋଇବା ଖଟରେ ଗଡ଼ପଡ଼ ହେଉଛନ୍ତି, ଏହି ସମୟରେ କେଶବବାବୁଙ୍କର ହେମଲତାଙ୍କ ଫଟୋ ଉପରେ ଆଖି ପଡ଼ିଲା । କେଶବବାବୁ ପଚାରିଲେ–ଏଇ ଆଗ ନୂଆବୋଉଙ୍କ ଫଟୋ ନୁହେଁ ଭାଇ ?

 

ହେମକାନ୍ତ ଫଟୋଟି ଆଡ଼କୁ ଚାହିଁ ମ୍ଳାନ ମୁହଁରେ କହିଲେ–ହଁ ।

 

‘‘ଆଉ କିଛି ତାଙ୍କର କି ତୁମ ଶାଶୁଙ୍କର ଖବର ମିଳିଲା ନାହିଁ ? କେଶବବାବୁ ପଚାରିଲେ ।

 

‘‘ଏପର୍ଯ୍ୟନ୍ତ କିଛି ଆଉ ଖବର ମିଳିନି ।’’ ଅନ୍ୟମନସ୍କ ଭାବରେ ଉତ୍ତର ଦେଲେ ହେମକାନ୍ତ । ହେମଲତାଙ୍କ ପ୍ରତି ତାଙ୍କ ହୃଦୟରେ ଥିବା ଅତ୍ୟଧିକ ମମତା ତାଙ୍କ କଣ୍ଠକୁ ବାଷ୍ପରୁଦ୍ଧ କରି ଦେଉଥିଲା ।

 

‘‘ନୂଆବୋଉ ଓ ତାଙ୍କ ବୋଉ କୁଆଡ଼େ ଗଲେ ବଡ଼ ଆଶ୍ଚର୍ଯ୍ୟ କଥା । ଜୀବନରେ ଥିଲେ ଯେଉଁଠି ଥାଆନ୍ତୁ ପଛେ ନିଶ୍ଚୟ ଚିଠିପତ୍ର ଦିଅନ୍ତେଣି ।’’ କହି କେଶବବାବୁ ବାରମ୍ୱାର ଫଟୋଟିକୁ ଚାହୁଁଥିଲେ ।

 

ଦୀର୍ଘନିଃଶ୍ୱାସ ପକାଇ ହେମକାନ୍ତ କହିଲେ–କିଏ କହିବ । ବଞ୍ଚିଛନ୍ତି କି ମରିଛନ୍ତି ଠାକୁରଙ୍କୁ ଜଣା ? ମାତ୍ର ମତେ ଯେମିତି ଲାଗୁଛି ହେମଲତା ମୋର ମରିଯାଇନି, କେଉଁଠି ଅସୁବିଧାରେ ପଡ଼ି ରହି ଯାଇଛି ।

 

ହେମକାନ୍ତଙ୍କର ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା । ସେ ଲୁଗାକାନିରେ ତାକୁ ପୋଛିଦେଲେ । କେଶବବାବୁ ଦେଖିଲେ ହେମଲତାଙ୍କ କଥା ପକାଇବାରେ ହେମ ଭାଇଙ୍କ ମନରେ ଦୁଃଖ ଆସୁଛି, ହୃଦୟରେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେଣୁ ସେ କଥାର ପ୍ରସଙ୍ଗ ବଦଳାଇ ପଚାରିଲେ–ଦୋକାନ କିମିତି ଚାଲିଛି ଭାଇ ?

 

‘‘ଭଲ ଚାଲିଛି ।’’ ହେମକାନ୍ତ ସଂକ୍ଷେପରେ ଉତ୍ତର ଦେଲେ । କେଶବବାବୁ ଆଉ କିଛି ପଚାରିଲେ ନାହିଁ । କିଛି ସମୟ ନୀରବରେ କଟିଗଲା । କାନ୍ତି ପାନ ଧରି ଘର ଭିତରକୁ ଆସି କହିଲେ–ହେମ ଭାଇ, ପାନ ନିଅ ।

 

କେଶବବାବୁ ପଚାରିଲେ–ମୋ ପାନ ?

 

ତୁମେ ପରା ପାନ ଛାଡ଼ି ଦେଲଣି ? କାନ୍ତି ହସି ହସି ଉତ୍ତର ଦେଇ କେଶବବାବୁଙ୍କ ପାନ ଚାରିଖଣ୍ଡି ବଢ଼ାଇ କହିଲେ–ହେମଭାଇଙ୍କୁ ଦିଖଣ୍ଡ ଦେବ, ତୁମେ ଦିଖଣ୍ଡ ଖାଇବ ।

 

ସାଧାପାନ ଦେଇଛୁତ ? କେଶବବାବୁ ପଚାରି ତାଙ୍କର ଲୋଭିଲା ଆଖିରେ କାନ୍ତିଙ୍କୁ ଚାହିଁ ରହିଲେ ।

 

କାନ୍ତି ଚାଲି ଯାଉ ଯାଉ କହିଲେ–ହଁ ବାବା ସାଧାପାନ, ଗୁଆ, ମସଲାଦିଆ ପାନ ।

 

ହେମକାନ୍ତ କହିଲେ–ସତରେ କେଶବବାବୁ ତୁମକୁ ଆଉ କାନ୍ତିଙ୍କୁ ଦେଖିଲେ ମୋର କେଜାଣି କାହିଁକି ହିଂସା ହୁଏ ।

 

‘‘କାହିଁକି ଭାଇ ?’’ କେଶବବାବୁ ଶୁଣିବାପାଇଁ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଲେ ।

 

ହେମକାନ୍ତ କହିଲେ–ତୁମ ଦୁହିଁଙ୍କ ମନ ଯେପରି ସରଳ, କଥା ମଧ୍ୟ ସେହିଭଳି ମଧୁର । ତୁମ ଦୁହିଁଙ୍କ ମନରେ ଛନ୍ଦ ନାହିଁ, କପଟ ନାହିଁ, କାହାପ୍ରତି ଈର୍ଷା, ବାଦ ନାହିଁ । ଠାକୁର ତୁମ ଦୁହିଁଙ୍କର ମନ ଯେପରି ଏକାଭଳି ଗଢ଼ିଛନ୍ତି, ମିଳନ ମଧ୍ୟ ସେହିଭଳି ମଧୁମୟ କରିଛନ୍ତି ।

 

‘‘ତାହା ନ ହୋଇଥିଲେ ଭାଇ ଆମ ଏକୁଟିଆ ସଂସାରରେ ଆମେ ଚଳି ପରୁ ନଥାନ୍ତୁ । ସବୁଦିନ ଘରେ ସାମାନ୍ୟ ସାମାନ୍ୟ କଥାରେ ଝଗଡ଼ା, ଅଶାନ୍ତି ରୁଷାଭୁଷା ଲାଗିଥାନ୍ତା ।’’ କେଶବବାବୁ କହୁ କହୁ ତାଙ୍କ ଆଖି ନିଦରେ ଟିକିଏ ଲାଗି ଆସିଲା ପରି ଜଣାଗଲା । ସେ ଆସକ୍ତି ମେଣ୍ଟାଇବା ପାଇଁ ହାଇ ମାରିଲେ ।

 

ହେମକାନ୍ତ କହିଲେ–ତୁମେ ଟିକିଏ ଶୋଇପଡ଼ ଏତେ ବାଟରୁ ଶଗଡ଼ ଚଳାଇ ଆସିଛ, କ୍ଳାନ୍ତ ଲାଗୁଥିବ ।

 

କେଶବବାବୁ ଆଉ କିଛି କହିଲେ ନାହିଁ । ତାଙ୍କ ପାଦ ପାଖରେ ପଡ଼ିଥିବା ଚଦର ଖଣ୍ଡିକ ଦେହ ଉପରକୁ ଟାଣି ବାଁକଡ଼ ମାଡ଼ି ଶୋଇଗଲେ । ହେମକାନ୍ତ ମଧ୍ୟ ତାଙ୍କର ବାଁକଡ଼ ମାଡ଼ି ଶୋଇଲେ, ମାତ୍ର ତାଙ୍କ ଆଖିକୁ ନିଦ ଆସିଲା ନାହିଁ । ଆଖି ମୁଦିବାମାତ୍ରକେ ତାଙ୍କ ଆଖିରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଯେପରିକି ନାଚି ଉଠିଲା । ସବୁ ଯେପରିକି ତାଙ୍କୁ ଅନ୍ଧକାରମୟ, ହତାଶ, ଯନ୍ତ୍ରଣାପୂର୍ଣ୍ଣଭଳି ଜଣାଗଲା । ସେ ନିଜ ଟ୍ରଙ୍କ୍ ଭିତରୁ ଫଟୋଆଲବମ୍‌ଟି କାଢ଼ି ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଦେଖିବାକୁ ଲାଗିଲେ । ସେ ଆଲବମ୍‌ରେ ଥିଲା–ତାଙ୍କର ପିଲାବେଳର ଫଟୋ, ବାପା, ବୋଉ, ହେମଲତା, ତାଙ୍କ ବୋଉ ଏବଂ ଅନ୍ୟାନ୍ୟ କେତେକ ସାଥୀ ସାଙ୍ଗ ଓ ହେମଲତାଙ୍କ ସହିତ ତାଙ୍କର ବିବାହବେଳର ଫଟୋ ।

 

କାନ୍ତି ପାନ ଦେଇ ଆସିଲାବେଳକୁ ଭରତ ଖାଇବାପାଇଁ ବାଢ଼ି ସାରିଥିଲେ । ବାସନ୍ତୀ ଯାଇ ଲକ୍ଷ୍ମୀକୁ ଖାଇବାକୁ ଉଠାଉଥିଲେ । ଲକ୍ଷ୍ମୀ କହିଲେ–‘‘ମୋ ଦେହ ଆଦୌ ଭଲ ଲାଗୁନାହିଁ । ମୁଁ କିଛି ଖାଇବିନି ।’’

 

କାନ୍ତି ପହଞ୍ଚି ଯାଇ କହିଲେ–ନୂଆବୋଉ, ଆଉ ଘଣ୍ଟାକରେ ଆମେ ଯିବୁ । କେବେ ପୁଣି ବାସନ୍ତୀ, ମୁଁ, ତୁମେ ଏକାଠି ହେବା ସାଙ୍ଗସୁଖ ହୋଇ ବସିଖାଇବା ତା’ର ଠିକଣା ନାହିଁ । ତୁମକୁ ମୋ ରାଣ । ତୁମେ ଆସ, ଯାହା ମନ ହେବ ଆମ ସଙ୍ଗେ ବସି ଖାଇବ ।

 

ଭରତ କହିଲେ–ଆସମ ସାନଅପା ! ତୁମେ ମୁହଁ ଶୁଖାଇ ଶୋଇଲେ ଆମ ମନରେ କେତେ କଷ୍ଟ ହେଉଛି । ଆସ ଖାଇସାରିକି ମୁଁ ତୁମ ଗୋଡ଼ହାତ ଭଲଭାବରେ ଚିପି ଦେବି ଯେ ତୁମକୁ ଟିକିଏ ଆରାମ ଲାଗିବ ।

 

ଲକ୍ଷ୍ମୀ କହି ଆସୁଥିଲେ–ମନର ରୋଗଯନ୍ତ୍ରଣାକୁ ଏପର୍ଯ୍ୟନ୍ତ କୌଣସି ଔଷଧ ସୃଷ୍ଟି ହୋଇନାହିଁ ଭରତ ! ଏହା ହୃଦୟର ଗୋଟିଏ କୋଣରେ ଦେଖାଦିଏ ସତ, ହେଲେ ସମଗ୍ର ଶରୀରକୁ ଅବଶ, ମ୍ଳାନ, ଶକ୍ତିହୀନ କରିଦିଏ । ହେଲେ, ତାଙ୍କ କଣ୍ଠ କିଏ ରୁଦ୍ଧ କରିଦେଲା ଭଳି ଜଣାଗଲା । ପେଟ ଭିତରୁ ବାହାରି ଆସୁଥିବା କଥା ତଣ୍ଟି ପାଖରେ ଅଟକି ଗଲା ।

 

କାନ୍ତି ଓ ବାସନ୍ତୀ ଲକ୍ଷ୍ମୀଙ୍କର ଦୁଇ ଦିଗରୁ ଦୁଇହାତ ଧରି ଉଠାଇଲେ । ଭରତ କହିଲେ–କାନ୍ତିଅପାମ, ସାନଅପାଙ୍କୁ ପିଲାଦିନେ ଯେମିତି ହାତକୁ ହାତ ଯୋଡ଼ି ଦୋଳି କରନ୍ତିନି, ସେମିତି ଦୋଳି କରି ନେଇ ଆସମ ! କିମିତି ଆସିବେନି ଦେଖିବା !

 

କାନ୍ତି, ବାସନ୍ତୀଙ୍କ ପଛେ ପଛେ ଲକ୍ଷ୍ମୀ ଆସିଲେ । ଖାଇ ବସିଲେ । ଭରତ ମଧ୍ୟ ନିଜପାଇଁ ଖାଇବାକୁ ବାଢ଼ି ଆଣି ବସିଲେ । ଖାଇବା ଭିତରେ କିଛି ସମୟ କାହାରି ତୁଣ୍ଡରୁ କିଛି କଥା ବାହାରିଲା ନାହିଁ । ପ୍ରଥମେ ଭରତ କହିଲେ–କାନ୍ତି ଅପା, ବାସନ୍ତୀ ଅପାମ, ତୁମ ଜିନିଷପତ୍ର ଲୁଗାପଟା ସବୁ ସଜିଲ କରି ଦେଇଛଟି ? ନହେଲେ କେଶବବାବୁ ଯେଭଳି ଲୋକ, ଭୁଷ୍‌ କରି ଉଠି ଚାଲ ଚାଲ ବୋଲି କହି ଥୟ କରି ଦେବେନି ।

 

କାନ୍ତି କହିଲେ–ମୁଁ କ’ଣ ସେକଥାକୁ ଡରିଛି, ସେ ଯେମିତି ମୋତେ ତରବର କରନ୍ତି, ମୁଁ ସେତିକି ମଠ ମଠ କରେ । କିଓ ତୁମ କାମ ତୁମେ କରୁଛ, ଆମ କାମ ଆମେ କରୁଛୁ । ଗୋଟିଏ କାମ ଶେଷ ହେଲେ ତ ଆଉ ଗୋଟିଏ କାମ ଧରିବୁ ! ପୁରୁଷ ଲୋକ ଟଙ୍ଗଟଙ୍ଗ ହୋଇ ବୁଲି ଆସିଲେ, ତାଙ୍କ କାମ ସରିଗଲା । ଲୁଗା କି ପେଣ୍ଟ ଖଣ୍ଡେ ପିନ୍ଧି ଜାମା ଖଣ୍ଡିଏ ଦେହରେ ଗଳାଇ ପକାଇଲେ ତାଙ୍କ ବେଶଭୂଷା ଶେଷ ହେଲା । ସ୍ତ୍ରୀଲୋକ ଖାଇ ସାରିଲେ ବାସନ ଦୁଇଖଣ୍ଡି ଉଠାଇ, ଅଇଁଠା ଜାଗାକୁ ଗୋବରରେ ଲିପି, ବାସନ ଦିଖଣ୍ଡି ମାଜି ଥୋଇଲେ ତ କେଉଁଆଡ଼କୁ ଯିବେ । ପୁଣି ଘର ମଇଳା ହୋଇ ପଡ଼ିଥିଲେ ତାକୁ ଟିକିଏ ଓଳେଇ ଦେବା, ନିଜର ଶାଢ଼ି, ସାୟା, ବ୍ଲାଉଜ୍ ପିନ୍ଧି, ମୁଣ୍ଡଟିକୁ କୁଣ୍ଡାଇ, ମୁହଁରେ କଜ୍ଜ୍ୱଳ, ସିନ୍ଦୂର ଲଗାଇଲତ କୁଆଡ଼କୁ ବାହାରିବେ ! ବାହାରିଲାବେଳେ ଘରେ କେହି ନଥିଲେ ଘରଟିତ ପୁଣି ଚାବି ଦିଆଯିବ ।

 

ଭରତ କହିଲେ–କାନ୍ତିଅପାମ, ମର୍ଦଙ୍କର ଏବେ କୁଆଡ଼କୁ ବାହାରିଲେ ମାଇପଙ୍କ ପରି ପୋଷାକ ପିନ୍ଧିବା, ବେଶ ହଜାରେ ଘଣ୍ଟାକରୁ ଅଧିକ ସମୟ ଲାଗି ଯାଉଛିମ ! ସେମାନେ ମୁହଁ କ୍ଷିଅର ହେବେ । କେଉଁ ପେଣ୍ଟକୁ କେଉଁ ଜାମା ଫିଟ୍‌ କରିବ, ତାକୁ ଅଧଘଣ୍ଟେ ଭାବି ପନ୍ଦର ଥର ଏ ପେଣ୍ଟକୁ ସେ ଜାମା, ସେ ପେଣ୍ଟକୁ ଏ ଜାମା ବଦଳାଇ ବଦଳାଇ ପିନ୍ଧିବେ । ଆଇନାରେ ମୁହଁ ଦେଖି ପଚିଶ ଥର ମୁଣ୍ଡ କୁଣ୍ଡିଆ ହୋଇ ବାଳ ଦେହରେ ଭାଙ୍ଗ ପଡ଼ିବ । ମୁହଁରେ ପାଉଡ଼ର ଆଖିରେ ସୁରମା ଲାଗିବ । କାନରେ ତୁଳା ଟିକିଏ ସେଣ୍ଟ ମରାହୋଇ ଖୋସାହେବ, ଗୋଡ଼ରେ ମୋଜା, ଜୋତା ପିନ୍ଧା ହେବ । ପୁଣି ଦର୍ପଣରେ ମୁହଁ ଦେଖି ମୁଣ୍ଡ କୁଣ୍ଡା ଯିବ । ତେବେ ଯାଇ ବାବୁ ବାହାରକୁ ବାହାରିବେ । ସେଥିରେ ପୁଣି ପେଣ୍ଟ, ଜାମା ଜୋତା ମୋଜା ଚାରି ପାଞ୍ଚଥର ଝାଡ଼ିବା ରହିଛି ।

 

ଲକ୍ଷ୍ମୀ ଖାଇବସିଥିଲେ ସତ, ହେଲେ ତାଙ୍କର ଖାଇବାକୁ ଇଚ୍ଛା ହେଉନଥିଲା । ସମସ୍ତେ ଗପ୍‍ସପ୍‍ରେ ଭାଗ ନେଇଥିଲେ ମଧ୍ୟ ତାଙ୍କର କୌଣସି କଥା ଶୁଣିବାକୁ ମନ ଡାକୁ ନଥିଲା । ସେ ନୀରବରେ ଶୋଇ ରହିବାକୁ ଚାହୁଁଥିଲେ ।

 

ଭରତ ହଠାତ୍‌ ଖାଇବା ଜାଗାରୁ ଉଠି ହାତଧୋଇ ରୋଷେଇଘରୁ ମାଛ ତରକାରୀ ଆଣି କାନ୍ତି, ବାସନ୍ତୀ ଖାଇ ବସିଥିବା ତାଟିଆରେ ଦେଲେ । ବାସନ୍ତୀ କହିଲେ–କାହିଁକି ଏତେ ଦଉଛ ଭରତ, ନୂଆବୋଉ ତ କିଛି ଖାଉ ନାହାନ୍ତି । ଯାହା ଖାଇବୁ କାନ୍ତିର ମୋର । ମୋ ପେଟ ପୂରି ଗଲାଣି । ମୁଁ ଆଉ ଖାଇବିନି ।

 

କାନ୍ତି କହିଲେ–ମୋ ପେଟ ମଧ୍ୟ ପୂରି ଗଲାଣି । ମୁଁ ଆଉ ଖାଇବିନି ।

 

ବାସନ୍ତୀ କହିଲେ–ଭରତ ଏତେଗୁଡ଼ାଏ ତରକାରୀ ଦେଲ, ଖାଇବ କିଏ ?

 

କାନ୍ତି କହିଲେ–ନୂଆବୋଉ କିଛି ଖାଇ ନାହାନ୍ତି, ସେ ଖାଇବେ ।

 

ଲକ୍ଷ୍ମୀ କିଛି ଉତ୍ତର ନ ଦେଇ ନୀରବରେ ଉଠି ହାତ ଧୋଇ ଆଗରୁ ଶୋଇଥିବା ଜାଗାରେ ଚଦରଟି ଘୋଡ଼ି ହୋଇ ଶୋଇଗଲେ ।

 

ବାସନ୍ତୀ କହିଲେ–ନୂଆବୋଉର ଦେହ ମୁଣ୍ଡ ପ୍ରକୃତରେ କ’ଣ ହେଉଛି, କିଛି ଖାଉ ନାହାନ୍ତି । ସବୁବେଳେ ଥକ୍କା ମାଇଲା ପରି ବସି ରହୁଛନ୍ତି । ଆଜି ସକାଳୁତ ଏକପ୍ରକାର ଶୋଇ ରହିଛନ୍ତି ।

 

କାନ୍ତି ବାସନ୍ତୀଙ୍କ କାନରେ ଚୁପି ଚୁପି କହିଲେ–ପିଲାପିଲି ହେବନା କ’ଣ ?

 

ବାସନ୍ତୀ କହିଲେ–ଚଉଠି ଯିବାର ମାତ୍ର ତିନିଟା ଦିନ ଯାଇଛି କି ନାହିଁ, ପିଲାପିଲି ହେବ-!

 

କାନ୍ତି କହିଲେ–ପିଲାପିଲି ହେବାର କ’ଣ ଦିନ ସମୟ ଥାଏ ?

 

ଭରତ କହିଲେ–ଅପାମାନେମ, ହାତ ଟେକି ବସିଲ କାହିଁକି ? ଖାଉନ ।

 

ବାସନ୍ତୀ କହିଲେ–ଏତେଗୁଡ଼ାଏ ତରକାରୀ, କାନିକା ଦେଇ ଦେଲ, ବଳିବ ।

 

‘‘ଖାଇ ଦିଅମ ! ପୁଣି ଘରେ ପହଞ୍ଚି ରୋଷେଇ କରି ଖାଉ ଖାଉ କେତେବେଳ ହେବ । ବସି ବସି ଖାଅ । ଏତେ ତରବର କାହିଁକି ? ଶଗଡ଼ତ ଆସିଛି । ବସିବ, ଗାଁକୁ ଯିବ ।’’ ଭରତ ନିଜେ ଖାଇବାରେ ଲାଗିଲେ ।

 

କାନ୍ତି, ବାସନ୍ତୀ ଖାଇସାରି ହାତ ଧୋଇଲେ । କାନ୍ତି ପାନ ଭାଙ୍ଗିବସିଲେ । ଭରତ ବାସନଗୁଡ଼ିକ ଉଠାଇ ଅଇଁଠା ଜାଗାକୁ ଗୋବର ପାଣିରେ ଲିପିଲେ । ହାତ ମୁହଁ ଧୋଇ ବାସନଗୁଡ଼ିକ ମାଜି ବସିଲେ । ବାସନ ମାଜୁ ମାଜୁ କହିଲେ, କାନ୍ତି ଅପାମ, ମୋପାଇଁ ଦିଖଣ୍ଡ ପାନ ଭାଙ୍ଗି ଦିଅ ।

 

ବାସନ୍ତୀ ନିଜର ଲୁଗାପଟା ସଜାଡ଼ିବାରେ ଲାଗିଲେ ।

 

ଏହି ସମୟରେ କେଶବବାବୁଙ୍କର ନିଦ ଭାଙ୍ଗିଗଲା । ସେ ଉଠି ବାହାରକୁ ଆସିଲେ । ମୁହଁ ଧୋଉ ଧୋଉ ପଚାରିଲେ–ତୁମର କାମଧନ୍ଦା ସରିଲାତ ? ଏଣେ ବାହାରିବାରେ ଡେରି କଲେ, ଗାଁରେ ପହଞ୍ଚୁ ପହଞ୍ଚୁ ରାତି ହୋଇଯିବ ।

 

ଭରତ କହିଲେ–ଜହ୍ନ ପକ୍ଷ ରାତିତ ! ଇମିତି ଡରୁଛ କାହିଁକିମ କେଶବବାବୁ ।

 

କେଶବବାବୁ କହିଲେ–ତୁମେ ବୁଝୁନ ଭରତ, ମୋତେ ପୁଣି ବାସନ୍ତୀ ଅପାଙ୍କୁ ତାଙ୍କ ଗାଁରେ ଛାଡ଼ି ଆମ ଗାଁକୁ ଯିବାକୁ ପଡ଼ିବ, ତେଣେ ରାଶି, ସୋରିଷ ଉପୁଡ଼ା ଚାଲିଛି ଯେ, ହଳିଆ ମୂଲିଆଙ୍କୁ ତର ନାହିଁ । ତେଣୁ ଏକାଏକା ଶଗଡ଼ଧରି ଚାଲି ଆସିଛି ।

 

ଭରତ କହିଲେ–ତୁମେ କେଉଁକାମରେ ନିକମା ଯେ, ତୁମକୁ ଲୋକ ଦରକାର ହେବେ-? ମୁଁ ତୁମ ଗାଁରେ ଯାତ୍ରା କରିବାକୁ ଯାଇ ଦେଖିନି, ଘରପଛର ଠାରୁ ବିଲବାଡ଼ି, ଗାଈଗୋରୁ କାମ ସବୁଥିରେ ତୁମେ ଧୁରନ୍ଧର ।

 

କାନ୍ତି କହିଲେ–ତୁମେ ଆଉ ତୁମ ବାବୁଙ୍କୁ ଏତେ ଟେକନି ଭରତ । ବାବୁଙ୍କ ଛାତି ମୋଟ ହୋଇଗଲେ, କୁଣ୍ଢ ପାଇବନି । ଆୟେ; ନିକମା ଲୋକଙ୍କୁ ଏତେ ଟେକିଲେ, ସେ ସତରେ ଭାବିବେ ମୁଁ ବହୁତ କାମ କରୁଛି ।

 

‘‘କାନ୍ତିଅପାମ, ମୁଁ କ’ଣ ମିଛ କହୁଛି ? କେଶବବାବୁ ଯେମିତି ପରିଶ୍ରମୀ, ତାଙ୍କ ହୃଦୟଟି ସେମିତି ନିର୍ମଳ । ଛନ୍ଦ ନାହିଁ, କପଟନାହିଁ । ଖୋଲାମନ । ସତରେମ କାନ୍ତିଅପା, ତୁମ ମନ, ରୂପ, ଗୁଣକୁ ଚାହିଁ ଭଗବାନ ତୁମକୁ କେଶବବାବୁଙ୍କ ଭଳି ଲୋକର ହାତ ଧରେଇଛନ୍ତି ।’’ ଭରତ ବାସନ ମାଜି ଘରେ ରଖି, ରୋଷେଇଘର ଜିନିଷ ଆଡ଼ିଆ ଆଡ଼ି କରି ଚୁଲି ଲିପିଲେ ।

 

ବାସନ୍ତୀ ନିଜ ଜିନିଷ ସଜାଡ଼ି ସାରି ଆସି କାନ୍ତିଙ୍କୁ କହିଲେ–ତୋର କ’ଣ ଜିନିଷପତ୍ର ସଜଡ଼ା ହେବ ଶୀଘ୍ର ଆସି ସଜାଡ଼େ ।

 

ହେମକାନ୍ତ ଘରେ ଥିବା ଟ୍ରଙ୍କ୍‍ରୁ ଲୁଗାପଟା କାଢ଼ି ବାହାରକୁ ଆସି କାନ୍ତି, ବାସନ୍ତୀଙ୍କୁ ଡାକିଲେ । ଗୋଟି ଗୋଟି କରି ସେମାନଙ୍କ ହାତକୁ ଶାଢ଼ି, ପିଲାଙ୍କପାଇଁ ପେଣ୍ଟ ଜାମା ଧୋତି ବଢ଼ାଇ ଦେଇ କହିଲେ–‘‘କାନ୍ତି, ଏ ହେଉଛି ତୋ ଶାଢ଼ି, ଏଇଟା ହେଉଛି ଅପା ଲୁଗା, ଏ ପେଣ୍ଟ ଜାମା ହେଉଛି ତୋ ପିଲାଙ୍କର, ଏ ଧୋତି ହେଉଛି କେଶବବାବୁଙ୍କର ।’’ ବାସନ୍ତୀଙ୍କ ହାତକୁ ସେହିପରି ତାଙ୍କ ଲୁଗାପଟା ବଢ଼ାଇ ଦେଇ କହିଲେ–ଏ ଶାଢ଼ି ହେଉଛି ତୋର, ଏ ଧୋତି ଦୁଇଟି ଭିତରୁ ଗୋଟିଏ ହେଉଛି ସନାତନବାବୁଙ୍କର, ଅନ୍ୟଟି ହେଉଛି ତୋ ଶ୍ୱଶୁରଙ୍କର ଆଉ ୟେ ହେଉଛି ତୋ ପିଲାଙ୍କର ପେଣ୍ଟ୍‌ ଜାମା ।

 

ବାସନ୍ତୀ କହିଲେ–ଶ୍ୱଶୁରତ ଶେଯରୁ ଉଠି ପାରୁ ନାହାନ୍ତି । ତାଙ୍କର ଲୁଗା କ’ଣ ହେବ-?

 

କାନ୍ତି କହିଲେ–ଶେଯରୁ ସିନା ଉଠି ପାରୁ ନାହାନ୍ତି, ପାଟିତ କରିପାରୁଛନ୍ତି ।

 

ଯାହା କହିଲୁ ! ବାସନ୍ତୀ ହସି ହସି କହିଲେ ।

 

ଆଉ ଶୁଣ, ମୁଁ ତୁମ ସଙ୍ଗେ ବଜାର ପର୍ଯ୍ୟନ୍ତତ ଯିବି, ସେଇଠୁ ପିଲାଙ୍କପାଇଁ ମିଠା କିଣି ଦେବି । କିଛି ପରିବାପତ୍ର କିଣି ସାଙ୍ଗରେ ଦେବି ।

 

କାନ୍ତି, ବାସନ୍ତୀ ଏକାବେଳକେ ପ୍ରତିବାଦ କରି କହିଲେ–ନାଇଁମ ହେମଭାଇ, ଆମର ପରିବା ଦରକାର ନାହିଁ । ଆମ ବାଡ଼ି ପରିବାତ ପଚିଶଢ଼ି ଯାଉଛି । ଖାଇବାକୁ କେହି ନାହାନ୍ତି । ମିଠା ଯଦି ପାରିବ, କିଛି ପିଲାଙ୍କପାଇଁ କିଣି ଦେବ ।

 

କେଶବବାବୁ ହେମକାନ୍ତଙ୍କ ଶୋଇବାଘରକୁ ଶୋଇବା ଆସି ଖଟବାଡ଼ାରେ ତାଙ୍କର ଝୁଲୁଥିବା ଜାମାଟିକୁ ଦେହରେ ଗଳାଇ ଦର୍ପଣକୁ ଚାହିଁ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ କହିଲେ–ମୁଁ ଯାଉଛି ବଳଦ ଦୁଇଟାଙ୍କୁ ଗୁହାଳରୁ ଫିଟାଇ ଶଗଡ଼ ପାଖକୁ ନେଉଛି । ତୁମେ ଶୀଘ୍ର ବାହାର ।

 

କାନ୍ତି, ବାସନ୍ତୀ ନିଜ ନିଜର ଲୁଗାପଟା ବ୍ୟାଗ୍‍ରେ ରଖି ମୁଣ୍ଡ କୁଣ୍ଡାଇ ଗାଁକୁ ଯିବାକୁ ପ୍ରସ୍ତୁତ ହେଲେ । ଭରତ ଗୋଟିଏ ଗିନାରେ ଅଳତା ଟିକିଏ ଆଣି ତୁଳାରେ ବୁଡ଼ାଇ କହିଲେ–କାନ୍ତି ଅପା, ବାସନ୍ତୀ ଅପାମ, ଟିକିଏ ଗୋଡ଼ଟିକୁ ଦେଖାମ । ଅଳତା ଟିକିଏ ଟିକିଏ ଦେଇଦିଏ । ଗୋଡ଼ଟା ଅସୁନ୍ଦର ଦେଖାଯାଉଛି ।

 

ଭରତ ଅଳତା ଲଗାଇ ଦେଲେ । କହିଲେ–କାନିକା, ଡାଲି, ତରକାରୀ ଅଛି । ଆଉ ଟିକିଏ ଖାଇ ଦେଇ ଯାଅ ।

 

ବାସନ୍ତୀ କହିଲେ–କିଏ ଆଉ ଖାଇବଲୋ ମା’ ! ଯାହାତ ଖାଇଛୁ ରାତିରେ ଆଉ ଖାଇବୁ କି ନାହିଁ ସନ୍ଦେହ ।

 

ଭରତ କହିଲେ–ସମୟ ଥିଲେ ଗଜା କି ପିଠା ଦିଖଣ୍ଡ କରି ଦେଇଥାନ୍ତି ପିଲାଙ୍କପାଇଁ ନେଇଥାନ୍ତ । ସକାଳୁ କିମିତି ଧୋ ଧୋ ଲାଗିଛିତ ଦେଖୁଛ ।

 

କାନ୍ତି କହିଲେ–ଆମର କିଛି ଦରକାର ନାହିଁ । ହେମଭାଇ ବଜାରରୁ ମିଠା କିଣିଦେବେ ବୋଲି କହିଛନ୍ତି । ପିଲାଙ୍କପାଇଁ କ’ଣ ଟିକିଏ ନେଇଗଲେ ଗଲା । ଏତେଦିନ ପରେ ଘରକୁ ଫେରୁଛୁନା, ‘ଆମପାଇଁ କ’ଣ ଆଣିଛୁ, କ’ଣ ଆଣିଛୁ’ କହି ଘେରିଯିବେ । କିଛି ନେଇ ନଥିଲେ ରାଗି, ଜିନିଷପତ୍ର ଫିଙ୍ଗା ଫୋପଡ଼ା କରି କାନ୍ଦି ଘର କମ୍ପାଇବେ ।

 

‘‘ସମସ୍ତଙ୍କ ପିଲେ ଏକାପରି କାନ୍ତି ଅପା ! ବାସନ୍ତୀ ଅପାଙ୍କ ପିଲା କ’ଣ ବାସନ୍ତୀ ଅପାଙ୍କୁ ଦେଖି ସେମିତି ଅଝଟ ହେବନି ?’’ ଭରତ ବାସନ୍ତୀ ମୁହଁକୁ ଚାହିଁଲେ ।

 

ବାସନ୍ତୀ କହିଲେ–ଯାହା କହିଲେ ଭରତ, ସବୁ ପିଲାଙ୍କ ସ୍ୱଭାବ ଏକାପରି । ଖାଲି ବାହାରକୁ ମୋ ପିଲା ତା’ ପିଲା ବୋଲି ଆମେ ସିନା କହୁଥାଇ; ମାତ୍ର ଖଣ୍ଡେ ଦୂରରେ ପିଲାମାନଙ୍କୁ ଛାଡ଼ି ଦେଖିଲେ, ସେମାନଙ୍କର କଥାବାର୍ତ୍ତା, ଚାଲିଚଳନ, ପାଠ ପଢ଼ିବା ଢଙ୍ଗ ଏକାଭଳି ଲାଗେ । କାହା ପିଲେ ସୁବିଧା ସୁଯୋଗ, ପରିବେଶ ପାଉଛନ୍ତି, ଉପରକୁ ବେଶୀ ପାଠ ପଢ଼ି ଉଠି ଯାଉଛନ୍ତି । କିଏ ଗରିବ, ପଇସା ନାହିଁ ସେ ସେମିତି ପଡ଼ି ରହୁଛି ।

 

କେଶବବାବୁ ଘର ଭିତରକୁ ପଶି ଆସି କହିଲେ–‘‘ମୁଁ ଜାଣେ ପରା ଯେଉଁଠି ସ୍ତ୍ରୀଲୋକ ଦୁଇଜଣ ଏକାଠି ହେଲେ ସେଠି ବାହାର ସୃଷ୍ଟି ପ୍ରଳୟ ହୋଇ ଗଲେ ଏବଂ ମହାଭାରତ ଭଳି ଅଠର ଦିନର ଯୁଦ୍ଧ ଶେଷ ହୋଇଗଲେ ମଧ୍ୟ ତାଙ୍କର ଗପ ସରିବ ନାହିଁ ।’’ ଈଷତ୍ ବିରକ୍ତ ପ୍ରକାଶ କରି କହିଲେ–କିଓ ଟିକିଏ ଚଞ୍ଚଳ ବାହାର । ଶୀଘ୍ର ପହଞ୍ଚିଲେ ତେଣେ ପୁଣି କେତେ କାମ ରହିଛି ।

 

ଭରତ କହିଲେ–ତମେ କାହିଁକି ଇମିତି ଉଚ୍ଛନ୍ନ ହୋଇ ପଡ଼ୁଛମ କେଶବବାବୁ ? ଆସିଛ, ମାଇପକୁ ତ ନେଇ ଯିବ । ବେଳ କ’ଣ ଇମିତି ଚାଲି ଯାଉଛି । ତୁମେ ବଳଦ ଦୁଇଟାକୁ ଯେପରି ଖୁଆଇ ପିଆଇ ରଖିଛ, ସେତ ଘଣ୍ଟାକରେ ନେଇ ଗାଁରେ ପହଞ୍ଚାଇ ଦେବେ ।

 

କେଶବବାବୁ ଭରତଙ୍କ କଥାକୁ କାନ ନଦେଇ କହିଲେ–ଭରତ, ଭାଇ କୁଆଡ଼େ ଗଲେ-?

 

ହେମକାନ୍ତ ନିଜ ଶୋଇବା ଘରୁ ଲୁଗା, ପଞ୍ଜାବି ପିନ୍ଧି ବାହାରି ଆସୁ ଆସୁ କହିଲେ–ତୁମର ସବୁ କାମ ଶେଷ ହେଲାଣିଟି ? ଚାଲ ।

 

କେଶବବାବୁ କହିଲେ–ଭରତ ପାନ ଦୁଇ ଚାରିଟା ମୋତେ ଭାଙ୍ଗିକରି ଦିଅ ।

 

‘‘ମଲାମର, ଆଉ କିଛି ତୁମେ ଖାଇବନି ?’’ ଭରତ ଅଣ୍ଟାରେ ହାତ ଦେଇ କେଶବବାବୁଙ୍କ ମୁହଁକୁ ଚାହିଁ ରହିଲେ ।

 

‘‘ତୁମେତ ଯାହା ଖାଇବାକୁ ଦେଇଛ, ଦୁଇଦିନ ପର୍ଯ୍ୟନ୍ତ ପେଟରେ ସେମିତି ରହିଥିବ ।’’ କେଶବବାବୁ କାନ୍ତିଙ୍କୁ ଚାହିଁ କହିଲେ–ଚଞ୍ଚଳ ବାହାର, ନହେଲେ ମୁଁ ଶଗଡ଼ ନେଇ ଚାଲିଯିବି ।

 

କାନ୍ତି କହିଲେ–ମଲାମର, ତୁମେ ଯାଉନ । ତୁମକୁ କିଏ ମନା କଲାକି ? ନା ତୁମକୁ କିଏ ଆସିବାକୁ ଡାକି ଯାଉଥିଲା ?

 

କେଶବବାବୁ ସେତେବେଳକୁ ଶୁଣିବାକୁ ପାଖରେ ନଥିଲେ । ସେ ଶଗଡ଼ ପାଖରେ ଠିଆ ହୋଇ ବଳଦ ଦୁଇଟାଙ୍କୁ ଆଉଁଶି ଦେଉଥିଲେ ।

 

ଲକ୍ଷ୍ମୀ ସେହିଭଳି ଶୋଇ ରହିଥିଲେ । କାନ୍ତି ଡାକିଲେ–ନୂଆବୋଉ, ନୂଆବୋଉ, ଉଠ । ଆମେ ଯିବାକୁ ବାହାରିଲୁଣି ।

 

ଲକ୍ଷ୍ମୀ ଉଠି ବସିଲେ । କାନ୍ତି ତାଙ୍କ ପାଖରେ ବସି ପଡ଼ି ତାଙ୍କ ମଳିନ ଦିଶୁଥିବା ଓଷ୍ଠକୁ ଧରି ମଥାରେ ହାତ ବୁଲାଇ କହିଲେ–ଆମେ ଚାଲି ଯାଉଛୁ ବୋଲି ମନକଷ୍ଟ କରନା । ଆମେ ତ ଦୁଇଦିନ ପାଇଁ କୁଣିଆ ହୋଇ ଆସିଛୁ । ଚାଲି ଯାଉଛୁ । ତୋର ପରା ଏ ଘରଦ୍ୱାର । ହେମଭାଇ କଥା ଟିକିଏ ଭଲ ଭାବରେ ବୁଝୁଥିବୁ । ଭରତ ତ ଅଛନ୍ତି । କିଛି ତୋର ଅସୁବିଧା ହେବନାହିଁ ।

 

ଭରତ କହିଲେ–ନାଇଁମ, ସାନଅପାର ଅସୁବିଧା କ’ଣ ହେବ ? ସାନଅପା ମୁହଁକୁ ନ ଶୁଖାଇ, ସବୁବେଳେ ହସଖୁସିରେ ଖାଇପିଇ ଚଳିଲେ, ଭରତ ପରା ଘର ଗୋଟାକାର କାମ ଦଣ୍ଡକରେ ସାରି ବସିବ ।

 

ହେମକାନ୍ତ କହିଲେ–ଲକ୍ଷ୍ମୀ ଉଠିଲାଣି କାନ୍ତି ?

 

କାନ୍ତି କହିଲେ–‘ହଁ ।’ ତା’ପରେ କିଛି ସମୟ ରହି କହିଲେ–ହେମଭାଇ, କାଲି ନୂଆବୋଉଙ୍କୁ ନେଇ ଟିକିଏ ଡାକ୍ତରଙ୍କୁ ଦେଖାଇ ଆଣ । କ’ଣ ତାଙ୍କର ହେଉଛି ସେ ଜାଣି ପାରୁ ନାହାନ୍ତି କି ବାହାରକୁ କିଛି ଜଣାପଡ଼ୁ ନାହିଁ । ଦୁଇଦିନ ହେଲା ଖିଆପିଆ ନାହିଁ । କାହିଁକି କଳା ପଡ଼ି ଯାଉଛନ୍ତି ।

 

ହେମକାନ୍ତ ଦୀର୍ଘ ନିଃଶ୍ୱାସ ପକାଇ କହିଲେ–ପୁଣି ଆଜି ଡାକ୍ତରଙ୍କୁ ପଚାରେ ସେ କ’ଣ କହୁଛନ୍ତି ।

 

ଲକ୍ଷ୍ମୀ କାହାରିକୁ କିଛି ଉତ୍ତର ଦେଉ ନଥିଲେ କିମ୍ୱା ତାଙ୍କ ମୁହଁରୁ କୌଣସି କଥା ବାହାରୁ ନଥିଲା । କେବଳ ନୀରବରେ ତାଙ୍କ ଦୁଇ ଆଖିରୁ ଧାର ଧାର ଲୁହ ମୁହଁ ଉପରେ ଅଙ୍କାବଙ୍କା ହୋଇ ବୋହି ଚାଲିଥିଲା ।

 

Unknown

ବାସନ୍ତୀ ଲକ୍ଷ୍ମୀଙ୍କର ଆଖିରୁ ଲୁହ ପୋଛି ଦେଇ କହିଲେ–ନୂଆବୋଉ, କାନ୍ଦୁଛ କାହିଁକି-? ଭରତ ଅଛନ୍ତି, ହେମଭାଇ ଅଛନ୍ତି । ଆମେ ଗଲାପରେ ଦିନେ ଓଳିଏ ଘରଟା ଖାଲି ଖାଲି ଲାଗିବ । ତା’ପରେ ଚଳିଗଲେ ଗଲା । ଆମେ ଯେତେବେଳେ ଶାଶୁଘରକୁ ପ୍ରଥମ ପ୍ରଥମ ବୋହୂ ହୋଇ ଯାଇଥିଲୁ, ସେମିତି ଆମକୁ ନୂଆ ଜାଗା ନୂଆ ନୂଆ ଭଳି ଲାଗୁଥିଲା । ସେଠାରେ ରହିବାକୁ ଆଦୌ ଭଲ ଲାଗୁ ନଥିଲା । ସବୁବେଳେ ଘର କଥା ମନେ ପଡ଼ୁଥିଲା । ବୋଉ, ବାପା, ସାନ ସାନ ଭାଇ ଭଉଣୀଙ୍କ ମୁହଁ ଆଖିରେ ନାଚୁଥିଲା । ତୁମରି ଭଳି ନୀରବରେ ଆଖିରୁ ଲୁହ ଗଡ଼ୁଥିଲା-। କୋହ ଆସୁଥିଲା । ତା’ପରେ ଆଲୋ ମା’, ସେହି ଘର ପ୍ରତି ଏ ମାୟାମମତା ଆସିଗଲା ଯେ ବାପଘରକୁ ଯାଇ ଆଠ ଦିନ ରହିଛୁ କି ନାହିଁ ମନ ସେହି ଶାଶୁଘରକୁ ଟାଣିଲା । ଝିଅ ଜନମ ପାଇଲେ ଛାତିକୁ ସବୁ କଥାରେ ପଥର କରିବାକୁ ପଡ଼ିବ ।

 

ଲକ୍ଷ୍ମୀ ମନର କୋହ ସମ୍ଭାଳି ପାଇଲେ ନାହିଁ । ବାସନ୍ତୀଙ୍କ କୋଳରେ ମୁହଁ ରଖି କଇଁକଇଁ ହୋଇ କାନ୍ଦିବାରେ ଲାଗିଲେ ।

 

ବାସନ୍ତୀ କହିଲେ–ଉଠ ନୂଆବୋଉ, ତୁମକୁ ମୋ ରାଣ । ତୁମେ କାନ୍ଦନି ।

 

କାନ୍ତି କହିଲେ–ନୂଆବୋଉ ଆମର ବେଳ ହେଲାଣି, ଆମେ ଯାଉଛୁ ।

 

କାନ୍ତି, ବାସନ୍ତୀ ଉଠି ଶଗଡ଼ ପାଖକୁ ଚାଲିଲେ । ସେମାନଙ୍କର ଜିନିଷପତ୍ର ବୋହି ନେଇ ଶଗଡ଼ରେ ରଖିଲେ ।

 

ହେମକାନ୍ତ ଘରୁ ତାଙ୍କର ସାଇକଲ୍‍ଟି ବାହାର କରୁ କରୁ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ପଚାରିଲେ–ଔଷଧ ଖାଇଥିଲ ?

 

ଲକ୍ଷ୍ମୀ କିଛି ଉତ୍ତର ଦେଲେ ନାହିଁ । ସେ ମନେମନେ ଭାବୁଥିଲେ ଏହାପରେ ସେ କ’ଣ କରିବେ ?

 

ହେମକାନ୍ତ କହିଲେ–ବେଳ ହୋଇ ଗଲାଣି । ଔଷଧଟା ଖାଇ ଦେବ । ମୁଁ ଆଜି ଫେରିଲା ବେଳକୁ ଡାକ୍ତରଙ୍କୁ ପଚାରି ଆସିଥିବି । ଯଦି ସେ କହିବେ କାଲି ସକାଳେ ମୋ ସଙ୍ଗେ ଚାଲିଯିବ । ଡାକ୍ତରଙ୍କୁ ଦେଖାଇ ଦେଇ ପଳାଇ ଆସିବ ।

 

କାନ୍ତି, ବାସନ୍ତୀ ଶଗଡ଼ରେ ବସିବା ପରେ କେଶବବାବୁ ବଳଦଙ୍କୁ ଯୋଚି ଶଗଡ଼ ଧରି ଚାଲିଲେ । ଶଗଡ଼ କଡ଼େ କଡ଼େ ସାଇକଲ୍ ଧରି ଚାଲିଲେ ହେମକାନ୍ତ । ଭରତ ଶଗଡ଼ ପଛେ ପଛେ କିଛି ଦୂର ଯାଇ କହିଲେ–ମୁଁ ଯାଉଛି କାନ୍ତିଅପା, ବାସନ୍ତୀଅପା ! ସୁବିଧାରେ ଯିବ । ମତେ ମନେ ପକଉଥିବ । ପାରିବ ଯଦି ଚିଠି ଖଣ୍ଡେ ଖଣ୍ଡେ ଦବ ।

 

କାନ୍ତି, ବାସନ୍ତୀ ଶଗଡ଼ ଭିତରୁ କ’ଣ କହୁଥିଲେ ଶୁଣାଗଲା ନାହିଁ । ଭରତ ଘରକୁ ଫେରି ଆସି ଦେଖିଲେ–ଲକ୍ଷ୍ମୀ ବାହାର ଘର କବାଟ କୋଣରେ ବସି କାନ୍ଦୁଛନ୍ତି । ଭରତ ଲକ୍ଷ୍ମୀଙ୍କର ଆଖିରୁ ଲୁହ ପୋଛି ଦେଇ କହିଲେ–ସାନଅପାମ, ତୁମେ ଆଉ ଏତେ କାନ୍ଦନି । କାନ୍ଦି କାନ୍ଦି ଆଖି ତୁମର ନାଲି ପଡ଼ି ଫୁଲିଗଲାଣି । ନ ଖାଇ ମୁହଁ କଳାକାଠ ପଡ଼ିଗଲାଣି । ତୁମ ଦେହକୁ ତୁମେ ଆଗ ଆଇନାରେ ଦେଖିଲଣି, କିମିତି ଦିଶୁଛ ?

 

ଲକ୍ଷ୍ମୀ କିଛି ଉତ୍ତର ଦେଲେ ନାହିଁ । ସେ କବାଟ କୋଣରୁ ଉଠି ଯେଉଁଠି ଶୋଇଥିଲେ, ଚଦରଟି ଘୋଡ଼ି ହୋଇ ସେଇଠି ଶୋଇଲେ ।

 

ଭରତ ବାହାର ପଟ କବାଟ ଲଗାଇ ରୋଷେଇଘରକୁ ଗଲେ । ଡେକ୍‌ଚିଗୁଡ଼ିକ କଳା ହୋଇଥିବାର ଦେଖି ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କହିଲେ–ତୁମେ ସାନଅପା ଶୋଇଥାଅକି, ମୁଁ ଡେକ୍‌ଚିଗୁଡ଼ାକ ନେଇ ଗଡ଼ିଆରେ ମାଜି ଆଣୁଛି । ଭାରି କଳା ହୋଇଛି ।

 

ଭରତ ଡେକ୍‌ଚି, କରେଇ, ଡଙ୍କି, ଖଡ଼ିକା ଧରି ବାଡ଼ିପଟ ଗଡ଼ିଆକୁ ମାଜିବାପାଇଁ ଗଲେ-। ଲକ୍ଷ୍ମୀ ଘରେ ଆଉ ନ ଶୋଇ ଘରକୁ ଲାଗିଥିବା ବାରଣ୍ଡାରେ ଆସି ବସିଲେ । କିଛି ସମୟ ଉପରକୁ ଚାହିଁ ବସିଛନ୍ତି, ବାଡ଼ିପଟୁ କେହି ଆସିଲା ଭଳି ତାଙ୍କୁ ଜଣାଗଲା । ସେ ଭାବିଲେ, ବୋଧହୁଏ ଭରତ ଡେକ୍‌ଚି, କଡ଼େଇ ଗଡ଼ିଆରେ ବତୁରାଇ ଦେଇ ଆସିଲେ । ତେଣୁ ସେ ଆସିବା ପ୍ରତି ଏତେ ଗୁରୁତ୍ୱ ଦେଲେ ନାହିଁ । ମାତ୍ର ଆଖି ଯୋଡ଼ିକ ଆପେଆପେ ଟାଣିହୋଇ ବାଡ଼ିଘର ଆଡ଼କୁ ଚାଲିଗଲା । ସେ ଦେଖିଲେ–ସେହି ଯୁବତୀଟି ପୁଣି ଘର ଭିତରକୁ ପଶି ଆସୁଛି । ସେ ଯୁବତୀର ମୁହଁକୁ ଚାହିଁଲେ–କି ଭୟଙ୍କର ତା’ ଚାହାଣି ! କି ବିଦ୍ରୂପ ତା’ର ମୁହଁର ଭଙ୍ଗୀ ! କି ଗର୍ବ ତା’ର ଚାଲିରେ ! ସେ କ୍ଷଣେମାତ୍ର କାହାରିକୁ ଅପେକ୍ଷା ନକରି ସିଧା ସିଧା ପଶିଗଲା ହେମକାନ୍ତଙ୍କ ଶୋଇବା ଘରକୁ ।

 

ଲକ୍ଷ୍ମୀ ଯୁବତୀଟିକୁ ଦେଖି ମନେମନେ ସ୍ଥିର କଲେ–ଏ ଘରେ ରହିଲେ ସେ ଆଦୌ ଶାନ୍ତି ପାଇବେ ନାହିଁ, ବରଂ ଦୁଶ୍ଚିନ୍ତାରେ ସେ ଦିନକୁଦିନ କ୍ଷୀଣ ହୋଇ ମରିଯିବେ । ତାଙ୍କ ସ୍ୱାମୀ ଅନ୍ୟ ଯୁବତୀକୁ ଧରି ସୁଖରେ ଘର କରନ୍ତୁ । ସେ ତାଙ୍କ ବାପଘରକୁ ଚାଲିଯିବେ ।

 

ଲକ୍ଷ୍ମୀ ଘରର ଚାରିଆଡ଼କୁ ଥରେ ଆଖି ବୁଲାଇ ଆଣିଲେ । ହେମକାନ୍ତଙ୍କ ଶୋଇବା ଘରକୁ କିଛି ସମୟପାଇଁ ଚାହିଁ ରହିଲେ । ତା’ପରେ ନୀରବରେ ମୁଣ୍ଡରେ ଓଢ଼ଣା ଟାଣି, ଆଖିରୁ ଲୁହ ପୋଛି, ଯେଉଁ ଲୁଗା ଖଣ୍ଡି ପିନ୍ଧିଥିଲେ, ସେହି ଲୁଗା ଖଣ୍ଡିକ ବ୍ୟତୀତ ଆଉ କିଛି ନ ନେଇ ବାଡ଼ିଦୁଆର ବାଟେ ଏକମୁହାଁ ହୋଇ ଚାଲିଗଲେ ।

 

–ଏଗାର–

 

ଭରତ ଗଡ଼ିଆରୁ ଡେକ୍‌ଚି, କରେଇ ମାଜି ଫେରିଲେ । ଦେଖିଲେ ଘର, ଅଗଣା ଖୁବ୍‌ ସୁନ୍ଦରଭାବେ ଓଳିଆ ହୋଇଛି । କେଉଁଠି ଟିକିଏ ଅଳିଆ ନାହିଁକି ମଇଳା ନାହିଁ । ଯେଉଁ ଜିନିଷଟି ଯେଉଁଠି ସଜଡ଼ା ହୋଇ ରହିବା କଥା, ସେଇଠି ରହିଛି । ଏପରିକି, ବାହାରେ ପଡ଼ିଥିବା ପିଢ଼ା, ପନିକି, ପରିବାଡ଼ାଲା, ହେମକାନ୍ତଙ୍କର ଲୁଙ୍ଗି, ଗାମୁଛା ଯଥାସ୍ଥାନରେ ସଜଡ଼ା ହୋଇ ରହିଛି ।

 

ଭରତ ଡେକ୍‌ଚି, କରେଇ ରଖି ଦେଇ କାନ୍ତି, ବାସନ୍ତୀ ଶୋଇବାଘର ଦୁଆରମୁହଁରେ ଡାକିଲେ–ସାନଅପା, ସାନଅପାମ !

 

ମାତ୍ର କେହି ସେ ଘରୁ ଜବାବ ଦେଲେ ନାହିଁ । ଭରତ ଆଶ୍ଚର୍ଯ୍ୟ ହୋଇ ଘର ଭିତରକୁ ଚାହିଁଲେ । ଦେଖିଲେ, କେହି ନାହାନ୍ତି । ସେ ଘରେ ମଧ୍ୟ ଲକ୍ଷ୍ମୀ ଶୋଉଥିବା ମସିଣା, ତକିଆ, ଚଦର ଉଠି ଘରଟି ନିର୍ମଳଭାବେ ସଫା ହୋଇଛି । ବାହାରକୁ ଆସି ଡାକିଲେ–ସାନଅପା, ସାନଅପା, ତୁମେ କେଉଁଠି ଅଛମ ?

 

ହେମକାନ୍ତଙ୍କ ଶୋଇବାଘର ଭିତରୁ ଶୁଭିଲା–ଭରତ, ମୁଁ ଏଇଘର ଖଟ ଉପରେ ଶୋଇଛି ।

 

ଭରତ ହେମକାନ୍ତଙ୍କ ଶୋଇବାଘର ପାଖକୁ ଗଲେ । ମାତ୍ର ଭରସି କରି ହଠାତ୍‌ ଘର ଭିତରକୁ ନ ଯାଇ କବାଟ ବାହାରେ ଠିଆ ହୋଇ ପଚାରିଲେ–ତୁମ ଦେହ ପରା ଭଲ ଲାଗୁନଥିଲା ସାନଅପା ?

 

‘‘ଏବେତ ସୁଦ୍ଧା ଭଲ ଲାଗୁନି ।’’

 

‘‘ତେବେ ଏ ଘର, ଅଗଣା ଓଳାଉଥିଲ କାହିଁକି ? ମୁଁ କ’ଣ ଡେକ୍‌ଚି, କରେଇ ମାଜି ଆସି କରି ନଥାନ୍ତି ?’’ ଭରତ ଘର ଭିତରକୁ ପଶି ଯାଇ କବାଟକୁ ଆଉଜି ଠିଆ ହୋଇ ପଚାରିଲେ-

 

ଶୋଇ ଶୋଇ ଭଲ ଲାଗିଲା ନାହିଁ । ଘର ସଫା କରିଦେଲି । ଯୁବତୀଟି କହିଲା ।

 

‘‘ଦିନସାରା ତ କିଛି ଖାଇନ । କ’ଣ ଟିକିଏ ଖାଇବାକୁ ଆଣି ଦେବି, ଖାଇବ ?’’ ଭରତ ପଚାରୁ ପଚାରୁ ଖଟ ଉପରେ ତାଙ୍କର ନଜର ପଡ଼ିଲା । ସେ ଦେଖିଲେ–କାନ୍ତି, ବାସନ୍ତୀଙ୍କ ଶୋଇବାଘରେ ଯେଉଁ ଚଦରଟି ଘୋଡ଼ି ହୋଇ ଲକ୍ଷ୍ମୀ ଶୋଇଥିଲେ, ଖଟ ଉପରେ ମଧ୍ୟ ସେହି ଚଦରଟି ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଘୋଡ଼ି ହୋଇ ଶୋଇଛନ୍ତି । ସନ୍ଧ୍ୟା ହୋଇ ଆସୁଥିବାରୁ ମୁହଁଟି ତାଙ୍କର ପରିଷ୍କାର ଦେଖାଯାଉ ନାହିଁ । ମାତ୍ର ଆଗରୁ ତାଙ୍କୁ ଦଶ ପଦ କଥା ପଚାରିଲେ ପଦେ କଥା ସୁଦ୍ଧା ତୁଣ୍ଡରୁ ବାହାରୁ ନଥିଲା । ବର୍ତ୍ତମାନ ପଚାରିବାମାତ୍ରେ ଉତ୍ତର ଦେଉଛନ୍ତି । କଣ୍ଠଶବ୍ଦରୁ ଦେହ ଟିକିଏ ଭଲ ଥିଲା ଭଳି ଜଣା ପଡ଼ୁଥିଲା ।

 

‘‘ଟିକିଏ ଦେହ ମୁଣ୍ଡ ଘଷି ଦେବି ସାନଅପା ?’’ ଭରତ ପଚାରିଲେ ।

 

‘ନାଇଁ ଥାଉ ।’ ଲଣ୍ଠନଗୁଡ଼ିକ ପୋଛି ଦେଇଛି । ଲଗାଇ ଦିଅ । ଘରେ ସନ୍ଧ୍ୟା ବଳିତା ଦେଇଦିଅ । ଯୁବତୀଟି ଉତ୍ତର ଦେଲା ।

 

ଭରତ ପୁଣି ପଚାରିଲେ–ଔଷଧ ଖାଇଛ ?

 

ହଁ ।

 

ତେବେ କ’ଣ ଟିକିଏ ଖାଇବାକୁ ଆଣିବି ?

 

କ’ଣ ଖାଇବାକୁ ଆଉ ଅଛି ?

 

‘‘କାହିଁକି କାନିକା, ଡାଲି, ମାଛ ତରକାରୀ, ସାଧା ତରକାରୀ, ବିଲାତି ଖଟା–ସବୁ ଅଛି । ରାତିକୁ ରୋଷେଇ ନକଲେ ମଧ୍ୟ ତୁମେ, ବାବୁ, ମୁଁ ଖାଇ ଆହୁରି ବଳିବ ।’’ ଭରତ କହିଲେ ।

 

ଯୁବତୀଟି କହିଲା–ତୁମେ ଗୋଟିଏ କାମ କର ଭରତ । ଥାଳିରେ ସବୁ ସଜାଡ଼ି ଆଣି ଏ ଶୋଇବା ଘର କୋଣରେ ରଖିଦିଅ । ପାଣି ଗ୍ଲାସ୍‌ଟିଏ ଥୋଇଦିଅ ।

 

‘‘କାହିଁକି ଆସୁନ ରୋଷେଇଘର ଦୁଆରମୁହଁରେ ବସି ଖାଇବ ? ଗପ୍‍ସପ୍ ହେବା । ଦିନକ ଯାକତ ଶୋଇଲଣି । ଟିକିଏ ଉଠି ବସୁନ । ଭଲ ଲାଗିବ ।’’ ଭରତ କହିଲେ ।

 

‘‘ମୁଣ୍ଡଟା ଭାରି ଭାରି ଲାଗୁଛି । ଟିକିଏ ନୀରବରେ ଶୋଇଗଲେ ଭଲ ଲାଗିବ । ଦିନରେ କ’ଣ ହୋ, ହୋ, ଧୋ, ଧୋରେ ଶୋଇହେଲା, ନା ନିଶ୍ଚିନ୍ତ ଲାଗିଲା ?’’ ଯୁବତୀଟି କହି କାନ୍ଥଆଡ଼କୁ ମୁହଁ ବୁଲାଇ ଶୋଇଲା ।

 

‘‘ଟିକିଏତ ମୁଣ୍ଡଟା ଚିପି ଦେଇଥାନ୍ତି । ମନା କାହିଁକି କରୁଛମ ସାନଅପା ? ଚିପି ଦେବି-?’’ ଭରତ ଖଟ ପାଖକୁ ଗଲେ ।

 

‘‘ନାଇଁ ମୋ ମୁଣ୍ଡ ଚିପିବା ଦରକାର ନାହିଁ । ମୁଣ୍ଡ ଚିପିଲେ ବେଶୀ ଦରଜ ହୋଇଯିବ । ଅଧିକ ଯନ୍ତ୍ରଣା ହେବ । ତୁମେ ମୋପାଇଁ ଖାଇବାକୁ ଏଘରେ ଥୋଇଦେଇ ଲଣ୍ଠନଗୁଡ଼ିକ ଲଗାଇ ଦିଅ । ଏ ଘରୁ ମଧ୍ୟ ଲଣ୍ଠନଟି ନେଇଯାଅ । ଲଗାଇ ଦେଇ ବାହାରେ ରଖିଦେବ । ଆଖିକୁ ଆଲୁଅ ଭଲ ଲାଗୁନାହିଁ । ବର୍ତ୍ତମାନ ଔଷଧ ଖାଇଛି । ଆଉ ଟିକିଏ ଗଲେ ମୁଁ ଖାଇବି । ରାତିରେ ବାବୁଙ୍କପାଇଁ କେବଳ ଖଳିରୁଟି କେତେ ଖଣ୍ଡ କରିଦେବ । ତରକାରୀ ଅଛି । ସେହି ତରକାରୀକୁ ଉଷୁମ କରିଦେଲେ ସେ ଖାଇବେ । ତୁମେ ଯଦି ରୁଟି ଖାଇବ ଭଲ କଥା । ନାହିଁ ଯଦି କାନିକା, ଡାଲି, ତରକାରୀ ଖାଇବ, ତେବେ ଆଉ ତୁମପାଇଁ ରୁଟି କରିବା ଦରକାର ନାହିଁ । ଯାହା ତୁମର ଖୁସି ।’’ ଯୁବତୀଟି ଟିକିଏ ନିର୍ଦ୍ଦେଶ ହେଲା ଭଳି କହିଲା ।

 

ଭରତ ଅଧିକ ଆଉ କିଛି ନ କହି ଗୋଟିଏ ଥାଳିରେ କାନିକା, ଡାଲି, ସାଧା ତରକାରୀ, ମାଛ ତରକାରୀ, ବିଲାତି ଖଟା ଆଣି ହେମକାନ୍ତଙ୍କ ଶୋଇବା ଘର କୋଣରେ ଘୋଡ଼ାଇ ରଖିଦେଲେ । ଭରତ ଥାଳିଟି ରଖୁଥିବା ସମୟରେ ଯୁବତୀଟି ପଚାରିଲା–ଭଜା ମାଛ ଅଛି ଭରତ-?

 

‘‘ମଲାମର, ଭଜା ମାଛ କାହିଁକି ନାହିଁମ ? ମାଛ ଯାହା ଅଛି ପରା କାଲିକୁ ତରକାରୀ ହୋଇ ବଳିବ । କେଶବବାବୁ କେତେଗୁଡ଼େ ମାଛ ଆଣିଥିଲେଟି ! କ’ଣ ତୁମକୁ ଦିଖଣ୍ଡ ଭଜା ମାଛ ଦେବି ସାନଅପା ?’’ ଭରତ ପଚାରିଲେ ।

 

ହଁ, ଆଣି ଏଇ ଥାଳିରେ ରଖିଦିଅ ।

 

ଭରତ ଭଜା ମାଛ ଆଣୁ ଆଣୁ ମନେମନେ ଭାବିଲେ–ବିଚାରୀ ଲକ୍ଷ୍ମୀଅପା ଚାରିଦିନ ହେଲା ଏ ଘରକୁ ବୋହୂ ହୋଇ ଆସିଲେଣି; ହେଲେ ପେଟ ପୂରେଇ ଖାଇ ନାହାନ୍ତି ଏପର୍ଯ୍ୟନ୍ତ । ଆଜି ମନବୋଧ କରି ଘର କୋଣରେ ବସି ଖାଆନ୍ତୁ । ତେଣୁ ସେ ପାଞ୍ଚ ଛଅ ଖଣ୍ଡ ମାଛ ଭଜା ଆଣି ଥାଳିରେ ରଖିଦେଇ କହିଲେ–ମାଛ ଭଜା ରଖି ଦେଲି ସାନଅପା ।

 

‘ହଉ ।’ ଖଟ ଉପରୁ ଉତ୍ତର ଆସିଲା ।

 

ଭରତ ଲଣ୍ଠନଗୁଡ଼ିକ ଆଣି ଦେଖିଲେ–ସେଗୁଡ଼ିକ ପୋଛା ହୋଇ ଚିକ୍‌ଚିକ୍‌ ମାରୁଛି । କାଚ ଠାରୁ ଫ୍ରେମ୍ ପର୍ଯ୍ୟନ୍ତ ନୂଆ ଲଣ୍ଠନ ଭଳି ଦିଶୁଛି । ହେମକାନ୍ତଙ୍କ ଶୋଇବା ଘର ବାରଣ୍ଡାରେ ଲଣ୍ଠନଟି ରଖୁ ରଖୁ ମନେମନେ କହିଲେ–ସାନଅପାଙ୍କର ହାତଟି ହେଉଛି ବାସ୍ତବିକ ଲକ୍ଷ୍ମୀଙ୍କ ହାତ-। ନାମଟି ଯେମିତି ଲକ୍ଷ୍ମୀ, କାମରେ ସେମିତି ମଧ୍ୟ ଲକ୍ଷ୍ମୀ ।

 

ଭରତ ସନ୍ଧ୍ୟା ବଳିତା ବସାଇ, ବାହାର ପଟ ଓ ବାଡ଼ିପଟ କବାଟ ଦେଇ ଖଳିରୁଟି କରିବାପାଇଁ ଅଟା ଦଳିଲେ । କାନ୍ତି, ବାସନ୍ତୀ ଚାଲି ଯାଇଥିବାରୁ ଏବଂ ଲକ୍ଷ୍ମୀ ବରାବର ଶୋଇ ରହୁଥିବାରୁ ତାଙ୍କୁ ଘରଟା ଭଲ ଲାଗୁ ନଥିଲା । ଗପୁଡ଼ି ଲୋକ ସବୁବେଳେ ଗପ କଲେ ତାଙ୍କୁ ଖୁସି ଲାଗେ । ସେମାନେ ଚୁପ୍‌ଚାପ୍‌ ବସି ପାରନ୍ତି ନାହିଁ । ଭରତ ଅଟା ଦଳୁଥିବା ଅବସ୍ଥାରେ ମନକୁ ମନ କହି ଲାଗିଥାନ୍ତି–କାନ୍ତିଅପା, ବାସନ୍ତୀ ଅପା ଯାଇ ଘରେ ପହଞ୍ଚୁଥିବେ । କାନ୍ତିଅପାର ପିଲା ଦୁଇଟି ମା’କୁ ଅନେକ ଦିନରୁ ଦେଖି ନଥିଲେ । ଦେଖି ପାଖକୁ ଦୌଡ଼ି ଆସୁଥିବେ । କାନ୍ତିଅପାଙ୍କ ପାଖରେ ଗୋଳ କରୁଥିବେ–ବୋଉ ଆମପାଇଁ କ’ଣ ଆଣିଚୁ ? ତୁ ଏତେଦିନ ଯାଇ ହେମମାମୁଙ୍କ ଘରେ ରହିଲୁ । ଆମକୁ ନେଲୁନି କାହିଁକି ? କାନ୍ତିଅପା ସେମାନଙ୍କ ହାତକୁ ଦୁଇ ଦୁଇଟି କରି ରସଗୋଲା ବଢ଼ାଇ ଦେଇ କହୁଥିବେ–ତୁମେ ବାପା ସାଙ୍ଗରେ ଆଜି ସକାଳେ ଗଲନି ?

 

‘ବାପାତ ଆମକୁ ନେଲେନି’ ପିଲା ଦୁଇଟି କହୁଥିବେ । କାନ୍ତିଅପା କହୁଥିବେ ‘‘ହଉ, ଆର ଥରକୁ ଗଲାବେଳକୁ ସାଙ୍ଗରେ ନେଇଯିବି ।’’ କାନ୍ତିଅପା କହୁଥିବେ ‘‘ହଉ, ଆର ଥରକୁ ଗଲାବେଳକୁ ସାଙ୍ଗରେ ନେଇଯିବି ।’’ କାନ୍ତିଅପା ବୋଉ କାନ୍ତିଅପାଙ୍କ ପାଇଁ ଖାଇବାକୁ ପଖାଳ, ଶାଗ, ଆଳୁ ବାଇଗଣ ଭଜା ବାଢ଼ି ଦେଉଥିବେ । କାନ୍ତିଅପା ଘରଟି ପ୍ରକୃତରେ ଗୋଟିଏ ଶାନ୍ତିଧାମ-। କେଶବବାବୁ ଯେମିତି, କାନ୍ତିଅପା ମଧ୍ୟ ସେମିତି । ଏକା ପ୍ରକୃତି, ଏକା ଗୁଣ, ଏକା ରୂପ ନେଇ ଯେମିତି ଜନ୍ମ ହୋଇଛନ୍ତି । ମାତ୍ର ବାସନ୍ତୀ ଅପା । ସ୍ୱାମୀଟି ଯାଇ କେଉଁ ବିଦେଶରେ । ଶ୍ୱଶୁର ରୋଗରେ ପଡ଼ିଛି । ଶ୍ୱଶୁର ଘରେ ଖାଇଲେ କିଏ ବୁଝିବାକୁ ନାହିଁକି ନ ଖାଇଲେ କିଏ ବୁଝିବାକୁ ନାହିଁ । ଯେତିକି ନିଜେ କରିବ ଧରିବ ଖାଇବ ।

 

ଅଟା ଦଳି ସାରି ଭରତ ଚୁଲି ଲଗାଇ ଖଳିରୁଟି କଲେ । ରୋଷେଇଘରେ ଥୋଇ ଦେଇ ରୋଷେଇଘର ଦୁଆର ଦେଇ ହେମକାନ୍ତଙ୍କ ଶୋଇବା ଘରଆଡ଼େ ଆସିଲେ । ଦେଖିଲେ ବାରଣ୍ଡାରେ ସେମିତି ଲଣ୍ଠନଟି ଜଳୁଛି । ଘର ଭିତରୁ କୌଣସି ଶବ୍ଦ ଶୁଭୁନାହିଁ । ଭରତ ନିଃଶବ୍ଦରେ କାନ୍ତି, ବାସନ୍ତୀ ଶୋଉଥିବା ବଖରାରେ ଲଣ୍ଠନଟି ଜାଳି କବାଟକୁ ଦରଆଉଜା କରି ବସି ବ୍ୟାଗ୍‌ ଭିତରୁ ନାଟକ ବହି ଖଣ୍ଡିଏ କାଢ଼ି ପଢ଼ି ବସିଲେ । ପଢ଼ୁ ପଢ଼ୁ କେତେବେଳେ ତାଙ୍କୁ ନିଦ ଲାଗିଗଲା ସେ ଜାଣି ପାରିଲେ ନାହିଁ ।

 

ଯୁବତୀଟି ସେହି ଅନ୍ଧାରରେ ଘରକୋଣରେ ବସି ଭରତ ଯାହାସବୁ ଖାଇବାକୁ ଦେଇଥିଲେ ବସି ଖାଇଲା ।

 

ଖାଇଲାବେଳେ ସେ ସେହି ଅନ୍ଧାର ଭିତରେ ବଡ଼ ଭୟଙ୍କର ଦେଖାଯାଉଥିଲା । ମୁହଁଟା ଥିଲା ତା’ର କାଳିଆ । ମୁଣ୍ଡରେ ବାଳ ନଥିଲା । ଆଖି ଦୁଇଟା ପେଚା ଆଖି ଭଳି ଦାଉଦାଉ ହୋଇ ଜଳୁଥିଲା । ଦେହରେ ଚମଡ଼ା ବା ମାଂସ ନଥିଲା । ଗୋଟିଏ କଙ୍କାଳ ପରି ଦିଶୁଥିଲା ।

 

ଖାଇଲାବେଳେ କାହାକୁ ଆଗ ଖାଇବ ବା କାହାକୁ ପଛେ ଖାଇବ, ତାହା କିଛି ମାନୁ ନଥିଲା । ଆଗ ମାଛ ଭଜା, ମାଛ ତରକାରୀ ଖାଇ ତା’ପରେ ଡାଲି ତରକାରୀ ତାଟିଆ ଧରି ପିଇଦେଲା । ଖାଲି କାନିକାଗୁଡ଼ାକ ଗାଉଁଗାଉଁ କରି ଖାଇଦେଲା । ଖାଇ ସାରିବା ପରେ ଚାରିଆଡ଼କୁ ସେଇଠି ବସି ଚାହିଁଲା । ତା’ପରେ ପାଣି ପିଇଲା । ଖାଇବା ବାସନଗୁଡ଼ିକ ଯେପରି କୁକୁର ଚାଟି ଖାଇଲା ପରି ଭାରି ପରିଷ୍କାର ଥିଲା । ତଥାପି ସେ ବାହାରକୁ ବାସନଗୁଡ଼ିକ ଆଣି ଧୋଇ ଦେଇ ରୋଷେଇଘର ଦୁଆରମୁହଁରେ ରଖିଦେଲା । ତା’ପରେ ପୁଣି ଥରେ ଘର ଚାରିଆଡ଼କୁ ଚାହିଁ ଟିକିଏ ହସିଲା । ଅସ୍ପଷ୍ଟ ସ୍ୱରରେ କହିଲା–ହୁଁ, ମୋ ଘରକୁ ଅନ୍ୟ ଜଣେ ଆସି ମୋ ସ୍ୱାମୀକୁ ଭୋଗ କରିବ ! ମୁଁ ତାକୁ ଛାଡ଼ି ଦେବି ? ମୁଁ ଆଜି ଅଶରୀରୀ ହୋଇଯାଇଛି । ତଥାପି ମୋର ତ ମନରେ ବାସନା, କାମନା ସବୁ ରହିଛି । ଭଗବାନ ମୋତେ ପିଲାଟି ଦେଲେ ନାହିଁ । ନ ଦିଅନ୍ତୁ । ମାତ୍ର ମୁଁ ମୋର ଘର, ମୋ ସ୍ୱାମୀଙ୍କୁ ଛାଡ଼ି ରହିପାରିବି ନାହିଁ । କହୁ କହୁ ତା’ ଶରୀରଟି ଲକ୍ଷ୍ମୀଙ୍କ ଶରୀର ଭଳି ହୋଇଗଲା । ଲକ୍ଷ୍ମୀଙ୍କ ମୁହଁ, ଦେହ, ଆଖି, ମୁଣ୍ଡର ବାଳ, ଚାହାଣି ଓ ଚାଲି ନେଇ ସେ ହେମକାନ୍ତଙ୍କ ଶୋଇବାଘରକୁ ଚାଲିଗଲେ । ସେ ଯିବାବେଳେ ବାରଣ୍ଡାରେ ଜଳୁଥିବା ଲଣ୍ଠନଟି ଆପେଆପେ ଲିଭିଗଲା ।

 

ହେମକାନ୍ତ ଦୋକାନରୁ ଫେରିଲେ । ଦୁଆର ଠକ ଠକ କରିବାରେ ଭରତଙ୍କ ନିଦ ଭାଙ୍ଗିଗଲା । ସେ ଧଡ଼ପଡ଼ ହୋଇ ଉଠି ଦୁଆର ଖୋଲିଲେ । ଘର ଭିତରେ ପଶୁ ପଶୁ ହେମକାନ୍ତ ପଚାରିଲେ–ଲକ୍ଷ୍ମୀଙ୍କ ଦେହ କିପରି ଅଛି ?

 

‘ସେତ ସନ୍ଧ୍ୟାବେଳୁ ତୁମ ଶୋଇବା ଘରେ ଶୋଇଛନ୍ତି ।’’ ଭରତ କବାଟ ଦେଉ ଦେଉ କହିଲେ ।

 

କ’ଣ ଖାଇଛି ?

 

ଭରତ କହିଲେ–ସାନଅପା କହିଲେ ତୁମ ଶୋଇବାଘରକୁ ଖାଇବାକୁ ଦେବାକୁ; କାନିକା, ତରକାରୀ, ଖଟା ଦେଇଥିଲି ।

 

‘‘ଖାଇବାକୁ ମାଗିଥିଲା ଯେତେବେଳେ ନିଶ୍ଚୟ ଖାଇଥିବ ।’’ ହେମକାନ୍ତ ଟିକିଏ ଆଶ୍ୱସ୍ତ ହେଲେ । ମନେମନେ ଭାବିଲେ ଯେତେବେଳେ ଖାଇଲାଣି, ଲକ୍ଷ୍ମୀର ଦେହ ନିଶ୍ଚୟ ଭଲ ଥିବ । ପଚାରିଲେ–ରାତିପାଇଁ କ’ଣ ଖାଇବାକୁ କରିଛ ? ମୋର କାହିଁକି ଖାଇବାକୁ ଇଚ୍ଛା ନାହିଁ ।

 

ସାନଅପା କହିଲେ–ବାବୁଙ୍କପାଇଁ ଖଳି ରୁଟି ଦିଖଣ୍ଡ କରିଦିଅ, ସକାଳ ତରକାରୀ ଗରମ କରି ଦେଇଦେବ । ଆଉ ତରକାରୀ କରିବା ଦରକାର ନାହିଁ । ଭରତ କହି ଆଗେଆଗେ ଲଣ୍ଠନଟା ଧରି ଘରେ ପଶିଲେ ।

 

ହଉ, ହେମକାନ୍ତ ଶୋଇବାଘରକୁ ଗଲେ । ଦେଖିଲେ, ବାହାରେ ଥୁଆ ହୋଇଥିବା ଲଣ୍ଠନଟା ଲିଭି ଯାଇଛି । ଟିକିଏ ବିରକ୍ତି ପ୍ରକାଶ କରି କହିଲେ–ଭରତ ଘରଗୁଡ଼ାକ କାହିଁକି ଅନ୍ଧାର କରିଛ ?

 

ନାଇଁ ବାବୁ ସେ ଲଣ୍ଠନଟାତ ଜଳୁଥିଲା । ଇଲେ ବୋଧେ ଲିଭି ଯାଇଛି । ସାନଅପା କହିଲେ–ମୋତେ ଆଲୁଅ କାହିଁକି ଭଲ ଲାଗୁନି । ତୁମେ ବାହାରେ ଲଣ୍ଠନଟା ଲଗାଇ ରଖି ଦେଇ ଯାଅ ।

 

ହେମକାନ୍ତ କହିଲେ–ତୁମେ ଧରିଥିବା ଲଣ୍ଠନଟା ଏହି ଶୋଇବାଘର ଦୁଆରମୁହଁରେ ରଖିଦିଅ । ଏ ଲଣ୍ଠନଟା ନେଇ ଲଗାଇ ଦିଅ ।

 

ଭରତ ନୀରବରେ ଲଣ୍ଠନଟା ନେଇ କାଚକୁ ଆଉଥରେ କନାରେ ପୋଛି ଲଗାଇଲେ ।

 

ଚୋର, ପ୍ରେମିକ, ପ୍ରେମିକା ଏବଂ ରୋଗୀକୁ ଆଲୁଅ ବିଷ । ସେମାନଙ୍କୁ କ୍ଷୀଣ, ଝାପ୍‍ସା ଆଲୁଅ ଏବଂ ଚତୁଃପାର୍ଶ୍ୱର ନୀରବତା ଦରକାର । ହେମକାନ୍ତ ବାହାରେ ଜଳୁଥିବା ଲଣ୍ଠନର ଝାପ୍‍ସା ଆଲୁଅ ଭିତରେ ଘରେ ପଶିଲେ । ଖଟରେ ଲକ୍ଷ୍ମୀ ଏକା ଶୋଇଛନ୍ତି । ଭରତ ଲଣ୍ଠନ ଲଗାଉଛି । ଖାଇବାକୁ ବାଢ଼ିବାପାଇଁ ଆହୁରି ଦଶ ମିନିଟ ଡେରି ଅଛି । ‘‘ବାବୁ ଖାଇବାକୁ ବାଢ଼ିବି’’ ବୋଲି ଭରତ ପଚାରିଲେ, ହୁଏତ ‘ଟିକିଏ ଅପେକ୍ଷା କର’ କହି ଦଶ କୋଡ଼ିଏ ମିନିଟ ଗଡ଼େଇ ଦେଇ ହେବ । ଚୋର, ପ୍ରେମିକ, ପ୍ରେମିକା ପାଖରେ ସମୟର ମୂଲ୍ୟ ବହୁତ ବେଶୀ । ଗୋଟିଏ ସେକେଣ୍ଡ, ଗୋଟିଏ ମିନିଟର ବିଳମ୍ୱ ସେମାନେ ଅନୁଭବ କରନ୍ତି ଏବଂ ତାଙ୍କୁ ଗୋଟିଏ ଗୋଟିଏ ଯୁଗ ଗଲା ଭଳି ଜଣାପଡ଼େ । ତେଣୁ ହେମକାନ୍ତଙ୍କ ମନରେ ଏହା ସ୍ଥାନ ପାଇବା ସ୍ୱାଭାବିକ । ତାଙ୍କ ହୃଦୟ କ୍ରମେ ଭାବନା, ଚଞ୍ଚଳତା, ଦୁର୍ବଳତାରେ ଆଚ୍ଛାଦିତ ହୋଇଗଲା । ସେ ଦେହରୁ ପଞ୍ଜାବିଟି କାଢ଼ି ବାହାରକୁ ଆସି ଗୋଡ଼ ଧୋଇଲେ । ତରବରରେ ଗୋଡ଼ଟା ପୋଛି ପୁଣି ଶୋଇବାଘରକୁ ଯାଉଥିଲେ ।

 

ଭରତ ପଚାରିଲେ–ଖାଇବାକୁ ବାଢ଼ିବି ବାବୁ ?

 

‘‘ଖାଇବାକୁ ମୋର ଇଚ୍ଛା ନାହିଁ । ଟିକିଏ ଆଉ ଯାଉ’’ କହି ହେମକାନ୍ତ ଶୋଇବା ଘରକୁ ପଶିଯାଇ କିଛି ଶବ୍ଦ ନ ହେଲା ଭଳି କବାଟଟିକୁ ଆଉଜାଇ ଦେଲେ । ଯାଇ ଲକ୍ଷ୍ମୀଙ୍କ ପାଖରେ ବସି ତାଙ୍କ ମଥାର ବାଳଗୁଡ଼ିକ ଉପରେ ହାତ ବୁଲାଇ ପଚାରିଲେ–ଦେହ କିମିତି ଲାଗୁଛି ?

 

ଯୁବତୀଟି ମୁହଁ ବୁଲାଇ ହେମକାନ୍ତଙ୍କୁ ଚାହିଁଲା । ମୁହଁରେ ଥିଲା ତା’ର ପୂର୍ଣ୍ଣିମା ଚାନ୍ଦର ଜ୍ୟୋତି, ଆଖିରେ ଥିଲା ଭଲ ପାଇବା ଏବଂ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବାର ନିବେଦନ । ଓଠରେ ଥିଲା ନାଲି ଗୋଲାପର ହସ । ଅଙ୍ଗରେ ଖେଳୁଥିଲା ଭରା ଯୌବନର ଢେଉ । ହେମକାନ୍ତ ଝାପ୍‍ସା ଆଲୁଅରେ ଲକ୍ଷ୍ମୀଙ୍କୁ ଚାହିଁଦେଇ ତାଙ୍କ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ତାଙ୍କ ମନରେ ସନ୍ଦେହ ହେଲା–ଏ ଲକ୍ଷ୍ମୀ ନା ହେମଲତା ? ଦିନେ ଏହି ରୂପ, ଏହି ଲାବଣ୍ୟ, ଏହି ମୁହଁ, ଆଖି, ଓଠରେ ହସ ନେଇ ଘରେ ବଣର ହରିଣୀ ଭଳି ଡେଇଁ ଡେଇଁ ବୁଲୁଥିଲା । କୋକିଳର ସ୍ୱର ଭଳି ତା’ର ସ୍ୱରଟି ବେଶ୍‌ ମିଠା ମିଠା ଲାଗୁଥିଲା ।

 

ଯୁବତୀଟି ହେମକାନ୍ତଙ୍କ ଛାତିର ବାଳକୁ ନିଜର ଶିରୀଷ କୋମଳ ହସ୍ତରେ ଧୀରେ ଧୀରେ ଟାଣି ହସି ହସି କହିଲା–‘‘କ’ଣ ଏତେ ଚାହୁଁଛ ? ହେମଲତା କଥା ଭାବୁଛ ? ମୁଁ ପରା ତୁମ ହେମଲତା । ବିଶ୍ୱାସ ହେଉନି ?’’

 

ନିଜ ମୁଣ୍ଡରୁ ଶାଢ଼ିର ଓଢ଼ଣା ଓ ଦେହରୁ ଚଦରଟି କାଢ଼ିଦେଲା ଯୁବତୀଟି । ହେମକାନ୍ତ ନିଜକୁ ଆୟତ୍ତ ବା ସଂଯତରେ ରଖିପାରିଲେ ନାହିଁ । ସେ ଯୁବତୀଟିକୁ ନିଜ ଛାତି ଉପରକୁ ଟାଣି ଆଣି ଖୁବ୍‌ ଜୋରରେ ଭିଡ଼ି ଧରିଲେ । ଯୁବତୀଟିର ମୁହଁରେ ନିଜ ମୁହଁ ଓ ନିଜ ଛାତିରେ ନିଜ ଛାତିକୁ ଚାପି ତା’ର କାନରେ କହିଲେ–ତୁମେ ଲକ୍ଷ୍ମୀ ନୁହ, ତୁମେ ମୋର ପ୍ରାଣର ହେମଲତା, ମନର ହେମଲତା, ସ୍ୱପ୍ନର ହେମଲତା, ଜନ୍ମଜନ୍ମାନ୍ତର ସାଥୀ ହେମଲତା । ତୁମକୁ ବହୁଦିନ ପରେ ପାଇଛି । ବହୁତ ଖୋଜି ଖୋଜି ପାଇଛି । ବହୁତ କଷ୍ଟରେ ପାଇଛି । ତୁମକୁ ମୁଁ ଆଦୌ ଛାଡ଼ିବି ନାହିଁ-

 

ହେମକାନ୍ତଙ୍କ ଆଖିରୁ ଆନନ୍ଦରେ ଦୁଇଧାର ଲୁହ ଗଡ଼ି ଆସିଲା । ଯୁବତୀଟି ହେମକାନ୍ତଙ୍କ ମୁହଁରୁ ଲୁହ ଦୁଇ ଧାର ପୋଛି ଦେଇ କହିଲା–ତୁମେ ମୋର ଗୋଟିଏ ଅନୁରୋଧ ରଖିପାରିବ ?

 

ହେମକାନ୍ତଙ୍କ ହସ୍ତ କ୍ରମେ ଶିଥିଳ ହୋଇ ଆସିଲା । ସେ କହିଲେ–ତୁମର ଗୋଟିଏ କ’ଣ, ସବୁ ଅନୁରୋଧ ମୁଁ ରଖିବି । ସେ ଅତି ଉଦ୍‌ବେଳିତ ଓ ବାଷ୍ପଭରା ରୁଦ୍ଧକଣ୍ଠରେ କହିଲେ–ଏ ଘରେ ଆଉ କିଏ ଅଛି ? ତୁମେ ଆଉ ମୁଁ । ଭରତ ଥାଇ ଯାହା ନ ଥାଇ ସେୟା ।

 

ଯୁବତୀଟି ହେମକାନ୍ତଙ୍କ କାନ ପାଖରେ ମୁହଁରଖି କହିଲେ–ତୁମେ ମୋତେ ହେମଲତା ବୋଲି ଡାକିବ । କ’ଣ କହୁଛ, ଡାକି ପାରିବ ?

 

ହେମକାନ୍ତ ଯୁବତୀଟିର ଗାଲରେ ମୃଦୁ ଚାପୁଟାଟିଏ ଦେଇ କହିଲେ–ଏଥିରେ ପୁଣି ତୁମର ସନ୍ଦେହ ହେଉଛି ?

 

ତୁମେ ଆସିଲାବେଳକୁ ଡେରି ହେଉଛି । ମୁଁ କାହିଁକି ଭୋକ ସମ୍ଭାଳି ପାରୁନି । ଯୁବତୀଟି କହି ହେମକାନ୍ତଙ୍କ ମୁହଁକୁ ଚାହିଁଲେ ।

 

ହେମକାନ୍ତ ନିଜ କାନ୍ଧ ଉପରେ ଥିବା ଯୁବତୀର ମୁହଁଟିକୁ ନିଜ ଛାତି ପାଖକୁ ଟାଣି ଆଣି ତା’ର ଖୋଲା ମୁଣ୍ଡର ଅଲରା କେଶଗୁଡ଼ିକ ସଜାଡ଼ି ଦେଉ ଦେଉ କହିଲେ ‘‘ମୁଁ ଆସିବା ପୂର୍ବରୁ ତୁମେ ଖାଇ ଦେଇଥିବ । ଆଉ ଅସୁବିଧା କ’ଣ ? ମୋପାଇଁ ତୁମର ଖାଇବା ସକାଶେ ଅପେକ୍ଷା କରିବା ଉଚିତ ନୁହେଁ, ହେଲା ?’’ ଯୁବତୀଟିର ମୁଣ୍ଡଟିକୁ ବାଁ ହାତରେ ଧରି ଡାହାଣ ହାତରେ ବାଳଗୁଡ଼ିକ ଭିତରେ ଆଙ୍ଗୁଳି ବୁଲାଇ କହିଲେ, ଆଉ କ’ଣ କହୁଛ ?

 

ଯୁବତୀଟି ଆଖିକୁ ଏପଟ ସେପଟ କରି କହିଲେ–ଭରତ ଯେତେ ହେଲେ ପୁରୁଷ ଲୋକ । ତୁମେ ତ ଜାଣ ସେତ ଭାରି ଗପୁଡ଼ି । ମୁଁ କହୁଥିଲିକି, ସେ ରୋଷେଇ ସାରି ଅଯଥା ଘରେ ବସି ଭଟରଭଟର କାହିଁକି ହେବ ? ଦୋକାନକୁ ଦୁଇବେଳା ଚାଲି ଯାଆନ୍ତା । ତୁମେ ଫେରିଲାବେଳକୁ ତୁମ ସାଙ୍ଗରେ ଆସନ୍ତା । ଡାଲି, ତରକାରୀ, ଭାତ, ରୁଟି ଟିକିଏ ଗରମ କରିଦେଲେ ଖାଇଦେବ ।

 

ହେମକାନ୍ତ କହିଲେ–ମୋର କିଛି ଆପତ୍ତି ନାହିଁ । ମାତ୍ର ତୁମେ ଏ ଘରେ ଏକୁଟିଆ ରହିପାରିବତ ?

 

‘‘ମଲା, ତୁମର ତ ଏକୁଟିଆ ଘର । ମୋର ଏକୁଟିଆ ରହିବାରେ ଅସୁବିଧା କ’ଣ ? ବରଂ ଭରତ ସଙ୍ଗେ ଦିନଟିଯାକ ଭଟରଭଟର ହୋଇ ମୁଣ୍ଡ ଖରାପ କରିବା ଅପେକ୍ଷା ମୁଁ ନୀରବରେ ବସିବି, ପଢ଼ିବି କି କିଛିଟା କାମ କରିପାରିବି,’’ ଯୁବତୀଟି କହି କହି ହେମକାନ୍ତଙ୍କ ଛାତି ଉପରେ ତା’ର ମୁହଁଟି ବୁଲାଇବାରେ ଲାଗିଲା ।

 

ହେମକାନ୍ତ ଯୁବତୀଟିର କାନ ପାଖରେ ପଡ଼ିଥିବା ବାଳଗୁଡ଼ିକ ସଜାଡ଼ି ଦେଉ ଦେଉ କହିଲେ–ବେଶ୍‌, ମୁଁ ଭରତକୁ ବେଗାବେଗି ରୋଷେଇ ସାରି ଦୋକାନକୁ ଚାଲିଯିବାକୁ କହିବି ।

 

ଯୁବତୀଟି ଏଥର କହିଲେ–ଯାଅ, ଖାଇ ଦେଇ ଆସ । ଡେରି ହୋଇ ଯାଉଛି ।

 

ହେମକାନ୍ତ ପଚାରିଲେ–ତୁମେ ଖାଇବ ନାହିଁ ?

 

‘ନା, ମୁଁ ସନ୍ଧ୍ୟାବେଳେ ଖାଇଛି, ଆଉ ଖାଇବାକୁ ଇଚ୍ଛା ନାହିଁ’ ଯୁବତୀଟି କହି ହେମକାନ୍ତଙ୍କ ଛାତିରୁ ମଥାଟି ଉଠାଇଲେ । ହେମକାନ୍ତ ଯୁବତୀଟିକୁ ନିଜର ଦୁଇ ବାହୁ ମଝିରେ ଖୁବ୍ ଜୋରରେ ଭିଡ଼ି ଧରିଲେ । ଯୁବତୀଟି ହସି ହସି କହିଲେ–ଖାଇବ ଯାଅ । ଭରତ ଅନେକବେଳୁ ରୁଟି କରି ରଖିଲାଣି ।

 

ହେମକାନ୍ତ ଶୋଇବା ଘରଭିତକୁ ଡାକିଲେ–‘‘ଭରତ, ଖାଇବାକୁ ବାଢ଼ ।’’

 

ଭରତ ଖାଇବାକୁ ବାଢ଼ି ଦେଲେ । ହେମକାନ୍ତ ଯୁବତୀଟିର ହାତକୁ ଧରି କହିଲେ–ଆସ, ବାହାରକୁ ଆସ ।

 

ଯୁବତୀଟି କହିଲେ–ମୁଁ ଖଟ ଉପରେ ଶୋଇଛି । ତୁମେ ଖାଇ ଦେଇ ଶୀଘ୍ର ଚାଲି ଆସ-

 

ହେମକାନ୍ତ ମୁହଁ ହାତ ଧୋଇ ଖାଇ ବସିଲେ । ମୁଖମଣ୍ଡଳରେ ତାଙ୍କର ଥିଲା ତୃପ୍ତିର ଶାନ୍ତ, କମନୀୟ ଆବରଣ । ବହୁଦିନରୁ ମନରେ ଥିବା ଅଶାନ୍ତି, ଅସନ୍ତୋଷ, ଚିନ୍ତା, ଭୟ ଭ୍ରାନ୍ତି ଯେପରିକି ଏହି କେତୋଟି ମୁହୂର୍ତ୍ତ ଭିତରେ ତାଙ୍କ ହୃଦୟରୁ ଚାଲି ଯାଇଛି, ସେ ତା’ ଅନୁଭବ କରୁଥିଲେ । ତାଙ୍କୁ ବେଶ୍ ଫୁର୍ତ୍ତି ଓ ଆରାମ ଲାଗୁଥିଲା । ଶୀଘ୍ର ଖାଇସାରି ପୁଣି କିପରି ଶୋଇବା ଘରକୁ ଚାଲିଯିବେ, ସେଥିପାଇଁ ମନ ତାଙ୍କର ଚଞ୍ଚଳ ହୋଇ ଉଠୁଥିଲା ।

 

ଭରତ ପଚାରିଲେ–ଆଉ କ’ଣ ଦେବି ବାବୁ ?

 

ହେମକାନ୍ତଙ୍କର ସ୍ୱପ୍ନ ଭାଙ୍ଗିଗଲା । ସେ କହିଲେ–ନା ମୋର କିଛି ଆଉ ଦରକାର ନାହିଁ-। ତୁମେ ଖାଇଦିଅ । ଦୁଆର, ଘର ଦେଇ ଶୋଇବ ।

 

‘‘ସାନଅପା ଖାଇବେ ନାହିଁ ?’’ ଭରତ ପଚାରିଲେ ।

 

‘‘ନା, ସେ ସନ୍ଧ୍ୟାବେଳେ ଖାଇଛି, ତା’ର ଆଉ ଖାଇବାକୁ ଇଚ୍ଛା ନାହିଁ ।’’ ହେମକାନ୍ତ ଖାଇସାରି ହାତ ଧୋଇବାକୁ ଉଠିଗଲେ । ହାତ ଧୋଉ ଧୋଉ କହିଲେ–ଭରତ, ତୁମେ ରୋଷେଇ ସାରି ସକାଳେ, ରାତିରେ ଯାଇ ମୋତେ ଟିକିଏ ଦୋକାନରେ ସାହାଯ୍ୟ କରିପାରିବ ?

 

ଭରତ କହିଲେ–ମଲାମର, ଏ କି କଥା କହୁଛିମ ବାବୁ ? ସାନଅପା କ’ଣ ଘରେ ଏକଲା ରହିବେ ?

 

କବାଟ ପାଖରେ ଠିଆ ହୋଇ ଯୁବତୀଟି କହିଲା–ଭରତ ଦୋକାନରେ ବାବୁ ତେଣେ ହଇରାଣ ହେଉଛନ୍ତି । ତୁମେ କିଛିଦିନ ଟିକିଏ ତାଙ୍କୁ ଚଳାଇ ନିଅ ।

 

ତୁମର କିଛି ଅସୁବିଧାର ହେବନି ସାନଅପା ? ଭରତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

ଯୁବତୀଟି କହିଲା–ତୁମେ ଘରେ ଥିଲେ ଟିକିଏ ଗପ୍‍ସପ୍‍ରେ ଦିନଟି କଟିଥାନ୍ତା । ଇମିତି ମୋତେ ଏକୁଟିଆ କିଛି ସମୟ ରହିବାକୁ ପଡ଼ିବ । ତୁମେ ଡେକ୍‌ଚି, କରେଇ ଯାହାସବୁ ମଜାହେବା ଦରକାର, କାଢ଼ି ବାହାରେ ରଖି ଦେଇଥିବ । ତୁମେ ଉଠିଲାବେଳକୁ ମୁଁ ସେ ସବୁ ମାଜି, ଘରଦ୍ୱାର ଓଳାଇ, ପାଣି ଭର୍ତ୍ତିକରି ଦେଇଥିବି । ପରିବା ମଧ୍ୟ କାଟି ଥୋଇ ଦେଇଥିବି । ତୁମେ ସକାଳୁ ଉଠି ଜଳଖିଆ କରି ବାବୁଙ୍କୁ ଦେଇ, ସେହି ଚୁଲିରେ ରୋଷେଇ ବସେଇ ଦେବ । ରୋଷେଇ ନଅଟା, ସାଢ଼େ ନଅଟାବେଳକୁ ସରିଗଲେ ଦୋକାନ ଚାଲିଯିବ । ବାବୁ ଆଗରୁ ଯାଇ ଦୋକାନ ଖୋଲିଥିବେ । ଦୋକାନରୁ ଫେରିଲେ ଖିଆପିଆ ହେବ ।

 

ତୁମେ ପାଣି ଅଣା, ଘର ଓଳିଆ, ଡେକ୍‍ଚି, କରେଇ ମଜା, ଏତେ କାମକୁ ପାରିବ ସାନଅପା ? ଭରତ ବିସ୍ମିତ କଣ୍ଠରେ ପଚାରିଲେ ।

 

ଯୁବତୀଟି କହିଲା–ହଁ ମୁଁ ପାରିବି । ଏ ତ ନିଜ ଘରକାମ, କରିବାରେ ଅସୁବିଧା କ’ଣ ଅଛି ?

 

ଭରତ କହିଲେ–ତେବେ ସାନଅପାମ, ଗୋଟିଏ କାମ କରିବା । ମୁଁ ସକାଳୁ ଜଳଖିଆ କରିଦେବି । ବାବୁ, ତୁମେ, ମୁଁ ଖାଇଦେବା । ମୁଁ ଚାଲିଯିବି ବାବୁଙ୍କ ସାଙ୍ଗେ ଦୋକାନକୁ । ସେନୁ ଟିକିଏ ବେଗାବେଗି ଆସି ରୋଷେଇ କରିଦେବି ତେଣୁ ଗରମ ଗରମ ସମସ୍ତେ ଖାଇବା ।

 

ହେମକାନ୍ତ କହିଲେ–ତେବେ ସେୟା କର ।

 

ଯୁବତୀଟି କହିଲା–ହଉ, ବରଂ ତୁମେ ଭରତ ଯାହା କରୁଛ, ସେମିତି କଲେ ଭଲ ହେବ-

 

ଭରତ ନିଜ ପ୍ରସ୍ତାବଟି ରହିବା ଫଳରେ ଖୁସି ହୋଇ କହିଲେ–ସାନଅପାମ, ମୁଁ ବାବୁଙ୍କ ସହିତ ସକାଳୁ ସକାଳୁ ବଜାରକୁ ଗଲେ ଫେରିଲାବେଳକୁ ତଟକା ପନିପରିବା, ମାଛ ଧରି ଫେରିବି-। ଇମିତି ବାସୀ ପରିବା, ମାଛରେ ତରକାରୀ ହେଉଥିଲାନା !

 

‘‘ମୋତେ ନିଦ ଲାଗିଲାଣି । ମୁଁ ଶୋଇବାକୁ ଯାଉଛି ଭରତ । ତୁମେ ଖାଇଦେଇ କବାଟ, ଝରକା ଦେଇ ଶୋଇବ’’ କହି ହେମକାନ୍ତ ଶୋଇବାଘରକୁ ଗଲେ । ତାଙ୍କ ଆଗେଆଗେ ଯୁବତୀଟି ଶୋଇବାଘରକୁ ପଶିଗଲା । ହେମକାନ୍ତ ଭିତରୁ କବାଟ ଦେଉ ଦେଉ କହିଲେ–ତୁମ ବୁଦ୍ଧିକୁ ଧନ୍ୟବାଦ ନ ଦେଇ ରହି ହେଉ ନାହିଁ ଲକ୍ଷ୍ମୀ ! ଦୋକାନରେ କାମ ବେଶୀ ପଡ଼ୁଥିବାରୁ ମୁଁ ମଧ୍ୟ ଅନ୍ୟ ଗୋଟିଏ ଲୋକ ରଖିବାପାଇଁ ଖୋଜୁଥିଲି ।

 

ମୁଁ କିମିତି ତୁମ ମନକଥା ଜାଣିଲି, ଦେଖିଲ ? ଯୁବତୀଟି ହସି ହସି କହିଲେ ।

 

ହେମକାନ୍ତ ଯୁବତୀଟିର କାନକୁ ଡାହାଣ ହାତ ଆଙ୍ଗୁଠିରେ ଧରି ଟିକିଏ ହଲାଇ ଦେଇ କହିଲେ–ତୁମ ଭଳି ବୁଦ୍ଧିମତୀ ଆଉ ଭବିଷ୍ୟତବକ୍ତା ମିଳିବା କଷ୍ଟକର ଲକ୍ଷ୍ମୀ !

 

ଯୁବତୀଟି ହେମକାନ୍ତଙ୍କର ଛାତି ପାଖକୁ ଲାଗି ଆସି ତାଙ୍କ ଓଠକୁ ହଲାଇ ଦେଇ କହିଲା–ଲକ୍ଷ୍ମୀ ନୁହେଁ, ହେମଲତା ।

 

‘ହେମଲତା’, ‘ହେମଲତା’ କହୁ କହୁ ହେମକାନ୍ତ ଭାବବିହ୍ୱଳ ହୋଇ ପଡ଼ିଲେ । ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଆସିଲା । ସେ ଦୁଇ ହାତରେ ଯୁବତୀଟିର ଖୋଲା କେଶଗୁଡ଼ିକ ଆହୁରି ଅଲଗା କରି ନିଜ ଛାତି ଉପରକୁ ତା’ର ମୁହଁଟିକୁ ଟାଣିଆଣିଲେ । ହେମକାନ୍ତଙ୍କର ଆଖି ଆପେଆପେ ମୁଦି ହୋଇ ଆସିଲା । ସେ ଭାବୁଥିଲେ ଲକ୍ଷ୍ମୀଙ୍କୁ ବିବାହ କରିବା ପରେ ଆଜି ଦୋକାନରୁ ଫେରିବାପରେ ମନରେ ଯେଉଁ ଆନନ୍ଦ, ତୃପ୍ତି, ସନ୍ତୋଷ ଅନୁଭବ କରୁଛନ୍ତି, ତାହା ସତ୍ୟ ନା ସ୍ୱପ୍ନ ! ସେ ଯୁବତୀଟି ପାଖରେ ଠିଆହୋଇ ଆଖି ମୁଦିଥିବା ଅବସ୍ଥାରେ ନିଜର ସ୍ଥିତିକୁ ଅନୁଭବ କରି ପାରୁ ନଥିଲେ ।

 

ଯୁବତୀଟି ହେମକାନ୍ତଙ୍କ ଛାତିରେ ମୁହଁ ଘଷି ଘଷି କହିଲେ–ତୁମକୁ ପରା ନିଦ ଲାଗୁଥିଲା ? ଆସ ଶୋଇ ପଡ଼ିବ ।

 

ଯୁବତୀଟି ହେମକାନ୍ତଙ୍କୁ ଶୋଇବା ଖଟ ଉପରକୁ ହତ ଧରି ନେଇଗଲେ । ହେମକାନ୍ତ ଶୋଇଲାରୁ ପାଦତଳେ ଥିବା ଚଦରଟି ତାଙ୍କ ଉପରେ ଘୋଡ଼ାଇ ଦେଇ, ସେହି ଚଦର ଭିତରେ ପଶିଯାଇ ହେମକାନ୍ତଙ୍କ ଛାତିରେ ମୁହଁଟି ରଖି ନିଜେ ଶୋଇଗଲା ।

 

–ବାର–

 

କେଶବବାବୁ ଶଗଡ଼ ନେଇ ଚନ୍ଦନ ନଗର ବଜାରରେ ପହଞ୍ଚିଲେ । କାନ୍ତି ଓ ବାସନ୍ତୀଙ୍କ ପିଲାମାନଙ୍କ ପାଇଁ ହେମକାନ୍ତ କିଛି ମିଠା, ସେଉ ଗାଣ୍ଠିଆ ବାରମଜା, ପେଡ଼ା କିଣି ଦେଲେ । ରାତି ଅଧିକ ହୋଇଯିବ ବୋଲି ବଜାରରେ କେଶବବାବୁ ଅଧିକ ସମୟ କଟାଇଲେ ନାହିଁ । ହେମକାନ୍ତ ସେହି ଶଗଡ଼ ଉପରେ ଜଳଖିଆ ଦୋକାନରୁ ଚା ତିନୋଟି ଆଣି ବଢ଼ାଇ ଦେଲେ । ଚା ଖାଇ ସାରିବା ପରେ ହେମକାନ୍ତଙ୍କ ଠାରୁ ବିଦାୟ ନେଇ କାନ୍ତି, ବାସନ୍ତୀ କେଶବବାବୁ ଶଗଡ଼ରେ ବସି ତାଙ୍କ ଗାଁକୁ ଚାଲିଗଲେ ।

 

ହେମକାନ୍ତଙ୍କ ଗ୍ରାମ ଠାରୁ ଲକ୍ଷ୍ମୀଙ୍କ ଗ୍ରାମ ପାଞ୍ଚ କିଲୋମିଟର ଦୂର । ମଙ୍ଗଳପୁର ଠାରୁ ଚନ୍ଦନ ବଜାର ରାସ୍ତାରେ ଅଳ୍ପଦୂର ଯାଇ ତା’ପରେ କଚା ମାଟି ସଡ଼କ ଧରି ହର ପ୍ରତାପପୁରକୁ ଯିବାକୁ ହୁଏ । ସେ ରାସ୍ତାଟିରେ ଅନ୍ୟ ରାସ୍ତା ଭଳି ଏତେ ଜନ ସମାଗମ ହୁଏ ନାହିଁ । ଲୋକେ ବଜାର ହାଟ ଦିନ ଥାଉ ଥାଉ ଥାଉ ସାରି ଗାଁକୁ ଚାଲି ଯାଆନ୍ତି । ଏହି ବାଟରେ ତିନଟି ମଶାଣି ପଡ଼େ । ପ୍ରଥମେ ପଡ଼େ ହେମକାନ୍ତଙ୍କ ଗାଁ ମଙ୍ଗଳପୁରର ଶ୍ମଶାନ । ତା’ପରେ କିଛି ଦୂର ଗଲେ ଶଙ୍କରପୁର ଗାଁ ଶ୍ମଶାନ । ଶେଷରେ ପଡ଼େ ଲକ୍ଷ୍ମୀଙ୍କ ଗାଁ ହର ପ୍ରତାପପୁର ଶ୍ମଶାନ । ଏହି ତିନଟି ଶ୍ମଶାନ ଯୋଗୁଁ ଲୋକେ ଏ ରାସ୍ତାରେ ରାତିରେ ଏକୁଟିଆ ଯିବାକୁ ଟିକିଏ ଶଙ୍କା କରନ୍ତି; ଅବଶ୍ୟ ଦିନରେ ଏକୁଟିଆ କିମ୍ୱା ରାତିରେ ଦୁଇ ତିନି ଜଣ ହୋଇଗଲେ କିଛି ଡର ଭୟ ଲାଗେ ନାହିଁ ।

 

ସନ୍ଧ୍ୟା ହୋଇ ଆସିଲାଣି । ଲକ୍ଷ୍ମୀ ଏକୁଟିଆ ସେହି ରାସ୍ତାରେ ବାପଘରକୁ ଚାଲିଛନ୍ତି । ମନରେ ତାଙ୍କର ନିଜ ସଉତୁଣୀ ଭଳି ବାଦ ସାଧୁଥିବା ଯୁବତୀଟି ପ୍ରତି ଯେତିକି ଘୃଣା, ଈର୍ଷା, ହିଂସା ପ୍ରକାଶ ପାଉଛି ହେମକାନ୍ତଙ୍କ ପ୍ରତି ସେତିକି କ୍ରୋଧ ଜାତ ହେଉଛି । ନିଜ ବାପ ମା’ଙ୍କ ପ୍ରତି କ୍ରୋଧ, ଅଭିମାନର ମଧ୍ୟ ସୀମା ରହୁନାହିଁ । ଝିଅ ଯଦି ବାପା, ବୋଉଙ୍କର ଏତେ ବୋଝ ହେଉଥିଲା, ତେବେ ପିଲାଦିନରୁ ତଣ୍ଟି ଚିପି ମାରି ଦେବା ବରଂ ଉଚିତ ଥିଲା, ଝିଅ ଜନ୍ମକରି ଅଠର, କୋଡ଼ିଏ ପର୍ଯ୍ୟନ୍ତ ସ୍ନେହ, ଶ୍ରଦ୍ଧା, ମମତା ଦେଇ ଚାରାଗଛଟିକୁ ବଢ଼ାଇବା ଭଳି ପାଳି, ବଢ଼ିଲା ଗଛଟିକୁ ଜାଳେଣି କାଠ ବ୍ୟବସାୟୀ ହାତରେ ସମର୍ପି ଦେବାରେ କେଉଁ ବା ଯଶ ? ହେମକାନ୍ତଙ୍କ ଘର ତାଙ୍କପାଇଁ ବର୍ତ୍ତମାନ ଏକ କଂସେଇ ଖାନା ହୋଇଛି । କଂସେଇ ଯେପରି ଦୁଇ ଚାରିଟି ଛେଳି ମାରି ଚମଡ଼ା ଉତ୍ତାରି ତାଙ୍କ ଦେହରୁ ମାଂସ କାଟି ବିକ୍ରି କରୁଥିବାବେଳେ ପାଖରେ ପରେ ହାଣି ବିକିବାପାଇଁ ଯେଉଁ ଦୁଇ ଚାରିଟି ଜୀବନ୍ତ ଛେଳିଙ୍କୁ ବାନ୍ଧିଥାଏ, ସେମାନଙ୍କର ମନର, ଶରୀରର ଅବସ୍ଥା ଯାହା ହୁଏ, ହେମକାନ୍ତଙ୍କ ଘରେ ନିଜ ଅବସ୍ଥା ତାଙ୍କର ସେୟା ହେଉଛି । ଲକ୍ଷ୍ମୀ ମନେମନେ ସ୍ଥିର କଲେ, ତାଙ୍କ ସ୍ୱାମୀଙ୍କ ଘରେ ଯାହାସବୁ ଘଟଣା ଘଟୁଛି, ବୋଉ ବାପାଙ୍କ ଆଗେ ଖୋଲିକରି ସବୁ କହିବେ । ସେମାନେ ଯଦି ଏହାର କୌଣସି ପ୍ରତିକାର ନ କରନ୍ତି, କିମ୍ୱା ତାଙ୍କ ଉପରେ ଓଲଟି ବିରକ୍ତ ହୁଅନ୍ତି, ତେବେ ଘର ଛାଡ଼ି ସବୁଦିନ ପାଇଁ ଚାଲିଯିବେ । କୋଟି କୋଟି ଲୋକଙ୍କୁ ଭଗବାନ ଜନ୍ମ ଦେଇ ଆହାର ଯୋଗାଇଛନ୍ତି, ତାଙ୍କପାଇଁ କ’ଣ ଏ ସଂସାରରେ ଆହାର ରଖି ନାହାନ୍ତି ? ଚେଷ୍ଟା କରିବେ । କେଉଁଠି ଚାକିରିବାକିରି କିମ୍ୱା କାହାଘରେ କାମ କରି ପେଟ ପୋଷିବାକୁ । ଯଦି ସେମିତି ସୁବିଧା ନ ମିଳିବ, ତେବେ ଜହର, ନଈ, ପୋଖରୀରତ ଅଭାବ ନାହିଁ ।

 

ଆତ୍ମହତ୍ୟା କଥା ଭାବିଲାବେଳକୁ ଲକ୍ଷ୍ମୀଙ୍କ ଦେହ ଶୀତେଇ ଉଠିଲା, ଲୋମମୂଳଗୁଡ଼ିକ ଟାଙ୍କୁରି ଗଲା । ସେ ପ୍ରକୃତିସ୍ଥ ହୋଇ ଗାଁ ଦେବୀ ମଙ୍ଗଳାଙ୍କୁ ମନେମନେ ସ୍ମରଣ କରିବାରେ ଲାଗିଲେ । କହିଲେ–ମା’, ମୁଁ ଅପରାଧୀ ନୁହେଁ । ମୁଁ କାହାରି ଏପର୍ଯ୍ୟନ୍ତ କିଛି କ୍ଷତି କରିନି । ହେତୁ ପାଇବା ଦିନୁ ତତେ ତୋର ପିଲା ଝିଅଟି ଭଳି ଡାକି ଆସିଛି । ଆପଦ, ବିପଦ, ଭଲମନ୍ଦରେ ମଧ୍ୟ ପାଖରେ ତୁ ଠିଆ ହୋଇଛୁ । ମୋତେ ଏ ବିପଦରୁ ଉଦ୍ଧାର କର ମା’ ! ମୋର ମାନସିକ ଅଶାନ୍ତି ଦୂରକର ।

 

କୁଆଡ଼େ ଯିବୁ ମା’ ? ପଛରୁ ଏହି ଡାକରେ ଲକ୍ଷ୍ମୀ ଚମକି ପଡ଼ିଲେ । ତାଙ୍କର ଚିନ୍ତା, ଭାବନା, ଅନ୍ୟମନସ୍କତା ଘାସ ଉପରେ ପଡ଼ି ମୁକ୍ତାଭଳି ଝଟକୁଥିବା କାକର ବିନ୍ଦୁଗୁଡ଼ିକ ସକାଳର ସୂର୍ଯ୍ୟ କିରଣରେ ଉଭେଇ ଗଲା ପରି କେଉଁଆଡ଼େ ଉଭେଇ ଗଲା । ସେ ଆଶ୍ଚର୍ଯ୍ୟ ହୋଇ ପଛକୁ ଚାହିଁଲେ । ରାସ୍ତାର ଆଗ ପଛରେ କେହି ନାହାନ୍ତି । ଜନଶୂନ୍ୟ ରାସ୍ତା ଆଗରେ ଶଙ୍କରପୁର ଗାଁ ଦେଖା ଯାଉଛି । ରାସ୍ତାର କିଛି ଦୂରରେ ଶଙ୍କରପୁର ଶ୍ମଶାନ । ଗାଁରେ କେହି ମରିଥିଲାନା କ’ଣ, ଲୋକେ ଶବସଂସ୍କାର କରି ଫେରି ଯାଇଛନ୍ତି । ମୁଣ୍ଡା କାଠଗୁଡ଼ିକ ଦେହରୁ ଏପର୍ଯ୍ୟନ୍ତ ନିଆଁ ଲିଭି ନାହିଁ । ଜିକ୍‌ ଜିକ୍‌ ହୋଇ ଜଳୁଛି । ମନରେ ଲକ୍ଷ୍ମୀଙ୍କର ଭୟ, ଆଶଙ୍କା ଉଦ୍‌ବେଗ, ଶିହରଣ ଦେଖା ଦେଲା । ହଠାତ୍‌ ତାଙ୍କ ପାଟିରୁ ବାହାରି ଆସିଲା–ହର ପ୍ରାସାଦପୁରକୁ ଯିବି ।

 

ମୁଁ ମଧ୍ୟ ସେହି ପାଖ ଗ୍ରାମ ହରପ୍ରସନ୍ନପୁରକୁ ଯିବି । ଚାଲେ ଝିଅ ସାଙ୍ଗ ହୋଇ ଯିବା । ପଛରେ ଆସୁଥିବା ବୁଢ଼ୀଟି କହିଲେ ।

 

ତୁମ ଘର କ’ଣ ସେହି ଗାଁରେ ମାଉସୀ ? ଲକ୍ଷ୍ମୀ ଟିକିଏ ରହି ପଚାରିଲେ ।

 

ବୁଢ଼ୀଟି ଲକ୍ଷ୍ମୀଙ୍କ ଆଗକୁ ଆସୁ ଆସୁ କହିଲେ–ହଁ ଝିଅ ସେହି ଗାଁରେ ।

 

‘‘କୁଆଡ଼େ ଯାଇଥିଲ ?’’ ଲକ୍ଷ୍ମୀ ପଚାରିଲେ ।

 

ବୁଢ଼ୀଟି ଦୀର୍ଘ ନିଃଶ୍ୱାସ ପକାଇ କହିଲେ–ସେ ଦୁଃଖ ତତେ କ’ଣ କହିବି ଝିଅ । ଦୁଇବର୍ଷ ତଳେ ମୋ ଝିଅ ସେବତୀକୁ ଶୋଭନାପୁରରେ ବିଭା ଦେଇଥିଲି । ଗୋଟିଏ ବୋଲି ଝିଅ-। ବାପ ତା’ର ନାହିଁ । ମୋର ଯାହା ସୁନା, ରୁପା ଅଳଙ୍କାର, କଂସା ବାସନ, ଗାଈବାଛୁରୀ ଥିଲା ସବୁ ଝିଅ ଜୋଇଁକୁ ବିଭାବେଦୀରେ ଦେଇ ଦେଇଥିଲି । ଏପରିକି ମୋ ନାମରେ ଦୁଇମାଣ ନାଳକୂଳିଆ ଧାନ ଜମି ଥିଲା, ତାକୁ ମଧ୍ୟ ଝିଅ ନାଁରେ କରିଦେଲି । ଜୋଇଁ ଏତେ ନେଇ ମଧ୍ୟ ଖଣ୍ଡିଏ ରାଲେ ସାଇକେଲ୍ ପାଇଁ ଜିଦ୍ ଧରି ବସିଲା । ତାକୁ ହାତ ଗୋଡ଼ ଧରିଲା ପରି କହିଲି–ତୁମକୁ ତ ଯାହା ମୋର ସମ୍ପତ୍ତି ଥିଲା ସବୁ ଦେଲି । ମୁଁ ନିରାଶ୍ରୀ ବୁଢ଼ୀ । ତୁମେ ମୋର ପୁଅ ଝିଅ । ମୁଁ କେଉଁଠୁଁ ଆଉ ପଇସା ଆଣିବି ଯେ, ସାଇକେଲ୍‍ଟିଏ ଦେବି ? ମାତ୍ର ଜୋଇଁଙ୍କର ଏକା ଜିଦ୍ ସାଇକେଲ୍ ଖଣ୍ଡିଏ ନେବାକୁ ।

 

‘‘ଜୋଇଁ ତୁମର କ’ଣ କରନ୍ତିକି ମାଉସୀ ?’’ ଲକ୍ଷ୍ମୀ ବୁଢ଼ୀଙ୍କ ପଛେ ପଛେ ଯାଉ ଯାଉ ପଚାରିଲେ ।

 

‘‘ଜୋଇଁ କାହା ଦୋକାନରେ ରହି ବିକ୍ରିବଟା କରନ୍ତି । କ’ଣ ‘ସଲସମନ’’ (ସେଲସ୍‌ ମ୍ୟାନ) କହୁଛନ୍ତି ।’’ ବୁଢ଼ୀ କହିଲେ–ମୋ ପାଟିରେ ଆଜିକାଲିର ନୂଆ ନୂଆ କଥା ପଶୁନିଲୋ ଝିଅ-

 

ଦୋକାନରେ ରହି ବିକ୍ରିବଟା କରୁଛନ୍ତି । ଟଙ୍କା ପଚାଶ କି ଶହେ ପାଉଥିବେ । ଏଥିରେ ପୁଣି ତାଙ୍କର ଏତେ ଦାବି ? ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

‘‘କ’ଣ କରିବି ଝିଅ । ସେବତୀର ପୁଅଟିଏ ଚାରିମାସର । ସାଇକେଲ୍ ଖଣ୍ଡିକ ନ ଦେଇ ପାରିଲି ବୋଲି ଝିଅକୁ ମୋର ମାସେ ହେଲା ମାଡ଼ ମାରି ଘରୁ ତଡ଼ି ଦେଇଥିଲା ।’’ ବୁଢ଼ୀ କହୁ କହୁ କାନ୍ଦି ପକାଇଲେ । କଣ୍ଠ ତାଙ୍କର ଦୁଃଖରେ ରୁଦ୍ଧ ହୋଇ ଆସିଲା ।

 

ଲକ୍ଷ୍ମୀଙ୍କ ତୁଣ୍ଡରୁ ବିସ୍ମୟରେ ବାହାରି ଆସିଲା–‘‘ଆଚ୍ଛା’’ !

 

‘‘ଝିଅ ମୋର କାନ୍ଦି କାନ୍ଦି ଘରକୁ ମୋର ପଳାଇ ଆସିଲା । ଖାଇଲାନି, ପିଇଲାନି । ସବୁବେଳେ ବସି ଆଖିରୁ ଲୁହ ଗଡ଼ାଇଲା । ବେଳେବେଳେ ମୋ ହୃଦୟକୁ ବାଧିଲା ଭଳି କଥାମାନ କହିଲା–ଦେଇ ନେଇ ପାରିବାର ଯଦି ତୋର ଶକ୍ତି ନଥିଲା, ତେବେ ମୋତେ ବାହା କରୁଥିଲୁ କାହିଁକି ? ତୋତେ କ’ଣ ଜହର କି ବିଷ କିଛି ମିଳିଲାନି, ବାଟି ରାତିରେ ମୋତେ ପିଆଇ ଦେଲୁନି-?’’ ବୁଢ଼ୀ କହୁ କହୁ ଥକ୍କା ମାରି ଠିଆ ହୋଇଗଲେ ।

 

‘‘ତା’ପରେ କ’ଣ କଲ ମାଉସୀ ?’’ ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ । ସେତେବେଳକୁ ଲକ୍ଷ୍ମୀ ନିଜ ସ୍ୱାମୀଙ୍କ ଘରୁ ପଳାଇ ଆସି ବାପଘରକୁ ଯାଉଛନ୍ତି ବୋଲି ପାସୋରି ଯାଇଥିଲେ ।

 

ବୁଢ଼ୀ କହିଲେ–‘‘କ’ଣ କରିବି ଝିଅ । ଘର ଖଣ୍ଡିକ ଶେଷ ସମ୍ୱଳ ଥିଲା । ମରିଥିଲେ ସେହି ଝିଅ ଜୋଇଁ ପାଇଥାନ୍ତେ । ସେହି ଘରଖଣ୍ଡି ଗାଁ ମହାଜନ ପାଖେ ବନ୍ଧା ଥୋଇ କାଲି ଆଠଶହ ଟଙ୍କା ଆଣିଲି । ଆଜି ସକାଳେ ଟଙ୍କା ଧରି ଜୋଇଁଙ୍କ ଘରକୁ ଯାଇଥିଲି । ଜୋଇଁଙ୍କୁ ଟଙ୍କା ସାଇକେଲ୍ କିଣିବାପାଇଁ ଦେଇ ଓଠ, ହାତ ଧରି ମୋ ଅବସ୍ଥା କହି ଆସିଲି ।’’ ବୁଢ଼ୀଙ୍କର ଛାତି ଥରାଇ ଦୀର୍ଘ ନିଃଶ୍ୱାସଟିଏ ବାହାରି ଆସିଲା ।

 

‘‘ତୁମ ଝିଅ, ନାତି ଇଲେ କେଉଁଠି ମାଉସୀ ?’’ ଲକ୍ଷ୍ମୀ ପଚାରିଲେ ।

 

‘‘ମୋରି ଘରେ ଅଛନ୍ତି ଝିଅ ।’’ ବୁଢ଼ୀ ପୁଣି ଆଗକୁ ଚାଲୁ ଚାଲୁ କହିଲେ ।

 

‘‘ଘରକୁ ମହାଜନ ପାଖରେ ବନ୍ଧା ପକାଇବା ପାଇଁ ଏତେ ତରତର ହେଲ କାହିଁକି ମାଉସୀ ? ଝିଅ, ନାତି ତ ଘରେ ଥିଲେ । କିଛିଦିନ ରହିଥାନ୍ତେ । ଧୀରେ ସୁସ୍ଥେ ପରିସ୍ଥିତି ଦେଖି ଯାହା କରିଥାନ୍ତ । ଜୋଇଁଙ୍କର ମନ ଏଥିମଧ୍ୟରେ ହୁଏତ ପରିବର୍ତ୍ତନ ହୋଇଯାଇଥାନ୍ତା ।’’

 

‘‘ଦଶମାସ ଗର୍ଭରେ ଧରି ସେବତୀକୁ ତ ଜନ୍ମ କରିଛି ଝିଅ ! କିମିତି ତା’ ଆଖିର ଲୁହ ସବୁବେଳେ ଦେଖି ସହିବି କହୁନୁ ? ହସଖୁସିରେ ଭଲ, ମନ୍ଦବେଳେ ଝିଅ ଜୋଇଁ ଆସିଲେ, ଚାରି ଆଠଦିନ ରହିଲେ, ଗଲେ, ସେ ଅଲଗା କଥା । ମାତ୍ର ଏଇ ସାଇକେଲ୍, ଘଡ଼ି, ରେଡ଼ିଓପାଇଁ ଦାବି କରି ଦିନ ଦିନ ଧରି ଘରେ ଅଶାନ୍ତି ସୃଷ୍ଟି ହେବ, ଜୋଇଁ ସବୁବେଳେ ଝିଅକୁ ମୋର ମାଡ଼ ଗାଳି ଦେବ, ଘରୁ ମାସରେ ପାଞ୍ଚଥର ବାହାର କରି ଦେଉଥିବ, ଝିଅ ମୋର ସବୁବେଳେ କୋହରେଇ ହୋଇ କାନ୍ଦୁଥିବ, ଦେଖି ସହି ହେବ ଝିଅ ?’’ ବୁଢ଼ୀ କହୁ କହୁ ବଡ଼ ବିମର୍ଷ ହୋଇ ପଡ଼ିଲେ । ପୁଣି ଥକ୍କା ମାରି ରାସ୍ତାରେ ଠିଆ ହୋଇଗଲେ ।

 

ଟଙ୍କା ପାଇ ଜୋଇଁ ତୁମର କ’ଣ କହିଲେ ମାଉସୀ ? ଲକ୍ଷ୍ମୀ ଠିଆ ହୋଇ ପଚାରିଲେ ।

 

କହିବ ଆଉ କ’ଣ ? ଟଙ୍କାତକ ବାକ୍‌ସରେ ରଖିଲା । ମୋପାଇଁ ଜଳଖିଆ ଚା ଆଣି ଦେଲା ।

 

ତୁମେ ଖାଇଲ ?

 

‘‘କ’ଣ ଆଉ କରିବି ? ପାଣି ଛୁଇଁବାକୁ ଇଚ୍ଛା ହେଉ ନଥିଲା । ହେଲେ ଝିଅତ ଦେଇଛି । ତା’ ମନ ଉପରେ ମୋ ଝିଅର ଭବିଷ୍ୟତ ତ ନିର୍ଭର କରୁଛି । ତଳ ଉପରକୁ ଚାହିଁଲି । ଯେତେ ମନ ପୋଡ଼ିଜଳି ଯାଉ ପଛେ, ଉପରମୁହଁରେ ତ ପୁଣି କେତେକ କାମ କରିବାକୁ ହେବ । ଜଳଖିଆ, ଚା ଖାଇଲି । ହାତ ଧରି କହିଲି । ଝିଅ ମୋର ପିଲା ମଣିଷ । ତୁମେ ତା’ ଉପରେ ଆଉ ଜୁଲମ କରିବନି । ଶେଷ ସମ୍ୱଳ ହୋଇ ଯେଉଁ ବାସଘର ଖଣ୍ଡେ ଥିଲା, ତାକୁ ଶେଷରେ ବନ୍ଧା ପକାଇ ଦେଲି । ଏଣିକି ତୁମ ଦୟା, ମୋ ଭାଗ୍ୟ । ପିଲାଟିଏ ତୁମର ହେଲା । ତାଙ୍କ ଭବିଷ୍ୟତ ଦେଖ । ଝିଅକୁ ସବୁବେଳେ ବାଡ଼ିଆପିଟା କଲେ ସେ ରୋଗଣୀ ହେବ କି ଆତ୍ମହତ୍ୟା କରିବ । ତୁମର କ୍ଷତି ଘଟିବ । ମୋତେ ଆଉ ଦୋଷ ଦେବ ନାହିଁ । ମୋ ଶକ୍ତି, ସମ୍ୱଳ ସାମର୍ଥ୍ୟକୁ ଚାହିଁ, ମୁଁ ଯାହା କରିବାର କଥା କରିଗଲି ।

 

କ’ଣ ଜୋଇଁ ପୁଣି କହିଲେ–ଲକ୍ଷ୍ମୀ ପଚାରିଲେ ।

 

‘‘କହିଛନ୍ତି ତ, ଦୁଇଦିନ ଭିତରେ ଆସି ଝିଅ, ନାତିକୁ ନେଇଯିବେ । କ’ଣ କରୁଛନ୍ତି, ତାଙ୍କ ଇଚ୍ଛା ।’’ ବୁଢ଼ୀ ଠାକୁରଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ଆକାଶକୁ ଚାହିଁ ନମସ୍କାର କଲେ । ପୁଣି ଆଗକୁ ଚାଲିଲେ ।

 

କିଛି ଦୂର ଯିବାପରେ ଗୋଟିଏ ବଡ଼ ବରଗଛ ପଡ଼ିଲା । ସେଇଠି ରାସ୍ତାଟି ଦୁଇଭାଗ ହୋଇ ଯାଉଛି ଗୋଟିଏ ରାସ୍ତା ଯାଇଛି ହରପ୍ରସାଦପୁର ଗାଁକୁ, ଅନ୍ୟ ରାସ୍ତାଟି ଯାଇଛି ହରପ୍ରସନ୍ନପୁରକୁ । ସେହି ଛକଠାରୁ ହରପ୍ରସାଦପୁର ମାତ୍ର ଡାକେବାଟ । ସେତେବେଳକୁ ରାତି ପହରେ ହୋଇଯାଇଥିଲା । ଗାଁର ଆଲୁଅ ମଧ୍ୟ ଛକ ଜାଗାଟିକୁ ଦେଖା ଯାଉଥିଲା ।

 

ଲକ୍ଷ୍ମୀ କହିଲେ–ମାଉସୀ, ତୁମେତ ଏଇଠୁ ହରପ୍ରସନ୍ନପୁର ଗ୍ରାମକୁ ଯିବ ।

 

‘ହଁ, ହେଲେ, ତୁ ଭୁଆସୁଣୀ । ତୋତେ ଏକୁଟିଆ ଛାଡ଼ି ଦେଇ ଯିବି କୁଆଡ଼େ ? ଚାଲେ, ତୋ ଘର ପାଖରେ ତୋତେ ଛାଡ଼ି ଦେଇ ଆସିବି ।’’ ବୁଢ଼ୀ ହରପ୍ରସାଦପୁର ଗ୍ରାମ ଆଡ଼କୁ ଚାଲିଲେ-

 

ଲକ୍ଷ୍ମୀ ପଛେ ପଛେ ବୁଢ଼ୀଙ୍କର ଯାଉ ଯାଉ କହିଲେ–ନାଇଁମ ମାଉସୀ, ମୁଁ ଏଥର ଆମ ଘରକୁ ଚାଲିଯିବି । ଗାଁ ତ ଦିଶୁଛି । ଆଉ ଡର ଭୟ କ’ଣ ?

 

ବୁଢ଼ୀ କିଛି ଶୁଣିଲେ ନାହିଁ । କିଛି ଦୂର ଯିବାପରେ ହରପ୍ରସାଦପୁର ଗ୍ରାମଦେବତୀ ମଙ୍ଗଳା ଠାକୁରାଣୀଙ୍କର ମନ୍ଦିର ପଡ଼ିଲା । ବୁଢ଼ୀ ମୁଣ୍ଡିଆ ମାଇଲେ, ଲକ୍ଷ୍ମୀ ମଧ୍ୟ ମୁଣ୍ଡିଆ ମାରି ମନେମନେ ତାଙ୍କ ଦୁଃଖ ଜଣାଇଲେ । ଆଖିରୁ ତାଙ୍କର ଦୁଇଧାର ଲୁହ ଗଡ଼ି ଆସିଲା ।

 

ବୁଢ଼ୀ କହିଲେ–ମୁଁ ଯାଉଛି ମା’ ! ତୁମ ଘର ଏଇ ପାଖରେତ ?

 

ଲକ୍ଷ୍ମୀ ପ୍ରକୃତିସ୍ଥ ହେଲେ । ଆଖିରୁ ଲୁହ ପୋଛି କହିଲେ–ହଁ, ପ୍ରଥମ ପାଞ୍ଚଟି ଘର ଛାଡ଼ି ଆମ ଘର ।

 

ବୁଢ଼ୀ ବିଦାୟ ନେଇ ଚାଲିଗଲେ । ଲକ୍ଷ୍ମୀ ବାଡ଼ିପଟ ରାସ୍ତାରେ ଯାଇ ବାଡ଼ିଘର ଦୁଆରେ ପହଞ୍ଚି କବାଟ ଠକ୍‌ ଠକ୍‌ କଲେ ।

 

ଲକ୍ଷ୍ମୀଙ୍କ ବୋଉ ରାତିରେ ଖାଇବାପାଇଁ ତରକାରୀ ଓହ୍ଲାଇ ଭାତ ବସାଉଥିଲେ । ଭାତହାଣ୍ଡିରେ ଚାଉଳ ପକାଉ ପକାଉ କହିଲେ–‘‘ଏତେ ରାତିରେ ବାଡ଼ିପଟ କବାଟରେ କିଏ ଠକ୍‌ ଠକ୍‌ କରୁଛି ?’’ ଠକ୍‌ ଠକ୍‌ ଶବ୍ଦ ଟିକିଏ ଜୋରରେ ହେବାରୁ ହାତରେ ଡିବିଟାକୁ ଧରି ବାଡ଼ି ଘରକୁ ଯାଇ କବାଟ ଫିଟାଇଲେ । ସେ ହଠାତ୍‌ ଲକ୍ଷ୍ମୀଙ୍କୁ ଦେଖି ବିଶ୍ୱାସ କରିପାରିଲେ ନାହିଁ । ପଥର ପାଲଟି ଗଲା ଭଳି ଠିଆ ହୋଇ ରହିଗଲେ । ଲକ୍ଷ୍ମୀ ଯେତେବେଳେ ‘ବୋଉ’ ବୋଲି କହି କୁଣ୍ଢାଇ ପକାଇ କାନ୍ଦି ଉଠିଲେ, ସେତେବେଳେ ଲକ୍ଷ୍ମୀଙ୍କ ବୋଉ କମଳା ଦାବୀଙ୍କର ସମ୍ବିତ ଫେରି ଆସିଲା-। ସେ ଲକ୍ଷ୍ମୀଙ୍କ ମୁହଁକୁ ଟେକି ବିସ୍ମିତ କଣ୍ଠରେ ପଚାରିଲେ–ଲକ୍ଷ୍ମୀ, ଆଜି ପରା ସାତମଙ୍ଗଳା-!

 

ଲକ୍ଷ୍ମୀ କିଛି କହି ପାରିଲେ ନାହିଁ । ତାଙ୍କ କଣ୍ଠ କୋହ ଓ ଦୁଖରେ ରୁଦ୍ଧ ହୋଇ ଆସିଲା । ସେ କେବଳ ଜୋରରେ କାନ୍ଦିଲେ ।

 

ଲକ୍ଷ୍ମୀବୋଉ ଲକ୍ଷ୍ମୀଙ୍କର ଆଖିରୁ ଲୁହ ପୋଛି ନେଇ କହିଲେ–‘‘ଆ, ମା’, ଘରକୁ ଆ, ।’’ ବାଡ଼ି ଘର କବାଟ ବନ୍ଦ କରୁ କରୁ ନିଜ ଆଖିରୁ ବୋହି ଆସୁଥିବା ଲୁହକୁ ଲୁଗା କାନିରେ ପୋଛି ଦେଲେ । କହିଲେ–ଯା, ଶୋଇବାଘର ଆଲଣାରେ ମୋ ଶାଢ଼ି ଅଛି । ବଦଳାଇ ପକା । ଗୋଡ଼ହାତ ଧୋଇ ଟିକିଏ କ’ଣ ଖାଇଦେ । ପରେ କଥାବାର୍ତ୍ତା ହେବା ।

 

ସେତେବେଳକୁ ଲକ୍ଷ୍ମୀଙ୍କ ବାପା ସଦାନନ୍ଦବାବୁ ଓ ବଡ଼ଭାଇ ରବିବାବୁ ଘରେ ନଥିଲେ । ସାନ ଭାଇ, ଭଉଣୀ ଦୁଇଟି ବାହାର ଘରେ ବସି ପଢ଼ୁଥିଲେ ।

 

–ତେର–

 

ଲକ୍ଷ୍ମୀ ଶୋଇବା ଘରୁ ଲୁଗା ବଦଳାଇ ଗୋଡ଼ହାତ ଧୋଇ ରୋଷେଇଘରକୁ ଆସିଲେ । ବୋଉ ତାଙ୍କର ସେହି ରୋଷେଇଘରେ ପଖାଳ, ସକାଳରୁ ଥିବା ମାଛ ଭଜା, ରାତିପାଇଁ କରିଥିବା ତରକାରୀ ବାଢ଼ି ଦେଲେ । ପଖାଳ, ଗଣ୍ଡିକ ଲକ୍ଷ୍ମୀଙ୍କ ପାଟିକୁ ଅମୃତ ଭଳି ଲାଗିଲା । ସେ ପ୍ରତି ଭାତ ଗୁଣ୍ଡା ପାଟିକୁ ନେବାବେଳେ ଅନୁଭବ କରୁଥିଲେ, ତାଙ୍କର ଯେପରିକି ବହୁ ଦିନରୁ ଥିବା କ୍ଷୁଧା ଓ ମନର ଅଶାନ୍ତି କ୍ରମେ ଘୁଞ୍ଚି ଘୁଞ୍ଚି ଯାଉଛି । ଲକ୍ଷ୍ମୀଙ୍କ ବୋଉ ଭାତ ଚୁଲିଟିକୁ ଟିକିଏ ପେଲି ଦେଇ ଆସି ଲକ୍ଷ୍ମୀଙ୍କ ପାଖରେ ବସିଲେ । ଡିବି ଆଲୁଅରେ ଲକ୍ଷ୍ମୀଙ୍କ ମୁହଁକୁ କିଛି ସମୟ ଚାହିଁଲେ । ପଚାରିଲେ–ତୋ ଦେହ କ’ଣ ଭଲ ନଥିଲା ? ମୁହଁ ଇମିତି କଳା କାହିଁକି ପଡ଼ି ଯାଇଛି ?

 

ନାଇଁ ଦେହ ଭଲ ଥିଲା । ଲକ୍ଷ୍ମୀ ହଠାତ୍‌ ବୋଉଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇ ପାରି ନଥିଲେ ।

 

କ’ଣ କଳିକଜିଆ ଲାଗିଲା ?

 

ନାଇଁତ ।

 

‘‘ଆଜି ସାତମଙ୍ଗଳା, ଆଉ ତିନି ଦିନ ଯାଇଥିଲେ ତୋତେ ଭାଇ କି ବାପା କିଏ ଯାଇଥାନ୍ତେ ଆଣିବାକୁ, ପଳାଇ ଆସିଲୁ କାହିଁକି ?’’ କମଳା ବିସ୍ମିତ ହୋଇ ଲକ୍ଷ୍ମୀଙ୍କ ମୁହଁକୁ ଚାହିଁ ପଚାରିଲେ ।

 

ଲକ୍ଷ୍ମୀ ବହୁ କଷ୍ଟରେ ଢୋକ ଗିଳି ଚଉଠି ଠାରୁ ଆଜି ପର୍ଯ୍ୟନ୍ତ ଯାହାସବୁ ଘଟଣା ଘଟିଥିଲା ଗୋଟି ଗୋଟି କରି କହିଗଲେ । ଏହି ସମୟରେ ଲକ୍ଷ୍ମୀଙ୍କ ବାପା ସଦାନନ୍ଦବାବୁ ଆସି ପହଞ୍ଚିଲେ । ବାପାଙ୍କୁ ଦେଖି ଲକ୍ଷ୍ମୀଙ୍କୁ ବଡ଼ ଲାଜ ଲାଗିଲା । ସେ ଖାଇବା ସ୍ଥାନରୁ ଉଠି ଆଖିରୁ ଝରୁଥିବା ଲୁହ ପୋଛି, ମୁହଁ ଧୋଇ ଶୋଇବା ଘରକୁ ଝଡ଼ ଭଳି ପଶିଗଲେ ଏବଂ ଖଟ ଉପରେ ପଡ଼ିଥିବା ତକିଆରେ ମୁହଁ ଗୁଞ୍ଜି କାନ୍ଦିବାରେ ଲାଗିଲେ ।

 

ଲକ୍ଷ୍ମୀଙ୍କ ପାଖରୁ ହେମକାନ୍ତଙ୍କ ଘର ଘଟଣାଗୁଡ଼ିକ ଶୁଣିବା ବେଳଠାରୁ କମଳା ଯେପରିକି ପଥର ପାଲଟି ଯାଇଥିଲେ । ରୋଷେଇଘର କବାଟ ପାଖରେ କେତେବେଳେ ସଦାନନ୍ଦବାବୁ ଆସି ଠିଆ ହୋଇଛନ୍ତି, ତାଙ୍କୁ ଜଣା ନଥିଲା ।

 

ସଦାନନ୍ଦବାବୁ ପଚାରିଲେ–ଘରକୁ କିଏ ଆସିଛନ୍ତିକି ? କାହା ସହିତ ଗପ କରୁଥିଲ ?

 

କମଳାଙ୍କର ସମ୍ବିତ ଫେରି ଆସିଲା । ସେ ସ୍ୱାମୀଙ୍କୁ ସମ୍ମୁଖରେ ଦେଖି ପ୍ରକୃତିସ୍ଥ ହୋଇ କହିଲେ–ମୁଁ ତୁମକୁ ବାରମ୍ୱାର ମନା କରୁଛି, ଦୋବେଇ ବର ହାତରେ ଲକ୍ଷ୍ମୀଙ୍କୁ ବିଭା ଦେବାନି । ଯାନି, ଯୌତୁକ ଅଧିକ ଦେବାକୁ ପଡ଼ିବ ବୋଲି ବାପ, ପୁଅ ମିଶି ମୋ କଥାକୁ ସେତେବେଳେ କାନ ଦେଲ ନାହିଁ ।

 

‘‘କ’ଣ ହୋଇଛି ? ଲକ୍ଷ୍ମୀ ଆସିଛି ? ସଦାନନ୍ଦବାବୁଙ୍କୁ ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ଭଳି ଲାଗୁଥିଲା, ମୁଣ୍ଡ ସେତିକି ଚକ୍ରୀଭଳି ଘୂରିଲା ପରି ଜଣାପଡ଼ୁଥିଲା । ସେ ବେଶୀ ସମୟ ଠିଆ ହୋଇ ରହିପାରିଲେ ନାହିଁ । ସେହି ରୋଷେଇଘର କବାଟ ପାଖରେ ବସି ପଡ଼ି ଲକ୍ଷ୍ମୀବୋଉଙ୍କ ମୁହଁକୁ ଜଳଜଳ ହୋଇ ଚାହିଁ ରହିଲେ ।

 

କମଳା କହିଲେ–ଲକ୍ଷ୍ମୀଙ୍କୁ ବିବାହ କରିବା ପୂର୍ବରୁ ହେମକାନ୍ତ ଅନ୍ୟ ଗୋଟିଏ ଝିଅକୁ ଭଲ ପାଉଥିଲା । ବର୍ତ୍ତମାନ ସେ ଆସି ସେ ଘରେ ରହିବାରୁ ଲକ୍ଷ୍ମୀ ପଳାଇ ଆସିଛି ।

 

ନା, ନା, ଲକ୍ଷ୍ମୀବୋଉ, ତା’ ହୋଇ ନ ପାରେ । ମୁଁ ଜାଣେ ହେମକାନ୍ତ ଭଲ ପିଲା । ସେ କେବେ ଏଭଳି କାର୍ଯ୍ୟ କରି ନଥିବ ।

 

କମଳା ଉତ୍ତ୍ୟକ୍ତ କଣ୍ଠରେ କହିଲେ–କରି ନଥିବ ବୋଲି କିମିତି ତୁମେ କହୁଛ ? ସେମିତି କାର୍ଯ୍ୟ କରିବାରୁ ତ ଲକ୍ଷ୍ମୀ ସେ ଘର ଛାଡ଼ି ପଳାଇ ଆସିଛି । ସାତମଙ୍ଗଳା ଦିନ ବୋହୂ ଶ୍ୱଶୁର ଘରୁ ଗୋଡ଼ କାଢ଼ି ପଳାଇ ଆସିବାର କେଉଁଠି କେବେ ଦେଖିଛକି ଶୁଣିଛ ?

 

ମୁଁ ଏଇ ରାତିରାତି ଯାଇ ହେମକାନ୍ତକୁ ପଚାରିବି । ସେ କି ପାଲା ଲଗାଇଛି । ସେ ଯଦି ପ୍ରକୃତରେ ଅନ୍ୟ ଝିଅକୁ ଭଲ ପାଉଥାଏ.....

 

‘କ’ଣ କରିବ ତା’ର ? ତା’ର ବ୍ୟବସାୟ ଅଛି । ପଇସା ଅଛି । ଝିଅଟିକୁ ବିବାହ ଦେବା ପୂର୍ବରୁ ତୁମ ବାପ, ପୁଅଙ୍କର ସବୁ କଥା ବୁଝିବିଚାରି, ପାଞ୍ଚଜଣଙ୍କୁ ପଚାରିବା ତ ଉଚିତ ଥିଲା ।’ କମଳା କହୁ କହୁ କ୍ରମେ ହତାଶ ଓ ବିମର୍ଷ ହୋଇ ପଡ଼ୁଥିଲେ । ସେ ଲକ୍ଷ୍ମୀଙ୍କର ଭବିଷ୍ୟତ କଥା ଭାବିଲାବେଳକୁ ତାଙ୍କୁ ଯେପରିକି ସବୁ ଦିଗ ଅନ୍ଧକାର ଭଳି ଜଣା ପଡ଼ୁଥିଲା । ଭାବନା ତାଙ୍କର ଝଡ଼ତୋଫାନ ଭିତରେ ପଡ଼ିଥିବା ଦିଗହରା ଜାହାଜ ଭଳି ଦୋହଲିବାରେ ଲାଗିଥିଲା ।

 

ରବୀନ୍ଦ୍ର ହେଉଛନ୍ତି ଲକ୍ଷ୍ମୀଙ୍କର ଉପର ଭାଇ । ଡାକ ନାମ ରବି । ସେ ଆସି ପହଞ୍ଚିବାମାତ୍ରେ ସଦାନନ୍ଦବାବୁ ଓ କମଳାଙ୍କର କଥା ବନ୍ଦ ହୋଇଗଲା । କିଛି ସମୟ ନୀରବ ରହିବା ପରେ କମଳା ମନରେ କୋହ ସମ୍ଭାଳି ପାରିଲେ ନାହିଁ । ହଠାତ୍‌ କାନ୍ଦି ଉଠିଲେ । ସଦାନନ୍ଦବାବୁ ରୋଷେଇଘର ଦୁଆରମୁହଁରୁ ଉଠି ଲକ୍ଷ୍ମୀ ଶୋଇଥିବା ଘର ଭିତରକୁ ଗଲେ ।

 

ରବି କିଛି ଜାଣି ପାରି ନଥିଲେ ସୁଦ୍ଧା ଘରର ପରିବେଶ ତାଙ୍କୁ ଯେପରିକି ଅନ୍ୟ ରକମ ଜଣା ପଡ଼ୁଥିଲା । ସେ ରୋଷେଇଘର ପାଖ ନଳା ପାଖରେ ଗୋଡ଼ହାତ ଧୋଇବା ସମୟରେ ବୋଉଙ୍କର କାନ୍ଦ ଶୁଣି ପାରିଲେ । ଆଶ୍ଚର୍ଯ୍ୟ ହୋଇ ଗୋଡ଼ହାତ ଗାମୁଛାରେ ପୋଛି ରୋଷେଇଘର ମୁହଁରେ ଠିଆ ହୋଇ ପଚାରିଲେ–କ’ଣ ହୋଇଛି ବୋଉ ?

 

‘‘କ’ଣ ଆଉ ହେବ ? ଯାହା ପ୍ରଥମରୁ ମୁଁ ଆଶଙ୍କା କରିଥିଲି ସେଇୟା ଘଟିଛି ।’’ କମଳା ଦୀର୍ଘନିଃଶ୍ୱାସ ପକାଇ ନୀରବ ରହିଲେ ଏବଂ ଜଳଜଳ କରି କେବଳ ଉପରକୁ ଚାହିଁ ରହିଲେ ।

 

ଖୋଲି କହିଲେ ସିନା ଜାଣିବି ? ଏଭଳି ବୁଲେଇବଙ୍କେଇ କହିଲେ ସେଥିରୁ କ’ଣ ବା ମୁଁ ବୁଝିବି ? ଈଷତ୍‌ ବିରକ୍ତି ପ୍ରକାଶ କରି ରବି କହିଲେ ।

 

ଲକ୍ଷ୍ମୀ ଆସିଛି ।

 

‘‘ଆସିଛିତ, ଅସୁବିଧା କ’ଣ ହେଲା ? ସାତଦିନ ହେଲା ବାହା ହୋଇଗଲା ବୋଲି ସେ କ’ଣ ପର ହୋଇଗଲା ? ଆମେ ତାକୁ ଆଣିବାକୁ ଯାଇଥାନ୍ତୁ, ସେ ମନକୁ ଆସିଲା । ଏଥିରେ ଅସୁବିଧାଟା ରହିଲା କେଉଁଠି ? ଏତେ ଚିନ୍ତା କରିବା ବା ଲୁହ ଗଡ଼ାଇ କାନ୍ଦିବାର ଯଥାର୍ଥତା ତ ମୁଁ କେଉଁଠି ଦେଖିପାରୁ ନାହିଁ ।’’ ରବୀନ୍ଦ୍ର ହାଲ୍‍କା ଭାବରେ କଥାକୁ ନେଇ ଟିକିଏ ପରିହାସ ସ୍ୱରରେ କହିଲେ ।

 

କମଳା କହିଲେ–ତୁ ଯେତେ କଥାଟାକୁ ହାଲୁକା ଭାବରେ ନେଉଛୁ, ପ୍ରକୃତରେ ଘଟଣା ତାହା ନୁହେଁ । ଲକ୍ଷ୍ମୀ ସେ ଘରେ ଶୋଇଛି । ଯାଆ, ପଚାରି ବୁଝିବୁ କ’ଣ ସବୁ ଘଟିଛି ।

 

ରବୀନ୍ଦ୍ର କହିଲେ–କାହିଁକି ତୁ କହୁନୁ ? ଏତେ ଲୁଚାଛପା ଭାବରେ ପେଟରେ ଅଧେ ମୁହଁରେ ଅଧେ କଥା ରଖି କହିବା କ’ଣ ଦରକାର ?

 

‘‘ହେମକାନ୍ତର ଆଉ ଗୋଟିଏ ସ୍ତ୍ରୀ ଅଛି ।’’ କମଳା କଥାଟି ଉପରେ ଖୁବ୍‌ ଗୁରୁତ୍ୱ ଦେଇ କହିଲେ ।

 

‘‘କ’ଣ କହିଲୁ ?’ ରବୀନ୍ଦ୍ର ବିସ୍ମିତ ହୋଇ ପଚାରିଲେ ।

 

‘‘ସେ ଚଉଠି ରାତିରୁ କାଲି ପର୍ଯ୍ୟନ୍ତ ହେମକାନ୍ତ ଘରକୁ ମଝିରେ ମଝିରେ ବରାବର ଆସୁଥିଲା, ଯାଉଥିଲା । କାଲି ରାତିରୁ ଆସି ତା’ ଘରେ ରହୁଛି ।

 

ଲକ୍ଷ୍ମୀ ପଳାଇ ଆସିଲା କାହିଁକି ?

 

କାଲି ରାତିରେ ସେ ସ୍ତ୍ରୀ ଲକ୍ଷ୍ମୀର ତଣ୍ଟି ଚିପି ଦେଲା ।

 

‘‘ହେମକାନ୍ତ କିଛି କହିଲା ନାହିଁ ?’’ ରବୀନ୍ଦ୍ର କଥାଗୁଡ଼ିକ ବୋଉଙ୍କ ତୁଣ୍ଡରୁ ଶୁଣୁ ଶୁଣୁ ଯେପରିକି କ୍ରମେ ଉତ୍ତେଜିତ ହୋଇପଡ଼ୁଥିଲେ ।

 

ଲକ୍ଷ୍ମୀତ ଅଚେତା ହୋଇ ଆଜି ଭୋର ପର୍ଯ୍ୟନ୍ତ ପଡ଼ିଥିଲା ।

 

କିଛି ସମୟ ମା’, ପୁଅଙ୍କ ଭିତରେ ନୀରବତା ପ୍ରକାଶ ପାଇଲା । ତା’ପରେ କମଳା ପୁଣି ଆରମ୍ଭ କଲେ–ଆଜି ସକାଳୁ କାନିକା, ମାଛ ତରକାରୀ, ସାଧା ତରକାରୀ, ଡାଲି ଖାଇବାପାଇଁ ହେଲା । ହେମକାନ୍ତ, ତା’ର ମାମୁ ଝିଅ ଭଉଣୀ, ପିଉସୀ ଝିଅ ଭଉଣୀ, ପିଉସୀ ଝିଅ ଭଉଣୀର ସ୍ୱାମୀ, ଚାକର ସମସ୍ତେ ଖାଇଲେ । ଅଥଚ ଝିଅ ମୋର ନଖାଇ ଦିନସାରା ଉପବାସ ରହିଛି । ଅଥଚ କେହି ତାକୁ ପଚାରିଲେ ନାହିଁ, କାହିଁକି ତୁ ଖାଉନୁ । କ’ଣ ତୋର ହୋଇଛି ।

 

‘‘ଠିକ୍‌ ଅଛି । ମୁଁ ଯାଉଛି । ଲକ୍ଷ୍ମୀ ତୁଣ୍ଡରୁ ସବୁ ଘଟଣା ଥରେ ଶୁଣିଯିବି । ଆଜି ରାତିରେ ଏହାର ଫଇସଲା ହୋଇଯିବ, କିଛି ଅସୁବିଧା ନାହିଁ । ହେମକାନ୍ତ ମତେ ଚିହ୍ନିନି । ରବି ଯେତିକି ଭଲ, ସେତିକି ମନ୍ଦ । ସେ ଥରେ କାହା ଉପରେ ପ୍ରତିଶୋଧ ନେବାକୁ ଚାହିଁଲେ ତାକୁ ମୁହୂର୍ତ୍ତେ ସମୟ ଲାଗିବନି ।’’ ରବୀନ୍ଦ୍ର ଉଠି ଠିଆ ହେଲେ ।

 

‘‘ତୁ ତା’ର କ’ଣ କରିପାରିବୁ ? ତା’ର ଯଥେଷ୍ଟ ଧନ ଅଛି । ଚନ୍ଦନ ବଜାରର ବ୍ୟବସାୟୀ ଆଉ ମଙ୍ଗଳପୁର ଗ୍ରାମ ଲୋକେ ତା’ କଥା ନ ଶୁଣି କ’ଣ ଆମ କଥା ଶୁଣିବେ ? ସେମାନେ କହିବେ–ତା’ର ମନ ହେଲା, ସେ ଗୋଟାକ ଜାଗାରେ ଦୁଇଟା ଏବେ ବାହା ହେଲା । ତୁମ ଭଉଣୀର ଇଚ୍ଛା ପାଇଲେ ରହିବ, ନହେଲେ ନାହିଁ ଚାଲିଯିବ । ଏଥିରେ ପାଟିତୁଣ୍ଡ, ଗଣ୍ଡଗୋଳ କ’ଣ ଦରକାର ?’’ କମଳା ମୁଣ୍ଡରେ ହାତ ଦେଇ ରବୀନ୍ଦ୍ରଙ୍କ ମୁହଁକୁ ଚାହିଁ କହିଲେ ।

 

ରବୀନ୍ଦ୍ରର ରାଗ ପ୍ରକୃତରେ ବ୍ରହ୍ମଚାଣ୍ଡାଳ ଭଳି । ଥରେ ସେ କାହା ଉପରେ ରାଗିଲେ ସେ ତାକୁ ଜଖମ ନ କରି ଛାଡ଼ନ୍ତି ନାହିଁ । କେତେକ ବଛାବଛା ଗୁଣ୍ଡା ପ୍ରକୃତିର ଯୁବକ ତାଙ୍କ ହାତରେ । ରବୀନ୍ଦ୍ର ଇଙ୍ଗିତ ଦେବାମାତ୍ରକେ ସେମାନେ ଆଗପଛ ଭଲମନ୍ଦ ନବୁଝି ଠେଙ୍ଗା, ବାଡ଼ି, ଛୁରି, ଫାର୍ଶା ଧରି ବାହାରି ଆସନ୍ତି । ସେମାନଙ୍କର ଭୟଙ୍କର ମୂର୍ତ୍ତି ଯେ ଥରେ ଦେଖିଛି, ସେ କେବେ ରବୀନ୍ଦ୍ର କିମ୍ୱା ତା’ ଦଳର ଟୋକାଙ୍କ ସହିତ ବଚସା କିମ୍ୱା ଯୁକ୍ତି କରିବାକୁ ସାହସ କରନ୍ତି ନାହିଁ । ଏଥିପାଇଁ କେତେ ଥର ପୁଲିସ ଆସି ରବୀନ୍ଦ୍ର ଓ ତାଙ୍କ ଦଳର ଟୋକାଙ୍କୁ ଥାନାକୁ ଧରି ନେଇଛି । କେତେ ମାଲିମକଦ୍ଦମା ସେମାନଙ୍କ ନାମରେ ରୁଜୁ ହୋଇଛି । ମାତ୍ର ରବୀନ୍ଦ୍ର ଘଟଣା ସହିତ ସଂପୃକ୍ତ ଥାଇ ମଧ୍ୟ ପଦ୍ମ ପତ୍ର ଉପର ପାଣି ଭଳି କୌଣସି ମାଲିମକଦ୍ଦମା କିମ୍ୱା ଘଟଣାରେ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ତାଙ୍କ ଦଳର ଅନ୍ୟ ଟୋକାଙ୍କ ନାମରେ ଦୋଷ ସବୁ ଯାଏଁ ।

 

କମଳା ପୁଅର ଏସବୁ ଗୁଣ ଜାଣନ୍ତି । ତାଙ୍କର ମନରେ ଆଶଙ୍କା ହେଲା–ରବି ଯଦି ସେଭଳି କିଛି କାର୍ଯ୍ୟ କରିବସେ, ତେବେ ଝିଅ ଶ୍ୱଶୁର ଘରୁ ଚାଲି ଆସିବା ଠାରୁ ପୁଅକୁ ପୁଲିସ ଧରିନେବା ଦୁଃଖ ଆହୁରି ବଳି ପଡ଼ିବ । ସେ ପରିସ୍ଥିତିକୁ ଅଧିକ ଜଟିଳ ନ କରିବାପାଇଁ କହିଲେ–ପ୍ରଥମେ ହେମକାନ୍ତ ଘରକୁ ଯାଇ, ସେ ଝିଅଟି କିଏ, କେଉଁଠାର, ହେମକାନ୍ତ ସହିତ ତା’ର କେତେଦିନର ସମ୍ପର୍କ, ଲକ୍ଷ୍ମୀ ବିଷୟରେ ହେମକାନ୍ତର ମତାମତ କ’ଣ, ସବୁ ବିଷୟ ବୁଝି ଧୀରସ୍ଥିର ଭାବରେ ବିଚାର କରି ତା’ର ସମାଧାନ କରିବା ଉଚିତ । ଥରେ ତ ତୁମେ ବାପ, ପୁଅ ଦୁହେଁ ଲକ୍ଷ୍ମୀକୁ ବିବାହ ଦେବା ପୂର୍ବରୁ କିଛି ନ ବୁଝି ନ ଶୁଝି ଅନ୍ୟ କଥାରେ ପଡ଼ି ପାଗଳଙ୍କ ଭଳି କାମଟିଏ କରି ବସି ଭୁଲ କଲ; ପୁଣି ହେମକାନ୍ତକୁ ମାରଧର ଧମକଚମକ କରି ଘଟଣାକୁ ଆହୁରି ଜଟିଳ କରି ବସିଲେ ଭଲ ହେବ ନାହିଁ ।

‘‘ଠିକ୍‌ ଅଛି’’ କହି ଦୁମ୍‌ଦୁମ୍‌ ହୋଇ ରବୀନ୍ଦ୍ର ଲକ୍ଷ୍ମୀ ଶୋଇଥିବା ଘରକୁ ପଶିଗଲେ । ସେତେବେଳକୁ ଲକ୍ଷ୍ମୀ ବାପାଙ୍କ ଆଗରେ ଚଉଠି ରାତିଠାରୁ ଘଟିଥିବା ଘଟଣାଗୁଡ଼ିକ କହି କାନ୍ଦୁଥିଲେ । ସଦାନନ୍ଦଙ୍କ ଆଖିରୁ ମଧ୍ୟ ଲୁହ ଝରୁଥିଲା । ରବୀନ୍ଦ୍ରଙ୍କର ଭଉଣୀ ଠାରୁ କୌଣସି କଥା ଶୁଣିବାକୁ ଧୈର୍ଯ୍ୟ ନଥିଲା । ସେ କହିଲେ–ତୁ କିଛି ବ୍ୟସ୍ତ ହୁଅନା ଲକ୍ଷ୍ମୀ, ମୁଁ ଆଜି ରାତିରାତି ଯାଇ ସବୁ ସମାଧାନ କରି ଦେଇ ଆସିବି ।

ସଦାନନ୍ଦ ଏପର୍ଯ୍ୟନ୍ତ ନୀରବରେ ଲକ୍ଷ୍ମୀଙ୍କଠାରୁ କଥାଗୁଡ଼ିକ ନୀରବରେ ଶୁଣୁଥିଲେ । ସେ ରବୀନ୍ଦ୍ର କଥାରେ ମୁହଁ ଫିଟାଇ କହିଲେ–ରବି, ଣୁଣ୍‌, ପାଖକୁ ଆ ।

ରବୀନ୍ଦ୍ର ବିରକ୍ତ ହୋଇ କହିଲେ–କ’ଣ ଆଉ ଶୁଣିବି ଯେ ? ହେମକାନ୍ତ ମୋ ଭଉଣୀ ଆଖିରୁ ଲୁହ ଝରାଇ ଘରୁ ବିଦାୟ କରି ଦେଇଛି । ମୁଁ ତା’ ଆଖିରୁ ଲୁହ ଝରାଇ ସବୁଦିନ ପାଇଁ ଚନ୍ଦନବଜାର ଦୋକାନ ଆଉ ମଙ୍ଗଳପୁର ଗାଁରୁ ତାକୁ ବିଦାୟ କରିଦେବି । କେଉଁ ରକ୍ଷିତା, ଅରକ୍ଷିତିଆ ମାଇକିନା ତାକୁ ରଖିବ ମୁଁ ଦେଖିବି ।

କମଳା ରୋଷେଇଘରୁ ଆସି ସେଠାରେ ପହଞ୍ଚିଲେ ।

କହିଲେ–ବାପା କ’ଣ କହୁଛନ୍ତି ଆଗ ଶୁଣ୍‌ ।

‘‘ମୋର ଆଉ କାହାରି କଥା ଶୁଣିବାକୁ ଧୈର୍ଯ୍ୟ ନାହିଁ ।’’ ରବୀନ୍ଦ୍ର ବାହାରକୁ ଚାହିଁ ମୁହଁ ବୁଲାଇ ଠିଆ ହେଲେ । ଯେପରି ଜଣାପଡ଼ୁଥିଲା ଦୁଇ ଚକ୍ଷୁରେ ତାଙ୍କର ଅଗ୍ନି ପ୍ରଜ୍ଜ୍ୱଳିତ ହେଉଛି ଏବଂ ରକ୍ତରେ କ୍ରୋଧର ଲାଭାସ୍ରୋତ ପ୍ରବାହିତ ହେଉଛି ।

 

ରବୀନ୍ଦ୍ରଙ୍କ କ୍ରୋଧକୁ କିଛି ପରିମାଣରେ କମାଇବା ପାଇଁ ସଦାନନ୍ଦ କହିଲେ–ହେମକାନ୍ତ ଆମ ଝିଅ ପ୍ରତି ଯେଉଁଭଳି ବ୍ୟବହାର ଏବଂ ଆମକୁ ଯେଉଁ ଭଳି ପ୍ରତାରିତ କରିଛି ତା’ର ପ୍ରତିଶୋଧ ନିଶ୍ଚୟ ନେବାକୁ ହେବ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ହେଲେ ଆଜି ରାତିରେ ନୁହେଁ ।

 

‘ଆଉ’ ? ରବୀନ୍ଦ୍ର ମୁହଁ ବୁଲାଇ ଉତ୍ତ୍ୟକ୍ତ କଣ୍ଠରେ ପଚାରିଲେ ।

 

‘‘ଆମକୁ ଅନ୍ତତଃ ମଝିରେ ଦୁଇଦିନ ଅପେକ୍ଷା କରିବାକୁ ପଡ଼ିବ । ହଠାତ୍‌ ଘଟଣାଟା ପ୍ରଘଟ ବା ପ୍ରଚାରିତ ହେବା ଅର୍ଥ, ଲକ୍ଷ୍ମୀର ବଦନାମ । ଆମ ଘରର ମଧ୍ୟ ଦୁର୍ନାମ ହେବ । ଏ ଘଟଣା ନେଇ ଲୋକେ ନାନାପ୍ରକାର ସମାଲୋଚନା କରିବେ । ହାଟ ବଜାର ବସାଇଲେ ।’’ ସଦାନନ୍ଦ ଅତି ଧୀର କଣ୍ଠରେ କହିଲେ ।

 

ରବୀନ୍ଦ୍ର ସେହି ଉତ୍ତେଜିତ କଣ୍ଠରେ କହିବାକୁ ଲାଗିଲେ–ଲୋକେ କ’ଣ କହିବେ ନ କହିବେ, ମୋତେ ତୁମେ ଆଉଦିନେ କହିବ ନାହିଁ । ମୋର ନୀତି ହେଲା ଯେ ଆମକୁ ଯେଉଭଳି ବ୍ୟବହାର କରିବ, ଆମେ ତାକୁ ସେହିଭଳି ବ୍ୟବହାର ଦେଖାଇବା ଏବଂ ଭଲ ହେଉ ବା ମନ୍ଦ ହେଉ ସଙ୍ଗେ ସଙ୍ଗେ କାମ ହାସଲ କରିବା ।

 

କମଳା କହିଲେ–ବାପା ଯେଉଁ କଥାଟି କହୁଛନ୍ତି, ଟିକିଏ ଶୁଣୁ ରବି । ପ୍ରକୃତରେ ଆମକୁ ତ ପୁଣି ଝିଅର ଭବିଷ୍ୟତ ଦେଖିବାକୁ ପଡ଼ିବ । ବାରମ୍ୱାର ତ ଆଉ ଭୁଲ କରିବା ନାହିଁ । ହଠାତ୍‌ କୌଣସି କାର୍ଯ୍ୟ କରି ବସିଲେ ହୁଏତ ଲକ୍ଷ୍ମୀର କ୍ଷତି ଘଟିପାରେ ।

 

‘‘କ୍ଷତି ଘଟିନି ଯେ ଆହୁରି କ୍ଷତି ଘଟିବ ? ଯେ ସାତମଙ୍ଗଳା ଦିନରାତିରେ ନ ଖାଇ ନପିଇ କାନ୍ଦି ଏକାଏକା ସ୍ୱାମୀଘରୁ ପଳାଇ ଆସିଲା, ତା’ର ପୁଣି ଭବିଷ୍ୟତ ଅଛି ?’’ ରବୀନ୍ଦ୍ର ଯିବାକୁ ଉଦ୍ୟମ କରୁଥିଲେ ।

 

ଲକ୍ଷ୍ମୀ କହିଲେ–ଭାଇ, ଶୁଣ । ବାପା ଯାହା କହୁଛନ୍ତି ସେୟା କର । ଝିଅଟି ସେ ଘରେ ରହି ଟିକିଏ ଆସ୍ଥାନ ଜମାଇ ଦେଉ । ହଠାତ୍‌ ତୁମେ କି ବାପା ପହଞ୍ଚି ସେଠାରେ ଏ କି ଲୀଳା ଲାଗିଛି ବୋଲି ପଚାରି ପାରିବ । ତୁମେ ଆଜି ରାତିରେ ହଠାତ୍ ପହଞ୍ଚିଗଲେ ସେ ଝିଅଟି ହୁଏତ ଖସି ଚାଲିଯାଇପାରେ । ସେ ଝିଅଟି ଖସିଗଲେ ତୁମେ ଜୋଇଁ ଭଲେଇ ହୋଇ କହିବେ–କାହିଁ ଘରେ କେହି ତ ନାହାନ୍ତି । ମୁଁ ତ ଲକ୍ଷ୍ମୀକୁ ତଡ଼ି ଦେଇନି । ତାଙ୍କ କଥା ଶୁଣି, ସେ ଘରେ ଝିଅକୁ ନଦେଖି ତୁମେ ଫତୁଆ ହେବ । ତାଙ୍କର ସେ ଯେମିତି ଆଗରୁ ଲୀଳା ଲଗାଇଛନ୍ତି, ସେହିଭଳି ଲୀଳା କରୁଥିବେ । ତୁମେ ହତାଶରେ ଫେରିବ । ଏହାର ସ୍ଥାୟୀ ସମାଧାନ ହୋଇ ପାରିବ ନାହିଁ ।

 

ରବୀନ୍ଦ୍ରଙ୍କ ମନକୁ ଲକ୍ଷ୍ମୀଙ୍କ କଥାଟି ପାଇଲା । ସେ କହିଲେ–ଠିକ୍‌ ଅଛି ।

 

ଲକ୍ଷ୍ମୀ କହିଲେ–ଶୁଣ ଭାଇ, ଗତକାଲି ଫୁଲସଞ୍ଜବେଳେ ସେ ଝିଅ ବାଡ଼ିପଟୁ ଆସି ଆମ ଶୋଇବାଘରେ ହଠାତ୍‌ ପଶିଗଲା । ମୁଁ, ଭରତ, କାନ୍ତି ଅପା, ବାସନ୍ତୀ ଅପା ସମସ୍ତେ ଦେଖିଲୁ । ଆଶ୍ଚର୍ଯ୍ୟର କଥା, ସେ ଘରେ କୌଣସି ଚୋର ଘର ଅଛି କି ବାହାରକୁ ଯିବାକୁ ବାଟ ଅଛିନା କ’ଣ ଆମେ ସମସ୍ତେ ମିଶି ଯେତେ ଖୋଜିଲୁ ତାକୁ ପାଇଲୁ ନାହିଁ । ରାତିରେ ଆସି ପୁଣି ସେ ଲୀଳା ଲଗାଇଲା, ମୋତେ ଶୋଇବାଘରକୁ ପଶେଇ ଦେଲା ନାହିଁ । କବାଟ ଭିତରୁ ବନ୍ଦ କରିଦେଲା । ପରେ ଘଣ୍ଟାକ ବାଦେ ପୁଣି କବାଟ ଫିଟାଇ ବାହାରକୁ ଆସିଲା । ତୁମ ଜୋଇଁ ଖାଇବାକୁ ବାଢ଼ି ଦେଲେ । ବସି ପେଟେ ଖାଇଲା । ପୁଣି ଶୋଇବାଘରକୁ ପଶି ଦୁହେଁ କବାଟ ଦେଇଦେଲେ ।

 

ସେତେବେଳେ ତୁ ପାଟି କଲୁନି ? ଭଦ୍ରଲୋକପଣିଆ ସମସ୍ତଙ୍କର ପଦାରେ ପଡ଼ି ଯାଇଥାନ୍ତା ?’’ କମଳା କହି ଝିଅ ମୁହଁକୁ ଚାହିଁଲେ ।

 

‘‘ସେତିକିବେଳେ ପରା ମୋ ତଣ୍ଟିକି କିଏ ଚିପି ଦେଲା । ମୁଁ ଅଚେତ ହୋଇଗଲି ।’’ ଲକ୍ଷ୍ମୀ କହୁ କହୁ ତାଙ୍କ କଣ୍ଠ ଭୟରେ ରୁଦ୍ଧ ହୋଇ ଆସିଲା ।

 

ସଦାନନ୍ଦବାବୁ, ରବୀନ୍ଦ୍ର ଓ କମଳାଙ୍କର ଏକାବେଳକେ ପାଟିରୁ ବାହାରି ଆସିଲା–‘‘ଆଚ୍ଛା-!’’

 

ରବୀନ୍ଦ୍ର ଅତି ଉତ୍ତ୍ୟକ୍ତ କଣ୍ଠରେ କହିଲେ–ସେ ଲୋକକୁ ଆଉ ଦୟାମାୟା ଅଛି ? ଆଜି ରାତିରାତି ତା’ର ବ୍ୟବସ୍ଥା କରାଯିବା ଦରକାର ।

 

ଲକ୍ଷ୍ମୀ ଢୋକ ଗିଳି କହିଲେ–ନାଇଁ ଭାଇ, ଦୁଇଦିନ ଯାଉ । ହଠାତ୍‌ କୌଣସି କାମ କରିବାଟା ଭଲ ହେବ ନାଇଁ । ତାଙ୍କର ହୁଏତ ମୁଁ ପଳାଇ ଆସିବା ପରେ ମନରେ କୌଣସି ପରିବର୍ତ୍ତନ ଘଟିପାରେ । ଭରତ ଅନ୍ତତଃ ତ ଖୋଜିବତ !

 

‘‘ଭରତ କିଏ ?’’ ସଦାନନ୍ଦବାବୁ ପଚାରିଲେ ।

 

‘‘ଏବେ ଗୋଟିଏ ପୂଜାରୀ ରୋଷେଇ କରିବାକୁ ଆଣି ରଖିଛନ୍ତି ।’’ ଲକ୍ଷ୍ମୀ କହିଲେ ।

 

‘‘ହଁ, ସେଇ ନାଟୁଆ ଭରତ ଯାଇ ସେଠାରେ ଜୁଟିଛି ବୋଲି ଶୁଣୁଥିଲି ।’’ ରବୀନ୍ଦ୍ର ତାଚ୍ଛଲ୍ୟଭରା କଣ୍ଠରେ ଉତ୍ତର ଦେଲେ । କିଛି ସମୟ ନୀରବ ରହିବା ପରେ କହିଲେ–‘‘ବେଶ୍‌, ଦୁଇଦିନ ଯାଉ । କିନ୍ତୁ ମୁଁ କହି ରଖୁଛି, ହେମକାନ୍ତ ଯଦି ଆସି ଦୋଷ ନ ମାଗେ, ଲକ୍ଷ୍ମୀକୁ ଭଲରେ ଭଲରେ ଏଠାରୁ ଫେରାଇ ନ ନିଏ ଏବଂ ସେ ମାଇକିନାକୁ ପାଖରୁ ନ ଛାଡ଼େ, ତେବେ ତା’ର ଦଶା ଭଲ ହେବ ନାହିଁ ।’’ କମଳାଙ୍କ ଉଦ୍ଦେଶ୍ୟରେ କହିଲେ–‘‘ତୁ ଖାଇବାକୁ ବାଢ଼େ । ମୋତେ ଭାରି ଭୋକ ହେଲାଣି ।’’

 

କମଳା ରୋଷେଇଘରକୁ ଯାଉ ଯାଉ କହିଲେ–ସମସ୍ତେ ଆସ । ଏକାବେଳକେ ବାଢ଼ିଦେବି । ଖାଇ ଦେବ । ମଣିଷର କି ଦୁର୍ଭାଗ୍ୟ !

 

–ଚଉଦ–

 

ସକାଳ ପ୍ରାୟ ସାତଟା ହେବ । ଭରତଙ୍କ ନିଦ ଭାଙ୍ଗିଗଲା । ସେତେବେଳକୁ ଗଛପତ୍ରରୁ ସୂର୍ଯ୍ୟଙ୍କ କିରଣ ଖସି ଭୂଇଁରେ ଘାସ ପତରରେ ବିଛାଇ ହୋଇ ପଡ଼ିଲାଣି । ଭରତ ଏତେ ସମୟ ପର୍ଯ୍ୟନ୍ତ ଶୋଇ ଯାଇଥିଲେ ବୋଲି ମନେମନେ ଲଜ୍ଜାବୋଧ କଲେ । ଧଡ଼ପଡ଼ ହୋଇ ଉଠି ନିଜର ଶୋଇବା ଶେଯ ଉଠାଇ ଘରଟାକୁ ଓଳାଇ ଦେଇ ବାହାରକୁ ଆସିଲେ । ଦେଖିଲେ ଘର, ବାରଣ୍ଡା, ଅଗଣା ବେଶ୍‌ ପରିଷ୍କାର ଭାବରେ ଓଳା ଯାଇଛି । କୁଣ୍ଡ, ମାଠିଆ, ଗରା, ଢାଳ, ବାଲଟି ସବୁଥିରେ ପାଣି ଭର୍ତ୍ତି ହୋଇ ରହିଛି । ବାସନଗୁଡ଼ିକ ପୁଣି ଥରେ ପରିଷ୍କାର ଭାବରେ ଧୁଆ ହୋଇ ରୋଷେଇଘର ଦୁଆରମୁହଁରେ ରହିଛି । ଦର୍ପଣ ଭଳି ସେଥିରେ ମୁହଁ ଦେଖାଯାଉଛି । ପରିବା କଟା ହୋଇ ଥୁଆ ହୋଇଛି । ଅଟା ଚକଟା ହୋଇ ରହିଛି । ଡେକ୍‌ଚି, କରେଇ, ତାଉଆ ଏଭଳି ଭାବରେ ମଜା ଯାଇଛି ଯେ, ତା’ ଦେହରେ ଟିକିଏ ହେଲେ କଳା ଲାଗି ନାହିଁ । ସାନଅପା କେତେବେଳୁ ଉଠି ଏତେଗୁଡ଼ାଏ କାମ କରି ସାରିଲେଣି ବୋଲି ଭାବି ଭରତ ଆଶ୍ଚର୍ଯ୍ୟ ହେଲେ । ସେ ଦାନ୍ତକାଠି ଖଣ୍ଡିଏ କାମୁଡ଼ି କାମୁଡ଼ି ଗାଧୋଇବାକୁ ଚାଲିଗଲେ ।

 

ହେମକାନ୍ତ ସେହିଭଳି ଶୋଇଥାନ୍ତି । ଦିନ ଏତେ ହେଲେ ମଧ୍ୟ ତାଙ୍କ ଆଖିରେ ନିଦର କାଉଁରୀକାଠି ଯେପରିକି ଲାଗିଥାଏ । କିଛି ସମୟ ପରେ ଯୁବତୀଟି ହେମକାନ୍ତଙ୍କୁ ହଲାଇ ଦେଇ କହିଲା–ଶୁଭୁଛି, ଦିନ ଅନେକ ହେଲାଣି । ଆଜି ଦୋକାନକୁ ଯିବନି ? ମୁଁ ତୁମପାଇଁ ପଥରକୁଣ୍ଡରେ ପାଣି ଭର୍ତ୍ତିକରି ରଖିଛି । ଘରେ ଗାଧୋଇ ପଡ଼ିବ । ଭରତ ଯାଇଛି ଗାଧୋଇବାକୁ, ଆସିଲେ ପରଟା, ଭଜା କରିଦେବ । ମୋପାଇଁ ତୁମେ ଅପେକ୍ଷା କରିବ ନାହିଁ । ଖାଇଦେବ । ମୁଁ ଯାଉଛି ଗାଧୋଇବାକୁ ।

 

ହେମକାନ୍ତଙ୍କ ନିଦ ଭାଙ୍ଗିଗଲା । ସେ ଅଳସ ଭାଙ୍ଗି ଯୁବତୀଟି ଉପରେ ହାତ ପକାଇବାକୁ ହାତ ଉଠାଇଲେ । ମାତ୍ର ହାତଟି ତାଙ୍କର ଶୂନ୍ୟରୁ ଖସି ଖଟ ଉପରେ ପଡ଼ିଲା । ସେ କଡ଼ ଲେଉଟାଇ ଯୁବତୀଟି ଶୋଇଥିବା ଜାଗାକୁ ଚାହିଁଲେ । ମାତ୍ର ଦେଖିଲେ କେହି ନାହାନ୍ତି । ମୁହଁ ବୁଲାଇ ଘର ଭିତରେ ଏଣିକି ତେଣିକି ଚାହିଁଲେ । ତାଙ୍କୁ ଜଣାଗଲା–ଲକ୍ଷ୍ମୀ ଯେପରିକି କବାଟ ପାଖରେ ହସି ହସି ମୁହଁ ହଲାଇ କହୁଛି–ମୁଁ ଗାଧୋଇବାକୁ ଯାଉଛି, ହେଲା ?

 

ହେମକାନ୍ତ ଉଠି ଖଟ ଉପରେ ବସିଲେ । ଘର ଭିତର ଓ କାନ୍ଥର ଚାରି ଦିଗରେ ଆଖି ବୁଲାଇ ଆଣିଲେ । ଦେଖିଲେ ଘରଟି ବେଶ୍‌ ପରିଷ୍କାର ପରିଚ୍ଛନ୍ନ ସଜାସଜି ହୋଇଛି, କାର୍ତ୍ତିକ ମାସ ପୁଷ୍କରିଣୀର ନୀଳ ଜଳରାଶି ଭଳି ବେଶ୍‌ ନିର୍ମଳ ଦିଶୁଛି । ଟେବୁଲ ଉପରେ ଫୁଲଦାନିରେ ସଦ୍ୟ ଫୁଟନ୍ତା ନାଲି ଗୋଲାପଗୁଡ଼ିକ କବାଟ ଫାଙ୍କର ମୃଦୁ ସମୀରଣରେ ମୁଣ୍ଡ ହଲାଇ ନାଚୁଛନ୍ତି । ନିଜର ଲୁଗା, ଜାମା, ଟ୍ରଙ୍କ, ବାକ୍‌ସଗୁଡ଼ିକ ଯଥାସ୍ଥାନରେ ସଜା ହୋଇ ରହିଛି । କାନ୍ଥରେ ଝୁଲୁଥିବା ଫଟୋଗୁଡ଼ିକର କାଚଗୁଡ଼ିକ ସଫା କରାଯାଇଛି ନା କ’ଣ, ଫଟୋଗୁଡ଼ିକ ଜୀବନ୍ତ ଭଳି ଦିଶୁଛନ୍ତି ଓ ହସୁଛନ୍ତି । ଘରର କେଉଁ କୋଣରେ ବା କାନ୍ଥରେ ଅଳିଆ ବା ଅଳନ୍ଧୁ ଦେଖିବାକୁ ମିଳୁନାହିଁ । ହେମକାନ୍ତଙ୍କୁ ଶୋଇବାଘରଟି ଯେପରି ନୂଆ ପରିବେଶ ଭଳି ଜଣାଗଲା । ମନଟି ସେହିଭଳି ସତେଜ ଓ ତାଜାଭଳି ଲାଗିଲା । ସେ ତାଙ୍କ ଶରୀରରେ ଯୁବକର ନୂତନ ଉନ୍ମାଦନା, ଫୁର୍ତ୍ତି ଓ ଶକ୍ତି ଯେପରିକି ଅନୁଭବ କରୁଥିଲେ ଏବଂ ଲକ୍ଷ୍ମୀ ପ୍ରକୃତରେ ଜଣେ ଲକ୍ଷ୍ମୀ ଠାକୁରାଣୀ ବୋଲି ମନେମନେ ଭାବୁଥିଲେ ।

 

ଭରତ ଗାଧୋଇ ଆସି ହେମକାନ୍ତଙ୍କ କବାଟ ବାହାରେ ଠିଆହୋଇ ଡାକିଲେ–ସାନଅପା, ସାନଅପା, କ’ଣ ଜଳଖିଆ ପାଇ ପରଟା ଭଜା କରିବି ?

 

ହେମକାନ୍ତ ବାହାରକୁ ଆସୁ ଆସୁ କହିଲେ–ଲକ୍ଷ୍ମୀ ନାହିଁ, ଗାଧୋଇବାକୁ ଯାଇଛି । ପରଟା, ଭଜା କରିଦିଅ । ଟିକିଏ ଚଞ୍ଚଳ କର । ମୁଁ ଆଜି ଅନେକ ଶୋଇ ପଡ଼ିଲି, ଦୋକାନକୁ ଯିବାରେ ଡେରି ହେଲାଣି ।

 

ଭରତ ଆଉ କିଛି ନ କହି ଚୁଲି ଲଗାଇ ଭଜା ବସାଇ, ପରଟାପାଇଁ ଅଟା ଗୁଳା କରି ବେଲିବାରେ ଲାଗିଲେ ।

 

ହେମକାନ୍ତ ନିଜର ନିତ୍ୟକର୍ମ ସାରି ଖାଇବାକୁ ବସିଲେ । ଭରତ ଆସି ଖାଇବାକୁ ବାଢ଼ି ଦେଲେ । ହେମକାନ୍ତ ଖାଉ ଖାଉ ପଚାରିଲେ–ତୁମେ ଆଜି ଦୋକାନକୁ ଯିବ ତ ଭରତ ?

 

‘‘ସାନଅପା ଗାଧୋଇ ସାରି ଆସିଲେ ତାଙ୍କୁ ଖାଇବାକୁ ଦେଇ ମୁଁ ଖାଇଦେଇ ଯିବି ।’’ ଭରତ ପରଟା ଦେଉ ଦେଉ କହିଲେ ।

 

ହେମକାନ୍ତ କହିଲେ–‘‘ବେଶ୍‌ । ମୋର ଆଉ କିଛି ଦରକାର ନାହିଁ । ଟିକିଏ ଚା କରିଦିଅ-। ଆଉ ଶୁଣ । ଗଲାବେଳେ ମାଛ, ପରିବା ବ୍ୟାଗ୍ ଦୁଇଟି ସାଙ୍ଗରେ ନେଇ ଯାଇଥିବ-। ଆସିଲାବେଳକୁ ପରିବା ମାଛ ଧରି ଚାଲି ଆସିବ ।’’ ଟିକିଏ ରହି ପୁଣି ପଚାରିଲେ–ହଁ, ମନେ ପଡ଼ିଲା, ତୁମକୁ ସାଇକେଲ୍ ଚଳାଇ ଆସେ ?

 

ଭରତ ମୁଣ୍ଡ ହଲାଇ କହିଲେ–ନାଇଁ ବାବୁ, ମତେ ସାଇକେଲ୍ ଚଲେଇ ଆସେନି । ସାଇକେଲ୍ ମୋର କ’ଣ ହେବ ଯେ ? ମୋର ଚଲାକୁ ତ ସାଇକେଲ୍, ମଟର ସୁଦ୍ଧା ସମାନ ହବନି-

 

‘‘ଆଚ୍ଛା ହଉ । ମୁଁ ସାଇକେଲ୍‍ରେ ଚାଲି ଯାଉଛି । ତୁମେ ପଛରେ ଆସିବ । ଖରାବେଳେ ଦେଖିବା, ଦୋକାନର ପିଲାଙ୍କ ଭିତରୁ କାହାକୁ ଜଣକୁ ସାଇକେଲ୍ ଦେଇ ପଠାଇ ଦେଲେ, ସେ ତୁମକୁ ପଛରେ ବସାଇ ଆଣି ଘରେ ଛାଡ଼ି ଦେଇଯିବ ।’’ ହେମକାନ୍ତ ଉଠି ମୁହଁ ଧୋଇ ଲୁଗା ପିନ୍ଧିବାପାଇଁ ଶୋଇବା ଘରକୁ ଗଲେ ।

 

ହେମକାନ୍ତ ଲୁଗା ପିନ୍ଧିସାରି ଗଞ୍ଜି ଉପରେ ପଞ୍ଜାବିଟି ପିନ୍ଧୁ ପିନ୍ଧୁ ଭରତ ନେଇ ଚା କପଟି ବଢ଼ାଇ ଦେଲେ । ହେମକାନ୍ତ ଚା ପିଇ କପ ପ୍ଲେଟ୍‍ଟି ନଳାମୁହଁରେ ରଖିବା ସମୟରେ ଭରତ ପାନ ଦୁଇଖଣ୍ଡ ଭାଙ୍ଗି ହେମକାନ୍ତଙ୍କ ହାତକୁ ଦେଲେ । ହେମକାନ୍ତ ସାଇକେଲ୍‍ଟି ଧରି ବାହାରୁ ବାହାରୁ କହିଲେ–ଭରତ ମୁଁ ଯାଉଛି ।

 

‘ଆଜ୍ଞା’ ବୋଲି କହି ଭରତ କବାଟଟି ବନ୍ଦ କରି ଭିତରକୁ ଆସିଲେ ।

 

ଶୋଇବା ଘରୁ ଯୁବତୀଟି ଡାକିଲେ–ଭରତ, ଭରତ !

 

ଭରତ ଆଶ୍ଚର୍ଯ୍ୟ ହୋଇ ହେମକାନ୍ତଙ୍କ ଶୋଇବାଘର କବାଟ ପାଖକୁ ଯାଉ ଯାଉ ପଚାରିଲେ–ସାନଅପା, ତୁମେ କେତେବେଳେ ଗାଧୋଇ ସାରି ଆସିଲମ ?

 

‘‘ଏଇ ବର୍ତ୍ତମାନ ତ ଆସି ପହଞ୍ଚି ଲୁଗା ବଦଳାଉଛି । ବାବୁ ଦୋକାନକୁ ଜଳଖିଆ ଖାଇ ଗଲେଣି ?’’ ଯୁବତୀଟି ପଚାରିଲେ ।

 

ଭରତ କହିଲେ–‘‘ଏଇତ ଗଲେ । ମୁଁ କବାଟ ଦେଇ ଆସୁଛି ?’’

 

ଲୁଗା ବଦଳାଉଥିବା କଥା ଶୁଣି ଭରତ ଆଉ ହେମକାନ୍ତଙ୍କ ଶୋଇବା ଘର ଭିତରକୁ ଗଲେ ନାହିଁ । ବାହାରେ ଠିଆ ହୋଇ ପଚାରିଲେ–ତୁମପାଇଁ ଖାଇବାକୁ ବାଢ଼ିବି ସାନଅପା ? ବାବୁ ମୋ ଦୋକାନ ଯିବା କଥା କହୁଛନ୍ତି । ଦୋକାନ ଗଲାବେଳେ ସାଙ୍ଗରେ ପରିବା ଆଉ ମାଛ ବ୍ୟାଗ୍‌ ଦୁଇଟିଯାକ ନେଇ ଗଲେ, ସେ ପରିବା, ମାଛ କିଣିଦେବେ । ଆସିଲେ ଖରାବେଳକୁ ରୋଷେଇ ହେବ ।

 

ଯୁବତୀଟି କହିଲେ–ମୋର ଟିକିଏ ଖାଇଲାବେଳକୁ ଡେରି ହେବ ଭରତ । ପୂଜାପାଠ ସାରି ମୁଁ ଖାଇବି । ତୁମେ ମୋପାଇଁ ଖାଇବାକୁ ଶୋଇବାଘର କବାଟ କୋଣରେ ରଖି ଦେଇ ତୁମେ ଖାଇନିଅ । ତୁମେ ଶୀଘ୍ର ନ ଗଲେ ବାବୁ ତେଣେ ହଇରାଣ ହେବେ ।

 

‘‘ହଉ ସାନଅପା !’’ କହି ଭରତ ପରଟା ଘିଅରେ ସେକିଲେ, ଗୋଟିଏ ଥାଳିରେ ଭଜା ଆଉ ପରଟା ଆଣି ଶୋଇବାଘର କବାଟ କୋଣରେ ରଖି ଦେଲେ । ପାଣି ଗ୍ଲାସ୍‌ଟିଏ ଆଣି ରଖୁ ରଖୁ ଘର ଭିତରକୁ ଚାହିଁଲେ । ତାଙ୍କୁ ଯେପରି ଜଣାଗଲା, ଲକ୍ଷ୍ମୀ ଧଳା ଲୁଗାଟିଏ ପିନ୍ଧି ଚକା ପକାଇ କାନ୍ଥ ଆଡ଼କୁ ମୁହଁ କରି ବସିଛନ୍ତି । କବାଟ ଆଡ଼କୁ ପଛ କରି ବସିଥିବାରୁ ମୁହଁଟି ତାଙ୍କର ଦେଖାଗଲା ନାହିଁ । ଭରତ ପଚାରିଲେ–ସାନଅପା, ଚା କରି ଏତିକିବେଳୁ ରଖି ଦେଲେ ତ ଥଣ୍ଡା ହୋଇଯିବ । ଚା କରିବି ନା ନାହିଁ ?

 

ଯୁବତୀଟି ମୁହଁ ନ ଫେରାଇ ଉତ୍ତର ଦେଲା–ଚା କରି କେଟଲିରେ ଥୋଇ ଦେଇ ଯାଅ-। ମୁଁ ଖାଇବାବେଳକୁ ଗରମ କରି ଖାଇବି ।

 

ଭରତ ଆଉ କିଛି କହିଲେ ନାହିଁ । ନିଜେ ଜଳଖିଆ ଖାଇସାରି ଚା କରି ଖାଇଲେ ଏବଂ ଚା କେଟଲି, କପ, ପ୍ଲେଟ୍ ଆଣି ହେମକାନ୍ତଙ୍କ ଶୋଇବା ଘର କବାଟ କୋଣରେ ଜଳଖିଆ ଥିବା ସ୍ଥାନରେ ଥୋଇ ଦେଇ କହିଲେ–ମୁଁ ଦୋକାନକୁ ଯାଉଛି ସାନଅପା ! ବାହାର ଘର କବାଟଟା ଭିତରୁ ଦେଇଦିଅ ।

 

ଭରତ ତାଙ୍କ ଲୁଗା, ଜାମା ପିନ୍ଧି, ମୁହଁରେ ପାଉଡ଼ର, ଆଖିରେ କଜ୍ଜ୍ୱଳ ଓ ମୁଣ୍ଡରେ ସିନ୍ଦୂର ଲଗାଇଲେ । ଦର୍ପଣରେ ଚାହିଁ ଚାହିଁ ମୁଣ୍ଡର ବାଳଗୁଡ଼ିକ ଭାଙ୍ଗ ପକାଇ କୁଣ୍ଡାଇଲେ । ମାଛ ବ୍ୟାଗ୍‌, ପରିବା ବ୍ୟାଗ୍‌ ଯୋଡ଼ିକ ଧରି, ହାଓ୍ୱାନି ଚପଲ ପିନ୍ଧି ଯାଉ ଯାଉ କହିଲେ–ମୁଁ ଯାଉଛି ସାନଅପା ! କବାଟ ଦବ । ପାହାଚ ତଳକୁ ଓହ୍ଲାଇ ରାସ୍ତା ଧରୁ ଧରୁ ପୁଣି ପଛକୁ ଚାହିଁଲେ । ଦେଖିଲେ ବାହାର କବାଟ ଭିତରୁ ବନ୍ଦ ହୋଇଗଲା ।

 

ଭରତ ଯିବା ପରେ ଯୁବତୀଟି ଘରକୋଣରେ ବସି ପରଟା, ଭଜା ଖାଇ ପାଣି ପିଇଲା ଓ କେଟଲିରୁ ଅଜାଡ଼ି ଚା ପିଇଲା । ତା’ପରେ ଆପେଆପେ ବାଡ଼ି କବାଟ ପଡ଼ିଗଲା । ଖାଇବା ଥାଳି, ଚା କେଟଲି ମଜା ହୋଇ ଚୁଲି ମୁଣ୍ଡରେ ରହିଲା । ଶୋଇବା ଘର ଓ ଅନ୍ୟାନ୍ୟ ଘର କବାଟ ପଡ଼ିଗଲା । ଯୁବତୀଟି କେଉଁଆଡ଼େ ଗଲା, ତାକୁ ଆଉ ଦେଖିବାକୁ ମିଳିଲା ନାହିଁ ।

 

ଭରତ ଚନ୍ଦନବଜାର ଦୋକାନରେ ପହଞ୍ଚିଲେ । ହେମକାନ୍ତ ତାଙ୍କୁ ନେଇ ପରିବା ଓ ମାଛ କିଣି ଦେଲେ । ଖଣ୍ଡିଏ ରିକ୍ସା କରି ଦେଇ କହିଲେ–ଭରତ ତୁମେ ଘରକୁ ଚାଲିଯାଅ । ମୁଁ ଯାହା ଦେଖୁଛି, ଆଜି ଦୋକାନ ଛାଡ଼ି ଯାଇ ହେବ ନାହିଁ । ରୋଷେଇ ସାରି ମୋପାଇଁ ଖାଇବାକୁ ନେଇ ଆସିବ ।

 

ଭରତ ମୁଣ୍ଡ ହଲାଇ ସମ୍ମତି ଜଣାଇ ରିକ୍ସାରେ ବସି ଘରକୁ ଆସିଲେ । ଦୁଆରମୁହଁରେ ରିକ୍ସାରୁ ଓହ୍ଲାଇ ଦେଖିଲେ ବାହାର କବାଟ ମେଲା ଅଛି । ବାମ ହାତରେ ମାଛ ବ୍ୟାଗ୍‌ ଓ ଡାହାଣ ହାତରେ ପରିବା ବ୍ୟାଗ୍‌ ଧରି ଘରକୁ ଚାଲିଲେ । ରିକ୍ସାବାଲା ପଚାରିଲା–ବାବୁ ମୁଁ ରହିବି ନା ଚାଲିଯିବି ?

 

ଭରତ କହିଲେ–ମଲା, ତୁ ରହୁନୁ । ମୁଁ ଘଣ୍ଟାକ ଭିତରେ ରୋଷେଇ ସାରି ଦେବି । ସାନଅପାଙ୍କୁ ଖାଇବାକୁ ଦେଇଦେବି । ମୁଁ ଖାଇବି, ତୁ ଖାଇବୁ । ବାବୁଙ୍କପାଇଁ ଖାଇବାକୁ ନେଇ ପୁଣି ଚନ୍ଦନବଜାରକୁ ଚାଲିଯିବା ।

 

‘‘ତେବେ ମୁଁ ଏଇଠୁ ଆସୁଛି ବାବୁ ?’’ ରିକ୍ସାବାଲା କହି ରିକ୍ସା ନେଇ ଚାଲିଗଲା ।

 

ଭରତ ଘର ଭିତରକୁ ପଶି ଡାକିଲେ–ସାନଅପା, ସାନଅପା !

 

ହେମକାନ୍ତଙ୍କ ଶୋଇବାଘର ଭିତରୁ ଜବାବ ଆସିଲା–କିଏ, ଭରତ ? ଏଢ଼େ ବେଗାବେଗି ଚାଲି ଆସିଲ ?

 

‘‘ବାବୁ ଆଜି ଖାଇବାକୁ ଆସି ପାରିବେ ନାହିଁ । ରୋଷେଇ କରି ତାଙ୍କପାଇଁ ପୁଣି ମୁଁ ନେଇଯିବି ।’’ ଭରତ ପରିବା ବ୍ୟାଗ୍‌କୁ କାନ୍ଥ ମୂଳକୁ ଥୋଇ ଦେଇ ନଳାମୁହଁରେ ମାଛ ବ୍ୟାଗ୍‌ଟି ରଖିଲେ । କହିଲେ–ସାନ ଅପାମ, ବାବୁ ମାଛ, ପରିବା କିଣି ପଠାଇଛନ୍ତି । ବାହାରକୁ ଆସୁନ ଦେଖିବ !

 

ଘର ଭିତରୁ ଜବାବ ଆସିଲା–ଭରତ, ମୋତେ କାହିଁକି ଭାରି ନିଦ ନିଦ ଲାଗୁଛି । ଆଜି ବହୁତ ରାତିରୁ ଉଠିଥିଲି । ତା’ପରେ ତୁମେ କି ବାବୁ ଆସି ପହଞ୍ଚିବ, ଶୋଇ ପଡ଼ିଲେ କାଳେ ଡାକ ଶୁଭିବ ନାହିଁ ବୋଲି ଏପର୍ଯ୍ୟନ୍ତ କାନ୍ଥକୁ ଆଉଜି ବସିଥିଲି । ବାହାରେ ତୁମ କଥାବାର୍ତ୍ତାରୁ ପାଟି ବାରି କବାଟ ଖୋଲି ଦେଇ ଏକମାତ୍ର ଖଟ ଉପରକୁ ଆସି ଶୋଉଛି ।

 

ତୁମକୁ ଏତେ ରାତିରୁ ଉଠି ଏତେ କାମ କରିବାକୁ କିଏ କହୁଛିମ ସାନଅପା ? ପୁଣି ପାଣି ବୁହାଠାରୁ ଘର ଧୁଆ, ବାସନ ମଜା ପର୍ଯ୍ୟନ୍ତ ଏତେ କାମ କଲେ ଦେହ ଖରାପ ହୋଇ ଯିବନି ? ଭରତ ତ ଅଛି । ଏସବୁ କାମ ସେ କରନ୍ତା ନାହିଁ ? ଭରତ ଚୁଲି ଲଗାଇ ଡାଲି ବସାଇ, ମାଛ ବାଛିଲେ ।

 

ମୁଁ ତ ଆଉ କାହା ଘର କାମ କରୁନି ଭରତ, ନିଜ ଘର କାମ ନିଜେ କରୁଛି । ପୁଣି ଶୀଘ୍ର ସକାଳେ ଜଳଖିଆ ନକଲେ ବାବୁଙ୍କର ଦୋକାନ ଯିବା ଡେରି ହୋଇଯିବ । ତୁମେ ଏକୁଟିଆ ଏତେଗୁଡ଼ିଏ କାମ କଲେ ତୁମକୁ କଷ୍ଟ ହେବ । ମଣିଷ ପ୍ରାଣ ତ ! ଶୋଇବାଘର ଭିତରୁ ସେମିତି ଜବାବ ଆସିଲା ।

 

ଭରତ କହିଲେ–ସାନଅପାମ ! ତୁମେ ଟିକିଏ ଶୋଇପଡ଼ । ମୁଁ ରୋଷେଇ ସାରି ତୁମକୁ ଡାକିବି । ମାଛ ଝୋଳ, ପରିବା ତରକାରୀ, ଡାଲି ଭାତ କରି ଦେଉଛି ।

 

‘‘ହଁ ସେୟା କର । ଟମାଟୋ ଯଦି ଆଣିଥିବ, ଟିକିଏ ଖଟା କରିଦେବ । ଆଉ ଶୁଣ, ମୁଁ ଶୋଇ ପଡ଼ିଥିଲେ, ମୋତେ ଆଉ ଉଠେଇବ ନାହିଁ । ରୋଷେଇ ସାରି ତୁମେ ଖାଇଦେବ । ମୋପାଇଁ ଏହି ଘରେ ଘୋଡ଼େଇ ରଖିଦେଇ ବାବୁଙ୍କପାଇଁ ନେଇ ଚାଲିଯିବ । ବାବୁଙ୍କପାଇଁ ଖାଇବାକୁ ନେବାରେ ଡେରି ହେଲେ, ସେ ତେଣେ ଭୋକରେ ଛଟପଟ ହେବେ ।’’

 

‘‘ହଉ ସାନଅପା’’ କହି ଭରତ ମାଛ ବାଛି ପରିବା କାଟି ତରକାରୀ ବସାଇଲେ । ତରକାରୀ ପରେ ବିଲାତିବାଇଗଣ ଦେଇ ମାଛ ରାନ୍ଧିଲେ । ଭାତ ବସାଇ ବାହାରକୁ ଆସି ଦେଖିଲେ ରିକ୍ସାବାଲା ଆସି ଗଲାଣି । ତାକୁ କହିଲେ–ମୋର ରନ୍ଧା ସରି ଗଲାଣି । ଆଉ ମାତ୍ର ଦଶମିନିଟ । ତା’ପରେ ଆସି ହେମକାନ୍ତଙ୍କ ଶୋଇବାଘରକୁ ଚାହିଁଲେ । ତାଙ୍କୁ ଜଣାଗଲା, ଯେପରିକି ଲକ୍ଷ୍ମୀ ଖଟ ଉପରେ ଚଦର ଘୋଡ଼ି ହୋଇ ଗାଢ଼ନିଦ୍ରାରେ ଶୋଇଛନ୍ତି । ସେ ଶୋଇବାଘର କବାଟକୁ ଆଉଜାଇ ଆଣି ବିଲାତିବାଇଗଣ ଦି’ଟା ଖଟାପାଇଁ କାଟି ବସିଲେ । ଭାତ ଗାଳି, ବିଲାତି ଖଟା କଲେ । ରନ୍ଧା ଶେଷ ହେବା ପରେ ଗୋଟିଏ ଥାଳିରେ ଭାତ, ଡାଲି, ମାଛ, ସାଧା ତରକାରୀ ସଜାଡ଼ି ହେମକାନ୍ତଙ୍କ ଶୋଇବାଘରେ ଘୋଡ଼ାଇ ରଖି ଦେଲେ । ପାଣି ଗ୍ଲାସ୍‍ଟିଏ ରଖି, କବାଟକୁ ଆଉଜାଇ ଦେଲେ । ହେମକାନ୍ତଙ୍କ ପାଇଁ ଟିଫିନ କ୍ୟାରିଅର୍‍ରେ ଭାତ ଡାଲି, ତରକାରୀ ସଜାଡ଼ି ରଖିଲେ । ତା’ପରେ ରିକ୍ସାବାଲାକୁ ଖାଇବାକୁ ଦେଇ, ନିଜେ ଖାଇଲେ । ଖାଇ ସାରିବା ପରେ ନିଜ ଖାଇବା ବାସନ ମାଜି କବାଟ ଝରକା ଦେଇ ବାହାରିଲେ ଚନ୍ଦନବଜାରକୁ । ଗଲାବେଳେ ହେମକାନ୍ତଙ୍କ ଶୋଇବାଘର ବାହାରୁ ବଡ଼ପାଟିରେ କହିଲେ–ମୁଁ ବାବୁଙ୍କପାଇଁ ଖାଇବାକୁ ନେଇ ଯାଉଛି ସାନଅପା ! ତୁମେ ବାହାର କବାଟ ଦେଇଦେବ ।

 

ମୁହଁସଞ୍ଜବେଳକୁ ଯୁବତୀଟି ଉଠି କବାଟ କୋଣରେ ଥିବା ଭାତ, ଡାଲି, ତରକାରୀ ଖାଇ ପାଣି ପିଇଲା । ଘରଦ୍ୱାର ପରିଷ୍କାର ଭାବରେ ଓଳାଇଲା । ପାଣି ଆଣି ଭର୍ତ୍ତିକଲା । କଳା ଡେକ୍‌ଚି, କରେଇ ମାଜି ସଫା କଲା । ନିଜ ଖାଇବା ବାସନ ମଧ୍ୟ ଧୋଇ ରଖିଲା । ଲଣ୍ଠନଗୁଡ଼ିକ ପୋଛି ଲଗାଇଲା । ସକାଳ ଭଳି ସନ୍ଧ୍ୟାରେ ଘରଟି ମଧ୍ୟ ବେଶ୍ ସୁନ୍ଦର ଓ ଚକଚକ ଦେଖା ଯାଉଥିଲା । ଯୁବତୀଟି ଏ ଘରକୁ ସେଘର ବୁଲୁବୁଲୁ କେଉଁଆଡ଼େ ଶ୍ରାବଣର କଳା ବାଦଲ ତଳେ ମଧ୍ୟାହ୍ନର ସୂର୍ଯ୍ୟ ଲୁଚିଗଲା, ଜଣାଗଲା ନାହିଁ ।

 

ରାତି ପ୍ରାୟ ସାଢ଼େ ଆଠଟା ହେବ । ଭରତ ଦୋକାନରୁ ଫେରିଲେ । କବାଟରେ ଠକ୍‌ ଠକ୍‌ କରି କଡ଼ା ଦୋହଲାଇ ଡାକିଲେ–ସାନଅପା, ସାନଅପା !

 

ଯୁବତୀଟି ଆସି କବାଟ ଖୋଲିଲା । ଭରତ କବାଟ ଭିତର ପାଖରୁ ବନ୍ଦ କରୁ କରୁ ପଚାରିଲେ–ସାନଅପା, ତୁମକୁ ଏକାଏକା ରହିଲେ ଘରଟା ଭଲ ଲାଗୁଛି ?

 

‘‘ଭଲତ ଲାଗୁନି । ମାତ୍ର କ’ଣ କରିବା ? ତୁମେ ଦୋକାନକୁ ନଗଲେ ବାବୁ ତେଣେ ହଇରାଣ ହେବେ । ବାହା, ନିମିତ୍ତ ଘଡ଼ି । କେତେ ବ୍ୟବସାୟୀ, ଗାଁ ଗଣ୍ଡାର ଲୋକ ଲୁଗା, କପଡ଼ା ନେବାକୁ ଆସୁଥିବେ । ତୁମେ ତ ଅଛ ବୋଲି ବାବୁ ଆଜି ସୁସ୍ଥରେ ଦୋକାନରେ ବସି ଖଣ୍ଡିଏ ଖାଇ ପାରିଥିବେ । ତୁମକୁ ଯିବା ଆସିବାରେ ଅବଶ୍ୟ ଟିକିଏ କଷ୍ଟ ହେଉଥିବ ।’’ ଯୁବତୀଟି ପିଢ଼ାଟିଏ ପକାଇ ବସିଲା ।

 

ଭରତ କହିଲେ–ସାନଅପାମ ! ଭରତ କଷ୍ଟ, ଆରାମ କ’ଣ ଜୀବନରେ ଜାଣିନି । ସବୁ ତା’ ପକ୍ଷରେ ସମାନ । ବରଂ ଏତେ ଜାଗା ବୁଲିଛି, ଏତେ ସ୍ଥାନ ଦେଖିଛି, ହେଲେ ତୁମ ଘର ଭଳି ଏତେ ଶାନ୍ତି ମୋତେ କେଉଁଠି ଲାଗୁନି । ଯାତ୍ରାଦଳରେ ଥିଲି, ସେ ଜୀବନ ତ ନିଆରା ଥିଲା । ମାତ୍ର କଲିକତାରେ ଯାଇ ଜଣେ ବାବୁ ବାଡ଼ିରେ ଥିଲି । ନିଜ ଘରେ କେତେବେଳେ କିମିତି ଯାଇ ଚାରି ଆଠଦିନ ରହିଛି । ହେଲେ, ମୋତେ କାହିଁକି କେଜାଣି ଏ ଜାଗାଭଳି ସେ ସବୁ ଜାଗା ଏତେ ଭଲ ଲାଗିନି । କଲିକତା ବାବୁ ଘରେ ପଚାଶ ମାଲିକ । ମାଲିକ ତ ବଡ଼ ମାଲିକ, ତାଙ୍କ ସ୍ତ୍ରୀ ତ ମେମ୍‌ ସାହେବ । ପିଲାଗୁଡ଼ାକ ମଧ୍ୟ ସାହେବୀ, ସାହେବାଣୀ । ତାଙ୍କର ଯେଉଁ ଚାକର, ଚାକରାଣୀ ନା, ତାଙ୍କ ବେଶଭୂଷା, ଚାଲି, ମୁଣ୍ଡକୁଣ୍ଡିଆ, ପାଉଡ଼ର ଲଗା ଦେଖିଲେ ତ ତୁମେ ଭାବିବ, ସେ ଜଣେ ଜଣେ ହାକିମ । ପୁଣି ସେମାନଙ୍କର ଯେଉଁ ଫରମାସୀ ! ବଙ୍ଗଳାରେ କହନ୍ତି–ଭରତ ନନା, ଆଜି ନାରୀଏଲ ରସ ଦେଇ ମାଛ ଛାଲ ହେବ; ଟମାଟୋ, ପିଆଜ, କାକୁଡ଼ି, ମୂଳା, ଲଙ୍କା ଦେଇ ସାଲାଡ଼୍ ହବ, ସାଧା କରି ହବ । ଭେଜିଟେବୁଲ ପଲାଉ ହେବ । ହରଡ଼ ଡାଲି ହେବ ।

 

ଏସବୁ ସେମାନଙ୍କର ବରାଦ ନା ବାବୁ ମା’ଙ୍କର ବରାଦ ? ଯୁବତୀଟି ହସି ହସି ପଚାରିଲା ।

 

ବାବୁ ବରାଦ କଲେ ମା’ଙ୍କୁ । ମା’ ବରାଦ କଲେ ଝିଅକୁ । ଝିଅ ବରାଦ କଲେ ତାଙ୍କ ତଳ ଭଉଣୀକୁ । ତାଙ୍କ ତଳ ଭଉଣୀ ବରାଦ କଲେ ଚାକରକୁ । ଚାକର ବରାଦ କଲେ ଚାକରାଣୀକୁ । ଚାକରାଣୀ ହାତ ହଲାଇ, ପାହୁଲ ପକାଇ ଆସି ବରାଦ କରି ଗଲେ ଭରତ ନନାକୁ-। ଭରତନନା ଲୁସୁରପୁସୁର ହୋଇ ଦୌଡ଼ିଲେ ଭଣ୍ଡାରଘରକୁ ଗୁମାସ୍ତାଙ୍କ ପାଖକୁ । ଗୁମାସ୍ତା ଚାଉଳ, ଡାଲି, ଘିଅ, ତେଲ ବାହାର କରି ରୋଷେଇପାଇଁ ଦିଅନ୍ତି । ପରିବା, ମାଛପାଇଁ ପଇସା ହିସାବ କରି ଦେଇ ଖାତାରେ ଟିପି ରଖନ୍ତି ।

 

ପରିବା, ମାଛ ଆଣନ୍ତି କିଏ ?

 

‘‘ମୁଁ ନିଜେ ଆଣେ । ପ୍ରଥମେ ପ୍ରଥମେ ୟା ତା’ ହାତରେ ଟଙ୍କା ଦେଇ ଜିନିଷପାଇଁ ପଠାଉଥିଲି । ମାତ୍ର ଦେଖିଲି ଯେ ପଇସା ନେଇ ବଜାରକୁ ଗଲା, ସେ ସେଥିରୁ କିଛି ପଇସା ମାରିଲା । ଜିନିଷ ମଧ୍ୟ ଭଲ ଆଣିଲା ନାହିଁ ।’’ ଭରତ ଲୁଗା ବଦଳାଇ ଗୋଡ଼ହାତ ଧୋଇ ରୋଷେଇଘରକୁ ଯାଇ ଚୁଲି ଲଗାଇଲେ । ପଚାରିଲେ–ସାନଅପା, ଚା କରିବି, ଖାଇବ ?

 

କର । ଯୁବତୀଟି ଛୋଟ ଉତ୍ତରଟିଏ ଦେଲେ । ପଚାରିଲେ–ତୁମେ କ’ଣ ଭେଜିଟେବୁଲ ପଲାଉ, ମାଛ ତରକାରୀ ରାନ୍ଧିବା ଜାଣିଥିଲ ?

 

‘‘ସେଥିପାଇଁ କ’ଣ ସେ ଚାକର ଚାକରାଣୀଙ୍କୁ କମ୍ ନେହୁରା ହେବାକୁ ପଡ଼ିଛିନା କମ୍‌ ପଇସା ଦେବାକୁ ପଡ଼ିଛି ? ହେଲେ ବଡ଼ବାବୁଙ୍କ ସ୍ତ୍ରୀ, ସାକ୍ଷାତ ଲକ୍ଷ୍ମୀ । ତାହା ନହେଲେ କଲିକତା ପରି ସହରରେ ଏଡ଼େ ବଡ଼ ବ୍ୟବସାୟ ଚଳାଇ କୋଠାବାଡ଼ି କରି ଏତେ ଏତେ ଚାକର ଚାକରାଣୀ ରଖିପାରନ୍ତେ ! ସେହି ବଡ଼ବାବୁଙ୍କ ସ୍ତ୍ରୀ ଆସି ମୋ ପାଖରେ ବସି ପ୍ରଥମେ କାହାକୁ କ’ଣ କହିବାକୁ ପଡ଼େ, କେଉଁ ତରକାରୀ କିମିତି ରାନ୍ଧିବାକୁ ହୁଏ, ବତାଇ ଦେଲେ । ତମେ କ’ଣ ଭରତକୁ ଚିହ୍ନିନ ସାନଅପା ? ଗୋଟିଏ କଥା ଥରେ ବତେଇ ଦେଲେ ଭରତ ତେଣିକି ମାଡ଼ି ଚାଲିଲା । ଥରେ ଦୁଇଥର ତ ମା’ ବତାଇଛନ୍ତି, ତା’ପରେ ସମସ୍ତେ ମୋ ଅଧୀନ ?’’ ଭରତ ଚା କରି ଯୁବତୀର ହାତକୁ ବଢ଼ାଇ ଦେଉ ଦେଉ ଦେଖିଲେ, ମୁହଁଟି ତାଙ୍କର ରକ୍ତହୀନ ଭଳି ଦେଖା ଯାଉଛି । ପଚାରିଲେ–ତୁମେ କାହିଁକି ଶୁଖିଲା ଦେଖାଯାଉଛ ସାନଅପା, ତୁମ ଦେହ କ’ଣ ଭଲ ରହୁନି ?

 

‘‘ଦିନଟିଯାକ ଏକୁଟିଆ ତ ବସିବାକୁ ପଡ଼ୁଛି । ବସି ରହିଲେ, କେତେ ଚିନ୍ତା, କେତେ ଭାବନା, ଜାଣୁନ ?’’ ଯୁବତୀଟି ଉଠି ଠିଆ ହୋଇ କହିଲେ–‘‘ମୁଁ ଶୋଇବାଘରେ ଅଛି ଭରତ, ତୁମେ ତରକାରୀ କରି ପୁରି ଛାଣି ରଖିଦେବ ।’’ ଚା କପଟି ଧରି ଶୋଇବାଘରକୁ ଚାଲିଗଲେ ।

 

ଭରତ କହିଲେ–କାହିଁକି, ଏଇଠି ବସୁନ ସାନଅପା ! ଗପ୍‍ସପ୍ ହେବା । ମୁଁ ତରକାରୀ ଓହ୍ଲାଇ ଗରମ ଗରମ ପୁରି ଛାଣି ଦେବି । ବସି ଖାଇବ ।

 

ବହି ଖଣ୍ଡିଏ ପଢ଼ା ଆରମ୍ଭ କରିଛି । ଅଧା ହୋଇଛି ।

 

ଭରତ କହିଲେ–ହଉ, ତେବେ ଯାଅ । ମୁଁ ପୁରି ଛାଣିଲାବେଳେ ତୁମକୁ ଡାକିବି ।

 

ଭରତ ପରିବା କାଟି ତରକାରୀ ବସାଇଲେ । ନିଜ ବ୍ୟାଗ୍‌ ଭିତରୁ ନାଟକ ବହି ଖଣ୍ଡିଏ କାଢ଼ି ଲଣ୍ଠନ ଆଲୁଅରେ ପ୍ରଥମରୁ କେତୋଟି ପୃଷ୍ଠା ପଢ଼ିଲେ । ତା’ପରେ ବହିଟିକୁ ବନ୍ଦ କରି ରଖି ତରକାରୀ କରେଇ ଓହ୍ଲାଇ ପୁରିପାଇଁ ଅଟା ବେଲିଲେ । ଘିଅ କରେଇ ଚୁଲିରେ ବସାଇବା ପୂର୍ବରୁ ହେମକାନ୍ତଙ୍କ ଶୋଇବାଘର ପାଖକୁ ଯାଇ ଡାକିଲେ ‘‘ସାନଅପା, ସାନଅପାମ !’’ ହଠାତ୍‌ କିଛି ଜବାବ ନପାଇ ଘର ଭିତରକୁ ଚାହିଁଲେ ଭରତ । ଦେଖିଲେ ଘରେ ଜଳୁଥିବା ଲଣ୍ଠନଟି ଲିଭି ଯାଇଛି । ଭରତଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ସେ କବାଟ ପାଖରେ ଠିଆ ହୋଇ କହିଲେ–ମଲାମର, ତୁମକୁ ଏତିକି ନିଦ ସାନଅପା ? ଲଣ୍ଠନ ଲିଭିଗଲାଣି । ତୁମେ ନିଦରେ ଶୋଇ ଗଲଣି ? ତୁମେ ପରା କ’ଣ ବହି ପଢ଼ୁଥିଲ ?

 

ଅନ୍ଧାର ଘର ଭିତରୁ ଜବାବ ଆସିଲା–କ’ଣ କହୁଛ ଭରତ ?

 

ନାଇଁ ପୁରି ଛାଣିବାପାଇଁ ଘିଅ କରେଇ ଚୁଲି ଉପରେ ବସାଇବାକୁ ଯାଉଛି । ଆସ ଖାଇବ ।

 

ଯାଉଛି ଚାଲ ।

 

ଭରତ ଆସି ଚୁଲି ଉପରେ ଘିଅ କରେଇ ବସାଇ ପୁରି ଛାଣିଲେ । ରୋଷେଇଘର ବାହାରେ ପିଢ଼ାଟି ଉପରେ ଯୁବତୀଟି ବସିଲା । ଭରତ ଗରମ ପୁରି ଛାଣି, ପୁରି ତରକାରୀ ଆଣି ଥାଳିରେ ବାଢ଼ି ତାଙ୍କୁ ଖାଇବାକୁ ଦେଲେ ।

 

ଯୁବତୀଟି ପଚାରିଲା–ସକାଳର ମାଛଭଜା ଅଛି ?

 

‘‘ଖାଇବକି ସାନଅପା ?’’ ଭରତ ଧଡ଼ପଡ଼ ହୋଇ ଉଠି ମାଛଭଜା ଦୁଇଖଣ୍ଡ ବାହାର କଲେ । କହିଲେ–ମାଛ ଦୁଇଖଣ୍ଡ ଟିକିଏ ତେଲରେ ଭାଜି ଦିଏ କି, ସାନଅପା, ଗରମ ଗରମ ଖାଇବ ।

 

‘ନାହିଁ ସେମିତି ଦିଅ ।’

 

ଭରତ ମାଛଭଜା ଦୁଇଖଣ୍ଡ ଯୁବତୀର ଖାଇବା ଥାଳିରେ ଦେଲେ । ଯୁବତୀଟି ପୁରି, ତରକାରୀ, ମାଛଭଜା ଖାଇ ଥାଳିଟିକୁ ଉଠାଇ ନଳାମୁହଁକୁ ନେଇ ମାଜି ବସିଲା ।

 

ଭରତ କହିଲେ–ଇଏ କ’ଣ କରୁଛମ ସାନଅପା ! ଭରତ କ’ଣ ତମ ଖାଇବା ବାସନ ଖଣ୍ଡକ ମାଜି ପାରି ନଥାନ୍ତା ?

 

ଦିଖଣ୍ଡ ତ ବାସନ, ମାଜିବାକୁ କେତେ ସମୟ ଲାଗିବ ? ମୋତେ ଗ୍ଲାସେ ପାଣି ପିଇବାକୁ ଦିଅ ।

 

ଭରତ ପାଣି ଗ୍ଲାସ୍‍ଟିଏ ଆଣି ଦେଲେ । ଯୁବତୀଟି ପାଣି ପିଇ ଶୋଇବା ଘରକୁ ଯାଉ ଯାଉ କହିଲେ–ବାହାରେ ଲିଭିଲା ଲଣ୍ଠନଟା ରଖି ଦେଇଛି । କାମ ଶେଷ ହେଲେ ଲଗାଇ ସେହି ବାହାରେ ରଖିଦେବ । ବାବୁ ଆସିଲେ କବାଟ ଫିଟାଇ ଖାଇବାକୁ ଦେବ । ମୋ ଦେହ କାହିଁକି ଆଜି ଭଲ ଲାଗୁନି । ଆଲୁଅକୁ ଚାହିଁଲେ ଆଖିରୁ ପାଣି ଗଡ଼ୁଛି । ଅନ୍ଧାରରେ ଶୋଇପଡ଼ିଲେ ଅବା ଭଲ ଟିକିଏ ଲାଗିବ ?

 

‘‘ସାନଅପାମ, ଆଜି ତ ଆଠମଙ୍ଗଳା ହେଲା । ତୁମ ଘରୁ ଏହି ଦିନେ ଓଳିଏ ଭିତରେ ବାପା କି ଭାଇ ତୁମକୁ କିଏ ନେବାକୁ ଆସିବେ । ନୁହେଁ ?’’ ଭରତ ପଚାରି ଯୁବତୀଟି ଆଡ଼କୁ ଚାହିଁ ରହିଲେ ।

 

ଯୁବତୀଟି ଶୋଇବା ଘରେ ପଶୁ ପଶୁ କହିଲା–ସେମାନେ ଆସନ୍ତୁ । ମାତ୍ର, ମୁଁ ଯିବିନି ।

 

‘‘କାହିଁକିମ ସାନଅପା ?’’

 

ଘରେ କେହି ନାହାନ୍ତି । ବାବୁ ଏକୁଟିଆ । ତୁମେ ଦୋକାନରୁ ଘର ହେଉଛ । ଆଜିକାଲି କାଳବେଳ ଯାହା । ସମସ୍ତଙ୍କର ଦୃଷ୍ଟି ଇଲେ ବାବୁଙ୍କ ବ୍ୟବସାୟ ଆଉ ଟଙ୍କା ଉପରେ । ବୁଝୁନ ?’’ ଯୁବତୀଟି କହି ଘର ଭିତରକୁ ପଶି ଲଣ୍ଠନଟା ଆଣି ବାହାରେ ରଖିଦେଲେ । କହିଲେ–ଭରତ, ବାହାରେ ଲଣ୍ଠନଟା ରହିଲା । ଲଗାଇ ଏହି ବାହାରେ ରଖିଦେବ ।

 

ହଉ । ଭରତ ପୁରି ଛାଣି ନିଜେ ଖାଇ ବସିଲେ । ମନେମନେ ସ୍ଥିର କଲେ–ବାବୁ ଆସିଲେ ପୁଣି ଥରେ ଚୁଲି ଲଗାଇ ତାଙ୍କୁ ଗରମ ପୁରି ଛାଣି ଖାଇବାକୁ ଦେବି ।

 

ଭରତ ଖାଇ ସାରି ନିଜ ଖାଇବା ବାସନ ମାଜି ରୋଷେଇଘରେ ରଖୁଛନ୍ତି, ଏହ ସମୟରେ ବାହାର କବାଟ ଖଡ଼ ଖଡ଼ଶବ୍ଦ ହେଲା । ସେ ଯାଇ କବାଟ ଫିଟାଇଲେ । ହେମକାନ୍ତ ଘର ଭିତରକୁ ପଶି ଆସୁ ଆସୁ ପଚାରିଲେ–ରୋଷେଇ ସାରିଲଣି ?

 

ଭରତ ମୁଣ୍ଡ ହଲାଇ ‘ହଁ’ ବୋଲି କହିଲେ ।

 

ସାନଅପା ଖାଇଲେଣି ?

 

ଆଜ୍ଞା ।

 

ହେମକାନ୍ତ ଶୋଇବାଘର କବାଟ ପାଖରେ ଠିଆ ହୋଇ ପଚାରିଲେ–ଘର ଅନ୍ଧାର ହୋଇଛି । ବାହାରେ ଲଣ୍ଠନଟା ଲିଭି ରହିଛି ?

 

ଭରତ ବାହାର ଘର କବାଟ ଭିତରୁ ବନ୍ଦ କରି ଆସୁ ଆସୁ କହିଲେ–ସାନଅପାଙ୍କ ଆଖିରୁ ଆଲୁଅ ପଡ଼ିଲେ ପାଣି ଗଡ଼ୁଛି । ଶୋଇବାଘରେ ଆଲୁଅ ରଖିବାକୁ ମନା କଲେ । ଲଣ୍ଠନଟା ସନ୍ଧ୍ୟାବେଳୁ ଜଳୁଥିଲା । ଲିଭି ଯାଇଛି ।

 

ଆଚ୍ଛା ହେଉ । ଟିକିଏ ରହି ଗୋଡ଼ହାତ ଧୋଉ ଧୋଉ କହିଲେ–ଲଣ୍ଠନଟା ଲଗାଇ ଦିଅ । ତୁମେ ଧରିଥିବା ଲଣ୍ଠନଟା ଟିକିଏ ମୋତେ ଦିଅ ।

 

ଭରତ ଲିଭିଥିବା ଲଣ୍ଠନଟା ଆଣି ଲଗାଇ ଦେଇ ହେମକାନ୍ତଙ୍କ ହାତକୁ ବଢ଼ାଇ ଦେଲେ-। ହେମକାନ୍ତ ଲଣ୍ଠନର ବତିଟିକୁ ଟିକିଏ କମାଇ ଦେଇ ହାତରେ ଧରି ଘର ଭିତରକୁ ପଶିଲେ-। ଦେଖିଲେ ଖଟ ଉପରେ କାନ୍ଥ ଆଡ଼କୁ ମୁହଁକରି ଯୁବତୀଟି ଶୋଇଛି । ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଚଦରଟି ଢଙ୍କା ହୋଇଛି । ହେମକାନ୍ତ ଯୁବତୀଟିର ମୁଣ୍ଡ ଉପରୁ ଚଦରଟି ଟିକିଏ ଖସାଇ ଦେଇ ମଥାର ନରମ କେଶ ଉପରେ ହାତ ବୁଲାଉ ବୁଲାଉ ପଚାରିଲେ–କ’ଣ ଦେହ ଭଲ ଲାଗୁନି-?

 

ଯୁବତୀଟି ମୁହଁ ବୁଲାଇ ହେମକାନ୍ତଙ୍କୁ ଚାହିଁ ଅଳ୍ପ ହସି କହିଲା–ଦେହ ଭଲ ଲାଗୁଛି ଯେ, ମନ ଭଲ ଲାଗୁନି ।

 

ହେମକାନ୍ତ ଖଟ ଉପରେ ବସି ଯୁବତୀଟିର ମୁହଁଟିକୁ ନିଜ ଆଡ଼କୁ ଟାଣି ଆଣି କହିଲେ–ବାପା, ବୋଉ, ଭାଇ ଭଉଣୀଙ୍କ କଥା ମନେ ପଡ଼ୁଛି, ନୁହେଁ ?

 

ଦୀର୍ଘ ନିଃଶ୍ୱାସ ପକାଇ ଯୁବତୀଟି କହିଲା–ହେଲେ ତୁମକୁ ଛାଡ଼ି କୁଆଡ଼େ ମୋର ଯିବାକୁ ଇଚ୍ଛା ହେଉନି ।

 

ହେମକାନ୍ତ ଆଉ ଟିକିଏ ସ୍ନେହ ଓ ଆଦର ମିଶା କଣ୍ଠରେ ପଚାରିଲେ–ଖାଇଛ ?

 

ଯୁବତୀଟି ଉତ୍ତର ଦେଲା–‘ହଁ’ । ଟିକିଏ ରହି ପଚାରିଲା–ତୁମେ ଖାଇଲଣି ?

 

‘‘ନାଇଁ, ଏଇତ ଆସି ପହଞ୍ଚୁଛି ।’’ ହେମକାନ୍ତ ଯୁବତୀଟିର ମୁହଁ ଓ ମଥାରେ ହାତ ବୁଲାଉ ବୁଲାଉ ଉତ୍ତର ଦେଲେ ।

 

ଯୁବତୀଟି ହେମକାନ୍ତଙ୍କ ଛାତିରେ ହାତ ବୁଲାଇ କହିଲା–ଯାଅ, ଚଞ୍ଚଳ ଖାଇଦେଇ ଆସିବ ।

 

‘‘ତୁମେ ଆଉ ଖାଇବ ନାହିଁ ?’’ ହେମକାନ୍ତ ଖଟ ଉପରୁ ଉଠି ଲୁଗା, ଜାମା ବଦଳାଇ ରାତିପିନ୍ଧା ଲୁଙ୍ଗିଟି ପିନ୍ଧୁ ପିନ୍ଧୁ ପଚାରିଲେ ।

 

‘‘ନାଇଁ, ମୁଁ ବର୍ତ୍ତମାନ ଖାଇ ଆସୁଛି ।’’ ଯୁବତୀଟି ଉଠି ବସିଲା ।

 

ହେମକାନ୍ତ ବାହାରକୁ ଆସିଲେ । ଭରତ ପୁଣି ଚୁଲିରେ ଘିଅ କରେଇ ବସାଇ ପୁରି ଛାଣି ତାଙ୍କୁ ଖାଇବାକୁ ଦେଲେ ।

 

ହେମକାନ୍ତ ଖାଇସାରି, ହାତଧୋଇ ଶୋଇବା ଘରକୁ ଯାଉଯାଉ କହିଲେ–କବାଟ, ଝରକା ବନ୍ଦ କରିବ ଭରତ ! ମୁଁ ଶୋଇବାକୁ ଯାଉଛି ।

 

ହେମକାନ୍ତ ଶୋଇବା ଘରକୁ ପଶିବାମାତ୍ରେ ଯୁବତୀଟି କହିଲା–ଲଣ୍ଠନଟା ଲିଭାଇ ଦେଇ ଆସ । ଆଲୁଅ ଭଲ ଲାଗୁନି ।

 

ହେମକାନ୍ତ ଥଟ୍ଟା କରି କହିଲେ–ଘର ଅନ୍ଧାର ହେଲେ, ତୁମେ ତ ଆଉ କାନ୍ଦିବନି ?

 

ଯୁବତୀଟି ହସି ହସି କହିଲା–ତୁମେ ତ ମୋର ଏକାନ୍ତ ହୋଇ ଅଛ । କାନ୍ଦିବି କାହିଁକି ?

 

ହେମକାନ୍ତ କବାଟ ବନ୍ଦ କରି ଲଣ୍ଠନଟି ଲିଭାଇ ଖଟ ଉପରକୁ ଆସୁ ଆସୁ କହିଲେ–କାନ୍ତ, ଏକାନ୍ତ ନହେଲେ ତୁମର ଶାନ୍ତ, କାନ୍ତ ଯୌବନ କଳିର ବୃନ୍ତକୁ ଦୋହଲାଇବ କିଏ ?

 

ହେମକାନ୍ତ ଓ ଯୁବତୀଟିର ହସର ଲହରୀ ଅନ୍ଧକାର ଘରର ବାୟୁ ତରଙ୍ଗ ଭିତରେ କିଛି ସମୟପାଇଁ ନାଚିନାଚି ବୁଲିଥିଲା ।

 

–ପନ୍ଦର–

 

ସେଦିନ ରାତ୍ରିରେ ଲକ୍ଷ୍ମୀଙ୍କ ଘରେ କାହାରି ଆଖିକୁ ନିଦ ନଥିଲା । ରବୀନ୍ଦ୍ର ରାତିରାତି ବୁଲି ତା’ ଦଳ ଲୋକଙ୍କୁ ସଙ୍ଗଠିତ କରି ରଖିଲା । ଆବଶ୍ୟକ ପଡ଼ିଲେ ସେମାନେ ହେମକାନ୍ତଙ୍କ ମଙ୍ଗଳପୁର ଘର ଏପରିକି ଚନ୍ଦନବଜାର ଦୋକାନ ଉପରେ ଚଢ଼ାଉ ନ କରି ଛାଡ଼ିବେ ନାହିଁ । ରବୀନ୍ଦ୍ରଙ୍କର ସବୁ ରାଗ ଥିଲା ହେମକାନ୍ତ ଭଲ ପାଉଥିବା ଯୁବତୀଟି ଉପରେ । ସେ ଲକ୍ଷ୍ମୀର ତଣ୍ଟି ଚିପି ଦେଇଛି । ସାହସ ତା’ର କମ୍ ନୁହେଁ ? ସେ ଜାଣିନି ଲକ୍ଷ୍ମୀ କାହାର ଭଉଣୀ ? ରବୀନ୍ଦ୍ରର ଜିଦ୍‌, ସେ ଯେଉଁ ହାତରେ ଲକ୍ଷ୍ମୀର ତଣ୍ଟି ଚିପି ବେହୋସ କରିବାପାଇଁ ଆଗେଇ ଆସିଥିଲା, ସେ ହାତ ଦୁଇଟିକୁ ତା’ର ସବୁଦିନ ପାଇଁ ଅକର୍ମଣ୍ୟ କରିଦେବ । ମଙ୍ଗଳପୁର ଗ୍ରାମରେ ମୁହଁସଞ୍ଜ ସୁଦ୍ଧା ଦଳର ଆଠ ଜଣ ଟୋକା ଠେଙ୍ଗା, ଫାର୍ଶା, ଛୁରି, ଶାବଳ ନେଇ ପହଞ୍ଚିବେ । ସେମାନେ ଗାଁମୁଣ୍ଡ ତୋଟାରେ ଅପେକ୍ଷା କରିଥିବେ । ରବୀନ୍ଦ୍ର ଇସାରା ଦେଲାମାତ୍ରେ ଆସି ହେମକାନ୍ତଙ୍କ ଘର ଘେରାଉ କରାଯିବ-। ଯୁବତୀଟିକୁ ଶୂନ୍ୟେ ଶୂନ୍ୟେ ଟେକି ନେବାପାଇଁ ଦୁଇଜଣ ବଛାବଛା ଯୁବକଙ୍କ ଉପରେ ଦାୟିତ୍ୱ ଦିଆଯାଇଛି । ଯୁବତୀଟି କରାୟତ୍ତ ହେବା ପରେ ଆଉ କ’ଣ କ’ଣ କରିବାକୁ ହେବ ପରିସ୍ଥିତି ଦେଖି ରବୀନ୍ଦ୍ର ନିର୍ଦ୍ଦେଶ ଦେବେ । ଏହି ଆଠଜଣ ଟୋକାଙ୍କ ମଦ, ମାଂସ ଖାଇବାପାଇଁ ରବୀନ୍ଦ୍ର ପଚାଶ ଟଙ୍କା ଗଣି ଦେଇଛି ।

 

ଏସବୁ ବ୍ୟବସ୍ଥା କରି ସେ ଘରକୁ ଫେରିଲାବେଳକୁ ରାତି ପ୍ରାୟ ଏଗାରଟା । ସେତେବେଳକୁ ଘରେ ବାପା, ବୋଉ, ଲକ୍ଷ୍ମୀ ବସି ଆଲୋଚନା କରୁଛନ୍ତି । କମଳା କହୁଥାନ୍ତି–ଆସନ୍ତାକାଲି ବାପ, ପୁଅ ଦୁହେଁ ଖାଇପିଇ ଟିକିଏ ବିଶ୍ରାମ ନେଇ ଉପରବେଳା ଯିବ । ଖବର ତେଜ ସେତେବେଳକୁ ମଉଳି ଯାଇଥିବ । ତୁମେ ଦୋକାନରେ ପହଞ୍ଚିଲାବେଳକୁ ହେମକାନ୍ତ ମଧ୍ୟ ଖାଇପିଇ ଦୋକାନକୁ ଆସିଥିବ । ତା’ ଉପରେ ହଠାତ୍‌ ରାଗି ଯିବନି, ଧୀର ସୁସ୍ଥ ଭାବରେ କଥାଟାକୁ ଆଗ ଆଦାୟ କରି ପଚାରିବ–ଲକ୍ଷ୍ମୀକୁ ସେ କାହିଁକି ବାହାର କରିଦେଲା ? ସେ କ’ଣ କହୁଛି, ଧୈର୍ଯ୍ୟ ଧରି ଶୁଣିବ । ହୁଏତ ଆମ ଝିଅର କିଛି ଦୋଷ ଥାଇପାରେ । ତାକୁ ବୁଝାଇଲା ଭଳି କହିବ–ତା’ ମନରେ ଯଦି ଏତେ କଥା କହି ଥିଲା, ତେବେ ବିବାହ ପୂର୍ବରୁ ଏ ବିବାହରେ ରାଜି ନୁହେଁ ବୋଲି ପରିଷ୍କାର ଭାବରେ କହି ଦେଲାନାହିଁ କାହିଁକି ? ବିବାହଟା କିଛି ଖେଳଘର କଥା ନୁହେଁ । ଜୀବନ ସଉଦା । ଆମ ଘରେ ଝିଅ ଜୀବନରେ ଥରେ ଜଣକୁ ବିବାହ କରେ । ସେହି ସ୍ୱାମୀ ତା’ର ଧର୍ମ, କର୍ମ, ଇହ ପରକାଳର ଦେବତାରୂପେ ତା’ ହୃଦୟରେ ପୂଜାପାଏ ।

 

‘‘ଗ୍ରାମର ଜଣେ ଦୁଇଜଣ ଭଦ୍ରଲୋକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଭଲ ହୋଇଥାନ୍ତା-।’’ ସଦାନନ୍ଦବାବୁ ଚିନ୍ତିତ କଣ୍ଠରେ କହିଲେ ।

 

ଲକ୍ଷ୍ମୀ କହିଲେ–‘ବାପା, ସେ ଇଲେ ଯେଉଁ ପରିସ୍ଥିତିରେ ପଡ଼ିଛନ୍ତି ହୁଏତ କାହାରି ଉପଦେଶ କି ପରାମର୍ଶ ଶୁଣିବେ ନାହିଁ । ସେ ଝିଅଟି ଯୋଗୁଁ ସେ ଏକପ୍ରକାର ପାଗଳ କହିଲେ ଚଳେ । ନିଜେ ତା’ପାଇଁ ଖାଇବାକୁ ବାଢ଼ିଦେଇ ପାଖରେ ମୁହଁକୁ ଚାହିଁ ବସୁଛନ୍ତି । ସେ ଖାଉଛି, ଏ ପରଷୁଛନ୍ତି । ଅଥଚ ମୁଁ ଖାଇଛିକି ନାହିଁ ଟିକିଏ ସୁଦ୍ଧା ପଚାରୁ ନାହାନ୍ତି । ଏଇଥିରୁ ତୁମେ ବୁଝୁନ ?’

 

‘‘ତୋର ବ୍ୟସ୍ତ ହେବା କିଛି ଦରକାର ନାହିଁ । ହେମକାନ୍ତ ତୋ ଗୋଡ଼ତଳକୁ ଆସି ଦଶ ମୁଣ୍ଡିଆ ମାରି ତୋତେ ଏଠାରୁ ଖୋସାମତ କରି ଯଦି ନନେଇଛି, ମୁଁ ଏ ନିଶରୁ ଫାଳେ କାଟିଦେବି-। ନାଇଁ ଯଦି ମୋ କଥାରୁ ସେ ବାହାରି ଯାଇଛି, ତେବେ ସେ ମାଇକିନା ସହ ପୁଅ ଯମଘର ଦେଖିବ ।’’ ରବୀନ୍ଦ୍ରଙ୍କ ଉତ୍ତେଜିତ କଣ୍ଠସ୍ୱରରେ ସମସ୍ତେ ଚମକି ପଡ଼ିଲେ ।

 

କମଳା ପରିସ୍ଥିତିକୁ ଟିକିଏ ଶାନ୍ତ କରାଇବା ପାଇଁ କହିଲେ–‘‘କୁଳର ମାନମର୍ଯ୍ୟାଦା ଓ ଲକ୍ଷ୍ମୀର ଭବିଷ୍ୟତକୁ ଆଖି ଆଗରେ ରଖି ଆମକୁ ସବୁକାମ କରିବାକୁ ପଡ଼ିବ । ଏଇ ପାଟିରେ ଅମୃତ ଅଛି, ଏଇ ପାଟିରେ ମଧ୍ୟ ବିଷ ଅଛି । ଖରାପ କାମ କରିବାକୁ ଗଲେ, ସେଥିରେ ବୁଦ୍ଧି, ବିବେକ ଆଗପଛ ବିଚାର କରିବା କିଛି ଆବଶ୍ୟକ ହୁଏ ନାହିଁ । ମନର ଉତ୍ତେଜନା, ଖିଆଲ, ଅନ୍ଧ ବୁଝାବଣା, ଜିଦ୍‌ରେ ଅକାର୍ଯ୍ୟଗୁଡ଼ିକ କରିବାକୁ ପଡ଼େ । ମାତ୍ର ଭଲ କାମଟିଏ କରିବାକୁ ହେଲେ ସେଥିପାଇଁ ସୁସ୍ଥ ବୁଝାମଣା ଓ ଦୂରଦୃଷ୍ଟି ଦରକାର । ଅକାର୍ଯ୍ୟ କୁକାର୍ଯ୍ୟର ଫଳାଫଳ ବହୁଦିନ ପର୍ଯ୍ୟନ୍ତ ଭୋଗ କରିବାକୁ ହୁଏ । ଥରେ ଘଟଣାଟି ଘଟିଲେ ହୁଏତ ତା’ର କୌଣସି ପ୍ରତିକାର କରି ହୁଏ ନାହିଁ । ବରଂ ଏହାର ପ୍ରତିକ୍ରିୟା ନିଜ ଶରୀର ଓ ପରିବାରର କ୍ଷତି ଘଟାଏ ।’’

 

‘‘ତୁ ସେ ଉପଦେଶ, ସତ୍‌ପରାମର୍ଶ ଆଉ କାହାକୁ ଦେବୁ, ସେ ଶୁଣିବ ବୋଉ, ମୋ ପାଖରେ ଶୁଣାଇବା ଦରକାର ନାହିଁ । ଉପଦେଶ, ହିତୋପଦେଶ, ରବୀନ୍ଦ୍ର ଜୀବନସାରା ଶୁଣିଲାଣି-। ବର୍ତ୍ତମାନ ସମୟ ଆସିଛି–ଯାହା ଠିକ୍‌ ବୋଲି ନ୍ୟାୟ ବୋଲି ମନକୁ ଆସୁଛି ସଙ୍ଗେ ସଙ୍ଗେ ତାକୁ କରିଯିବା ।’’ ରବୀନ୍ଦ୍ର ଅଣ୍ଟାରେ ବାନ୍ଧିଥିବା ଗାମୁଛାକୁ ଫିଟାଇ ଗୋଡ଼କୁ ଝାଡ଼ି କାନ୍ଧରେ ପକାଇଲେ-

 

ସଦାନନ୍ଦବାବୁ କହିଲେ–ମଣିଷ ଯାହା ବିଚାରନ୍ତା, ତାହା ଯଦି କରିପାରୁଥାନ୍ତା, ତେବେତ ସେ ଦେବତା ପାଲଟି ଯାଆନ୍ତା !

 

ରବୀନ୍ଦ୍ର ବିରକ୍ତି ମିଶା ସ୍ୱରରେ କହିଲେ–‘‘ରାତି ଅନେକ ହେଲାଣି । ତୁ ଖାଇବାକୁ ବାଢ଼ିଲୁ । କାଲି କଥା କାଲି ବୁଝାଯିବ । ମାତ୍ର ମୁଁ ଆଜିଠାରୁ କହି ଦେଉଛି, ବାପା ମୋ ସାଙ୍ଗରେ ହେମକାନ୍ତର ଦୋକାନକୁ ଯାଆନ୍ତୁ, ମୋର କିଛି ଆପତ୍ତି ନାହିଁ । ମାତ୍ର ହେମକାନ୍ତ ଯଦି ମୋ କଥାରୁ ବାହାରି ଏଣୁତେଣୁ ଗପେ, ତେବେ ମୋ ଦେଖିଲା କାମ ମୁଁ କରିବି । ବାପା ଯେପରି ସେଥିରେ ବାଧା ନ ଦିଅନ୍ତି ।’’

 

‘ଚନ୍ଦନବଜାରରେ ଯାଇ କ’ଣ ଗୁଣ୍ଡାମି କରିବା ?’ ସଦାନନ୍ଦବାବୁ କହି ମୁଣ୍ଡରେ ହାତ ଦେଇ ତଳକୁ ମୁହଁ ପୋତି ବସିଲେ ।

 

ଲକ୍ଷ୍ମୀ ଓ ତାଙ୍କ ବୋଉଙ୍କ ତୁଣ୍ଡରୁ କୌଣସି କଥା ବାହାରିଲା ନାହିଁ । ସେ କିଛି ସମୟ ନୀରବରେ ବସି ରହିଲେ ।

 

ରବୀନ୍ଦ୍ର କହିଲେ–ଖାଇବାକୁ ଦେବୁନା ନାହିଁ ? ମୁଁ ତେବେ ଯାଉଛି ଶୋଇବି ।

 

ସଦାନନ୍ଦବାବୁ କହିଲେ–ଯାହା ଠାକୁରଙ୍କ ଇଚ୍ଛା ଥିବ, ତାକୁ ପରିବର୍ତ୍ତନ କରିବ କିଏ ? ଯାଅ ତାକୁ ଖାଇବାକୁ ଦିଅ ।

 

କମଳା ଉଠି ରବୀନ୍ଦ୍ରଙ୍କ ପାଇଁ ଖାଇବାକୁ ବାଢ଼ି ଦେଇ ପୁଣି ବସିଥିବା ସ୍ଥାନକୁ ନୀରବରେ ଫେରି ଆସିଲେ । ରବୀନ୍ଦ୍ରଙ୍କର କଥାବାର୍ତ୍ତା, ଚାଲିଚଳନ ଏବଂ ପୂର୍ବ କାର୍ଯ୍ୟକଳାପରୁ ସେ ପରିସ୍ଥିତିର ଭୟାବହତା ଅନୁମାନ କରି ମନେମନେ ଆତଙ୍କିତ ହୋଇପଡ଼ୁଥିଲେ । ଲକ୍ଷ୍ମୀ ନିଜ ବିଷୟରେ କୌଣସି କଥା ଚିନ୍ତା କରିପାରୁ ନଥିଲେ । ତାଙ୍କ ମସ୍ତିସ୍କ ଭିତର ଖାଲିମାଠିଆ ଭଳି ଶୂନ୍ୟ ହୋଇ ଯାଇଥିଲା ।

 

ସଦାନନ୍ଦବାବୁ ଦୀର୍ଘ ନିଃଶ୍ୱାସ ପକାଇ କହିଲେ–ଖାଲି ନୀରବରେ ବସି ରାତି କଟାଇଲେ କ’ଣ ହେବ ? ପୁଅ ଗୁଣତ ଜାଣିଛ । ସେ ନିଶ୍ଚୟ ଯିବ । ସେ ଓ ମୁଁ ଦୁଇଜଣଯାକ କାଲି ଯିବୁ । ତେଣିକି ଯାହା ଯୋଗ ଥିବ । ଯାଅ, ମୋପାଇଁ, ଲକ୍ଷ୍ମୀପାଇଁ ଖାଇବାକୁ ବାଢ଼ ।

 

‘‘ମୁଁ ଖାଇବିନି ବୋଉ, ମୋର ଖାଇବାକୁ ଇଚ୍ଛା ହେଉନି ।’’ କହି ଲକ୍ଷ୍ମୀ ଖଟଉପରେ ଯାଇ ମୁହଁମାଡ଼ି ଶୋଇଲେ ।

 

‘‘ସେ ଥାଉ, ମୋ ସାଙ୍ଗେ ଖାଇବ । ତୁମେ ଆସ’’ କହି କମଳା ଆଗେଆଗେ ରୋଷେଇଘରକୁ ଗଲେ । ତାଙ୍କ ପଛେ ପଛେ ଗଲେ ସଦାନନ୍ଦବାବୁ । ସେତେବେଳକୁ ରବୀନ୍ଦ୍ର ଖାଇ ସାରି ନିଜ ଶୋଇବା ଘରେ ପଶି ଭିତରୁ କବାଟ ଦେଇ ସାରିଥିଲେ । ଗାଁମୁଣ୍ଡ ପୋଖରୀବନ୍ଧ ପାଖରୁ ବିଲୁଆଙ୍କର ହୁକେହୋ ଶବ୍ଦ ପବନରେ ଭାସି ଆସୁଥିଲା ।

 

–ଷୋହଳ–

 

ଅପରାହ୍ନ ପ୍ରାୟ ଚାରିଟା । ପଶ୍ଚିମ ଆକାଶରେ ଖଣ୍ଡେ କଳାବାଦଲ ହଠାତ୍‌ ଉଠି ଆସି ସୂର୍ଯ୍ୟଙ୍କ ମୁହଁକୁ ଢାଙ୍କିଦେଲା । ଶିରିଶିରି କାଲୁଆ ପବନ ଫୁଲଭରା ସୋରିଷ ଗଛର ମଥା ବାରମ୍ୱାର ହଲାଇବାରେ ଲାଗିଲା । ଆମ୍ୱ, ବର, ଓସ୍ତ ଗଛର ଶୁଖିଲା ପତ୍ର ପବନରେ ଝଡ଼ି ଦୂରରୁ ଦୂରକୁ ଉଡ଼ି ଉଡ଼ି ବୁଲିଲା ।

 

ରାସ୍ତାରେ ଆଠଟି ଯୁବକ ଚାରିଟି ସାଇକେଲ୍‍ରେ ବସି ଯାଉଥିଲେ । କାହାରି ମୁହଁରେ କଥା ନଥିଲା । ସମସ୍ତେ ଦେଖାଯାଉଥିଲେ ଗମ୍ଭୀର । ସମସ୍ତଙ୍କର ପରିଧାନ ଏକାଭଳି ପେଣ୍ଟ୍, ଜାମା । ପାଦରେ ପୂରାଜୋତା, ମୋଜା । ପିନ୍ଧା ପୋଷାକରୁ ଯୁବକମାନେ ଦୂରରୁ ଭଦ୍ରଘରର ଶାନ୍ତଶିଷ୍ଟ ଭଳି ଜଣାଯାଉଥିଲେ ସତ, ମାତ୍ର ପାଖରୁ ସେମାନଙ୍କର ମୁଖମଣ୍ଡଳରେ ଗର୍ବ. ଅହଂଭାବ, ହିଂସ୍ର ଆବରଣର ଛାୟା ଅତି ଭୟଙ୍କର ଦେଖାଯାଉଥିଲା । ପ୍ରତି ଯୁବକ ଜାମା ତଳେ ପିନ୍ଧି ଥିଲେ ମୋଟା କନାର ଫତେଇ । ସେଥିରେ ଥିବା ପକେଟ ଭିତରେ ରହିଥିଲା ଛୁରା, ଫାର୍ଶା, ଭୁଜାଲି, ମୁନା ସାଇକେଲ୍‍ ଚେନ୍ ପ୍ରଭୃତି ଅସ୍ତ୍ରଶସ୍ତ୍ର । ପ୍ରତ୍ୟେକଙ୍କ ମୁହଁରୁ ଦେଶୀ ମଦର ଉତ୍କଟ ଗନ୍ଧ ଭାସି ଆସୁଥିଲା । ସେମାନେ ବେଳେବେଳେ ଅତି ସନ୍ତର୍ପଣରେ ପଛକୁ ଚାହୁଁଥିଲେ । ଝଡ଼, ବର୍ଷା ବଜ୍ରପାତକୁ ସେମାନଙ୍କର ସେତେ ଡର, ଭୟ ନଥିଲା, ବେଶୀ ଭୟ ଥିଲା ପୁଲିସ ଲୋକଙ୍କୁ । ପୁଲିସ ଥରେ କାହାରିକୁ ଧରି ନେଲେ ତା’ର ହଇରାଣ, ହରକତ୍‍, ମାଡ଼ ଜେଲଦଣ୍ଡର ସୀମା ରହିବ ନାହିଁ । ଅବଶ୍ୟ ସେମାନେ ସେଥିରେ ଅଭ୍ୟସ୍ତ; ତଥାପି ନିଜ ଅସାବଧାନରୁ ପୁଲିସଙ୍କ ହାତରେ ଧରାପଡ଼ିବାକୁ ସେମାନେ ନିଜର ସାହସପଣିଆ, ଚତୁରତା ଏବଂ ପେଶାର ମର୍ଯ୍ୟାଦା ବୋଲି ବିଚାରୁ ନଥିଲେ ।

 

ଯୁବକଙ୍କ ଭିତରୁ ଜଣେ ପଛକୁ ଚାହିଁ ଇସାରା ଦେଲା–‘ରବି’ ।

 

ସମସ୍ତେ ସେହି ସାଇକେଲ୍‍ରେ ବସିଥିବା ଅବସ୍ଥାରେ ତଳେ ଗୋଡ଼ ଲଗାଇ ପଛକୁ ଚାହିଁଲେ । ଏକାବେଳକେ କହି ଉଠିଲେ–‘ତା’ ସାଇକେଲ୍‍ ପଛରେ ଅନ୍ୟ କେହି ଜଣେ ବସି ଆସୁଛନ୍ତି ।’

 

ରବିକୁ ଶୁଣାଇଲା ଭଳି ଜଣକ ପରେ ଜଣଙ୍କର ତୁଣ୍ଡରୁ ହୁଇସିଲ୍‌ର ସଙ୍କେତ ବାହାରି ଆସିଲା । ରବୀନ୍ଦ୍ର ମଧ୍ୟ ସାଇକେଲ୍‍ ପଛରେ ତାଙ୍କ ବାପା ସଦାନନ୍ଦବାବୁଙ୍କୁ ବସାଇ ଆଣୁଥିବା ଅବସ୍ଥାରେ ଡାହାଣ ହାତରେ ସାଇକେଲ୍‍ର ହାଣ୍ଡଲଟି ଧରି ବାଁ ହାତର ଦୁଇଟି ଆଙ୍ଗୁଠିକୁ ପାଟିରେ ପୂରାଇ ଦୂରରୁ ଭାସି ଆସୁଥିବା ସଙ୍କେତର ଉତ୍ତର ଦେଲେ । ସାଇକେଲ୍‍ଟି ରାସ୍ତାରେ ଗଡ଼ି ଆସୁ ଆସୁ ଟିକିଏ ଏପଟ ସେପଟ ହୋଇଗଲା । ପଛରୁ ସଦାନନ୍ଦବାବୁ ପଚାରିଲେ–‘‘କ’ଣ ହେଲା ରବି-?’’ ସଦାନନ୍ଦବାବୁ ସେତେବେଳକୁ ହେମକାନ୍ତଙ୍କ ସହିତ ଦେଖା କରିବାବେଳେ ଯେଉଁ ପରିସ୍ଥିତି ଉପୁଜିବ, ସେହି କଥା ଭାବି ଅନ୍ୟମନସ୍କ ହୋଇ ପଡ଼ିଥିଲେ । ରବୀନ୍ଦ୍ର ହଠାତ୍‌ ଗୋଟିଏ ହାତରେ ସାଇକେଲ୍‍ଟି ଚଳାଇବା ଫଳରେ ଟିକିଏ ଏକଡ଼ ସେକଡ଼ ହୋଇଯିବାରୁ, ସେ ପ୍ରକୃତିସ୍ଥ ହୋଇ ପଡ଼ିଲେ ।

 

ରବୀନ୍ଦ୍ର, ଗମ୍ଭୀର ଭାବରେ ସଂକ୍ଷିପ୍ତ ଉତ୍ତରଟିଏ ଦେଲେ–‘‘କିଛି ନାହିଁ ।’’

 

କିଛି ସମୟ ନୀରବରେ କଟିବା ପରେ ସଦାନନ୍ଦବାବୁ ଏଣିକି ତେଣିକି ଚାହିଁ କହିଲେ–ମେଘ ଉଠାଇ ଆସିଲାଣି । ପବନ ହେଲାଣି, ହୁଏତ ବର୍ଷା ହୋଇପାରେ ।

 

ରବୀନ୍ଦ୍ର ତା’ର କିଛି ଉତ୍ତର ଦେଲେ ନାହିଁ ।

 

ଆଗେଆଗେ ଚାରିଟି ସାଇକେଲ୍‍ରେ ବସି ଯାଉଥିବା ଆଠଜଣ ଯୁବକ ମଙ୍ଗଳପୁର ଗ୍ରାମମୁଣ୍ଡ ତୋଟା ଭିତରକୁ ସାଇକେଲ୍‍ ଗଡ଼ାଇ ଗୋଟିଏ ଆମ୍ୱଗଛମୂଳେ ଠିଆ ହେଲେ । ଆମ୍ୱଗଛ ଗଣ୍ଡିରେ ସାଇକେଲ୍‍ଗୁଡ଼ିକ ଆଉଜାଇ ଦେଇ ନିଜ ନିଜର ଅସ୍ତ୍ରଶସ୍ତ୍ରଗୁଡ଼ିକ କାଢ଼ି ପରୀକ୍ଷା କରିବାରେ ଲାଗିଲେ । ସେମାନଙ୍କ ଭିତରୁ ଜଣେ କହିଲା–ଏଗୁଡ଼ିକ ଆଉଥରେ ଶାଣ ଦିଆଯିବା ଦରକାର ପଡ଼ିଲାଣି ।

 

ଅନ୍ୟଜଣେ କହିଲା–ବହୁଦିନ ହେଲା ବ୍ୟବହାର ହୋଇ ନଥିଲା ଆଜି କାମରେ ଲାଗିବ-

 

ଏହି ସମୟରେ ରାସ୍ତା ଉପରେ ରବୀନ୍ଦ୍ର ସାଇକେଲ୍‍ରୁ ଓହ୍ଲାଇ ପାଟିରେ ହୁଇସିଲ୍‌ ଦେଲେ । ଆମ୍ୱତୋଟା ଭିତରୁ ମଧ୍ୟ ଅନୁରୂପ ହୁଇସିଲ୍‌ର ସଙ୍କେତ ଶୁଣାଗଲା । ରବୀନ୍ଦ୍ର କହିଲେ–ବାପା, ତୁମେ ସାଇକେଲ୍‍ ନେଇ ଆଗରେ ଚନ୍ଦନ ବଜାରକୁ ଯାଉଥାଅ, ମୁଁ ତୁମ ପଛେ ପଛେ ଯାଇ ପହଞ୍ଚିବି ।

 

‘‘ମୁଁ ସାଇକେଲ୍‍ ନେଇ ଗଲେ, ତୁ ପୁଣି କିମିତି ଯିବୁ ?’’ ସଦାନନ୍ଦବାବୁ ବିସ୍ମିତ ସ୍ୱରରେ ପଚାରିଲେ ।

 

ରବୀନ୍ଦ୍ର ଈଷତ୍‌ ବିରକ୍ତିମିଶା କଣ୍ଠରେ କହିଲେ–‘ମୋ କଥା ମୁଁ ବୁଝିବି ?’’

 

ରବୀନ୍ଦ୍ରଙ୍କ ଚଢ଼ାସ୍ୱରର ଉତ୍ତର ଓ ମୁଖଭଙ୍ଗୀ ଦେଖି ସଦାନନ୍ଦବାବୁ ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ । ସାଇକେଲ୍‍ଟି ଧରି ଗୋଟିଏ ଗୋଟିଏ କିଛି ବାଟ ଚାଲିବା ପରେ ସାଇକେଲ୍‍ରେ ବସି ଚନ୍ଦନବଜାର ରାସ୍ତା ଧରି ଚାଲିଲେ । ସାଇକେଲ୍‍ ଉପରେ ବସିଲାବେଳେ ରବୀନ୍ଦ୍ରଙ୍କୁ ଶୁଣାଇଲା ଭଳି କହିଲେ–ମୁଁ ଚନ୍ଦନବଜାରରେ ଅପେକ୍ଷା କରିଛି, ତୁ ଆ ।

 

ରବୀନ୍ଦ୍ର ରାସ୍ତାରୁ ଗଡ଼ି ଆମ୍ୱତୋଟା ଭିତରକୁ ଗଲେ । ଅଳ୍ପ ସମୟ ମଧ୍ୟରେ ପୁଣି କାର୍ଯ୍ୟକ୍ରମ ବଦଳିଗଲା । ଠିକ୍‌ ହେଲା, ସମସ୍ତେ ପ୍ରଥମେ ଚନ୍ଦନବଜାରକୁ ଯିବେ । ସେଠାରେ ଅପେକ୍ଷା କରି ରହିବେ । ରବୀନ୍ଦ୍ର ଓ ତାଙ୍କ ବାପା ଯାଇ ହେମକାନ୍ତଙ୍କ ସହିତ କଥାବାର୍ତ୍ତା କରିବେ । ସେଠାରେ କଥାର କିଛି ଏପଟ ସେପଟ ଦେଖାଗଲେ, ସେହିଠାରୁ ଆକ୍ରମଣ ଆରମ୍ଭ ହେବ ।

 

ତା’ପରେ ରବୀନ୍ଦ୍ର ରାସ୍ତାକୁ ବାହାରି ଆସିଲେ । ତାଙ୍କୁ ଜଣେ ଯୁବକ ସାଇକେଲ୍‍ ପଛରେ ବସାଇ ଚାଲିଲା । ରବୀନ୍ଦ୍ର ସାଇକେଲ୍‍ ପଛରେ ବସିବା ପୂର୍ବରୁ ନିଜ ପକେଟରୁ ସ୍ପ୍ରିଙ୍ଗ୍‍ଲଗା ଛୁରିଟିକୁ ବାହାର କରି ତା’ର ଧାର ପରୀକ୍ଷା କରିନେଲେ । ଛୁରିଟି ଥିଲା ଷ୍ଟେନ୍‍ଲେସ୍ ଲୁହାର । ସୂର୍ଯ୍ୟଙ୍କର କିରଣ ବାଦଲ ଭିତରେ ଲୁଚି ରହିଥିଲେ ସୁଦ୍ଧା ଛୁରିଟି ନିଜ ତେଜରେ ଚକଚକ କରୁଥିଲା ଏବଂ ରବୀନ୍ଦ୍ରଙ୍କ ମୁହଁରେ ପିଶାଚର ସ୍ମିତ ହାସ୍ୟ ଫୁଟି ଉଠୁଥିଲା । ଛୁରିଟିକୁ ବନ୍ଦ କରି ସେ ପକେଟରେ ରଖିଲେ । ସାଇକେଲ୍‍ ପଛରେ ବସି ଯାଉଥିବାବେଳେ ସାଇକେଲ୍‍ର ଗତି ସହିତ ତାଙ୍କର କଳ୍ପିତ ଯୋଜନାଗୁଡ଼ିକ ଭାବନାରାସ୍ତାରେ ଗଡ଼ି ଚାଲିଥିଲା ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟାକୁଳ ହେଉଥିଲା । ତାଙ୍କ ପଛେ ପଛେ ଗୋଟିଏ ସାଇକେଲ୍‍ର ଆଗପଛ ହୋଇ ତିନିଜଣ ଏବଂ ଅନ୍ୟ ଦୁଇଟି ସାଇକେଲ୍‍ରେ ଦୁଇ, ଦୁଇଜଣ କରି ବସି ଚାଲିଲେ ।

 

ଚନ୍ଦନବଜାର ଆରମ୍ଭ ହେବାମାତ୍ରେ ରବୀନ୍ଦ୍ର ସାଇକେଲ୍‍ରୁ ଓହ୍ଲାଇ ପଡ଼ିଲେ । ତାଙ୍କୁ ଦେଖି ଅନ୍ୟମାନେ ଓହ୍ଲାଇ ନୀରବରେ ରବୀନ୍ଦ୍ରଙ୍କ ପଛେ ପଛେ ଚାଲିଲେ । ରବୀନ୍ଦ୍ର ଅଳ୍ପ ଦୂରରୁ ‘‘ହେମକାନ୍ତଙ୍କ ଲୁଗା ଦୋକାନ’’ ସାଇନ୍‍ବୋର୍ଡ଼ଟିକୁ ଯୁବକମାନଙ୍କୁ ଇଙ୍ଗିତଦ୍ୱାରା ଦେଖାଇ ଦେଲେ ଏବଂ ପକେଟରୁ ଟଙ୍କା ଦଶଟି କାଢ଼ି କହିଲେ–‘‘ପାଖ ଦୋକାନରେ ବସି ଚା ଖାଉଥାଅ । ମୁଁ ଖବର ଦେବି ।’’

ଯୁବକମାନେ ସାଇକେଲ୍‍ ଧରି ଚନ୍ଦନ ବଜାରର ଏମୁଣ୍ଡରୁ ସେମୁଣ୍ଡ ଦୋକାନ ଓ ଦୋକାନୀମାନଙ୍କର ଗତିବିଧି, କାରବାର, କଥାବାର୍ତ୍ତା ଠଉରାଇବାରେ ଲାଗିଲେ । ସେମାନେ ଚନ୍ଦନବଜାର ଭିତରେ ଯାଉଥିବା ସମୟରେ ବାରମ୍ୱାର ହେମକାନ୍ତଙ୍କ ଦୋକାନକୁ ଲକ୍ଷ୍ୟ କରୁଥିଲେ ଏବଂ ହେମକାନ୍ତ ଏବଂ ଦୋକାନରେ ବିକ୍ରି କରୁଥିବା ପିଲାଙ୍କ ଉପରେ କଡ଼ା ନଜର ପକାଉଥିଲେ । ତା’ପରେ ଆସି ହେମକାନ୍ତଙ୍କ ଦୋକାନର ଅଳ୍ପ ଦୂରରେ ଥିବା ଗୋଟିଏ ଜଳଖିଆ ଦୋକାନରେ ବସି ଚା ଖାଇଲେ ।

ରବୀନ୍ଦ୍ର ହେମକାନ୍ତଙ୍କ ଦୋକାନକୁ ଯିବା ପୂର୍ବରୁ ଦେଖିଲେ ତାଙ୍କୁ ଅପେକ୍ଷା କରି ବାପା ଠିଆ ହୋଇଛନ୍ତି । ସେ ବାପାଙ୍କ ଆଡ଼କୁ ଥରେ ଚାହିଁ ନୀରବରେ ହେମକାନ୍ତଙ୍କ ଦୋକାନକୁ ଚାଲିଲେ । ତାଙ୍କ ପଛେ ଗଲେ ସଦାନନ୍ଦବାବୁ । ତାଙ୍କ ମୁହଁରେ କୌଣସି କଥା ନଥିଲେ ମଧ୍ୟ ଛାତି ଭିତରଟା କାହିଁକି କେଜାଣି ଚୁଡ଼ାକୁଟା ଢିଙ୍କି ଭଳି ପଡ଼ୁଥିଲା, ଉଠୁଥିଲା ।

ଦୋକାନରେ ଶ୍ୱଶୁର ଓ ଶଳାଙ୍କୁ ହେମକାନ୍ତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କଲେ । ସମ୍ମାନର ସହିତ ଦୋକାନ ଭିତରକୁ ନେଉ ନେଉ ରବୀନ୍ଦ୍ରଙ୍କର ଉଦ୍ଦେଶ୍ୟରେ ପଚାରିଲେ–ଭାଇ, ବାପାଙ୍କୁ ଘରକୁ ନେଇ ଗଲନି । ଦୋକାନକୁ କାହିଁକି ଆସିଲେ ?

 

ହେମକାନ୍ତଙ୍କ ଏ ପ୍ରଶ୍ନର ଉତ୍ତର ସଦାନନ୍ଦବାବୁ କିମ୍ୱା ରବୀନ୍ଦ୍ର କେହି ନେଇ ନଥିଲେ । ନୀରବରେ ସେ ଦୁହେଁ ଦୋକାନରେ ବିକ୍ରିପାଇଁ ଥିବା ଜିନିଷଗୁଡ଼ିକ ଉପରେ ଆଖି ବୁଲାଉଥିଲେ ।

 

ହେମକାନ୍ତ ଲୁଗା ଆଲମିରା ପଛରେ ଥିବା ଜାଗାରେ ସଉପ ମସିଣାଟିଏ ପକାଇ ଦେଲେ । କହିଲେ–ବାପା, ବସନ୍ତୁ । ଶ୍ୱଶୁର ଓ ଶଳାଙ୍କୁ ଦେଖିଲାବେଳୁ ହେମକାନ୍ତଙ୍କର ହୃଦୟ ଅକୁହା ଆନନ୍ଦରେ ଭରିଯାଉଥିଲା । ଗୋଡ଼ ତାଙ୍କର ତଳେ ପଡ଼ୁ ନଥିଲା । ନୂଆ ହୋଇ ଶ୍ୱଶୁର ଆସିଛନ୍ତି । ତେଣୁ ସେ ଉପଯୁକ୍ତ ସମ୍ମାନ ଯେପରି ପାଆନ୍ତି, ସେଥିପାଇଁ ବ୍ୟସ୍ତ ହୋଇ ପଡ଼ୁଥିଲେ । ସଦାନନ୍ଦବାବୁ ଏବଂ ରବୀନ୍ଦ୍ର ଠିଆ ହୋଇ ରହିଥିବାର ଦେଖି ହେମକାନ୍ତ ରବୀନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଲେ–ଭାଇ, ବସୁ ନାହାନ୍ତି, ଠିଆ ହୋଇ ରହିଲେ ଯେ ?

 

ସଦାନନ୍ଦବାବୁ ଅନ୍ୟମନସ୍କ ଭାବରେ କହିଲେ–‘‘ହଁ, ବସିବାତ’’ । ମସିଣା ଉପରେ ସଦାନନ୍ଦବାବୁ ବସିଲେ । ହେମକାନ୍ତ ଜଳଖିଆ, ଚା ବରାଦ କରିବାପାଇଁ ଏପଟ ସେପଟ ହେଉଥିବାର ଦେଖି କହିଲେ–ଆମର ସେ ସବୁ କିଛି ଦରକାର ନାହିଁ ହେମକାନ୍ତ ! ଆମେ ବର୍ତ୍ତମାନ ଘରୁ ଖାଇପିଇ ଆସିଛୁ । ତୁମ ସହିତ ଟିକିଏ କଥାବାର୍ତ୍ତା ଥିଲା । ଆମେ କଥାବାର୍ତ୍ତା ଦୁଇପଦ ହୋଇ ଚାଲିଯିବୁ ।

 

ରବୀନ୍ଦ୍ର ନୀରବରେ କେବଳ ହେମକାନ୍ତଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ । ମନର ଉତ୍ତେଜନା ତାଙ୍କ ଦୁଇ ଆଖି ଓ ମୁହଁରେ ପରିଷ୍କାର ଭାବରେ ପ୍ରକାଶ ପାଉଥିଲା । ସେ ମସିଣା ଉପରେ ବସିଲେ ।

 

ହେମକାନ୍ତ ଦୋକାନରେ ଥିବା ପିଲା ଦୁଇଟିଙ୍କ ଭିତରୁ ଜଣକୁ ଜଳଖିଆ ପାଇଁ ପଠାଇ ଆସି ସଦାନନ୍ଦବାବୁଙ୍କ ପାଖରେ ବସିଲେ । କହିଲେ–‘‘ଏଇ ପାଖରେ ଜଣେ ଲୋକ ତାଙ୍କ ଗାଈବାଛୁରୀ ବିକ୍ରିକରି ଦେଉଛନ୍ତି । ଗାଈ, ବାଛୁରୀ ଦୁଇଟି ଦେଖିବାକୁ କିମିତି, କେତେ କ୍ଷୀର ଦିନକୁ ଗାଈଟି ଦେଉଛି, ବୁଝି ଆସିବାକୁ ଭରତକୁ ପଠାଇଛନ୍ତି ।’’ ରବୀନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଲେ–ତୁମେ ଭାଇ, ବାପାଙ୍କୁ ନେଇ ଘରକୁ ଯାଇ, ମୋତେ ଖବର ଦେଇଥିଲେ ମୁଁ ପହଞ୍ଚି ନଥା’ନ୍ତି ?

 

ସଦାନନ୍ଦବାବୁ କଥାଟାକୁ କିପରି ଆରମ୍ଭ କରିବେ ବାଟ ଖୋଜୁଥିଲେ । ରବୀନ୍ଦ୍ର ବାପାଙ୍କ କଥା ଆରମ୍ଭକୁ ଅପେକ୍ଷା କରି ବସିଥିଲେ । କଥା ଆରମ୍ଭ ହୋଇ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଲେ ସେ ତାଙ୍କ ଦେଖିଲା କାମ ଆରମ୍ଭ କରିବାପାଇଁ ପ୍ରସ୍ତୁତ ହେଉଥିଲେ ।

 

ହେମକାନ୍ତ ଶ୍ୱଶୁରଙ୍କ ପାଖରେ ବସିବାବେଳେ ଜଣେ ବେପାରୀ ଆସି ଲୁଗା, ଶାଢ଼ି ନେବାକୁ ପହଞ୍ଚିଲେ । ବେପାରୀଙ୍କୁ ଦେଖି ହେମକାନ୍ତ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଉଠିଗଲେ-

 

ରବୀନ୍ଦ୍ର ବିରକ୍ତ ପ୍ରକାଶ କରି ସଦାନନ୍ଦବାବୁଙ୍କ ଉଦ୍ଦେଶ୍ୟରେ କହିଲେ କ’ଣ ଇମିତି ଆମେ ବସି ରହିଥିବା, ତା’ର ସେ ବେପାର କରୁଥିବ ?

 

ସଦାନନ୍ଦବାବୁ ଅନ୍ୟମନସ୍କ ଭାବରେ ଉତ୍ତର ଦେଲେ–‘ହୁଁ’

 

‘‘ସେ ‘ହୁଁ’ ‘ହାଁ’ ଶୁଣିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ । ଯାହା ପଚାରିବା କଥା ତୁମେ ରୋକ୍‍ଠୋକ୍ ତାକୁ ପଚାରିଦିଅ ।’’ ରବୀନ୍ଦ୍ରଙ୍କ ମୁଖ ବେଳକୁ ବେଳ କ୍ରୋଧରେ ବୈଶାଖର ମଧ୍ୟାହ୍ନ ଆକାଶ ଭଳି ଦିଶୁଥିଲା । ଚକ୍ଷୁ ଦୁଇଟିରୁ ମଝିରେ ମଝିରେ ଅଗ୍ନିକଣା ଦେଖା ଦେଉଥିଲା । ସଦାନନ୍ଦବାବୁ ଡାକିଲେ–ହେମକାନ୍ତ !

 

ଏହି ସମୟରେ ଦୋକାନର ପିଲାଟି ଜଳଖିଆ ଧରି ଆସିଲା । ହେମକାନ୍ତ କହିଲେ ଭଲ କରି ଦୁଇଟି ପ୍ଲେଟ୍‌ ଧୋଇ ଜଳଖିଆ ଆଉ ପାଣି ଦୁଇଟି ଗ୍ଳାସ୍‌ରେ ଦେଇଆସ ।

 

ପିଲାଟି ପ୍ଲେଟ୍ ଦୁଇଟି ଧୋଇ ସେଥିରେ ଆଣିଥିବା ରସଗୋଲା, ସିଙ୍ଗଡ଼ା, ଛେନାପୋଡ଼ ରଖି ସଦାନନ୍ଦବାବୁ ଏବଂ ରବୀନ୍ଦ୍ର ବସିଥିବା ଜାଗାରେ ଥୋଇଲା । ପାଣି ଦୁଇ ଗ୍ଲାସ୍‌ ନେଇ ରଖି ଫେରି ଆସୁଥିଲାବେଳେ ରବୀନ୍ଦ୍ର କର୍କଶ ସ୍ୱରରେ କହିଲେ–ଆରେ, ରଖ ତୁମ ଜଳଖିଆ । ଡାକ, ତୋ ବାବୁକୁ । ଆମେ ଏଠାରେ ବସିଥିବୁ; ତା’ କାମରେ ସେ ଲାଗିଥିବ, ଭଲଲୋକ ସେ !

 

ହେମକାନ୍ତଙ୍କୁ ପିଲାଟି ଆସି କହିଲା ବାବୁମାନେ ଡାକୁଛନ୍ତି । ହେମକାନ୍ତ ଭିତରକୁ ପଶି ଆସି କହିଲେ ଭାଇ, ଆପଣ ଖାଉଥାନ୍ତୁ, ମୁଁ ଏ ବେପାରୀଙ୍କୁ ବିଦାୟ କରି ଆସୁଛି । ହିସାବ ପତ୍ର ସରିଲାଣି । କେବଳ କେତେଖଣ୍ତ ଲୁଗା ଶାଢ଼ି ଗଣତି ହେବ ।

 

ରବୀନ୍ଦ୍ର ମୁହଁକୁ ଅନ୍ୟ ଦିଗକୁ ବୁଲାଇ କହିଲେ ଟିକିଏ ବେଗେ ଆସ । ତୁମ ପାଖରେ ବହୁତ କାମ ଅଛି ।

 

ହେମକାନ୍ତ ବେପାରୀଟିକୁ ବିଦାୟ କରି ଆସି ରବୀନ୍ଦ୍ରଙ୍କ ପାଖରେ ବସିଲେ । ଅତି ଶାନ୍ତ ମନରେ ହସି ହସି ପଚାରିଲେ କ’ଣ ଜରୁରୀ କାମ ଅଛି, ଶୁଣିବା ?

 

ସଦାନନ୍ଦବାବୁ ଧୀର ଏବଂ ସଂଯତ ଗଳାରେ ପଚାରିଲେ ଲକ୍ଷ୍ମୀ କାହିଁକି ତୁମ ଘରୁ ଚାଲିଗଲା ?

 

‘‘ଲକ୍ଷ୍ମୀ ଆମ ଘରୁ ଚାଲିଗଲା ! ଏ ଆପଣ କ’ଣ କହୁଛନ୍ତି ! ଲକ୍ଷ୍ମୀତ ଘରେ ଅଛି ।’’ ହେମକାନ୍ତ ବିସ୍ମିତ ହୋଇ କହିଲେ ।

 

ରବୀନ୍ଦ୍ର ପଚାରିଲେ କେଉଁ ଲକ୍ଷ୍ମୀ ତୁମ ଘରେ ଅଛି ? ମୋ ଭଉଣୀ ଲକ୍ଷ୍ମୀ ନା ତୁମେ ବିବାହ କରିବା ପୂର୍ବରୁ ଯେଉଁ ମାଇକିନାକୁ ଭଲ ପାଉଥିଲ, ତାକୁ ଲକ୍ଷ୍ମୀ ସଜାଇ ରଖିଛ ?

 

‘‘ଭାଇ, ଥଟ୍ଟା କରୁଛନା କ’ଣ ? ଲକ୍ଷ୍ମୀ କ’ଣ ଆଜି ଯାଇ ପହଞ୍ଚିଛି ? ମୁଁ ଦୁଇ ତିନି ଦିନ ହେଲା ଖାଇବାକୁ ଘରକୁ ଯାଇ ପାରୁନାହିଁ । ଭରତ ଖରାବେଳେ ଖାଇବାକୁ ରୋଷେଇ ସାରି ନେଇ ଆସୁଛି । କାହିଁ ଲକ୍ଷ୍ମୀ ଆପଣଙ୍କ ଘରକୁ ଯିବା କଥାତ କିଛି କହୁ ନଥିଲା । ସକାଳେ ମୁଁ ଦୋକାନକୁ ଆସିଲାବେଳେ ଲକ୍ଷ୍ମୀତ ଘରେ ଥିଲା, ଆପଣଙ୍କ ଘରକୁ ଯିବା କଥା ମୁଁ ତା’ ମୁହଁରୁ କିଛି ଶୁଣିନି ?’’ ହେମକାନ୍ତ ଈଷତ୍‌ ବିଚଳିତ ହେଲାଭଳି କହିଗଲେ ।

 

ସଦାନନ୍ଦବାବୁ କହିଲେ ଲକ୍ଷ୍ମୀ ସାତମଙ୍ଗଳା ସନ୍ଧ୍ୟାରୁ ଯାଇ ଆମ ଘରେ ଅଛି । କାହିଁକି ସେ ଏକାଏକା ଚାଲିଗଲା ? କ’ଣ ତୁମ ଘରେ ଘଟିଲା, ଆମେ ଦୁହେଁ ତୁମଠାରୁ ବୁଝିବାକୁ ଆସିଛୁ-

 

‘‘ମିଛ କଥା । ଲକ୍ଷ୍ମୀ ସାତମଙ୍ଗଳା ସନ୍ଧ୍ୟାରେ ଆପଣଙ୍କ ଘରକୁ କାହିଁକି ଯିବ ? ସେ ଗଲେତ ପୁଣି ମୁଁ ଜାଣିବା କଥା । ତା’ପରେ ଝଗଡ଼ା ବା ଅଶାନ୍ତି ଲାଗିଥିଲେ ବା ସେ ରୁଷି ଆପଣଙ୍କ ଘରକୁ ଚାଲି ଯାଇଥାନ୍ତା । ସେମିତିତ କିଛି ଘଟଣା ଘରେ ଘଟି ନାହିଁ । ଘରେ ଆଉ କିଏ ଅଛି ଯେ, ଅଶାନ୍ତି ବା କଜିଆ ଲାଗିବ ? ମୋର ପିଉସୀ ଝିଅ ଭଉଣୀ ଦୁଇଟି ଆସିଥିଲେ । ସେମାନେତ ତିନିଦିନ ହେଲା ଚାଲିଗଲେଣି ।’’ ହେମକାନ୍ତ ନିଜ ଯୁକ୍ତିରେ ଅଟଳ ରହି କଥାଗୁଡ଼ିକ କହିଗଲେ । ତାଙ୍କୁ ଯେମିତି ଶ୍ୱଶୁର ଓ ଶଳାଙ୍କର କଥା ଅବିଶ୍ୱାସ ଭଳି ଲାଗୁଥିଲା ।

 

ଏହି ସମୟରେ ଭରତ ଆସି ପହଞ୍ଚିଲେ । ବାବୁ କାହାନ୍ତି ବୋଲି ପଚାରିବାରେ ଦୋକାନରେ ଥିବା ପିଲା ଦୁଇଟି ଆଲମାରି ପଛକୁ ଦେଖାଇ ଦେଲେ । ଭରତ ହଠାତ୍‌ ପଶିଗଲାବେଳକୁ ସଦାନନ୍ଦବାବୁଙ୍କ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ଜିଭ କାମୁଡ଼ି ପକାଇଲେ । ସେ ଯାତ୍ରାଦଳରେ ଥିବାବେଳେ ଗାଁ ଗାଁକୁ ଯାତ୍ରା କରିବାପାଇଁ ବୁଲିଛନ୍ତି । ଏ ଅଞ୍ଚଳରେ ପ୍ରାୟ ପ୍ରତି ଲୋକଙ୍କ ସହିତ ସେ ପରିଚିତ । ସେ ସଦାନନ୍ଦବାବୁଙ୍କୁ ଉଦ୍ଦେଶ୍ୟ କରି ପଚାରିଲେ ତୁମେ ମଉସା କେତେବେଳେମ ?

 

ହେମକାନ୍ତ ଅତି ଗମ୍ଭୀର ହୋଇ ପଚାରିଲେ–ଭରତ ! ଭରତଙ୍କର ସେ ପର୍ଯ୍ୟନ୍ତ ହେମକାନ୍ତ କିମ୍ୱା ରବୀନ୍ଦ୍ରଙ୍କ ଉପରେ ଆଖି ପଡ଼ିନଥିଲା । ସେ ହେମକାନ୍ତଙ୍କୁ ସେଠାରେ ବସିଥିବାର ଦେଖିବାମାତ୍ରେ କହିଲେ–ବାବୁମ, ଗାଈବାଛୁରୀ ଦୁଇଟି ଅତି ଭଲ । କାଳି ଗାଈଟିଏ, କ୍ଷୀର ଦୁଇବେଳା ମିଶି ତିନି କିଲୋ ପର୍ଯ୍ୟନ୍ତ ଦେଉଛି । ଦେଶୀ ଗାଈତ । ବାଛୁରୀଟି ମଧ୍ୟ ବେଶୀଦିନର ନୁହେଁ । ମାତ୍ର ଦୁଇ ମାସର, ଭାରି ସୁଧାରିଆ ଗାଈ । ରଖିଲେ ଭଲ ହେବ ।

 

ଶୁଣ । ଆହୁରି ଗମ୍ଭୀର ହୋଇ କହିଲେ ହେମକାନ୍ତ–ତୁମେ ମୋପାଇଁ ଖାଇବାକୁ ଆଣି ଆସିଲାବେଳେ ଲକ୍ଷ୍ମୀ ଘରେ ଥିଲାତ ? ସେ କ’ଣ ତାଙ୍କ ଘରକୁ ଯିବାକୁ କହୁଥିଲା ?

 

ମଲାମର ତୁମେ ଏ କ’ଣ କହୁଛମ ବାବୁ ! ସାନଅପାଙ୍କ ପାଇଁ ଶୋଇବା ଘରେ ଖାଇବାକୁ ବଢ଼ିଦେଇ ତୁମପାଇଁ ଖାଇବାକୁ ଧରି ପରା ଆସିଲି । ସେ କାହିଁକି ବାପଘରକୁ ଯିବାକୁ କହିବେ ? ଓଲଟି ମୁଁ ତାଙ୍କୁ ପଚାରିଲି–ଆଜି ଦଶମଙ୍ଗଳା । ତୁମ ବାପା କି ଭାଇ କିଏ ନିଶ୍ଚୟ ତୁମକୁ ନେବାକୁ ଆସିବେ । ଏହା ଶୁଣି ସାନଅପା କହିଲେ–ଆସନ୍ତୁ, ମୁଁ ଯିବିନି । ବାବୁଙ୍କୁତ ବର୍ତ୍ତମାନ ସମୟ ନାହିଁ, ଦିନରାତି ଦୋକାନରେ । ତୁମେତ ଦିନଟିଯାକ ଘରକୁ ଚନ୍ଦନବଜାର ହେଉଛ । ତେଣୁ ଘରକୁ ଖାଲି ପକାଇ ମୁଁ ଇଲେ ଯିବି କୁଆଡ଼େ ?

 

ହେମକାନ୍ତ କହିଲେ ବାପା, ଭାଇ, ଦୁହେଁ କହୁଛନ୍ତି ଲକ୍ଷ୍ମୀ ତିନି ଦିନ ହେଲା ତାଙ୍କ ଘରକୁ ଚାଲିଗଲାଣି । କ’ଣ କଳିକଜିଆ ଘଟିଲା ବୋଲି ବୁଝିବାକୁ ଆସିଛନ୍ତି ।

 

‘‘ଏ ମଉସା, ସାନଅପା ଆମର ଏବେ ତମରି ଝିଅ ? ମତେ କହୁନ । ସାନଅପା ଆମର ଗୋଟିଏ ମଲ୍ଲୀ ଫୁଲତ । ରୂପ ଯେମିତି, ଗୁଣ ମଧ୍ୟ ସେମିତି ।’’ ଲକ୍ଷ୍ମୀଙ୍କର ପ୍ରଶଂସା ଭରତ ଗାଇବାରେ ଲାଗିଲେ ।

 

ରବୀନ୍ଦ୍ର ବିରକ୍ତି ପ୍ରକାଶ କରି କହିଲେ ଭରତ, ତୁମ ଯାତ୍ରା ବନ୍ଦକର । ଯେଉଁ ସାନଅପା କଥା କହୁଛ–ସେ କେଉଁ ସାନଅପା ? ବିବାହିତା ସାନଅପା ନା ରକ୍ଷିତା ସାନଅପା ?

 

‘‘ତମରି ଭଉଣୀ ସାନଅପାହେ ରବିବାବୁ ! ଆହେ ଲୁଚି ଲୁଚି ତୁମେ ଏବେ ଆମ ବାବୁଙ୍କୁ ପାଲରେ ପକାଇଛୁ, ମୁଁ କାହିଁ ଜାଣିବି ? ମୁଁ ଭାବୁଛି ସାନଅପାଙ୍କ ଘର ସିନା ହରପ୍ରତାପ ପୁରରେ ହେଲେ ସେ ଆଉ କାହା ଝିଅ ହୋଇଥିବେନା ?’’ ଭରତ ତାଙ୍କର ସ୍ୱଭାବସୁଲଭ ଭଙ୍ଗୀର କହିବାରେ ଲାଗିଲେ ।

 

ରବୀନ୍ଦ୍ର ଚଢ଼ାଗଳାରେ କହିଲେ ବୁଝିଲ, ସେ ଚାଲାକିପଣିଆ ତୁମେ କି ତୁମ ବାବୁ ମୋ ଆଗରେ ଆଉ ଦେଖାଅ ନାହିଁ । ରବୀନ୍ଦ୍ର ଯେତିକି ଭଲ, ସେତିକି ମନ୍ଦ । ଲକ୍ଷ୍ମୀ ଯାଇ ସାତମଙ୍ଗଳା ରାତିରୁ ଆମ ଘରେ । ତା’ର ତଣ୍ଟି ଚିପି ମାରିଦେବାକୁ ସେ ମାଇକିନା ବସିଥିଲା । ତୁମ ଘରକୁ ଆସିବା ଦିନଠାରୁ ଭଲକରି ଗଣ୍ତେ ଖାଇବାକୁ ସୁଦ୍ଧା ଲକ୍ଷ୍ମୀ ପାଇଲା ନାହିଁ ?

 

‘‘ରବିବାବୁ, ତୁମେ ଏତେ ମିଛ କଥା କେମିତି କହିପାରୁଛହେ ? ତୁମ ଭଉଣୀ ତୁମ ଘରେ କି ବାବୁଙ୍କ ଘରେ ମଙ୍ଗଳପୁର ଘରକୁ ଗଲେତ ଜାଣିପାରିବ । କିଏ ତଣ୍ଟି ଚିପି ଦେଲା, କିଏ ଖାଇବାକୁ ଦେଉନି, ବଳେ ଗଲେ ବୁଝିବନି ! ଟିକିଏ ରହି ଭରତ ପୁଣି କହିଲେ–ଆହେ ମଉସା, ମୁଁ ପରା ନିଜ ହାତରେ ରାନ୍ଧିବାଢ଼ି ତାଙ୍କୁ ଖାଇବାକୁ ଦେଉଛି ।’’

 

ସଦାନନ୍ଦବାବୁ କିଛି ସମୟ ନୀରବରେ ହେମକାନ୍ତ ଓ ଭରତଙ୍କ କଥା ଶୁଣିବା ପରେ କହିଲେ–ଟିକିଏ ଘର ଆଡ଼େ ବୁଲି ଆସିଲେ ହୁଅନ୍ତା ।

 

ହୋମନିଆଁରେ ଘିଅ ପଡ଼ିଲେ ସେ ଯେପରି ସପ୍ତଜିହ୍ୱା ମେଲାଇ ଉପରକୁ ଉଠେ, ସେହିପରି ରବୀନ୍ଦ୍ର ଠିଆହୋଇ ଗର୍ଜିଉଠି କହିଲେ ଟିକିଏ ନାହିଁ, ବର୍ତ୍ତମାନ ତାଙ୍କ ଘରକୁ ଯିବାକୁ ପଡ଼ିବ । ମୁଁ ଏ ସମସ୍ୟାର ସମାଧାନ ନ କରି ଯାଉନି । ସବୁ ଫିକର, ଫନ୍ଦି, ଧନ୍ଦା, ଚାଲଚାଜି କଥା ପଦାରେ ପକାଇ, ଉଚିତ ଶିକ୍ଷା ଦେଇ ଏଠାରୁ ଘରକୁ ଫେରିବ ରବୀନ୍ଦ୍ର ।

 

ରବୀନ୍ଦ୍ରଙ୍କ କଥା ସେଠାରେ ଏକ ଅସ୍ୱସ୍ତି, ଅଶାନ୍ତି ପରିବେଶ ସୃଷ୍ଟିକଲା । ସଦାନନ୍ଦବାବୁଙ୍କ ବ୍ୟତୀତ ହେମକାନ୍ତ ଓ ଭରତ ରବୀନ୍ଦ୍ରଙ୍କ କଥା ଉପରେ ଏତେ ଗୁରୁତ୍ୱ ଦେଉନଥିଲେ । ଏହାର କିପରି ସୁରୁଖୁରୁରେ ଗୋଟିଏ ସମାଧାନ ହେଉ ବୋଲି ସଦାନନ୍ଦବାବୁ ମନେମନେ ଠାକୁରଙ୍କୁ ଡାକୁଥିଲେ ।

 

ହେମକାନ୍ତ ଉଠି ଠିଆ ହେଲେ । ଭରତଙ୍କ ଉଦ୍ଦେଶ୍ୟରେ କହିଲେ–ତୁମେ ଭରତ, ଭାଇ ଆଉ ବାପାଙ୍କୁ ନେଇ ଘରକୁ ଆଗରେ ଚାଲ । ମୁଁ ଟିକିଏ କାମ ଶେଷକରି ଯାଉଛି ।

 

ରବୀନ୍ଦ୍ର ଦୃଢ଼ ଗଳାରେ କହିଲେ–ସେ କଥା ହେବନି । ତୁମକୁ ମଧ୍ୟ ଆମ ସହିତ ଯିବାକୁ ପଡ଼ିବ । ଭାବିଛ, ଏଣୁ ଏଣୁ ଖସି ଚାଲିଯିବ, ନୁହେଁ ? କୃଷ୍ଣ ସାଜିଛ ? ଘରକୁ ବୃନ୍ଦାବନ କରିଛ ? ଆଜି ବୃନ୍ଦାବନ କୃଷ୍ଣପଣିଆ ସବୁ ସେହି ଘରେ ଛାଡ଼ିଯିବ ।

 

ଭରତ ହସି ହସି କହିଲେ–ହେ ରବିବାବୁ ! ବାବୁଙ୍କଘରକୁତ ଯିବା ଭଉଣୀକୁ ଦେଖିବ । ଗଲାବେଳକୁ ସାଙ୍ଗରେ ଭଉଣୀକୁ ଘରକୁ ନେଇଯିବକି ଛାଡ଼ି ଦେଇଯିବ, ଘରେ ପହଞ୍ଚିଲା ପରେ ଯାହା ବିଚାର କରିବ । ଏଠାରେ ଇମିତି ହନୁମନ୍ତ ପରି ଡେଇଁଛ କାହିଁକି ? ତୁମେ ଆଉ ମଉସା ବସି ଜଳଖିଆ ଖାଇଦିଅ । ପାଣି ପିଅ । ଚା ଖାଅ । ଥଣ୍ତା ମିଞ୍ଜାସରେ ଚାଲ । ତୁମ ଭଉଣୀକୁ କେହି କୁଆଡ଼େ ନେଇଯାଇ ନାହାନ୍ତି । ଘରେ ଅଛନ୍ତି । ଦେଖିବ ।

 

‘‘ରଖ ତୁମ ଜଳଖିଆ । ମୁଁ କେତେ ଜଳଖିଆ ଖାଇଛି, କହିଲା–ଭଉଣୀ ଘରେ ଅଛି ଭଲ ଅଛି । ଠିକ୍ ଅଛି ତୁମ ବାବୁଙ୍କ ଘରକୁ ଯାଉଛି, ଲକ୍ଷ୍ମୀକୁ ଯଦି ସେଠାରେ ନଦେଖେ, ଦେଖିବ, ତୁମ ବାବୁ ଆଉ ଚାକରଙ୍କର ଅବସ୍ଥା କ’ଣ ହେବ ।’’ ରାଗରେ ତମତମ ହୋଇ ଦୋକାନ ବାହାରକୁ ଆସିଲେ ରବୀନ୍ଦ୍ର । ହାତରେ ଜଣେ ଯୁବକଙ୍କୁ ଆସିବାକୁ ଇଶାରା ଦେଲେ । ଚା ଦୋକାନରେ ଅପେକ୍ଷା କରିଥିବା ଯୁବକଙ୍କ ଭିତରୁ ଜଣେ ଆସିଲେ । ରବୀନ୍ଦ୍ର ଦୋକାନ ତଳକୁ ଓହ୍ଲାଇ କାନରେ ତାଙ୍କର ଫୁସୁଫୁସୁ କରି କହିଲେ–ମଙ୍ଗଳପୁର ଚାଲ । ହେମକାନ୍ତଙ୍କ ଘର ସାମନା ଓ ବାଡ଼ିପଟୁ ଘେରାଉ କରି ରହିବ । ଯେପରି କେହି ଜାଣିନପାରିବେ, ତା’ ଘରେ ଥିବା ମାଇକିନା ଯେପରି କାବୁ ହୁଏ । ଯାଅ ।

 

ଠିକ୍‌ ଅଛି । ଯୁବକଟି ଯାଇ ଅନ୍ୟ ଯୁବକମାନଙ୍କ କାନରେ ଚୁପ୍ ଚୁପ୍ ସବୁ କଥା କହିଦେଲା । ସାଇକେଲ୍‍ ଚାରୋଟିରେ ବସି ଯୁବକ ଆଠଜଣ ମଙ୍ଗଳପୁର ଗ୍ରାମ ଆଡ଼େ ଚାଲିଲେ । ସେତେବେଳକୁ ମୁହଁଅନ୍ଧାର ହୋଇ ଯାଇଥିଲା ।

 

ଦୋକାନରେ ଥିବା ଦୁଇଜଣ ଗରାଖଙ୍କୁ ବିଦାୟ କରି ଦୁଇଟି ରିକ୍ସା ଡାକିବାକୁ ହେମକାନ୍ତ ଦୋକାନର ଗୋଟିଏ ପିଲାକୁ ନିର୍ଦ୍ଦେଶ ଦେଲେ ।

 

ମାତ୍ର ରବୀନ୍ଦ୍ର ଯାଉଥିବା ଦୁଇଟି ଖାଲି ରିକ୍ସାକୁ ଜବରଦସ୍ତି ଆଣି ଦୋକାନ ମୁହଁରେ ଠିଆ କରାଇ କହିଲେ–ଆସ ଚଞ୍ଚଳ, ରିକ୍ସା ଆସିଲାଣି ।

 

ସଦାନନ୍ଦବାବୁ ପଚାରିଲେ–ସାଇକେଲ୍‍ଟା ମୋର ରହିଲା ।

 

ରବୀନ୍ଦ୍ର ଗର୍ଜିଉଠି କହିଲେ–ସାଇକେଲ୍‍ଟା ସେହି ଦୋକାନ ଦୁଆରମୁହଁରେ ଥାଉ । କିଏ କ’ଣ ନେଇ ଯାଉଛି ?

 

ସଦାନନ୍ଦବାବୁ ଓ ହେମକାନ୍ତ ଗୋଟିଏ ରିକ୍ସାରେ ବସିଲେ । ଅନ୍ୟ ରିକ୍ସାଟିରେ ବସିଲେ ଭରତ ଓ ରବୀନ୍ଦ୍ର । ହେମକାନ୍ତ ଦୋକାନରେ ଥିବା ପିଲା ଦୁଇଟିଙ୍କ ଉଦ୍ଦେଶ୍ୟରେ କହିଲେ–ଗଣେଶ, ରାମ ! ତୁମେ ଦୁଇଜଣଯାକ ଦୋକାନରେ ଥିବ । ଦୋକାନ ଛାଡ଼ି କୁଆଡ଼େ ଯିବନି । ମୁଁ ଏହି ଘଣ୍ଟାକ ଭିତରେ ଘରୁ ଆସୁଛି । ଯଦି ସେପରି କିଛି ଜରୁରୀ ପଡ଼େ ତୁମ ଭିତରୁ କେହିଜଣେ ଯାଇ ମୋତେ ଘରେ ଖବର ଦେବ ।

 

ଅନ୍ୟ ଗୋଟିଏ ରିକ୍ସାରେ ବସିଲେ ଭରତ ଓ ରବୀନ୍ଦ୍ର । ରିକ୍ସା ଦୁଇଟି ଆଗପଛ ହୋଇ ଚାଲିଲା । କିଛି ବାଟ ଯିବାପରେ ଭରତ କହିଲେ–ରବିବାବୁ, ତୁମର ସେ ଟାଉଁଟାଉଁ ରାଢ଼ୁଆ ମାଡ଼ ମାରିଲା ପରି କଥା କେବେହେଲେ ଗଲାନି ? ଆହେ, ତୁମ ଭଉଣୀ ଲକ୍ଷ୍ମୀ ରାଜଲକ୍ଷ୍ମୀ ଭଳି ଅଛନ୍ତି-। ଭଉଣୀ ତୁମର ଯେମିତି ଗୁଣର, କାମିକା, ଶାନ୍ତଶିଷ୍ଟ, ଭିଣୋଇଟି ମଧ୍ୟ ସେମିତି ହୀରାଟିଏ ପାଇଛ ।

 

‘‘ଚୁପ୍‌ ହୋଇ ବସ । ମାମଲତ୍‍କାରୀ କରିବାକୁ ତୋତେ କେହି କହୁ ନାହାନ୍ତି ।’’ ରବୀନ୍ଦ୍ରଙ୍କ ତୁଣ୍ତରୁ ବାଟୁଳି ପରି କଥା ଭରତଙ୍କ ହୃଦୟରେ ଆସି ବାଜିଲା । ସେ ଚମକି ପଡ଼ିଲେ । କଇଁଚ ତା’ ଖୋଳପା ଭିତରେ ରହିଲା ପରି ବାଟସାରା ଆଉ କିଛି ପାଟି ନ ଫିଟାଇ ଚୁପ୍ ହୋଇ ବସି ରହିଲେ ଭରତ ।

 

ସଦାନନ୍ଦବାବୁ ବାଟରେ ହେମକାନ୍ତଙ୍କୁ ଗୋଟିଏ ଦୁଇଟି ପ୍ରଶ୍ନ ବ୍ୟତୀତ ଆଉ କିଛି ପଚାରି ନାହାନ୍ତି । ତାହା ମଧ୍ୟ ଅତି ମାମୁଲି ଧରଣର ଥିଲା, ଦୋକାନ କିପରି ଚାଲିଛି ? ଘରୁ କେତେବେଳେ ଦୋକାନକୁ ଆସୁଛ ? ମଝିରେ ଖାଇବାକୁ ଆସୁଛ କି ନାହିଁ ?

ହେମକାନ୍ତ ସେ ସବୁ ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ଦେଇ ଚାଲିଥିଲେ, ହେମକାନ୍ତ ଭାବୁଥିଲେ–ଲକ୍ଷ୍ମୀତ ଘରେ ଅଛି । ତାଙ୍କ ଘରକୁ ଗଲା କେଉଁ ଦିନ ? ସଦାନନ୍ଦବାବୁ ଭାବୁଥିଲେ ଲକ୍ଷ୍ମୀତ ସାତମଙ୍ଗଳା ସନ୍ଧ୍ୟାରୁ ଆମ ଘରକୁ ଗଲାଣି । ଏଠାକୁ ଆସିଲା କିପରି ? ଭଉୟେ ମନେମନେ ସିଦ୍ଧାନ୍ତରେ ପହଞ୍ଚିଲେ ଘଟଣା ସ୍ଥଳରେ ନପହଞ୍ଚି ଆଖିରେ ନ ଦେଖିଲେ କୌଣସି କଥା ଏତିକିବେଳୁ ଭାବି ସ୍ଥିରକରି ହେବନାହିଁ । ଭାବନାର ଅନ୍ତ ନାହିଁ । ମାତ୍ର ଗୋଟିଏ ଭାବନା ସିଦ୍ଧାନ୍ତରେ ପହଞ୍ଚିଲେ ପୁଣି ଗୋଟିଏ ଭାବନା ଆସି ଦେଖାଦିଏ । ସଦାନନ୍ଦବାବୁ ପୁଣି ଭାବିଲେ–ଲକ୍ଷ୍ମୀ ଯଦି ଏଠାରେ ଅଛି, ତାକୁ ସାଙ୍ଗରେ ନେଇଯିବି । ଘରେ ଦୁଇ ଜଣଯାକ ଏକାଠି ହେଲେ କିଏ ପ୍ରକୃତ ଲକ୍ଷ୍ମୀ ଜଣା ପଡ଼ିବ ।

ହେମକାନ୍ତ କିପରି ଘରେ ପହଞ୍ଚି ତୁରନ୍ତ କାମ ଛିଣ୍ତାଇ ଦୋକାନକୁ ଫେରି ଆସିବେ, ସେହି କଥା ଭାବୁଥିଲେ । ଆଜିକାଲି ଯେମିତି ସମୟ, ଅନ୍ୟ ଲୋକଙ୍କ ଉପରେ କାରବାର ଛାଡ଼ି ଦେଇ ଆସିବା ଉଚିତ ନୁହେଁ । ସେ ଯେତେ ନିଜର ଲୋକ ହେଲେ ମଧ୍ୟ କାମିନୀ, କାଞ୍ଚନ ପ୍ରତି ବାହାର ଆସକ୍ତି ନାହିଁ ?

ରିକ୍ସା ଦୁଇଟି ଯାଇ ହେମକାନ୍ତଙ୍କ ଦୁଆରେ ପହଞ୍ଚୁଲା । ରିକ୍ସାରୁ ରବୀନ୍ଦ୍ର ଓହ୍ଲାଇବାମାତ୍ରେ ଦଳର ଜଣେ ଯୁବକ ଆସି ତାଙ୍କ କାନରେ ଫୁସୁ ଫୁସୁ ହୋଇ କହିଲ–ସାମନାରେ ଆଉ ବାଡ଼ି ପଟେ ଆମେ ସବୁ ପ୍ରସ୍ତୁତ ଅଛୁ ।

 

‘‘ଠିକ୍‌ ଅଛି ।’’ ରବୀନ୍ଦ୍ର ସଂକ୍ଷିପ୍ତ ଉତ୍ତରଟିଏ ଦେଲେ ।

 

ଭରତ ରିକ୍ସାରୁ ଓହ୍ଲାଇ ବ୍ୟାଗ୍‌ଟିଏ ହାତରେ ଧରି ଆଗେଆଗେ ପିଣ୍ତା ଉପରକୁ ପାହାଚ ପାହାଚ ଚଢ଼ି ଉଠିଗଲେ । ତାଙ୍କ ପଛରେ ହେମକାନ୍ତ, ସଦାନନ୍ଦବାବୁ ଥିଲେ । ସମସ୍ତଙ୍କ ପଛରେ ଆସୁଥିଲେ ରବୀନ୍ଦ୍ର । ସମସ୍ତଙ୍କ ମନରେ ନାନାପ୍ରକାର ଭାବନା ଏବଂ ମୁହଁରେ ବିସ୍ମୟ ଓ ଆଶଙ୍କାର ଚିହ୍ନ । ଭରତ କବାଟ ଠକ୍‌ ଠକ୍‌ କରି ଡାକିଲେ–ସାନଅପା, ସାନଅପା, ଦୁଆର ଖୋଲ । ଦେଖିବ ଆସ, ତୁମ ଘରକୁ କେତେ କୁଣିଆ ଆସିଛନ୍ତି ।

 

ଭରତଙ୍କ ଦୁଇ ତିନିଟି ଡାକରେ ଭିତରୁ ଜବାବ ଆସିଲା–‘‘ଖୋଲୁଛି ଭରତ ।’’

 

ଘର ଭିତରୁ ଜବାବ ଶୁଣି ହେମକାନ୍ତଙ୍କ ଓଠରେ ସଦ୍ୟପ୍ରସ୍ଫୁଟିତ ନାଲି ଗୋଲପର ଈଷତ୍ ହାସ୍ୟରେଖା ଦେଖାଦେଲା । ସଦାନନ୍ଦବାବୁ ତାଙ୍କ ଝିଅ ଲକ୍ଷ୍ମୀର ସ୍ୱର ଭଳି ଜବାବ ଶୁଣି ଅଧିକ ଆଶ୍ଚର୍ଯ୍ୟ ହେଉଥିଲେ ଏବଂ କବାଟ ଖୋଲିଲେ ତାକୁ ଦେଖିବାପାଇଁ ଉଦ୍‍ଗ୍ରୀବ ହୋଇ ଚାହିଁ ରହିଥିଲେ । ରବୀନ୍ଦ୍ର ପକେଟରୁ ସ୍ପ୍ରିଙ୍ଗ୍‌ ଲଗା ଛୁରିଟିକୁ ବାହାର କରି ହାତକୁ ପଛ କରି ମୁଠାଇ ଧରିଥିଲେ ।

 

କବାଟ ଖୋଲିଲା । କବାଟ ଖୋଲି ଯୁବତୀଟି ବୁଲିପଡ଼ି ଚାଲି ଯାଉଥିଲା । ହେମକାନ୍ତ କହିଲେ–ଲକ୍ଷ୍ମୀ, ଭାଇ ଆଉ ବାପା ଗାଁରୁ ଆସିଛନ୍ତି ।

 

ଭିତର ବାରଣ୍ତାକୁ ସଦାନନ୍ଦବାବୁ ପାଦ ପକାଇବାମାତ୍ରକେ ଯୁବତୀଟି ତଳେ ମୁଣ୍ତ ଲଗାଇ ପ୍ରଣାମ କଲା । ସଦାନନ୍ଦବାବୁଙ୍କ ପାଖରୁ ଅଳ୍ପ ଟିକିଏ ଦୂରରେ କାନ୍ଥକୁ ଆଉଜି ଠିଆ ହେଲା ।

 

ଲଣ୍ଠନ ଆଲୁଅରେ ସଦାନନ୍ଦବାବୁ ଯୁବତୀଟିର ମୁହଁକୁ କିଛି ସମୟ ପଥର ମୂର୍ତ୍ତିଟି ଭଳି ଚାହିଁ ରହିଲେ । ତା’ପରେ ତାଙ୍କ ତୁଣ୍ତରୁ ଅସ୍ପଷ୍ଟ ସ୍ୱରରେ ବାହାରି ଆସିଲା...ଲକ୍ଷ୍ମୀ !

 

‘‘ଲକ୍ଷ୍ମୀ, କାହିଁ ଦେଖେ ? କେଉଁ ଲକ୍ଷ୍ମୀ ସେ ?’’ ଭରତ ଓ ହେମକାନ୍ତଙ୍କୁ ଠେଲି ଦେଇ ରବୀନ୍ଦ୍ର ଯୁବତୀଟିର ସାମନାକୁ ଆସି ମୁହଁକୁ ତା’ର ଭଲ ଭାବରେ ଚାହିଁଲେ ତା’ପରେ ଛୁରିଟିକୁ ପକେଟରେ ରଖି ଦୁଇ ଆଖିକୁ ଭଲ ଭାବରେ ହାତରେ ପୋଛି ପୁଣି ଥରେ ଅନାଇଲେ । ତା’ପରେ ପଚାରିଲେ–ଲକ୍ଷ୍ମୀ, କେତେବେଳେ ଏଠାକୁ ଆସିଲୁ ? କହୁଥିଲୁ ପରା ହେମକାନ୍ତ ଆଉ ଗୋଟିଏ ଝିଅକୁ ଏଘରେ ରଖିଛି, ସେ କାହିଁ ?

 

‘‘ମୁଁ ତ ଏଠାରେ ବରାବର ଅଛି । ଆସିବି କୁଆଡ଼େ, ଯିବି କୁଆଡ଼େ ?’’ ଯୁବତୀଟି କହି ରୋଷେଇଘର ଆଡ଼େ ଗଲେ । ସେଠାରେ ଠିଆ ହୋଇ କହିଲେ–ଭରତ ! ବାପା, ଭାଇଙ୍କୁ ଗୋଡ଼ ଧୋଇବାକୁ ପାଣି ଦିଅ । ଜଳଖିଆ କ’ଣ ଟିକିଏ କର ।

 

ଭରତଙ୍କର ଗୋଡ଼ ସେତେବେଳକୁ ତଳେ ପଡ଼ୁ ନଥିଲା । ସେ ଧରିଥିବା ବ୍ୟାଗ୍‌ଟି କାନ୍ଥକୁ ଆଉଜାଇ ଦେଇ କହିଲେ–ଦେଖିଲତ ରବିବାବୁ ! ତୁମେ ଆଉ କେଉଁ ଝିଅକୁ ଦେଖି ଡେଇଁଛ ? ହଇଏ ତୁମ ଭଉଣୀ କାହିଁକି ସାତମଙ୍ଗଳା ରାତ୍ରିରେ ଏକୁଟିଆ ତୁମ ଘରକୁ ଚାଲିଯିବେ-? ବାବୁଙ୍କ ଘରେ କେଉଁ ବିଷୟରେ ଅଭାବ ଅଛିନା କେଉଁ କଥାକୁ କେହି ଖୁଣିବାକୁ, ବାରିବାକୁ ଅଛି ? ମୁଁ ତ ରୋଷେଇ କରି ଖାଇବାକୁ ଦେଉଛି, ଏଥିରେ ପୁଣି ସାନଅପା କିଆଁ ଉପାସ ରହିବେ, ବାବୁ ବା କାହିଁ ଉପାସ ରହିବେ ?

 

ଭରତ ପାଣି ଆଣି ଗୋଡ଼ ଧୋଇବାକୁ ଦେଲେ । ସଦାନନ୍ଦବାବୁ ଗୋଡ଼ ଧୋଇଲେ । ହେମକାନ୍ତ ତଉଲିଆଟିଏ ଗୋଡ଼ ପୋଛିବାକୁ ବଢ଼ାଇ ଦେଲେ, ସେ ଗୋଡ଼ ପୋଛିଲେ । ହେମକାନ୍ତ ସଉପ ମସିଣାଟିଏ ପକାଇ ଦେଲେ, ସଦାନନ୍ଦବାବୁ ବସିଲେ ।

 

ଏହି ସମୟରେ ରବୀନ୍ଦ୍ର ବାହାରକୁ ଆସି ପାଟିରେ ସଙ୍କେତ ଦେଲେ । ସଙ୍ଗେ ସଙ୍ଗେ ଚାରିଜଣ ଯୁବକ ବାହାରି ଆସିଲେ । ସେମାନଙ୍କ ହାତରେ ଛୁରା, ଫାର୍ଶା, ସାଇକେଲ୍‍ ଚେନ୍‌ ଓ ମୁନା ଥିଲା ।

 

ରବୀନ୍ଦ୍ର କହିଲେ–ତୁମେ ସବୁ ଚାଲିଯାଅ ।

 

‘‘ଚାଲିଯିବୁ, କାହିଁକି ?’’ ଏକାବେଳକେ ଚାରଟି ତୁଣ୍ତରୁ ଗୋଟିଏ ପ୍ରଶ୍ନ ବାହାରି ଆସିଲା-

 

‘‘ଘଟଣା ଅନ୍ୟ ରକମ ।’’ ରବୀନ୍ଦ୍ର ସଂକ୍ଷିପ୍ତ ଉତ୍ତରଟିଏ ଦେଲେ ।

 

‘‘ସେ ମାଇକିନା କ’ଣ ନାହିଁ ?’’ ଯୁବକଙ୍କ ଭିତରୁ ଜଣେ ପ୍ରଶ୍ନ କଲେ ।

 

ରବୀନ୍ଦ୍ର କହିଲେ–‘‘ପରେ କହିବି ।’’ ମୁହଁ ବୁଲାଇ ଘର ଭିତରକୁ ଆସିଲେ ।

 

ବାହାରେ ଥିବା ଯୁବକମାନେ ସେହି ଅନ୍ଧକାର ଭିତରେ କେଉଁଆଡ଼େ ଛପିଗଲେ ।

 

ଭରତ ସେତେବେଳକୁ ବ୍ୟାଗ୍‌ରୁ କାଢ଼ି ଦୁଇଟି ପ୍ଲେଟ୍‍ରେ ଜଳଖିଆ ସଜାଡ଼ି ଥୋଇଥିଲେ । ପାଣି ଆଣିବାକୁ ଯାଉଛନ୍ତି, ଶୋଇବା ଘର ଭିତରକୁ ପଶିଯାଇ ଯୁବତୀଟି ପଚାରିଲା–କ’ଣ ଜଳଖିଆ କିଛି କରୁଛ ଭରତ ?

 

ତୁମେ କାହିଁକି ବାପା, ଭାଇଙ୍କୁ ଦେଖି ଏତେ ବ୍ୟସ୍ତ ହୋଇପଡ଼ୁଛମ ସାନଅପା ? ଭରତ ସେ କଥା ବୁଝିବନି ?

 

ପାଣି ଦୁଇଗ୍ଲାସ୍‌ ଜଳଖିଆ ପାଖରେ ଭରତ ରଖିଲେ । ରବୀନ୍ଦ୍ରଙ୍କୁ ଦେଖି ପଚାରିଲେ–କୁଆଡ଼େ ତୁମେ ଚାଲିଗଲ କି ରବିବାବୁ ? ଗୋଡ଼ହାତ ଧୁଅ, ଜଳଖିଆ, ଚା ଖାଇବ । ମଙ୍ଗଳପୁର ଗାଁ ଦେଖିନ ଯେ, ପିଣ୍ତାରେ ଠିଆ ହୋଇ ଗାଁ ଦେଖୁଛ ?

 

ସେତେବେଳକୁ ରବୀନ୍ଦ୍ର, ସଦାନନ୍ଦବାବୁ କାହାରି ମୁହଁରେ କଥା ନଥିଲା । ସେମାନଙ୍କୁ ଏହା ଏକ ଯାଦୁକରର ଖେଳ ଭଳି ଲାଗୁଥିଲା । ଜଳଖିଆ ଖାଉ ଖାଉ ସଦାନନ୍ଦବାବୁ କହିଲେ–ଭରତ, ଟିକିଏ ଝିଅକୁ ଡାକିଲ ।

 

ଭରତ ରୋଷେଇଘରେ ବସି ଚା କରୁ କରୁ ଡାକିଲେ–ସାନଅପା, ସାନଅପାମ ! ଏଣେ ପରା ମଉସା ତୁମକୁ ଡାକୁଛନ୍ତି । ଶୋଇବାଘରେ ପଶିଛ କ’ଣମ ?

 

ଯୁବତୀଟି ରୋଷେଇଘର କାନ୍ଥକୁ ଆଉଜି ନୀରବରେ ଠିଆ ହେଲା ।

 

ସଦାନନ୍ଦବାବୁ ପୂର୍ବକଥା କିଛି ନ ପକାଇ ଝିଅକୁ ଆଶ୍ୱାସନା ଦେଇ କହିଲେ–ଦେଖ ମା’, ସଂସାର କରିବାକୁ ହେଲେ ବହୁ ଦୁଃଖ କଷ୍ଟ ସହିବାକୁ ପଡ଼େ । ତୁ ନୂଆ ହୋଇ ସଂସାର କରୁଛୁ ମା’ ! ତେଣୁ ସବୁ କଥାକୁ ଧୈର୍ଯ୍ୟର ସହିତ ବିଚାର କରି କାମ କରିବା ଦରକାର ।

 

‘‘ହିତୋପଦେଶ ତାକୁ କ’ଣ ଶୁଣଉଛ ? କ’ଣ ହୋଇଛି, କ’ଣ ସବୁ ଚଉଠି ରାତିଠାରୁ ସାତମଙ୍ଗଳା ପର୍ଯ୍ୟନ୍ତ ଘଟିଲା ସବୁ ପରିଷ୍କାର ଭାବରେ କହିବାକୁ ତାକୁ କୁହ । ଘରେତ ସକେଇ କରି ସବୁ କଥା କହୁଥିଲା । ଏଠି କାହିଁକି ପାଟି ଫିଟୁନି ? ତୁ ଘରୁ ଆଜି କାହା ସାଙ୍ଗରେ ଏଠାକୁ ଆସିଲୁ ?’’ ରବୀନ୍ଦ୍ର ଈଷତ୍ ବିରକ୍ତି ସ୍ୱରରେ ପଚାରିଲେ ।

 

ଯୁବତୀଟି ସେହିଭଳି ନୀରବ ରହିଲେ । ହେମକାନ୍ତ ଯୁବତୀଟି ଆଡ଼କୁ ଚାହିଁ ହସି ହସି କହିଲେ–ଭାଇ କ’ଣ ପଚାରୁଛନ୍ତି, ଉତ୍ତର ଦିଅ ଲକ୍ଷ୍ମୀ ! କ’ଣ ତୁମର ଏଠାରେ ଅସୁବିଧା ହେଉଛି, ତାଙ୍କୁ କହୁନ ?

 

ଭରତ ଚା ଦେଉ ଦେଉ କହିଲେ–ସାନଅପାଙ୍କର ଅସୁବିଧା କ’ଣମ ? ଦିନଟିଯାକ ଏକୁଟିଆ ରହିବାକୁ ପଡ଼ୁଛି, ଏଇ ତାଙ୍କର ଯାହା ଅସୁବିଧା । ରବିବାବୁ, ମଉସା ଗୋଟିଏ ମତଲପ କରି ଆସିଥିଲେ–ସାନଅପା ତାଙ୍କ ଘରକୁ ତିନିଦିନ ହେଲା ଗଲେଣି ବୋଲି କହି ଆମକୁ ଛାନିଆ କରିଦେବେ ।

 

ରବୀନ୍ଦ୍ର ଭରତଙ୍କ ମୁହଁକୁ ତୀକ୍ଷ୍ମଦୃଷ୍ଟିରେ ଚାହିଁଲେ । ହେମକାନ୍ତ ଦେଖିଲେ ସେମାନଙ୍କ କଥାବାର୍ତ୍ତା ଭିତରେ ଭରତ ଏତେଦୂର ଉପରେ ପଡ଼ି କଥାବାର୍ତ୍ତା କରିବାଟା ଉଚିତ ନୁହେଁ । ଯେତେହେଲେ ଏଘରର ସେ ଜଣେ ଚାକର । ତେଣୁ ମୁହଁରେ କୌଣସି ଭାବ ପ୍ରକାଶ ନକରି କହିଲେ–ଭରତ, ଦେଖିଲ ସେ ରିକ୍ସାବାଲା ଅଛି କି ଗଲାଣି ? ଥିଲେ କହିବ–ରହିଥାଉ । ମୁଁ ଦୋକାନକୁ ଯିବି ।

 

‘‘ଆମେ ମଧ୍ୟ ଆଜି ଚାଲିଯିବୁ । ଭରତ, ଦୁଇଟିଯାକ ରିକ୍ସାବାଲାଙ୍କୁ କହିବ ରିକ୍ସା ରଖିବାକୁ ।’’ ସଦାନନ୍ଦବାବୁ ଚା ଖାଉ ଖାଉ କହିଲେ ।

 

ଭରତ ରିକ୍ସାବାଲାଙ୍କୁ କହିବାକୁ ଯାଇ ଯାଉ କହିଲେ–ମଉସା ଆସିଛତ ଦିଦିନ ରହୁନ । ଝିଅ ଘରତ । କେଉଁ ପରଘର ହୋଇଛି ?

 

ରବୀନ୍ଦ୍ରଙ୍କ ମୁହଁ ଯୁବତୀଟିକୁ ଦେଖିବାବେଳୁ କଳାପଡ଼ି ଯାଇଥାଏ । ତାଙ୍କର ସବୁ ପ୍ରକାର ଯୋଜନା, ଭାବନା, ଉଦ୍ୟମ ଲକ୍ଷ୍ମୀ ପୁଣି ଏଠାକୁ ଆସି ଭଣ୍ତୁର କରି ଦେଲା ବୋଲି ଭାବି, ସେ ତା’ ଉପରେ ମନେମନେ ରକ୍ତ ଚାଉଳ ଚୋବାଉଥାନ୍ତି । ନିଜକୁ ଯେତେଦୂର ଆୟତ୍ତ ଭିତରେ ରଖିବାର କଥା ରଖି ଅତି ସଂଯତ ଅଥଚ କ୍ରୋଧମିଶା ସ୍ୱରରେ ପଚାରିଲେ–ଚୁପ୍ ହୋଇ ଠିଆହୋଇଛୁ କାହିଁକି ? କେଉଁ ଝିଅ ରାତିରେ ତୋର ତଣ୍ଟି ଚିପିଦେଲା, ତୁ ସକାଳ ପର୍ଯ୍ୟନ୍ତ ଅଚେତ ହୋଇ ପଡ଼ିଲୁ, କହୁନୁ ?

 

‘‘ମୋର କିଛି କହିବାର ନାହିଁ’’ କହି ଯୁବତୀଟି ଶୋଇବାଘରକୁ ପଶିଗଲା ।

 

‘‘ଏଇଥିପାଇଁ ଏମାନଙ୍କଉପରେ ମୋର ଭାରି ରାଗ ହୁଏ । ବାପ ଘରକୁ ଗଲେ ଶ୍ୱଶୁର, ଶାଶୁ, ନଣନ୍ଦ ଦିଅର ଏପରିକି ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଘଣ୍ଟେ ଘଣ୍ଟେ ଧରି ଗପ, ସେ କଥା ଯେପରିକି ସରିବ ନାହିଁ । ପୁଣି ଶ୍ୱଶୁର ଘରୁ ଯଦି କାହାକୁ ଆସିବାର ଦେଖିଲେ କିମ୍ୱା ନିଜ ସ୍ୱାମୀ ଆସି ପହଞ୍ଚିଗଲା, ଆରେ ବାବା ! ସାଙ୍ଗେ ସାଙ୍ଗେ ବୁଲି ପଡ଼ିଲେ କଥାର ମୋଡ଼ ବଦଳି ଗଲା । ଶ୍ୱଶୁରଘରବାଲା ସେହିକ୍ଷଣି ବିଛୁଆତିରୁ ତୁଳସୀ ପାଲଟିଗଲେ । ଲୁଗାପଟା ଦିଖଣ୍ତ ଧରି ବାହାରିଲେ ତାଙ୍କ ପଛେ ପଛେ । ସେତେବେଳେ ବାପା, ବୋଉ, ଭାଇ, ଭଉଣୀ ସମସ୍ତେ ଯେପରି ତାଙ୍କର ସାତପର ।’’ ରବୀନ୍ଦ୍ର କହୁଥିବା ଅବସ୍ଥାରେ ତାଙ୍କର ମନ୍ଦାରଫୁଲ ରଙ୍ଗର ଆଖି ଦୁଇଟି ହେମକାନ୍ତଙ୍କ ଶୋଇବାଘରର କବାଟ ପାଖରେ ଯାଇ ଅଟକି ରହିଥିଲା ।

 

ରବୀନ୍ଦ୍ର ଉଠି ଠିଆ ହେଲେ ।

 

ଭରତ ଫେରି ଆସି କହିଲେ–ବାବୁ, ରିକ୍ସାବାଲାଙ୍କର ଡେରି ହେଉଛି ବୋଲି ସେମାନେ କହୁଛନ୍ତି । ସେ ଆମ ଚନ୍ଦନବଜାରର ରିକ୍ସାବାଲା ନୁହଁନ୍ତି, ଅନ୍ୟ ଗାଁର ରିକ୍ସାବାଲା ।

Unknown

 

ସଦାନନ୍ଦ ଉଠି ଗୋଟିଏ ଗୋଟିଏ ହେମକାନ୍ତଙ୍କ ଶୋଇବାଘର ପାଖକୁ ଗଲେ । କବାଟ ପାଖରେ ଠିଆ ହୋଇ କହିଲେ–ଆମେ ତେବେ ଯାଉଛୁ ଲକ୍ଷ୍ମୀ ! ତୁ ଆମ ସାଙ୍ଗରେ ଘରକୁ ଯିବୁ ?

 

ଘର ଭିତରୁ ସଂକ୍ଷିପ୍ତ ଉତ୍ତରଟିଏ ଆସିଲା–‘ନା’

 

‘‘ଯେମିତି ଧୀରସ୍ଥିର ଭାବରେ ଚଳିବା କଥା ଚଳ । କୌଣସି ଅସୁବିଧା ହେଲେ ହେମକାନ୍ତ, ଭରତ ଅଛି, ସେମାନେ ତୋର ନିଜର ଲୋକ । ତାଙ୍କୁ କହିବୁ । ମୋ ପାଖକୁ କିମ୍ୱା ବୋଉ ପାଖକୁ ଖବର ଦେବୁ । ନାଇଁ ଯଦି ଏକାନ୍ତ ଦରକାର ପଡ଼େ ହେମକାନ୍ତଙ୍କୁ କହିଲେ ସେ ଯାଇ ଛାଡ଼ି ଦେଇ ଆସିବେ । ଫଗୁ ଦଶମୀ ଆଉ ଚାରିଦିନ ରହିଲା । ମୁଁ କି ଭାଇ ଆସି ତୋତେ, ଆଉ ହେମକାନ୍ତଙ୍କୁ ନେଇଯିବୁ । ଘରେ କିଛିଦିନ ରହି ଆସିବ ।’’ ସଦାନନ୍ଦବାବୁ କହିବାବେଳେ ଭାବୁଥାନ୍ତି ଦଶଦିନ ହେଲା ଲକ୍ଷ୍ମୀ ବାହା ହୋଇ ଆସିଲା ବୋଲିତ ହଠାତ୍‌ ବଡ଼ମଣିଷ ହୋଇଗଲାନି । ପିଲା, ସଂସାରରେ ନୂଆ ହୋଇ ପ୍ରବେଶ କରୁଛି । କ’ଣ ଟିକିଏ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ଖଟଖାଟ ଲାଗିଥିବ, ଚାଲି ଯାଇଥିଲା । ଆମେ ଆସିବାର ଦେଖି, କାଳେ କିଛି ତାକୁ କେନ୍ଦ୍ର କରି ଅପ୍ରୀତିକର ଘଟଣା ଘଟିପାରେ, ମନରେ ଭାବି ପୁଣି ପଳାଇ ଆସିଛି । ବାହା ହେଲା ଝିଅର ମନ ଯେତେ ଦୁଃଖ, ଯନ୍ତ୍ରଣା ପାଇଲେ ମଧ୍ୟ ଶ୍ୱଶୁର ଘରେ ରହେ । ବାପଘର କ୍ଷୀରୀ, ଅମୃତ କିଛିଦିନ ପାଇଁ ତା’ ପାଟିକୁ ଭଲ ଲାଗେ । ତା’ପରେ ସେ ଖାଦ୍ୟ ତାକୁ ନିମକୋଳି ଭଳି ଲାଗେ । ବାପଘର ଦେହକୁ ବିରୁଡ଼ି କାମୁଡ଼ିଲା ଭଲି ଯନ୍ତ୍ରଣା ଦିଏ ।

 

କିଛି ସମୟ ନୀରବ ଭାବରେ କବାଟ ପାଖରେ ଠିଆ ହୋଇ ସଦାନନ୍ଦବାବୁ କହିଲେ–ମୁଁ ଯାଉଛି ଲକ୍ଷ୍ମୀ ! ତୁ ଇମିତି ଏକୁଟିଆ ଯିବୁନିକି ଆସିବୁନି । ବାଟରେ ଦୁଇ ଦୁଇଟା ଶ୍ମଶାନ । ପୁଣି ଆଜିକାଲି ସମୟ ଯାହା । ଆମର ତ ପୁଣି କୁଳମର୍ଯ୍ୟାଦା, ଲୋକନିନ୍ଦା ଅଛି ! ମୁଁ ଓ ଭାଇ କେଉଁ ପରିସ୍ଥିତିରେ ଆସିଛୁ ତୁ ତ ଜାଣିଛୁ । କିଛି ଆଣି ପାରିଲୁ ନାହିଁ । ଖାଲି ହାତରେ ଆସିଛୁ । ଟଙ୍କା କୋଡ଼ିଏଟି ରଖିଥା ।

 

ପକେଟରୁ ଦଶଟଙ୍କିଆ ନୋଟ୍ ଦୁଇଖଣ୍ତ କାଢ଼ି ଘର ଭିତରକୁ ଯାଇ ଯୁବତୀଟି ଉଦ୍ଦେଶ୍ୟରେ ବଢ଼ାଇ ଦେଲେ ।

 

ଯୁବତୀଟି କହିଲେ–ମୋର ଟଙ୍କା କ’ଣ ହେବ ? ତୁମେ ରଖ ।

 

‘‘ମୁଁ ଜାଣୁଛି, ତୋର କିଛି ଅଭାବ ନାହିଁ । ତଥାପିତ ମୁଁ ବାପ । ଖାଲି ହାତରେ ଝିଅଘରକୁ ଆସିଲି । ପୁଣି ସେମିତି ଫେରିଗଲେ ମୋ ମନରେ କଷ୍ଟ ହେବ ନାହିଁ ?’’ ସଦାନନ୍ଦବାବୁ ଟଙ୍କାକୁ ପାଖରେ ଥିବା ଡ୍ରେସିଙ୍ଗ୍ ଟେବୁଲ୍ ଉପରେ ରଖି କଜଳପାତିଟି ତା’ ଉପରେ ମଡ଼ାଇ ଦେଇ କହିଲେ–ଏଇଠି ଟଙ୍କା ରହିଲା ।

 

ଯୁବତୀଟି ନୀରବରେ ଆସି ସଦାନନ୍ଦବାବୁଙ୍କୁ ଭୂଇଁରେ ମଥା ଲଗାଇ ପ୍ରଣାମ କଲା । ସଦାନନ୍ଦବାବୁଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା । ସେ ଆଖି ପୋଛି ପୋଛି ବାହାରକୁ ଆସିଲେ । ଭରତକୁ ଦେଖି ପଚାରିଲେ–ରବିବାବୁ, ହେମକାନ୍ତବାବୁ କାହାନ୍ତି ?

 

ଭରତ ରାତି ରୋଷେଇପାଇଁ ପରିବା କାଟିବାକୁ ପନିକି ଉପରେ ବସିଥିଲେ । କହିଲେ–‘‘ସେ ପରା ରିକ୍ସାରେ ବସି ତୁମକୁ ଅପେକ୍ଷା କରିଛନ୍ତି ମଉସା ।’’ ପୁଣି ଟିକିଏ ରହି କହିଲେ–ମଉସାମ, ତୁମେ ରହୁନ । ରାତିରେ ଖେଚୁଡ଼ି, ଡାଲି, ତରକାରୀ କରନ୍ତି । ଖାଆନ୍ତ । ସକାଳୁ ଯାଆନ୍ତ ।

 

‘‘ତୁମେ କ’ଣ ଆମ ଘର କଥା ଜାଣିନ ଭରତ ? ରାତି ପାହିଲେ କେତେ କାମ । ଗାଈଗୋରୁ, ବିଲବାଡ଼ି । ମୁଗ ସେନେ ଉପୁଡ଼ା ହୋଇନି । ବିଲରେ ପଡ଼ିଛି । ଗୋରୁ ଚରିଯିବେ, ମୁଁ ପୁଣି ଫଗୁଦଶମୀ ଦିନ ଆସିବି ।’’ ହେମକାନ୍ତଙ୍କ ଶୋଇବା ଘରକୁ ଚାହିଁ ଚାହିଁ ସଦାନଦବାବୁ ବାହାରକୁ ଚାଲି ଯାଉଥିଲେ । ତାଙ୍କୁ ଯେପରିକି ଜଣାପଡ଼ୁଥିଲା–ଲକ୍ଷ୍ମୀ ଶୋଇବା ଘର କବାଟ ପାଖରେ ଠିଆ ହୋଇ ତାଙ୍କୁ ଚାହିଁ କାନ୍ଦୁଛି ।

 

ଭରତ ବଡ଼ପାଟିରେ କହିଲେ–ମୁଁ ରହିଲି ମଉସା, ମୁଣ୍ତିଆ ମାରୁଛି ।

 

–ସତର–

 

ଚନ୍ଦନ ବଜାରରେ ରବୀନ୍ଦ୍ର, ସଦାନଦବାବୁ ରିକ୍ସାରେ ପହଞ୍ଚିଲେ । ସାଇକେଲ୍‍ ଧରି ଗାଁକୁ ଯିବାକୁ ବାହାରିଲେ । ହେମକାନ୍ତ ସାଷ୍ଟାଙ୍ଗ ପ୍ରଣାମ ଜଣାଇ ଶ୍ୱଶୁର ଓ ଶଳାଙ୍କୁ ବିଦାୟ ଦେଲେ । ସେମାନେ ଗଲାବେଳେ କିଛି ମିଠା କିଣି ପିଲାଙ୍କପାଇଁ ସାଙ୍ଗରେ ଦେଇଥିଲେ ।

 

ସଦାନନ୍ଦବାବୁ ସାଇକେଲ୍‍ ପଛରେ ବସିବା ସମୟରେ କହିଲେ–ମୁଁ ଯାଉଛି ହେମକାନ୍ତ-! ମୁଁ ବା ରବି କେହି ଜଣେ ଫଗୁଦଶମୀ ଦିନ ଆସିବୁ । ତୁମେ ଆଉ ଲକ୍ଷ୍ମୀ ଯେମିତି ହେଉ ଆମ ଘରକୁ ଯିବ । ଦୁଇ ତିନିଦିନ ରହି ଚାଲି ଆସିବ ।

 

ହେମକାନ୍ତ ଅତି ଧୀର ସ୍ୱରରେ ‘ହଉ’ ବୋଲି କହି ମୁଣ୍ତ ହଲାଇ ସମ୍ମତି ଜଣାଇଲେ ।

 

ତା’ପରେ ସାଇକେଲ୍‍ଟି ଆଗକୁ ଗଡ଼ି ଚାଲିଲା । ରବୀନ୍ଦ୍ର ସାଇକେଲ୍‍ ଚଳାଉ ଥିଲେ । ପଛରେ ବସିଥିଲେ ସଦାନନ୍ଦବାବୁ, କିଛି ବାଟ ନୀରବରେ ଯିବାପରେ ସଦାନନ୍ଦବାବୁ କହିଲେ–ଆଶ୍ଚର୍ଯ୍ୟ କଥା ! ଲକ୍ଷ୍ମୀଯାଇ ଘରେ କେତେକଅଣ କହିଗଲା, ଅଥଚ ହେମକାନ୍ତ ଆଗରେ ପଦୁଟିଏ କଥା ସୁଦ୍ଧା ତା’ ତୁଣ୍ତରୁ ବାହାରିଲା ନାହିଁ ?

 

‘‘ପ୍ରକାର, ପ୍ରକାର । ଝିଅଙ୍କ କଥାରେ ବିଶ୍ୱାସ ଅଛି ? ବାଘ ଭାଲୁଙ୍କୁ ପୋଷିଲା ପରି, (…..) ଆପଣଙ୍କର, ପୁଣି ପର ମୁହୂର୍ତ୍ତରେ ଶତ୍ରୁ ଭଳି ଆକ୍ରମଣ କରିବାକୁ ତିଆର । ଆଶ୍ୱିନ ମାସ ଆକାଶ ଭଳି କୁଆଡ଼ୁ କିଛି ନଥିବ ହଠାତ୍‌ ମେଘ ଉଠାଇ ଗୁଡ଼ାଏ କଚାଡ଼ି ଦେଲା ଭଳି ଭାଉ ଭାଉ ହୋଇ କାନ୍ଦି ପକାଇବେ । ପୁଣି ପର ମୁହୂର୍ତ୍ତରେ ଆକାଶ ପରିଷ୍କାର ହୋଇଗଲା ଭଳି କେଉଁଠୁଁ ସେହି ମୁହଁରେ ହସ, ଖୁସି ଗପ ବାହାରିବ ଯେ, ତା’ର ସୀମା ନଥିବ । ଲକ୍ଷ୍ମୀକୁ ପରିଷ୍କାର କହି ଦେବାକୁ ହେବ–ତୁ ଏ ପ୍ରହସନ ସବୁ ବନ୍ଦ କର । ନହେଲେ ପରିଣତି ଏହାର ଖରାପ ହେବ । ରବୀନ୍ଦ୍ର କହି ତୁନି ରହିଲେ ।’’

 

ସଦାନନ୍ଦବାବୁଙ୍କ ପାଟିରୁ ଆଉ କୌଣସି କଥା ବାହାରି ନଥିଲା । ସେ ଖାଲି ଭାବୁଥିଲେ ଲକ୍ଷ୍ମୀ ହରପ୍ରତାପପୁରରୁ ମଙ୍ଗଳପୁରକୁ ଆସିଲା କିମିତି ? ନା, ହେମକାନ୍ତ ଘରେ ଯେଉଁ ଝିଅଟି ଅଛି ସେ ପ୍ରକୃତ ଲକ୍ଷ୍ମୀ ନୁହେଁ, ଅନ୍ୟ କେହି ?

 

ସଦାନନ୍ଦବାବୁ ଓ ରବୀନ୍ଦ୍ର ଘରେ ପହଞ୍ଚି ରାତି ପ୍ରାୟ ସାଢ଼େଦଶଟା ହୋଇଗଲା । ରବୀନ୍ଦ୍ର ‘ବୋଉ’ ‘ବୋଉ’ ବୋଲି ଡାକି କବାଟ ଠକ୍‌ ଠକ୍‌ କଲେ ।

 

କମଳା ଡିବିଟିକୁ ବାଁ ହାତରେ ଧରି ଆସି କବାଟ ଖୋଲିଲେ । ଲକ୍ଷ୍ମୀ ଶୋଇଥିଲେ । ସେ ବାପା, ଭାଇଙ୍କ ପାଟିଶୁଣି ଉଠିଆସି କମଳାଙ୍କ ପଛରେ ନୀରବରେ ଠିଆ ହେଲେ । କମଳାଙ୍କର ସେତେବେଳେ ଲକ୍ଷ୍ମୀଙ୍କ ପ୍ରତି ଦୃଷ୍ଟି ନଥିଲା ।

 

ସଦାନନ୍ଦବାବୁ, ରବୀନ୍ଦ୍ର ଘର ଭିତରକୁ ପଶି ଆସୁ ଆସୁ କମଳା ପଚାରିଲେ, ‘କ’ଣ ହେଲା’ ?

 

କମଳାଙ୍କ ପଛରେ ଲକ୍ଷ୍ମୀ ଠିଆ ହୋଇଥିବାର ଦେଖି ରବୀନ୍ଦ୍ର ଆଖିକୁ ତରାଟି ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ତୋ ପଛରେ ସେ କିଏ ଠିଆ ହୋଇଛି ?

 

‘‘ମଲା, ଲକ୍ଷ୍ମୀକୁ ଚିହ୍ନିପାରୁନୁ ?’’ କବାଟଟି ଭିତର ପାଖକୁ ବନ୍ଦ କରୁ କରୁ କମଳା କହିଲେ ।

 

ରବୀନ୍ଦ୍ର କ୍ରୋଧରେ ଅଗ୍ନିଶର୍ମା ହୋଇ ଲକ୍ଷ୍ମୀଙ୍କ ଆଡ଼କୁ ଚିହିଁକି ଯାଇ ତାଙ୍କ ଗାଲରେ ଠୋ କରି ଦୁଇ ଚାପୁଡ଼ାଟାଏ ବସାଇ ଦେଲେ । କହିଲେ–ନବରଙ୍ଗ ଲଗେଇଛୁ ! ଆମ ପଛେ ପଛେ ଯାଇ ହେମକାନ୍ତଙ୍କ ଘରେ ହାଜର । ଆମେ ଯେମିତି ସେଠାରୁ ଫେରିଛୁ, ତୁ ପୁଣି ଏଠାକୁ ଚାଲି ଆସିଲୁଣି ?

 

ଲକ୍ଷ୍ମୀ ହଠାତ୍‌ ରବୀନ୍ଦ୍ରଙ୍କ ଠାରୁ ମାଡ଼ ଖାଇବେ ବୋଲି ଆଶା କିମ୍ୱା କଳ୍ପନା କରିନଥିଲେ-। ସେ କାନ୍ଦି କାନ୍ଦି ଶୋଇବାଘରକୁ ଚାଲିଗଲେ । ଖଟ ଉପରେ ମୁହଁମାଡ଼ି ଶୋଇଲେ ସତ, ହେଲେ କାନ ଦୁଇଟି ତାଙ୍କର ବାପା, ଭାଇ, ବୋଉଙ୍କ କଥାବାର୍ତ୍ତା ଶୁଣିବାପାଇଁ ଠିଆ ହୋଇ ରହିଲା-। ଲକ୍ଷ୍ମୀ ମନେମନେ ଭାବୁଥିଲେ–ହେମକାନ୍ତ ନିଶ୍ଚୟ ତାଙ୍କ ନାଁରେ କିଛି ଖଚମିଛ କରି କହିଛନ୍ତି, ଯାହା ଫଳରେ କି ବାପା, ଭାଇ ଦୁଇଜଣଯାକ ସେଠାରୁ ତା’ ଉପରେ ରାଗିକରି ଆସିଛନ୍ତି-। ଭାଇଙ୍କର ତାଙ୍କୁ ମାଡ଼ ମାରିବାଟା ହେଉଛି, ତା’ର ପ୍ରତିକ୍ରିୟା । କମଳା ହଠାତ୍‌ ଚିଡ଼ିଯାଇ କହିଲେ–କାହିଁକି ତାକୁ ମାଇଲୁ ? କ’ଣ ଘଟଣା ଘଟିଲା, ଧୀରସ୍ଥିର ଭାବରେ କହିବା କି ବସିବା କିଛି ନାହିଁ; ତେଣୁ ଆସି ପହଞ୍ଚୁ ପହଞ୍ଚୁ ତାକୁ ଚାପୁଡ଼ାଟାଏ ବସାଇ ଦେଲୁ ?

 

ସଦାନନ୍ଦବାବୁ ଅତି ଧୀର ଭାବରେ କହିଲେ–‘‘ଆମେତ ଘଟଣା କ’ଣ ବୁଝିବାକୁ ହେମକାନ୍ତ ପାଖକୁ ଯାଇଥିଲୁ । ଲକ୍ଷ୍ମୀ କାହିଁକି ସେଠାକୁ ପୁଣି ଯାଉଥିଲା ? ଯେବେ ଗଲା, ତେବେ ପଳାଇ ଆସିଲା କାହିଁକି ?’’

 

‘‘ଲକ୍ଷ୍ମୀତ ଆଜି ଦିନଟିଯାକ ଘରୁ ବାହାରିନି । ଦେହଟି ତା’ର କ’ଣ ହେଉଛି କେଜାଣି ବିରାରୀ ଖାଇ ନ ପିଇ ଖଟଟି ଉପରେ ପଡ଼ି ରହିଛି । ମୁଁ ତା’ ପାଖରେ ବରାବର ବସିଛି ।’’ କମଳା କହି ଆଶ୍ଚର୍ଯ୍ୟ ହୋଇ ସନାନନ୍ଦବାବୁଙ୍କ ମୁହଁକୁ ଚାହିଁ ରହିଲେ ।

 

ସଦାନନ୍ଦବାବୁ ଓ ରବୀନ୍ଦ୍ରଙ୍କ ତୁଣ୍ତରୁ ଏକାବେଳକେ ବାହାରି ଆସିଲା–‘‘ଲକ୍ଷ୍ମୀ ମଙ୍ଗଳପୁର ଯାଇନି ?’’

 

‘‘ହେମକାନ୍ତଙ୍କ ଘରେ ଲକ୍ଷ୍ମୀକୁ କ’ଣ ତୁମେ ଦେଖିଥିଲ ?’’ କମଳା ବିସ୍ମିତ କଣ୍ଠରେ ପଚାରିଲେ ।

 

‘‘ମୁଁ ତାକୁ ମିଛରେ ମାଡ଼ ଦେଲି ? ଲକ୍ଷ୍ମୀକୁ ସେଠାରେ ଖାଲିତ ଦେଖିଲୁ ନାହିଁ, ବାପା ଘଣ୍ଟାଏ ପର୍ଯ୍ୟନ୍ତ ତା’ ସାଙ୍ଗରେ କଥାବାର୍ତ୍ତା କରି ଆସିଲେ ।’’ ଏ ଘଟଣା କିମିତି କ’ଣ ଘଟି ଯାଉଛି, ରବୀନ୍ଦ୍ର କିଛି ଭାବି ପାରିଲେ ନାହିଁ । ସେ ମୁଣ୍ତରେ ହାତ ଦେଇ କାନ୍ଥକୁ ଆଉଜି ବସିଗଲେ । ତାଙ୍କୁ ଯେପରିକି ଜଣାଗଲା, ତାଙ୍କର ନିଜର ବୁଦ୍ଧି ବାହୁବଳ ଉପରେ ଯେଉଁ ବିଶ୍ୱାସ ଥିଲା, ତାହା କ୍ରମେ ଦୂରେଇ ଯାଉଛି ।

 

ସଦାନନ୍ଦବାବୁ କହିଲେ–ଲକ୍ଷ୍ମୀକୁ ଟିକିଏ ଏଠାକୁ ଡାକିଲ ।

 

‘‘ଆଶ୍ଚର୍ଯ୍ୟ କଥା ! ଏ କ’ଣ ଆମ ଝିଅ ଲକ୍ଷ୍ମୀ ନୁହେଁ ? ଲକ୍ଷ୍ମୀ ଯଦି ସେଠାରେ ଅଛି, ଭଲରେ ଅଛି, ତେବେ ଏ କିଏ ?’’ କମଳା ଥକ୍କା ମାରି କାନ୍ଥକୁ ଆଉଜି ଠିଆ ହୋଇ ଜଳଜଳ କରି ସଦାନନ୍ଦବାବୁଙ୍କ ମୁହଁକୁ ଚାହିଁ ରହିଲେ । ଗୋଡ଼ ତାଙ୍କର ଲକ୍ଷ୍ମୀକୁ ଡାକିବାକୁ ଚଳିଲା ନାହିଁ ।

 

ସଦାନନ୍ଦବାବୁ ମଧ୍ୟ ମୁଣ୍ତରେ ହାତଦେଇ ଶୂନ୍ୟ ଆକାଶକୁ ଚାହିଁ ବସିଥିଲେ । ସେ ଏ ଘଟଣା ଭାବି ଭାବି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁ ନଥିଲେ ।

 

କିଛି ସମୟ ନୀରବରେ କଟିବା ପରେ ସଦାନନ୍ଦବାବୁ ମନରେ କ’ଣ ଭାବି ଗୋଟିଏ ଗୋଟିଏ ଚାଲି ଲକ୍ଷ୍ମୀ ଶୋଇଥିବା ଘରକୁ ଗଲେ ।

 

ଘର ଭିତରକୁ ବାପା ଆସୁଥିବାର ଦେଖି ଲକ୍ଷ୍ମୀ ଅଧିକ ଜୋରରେ କଇଁକଇଁ ହୋଇ କାନ୍ଦି ଯେପରିକି ବୀଣାର କରୁଣ ମୂର୍ଚ୍ଛନା ସୃଷ୍ଟି କରୁଥିଲା ।

 

ସଦାନନ୍ଦବାବୁ ନୀରବରେ ଯାଇ ଲକ୍ଷ୍ମୀ ଶୋଇଥିବା ଖଟ ପାଖରେ ଠିଆ ହେଲେ । ଲକ୍ଷ୍ମୀକୁ ସେ ସନ୍ଦେହ ଦୃଷ୍ଟିରେ ଚାହିଁ ରହିଲେ । ସେ ମନେମନେ ଭାବୁଥିଲେ–ଇଏ କ’ଣ କେବେ ତାଙ୍କ ଝିଅ ଲକ୍ଷ୍ମୀ ନୁହେଁ । କୌଣସି ଦେବ ଦେବୀ, ପ୍ରେତାତ୍ମା କିମ୍ୱା ଲକ୍ଷ୍ମୀର ବୟସ, ଚାଲିଚଳନ ନେଇ ଅନ୍ୟ ଗୋଟିଏ ଝିଅ ଆସି ତାଙ୍କ ଘରେ ଆଶ୍ରୟ ନେଇଛି ? ଚୋର ଡକାୟତମାନେ ମଧ୍ୟ ଇମିତି ମଉକା ଉଣ୍ତୁଆନ୍ତି । ତେଣୁ ଇଏ ହୁଏତ ଭବିଷ୍ୟତରେ ତାଙ୍କ ଘର ଏବଂ ହେମକାନ୍ତଙ୍କ ଘର ଉଜାଡ଼ିଦେଇ ଖସି ଯାଇ ପାରେ ।

 

ସଦାନନ୍ଦବାବୁଙ୍କ ପଛେ ପଛେ କମଳା ଓ ତାଙ୍କ ପଛରେ ରବୀନ୍ଦ୍ର ଆସି ଲକ୍ଷ୍ମୀଙ୍କ ଶୋଇବାଘର ଦୁଆରମୁହଁରେ ଠିଆ ହୋଇ ସଦେହ ଦୃଷ୍ଟିରେ ଲକ୍ଷ୍ମୀକୁ ଚାହୁଁଥିଲେ ।

 

ସଦାନନ୍ଦବାବୁ ସେ ଘରେ ପଡ଼ିଥିବା ଖଣ୍ତିଏ ପୁରୁଣା ଚୌକି ଭିଡ଼ି ଆଣି ତା’ ଉପରେ ବସିଲେ । ତା’ପରେ ନିଜର ଦୁଃଖ, ରାଗ, ସନ୍ଦେହକୁ ହୃଦୟ ଭିତରେ ଚାପି ରଖି ଆଶଙ୍କା ଓ ଭୟମିଶା ଗଳାରେ ପଚାରିଲେ–ମା’, ଉଠୁ, ବସ ।

 

ଲକ୍ଷ୍ମୀ ଉଠି ଦୁଇ ଆଣ୍ଠୁ ସନ୍ଧିରେ ମୁହଁକୁ ରଖି ବସିଲେ । ତାଙ୍କ ମୁହଁଉପରେ ଲୁହଗୁଡ଼ିକ ଶୁଖି ସାଗରବେଳାରେ ଜୁଆର ଫେରିଯାଇ ଫେଣ ଲାଗି ରହିଲା ପରି ଦିଶୁଥିଲା ।

 

‘‘ମୋ ଆଡ଼କୁ ଚାହିଁଲୁ ମା’ ।’’ ଅତି ଧୀର ସ୍ୱରରେ ସଦାନନ୍ଦବାବୁ କହିଲେ ।

 

ଲକ୍ଷ୍ମୀ କାନ୍ଥକୁ ଆଉଜି ମୁହଁକୁ ତଳକୁ ପୋତି ସଲଜ୍ଜ ଭାବରେ ବସିଲେ ।

 

କମଳା ଓ ରବୀନ୍ଦ୍ରଙ୍କ ତୁଣ୍ତରୁ ଏକାବେଳକେ ବାହାରି ଆସିଲା–ଲକ୍ଷ୍ମୀ !

 

ସଦାନନ୍ଦବାବୁ ପଚାରିଲେ–ତୁ ସତ କହ ମା’, ତୁ ଆମ ଝିଅ ଲକ୍ଷ୍ମୀ କି ଅନ୍ୟ କିଏ ?

 

‘‘ବାପା !’’ ଆଉ କିଛି କହି ପାରିଲେ ନାହିଁ ଲକ୍ଷ୍ମୀ । ବତାସରେ ଶାଳବୃକ୍ଷ ଉପୁଡ଼ି ପଡ଼ିଲା ପରି ସେହି ଖଟ ଉପରେ ପଡ଼ିଗଲେ ଲକ୍ଷ୍ମୀ । ସେତେବେଳକୁ ମଥା ତାଙ୍କର ଘୂରିଗଲା ଭଳି ଲାଗୁଥିଲା ଏବଂ ଚତୁର୍ଦ୍ଦିଗ ଅନ୍ଧକାର ଭଳି ଦିଶୁଥିଲା । ସେ ଅନୁଭବ କରୁଥିଲେ ସତେ ବା ଭୂମିକମ୍ପ ହେଉଛି । ଏହି ମୁହୂର୍ତ୍ତରେ ଘରର ସମସ୍ତ କାନ୍ଥ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିବ । ସେ ତା’ରି ତଳେ ରହିଯିବେ । ସେଥିରେ ହୁଏତ ତାଙ୍କୁ ଶାନ୍ତି ମିଳିବ ।

 

କମଳା ଠିଆ ହେବା ଜାଗାରୁ ଆଉ ଟିକିଏ ଆଗକୁ ଆସି ପଚାରିଲେ–ତୁ ତ ମୋ ଝିଅ ଲକ୍ଷ୍ମୀ ଭଳି ଦିଶୁଛୁ । ହେଲେ ବାପା ତ ଜୋଇଁଙ୍କ ଘରେ ଲକ୍ଷ୍ମୀକୁ ଦେଖିଆସିଲେ । କଥାବାର୍ତ୍ତା ହେଲେ । ବୁଝିଲେ, ସାତମଙ୍ଗଳା ରାତିରେ ସେ ଘର ଛାଡ଼ି ଆସିନି, ତେବେ ତୁ କିଏ ?

 

ରବୀନ୍ଦ୍ର ଆଗେଇ ଆସି କହିଲେ–କିଛି ନାଇଁ, ୟାକୁ ଚାବି ପକାଇ ରଖ । ନହେଲେ ରାତାରାତି କୁଆଡ଼େ ଖସିଯିବ । କାଲି ହେମକାନ୍ତ ଓ ଲକ୍ଷ୍ମୀକୁ ଏଠାକୁ ଡାକି ଆଣିଲେ ସବୁ ରହସ୍ୟ ଜଣା ପଡ଼ିଯିବ ।

 

ଲକ୍ଷ୍ମୀ ହୃଦୟ ଫଟାଇ କାନ୍ଦି ଉଠି କହିଲେ–‘‘ବାପା, ଭାଇ ଚିହ୍ନି ପାରୁନାହାନ୍ତି ବୋଲି ତୁ ମୋତେ ଚିହ୍ନିପାରୁନୁ ବୋଉ ?’’

 

‘‘କ’ଣ କହିବି ମା’, ମୋ ମୁଣ୍ତରେ କିଛି ଆଉ ପଶୁନି । ମୋ ଝିଅ ଲକ୍ଷ୍ମୀ ସିନା ଜଣେ । ଦୁଇ ଜାଗାରେ ଦୁଇଟି ଲକ୍ଷ୍ମୀ କିପରି ସମ୍ଭବ ହେବ ?’’ କମଳା ସେହି ଘରେ କାନ୍ଥକୁ ଆଉଜି ଲକ୍ଷ୍ମୀଙ୍କ ମୁହଁକୁ ଚାହିଁ ବସି ପଡ଼ିଲେ ।

 

‘‘ତୁ ମୋ କଥା ବିଶ୍ୱାସ କର । ତାଙ୍କ ଘରେ ସେ ଲକ୍ଷ୍ମୀ ମୁଁ ନୁହେଁ ବୋଉ, ସେ ଲକ୍ଷ୍ମୀ ନୁହେଁ । ବାପା, ଭାଇ ତାକୁ ଭଲ ଭାବରେ ଦେଖି ପାରିଲେ ନାହିଁ । ତୋ ଜୋଇଁ ଭଲ ପାଉଥିବା ଝିଅଟି ଲକ୍ଷ୍ମୀ ସାଜି ସେଠାରେ ରହିଛି ।’’ ଲକ୍ଷ୍ମୀ ପାଗଳୀଙ୍କ ପରି କହି ଯାଉଥିଲେ । ସେତେବେଳକୁ ତାଙ୍କର କେଶ, ବାସ ଅସଂଯତ ହୋଇ ପଡ଼ିଥିଲା । କଣ୍ଠ ଶୁଖି ଆସୁଥିଲା ।

 

‘‘ଠିକ୍‌ ଅଛି । ଆମେତ ଆମ ଆଖିକୁ ଆଉ ଅବିଶ୍ୱାସ କରିପାରିବୁ ନାହିଁ । ରାତି ପାହିଲେ ସବୁ ଘଟଣା ଜଣାପଡ଼ିଯିବ । ଏତେ ବ୍ୟସ୍ତ କାହିଁକି ? ତୁ ପ୍ରକୃତ ଲକ୍ଷ୍ମୀକି ସେ ପ୍ରକୃତ ଲକ୍ଷ୍ମୀ ଦୁଇଜଣଙ୍କୁ ଏକାଠି ଆଣି ଠିଆ କରି ଦେଲେ ଚିହ୍ନା ପଡ଼ିବ । କିନ୍ତୁ ଯେ ନକଲି ଲକ୍ଷ୍ମୀ, ତା’ ଅବସ୍ଥା କ’ଣ ହେବ, ସେତେବେଳେ ସେ ଜାଣିବ ।’’ ରବୀନ୍ଦ୍ର କହି କହି ଦୁମ୍‌ଦୁମ୍‌ ହୋଇ ନିଜ ଶୋଇବାଘରକୁ ଚାଲିଗଲେ ।

 

ସଦାନନ୍ଦବାବୁ କିମ୍ୱା କମଳାଙ୍କ ପାଟିରୁ ଆଉ କୌଣସି କଥା ବାହାରୁ ନଥିଲା । ସଦାନନ୍ଦବାବୁ ସେହି ଘରେ ତଳେ ଖଣ୍ତିଏ ମସିଣା ପକାଇ ଲକ୍ଷ୍ମୀଙ୍କ ଆଡ଼କୁ ଚାହିଁ ଏଇସବୁ କଥା ଭାବୁ ଭାବୁ କେତେବେଳେ ତାଙ୍କୁ ନିଦ ଯେ ଲାଗିଗଲା, ସେ ଜାଣିପାରିଲେ ନାହିଁ ।

 

କମଳା ମଧ୍ୟ କାନ୍ଥକୁ ଆଉଜି ବସି ଏଣୁତେଣୁ ଭାବୁ ଭାବୁ ସେହି ତଳେ ଶୋଇ ପଡ଼ିଲେ-

 

ଲକ୍ଷ୍ମୀଙ୍କ ଆଖିକୁ ରାତିଟିଯାକ ନିଦ ନଥିଲା । ସେ ମଝିରେ ମଝିରେ କୋହରେଇ ହୋଇ କାନ୍ଦୁଥିଲେ ।

 

ଦୂରରୁ ଗୋଟିଏ ଚକୋରୀର କରୁଣ ବିଳାପର ସ୍ୱର ପବନରେ ଭାସି ଆସୁଥିଲା ।

 

–ଅଠର–

 

ସଦାନନ୍ଦବାବୁ ଓ ରବୀନ୍ଦ୍ର ଚାଲି ଆସିବା ପରେ ହେମକାନ୍ତଙ୍କୁ ଦୋକାନରେ ରହିବାକୁ ଆଉ ଭଲ ଲାଗିଲା ନାହିଁ । ଶ୍ୱଶୁର, ଶଳାଙ୍କ କଥାବାର୍ତ୍ତା, ଚାଲିଚଳନ ମନରେ ତାଙ୍କର ନାନାପ୍ରକାର ସନ୍ଦେହ ଭାବନା ଜାତ କରୁଥିଲା । ସେ ଶୀଘ୍ର ଦୋକାନ ବନ୍ଦ କରି ସାଇକେଲ୍‍ଟି ଧରି ଗୋଟିଏ ଗୋଟିଏ ଚାଲି ଗାଁକୁ ଆସିଲେ । ସେତେବେଳକୁ ପ୍ରାୟ ରାତି ନଅଟା । ଗ୍ରାମରେ ପ୍ରାୟ ଲୋକଙ୍କ ଘରେ ଖିଆପିଆ ଚାଲିଥାଏ । କେହି କେହି ବା ଖାଇସାରି ଶୋଇବାକୁ ଯାଉଥାନ୍ତି । କାହାରି କାହାରି ପିଣ୍ତାରେ ଭାଗବତ, ରାମାୟଣ, ମହାଭାରତ, ହରିବଂଶ ବୋଲା ହେଉଥାଏ । ଚାରି ପାଞ୍ଚଟି କରି ବୁଢ଼ୀ ବସି ଶୁଣୁଥାନ୍ତି ।

ହେମକାନ୍ତ ଘରକୁ ଆସିବେ କି ପୁଣି ଦୋକାନକୁ ଫେରିଯିବେ କିମ୍ୱା ଶ୍ୱଶୁର ଘରେ ରାତିରାତି ଯାଇ ପହଞ୍ଚିବେ, ଏହି କଥା ଭାବୁଥାନ୍ତି । ହେଲେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁ ନଥାନ୍ତି । ସେ ଅନ୍ୟମନସ୍କ ଭାବରେ ଘରର ବାରଣ୍ତା ଉପରକୁ ଉଠି କବାଟ ଠକ୍‌ ଠକ୍‌ କରି ଡାକିଲେ–ଭରତ, ଭରତ !

ଭରତ ଲଣ୍ଠନଟି ଧରି ଆସି କବାଟ ଖୋଲିଲେ । ପଚାରିଲେ–ମଉସା, ରବିବାବୁ କ’ଣ ଗାଁକୁ ଚାଲିଗଲେ ?

ହେମକାନ୍ତ ଅନ୍ୟମନସ୍କ ଭାବରେ ‘ହଁ’ ବୋଲି ଉତ୍ତର ଦେଇ ଘର ଭିତରକୁ ପଶିଲେ । ଗୋଡ଼ହାତ ଧୋଇ ଶୋଇବାଘରକୁ ଗଲେ । ଦେଖିଲେ ଯୁବତୀଟି ଖଟ ଉପରେ ବସିଛି । ସେ ସନ୍ଦେହ ଚକ୍ଷୁରେ ଯୁବତୀଟି ମୁହଁକୁ ଚାହିଁଲେ ।

ଯୁବତୀଟି ହସି ହସି ପଚାରିଲା–ଆଜି ଏତେ ଚଞ୍ଚଳ ଚାଲି ଆସିଲଣି ଯେ ?

ଦେହ ଭଲ ଲାଗୁନି । ହେମକାନ୍ତ ଉତ୍ତର ଦେଲେ ।

ଯୁବତୀଟି କହିଲା–ଶୀଘ୍ର ଖାଇ ଦେଇ ଶୋଇପଡ଼ ।

ହେମକାନ୍ତ ହଠାତ୍‌ ପଚାରିଲେ–ତୁମକୁ ଯାହା ପଚାରିବି, ସତ କହିବ ?

ଯୁବତୀଟି କହିଲା–କ’ଣ ପଚାରୁନ ।

‘ତୁମେ ତୁମ ବାପଘରକୁ ଯାଇଥିଲ ?’ ହେମକାନ୍ତ ପଚାରି ଯୁବତୀଟି ମୁହଁକୁ ତୀକ୍ଷ୍ଣଦୃଷ୍ଟିରେ ଚାହିଁ ରହିଲେ । ତାଙ୍କୁ ଯେପରିକି ଜଣାଗଲା ଏ ଲକ୍ଷ୍ମୀ ନୁହେଁ, ହେମଲତା ।

‘‘ମୁଁ କାହିଁକି କୁଆଡ଼େ ଯିବି ? ଗଲେ ତୁମକୁ କହି ନଥାନ୍ତି ?’’ ଯୁବତୀଟି ହସି ହସି ଉତ୍ତର ଦେଲା ।

‘‘ନା ତୁମେ ଲକ୍ଷ୍ମୀ ନୁହ ।’’ ଚମ୍ଭୀର ଭାବରେ ହେମକାନ୍ତ କହିଲେ ।

ଯୁବତୀଟି ପୂର୍ବ ଭଳି ହସି ହସି ପଚାରିଲ–ଆଉ ?

‘‘ହେମଲତା’’ । ଅନ୍ୟମନସ୍କ ଭାବରେ ହେମକାନ୍ତଙ୍କ ତୁଣ୍ତରୁ ବାହାରି ଆସିଲା ।

ଯୁବତୀଟିର ମୁହଁରେ ହସର ଲହରୀ ଖେଳିଗଲା । ସେ ହେମକାନ୍ତଙ୍କ ପାଖକୁ ଲାଗିଆସି କହିଲା–‘‘ତୁମେ ଭଲ କରି ମୋ ମୁହଁକୁ ଚାହିଁଲ । ମୁଁ ତୁମ ହେମଲତା ନା ଲକ୍ଷ୍ମୀ ?’’

 

ହେମକାନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ । ତାଙ୍କ ଭାବନାଗୁଡ଼ିକ ତନ୍ତଛିଣ୍ତା ସୂତା ପରି ଅଡ଼ୁଆ ହୋଇଗଲା । ସମାଧାନ ସୂତ୍ର ସେ ଖୋଜି ପାଇଲେ ନାହିଁ ।

 

ଭରତ ଡାକିଲେ–ବାବୁ, ଖାଇବେ ଆସନ୍ତୁ !

 

ହେମକାନ୍ତ ଭାରାକ୍ରାନ୍ତ ମନରେ ଖାଇବାକୁ ଯାଇ ବସିଲେ । ଅନ୍ୟମନସ୍କ ଭାବରେ ଖାଇଦେଇ ଉଠିଗଲେ । ଯାଇ ନୀରବରେ ଖଟ ଉପରେ ଶୋଇ ପଡ଼ିଲେ ।

 

ଭରତ ପୁଣି ଡାକିଲେ–ସାନଅପା, ଖାଇବ ଆସ ।

 

ଯୁବତୀଟି କହିଲା–ତୁମେ ମୋପାଇଁ ଏଇ ଘରେ ଖାଇବାକୁ ଥୋଇଦିଅ ଭରତ । ମୁଁ ଆଉ ଟିକିଏ ଗଲେ ଖାଇବି ।

 

ଭରତ କହିଲେ–କାହିଁକିମ ସାନଅପା, ଏଇଠାକୁ ଆସୁନ । ସାଙ୍ଗ ହୋଇ ଖାଇବା, ଗପ୍‍ସପ୍ କରିବା । ତୁମ ବାପା, ଭାଇ ଆଜି ଆସି ଯେମିତି ଛାନିଆ କରି ଦେଲେନା !

 

ଯୁବତୀଟି ଭରତଙ୍କୁ ବିଶେଷ କିଛି କଥା କହିବାକୁ ସୁଯୋଗ ଦେଲାନାହିଁ । ସେ କହିଲା–ବାବୁଙ୍କ ଦେହ ଆଜି ଭଲ ନାହିଁ । ମୋ ମନ ଖରାପ ଲାଗୁଛି । ତୁମେ ମୋପାଇଁ ବାଢ଼ିଦେଇ, ତୁମର ତୁମେ ଖାଇ କବାଟ, ଝରକା ଦେଇ ଶୋଇବ ଯାଅ ।

 

ଯୁବତୀଟି କହିବା ମୁତାବକ ଭରତ ଶୋଇବାଘର କୋଣରେ ଖାଇବାକୁ ରଖିଦେଇ, ନିଜେ ଖାଇ କବାଟ, ଝରକା ଦେଇ ଶୋଇଲେ ।

 

ଯୁବତୀଟି ଖାଇବା ଓ ପାଖରେ ଆସି ଶୋଇବାବେଳେ ହେମକାନ୍ତ ଶୋଇବାର ଛଳନା କରି ସବୁ ଦେଖୁଥିଲେ ।

 

ହେମକାନ୍ତଙ୍କ ନିଦ ସକାଳୁ ଭାଙ୍ଗିଲାବେଳକୁ ଦିନ ଅନେକ ହୋଇ ଯାଇଥିଲା । ସେତେବେଳକୁ ଭରତ ଗାଧୋଇ ଆସି ଜଳଖିଆ ପାଇଁ ଭଜା ବସାଇଥିଲେ ।

 

ହେମକାନ୍ତ ବାହାରକୁ ଆସି ଭରତଙ୍କୁ ପଚାରିଲେ–ଲକ୍ଷ୍ମୀ କୁଆଡ଼େ ଗଲା ?

 

‘‘ଏଇତ ଗାଧୋଇବାକୁ ଗଲେ ।’’ ଭରତ ଉତ୍ତର ଦେଲେ ।

 

ହେମକାନ୍ତ ଆଉ ବେଶୀ କିଛି ପ୍ରଶ୍ନ ନ ପଚାରି ନିଜର ନିତ୍ୟକର୍ମ ଶେଷ କରି ଜଳଖିଆ ଖାଇ ଦୋକାନକୁ ବାହାରିଲେ । ସବୁଦିନ ପରି ମୁହଁରେ ହସ, ସରସତା କିମ୍ୱା କୌଣସି ଭାଷା ନଥିଲା । ସେ ବରାବର ଚିନ୍ତିତ, ଅନ୍ୟମନସ୍କ ରହିଲା ପରି ଜଣା ପଡ଼ୁଥିଲେ ।

 

ହେମକାନ୍ତ ଚନ୍ଦନବଜାରରେ ପହଞ୍ଚିଲେ । ଦୋକାନ ଫିଟାଇବାକୁ ଯାଉଛନ୍ତି, ଶୁଣିଲେ ବଜାରର ଜଣେ ବ୍ୟବସାୟୀଙ୍କର ପରଲୋକ ହୋଇଯାଇଛି । ବ୍ୟବସାୟୀମାନେ ଦୋକାନ ନଖୋଲି ଶବ ପଟୁଆରରେ ଯିବାପାଇଁ ସିଦ୍ଧାନ୍ତ କରିଛନ୍ତି ।

 

ହେମକାନ୍ତକୁ ଟିକିଏ ସୁବିଧା ମିଳିଲା । ସେ ଗଣେଶ ହାତରେ ଭରତଙ୍କ ପାଖକୁ ଖରାବେଳେ ଖାଇବେ ନାହିଁ ବୋଲି ଖବର ପଠାଇ ସାଇକେଲ୍‍ରେ ବସି ସିଧା ଚାଲିଲେ ହରପ୍ରତାପପୁର ଗାଁକୁ ।

 

ହରପ୍ରତାପପୁର ଗ୍ରାମ ଅଳ୍ପ ଦୂର ଅଛି, ରବୀନ୍ଦ୍ର ଗୋଟିଏ ସାଇକେଲ୍‍ରେ ଆସୁଥିବାର ଦେଖିଲେ । ରବୀନ୍ଦ୍ରଙ୍କୁ ଦେଖି ସେ ସାଇକେଲ୍‍ରୁ ଓହ୍ଲାଇ ପଡ଼ିଲେ । ରବୀନ୍ଦ୍ର ମଧ୍ୟ ସାଇକେଲ୍‍ରୁ ଓହ୍ଲାଇ ପଡ଼ି କହିଲେ–ହେମକାନ୍ତବାବୁ ତୁମେ ଆସିଛ, ଭଲ କରିଛ । ଲକ୍ଷ୍ମୀ ବର୍ତ୍ତମାନ ଆମ ଘରେ ଅଛି । ସେ ଅସଲି ଲକ୍ଷ୍ମୀ କି ନକଲି ଲକ୍ଷ୍ମୀ ତୁମେ ଗଲେ ଚିହ୍ନିପାରିବ । କାଲିଠାରୁ ଆମ ଘରେ ଭାରି ଅଶାନ୍ତି ।

 

‘‘କାହିଁକି ?’’ ହେମକାନ୍ତ ସନ୍ଦେହ ସ୍ୱରରେ ପଚାରିଲେ ।

 

‘‘ତୁମ ଘରେ ଯେ ଅଛି ସେ ଅସଲ ଲକ୍ଷ୍ମୀ କି ଆମ ଘରେ ଯେ ଅଛି, ସେ ଅସଲ ଲକ୍ଷ୍ମୀ ଜାଣିବାତ ବର୍ତ୍ତମାନ କଷ୍ଟକର ହେଲାଣି ।’’ ରବୀନ୍ଦ୍ର ବିସ୍ମୟରେ ହେମକାନ୍ତଙ୍କ ମୁହଁକୁ ଚାହିଁ ରହିଲେ ।

 

‘‘ତୁମ ଭଉଣୀକୁ ତୁମେ ଚିହ୍ନିପାରୁନ ?’’ ହେମକାନ୍ତ ଦୀର୍ଘ ନିଃଶ୍ୱାସ ପକାଇ ଅନ୍ୟମନସ୍କ ଭାବରେ ପଚାରିଲେ ।

 

ସେୟାତ ଇଲେ ସମସ୍ୟା ହୋଇଛି । ଦୁଇ ଲକ୍ଷ୍ମୀଙ୍କୁ ଆଣି ଏକାଠି କରିଦେଲେ ଅସଲ ଲକ୍ଷ୍ମୀ, ନକଲି ଲକ୍ଷ୍ମୀ ବଳେ ଜଣା ପଡ଼ିଯିବ । ନକଲି ଲକ୍ଷ୍ମୀର ଅବସ୍ଥା କ’ଣ ହେବ, ସେ କଥା ରବୀନ୍ଦ୍ର ଜାଣିବ ଆଉ ସେ ଜାଣିବ । ରବୀନ୍ଦ୍ର ସେହିଠାରୁ ହେମକାନ୍ତଙ୍କ ସହିତ ନିଜ ଘରକୁ ଫେରିଲେ ।

 

ହରପ୍ରତାପପୁର ଗୋଟିଏ ବଡ଼ ଗାଁ । ପ୍ରାୟ ଶହେ କୋଡ଼ିଏଟି ପରିବାର ବସବାସ କରନ୍ତି । ପିଲା ବଡ଼ ହୋଇ ଲୋକସଂଖ୍ୟା ପ୍ରାୟ ଚାରିଶହ ପର୍ଯ୍ୟନ୍ତ ହେବ । ଅଧିକାଂଶ ଲୋକଙ୍କର ବେଉସା ଚାଷ । ପ୍ରାୟ ପ୍ରତ୍ୟେକ ଲୋକଙ୍କର ବାଡ଼ି ବଗିଚା ଅଛି । ଗରିବ, ଶ୍ରମିକ ଯେ ଗ୍ରାମରେ ନାହାନ୍ତି, ତାହା ନୁହେଁ । ମାତ୍ର ସେମାନଙ୍କ ସଂଖ୍ୟା ଖୁବ୍‌ କମ୍ । ସେମାନେ ଏକ ଚାଷ କାମରୁ ମୂଲ ମଜୁରୀ ପାଇ ଚଳି ଯାଆନ୍ତି । ଗ୍ରାମଟି ମଫସଲ ହେଲେ ମଧ୍ୟ ସହରର ବହୁ ପ୍ରଭାବ ଲୋକଙ୍କ ଉପରେ ପଡ଼ିଲାଣି । ଆଧୁନିକ ସଭ୍ୟତା ଓ ଚାଲିଚଲନ ଘରେ ଘରେ ପ୍ରତ୍ୟେକ ବାଳକବାଳିକା ଯୁବକଯୁବତୀଙ୍କୁ ସ୍ପର୍ଶ କରିଛି । ଗ୍ରାମରୁ ବହୁ ଯୁବକ, ଯୁବତୀ ମଧ୍ୟ ଶିକ୍ଷିତ ଶିକ୍ଷିତା ହୋଇ ସରକାରୀ, ବେସରକାରୀ ବିଭିନ୍ନ କ୍ଷେତ୍ରରେ ଚାକିରି କରିଛନ୍ତି । ତଥାପି ଗ୍ରାମର ପ୍ରତ୍ୟେକ ଲୋକ ଗୋଟିଏ ପରିବାର ଭଳି ଚଳନ୍ତି । ସମସ୍ତେ ପରସ୍ପର ଭଲମନ୍ଦ ଦୁଃଖସୁଖରେ ଆସି ଠିଆ ହୁଅନ୍ତି । ଜଣକର ଆପଦ ବିପଦକୁ ସମସ୍ତେ ନିଜର ଆପବ ବିପଦ ଭଳି ଅନୁଭବ କରନ୍ତି । ଜଣକ ଘରକୁ କୁଣିଆଟିଏ ଆସିଲେ ସେ ସମସ୍ତ ଘରର କୁଣିଆ ଭଳି ସମ୍ମାନ, ସ୍ନେହ, ଶ୍ରଦ୍ଧା ପାଏ । ଏବେ ଅବଶ୍ୟ ଗ୍ରାମରେ କେତେକ ଅଳସୁଆ, ବେକାର ଯୁବକ ବାହାରି ନାନାପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ବେଳେବେଳେ ଅଶାନ୍ତି ସୃଷ୍ଟି କରୁଥିବାରୁ ପାରିବାରିକ, ସାମାଜିକ ଜୀବନ ଭିତରେ ବିଶୃଙ୍ଖଳା, ଅଶାନ୍ତି ଦେଖା ଦେଉଛି । ସେମାନଙ୍କ ମଧ୍ୟରୁ ଅନେକ ଅବଶ୍ୟ ପୁଲିସ, ସୈନ୍ୟବାହିନୀ ଚାକିରିରେ ଚାଲିଗଲେଣି । ଅନ୍ୟମାନଙ୍କୁ ବାଧ୍ୟତାମୂଳକ ଭାବରେ ସୈନ୍ୟବାହିନୀ କିମ୍ୱା ପୁଲିସ ବାହିନୀରେ ଭର୍ତ୍ତି କରି ଦେବା ଉଚିତ ବୋଲି ସମସ୍ତେ ଅନୁଭବ କରୁଛନ୍ତି । ମାତ୍ର କେହି ମୁହଁ ଖୋଲି କହି ପାରନ୍ତି ନାହିଁ ।

 

ରବୀନ୍ଦ୍ରଙ୍କ ସାଙ୍ଗରେ ହେମକାନ୍ତ ଗ୍ରାମ ଭିତରେ ପଶିବାକ୍ଷଣି ସଦାନନ୍ଦବାବୁଙ୍କ ଜୋଇଁ ଆସିଛନ୍ତି ବୋଲି ଗ୍ରାମରେ ପ୍ରଚାରିତ ହୋଇଗଲା । ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ହେମକାନ୍ତଙ୍କୁ ଦେଖିବାପାଇଁ ଘେରିଗଲେ । କିଏ କେତେ ପ୍ରଶ୍ନ ମଧ୍ୟ ପଚାରିବାରେ ଲାଗିଲେ । ସମସ୍ତଙ୍କ ମନରେ ଗ୍ରାମର ନୂଆ ଜୋଇଁଟିକୁ ଦେଖିବାପାଇଁ ଯେପରି ଆଗ୍ରହ, ନିଜ ନିଜର ପରିଚୟ ଦେଇ ଅତି ଆପଣାର ହେବାପାଇଁ ସେହିଭଳି ଉଦ୍ୟମ ଦେଖାଦେଲା ।

 

ରବୀନ୍ଦ୍ର ମନେମନେ ବିରକ୍ତ ହୋଇ ଆଗେ ଚାଲିଥାନ୍ତି । ପଛେ ପଛେ ଯାଉଥାନ୍ତି ହେମକାନ୍ତ । ଘର ନିକଟ ହେଲା, । ଗାଁ ଲୋକେ ମଧ୍ୟ ସଦାନନ୍ଦବାବୁଙ୍କ ଘରକୁ ନୂଆ ଜୋଇଁଙ୍କୁ ଦେଖିବାପାଇଁ ଛୁଟିଲେ । ରବୀନ୍ଦ୍ରଙ୍କର ମନର ବିରକ୍ତି ଭାବ ମୁହଁରେ ପ୍ରକାଶ ପାଇଲା । ସେ ଓ ହେମକାନ୍ତ ଘର ଭିତରକୁ ପଶିବାକ୍ଷଣି ରବୀନ୍ଦ୍ର ଭିତରୁ ବାହାର ଘରର କବାଟଟି ଲଗାଇ ଦେଇ କହିଲେ–ବର୍ତ୍ତମାନ ଝାମିଲା କରନି, ପରେ ଆସିବ ।

 

ସେତେବେଳକୁ ଦିନ ଆସି ଦଶଟା ଉପରେ ହେଲାଣି । ସଦାନନ୍ଦବାବୁ ସେ ପର୍ଯ୍ୟନ୍ତ ଗାଧୋଇ ନାହାନ୍ତି । ମୁଣ୍ତରେ ହାତ ଦେଇ ନିଜ ଶୋଇବାଘର ବାରଣ୍ତାରେ ବସିଛନ୍ତି । କମଳା ଗାଧୋଇ ଆସି ମୁଗ ଡାଲି ଦି’ଟା ଚୁଲିରେ ବସାଇଛନ୍ତି । ଚୁଲି ଆସି ଲିଭିଗଲାଣି । ମୁଗଡ଼ାଲି ତଳୁ ପୋଡ଼ିଗଲାଣି କି ଅଛି, ସେ ଦିଗକୁ ତାଙ୍କର ଖିଆଲ ନାହିଁ । ଲକ୍ଷ୍ମୀ ଶୋଇବା ଘରଟିରେ ଆଖିକୁ ନିଦ ନଥିଲେ ମଧ୍ୟ ସେ ପର୍ଯ୍ୟନ୍ତ ଶୋଇ ରହିଛନ୍ତି । ରବୀନ୍ଦ୍ରଙ୍କର ଅନ୍ୟ ଛୋଟ ଭାଇ ଭଉଣୀ ଦୁଇଟି ରାତିରେ କେହି ନଖାଇବା ଫଳରେ ବଳିଥିବା ତରକାରୀ ଓ ପଖାଳ ଖାଇ ସ୍କୁଲ୍‍କୁ ଗଲେଣି ।

 

ହେମକାନ୍ତ ସଦାନନ୍ଦବାବୁଙ୍କୁ ପ୍ରଣାମ କଲେ । ସଦାନନ୍ଦବାବୁ ମୁହଁଟେକି ଚାହିଁ କହିଲେ–କିଏ ହେମକାନ୍ତ, ଆସିଛ ? ଭଲ କଲ ବାପା ! ଆମେ କାଲିଠାରୁ ତୁମ ଘରୁ ଫେରି ମହାଅସୁବିଧାରେ ପଡ଼ିଛୁ ।

 

କମଳା ଆସି ହେମକାନ୍ତଙ୍କ ପାଖରେ ଠିଆ ହେବାମାତ୍ରେ କେଜାଣି କାହିଁକି ତାଙ୍କ ଆଖିରୁ ଝରଝର ହୋଇ ଲୁହ ଗଡ଼ିବାରେ ଲାଗିଲା । ସେ କୋହ ସମ୍ଭାଳି ପାରିଲେ ନାହିଁ । ଖୁବ୍‌ ଜୋରରେ କାନ୍ଦି ଉଠିଲେ । ହେମକାନ୍ତ ଶାଶୁଙ୍କର ପାଦ ତଳେ ମୁଣ୍ତ ଲଗାଇ ପ୍ରଣାମ କଲେ ।

 

ସେତେବେଳେ ରବୀନ୍ଦ୍ରଙ୍କ ଆଖିରୁ ମଧ୍ୟ ଦୁଇଟି ଧାର ଲୁହ ଗଡ଼ି ଆସିଲା । ସେ କ୍ରମେ ଧୈର୍ଯ୍ୟହରାଇ ପଡ଼ୁଥିଲା ଭଳି ଜଣାଯାଉଥିଲା ।

 

‘‘ଲକ୍ଷ୍ମୀ କାହିଁ ?’’ ହେମକାନ୍ତ ସମସ୍ତଙ୍କ ମୁହଁକୁ ଜଣ ଜଣ କରି ଚାହିଁ ପ୍ରଶ୍ନ କଲେ ।

 

ରବୀନ୍ଦ୍ର ଆଖିରୁ ଲୁହ ପୋଛି ଲକ୍ଷ୍ମୀ ଶୋଇଥିବା ଘରକୁ ଆଙ୍ଗୁଠି ଦେଖାଇ ଦେଲେ । ଅତି କ୍ଷୀଣସ୍ୱରରେ କହିଲେ–ସେହି ଘରେ ।

 

ହେମକାନ୍ତ ଲକ୍ଷ୍ମୀଙ୍କ ଶୋଇବା ଘରକୁ ଗଲେ । ତାଙ୍କ ପଛେ ପଛେ କମଳା ଯାଉଥିଲେ-

 

ରବୀନ୍ଦ୍ର ପାଟିକରି ଉଠିଲେ–ତୁ କାହିଁକି ଯାଉଛୁ ?

 

ସଦାନନ୍ଦବାବୁ ଧୀର ଗଳାରେ କହିଲେ–ହେମକାନ୍ତ ଯାଇ ଦେଖୁ, ଯେ ଆମର ଝିଅ ପ୍ରକୃତ ଲକ୍ଷ୍ମୀକି ନୁହେଁ ।

 

ହେମକାନ୍ତ ଗୋଡ଼ ଚିପି ଚିପି ଶବ୍ଦ ନହେଲା ଭଳି ଲକ୍ଷ୍ମୀ ଶୋଇଥିବା ଘର ଭିତରକୁ ପଶିଲେ । ଦେଖିଲେ, ଲକ୍ଷ୍ମୀ ମୁହଁମାଡ଼ି ଖଟ ଉପରେ ଶୋଇଛନ୍ତି । ବାତ୍ୟାରେ କଦଳୀ, ସଜନାଗଛ, ଚାଳଘରର ଅବସ୍ଥା ଯାହା, ତା’ଠାରୁ ମଧ୍ୟ ତାଙ୍କ ଅବସ୍ଥା ଆହୁରି ଖରାପ ଦିଶୁଛି । ଆଖି ଦୁଇଟି କାନ୍ଦି କାନ୍ଦି ବର୍ଷା ଦିନେ ଧାନଜମିରେ ବୁଲୁଥିବା ଗେଣ୍ତା ଭଳି ଫୁଲି ଯାଇଛି । ମୁଖମଣ୍ତଳରେ ଘନ ବାଦଲର ଛାୟା । ତା’ଉପରେ ଲୁହ ଶୁଖି ବିଦ୍ୟୁତ ଭଳି ଚକଚକ କରୁଛି । ମଥାର ନରମ, କୋମଳ କୃଷ୍ଣଘନ କେଶରାଶି ଯତ୍ନ ଅଭାବରେ ଖେଳେଇ ହୋଇ ପଡ଼ିଛି । ରାଧାମାଧବଙ୍କ ମନ୍ଦିର ପାଖ ପୋଖରୀକୂଳରେ ବଉଳକୋଳି ଗଛରେ ମାଡ଼ିଥିବା ମାଳତି ଲତାର ମୂଳ ଉପୁଡ଼ି ଯାଇ ପତ୍ର ଫୁଲଗୁଡ଼ିକ କ୍ରମେ ଶୁଖି ଆସିଲା ଭଳି ଲକ୍ଷ୍ମୀ ଦିଶୁଛନ୍ତି ।

 

ଲକ୍ଷ୍ମୀ କବାଟରେ ଝରକାବାଟେ ବାହାରକୁ ଚାହିଁ ଶୋଇ ନିଜର ଭବିଷ୍ୟତ ନେଇ ଏଣୁତେଣୁ ଭାବୁଥିଲେ । କେତେବେଳେ ଏଥିପାଇଁ ଭଗବାନଙ୍କୁ ଗାଳି ଦେଉଥିଲେତ କେତେବେଳେ ନିଜ ଭାଗ୍ୟକୁ ନିନ୍ଦା କରୁଥିଲେ । ମଝିରେ ମଝିରେ ହୃଦୟ ଥରାଇ ଗୋଟିଏ ଲେଖାଏଁ ଦୀର୍ଘ ନିଃଶ୍ୱାସ ବାହାରି ଆସୁଥିଲା । ତାହା ଛାତିରେ କମ୍ପନ, ଦେହରେ ରୋମାଞ୍ଚ ସୃଷ୍ଟି କରୁଥିଲା । ସେ ହଠାତ୍‌ ଘର ଭିତରେ ହେମକାନ୍ତଙ୍କୁ ଦେଖି ବିଶ୍ୱାସ କରିପାରିଲେ ନାହିଁ । କିଛି ସମୟ ହେମକାନ୍ତଙ୍କ ମୁହଁଙ୍କୁ ପାଗଳୀଙ୍କ ଭଳି ଜଳଜଳ କରି ଚାହିଁ କାନ୍ଥଆଡ଼କୁ ମୁହଁ ବୁଲାଇ କାନ୍ଦିବାରେ ଲାଗିଲେ । ସେ କ୍ରନ୍ଦନର ଊର୍ମି ଲକ୍ଷ୍ମୀଙ୍କର ସମଗ୍ର ଶରୀରରେ ଅନୁଭୂତ ହେଉଥିଲା ।

 

ହେମକାନ୍ତ ଧୀରେ ଧୀରେ ଯାଇ ଖଟ ଉପରେ ବସିଲେ । ଲକ୍ଷ୍ମୀଙ୍କର ମଥାର ଅଲରା ବାଳଗୁଡ଼ିକ ଉପରେ ହାତ ବୁଲାଇ ଡାକିଲେ–ଲକ୍ଷ୍ମୀ !

 

ଲକ୍ଷ୍ମୀ କିଛି ଉତ୍ତର ଦେଲେ ନାହିଁ ବରଂ ତାଙ୍କର କ୍ରନ୍ଦନର ବେଗ ବହୁଗୁଣରେ ବଢ଼ିଗଲା-। ଦୁଇ ଆଖିରୁ ଲୁହ, ଜଳଭଣ୍ତାରରେ ଦୁଇଟି ଘାଇ ହୋଇ ପାଣି ବୋହିଗଲା ପରି ପ୍ରତିବନ୍ଧକ ନମାନି ଗଡ଼ି ଚାଲିଲା ।

 

ମୁଁ ହେମକାନ୍ତ ଆସିଛି ଲକ୍ଷ୍ମୀ ! ହେମକାନ୍ତ କହୁ କହୁ ତାଙ୍କର କଣ୍ଠରୋଧ ହୋଇ ଆସିଲା । ସେ ଲକ୍ଷ୍ମୀଙ୍କ ମଥାରେ ହାତ ବୁଲାଇ ଠିକ୍‌ ଅନୁଭବ କରୁଥିଲେ, ଇଏ ତାଙ୍କର ପ୍ରକୃତ ଲକ୍ଷ୍ମୀ । ପୁଣି ମନରେ ତାଙ୍କର ପ୍ରଶ୍ନ ଉଠୁଥିଲା, ‘‘ଘରେ ଯିଏ ଅଛି, ସେ ତେବେ କିଏ ?’’

 

ଲକ୍ଷ୍ମୀ ତାଙ୍କର ଲୁହବୋଳା ଶୁଖିଲା ମୁହଁଟିକୁ ବୁଲାଇ ହେମକାନ୍ତଙ୍କ ଆଡ଼କୁ ଚାହିଁ କହିଲେ–‘‘କାହିଁକି ଆସିଛ ? ପ୍ରେମିକା କ’ଣ ମନରେ ତୁମର ଆଘାତ ଦେଇଛନ୍ତି ?’’

 

ହେମକାନ୍ତ କିଛି ସମୟ ନୀରବ ରହିଲେ । ମନକୁ ମନ ହସିଲେ । ଭାବିଲେ, କିଏ ପ୍ରେମିକା ? ପ୍ରକୃତ ପ୍ରେମିକା, ପ୍ରେୟସୀ, ପ୍ରେମଲତା, ସ୍ତ୍ରୀ, ସହଧର୍ମିଣୀ ଥିଲା ହେମଲତା । ସେ ତ ଆଉ ନାହିଁ । ସେ ଦୁଇବର୍ଷ ହେଲା ହେମକାନ୍ତ ପ୍ରାଣରେ ମରୁ ମରୀଚିକା ସୃଷ୍ଟି କରି କେଉଁ ଆଡ଼େ ଚାଲିଯାଇଛି । ପୂର୍ଣ୍ଣିମା ରାତ୍ରିର ଆକାଶଛାତିର ଜହ୍ନ ଅମାବାସ୍ୟା ରାତିରେ ହଜି ଯାଇଛି । ହେଲେ ଆକାଶ ଛାତିର ଜହ୍ନ ପ୍ରତିପଦାଠାରୁ ତା’ର ମୁହଁଟି ପୁଣି ଦେଖାଇ ପୂର୍ଣ୍ଣିମା ରାତ୍ରିରେ ପୂର୍ଣ୍ଣ ଶଶୀରୂପେ ପ୍ରକାଶ ପାଇବ । ମାତ୍ର ହେମକାନ୍ତ ହୃଦୟାକାଶର ଜହ୍ନ ? ସବୁଦିନ ପାଇଁ ଯେପରିକି ସେ ହଜି ଯାଇଛି । ଏବେ ପୁଣି ଆସି ଦୁଇଟି ଜହ୍ନ ତା’ ଆଗରେ ଦେଖା ଦେଇଛନ୍ତି । ସେ ଜହ୍ନ ମଧ୍ୟରୁ କିଏ ପ୍ରକୃତ, କିଏ ବିକୃତ ହେମକାନ୍ତର ଜାଣିବାର ଆଜି ଉପାୟ ନାହିଁ ।

 

‘‘କିଛି ଉତ୍ତର ଦେଉନ ଯେ ?’’ ଲକ୍ଷ୍ମୀ ଦୃଢ଼ ଅଥଚ ଅଭିମାନ ସ୍ୱରରେ ପଚାରିଲେ ।

 

ହେମକାନ୍ତ ଅନ୍ୟମନସ୍କ ଭାବରେ କହିଲେ–କାହା କଥା ପଚାରୁଛ ?

 

ଘରେ ଯେଉଁ ପ୍ରେମିକାଙ୍କୁ ରଖି ଲକ୍ଷ୍ମୀ ସଜାଇଛ ? ସେ ପ୍ରେମିକା ନୁହେଁକି ଲକ୍ଷ୍ମୀ ନୁହେଁ-। ଆଉ ?

 

‘‘ସେ କୌଣସି ମାୟାବିନୀ କିମ୍ୱା ପ୍ରେତାତ୍ମା ।’’ ହଠାତ୍‌ ହେମକାନ୍ତଙ୍କ ତୁଣ୍ତରୁ ବାହାରି ଆସିଲା ।

 

‘‘ଏ ତୁମେ କ’ଣ କହୁଛ ! ଲକ୍ଷ୍ମୀ ଖଟ ଉପରେ ବସି ହେମକାନ୍ତଙ୍କ ମୁହଁକୁ ବିସ୍ମିତ ଭାବରେ ଚାହିଁ ରହିଲେ ।’’

 

ତୁମେ ପ୍ରକୃତରେ ଲକ୍ଷ୍ମୀ । ହେମକାନ୍ତ କହୁ କହୁ ତାଙ୍କ କଣ୍ଠ ରୁଦ୍ଧ ହୋଇ ଆସୁଥିଲା ।

 

ଲକ୍ଷ୍ମୀ ନିଜ ହୃଦୟର ଆନନ୍ଦ ଚାପି ରଖି ପାରିଲେ ନାହିଁ । ସେ ଭାବି ପାରୁ ନଥିଲେ ସେ ଶୋଇ ସ୍ୱପ୍ନ ଦେଖୁଛନ୍ତିନା ପ୍ରକୃତ ତାଙ୍କ ସ୍ୱାମୀ ତାଙ୍କ କାନରେ କହୁଛନ୍ତି–ତୁମେ ମୋର ପ୍ରକୃତ ଲକ୍ଷ୍ମୀ । ସେତେବେଳେ ଦିନ କି ରାତି ଜାଣିପାରୁ ନଥିଲେ । ହଠାତ୍‌ ତାଙ୍କ ପାଟିରୁ ଜୋରରେ ବାହାରି ଆସିଲା–ବୋଉ, ବୋଉ !

 

ସଦାନନ୍ଦବାବୁ, କମଳା, ରବୀନ୍ଦ୍ର କ’ଣ ଆଉ ଘଟଣା ଘଟିଲା ବୋଲି ଦୌଡ଼ି ଆସିଲେ । ଥରେ ସାପ କାମୁଡ଼ିଲେ ପାଳ ଦଉଡ଼ି ବାଟରେ ପଡ଼ିଥିବାର ଦେଖିଲେ ଛାତିରେ ମଧ୍ୟ ଚମକ ଲାଗେ-

 

‘‘ଏ ହେଉଛି ପ୍ରକୃତ ଲକ୍ଷ୍ମୀ, ଆପଣଙ୍କ ଝିଅ ।’’ ହେମକାନ୍ତ ଗୋଟିଏ ଯନ୍ତ୍ରଚାଳିତ ମେସିନ ଭଳି କହୁଥିଲେ ।

 

ସେତେବେଳକୁ ଗୁରୁଜନମାନଙ୍କ ଉପସ୍ଥିତିକୁ ଉପଲବ୍ଧି କରି ନପାରି ଲକ୍ଷ୍ମୀ ହେମକାନ୍ତଙ୍କର ଆଣ୍ଠୁ ଉପରେ ମୁହଁଟି ରଖି ତାଙ୍କ ମୁହଁକୁ ଚାହିଁ ରହିଥିଲେ । ଆଖିକୋଣରୁ ତାଙ୍କର ଧାରାଶ୍ରାବଣ ଭଳି ଲୋତକ ଗଡ଼ି ଚାଲିଥିଲା ।

 

‘‘ଘରେ ତୁମର ଯେ ଅଛି ସେ କିଏ ?’’ ରବୀନ୍ଦ୍ର ଘର ଭିତରକୁ ପଶି ଆସି ଦୃଢ଼ ସ୍ୱରରେ ପଚାରିଲେ ।

 

ମୋର କାହିଁକି ସନ୍ଦେହ ହେଉଛି, ସେ କୌଣସି ପ୍ରେତାତ୍ମା କିମ୍ୱା ଆଉକିଛି ।

 

‘‘ପ୍ରେତାତ୍ମା !’’ ଏକାବେଳେକେ ସମସ୍ତଙ୍କ ମୁହଁରେ ପ୍ରଶ୍ନବାଚୀ ଖେଳିଗଲା ।

 

‘କିମିତି ଜାଣିଲ ?’ କମଳା ଭୟମିଶା କଣ୍ଠରେ ପଚାରିଲେ । ହେମକାନ୍ତ ମୁହଁ ଫେରାଇ କହିଲେ–ଆପଣଙ୍କର କେହି ମନ୍ତ୍ରତନ୍ତ୍ର ସାଧକ ଚିହ୍ନା ପରିଚୟ ନାହାନ୍ତି ?

ସଦାନନ୍ଦବାବୁ କମଳାଙ୍କ ମୁହଁକୁ ଓ କମଳା ରବୀନ୍ଦ୍ରଙ୍କ ମୁହଁକୁ ଚାହିଁଲେ ।

 

ଲକ୍ଷ୍ମୀ କହିଲେ–ବୋଉ, ତୁ ପରା କହୁଥିଲୁ ପିଉସା ଆମର ଝଡ଼ାଫୁଙ୍କା ଗୁଣିଟୁଣି ଜାଣନ୍ତି ବୋଲି ?

 

ସଦାନନ୍ଦବାବୁ ଅତି ଗମ୍ଭୀର ଭାବରେ କହିଲେ–ହଁ ସେ ଜାଣନ୍ତି । ମୁଁ ତେବେ ଯାଉଛି ତାଙ୍କୁ ଡାକି ଆଣିବି ।

 

ସଦାନନ୍ଦବାବୁ ବାହାରିବାର ଦେଖି ରବୀନ୍ଦ୍ର କହିଲେ–ତୁମେ କାହିଁକି ଯିବ ? ମୁଁ ସାଇକେଲ୍‍ରେ ଯାଉଛି, ତାଙ୍କୁ ସାଙ୍ଗରେ ଧରି ଆସିବି ।

 

କମଳା ବାହାରକୁ ଆସି ରବୀନ୍ଦ୍ରଙ୍କ କାନରେ କହିଲେ–ଜୋଇଁ ଆସିଛନ୍ତି । ଫେରିଲାବେଳକୁ ମାଛ ଆଣିବୁ ।

 

ଅନ୍ୟଦିନ ହୋଇଥିଲେ ରବୀନ୍ଦ୍ର ବୋଉଙ୍କ କଥାରେ ଝିଙ୍କାରି ଉଠିଥାନ୍ତେ । ମାତ୍ର ହେମକାନ୍ତଙ୍କ ଘରେ ଠିକ୍‌ ଲକ୍ଷ୍ମୀ ପରି ଝିଅଟିଏ ଆସି ରହିବା ଓ ନିଜ ଭଉଣୀକୁ ଚିହ୍ନି ନପାରି ସନ୍ଦେହରେ ମାଡ଼ ଦେବା ପରଠାରୁ ତାଙ୍କ ମନରେ ବହୁ ପରିବର୍ତ୍ତନ ଦେଖା ଦେଇଥିଲା । କୌଣସି ପ୍ରତିବାଦ ନକରି ମାଛ ଆଣିବାପାଇଁ ବ୍ୟାଗ୍‌ଟି ଓ ଟଙ୍କା ନେଇ ଚାଲିଗଲେ ।

 

‘‘ତୁମେ ଗାଧୋଇଛ ହେମକାନ୍ତ ?’’ ସଦାନନ୍ଦବାବୁ ପଚାରି ବାହାରକୁ ଆସିବାକୁ ଉଠି ଠିଆ ହେଲେ ।

 

‘‘ଆଜ୍ଞା !’’ ଆଜି ସକାଳୁ ଗାଧୋଇ ଜଳଖିଆ ଖାଇ ଦୋକାନକୁ ଆସିଥିଲି । ବ୍ୟବସାୟୀ ଜଣେ ମରିଗଲେ ବୋଲି ଆଜି ଚନ୍ଦନବଜାରରେ ସମସ୍ତ ଦୋକାନ ବନ୍ଦ ରହିଛି ।

 

‘‘ତୁମେ ହେମକାନ୍ତକୁ କ’ଣ ଟିକିଏ ଖାଇବାକୁ ଦିଅ । ମୁଁ ଗାଧୋଇ ପଡ଼ି ଆସୁଛି ।’’ ସଦାନନ୍ଦବାବୁ ସୋରିଷ ତେଲ ଶିଶିଟି ଧରି ବାହାର ବାରଣ୍ତାରେ ବସି ତେଲ ଲଗାଇ ଗାମୁଛାଟି କାନ୍ଧରେ ପକାଇ ଗାଧୋଇବାକୁ ଗଲେ ।

 

କମଳା କହିଲେ–ଲକ୍ଷ୍ମୀ, ଆ ମା’ ! ଚୁଡ଼ା ଦି’ଟା ଆଳୁ, ପିଆଜ, ଲଙ୍କା ଦେଇ ଭାଜିଦେବି-। ନେଇ ହେମକାନ୍ତଙ୍କୁ ଦେବୁ ।

 

କମଳା ରୋଷେଇଘରକୁ ଚାଲିଗଲେ । ଲକ୍ଷ୍ମୀ ଖଟ ଉପରୁ ତଳକୁ ଓହ୍ଲାଇ ରୋଷେଇଘରକୁ ଯିବାକୁ ଉଦ୍ୟତ ହେଉଥିଲେ । ହେମକାନ୍ତ ଲକ୍ଷ୍ମୀଙ୍କର ଲୁଗାକାନିକୁ ଟାଣି ଧରିଲେ-। ଲକ୍ଷ୍ମୀଙ୍କ ମୁହଁରେ ଈଷତ୍‌ ଲଜ୍ଜାମିଶା ହସ ଦେଖାଦେଲା । ସେ କହିଲେ–ମୋତେ ଛାଡ଼-। ମୁଁ ଚୁଡ଼ା ଭାଜି ଆଣେ । ତୁମେ ଖାଇବ । ବସିବି ।

 

ହେମକାନ୍ତ ପ୍ରତିବାଦ କଲେ ନାହିଁ । ଲକ୍ଷ୍ମୀ ସେ ଘରୁ ବାହାରି ଯିବା ପରେ ସେହି ଘର ଖଟ ଉପରେ ଶୋଇ ଉପରକୁ ଚାହିଁ ଭାବୁଥିଲେ–ତାଙ୍କ ଘରେ ଥିବା ଯୁବତୀଟି ନିଶ୍ଚୟ ହେମଲତା-। ମାତ୍ର ସେ ପ୍ରକୃତ ହେମଲତା ନୁହେଁ । ହେମଲତା ଆଉ ଜୀବନରେ ନାହିଁ । ହୁଏତ ତା’ର ପ୍ରେତାତ୍ମା ଖୋଜି ଖୋଜି ଘରେ ଆସି ପହଞ୍ଚିଛି । ସେତ ମୋର କିଛି କ୍ଷତି କରୁନି । ଓଲଟି ସେ ପୂର୍ବଭଳି ତା’ର, ସ୍ନେହ, ପ୍ରେମ, ଅନ୍ତର ଦେଇ ମୋତେ ଭଲ ପାଉଛି, ସେ ଘରେ ଥାଉ କ୍ଷତି କ’ଣ-? ମୁଁ ଜାଣୁ ଜାଣୁ କାହିଁକି ତାକୁ ବାହାର କରି ଦେଇ ତା’ ମନରେ ଅସନ୍ତୋଷ ସୃଷ୍ଟି କରିବି-? ପୁଣି ଭାବୁଥିଲେ–ଜାଣୁ ଜାଣୁ ଭୂତପ୍ରେତଙ୍କ ମଧ୍ୟରେ ମଣିଷ କିପରି ରହିବ, ଚଳିବ ?

 

କେତେବେଳେ ହେମକାନ୍ତଙ୍କ ଆଖିକୁ ନିଦ ଆସିଥିଲା ସେ ଜାଣି ନାହାନ୍ତି । ସ୍ୱପ୍ନରେ ଦେଖିଲା ପରି ତାଙ୍କୁ ଲାଗୁଥିଲା–ଲକ୍ଷ୍ମୀ ହାତରେ ଜଳଖିଆ ଧରି ତାଙ୍କ ଶୋଇବା ଘର ଭିତରକୁ ପଶି ଆସୁଛନ୍ତି । ହଠାତ୍‌ ଏକ ପ୍ରେତାତ୍ମା ଏକ ବିକଟାଳ ରୂପ ଧରି ତାଙ୍କ ତଣ୍ଟି ଚିପି ଦେଉଛି । ଭୟରେ ଲକ୍ଷ୍ମୀଙ୍କ ହାତ ଜୋରରେ ଥରି ଉଠୁଛି ଏବଂ ଜଳଖିଆ ପ୍ଲେଟ୍‍ଟି ତଳେ ଖସି ପଡ଼ୁଛି । କିଛି ସମୟ ପରେ ଲକ୍ଷ୍ମୀ ମୂର୍ଚ୍ଛାହୋଇ ତଳେ ପଡ଼ି ଯାଉଛନ୍ତି । ତାଙ୍କ ଛାତି ଉପରେ ଏହି ବିକଟାଳ ମୂର୍ତ୍ତିଟି ବସି ତଣ୍ଟି କଣା କରି ଜୋକ ଶୋଷିଲା ପରି ରକ୍ତ ପିଇ ଲାଗିଛି । ଲକ୍ଷ୍ମୀଙ୍କର ଶରୀରଟା, କ୍ରମେ ରକ୍ତହୀନ ହୋଇ ହଳଦୀ ରଙ୍ଗ ହୋଇଗଲା । ଆଖି ଦୁଇଟି ଢିମାଢ଼ିମା ହୋଇ ବାହାରକୁ ବାହାରି ଆସି ମୁହଁ ଗୋଟିଏ ପଟକୁ ବଙ୍କେଇ ଗଲା । ପିଶାଚୁଣୀ ଛାୟାଟି ଲକ୍ଷ୍ମୀଙ୍କର ତଣ୍ଟି ଉପରୁ ମୁହଁ କାଢ଼ି ଘରର ଚାରି ଦିଗରେ ଥରେ ଆଖି ବୁଲାଇ ଆଣିଲା । ତା’ପରେ ଲକ୍ଷ୍ମୀ ରୂପ ଧରି ସେଘରୁ ବାହାରି ଆସି ଘରସାରା ବୁଲିବାରେ ଲାଗିଲା ।

 

ହେମକାନ୍ତ ଏଭଳି ସ୍ୱପ୍ନ ଦେଖି କ୍ରମେ ଭୟଭୀତ ହୋଇ ପଡ଼ିଲେ । ତାଙ୍କ ଶରୀର ରମ୍ଭାପତ୍ର ଭଳି ଥରୁଥିଲା । ସେ ସେହି ସ୍ୱପ୍ନରେ ଦେଖିଲେ–ସେହି ପିଶାଚୁଣୀଟି ତାଙ୍କରି ଆଡ଼କୁ ମାଡ଼ି ଆସୁଛି । ତାଙ୍କରି କାନ୍ଧ ଉପରେ କ୍ରମେ ଦୁଇ ହାତକୁ ରଖି ଝୁଲିବାକୁ ଚେଷ୍ଟା କରୁଛି । ହେମକାନ୍ତ ଖୁବ୍ ଜୋରରେ ପାଟି କରି ଉଠିଲେ–ନା, ନା, ତୁ ଲକ୍ଷ୍ମୀ ନୋହୁଁ, ତୁ ହେମଲତା ନୋହୁଁ, ତୁ ଏଠାରୁ ଚାଲିଯା । ତୁ ଲକ୍ଷ୍ମୀର ରକ୍ତ ଶୋଷି ତାକୁ ମାରି ଦେଇଛୁ, ମୋ ରକ୍ତ ପିଇ ମୋତେ ମଧ୍ୟ ମାରିଦେବୁ । ତୁ ଚାଲିଯା, ଯା, ଯା ।’’

 

ଲକ୍ଷ୍ମୀ ପ୍ଲେଟ୍‌ରେ ଜଳଖିଆ ଧରି ଘର ଭିତରକୁ ପଶି ଆସୁଥିଲେ । ହଠାତ୍‌ ହେମକାନ୍ତଙ୍କର ପାଟି ଶୁଣି ଚମକି ପଡ଼ିଲେ । ଘର ଭିତରକୁ ପଶି ଦେଖିଲେ–ହେମକାନ୍ତ ଶୋଇ ଗୋଟାପଣେ ଥରୁଛନ୍ତି । ସେ ଚୁଡ଼ାଭଜା ପ୍ଲେଟ୍‍ଟି ଚୌକି ଉପରେ ରଖିଦେଇ ଖଟ ପାଖକୁ ଯାଇ ହେମକାନ୍ତଙ୍କୁ ଜୋରରେ ହଲାଇ ଦେଇ ପଚାରିଲେ–କ’ଣ ହେଲା ? ଏପରି ପାଟି କରୁଛ କାହିଁକି-?

 

ହେମକାନ୍ତଙ୍କର ନିଦ ଭାଙ୍ଗିଗଲା । ସେ କ’ଣ ଭାବିଲା ପରି ନିଦବୋଳା ଆଖିରେ ଲକ୍ଷ୍ମୀଙ୍କ ମୁହଁକୁ କିଛି ସମୟ ଚାହିଁ ରହିଲେ । ତା’ପରେ ମୁଣ୍ତ ହଲାଇ କହିଲେ–କାହିଁ, ମୁଁ ତ ପାଟି କରୁନି !

 

ଚଉଠି ରାତିରେ ମୁଁ କାନ୍ଦୁଛି ବୋଲି କହି ମୋ ଉପରେ ଯେମିତି ବିରକ୍ତ ହେଉଥିଲ, ସେମିତି ପାଟି କରି ପାଟି କରୁନ ବୋଲି କହୁଛ । ହଉ ନିଅ, ଖାଇଦିଅ, ମୁଁ ପାଣି ଆଣୁଛି ।’’ ଲକ୍ଷ୍ମୀ ଚୁଡ଼ାଭଜା ପ୍ଲେଟ୍‍ଟି ହେମକାନ୍ତଙ୍କ ହାତକୁ ବଢ଼ାଇ ଦେଇ ପାଣି ଆଣିବାକୁ ଗଲେ ।

 

ହେମକାନ୍ତ ହାତରେ ପ୍ଲେଟ୍‍ଟିକୁ ଧରିଛନ୍ତି, ତାଙ୍କର ସ୍ୱପ୍ନ କଥା ମନେ ପଡ଼ିଲା ଏବଂ ଭୟରେ ଶରୀରର ଲୋମଗୁଡ଼ିକ ଟାଙ୍କୁରି ଉଠିଲା । ତାଙ୍କୁ ଲାଗିଲା, ଯେପରିକି ସେହି ଭୟଙ୍କର ମୂର୍ତ୍ତିଟି ସେହି ଘରେ ଘୂରିବୁଲୁଛି ।

 

ଲକ୍ଷ୍ମୀ ପାଣି ଗ୍ଲାସ୍‍ଟି ଆଣି ଚୌକି ଉପରେ ରଖି ଖଟ ଉପରେ ବସିଲେ । ଈଷତ୍‌ ହସି ପଚାରିଲେ, କ’ଣ ସ୍ୱପ୍ନ ଦେଖୁଥିଲ ?

 

ହେମକାନ୍ତଙ୍କ ମୁହଁ ଭୟରେ ମଳିନ ପଡ଼ି ଆସୁଥିଲା । ସେ କେଉଁଠି ଅଛନ୍ତି ଜାଣି ପାରୁ ନଥିଲା ଭଳି ଅନୁଭବ କରୁଥିଲେ । ସେ ଲକ୍ଷ୍ମୀଙ୍କ ମୁହଁକୁ ଥରେ ଚାହିଁ ପୁଣି ଘରର ଚତୁର୍ଦ୍ଦିଗରେ ଆଖି ବୁଲାଇ ଆଣୁଥିଲେ ।

 

ଲକ୍ଷ୍ମୀ ପଚାରିଲେ–କ’ଣ ଚାହିଁଛ ? ! ଖାଉନ ?

 

ହେମକାନ୍ତ ଅନ୍ୟମନସ୍କ ଭାବରେ ପଚାରିଲେ–ମୁଁ କେଉଁଠି ?

 

ଲକ୍ଷ୍ମୀ ହସି ହସି କହିଲେ–ଆଖିରୁ ତୁମର ନିଦ ତେବେ ଛାଡ଼ିନି, ନୁହେଁ ? ତୁମେ ପରା ଆମ ଘରେ । ଗୋଟିଏ କାମ କର । ଏଇ ପାଣି ଗ୍ଲାସ୍‍ଟି ନେଇ ବାହାରେ ମୁହଁଟା ଧୋଇ ଦେଇ ଆସ । ପାଣି ଟିକିଏ ପିଇଦିଅ । ତା’ପରେ ଖାଇବ ।

 

ହେମକାନ୍ତ ଯନ୍ତ୍ରଚାଳିତ ମେସିନ ଭଳି ଲକ୍ଷ୍ମୀ କଥା ମାନି ପାଣିଗ୍ଲାସ୍‍ଟି ନେଇ ବାହାରେ ଭଲ ଭାବରେ ମୁହଁ ଧୋଇ ଖଟ ଉପରକୁ ଆସିଲେ । ଲକ୍ଷ୍ମୀ ଆଉ ଗ୍ଲାସ୍‍ଟିଏ ପାଣି ଆଣି ଦେଲେ । ଗ୍ଲାସ୍‍ରୁ କିଛି ପାଣି ପିଇବା ପରେ ତାଙ୍କୁ ଟିକିଏ ଆରାମ ଲାଗିଲା । ସେ ଟିକିଏ ଆଶ୍ୱସ୍ତି ଅନୁଭବ କରି ଚୁଡ଼ାଭଜା ପ୍ଲେଟ୍‍ରୁ ଆଣି ପାଟିରେ ପକାଉ ପକାଉ କହିଲେ–ତୁମେ ଏଇଠି ବରାବର ବସି ରହ ଲକ୍ଷ୍ମୀ । ମୋତେ କାହିଁକି ଟିକିଏ ଦୁର୍ବଳ ଲାଗୁଛି, ଦେହଟା ଥରିଲା ଭଳି ମୁଁ ଅନୁଭବ କରୁଛି ।

 

‘‘କାଲି ରାତିରେ ଶୋଇନ ବୋଲି କହୁଥିଲ । ତୁମେ ଖାଇସାର । ମୁଁ ଅଦା ଗୋଲମରିଚ, ତେଜପତ୍ର ଦେଇ ଭଲକରି ଚା କରି ଆଣିବି । ଖାଇ ଦେଲେ ଟିକିଏ ସୁସ୍ଥ ଲାଗିବ’’ କହି ଲକ୍ଷ୍ମୀ ଖଟ ଉପରୁ ଚା କରିବାପାଇଁ ଉଠି ଯାଉଥିଲେ ।

 

ହେମକାନ୍ତ କହିଲେ–ତୁମେ ବୋଉଙ୍କୁ ଚା କରିବାକୁ କହିଦିଅ । ତୁମେ ମୋ ପାଖରେ ବସ ।

 

ଲକ୍ଷ୍ମୀ ଚା’ କରିବାକୁ ବୋଉଙ୍କୁ କହି ଆସି ହେମକାନ୍ତଙ୍କ ପାଖରେ ବସିଲେ । ତାଙ୍କର ଦେହ ମୁହଁକୁ ଆଉଁଶି ଦେଇ କହିଲେ–ତୁମ ମୁହଁ କାହିଁକି ଏତେ ଶୁଖିଲା ଦିଶୁଛି ? ତୁମେ କ’ଣ ତିନି ଚାରି ଦିନ ହେଲା କିଛି ଖାଇନ କି ଶୋଇନ ?

 

ହେମକାନ୍ତ ବରାବର ଅନ୍ୟମନସ୍କ ରହୁଥିଲେ । ଲକ୍ଷ୍ମୀ ବିସ୍ମିତ ହୋଇ ପଚାରିଲେ–କ’ଣ ଏତେ ଭାବୁଛ ?

 

ହେମକାନ୍ତ କହିଲେ–ମୋତେ କାହିଁକି ଖାଇବାକୁ ଇଚ୍ଛା ହେଉନି । ଚା’ ଟିକିଏ ଆଣି ଦିଅ ।

 

ଲକ୍ଷ୍ମୀ ଚା ଆଣିବାକୁ ଯାଇଛନ୍ତି, ବାହାରେ ଭରତଙ୍କ ପାଟି ଶୁଣାଗଲା । ଭରତ ଯେପରି ଡାକୁଥିଲେ–ମଉସା, ମଉସା । ଲକ୍ଷ୍ମୀ ବାହାରକୁ ଆସି ଦେଖିଲେ, ପ୍ରକୃତରେ ଭରତ । ଭରତ ମଧ୍ୟ ଲକ୍ଷ୍ମୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ପାଟିରୁ ହଠାତ୍‌ ବାହାରି ଆସିଲା–‘‘ସାନ ଅପା ! ଗାଧୋଇବାକୁ ସକାଳୁ ଯାଇ ତୁମେ ଏଠାରେ ଆସି ହାଜର ! ମୁଁ ତେଣେ ଖୋଜି ଖୋଜି ନାକେଦମ୍ ହେଲିଣି ।’’ ଟିକିଏ ରହି ସେ ପଚାରିଲେ–ବାବୁ ଆସିଛନ୍ତି ?

 

‘‘ହଁ ଆସିଛନ୍ତି । ଆସୁନ, ଘର ଭିତରକୁ ଆସ ।’’ ଲକ୍ଷ୍ମୀ ଆଗେଆଗେ ଘର ଭିତରକୁ ଗଲେ । ତାଙ୍କ ପଛେ ପଛେ ଯାଉଥିଲେ ଭରତ । ସେ କହିଲେ–ପ୍ରକୃତରେ ସାନଅପା, ଏତେବେଳ ଯାଏଁ ତୁମେ ଗାଧୋଇ ଯାଇ ନ ଫେରିବାରୁ ମୁଁ ପାଗଳଙ୍କ ପରି ହୋଇଗଲିଣି । ପୋଖରୀ କୂଳ, ପୋଖରୀ ଭିତର, ଗଡ଼ିଆ କୂଳ, କୂଅ, ବାଡ଼ି, ବଗିଚା ମୁଁ ଆଉ ଗାଁ ଲୋକେ ମିଶି ବହୁତ ଖୋଜିଲୁଣି-

 

ଭରତଙ୍କ ପାଟି ଶୁଣି ଘର ଭିତରୁ ବାହାରି ଆସିଲେ ହେମକାନ୍ତ । ପଚାରିଲେ–କ’ଣ ହୋଇଛି ଭରତ ?

 

‘‘ସାନଅପା ଗାଧୋଇବାକୁ କହିଯାଇ ଏଠାରେ ଆସି ହାଜର । ଏତେବେଳଯାଏଁ ନଫେରିବାରୁ ମୋ ମନରେ ନାନାପ୍ରକାର ସନ୍ଦେହ ହେଲା । ମୁଁ ଜଣେ ଦୁଇଜଣ ସ୍ତ୍ରୀଲୋକଙ୍କୁ ଏକଥା କହିବାରୁ ଗାଁସାରା କଥାଟି ବ୍ୟାପିଗଲା । ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ସାନଅପାଙ୍କୁ ଖୋଜୁଛନ୍ତି । ଜାଲିଆମାନେ ଆସି ପୋଖରୀର ଏମୁଣ୍ତ ସେମୁଣ୍ତ ଜାଲ ଟାଣି ସାରିଲେଣି, ସାନ ଅପାଙ୍କୁ ନପାଇବାରୁ ମୁଁ ତୁମକୁ ଜଣାଇବା ପାଇଁ ଖୋଜି ଖୋଜି ଆସିଛି ।’’

 

ଭରତ କହି ହେମକାନ୍ତଙ୍କ ମୁହଁକୁ ଚାହିଁ ରହିଲେ ।

 

ହେମକାନ୍ତ ଗମ୍ଭୀର ହୋଇ ପଚାରିଲେ–ସାନ ଅପା ଏପର୍ଯ୍ୟନ୍ତ ଘରକୁ ଫେରିନି ?

 

ଭରତ ହସି ହସି ଲକ୍ଷ୍ମୀଙ୍କ ଆଡ଼କୁ ଚାହିଁ କହିଲେ–ମଲାମର, ସାନଅପା ପରା ଏଠାକୁ ଆସିଛନ୍ତି । ଏଇଠି ଠିଆ ହୋଇଛନ୍ତି । ଆଉ ଘରକୁ ଫେରିବେ କ’ଣ ?

 

‘‘ବାବୁ କ’ଣ କହୁଛନ୍ତି, ତୁମେ ବୁଝିପାରୁନ ଭରତ ? ସେ ସାନ ଅପା ଭିନ୍ନେ, ଏ ସାନ ଅପା ଭିନ୍ନେ ।’’ ଲକ୍ଷ୍ମୀ ଭୟମିଶା କଣ୍ଠରେ କହିଲେ ।

 

ହେମକାନ୍ତଙ୍କର ସେତେବେଳକୁ ଘରେ ଥିବା ସ୍ତ୍ରୀଲୋକଟି ବିଷୟରେ ମନରେ ନାନାପ୍ରକାର ଆଶଙ୍କା ଉପୁଜୁଥିଲା । ତାଙ୍କର ବେଶୀ ଭୟ ହେଉଥିଲା–ହୁଏତ ସେ ଏଠାରେ ପହଞ୍ଚି ପୁଣି ଉତ୍ପାତ ଆରମ୍ଭ କରିଦେଇପାରେ । ସପ୍ନକଥା ମନେ ପଡ଼ି ସେ ଶଙ୍କିତ ହୋଇ ଯାଉଥିଲେ । ସେ ଭାବୁଥିଲେ–ସ୍ୱପ୍ନ ଅନୁସାରେ ସେ ଯଦି ଏଠାକୁ ଆସିଥାଏ......

 

ଭରତ ହସି ହସି ଲକ୍ଷ୍ମୀଙ୍କୁ କହିଲେ–ସାନଅପାତ ଆମର ଗୋଟିଏ । ମଙ୍ଗଳପୁରରେ ଗୋଟିଏ ସାନଅପା, ହରପ୍ରତାପପୁରରେ ଆଉ ଗୋଟିଏ ସାନ ଅପା କ’ଣ ? ସାନଅପା ହରପ୍ରତାପପୁରର ଝିଅ ଏବଂ ମଙ୍ଗଳପୁରର ବୋହୂ, ଏକଥା କହିବ ।

 

ମନକୁ କ’ଣ ଭାବି ହେମକାନ୍ତ କହିଲେ–ଶୁଣ ଭରତ, ତୁମେ ଘରକୁ ଫେରିଯାଅ । ଯେତେଦୂର ମନେ ହେଉଛି, ଖରାବେଳ ହେଲାଣି, ସେ ହୁଏତ ଘରକୁ ଫେରି ଆସିଥିବ । ତୁମେ ରୋଷେଇ ସାରି ଆସିଛ ?

 

‘‘ମଲାମର, ସକାଳର ଜଳଖିଆ ହୋଇ ଥୁଆ ହୋଇଛି । ରୋଷେଇ କରି ଚାହିଁଛି । ସାନଅପା ନଫେରିବାରୁ ସିନା ମନରେ ନାନାପ୍ରକାର ପାପ ଛୁଇଁଲା !’’ ଭରତ ଆଶ୍ଚର୍ଯ୍ୟ ହୋଇ ହେମକାନ୍ତଙ୍କ ମୁହଁକୁ ଚାହିଁ ରହିଲେ ।

 

‘‘ଆସିଥିଲେ କେଉଁଥିରେ ?’’ ହେମକାନ୍ତ ପଚାରିଲେ ।

 

‘‘ବଜାର ଉପରୁ ଗୋଟିଏ ଟୋକାକୁ ଧରି ତା’ ସାଇକେଲ୍‍ ପଛରେ ବସି ଆସିଛି । ଟୋକାଟି ମଧ୍ୟ ବାହାରେ ଠିଆ ହେଇଛି ।’’ ଭରତ ଉତ୍ତର ଦେଲେ ।

 

ବେଶ୍, ତୁମେ ସେହି ସାଇକେଲ୍‍ ପଛରେ ବସି ଗାଁକୁ ଫେରିଯାଅ । ମୁଁ ଏଠାରେ ଅଛି ବୋଲି ତୁମେ ଘରେ, ଗାଁରେ କିମ୍ୱା ଅନ୍ୟଠାରେ କେଉଁଠି କିଛି କହିବ ନାହିଁ । ଘରକୁ ଯଦି ସେ ଫେରି ଆସିଥାଏ, ତେବେ ସେ ଯେମିତି, ଯେଉଁଠି କହିବ, ତାକୁ ଖାଇବାକୁ ଦେଇ ଦେବ । ବୁଝି ଖବରଦାର, ମୋ କଥା ପଚାରିଲେ କିଛି ଯେପରି ତୁମ ତୁଣ୍ତରୁ ନବାହାରେ । ଏତିକି କହିବ, ମୁଁ ଜାଣିନି । ବାବୁ ଯେତେଦୂର ଅନୁମାନ ସନ୍ଧ୍ୟାବେଳକୁ ଫେରି ଆସିବେ । ତା’ ସହିତ ତୁମେ ଯେମିତି ଆଗରୁ ସାନଅପା ଡାକି, କଥାବାର୍ତ୍ତା କରୁଥିଲ, ସେମିତି କଥାବାର୍ତ୍ତା କରିବ । ମୁଁ ସଧ୍ୟା ସୁଦ୍ଧା ଯାଇ ପହଞ୍ଚିବି ।

 

ଲକ୍ଷ୍ମୀ ରୋଷେଇଘରକୁ ଯାଇ ଦୁଇ କପ୍‌ ଚା ଆଣି ଗୋଟିଏ କପ୍‌ ହେମକାନ୍ତଙ୍କ ହାତକୁ ଏବଂ ଅନ୍ୟ କପଟି ଭରତଙ୍କ ହାତକୁ ବଢ଼ାଇ ଦେଲେ ।

 

ଭରତ କହିଲେ–ବାବୁ ଯାହା କହୁଛନ୍ତି, ମୋ ମନତ କିମିତି କିମିତି ଲାଗିଲାଣି । ଆଉ ଚା ଖାଇବି କ’ଣ ସାନ ଅପା ?

 

ଲକ୍ଷ୍ମୀ କହିଲେ–ଚା’ଟା ଖାଇଦିଅ । ବାବୁ ଯେମିତି କହୁଛନ୍ତି ସେମିତି କର ।

 

ଭରତ ସନ୍ଦେହ ଦୃଷ୍ଟିରେ ଲକ୍ଷ୍ମୀ ଏବଂ ହେମକାନ୍ତଙ୍କ ମୁହଁକୁ ଚାହିଁଲେ । ତାଙ୍କ ଚାହାଣିରୁ ଜଣା ପଡ଼ୁଥିଲା, ସେ ଯେପରିକି କିଛି ବୁଝି ପାରୁ ନାହାନ୍ତି । ତାଙ୍କ ଆଖିକୁ ସବୁ ଯେପରି ଯାଦୁକରର ଖେଳ ଭଳି ଜଣା ପଡ଼ୁଛି । ସେ କିଛି ସମୟ ନୀରବ ରହି ପଚାରିଲେ–ସାନ ଅପା ! ତେବେ ସେ ଯେ ଆମ ଘରେ ଅଛି, ସେ କିଏ ? ତାଙ୍କରିତ ଠିକ୍‌ ତୁମରି ମୁହଁ, ତୁମରି ଆଖି, ତୁମରି ନାକ, ତୁମରି କଥା, ତୁମରି ଚାଲି ।

 

‘‘ସେ ସବୁ କଥା ପରେ ଜାଣିବ । ମୁଁ ଯାହା କହିଲି, ସେୟା କର ।’’ ହେମକାନ୍ତ ଈଷତ୍‌ ବିରକ୍ତି ପ୍ରକାଶ କରି କହିଲେ ।

 

ଲକ୍ଷ୍ମୀଙ୍କ ବୋଉ ରୋଷେଇଘରୁ ଆସି କଥାବାର୍ତ୍ତାରେ ଯୋଗଦେଇ ପଚାରିଲେ–ଭରତ କ’ଣ ଏକୁଟିଆ ସେ ଘରେ ରହିବେ ?

 

ହେମକାନ୍ତ ଅନ୍ୟମନସ୍କ ଭାବରେ କହିଲେ–‘‘ହେଇ ଶୁଣ ଭରତ, ଆମ ଦୋକାନରେ ରାମ, ଗଣେଶ ଯେଉଁ ପିଲା ଦୁଇଟା କାମ କରୁଛନ୍ତି, ପାରିବ ଯଦି ତାଙ୍କୁ ଘରୁ ଡାକି ନେଇଯିବ । ସେମାନଙ୍କୁ ମଧ୍ୟ ଆମ ଘରେ ଖାଇବାକୁ ଦେଇଦେବ ।’’ କିଛି ସମୟ ନୀରବ ରହି ଭରତଙ୍କ ଉଦ୍ଦେଶ୍ୟରେ ପଚାରିଲେ–ତୁମ ପାଖରେ ଟଙ୍କା ଅଛି ?

 

ଭରତ ଫେରି ଯାଉ ଯାଉ କହିଲେ–ମଲା, ଟଙ୍କା କ’ଣ ହେବ ? ଆଜି ପରା ଚନ୍ଦନ ବଜାରରେ ଦୋକାନ ସବୁ ବନ୍ଦ ।

 

ଆଚ୍ଛା ହେଉ । ହେମକାନ୍ତ ଚିନ୍ତିତ ଅବସ୍ଥାରେ ଲକ୍ଷ୍ମୀଙ୍କ ଶୋଇବାଘରକୁ ଗୋଟିଏ ଗୋଟିଏ ହୋଇ ଯାଇ ଖଟ ଉପରେ ବସିଲେ ।

 

ହେମକାନ୍ତଙ୍କ ପଛେ ପଛେ ଲକ୍ଷ୍ମୀ ଘର ଭିତରକୁ ପଶି ଯାଇ ପଚାରିଲେ–‘‘କ’ଣ ତୁମେ ଭାବୁଛ ?’’

 

ହେମକାନ୍ତ କିଛି ଉତ୍ତର ଦେଲେ ନାହିଁ । ମୁହଁ ବୁଲାଇ ଉପରକୁ ଚାହିଁ ରହିଲେ ।

 

ହେମକାନ୍ତଙ୍କ ମୁହଁରେ ଭାବନାର ଛାୟା ଓ ଚିନ୍ତିତ ମୁଖଭଙ୍ଗୀ ଦେଖି ଲକ୍ଷ୍ମୀ ଆଉ କିଛି ପଚାରିବାକୁ ସାହସ କଲେ ନାହିଁ । ନୀରବରେ ରୋଷେଇଘରକୁ ତାଙ୍କ ବୋଉଙ୍କ ପାଖକୁ ଫେରି ଆସିଲେ ।

 

କମଳା ପଚାରିଲେ–‘‘କ’ଣ ହେଲା ?’’

 

ଲକ୍ଷ୍ମୀ ସଂକ୍ଷେପରେ ଉତ୍ତର ଦେଲେ–‘‘ସକାଳୁ ଆଜି ଗାଧୋଇଯିବା ନାଁରେ ସେ ଝିଅ କୁଆଡ଼େ ଚାଲିଯାଇଛି ।’’

 

‘‘ହେମକାନ୍ତ କ’ଣ କହୁଛନ୍ତି ?’’ କମଳା ପଚାରିଲେ ।

 

ଲକ୍ଷ୍ମୀ କୌଣସି ଉତ୍ତର ନଦେଇ କେବଳ ଜଳଜଳ ହୋଇ ବୋଉଙ୍କ ମୁହଁକୁ ଚାହିଁ ରହିଥିଲେ ।

 

କମଳାଙ୍କ ମୁହଁରେ ମଧ୍ୟ କୌଣସି ଲେଉଟ ପ୍ରଶ୍ନ ବାହାରିଲା ନାହିଁ । ମା’, ଝିଅ ଦୁହିଁଙ୍କ ହୃଦୟ ଭିତର ଯେପରିକି ଏକ ଅଜଣା ଆତଙ୍କରେ ଥରି ଉଠୁଥିଲା ।

 

–ଊଣେଇଶି–

 

ରବୀନ୍ଦ୍ର ମଝିରେ ଆସି ଘରେ ମାଛ ରଖିଦେଇ ତନ୍ତ୍ରସାଧକ ପରମାନନ୍ଦଙ୍କୁ ଆଣିବାକୁ ଯାଇଥିଲେ । ପରମାନନ୍ଦ ହେଉଛନ୍ତି ସଦାନନ୍ଦବାବୁଙ୍କ ଭିଣୋଇ । ସେ ତାଙ୍କ ଉପର ଭଉଣୀଙ୍କୁ ବିବାହ କରିଥିଲେ । ମାତ୍ର ଅନେକ ଦିନ ହେଲା ସଦାନନ୍ଦବାବୁଙ୍କ ଭଉଣୀ ମରିଗଲେଣି । ସ୍ତ୍ରୀ ମରିଯିବା ପରଠାରୁ ପରମାନନ୍ଦ ଏକପ୍ରକାର ସନ୍ନ୍ୟାସ ଜୀବନଯାପନ କରୁଥାନ୍ତି । ତନ୍ତ୍ର, ମନ୍ତ୍ର ସାଧନାରେ ତାଙ୍କର ଭାରି ସଉକ । ମୁଖମଣ୍ତଳରେ ଲମ୍ୱା କଳା ଧଳା ମିଶା ନିଶ, ଦାଢ଼ି । ମଥାରେ ଅସଂଯତ ଧବଳକେଶ, କପାଳରେ ବିରାଟ ସିନ୍ଦୂରଟୋପା, ହାତରେ ଲୁହାବଳା, ଆଖିରେ ଚଶମା, ନାଲିପଞ୍ଜାବି ଓ ଲୁଗାକୁ ଦେଖି ଯେ କେହି ଲୋକ ପ୍ରଥମେ ଡରିଯିବ । ଡାହାଣୀ ଗୋସାଣୀ ଲାଗିଲେ ଝାଡ଼ିବା, ଝାଡ଼ାବାନ୍ତି ହେଲେ କାଟପାଣି କରିଦେବା, କୌଣସି ସ୍ତ୍ରୀଲୋକ ପିଲା ହେବାପାଇଁ କଷ୍ଟ ପାଉଥିଲେ ପାଣି ମନ୍ତୁରି ପିଇବାକୁ ଦେବା, କୌଣସି ପିଲା ଡରି ଚମକୁଥିଲେ, ଝାଡ଼ିଫୁଙ୍କି ଭଲ କରିବାରେ ସେ ସିଦ୍ଧହସ୍ତ । ପର ଉପକାର ପାଇଁ ଯେପରିକି ସେ ସବୁବେଳେ ପ୍ରସ୍ତୁତ ।

 

ରବୀନ୍ଦ୍ର ପହଞ୍ଚିବାମାତ୍ରେ, ତାଙ୍କଠାରୁ ସବୁକଥା ଶୁଣି ସଙ୍ଗେ ସଙ୍ଗେ ହାତରେ ଲୁହା ଗୋବଲଗା ଠେଙ୍ଗାଟି ଧରି ଓ କାଖରେ ଝୁଲାମୁଣିଟି ଓହଳାଇ ବାହାରି ପଡ଼ିଲେ । ରବୀନ୍ଦ୍ର ତାଙ୍କୁ ସାଇକେଲ୍‍ ପଛରେ ବସାଇ ଘରେ ଆସି ପହଞ୍ଚିଲେ । ଘରେ ପରମାନନ୍ଦ ପହଞ୍ଚିବାମାତ୍ରେ କମଳା ବାହୁନେଇ କାନ୍ଦି ଉଠିଲେ । ସଦାନନ୍ଦବାବୁ ପାଣି ଆଣି ଗୋଡ଼ ଧୋଇବାକୁ ଦେଲେ । ଲକ୍ଷ୍ମୀ ମସିଣା ପକାଇ ଦେଲେ ବସିବାକୁ । ପରମାନନ୍ଦ କହିଲେ–ଆଲୋ ମା’ ଲକ୍ଷ୍ମୀ, ରବୀନ୍ଦ୍ର ଠାରୁ ମୁଁ ସବୁ ଶୁଣିଲିଣି । ଡରିବାର କିଛି ନାହିଁ, ମୁଁ ଅଛି, ତୁମର ଡର, ଭୟ କ’ଣ ?

 

ପରମାନନ୍ଦଙ୍କ ଆଶ୍ୱାସନାବାଣୀ ଶୁଣି କମଳା ଲୁଗାକାନିରେ ଲୁହପୋଛି ଆସି ବାଙ୍କ ପାଦତଳେ ମୁଣ୍ତ ଲଗାଇ ପ୍ରଣାମ କଲେ । ପରମାନନ୍ଦ କହିଲେ–ଯାଅ ମା’, ଜୋଇଁଙ୍କୁ ଟିକିଏ ମୋ ପାଖକୁ ଡାକିଦିଅ । ମୋପାଇଁ ଟିକିଏ ଚା’ କରି ଆଣ ।

 

‘‘ଖାଇବାକୁ ହୋଇଗଲାଣି । ଚା ଦେବି ?’’ କମଳା ପଚାରିଲେ ।

 

‘‘ତେବେ ଥାଉ, କେବଳ ଜୋଇଁଙ୍କୁ ଟିକିଏ ଡାକିଦିଅ ।’’ ପରମାନନ୍ଦ ବସି ଆଙ୍ଗୁଠିରେ ଗଣି କ’ଣ ସବୁ ହିସାବ କରିବାରେ ଲାଗିଲେ । ତା’ପରେ ଆଖି ବୁଜି କିଛି ସମୟ ବସି ରହିଲେ ।

 

ଏହି ସମୟରେ ହେମକାନ୍ତ ଆସି ମସିଣା ଉପରେ ବସିଲେ । ତନ୍ତ୍ରସାଧକ ପରମାନନ୍ଦ ଆଖି ଖୋଲିବାମାତ୍ରେ ହେମକାନ୍ତ ତଳେ ମୁଣ୍ତ ଲଗାଇ ପ୍ରଣାମ କଲେ । ପରମାନନ୍ଦ କିଛି ସମୟ ହେମକାନ୍ତଙ୍କ ମୁହଁକୁ ଚାହିଁଲେ । ପଚାରିଲେ–‘‘କେତେଦିନ ହେଲା ସେ ତୁମ ଘରେ ଆସି ଅଛି ?’’

 

ହେମକାନ୍ତ କହିଲେ–ମୁଁ ତ ଭାବିଥିଲି ସେ ଲକ୍ଷ୍ମୀ ବୋଲି । ମାତ୍ର ଲକ୍ଷ୍ମୀ ସାତମଙ୍ଗଳାଠାରୁ ଏଠାକୁ ଚାଲି ଆସିଛି, କାଲି ମୁଁ ବାପା ଭାଇଙ୍କଠାରୁ ଜାଣିଲି ।

 

‘‘ହେମକାନ୍ତଙ୍କ ଘରେ ଯେଉଁ ଝିଅଟି ଅଛି, ଆମେତ ଭାବିଥିଲୁ ସେଇ ହେଉଛି ଆମ ଝିଅ ଲକ୍ଷ୍ମୀ । ଇଏ ଅନ୍ୟ କେହି ।’’ ସଦାନନ୍ଦବାବୁ କହି ତୁନି ରହିଲେ ।

 

ପରମାନନ୍ଦ କହିଲେ–ମା’, ମୋ ପାଖରେ ବସ ।

 

ଲକ୍ଷ୍ମୀ ମସିଣା ଉପରେ ବସିଲେ ।

 

ପରମାନନ୍ଦ କିଛି ସମୟ ଲକ୍ଷ୍ମୀଙ୍କର ମଥାଠାରୁ ପାଦ ପର୍ଯ୍ୟନ୍ତ ଚାହିଁ ରହିଲେ, ତା’ପରେ କହିଲେ–ନା, ନା, ଏତ ମୋ ସୁନାନାକୀ ଝିଆରୀ ଲକ୍ଷ୍ମୀ । ଇଏ କାହିଁକି ଅନ୍ୟ କେହି ହେବ ? କିନ୍ତୁ ମୋର ଯାହା ମନେ ହେଉଛି–ଜୋଇଁଙ୍କ ବସାରେ ଯେ ଅଛି, ସେ କୌଣସି ମୃତବ୍ୟକ୍ତିର ଆତ୍ମା ସେ ଜୋଇଁଙ୍କୁ ଅତି ଭଲପାଏ । ତେଣୁ ମରିବାପରେ ମଧ୍ୟ ତାଙ୍କୁ ଛାଡ଼ିପାରୁ ନାହିଁ ।

 

‘‘ତେବେ କ’ଣ ହେବ ?’’ ରବୀନ୍ଦ୍ର ଶଙ୍କିତ କଣ୍ଠରେ ପଚାରିଲେ ।

 

ଆରେ ହେବ କ’ଣ ? ପରମାନନ୍ଦ ଜୀବନରେ କେତେ ଭୂତ, ପ୍ରେତ, ଯୋଗିନୀ, ଡାହାଣୀ, ଚିରଗୁଣୀ, ପିଶାଚୀ, ହାଡ଼ବାଈଙ୍କୁ ଫୁଟିକିମାରି ଉଡ଼ାଇ ଦେଇଛି । ଏତ ଛାର ! ଦେଖୁଦେଖୁ ପଳାଇ ଯିବ । ଏବେ ଆମ ଗାଁର ପଧାନଘର ବୋହୂକୁ ପଧାନର ଭାଉଜ ଆସି ଲାଗିଥିଲା । ବୋହୂଟି ମୋଟେ ଛଅମାସ ହେଲା ଘରକୁ ବାହା ହୋଇ ଆସିଛି । ଉପରବେଳା ସୂର୍ଯ୍ୟ ବୁଡ଼ି ଆସୁଛନ୍ତି । ଡାହାଣିଆ ଖରା ଗଛପତ୍ରରେ ପଡ଼ିଛି । ବୋହୂଟି ଯାଇଥିଲା ଗଡ଼ିଆ କୂଳକୁ ବାସନ ମାଜିବାକୁ । ତାକୁ ସେ ଏକୁଟିଆ ଦେଖି ତା’ ଦେହରେ ଚାଲି ଆସିଲା ।

 

‘‘ତା’ପରେ ?’’ ସମସ୍ତଙ୍କ ମୁହଁରୁ ଏକାବେଳକେ ଏହି ଗୋଟିଏ ପ୍ରଶ୍ନ ବାହାରି ଆସିଲା ।

 

ତନ୍ତ୍ର ସାଧକ ପରମାନନ୍ଦ କହିଲେ–ବୋହୂଟି ଗଡ଼ିଆ କୂଳରୁ ଫେରିବା ପରେ ଏଣୁତେଣୁ ଗପିଲା । ତା’ କଥାବାର୍ତ୍ତା, ଆଖି ତରାଟ, ମୁହଁର ଭାବଭଙ୍ଗୀ ଦେଖି ପଧାନଘରେ ବୋହୂର ଶାଶୁ, ସ୍ୱାମୀ, ଶ୍ୱଶୁର, ଦିଅର, ନଣନ୍ଦ, ସମସ୍ତେ କହିଲେ–ବୋହୂ କାମ ପଡ଼ୁଛି ବୋଲି ଛଳନା କରୁଛି । ତାକୁ ଗାଳି-ଗୁଲଜ, ଧମକଚମକ ଦେଲେ । ମାରଧର ମଧ୍ୟ କଲେ । କିନ୍ତୁ କୌଣସି ପରିବର୍ତ୍ତନ ହେଲା ନାହିଁ, ତା’ପରଦିନ ବୋହୂର ମୁଣ୍ତ ଖରାପ ହୋଇଛି ବୋଲି ଡାକ୍ତରକୁ ଡାକି ଦେଖାଇଲେ; ମାତ୍ର ତା’ର ପାଟିତୁଣ୍ତ, ବିରକ୍ତ ଭାବ ବେଳକୁ ବେଳ ବଢ଼ିବାରେ ଲାଗିଲା । ଏପରି ପରିସ୍ଥିତି ହେଲା, ଡାକ୍ତର ଆସିଲେ ଭଲ ମଣିଷଭଳି କଥାବାର୍ତ୍ତା କଲା । ଡାକ୍ତର ଚାଲିଗରେ ଯେଉଁ ପାଟିତୁଣ୍ତକୁ ସେହି ପାଟିତୁଣ୍ତ ଆରମ୍ଭ କଲା ।

 

ତିନିଦିନ ପରେ ପଧାନଘର ବୁଢ଼ୀ ମୋତେ ଆସି ଡାକିଲେ । ମୁଁ ଯାଇ ଦେଖିଲାବେଳକୁ ପ୍ରକୃତରେ ବୋହୂଟି ପାଗଳାମୀ କରୁନିକି କାମପାଇଁ ଛଳନା କରୁନି । ତା’ ଦେହକୁ କୌଣସି ପ୍ରେତାତ୍ମା ଗ୍ରାସକରିଛି । ତାକୁ ବସାଇ ମନ୍ତ୍ର ବୋଲି ଧୁସ ଦେବାରେ ସେ ସବୁ କଥା ମାନିଲା । କହିଲା–ମୁଁ ଏଘର ପିଲାଙ୍କର ଖୁଡ଼ୀ । ମୋତେ ତୁମେ ପରମାନନ୍ଦ ଚିହ୍ନି ପାରୁନ ? ତୁମେ ପରା ଏଡ଼େ ଟିକିଏ ପିଲା ହୋଇଥିଲ, ମୁଁ କେତେ ତୁମକୁ କାଖେଇଛି !

 

ମୁଁ ପଚାରିଲି–ତୁମେତ ପାଞ୍ଚବର୍ଷ ହେଲା ମରି ଯାଇଥିଲ । ପୁଣି କୁଆଡ଼େ ଆସିଲ ?

 

ସେ କହିଲେ–ମୁଁ ସିନା ପାଞ୍ଚବର୍ଷ ହେଲା ତୁମମାନଙ୍କ ପାଖରୁ ଚାଲି ଯାଇଛି, ହେଲେ ମୋ ଆତ୍ମା ଏପର୍ଯ୍ୟନ୍ତ ମୁକ୍ତ ନହୋଇ ଘୂରି ବୁଲୁଛି ।

 

‘‘ମୁକ୍ତ ହୋଇନି ? କାହିଁକି ?’’ ମୁଁ ପଚାରିଲି ।

 

‘‘ମୁଁ କିମିତି କହିବି ? ଭଗବାନଙ୍କର ଇଚ୍ଛା । ସେ କେତେଦିନ ଇମିତି ବୁଲାଇବେ, ତାହା ସେହି କେବଳ ଜାଣନ୍ତି । ମୋ ଭଳି ଅନେକେ ଏହିପରି ବୁଲୁଛନ୍ତି । ସାଂସାରିକ ଜୀବନର ଦୁଃଖ, ଶୋକ, ଯାତନା, ଯନ୍ତ୍ରଣା ଭଳି ଏ ଜୀବନରେ ମଧ୍ୟ ଏଥିମଧ୍ୟରୁ କୌଣସି ଗୋଟିକରୁ ଲୋକ ବାଦ୍‌ ପଡ଼େ ନାହିଁ । କିଏ ଦିନ ଦିନ ଧରି ବୁଲି ବୁଲି ଖାଇବାକୁ ପାଆନ୍ତି ନାହିଁ । ଖାଇବାକୁ ଗଲାବେଳକୁ ଖାଦ୍ୟ ଜିନିଷ ଉଭେଇ ଯାଏଁ । ପ୍ରବଳ ଶୋଷ ହେଉଥାଏ, ମାତ୍ର ପୋଖରୀ, ଗଡ଼ିଆ, ନାଳ ନଦୀ କୂଳକୁ ପାଣି ପିଇବାକୁ ଗଲାବେଳକୁ ପାଣି ଶୁଖିଯାଏ ବା ଘୁଞ୍ଚିଯାଏ । କେତେକ ଯେଉଁ ଗଛର ଡାଳର ବସନ୍ତି, ସେ ଡାକ ଭାଙ୍ଗିଯାଏ । ଯେଉଁ ମାଟିରେ ବସନ୍ତି, ସେ ମାଟି ଭୂମିକମ୍ପ ପରି ଭିତରକୁ ପଶିଗଲା ପରି ଜଣାପଡ଼େ । ଫଳରେ ଘୂରି ଘୂରି କ୍ଳାନ୍ତ ଓ ଅବଶ ହୋଇ ପଡ଼ନ୍ତି ।’’ ବୋହୂଟି ମୃତଆତ୍ମାର ଅନୁଭୂତିଗୁଡ଼ିକ କହି ଚାଲିଲା ।

 

ମୁଁ ପଚାରିଲି–ଏଭଳି କାହିଁକି ହୁଏ ?

 

ସେ କହିଲେ–ଏସବୁ ନିଜ କର୍ମର ଫଳ । ବଞ୍ଚିଥିଲାବେଳେ ଆମେ ଆଗପଛ ନବିଚାରି ବହୁ ଅକାର୍ଯ୍ୟ, କୁକାର୍ଯ୍ୟ କରିଥାଉଁ । ବଞ୍ଚିବା ଅବସ୍ଥାରେ ସେଥିରୁ କେତେକ ଅବଶ୍ୟ ଭୋଗ ହୋଇଥାଏ । ଅବଶିଷ୍ଟ ଏହି ପ୍ରେତ ଜଗତରେ ଭୋଗ କରିବାକୁ ପଡ଼େ ।

 

‘‘ଆଉ ସବୁ କ’ଣ ଦଣ୍ତ ଭୋଗ କରିବାକୁ ପଡ଼େ ?’’ ମୁଁ ପଚାରିଲି ।

 

ସେ କହିଲା–ଖାଇବାକୁ ଖାଦ୍ୟ ନମିଳିବା, ପିଇବାବୁ ପାଣି ନମିଳିବା, ବିଶ୍ରାମ ନେବାକୁ ସ୍ଥାନ ନ ମିଳିବା ଠାରୁ ଆଉ କ’ଣ କଷ୍ଟ ଯନ୍ତ୍ରଣାଦାୟକ ଦଣ୍ତ ଅଛି କହୁନ ?

 

‘‘କୁଆଡ଼େ ଆସିଥିଲ ?’’ ମୁଁ ପଚାରିଲି ।

 

‘‘ବୁଲି ବୁଲି ଭାରି ଶୋଷ ଲାଗିଲା । ଗଡ଼ିଆକୂଳରୁ ପାଣି ପିଇ ଥକ୍କାମାରି ଆମ୍ବଗଛରେ ବସିଥିଲି । ବୋହୂକୁ ଦେଖି ଭାରି ଇଚ୍ଛା ହେଲା, ତା’ ଦେହରେ ଆସି ପିଲାମାନଙ୍କୁ ଟିକିଏ ଦେଖିଯିବି-। ଆସିତ ଫଳ ପାଉଛି’’–ସେ କହି ସ୍ଥିର ହୋଇ ବସି ରହିଲେ ।

 

‘‘ପିଲାମାନଙ୍କୁ ଦେଖି ସାରିଲଣି ?’’

 

‘‘ହଁ ।’’

 

‘‘କ’ଣ ତୁମେ ଆଉ ଚାହୁଁଛ ?’’ ମୁଁ ପଚାରିଲି ।

 

‘‘ବହୁ ଦିନରୁ ପଖାଳ, ମାଛଭଜା ଖାଇବାକୁ ଇଚ୍ଛା ହେଉଛି । ଖାଇ ଚାଲି ଯାଆନ୍ତି’’–ସେ କହିଲେ ।

 

ପଧାନ ବୁଢ଼ା ଏକଥା ଶୁଣି ଦୌଡ଼ିଲା ବଜାରକୁ । ସଙ୍ଗେ ସଙ୍ଗେ ମାଛ ଆସିଲା, ଭଜା ହେଲା, ପଖାଳ, ମାଛଭଜା ବଢ଼ାଗଲା, ବସି ସେ ପେଟେ ଖାଇଲେ । କହିଲେ–ମୁଁ ତୃପ୍ତ ହେଲି । ଏଥର ଚାଲିଯିବି । ମୁଁ ତାଙ୍କୁ ନେଇ ଗାଁ ଶେଷ ମୁଣ୍ତରେ ଛାଡ଼ିଦେଇ ଆସିଲି । ସେହିଦିନ ଠାରୁ ବୋହୂଟି ସୁସ୍ଥ; ଆଗଭଳି କାମଦାମ କରୁଛି । ଆଉ କିଛି ଅଭିଯୋଗ ନାହିଁ । କେତେବେଳେ ତାଙ୍କ ଘରକୁ ଗଲେ ଏକଥା ବୋହୂଟିକୁ ଦେଖି ପଚାରିଲେ ସେ କେବଳ ଟିକିଏ ହସିଦିଏ ।

 

‘‘ତୁମକୁ ଡର ଲାଗେନା ପିଉସା ?’’ ଲକ୍ଷ୍ମୀଙ୍କ ପାଟିରୁ ବାହାରି ଆସିଲା ।

 

ବୃଦ୍ଧ ପରମାନନ୍ଦ କହିଲେ–ନିଜେ ଡରିଲେ ସିନା ଡର ଲାଗିବ ? ହୃଦୟକୁ ଦୃଢ଼ କଲେ ଡର କାହିଁକି ଲାଗିବ ? ଏହି ବର୍ଷାଦିନେ ଶୁଣିଲି ସନ୍ଧ୍ୟାରେ ପାଖଗାଁରେ ଗୋଟିଏ କୁଆଁରୀ ଝିଅ ମରି ଯାଇଛି । ତାକୁ ନଈରେ ଭସାର ଦେଇଛନ୍ତି ।

 

‘‘କୁଆଁରୀ ଝିଅ କ’ଣ ?’’ ଲକ୍ଷ୍ମୀ ପଚାରିଲେ ।

 

‘‘ଅବିବାହିତା ଅଳ୍ପ ବୟସର ଝିଅ’’–ହେମକାନ୍ତ କହିଲେ ।

 

ପରମାନନ୍ଦ କହିଲେ–ହଁ, ଜୋଇଁ ଯାହା କହୁଛନ୍ତି ସେୟା । ମୋର ଖଣ୍ତେ କୁଆଁରୀ କନ୍ୟାର ହାଡ଼ ଦରକାର ଥାଏ । ଶୁଣିବାମାତ୍ରକେ ମୁଁ ନୂଆଲୁଗା, ସିନ୍ଦୂର କଜ୍ଜଳ, କାଚ, ମନ୍ଦାର ଫୁଲ, ଖାଇବା ଜିନିଷ ଧରି ନଈକୂଳକୁ ଦୌଡ଼ିଲି । ରାତି ପ୍ରାୟ ଏଗାରଟା ହେବ, ଦେଖିଲି ଦୂରରୁ ସେ ଭାସି ଭାସି ଆସୁଛି । ସଙ୍ଗେ ସଙ୍ଗେ ପୂଜାପାଠ ଆରମ୍ଭ କରିଦେଲି । ଦେଖିଲି ଝିଅଟି ସେଇ ପାଣି ଉପରେ ଚାଲି ଚାଲି ଆସୁଛି ।

 

ସମସ୍ତଙ୍କ ତୁଣ୍ତରୁ ଭୟରେ ଏକାବେଳକେ ବାହାରି ଆସିଲା–‘ଆଚ୍ଛା’ !

 

ତା’ପରେ ସେ ଝିଅଟି ମୋ ପାଖରେ ଆସି ଠିଆ ହେଲା । ବାରବର୍ଷର ଝିଅଟି । ତାକୁ ମନ୍ତ୍ର ବୋଲି ଗାଧୋଇ ଦେଲି । ନୂଆ ଲୁଗା ପିନ୍ଧିବାକୁ ଦେଲି । କଜ୍ଜଳ, ସିନ୍ଦୂର, କାଚ ଫୁଲ ସବୁ ପିନ୍ଧାଇଦେଲି । ତା’ପାଇଁ ଛେନା, ମାଂସ, ପାଚିଲା କଦଳୀ ନେଇଥିଲି ଖୁଆଇ ଦେଲି । ଭାରି ଖୁସି ହୋଇଗଲା । ମୋ ଆଡ଼କୁ ଚାହିଁ ହସିଲା, କହିଲା କ’ଣ ଚାହୁଁଛୁ କହ । ମୁଁ କହିଲି–ତୋ ବାଁ ହାତରୁ ଖଣ୍ତିଏ ହାଡ଼ ମୋର ଦରକାର । ସଙ୍ଗେ ସଙ୍ଗେ ବାଁ ହାତଟି ମୋ ଆଡ଼କୁ ବଢ଼ାଇ ଦେଲା । ଦାଢ଼ୁଆ ଛୁରି ହାତରେ ନେଇଥିଲି । ହାତଟି ତା’ର କାଟିଆଣିଲି । ତା’ପରେ ମନ୍ତ୍ର ବୋଲି ତାକୁ ପୁଣି ମୁର୍ଦ୍ଦାରକରି ପାଣିରେ ଭସାଇ ଦେଲି । ସେହି ହାଡ଼ଖଣ୍ତି ମୋତେ ଇଲେ ବହୁ କାମ ଦେଉଛି ।

 

କମଳା ସମସ୍ତଙ୍କ ପାଇଁ ଭାତ ବାଢ଼ି କହିଲେ–ପିଇସାଙ୍କୁ ଡାକି ସମସ୍ତେ ଆସ, ବାଢ଼ିଲିଣି, ଖାଇଦେବ ।

 

ସଦାନନ୍ଦବାବୁ, ରବୀନ୍ଦ୍ର, ହେମକାନ୍ତ, ଲକ୍ଷ୍ମୀ, ବୃଦ୍ଧ ପରମାନନ୍ଦ ମୁହଁହାତ ଧୋଇ ଖାଇ ବସିଲେ ।

 

ପରମାନନ୍ଦ କହିଲେ–କେତେ କେତେ ଘଟଣା ଏ ଜୀବନରେ ଘଟିଲାଣି । କହିଲେ ଗୋଟିଏ ପୋଥି ହେବ ।

 

‘‘ଆମ କଥା କ’ଣ ବିଚାର କରୁଛନ୍ତି ?’’ କମଳା ପଚାରିଲେ ?

 

‘‘ଖାଇସାରି ଜୋଇଁ ଆଉ ରବୀନ୍ଦ୍ର ମୋ ଠାରୁ ମନ୍ତୁରା ଧଳା ସୋରିଷ ନେଇ ଗାଁକୁ ଚାଲି ଯାଆନ୍ତୁ । ଘର ବାହାର ସବୁଆଡ଼ ବିଞ୍ଚିଦେବେ । ମୁଁ, ସଦାନନ୍ଦ ସନ୍ଧ୍ୟାବେଳେ ପହଞ୍ଚି ଯାହା କରିବା କଥା କରିବୁ । ଏତ ସମାନ୍ୟ କଥା । ଏଥିରେ ବ୍ୟସ୍ତ ବା ବିବ୍ରତ ହେବାରେ କିଛି ନାହିଁ ।’’

 

ଲକ୍ଷ୍ମୀ ନିଜ ମନର ଭାବ ହୃଦୟରେ ଚାପି ନ ରଖିପାରି ପଚାରିଲେ–ମୁଁ ଆଉ ବୋଉ ଯିବୁନି ?

 

‘‘ତୁମେ ଟିକିଏ ପରେ ଯିବ ।’’ ପରମାନନ୍ଦ କହି ଖାଇବାରେ ମନ ଦେଲେ ।

 

ରବୀନ୍ଦ୍ର ପାଟିକରି କହିଲେ–ସବୁଥିରେ ହକହକ ! କୁମ୍ଭୀର ନେଇ ତାକୁ ମଝିନଈରେ କଲାଣି, କଥାପି ତା’ର ଟିକିଏ ଦକା ନା ଚିନ୍ତା ଅଛି ?

 

ଲକ୍ଷ୍ମୀ ଆଉ କିଛି ନକହି ନୀରବ ରହିଲେ ।

 

ଖାଇବା ଶେଷ ହେଲା, ବୃଦ୍ଧ ପରମାନନ୍ଦ ମୁଣିରୁ ଧଳାସୋରିଷ କାଢ଼ି ମନ୍ତୁରି ରବୀନ୍ଦ୍ରଙ୍କ ହାତକୁ ବଢ଼ାଇ ଦେଲେ । କହିଲେ–ଏହାକୁ ନୂଆ ନାଲିକନା ଖଣ୍ତିକରେ ବାନ୍ଧି ନେଇଯା । ଡରିବନି, ଘର ବାହାର ଚାରିଆଡ଼ ବିଞ୍ଚିବ । ବାପାଙ୍କର, ମୋର ଯାଇ ପହଞ୍ଚିବୁ ।

 

ରବୀନ୍ଦ୍ର ସାଇକେଲ୍‍ ଧରି ମନ୍ତୁରା ସୋରିଷ ନେଇ ବାହାରିଲେ । ତାଙ୍କ ସାଇକେଲ୍‍ ପଛରେ ବସିଗଲେ ହେମକାନ୍ତ । ବାଟରେ କାହାରି ପାଟିରେ କଥା ନଥିଲା ।

 

–କୋଡ଼ିଏ–

 

ଭରତ ଘରକୁ ଫେରି ଆସି ଦେଖିଲେ–ବାହାର କବାଟ ମେଲା ରହିଛି । ହରପ୍ରତାପପୁରକୁ ଗଲାବେଳେ ସେ ଭିତର ଓ ବାହାର କବାଟ ଚାବି ପକାଇ ଯାଇଥିଲେ । ଚାବି ମଧ୍ୟ ତାଙ୍କ ଜାମା ପକେଟରେ ଅଛି । ଜାମା ପକେଟରେ ହାତ ମାଇଲେ, ଦେଖିଲେ ଚାଚି ସେମିତି ରହିଛି । ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ଦୋକାନରେ କାମ କରୁଥିବା ଗଣେଶ, ରାମ ଦୁଇଜଣଯାକ ସାଙ୍ଗରେ ଥିଲେ । ସେ ନିଜର ବିସ୍ମୟଭାବ ସେମାନଙ୍କ ଆଗରେ ପ୍ରକାଶ ନକରି ଘରକୁ ପଶିଲେ । ଦେଖିଲେ, ଘର କବାଟଗୁଡ଼ିକ ମଧ୍ୟ ମେଲା ରହିଛି । ଭରତ ସିଧା ଚାଲିଲେ ହେମକାନ୍ତଙ୍କ ଶୋଇବାଘର ପାଖକୁ । ଘରଭିତରୁ ଜବାବ ଆସିଲା–କିଏ ଭରତ ! ଏତେବେଳଯାଏଁ ତୁମେ ଘର ଚାବିଦେଇ କେଉଁଠି ଥିଲ ?

 

‘‘ସାନ ଅପା ! ତୁମେ ଆସିଲଣିଟି ? ସକାଳୁ ଗାଧୋଇ ଯିବା ନାଁରେ କୁଆଡ଼େ ଗଲକି-? ତୁମକୁ ପଡ଼ିଆ, ଗଡ଼ିଆ, ପୋଖରୀ, କୂଅ, ଗାଁର ପ୍ରତ୍ୟେକଙ୍କ ଘର ଖୋଜା ସରିଲାଣି ।’’ ଭରତ କହି ଘର ଭିତରକୁ ଚାହିଁଲେ । ଘରର ବାହାରପଟ ଝରକା ବନ୍ଦ ଥିଲା । ତାଙ୍କୁ କେବଳ ଖଟଟି ଉପରେ କିଏ ଜଣେ ଶୋଇଲା ପରି ଜଣା ଯାଉଥିଲା ।

 

‘‘ମୋରତ ପୁଣି ଭଲମନ୍ଦ ଅଛି । ଆତ୍ମୀୟସ୍ୱଜନ ଅଛନ୍ତି । ମୁଁ କୁଆଡ଼େ ଗଲେ ଟିକିଏ ଆଉ ଡେରି ହେବନି ? ଏତେ ଚଞ୍ଚଳ ଏତେ ବ୍ୟସ୍ତ ହୋଇ ପଡ଼ିଲ କାହିଁକି ? ଟିକିଏ ଅପେକ୍ଷା କଲନି ? ଈଷତ୍ ବିରକ୍ତ ପ୍ରକାଶକରି ଘର ଭିତରୁ ଯୁବତୀଟି କହିଲା ।’’

 

‘‘ତୁମେ ଇ’ଲେ ଖାଇବ ସାନଅପା ?’’ ଭରତ ପଚାରିଲେ ।

 

ଖାଇବାକୁ ଆଣି ଏଇଘର କୋଣରେ ରଖିଦେଇ କବାଟଟା ଆଉଜାଇ ଦିଅ । ମୋ ଦେହ କି ମନ ଆଜି ଭଲ ଲାଗୁନି । ମୁଁ ପରେ ଉଠି ଖାଇବି । ତୁମର ତୁମେ ଖାଇ ବାବୁଙ୍କପାଇଁ ନେଇ ଦୋକାନକୁ ଚାଲିଯାଅ ।

 

ଭରତ ଆଉ କିଛି ପ୍ରଶ୍ନ ନ ପଚାରି ଯୁବତୀଟି କହିବାନୁସାରେ ଶୋଇବାଘରେ ରାନ୍ଧିଥିବା ଭାତ, ଡାଲି, ତରକାରୀ ଥାଳି ଗିନାରେ ବାଢ଼ି ରଖିଦେଲେ । ପାଣି ଗ୍ଲାସ୍‌ଟିଏ ଥୋଇ କବାଟଟି ଆଉଜାଇ ଆଣିଲେ, ରାମ ଓ ଗଣେଶଙ୍କୁ ଖାଇବାକୁ ଦେଇ ନିଜେ ଖାଇଲେ । ନିଜ ନିଜ ଅଇଁଠା ବାସନ ଧୋଇ ଭରତ ରାମ, ଗଣେଶ ବାଟଘରେ ମସିଣା ପକାଇ ଶୋଇ ଏଣୁତେଣୁ ଗପ୍‍ସପ୍ କରିବାରେ ଲାଗିଲେ ।

 

ଏହା ଭିତରେ କେତେବେଳେ ସେମାନଙ୍କୁ ନିଦ ଲାଗି ଯାଇଛି ଜଣାନାହିଁ । ହେମକାନ୍ତଙ୍କ ଡାକରେ ତିନିଜଣଙ୍କ ନିଦ ଭାଙ୍ଗିଗଲା । ଭରତ ଧଡ଼ପଡ଼ ହୋଇ ଉଠି କବାଟ ଫିଟାଇଲେ । ହେମକାନ୍ତ ଘର ଭିରତକୁ ପଶି ପଚାରିଲେ–ତୁମ ସାନଅପା ଫେରିଲେଣି ?

 

‘‘ହଁ’’ । ଦେହ ଭଲ ଲାଗୁନି ବୋଲି କହି ଶୋଇଛନ୍ତି ।’’ ଭରତ ଉତ୍ତର ଦେଲେ ।

 

‘‘ହଉ ଶୋଇଥାନ୍ତୁ । ନିଶ୍ଚିନ୍ତରେ ଶୁଅନ୍ତୁ । ରବୀନ୍ଦ୍ର ହାତରେ ଧରିଥିବା ମନ୍ତୁରା ଧଳା ସୋରିଷ ଘର, ବାରଣ୍ତା, ଅଗଣା ସବୁଆଡ଼େ ବିଞ୍ଚିବାରେ ଲାଗିଲେ ।’’

 

ହେମକାନ୍ତ କହିଲେ–‘‘ଚା’’ ଟିକିଏ କର ଭରତ !’’ ତାଙ୍କର ଦୃଷ୍ଟି ପଡ଼ିଲା ରାମ, ଗଣେଶଙ୍କ ଉପରେ । କହିଲେ–ତୁମେ ଦୁହେଁ ଚାଲିଯାଅ । ଆଉ ରହିବା ଦରକାର ନାହିଁ । କାଲି ଟିକିଏ ବେଗାବେଗି ଦୋକାନକୁ ଚାଲି ଆସିବ ।

 

‘‘ଆଜ୍ଞା’’ କହି ରାମ, ଗଣେଶ ବିଦାୟ ନେଲେ, ଭରତ ରୋଷେଇଘରକୁ ଯାଇ ଚା’ ବସାଇଲେ ।

 

ହେମକାନ୍ତ ଚିନ୍ତିତ ଅବସ୍ଥାରେ ଭିତରଘର ବାରଣ୍ତାରେ ବସି ରହିଲେ । ରବୀନ୍ଦ୍ର ସୋରିଷ ବିଞ୍ଚି ଦେଇ ଆସି କହିଲେ–ଆଉତ ଆମର କିଛି କାମ ନାହିଁ । ପିଇସାଙ୍କ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

 

ବାହାରେ ଗାଁର କେତେକଙ୍କ ଲୋକ ପାଟି ଶୁଭିଲା । ଘର ଭିତରକୁ କେତେଜଣ ବୁଢ଼ାବୁଢ଼ୀ ପଶି ଆସି ପଚାରିଲେ–ହେମକାନ୍ତ ଆସିଲାଣି ଭରତ ?

 

ହେମକାନ୍ତ ସେମାନଙ୍କ ସମ୍ମୁଖକୁ ଆସି ଠିଆହେଲେ । ସେମାନଙ୍କ ଭିତରୁ ଜଣେ ବୁଢ଼ୀ କହିଲେ–ବୋହୂ କଥା ଶୁଣିଲୁଣିତ ? ଫେରିଲାଣି ସେ ?

 

ହେମକାନ୍ତ କହିଲେ–ହଁ ।

 

‘‘କୁଆଡ଼େ ଯାଇଥିଲ ସେ ?’’ ଅନ୍ୟଜଣେ ପ୍ରଶ୍ନ କଲେ ।

 

ହେମକାନ୍ତ ଅତି ବିନମ୍ର ଭାବରେ କହିଲେ–ମୁଁ ଏଇକ୍ଷଣି ଆସୁଛି । ପଚାରିନି । ଦେହ ଭଲ ଲାଗୁନି ବୋଲି କହି ସେ ଶୋଇଛି, ଉଠିଲେ ପଚାରିବି ।

 

ଅନ୍ୟ ଜଣେ ବୁଢ଼ା କହିଲେ–ତାକୁ ଟିକିଏ ତୁ ତାଗିଦା କର । ତୁ ଘରେ ଦିନକଯାକ ରହୁନୁ । ଦୋକନକୁ ଯାଉଛୁ, ଭରତ ମଧ୍ୟ ରହୁନି । ଯୁବତୀ ଝିଅ । ପୁଣି ଏ ଘରର ବୋହୂ, ଏଣେତେଣେ ଯଦି, ମନଇଚ୍ଛା ଚାଲିଯାଏ, ତେବେ ତା’ର ନିନ୍ଦା, ତୋର ନିନ୍ଦା, ଘରର ନିନ୍ଦା ଗ୍ରାମର ନିନ୍ଦା, ଆମ ସମସ୍ତଙ୍କର ନିନ୍ଦା ।

 

ଅନ୍ୟଜଣେ ବୁଢ଼ା କହିଲେ–ଆଜି କୂଅ, ଗଡ଼ିଆ, ପୋଖରୀ କମ୍ ଖୋଜା ହୋଇଛି ? ଶେଷକୁ ଜାଲିଆ ଡକାଇ ପୋଖରୀର ଏମୁଣ୍ତରୁ ସେମୁଣ୍ତ ଜାଲ ଟଣା ହେଲା ।

 

‘ମୁଁ ସବୁ ଶୁଣିଛି ।’ ହେମକାନ୍ତ ଦୀର୍ଘନିଃଶ୍ୱାସ ପକାଇ କହିଲେ ।

 

‘‘ହଉ, ବୋହୂତ ଘରକୁ ଆସିଲାଣି । ଆମେ ଯାଉଛୁ, ଟିକିଏ ଜଗିରଖି ଚଳ–ଗ୍ରାମ ଲୋକେ କହି ବିଦାୟ ନେଲେ ।’’

 

ହେମକାନ୍ତ ଘର ଭିତରକୁ ପଶି ଦେଖିଲେ ରବୀନ୍ଦ୍ର ଏକ ଦୃଷ୍ଟିରେ ତାଙ୍କ ଶୋଇବା ଘର ଆଡ଼େ ଚାହିଁଛନ୍ତି । ହେମକାନ୍ତ ତାଙ୍କ କାନ୍ଧରେ ହାତ ରଖି ପଚାରିଲେ–କ’ଣ ଦେଖୁଛ ?

 

ରବୀନ୍ଦ୍ର ଈଷତ୍‌ ହସି ମୁହଁ ବୁଲାଇ କହିଲେ–ନାଇଁ କିଛି ନାହିଁ, ଭାବୁଥିଲି ଆଉଥରେ ଟିକିଏ ଭଉଣୀକୁ ଦେଖିଥାନ୍ତି ।

 

‘‘ଦେଖିବତ, ପିଉସା ଟିକିଏ ଆସି ଯାଆନ୍ତୁ ।’’ କହି ହେମକାନ୍ତ ମାଠିଆରୁ ଗ୍ଲାସ୍‍ରେ ପାଣି ଆଣି ପିଇଲେ ।

 

ଭରତ ଦୁଇ କପ ଚା’ ଆଣି ଗୋଟିଏ କପ୍‌ ହେମକାନ୍ତଙ୍କ ହାତକୁ ଏବଂ ଅନ୍ୟ କପ୍‌ଟି ରବୀନ୍ଦ୍ରଙ୍କ ହାତକୁ ବଢ଼ାଇ ଦେଲେ ।

 

ହେମକାନ୍ତ ଓ ରବୀନ୍ଦ୍ର ଚା’ କପ୍‌ ଧରି ଠିଆ ହୋଇ ପିଉଛନ୍ତି, ଏହି ସମୟରେ ଭରତ ଅନ୍ୟ ଗୋଟିଏ କପ୍‌ରେ ଚା ନେଇ ହେମକାନ୍ତଙ୍କ ଶୋଇବା ଘର କବାଟ ବାହାରୁ ଡାକିଲେ–ସାନଅପା, ସାନଅପା !

 

ଭିତରୁ ଜବାବ ଆସିଲା–କ’ଣ କହୁଛ ଭରତ ?

 

ଚା ଖାଇବ ସାନଅପା ?

 

ଚା ଆଣିଛ ?

 

ହଁ ।

 

ଏହି ଡ୍ରେସିଙ୍ଗ୍ ଟେବୁଲ୍ ଉପରେ କାଗଜ ଖଣ୍ତିଏ ପକାଇ ରଖିଦିଅ । ନଇଲେ ଟେବୁଲରେ ଚା ଦାଗ ହୋଇଯିବ ।

 

‘‘ବାବୁ ଆସିଲେଣି । ସନ୍ଧ୍ୟା ଆସି ହେଲାଣି । ତୁମେ ବାହାରକୁ ଆସୁନ ସାନଅପା’’ ଭରତ କହି କାଗଜ ଖଣ୍ତିଏ ପକାଇ ଚା କପଟି ରଖିଦେଲେ । ଦେଖିଲେ, ସ୍ତ୍ରୀଲୋକଟି ଖଟ ଉପରେ ତଳକୁ ଗୋଡ଼ ଲମ୍ୱାଇ ବସିଛି ।

 

‘ବାବୁଙ୍କ ସାଙ୍ଗରେ ଆଉ କିଏ ଆସିଛନ୍ତି ଭରତ ? ଯୁବତୀଟି ପଚାରିଲା ।’

 

‘‘ମଲା, ତୁମ ଭାଇ ପରା’’–ଭରତ ହସି ହସି କହିଲେ ।

 

କାଲିତ ଆସିଥିଲେ, ପୁଣି ଆଜି କାହିଁକି ଆସିଛନ୍ତି ? ଯୁବତୀଟି ଟିକିଏ କ୍ରୁଦ୍ଧ କଣ୍ଠରେ ପଚାରିଲା ।

 

ମଲା, ତାଙ୍କ ଭଉଣୀଘର, ସେ ଆଉ ଆସିବେନି ? ଭରତ କହି କବାଟ କୋଣକୁ ଚାହିଁଲେ । ଦେଖିଲେ ଖାଇବାକୁ ଦେଇଥିବା ଭାତ, ଡାଲି, ତରକାରୀ ସେମିତି ଥୁଆ ହୋଇଛି । ପଚାରିଲେ–ତୁମେ କ’ଣ ଖାଇନ କି ସାନଅପା ?

 

‘‘ନା ଦେହ ଭଲ ଲାଗୁନି । ଆଉ ଟିକିଏ ଗଲେ ଖାଇବି । ବାବୁଙ୍କୁ ଟିକିଏ ଏଘରକୁ ଡାକିଦିଅ ।’’ ଯୁବତୀଟି କହି ଚା କପ୍‌ଟି ହାତକୁ ନେଲା । ଭରତ ବାହାରକୁ ଆସି ହେମକାନ୍ତଙ୍କୁ ସାନଅପା ଡାକୁଛନ୍ତି ବୋଲି ଖବର ଦେଲେ ।

 

ଯୁବତୀଟି ଘର ଭିତରୁ ବାହାରକୁ ଆସୁଥିଲେ । ଦେଖିଲେ, ଶୋଇବା ଘର ବାରଣ୍ତା, ଅଗଣା, ରୋଷେଇଘର ଚାରିଆଡ଼େ ଧଳା ସୋରିଷ ବୁଣା ଯାଇଛି । ସେ ଚମକି ପଡ଼ିଲେ । କେଜାଣି କାହିଁକି ତାଙ୍କ ପାଦ ଦୁଇଟି ଘରର ଏରୁଣ୍ତିବନ୍ଧ ଡେଇଁ ବାହାରକୁ ଆସିବାକୁ ଚଳିଲା ନାହିଁ । ସେ ପୁଣି ଖଟ ପାଖକୁ ଫେରି ଯାଇ ଲଥ୍‌କରି ଖଟ ଉପରେ ବସି ପଡ଼ିଲେ । ତାଙ୍କ ମୁହଁ କ୍ରମେ ଚିନ୍ତିତ ଓ ବିବର୍ଣ୍ଣ ଦେଖାଗଲା ।

 

ରବୀନ୍ଦ୍ରଙ୍କ ଉଦ୍ଦେଶ୍ୟରେ ହେମକାନ୍ତ କହିଲେ–ତୁମେ ଏଇଠି ଥାଅ । ବାପା, ପିଉସା ଆସିଲେ ମୋତେ ଖବର ଦେବ । ସେ କାହିଁକି ଡାକୁଛି, ମୁଁ ଶୁଣି ଆସେ ।

 

‘‘ତୁମକୁ ଏକା ତା’ ପାଖକୁ ଯିବାକୁ ଭୟ ଲାଗିବ ନାହିଁ ?’’ ରବୀନ୍ଦ୍ର ପଚାରିଲେ ।

 

‘‘ଯିଏ ଏତେଦିନ ଧରି ପାଖେପାଖେ ଚଳି ପାରିଲା, ତା’ପାଖକୁ ଯିବାକୁ ଭୟ କାହିଁକି ଲାଗିବ ?’’ ହେମକାନ୍ତ କହିଲେ ।

 

ହେମକାନ୍ତ ଶୋଇବା ଘରକୁ ଗଲାବେଳକୁ ରବୀନ୍ଦ୍ର ତାଙ୍କ ଜାମା ପକେଟରେ ଜବରଦସ୍ତି କିଛି ମନ୍ତୁରା ସୋରିଷ ପୂରାଇ ଦେଲେ ।

 

ହେମକାନ୍ତ ଶୋଇବା ଘରକୁ ପଶିବାକ୍ଷଣି ହଠାତ୍‌ ଗର୍ଜନ ଶୁଣି ଚମକି ପଡ଼ିଲେ । ଯୁବତୀଟି କହିଲା–କ’ଣ ଏସବୁ ପ୍ରହସନ ଲାଗିଛି ? ମୋତେ ଏଠାରେ ଶାନ୍ତିରେ ରଖାଇ ଦେବାପାଇଁ ତୁମର ବୋଧେ ଆଉ ଇଚ୍ଛା ନୁହେଁ ? ଯେ ଯାହାକୁ ହୃଦୟ ଭରି ଭଲ ଯାଏ, ସେ କ’ଣ ତା’ଠାରୁ ଏୟା ଆଶା କରେ ? ଦୁଇବର୍ଷ ପରେ ମୁଁ ତୁମ ପାଖକୁ ଫେରି ଆସି କେତେ ଆନନ୍ଦ, ଗର୍ବ ଅନୁଭବ କରୁଥିଲି !

 

ହେମକାନ୍ତ ଘର ଭିତରେ ପଶି ପଚାରିଲେ–ତୁ କିଏ ? ମୋତେ ପରିଷ୍କାର ଭାବରେ କହ ।

 

ଏପ୍ରକାର ପ୍ରଶ୍ନରେ ଯୁବତୀଟି ଅତ୍ୟଧିକ ଉତ୍ତେଜିତ ହୋଇ ପଡ଼ିଲା । ଅତି କଣ୍ଠରେ କହିଲା–ତୁ କିଏ ? ତୁ କିଏ ? ଦୁଇଦିନ ହେଲାଣି ତୁମର ଏଇ ଗୋଟିଏ ପ୍ରଶ୍ନ ଚାଲିଛି । ଯେପରିକି ଆଉ କୌଣସି ପ୍ରଶ୍ନ ତୁମର ପଚାରିବାର ନାହିଁ । ତୁମେ ମୋତେ ଚିହ୍ନି ପାରୁନ-? ପାଞ୍ଚବର୍ଷ ଧରି ଏଇଠି ରହିଲି, ତୁମ ସାଙ୍ଗରେ ରହିଲି । ମୋ ବୋଉର ଟଙ୍କାରେ ତୁମେ ବ୍ୟବସାୟ କରି ଆଜି ଏତେ ଉପରକୁ ଉଠିଲ; ତଥାପି ତୁମେ ମୋତେ ଚିହ୍ନି ପାରିଲ ନାହିଁ-? ବ୍ୟବସାୟରୁ ଅଧିକ ଟଙ୍କା ପାଇ, ପୁଣି ଥରେ ବିବାହ କରି ତୁମେ ସବୁ ପଛକଥା ଭୁଲିଗଲ-?

 

‘‘ହେମଲତା !’’ ହେମକାନ୍ତ ପାଗଳଙ୍କ ପରି ଯୁବତୀକୁ ଧରିବାପାଇଁ ହାତ ଟେକି ଖଟ ପାଖକୁ ଦୌଡ଼ିଗଲେ ।

 

ମୋତେ ଛୁଅଁନା, ଛୁଅଁନା କହୁଛି । ପକେଟରେ ଥିବା ସୋରିଷ ବାହାରେ ପକାଇ ଦେଇ ଆସ । ଘରେ, ଅଗଣାରେ ପଡ଼ିଥିବା ସୋରିଷ ଭରତକୁ କୁହ ସେ ଭଲକରି ଓଳାଇ ଦେଇ ଚୁଲିରେ ପକାଇ ପୋଡ଼ି ଦେଉ । ଯୁବତୀଟି କହି ଖଟ ଦାଢ଼ରୁ କାନ୍ଥ ମୂଳକୁ ଘୁଞ୍ଚିଯାଇ ଓଢ଼ଣା ଟାଣି କାନ୍ଦିବାରେ ଲାଗିଲା ।

 

ହେମକାନ୍ତ ଧୈର୍ଯ୍ୟ ହରାଇ ବସିଥିଲେ । ତାଙ୍କୁ ଲାଗୁଥିଲା, ସେ ଯେପରିକି ଅତଳ ସମୁଦ୍ରରେ ହଜାଇଥିବା ମଣିଟି ଆଜି ଖୋଜି ପାଇଛନ୍ତି । ସେତେବେଳେ ତାଙ୍କର ବୁଦ୍ଧି, ବିବେକ, ଜ୍ଞାନ କିଛି କାମ କରୁ ନଥିଲା । ସେ ଖଟ ଉପରକୁ ଉଠିବାକୁ ଚେଷ୍ଟା କରିବା ସମୟରେ ଯୁବତୀଟି କାନ୍ଦିଲା କଣ୍ଠରେ କହିଲା–କ’ଣ ମୋ କଥା ତୁମକୁ ଶୁଭିଲାନି ? ମୁଁ ପୁଣି ଥରେ ତୁମକୁ ନେହୁରା ହୋଇ କହୁଛି, ବାହାରେ ଜାମା ଖୋଲି, ରଖିଦେଇ ଆସ ।

 

ହେମକାନ୍ତ ଆଉ ଖଟ ଉପରକୁ ନଯାଇ ଜାମା ଖୋଲିବାକୁ ବାହାରକୁ ଆସିଲେ । ରବୀନ୍ଦ୍ର ଦୌଡ଼ି ଆସି ହେମକାନ୍ତଙ୍କ କାନରେ କହିଲେ–ପିଉସା ଓ ବାପା ଆସିଲେଣି ।

 

ହେମକାନ୍ତଙ୍କ ପାଟିରୁ ବାହାରି ଆସିଲା–କାହାନ୍ତି ?

 

ଘର ଭିତରକୁ ବୃଦ୍ଧ ପରମାନନ୍ଦ ପଶି ଆସୁ ଆସୁ ପଚାରିଲେ–ରବୀନ୍ଦ୍ର, ଜୋଇଁ ଅଛନ୍ତି-?

 

ସଦାନନ୍ଦବାବୁ ପଚାରିଲେ–ସେ ଝିଅଟି ଅଛି ?

 

ରବୀନ୍ଦ୍ର ଉତ୍ତର ଦେଲେ–ହଁ, ଶୋଇବା ଘରେ ଅଛି ।

 

ହେମକାନ୍ତଙ୍କ ପାଟିରୁ କିଛି କଥା ବାହାରୁ ନଥାଏ । ସେ ମନେମନେ ଭାବୁଥାନ୍ତି–ହେମଲତା ମଣିଷ ହେଉ ବା ଭୂତପ୍ରେତ ହେଉ; ଯେଉଁ ଅବସ୍ଥାରେ ଅଛି ବରଂ ସେହି ଅବସ୍ଥାରେ ଏଘରେ ଥାଉ । ପିଉସା, ଶ୍ୱଶୁର, ଶଳା ଏମାନେ ଏଠାରୁ ଫେରି ଯାଆନ୍ତୁ । ହେମଲତା ମୋ ହୃଦୟର ଲତା ହୋଇ ଏପର୍ଯ୍ୟନ୍ତ ରହିଛି, ଚିରଦିନ ଏହିଭଳି ରହିଥାଉ । ତା’ ମନରେ ଦୁଃଖ, ଯନ୍ତ୍ରଣା, ହତାଶ, ନିରାଶ ଭାବ ସୃଷ୍ଟି କରିବା ସ୍ୱାମୀ ହିସାବରେ ମୋ ପକ୍ଷରେ ଉଚିତ ନୁହେଁ ।

 

ଭରତ ଗୋଡ଼ ଧୋଇବାକୁ ପାଣିଢ଼ାଳ ଧରି କହିଲେ–ଏ ମା’, ଆମ ଘରେ ଆଜି କେତେ କୁଣିଆ । ମଉସା, ପିଉସା, ରବିବାବୁ । ନିଅ, ନିଅ ଗୋଡ଼ ଧୋଇ ପକାଅ, ଚା କରିଦେଉଛି, କପେ କପେ ଖାଇ ଆଗ ସୁସ୍ଥ ହୁଅ । ତା’ପରେ ଗପ୍‍ସପ୍ କରିବ ।

 

ବୃଦ୍ଧ ପରମାନନ୍ଦ ଗୋଡ଼ ଧୋଇସାରି ଗାମୁଛାରେ ଗୋଡ଼ ପୋଛିଲେ । ତା’ପରେ ଭରତଙ୍କୁ ପଚାରିଲେ–ସେ ଝିଅଟି କେଉଁ ଘରେ ଅଛି ?

 

‘‘ମଲା, ସାନଅପା କଥା ପଚାରୁଛ ? ସେ ପରା ଶୋଇବା ଘରେ ଅଛନ୍ତି । ଭରତ ଶୋଇବା ଘରକୁ ଆଙ୍ଗୁଠି ଦେଖାଇ ଦେଲେ ।’’

 

ହେମକାନ୍ତ ପଥର ଭଳି କେବଳ ଠିଆ ହୋଇ ରହିଥିଲେ । ପରମାନନ୍ଦ ତାଙ୍କ କାନ୍ଧରେ ହାତ ରଖି କହିଲେ–‘‘ତୁମର ବ୍ୟସ୍ତ ହେବାର କିଛି ନାହିଁ । ମୁଁ ଆସିଛି, ସବୁ ଠିକ୍‌ କରିଦେଇ ଯିବି ।’’ ରବୀନ୍ଦ୍ରଙ୍କୁ ଡାକି ତାଙ୍କ କାନରେ କହିଲେ–ଯଦି ବୋଉ, ଭଉଣୀ ଆସି ପହଞ୍ଚନ୍ତି, ତେବେ ସେମାନଙ୍କୁ ଏଣେ ରଖିବୁ । ସେ ଘରକୁ ମୁଁ ନକହିବା ପର୍ଯ୍ୟନ୍ତ ଛାଡ଼ିବୁନି ।

 

ଆଗେଆଗେ ଶୋଇବାଘରକୁ ଗଲେ ପରମାନନ୍ଦ । ତାଙ୍କ ପଛେ ପଛେ ଯାଉଥିଲେ ହେମକାନ୍ତ । ତାଙ୍କ ପଛରେ ଥିଲେ ସଦାନନ୍ଦବାବୁ ଓ ରବୀନ୍ଦ୍ର । ପରମାନନ୍ଦ ଘର ଭିତରକୁ ପଶିଲାକ୍ଷଣି ଯୁବତୀଟି ପାଟିକରି ଉଠିଲା–ତୁମେ କିଏ ?

 

‘‘ଘର ଅନ୍ଧାର ହୋଇଛି ବୋଲି ତୁ ମୋତେ ଚିହ୍ନି ପାରୁନୁ ମା’ ?’’ ବୃଦ୍ଧ ପରମାନନ୍ଦ ଦାଢ଼ି ଉପରେ ହାତ ବୁଲାଇ ହସି ହସି କହିଲେ ।

 

‘‘ହଁ ବୁଝିଲି । ମୋତେ ଏଠାରୁ ବାହାର କରିଦେବାକୁ ଗୋଟିଏ ଚକ୍ରାନ୍ତ ଚାଲିଛି ।’’ ଯୁବତୀଟି କହି କେଉଁ ଆଡ଼େ ଅଦୃଶ୍ୟ ହୋଇଗଲା ।

 

ପରମାନନ୍ଦ କହିଲେ–ଆଲୁଅଟିଏ ଆଣ ରବୀନ୍ଦ୍ର ।

 

ଭରତ ଲଣ୍ଠନ ଲଗାଇ ଆଣି ଘରେ ଥୋଇଲେ । ମାତ୍ର ଆଶ୍ଚର୍ଯ୍ୟର କଥା ଯୁବତୀଟିକୁ କେହି ଦେଖିବାକୁ ପାଇଲେ ନାହିଁ ।

 

ହେମକାନ୍ତ ଚିତ୍କାର କରି ଉଠିଲେ–‘ହେମଲତା’ !

 

ସନାନନ୍ଦବାବୁ ଓ ରବୀନ୍ଦ୍ର ପାଟିକରି ଉଠିଲେ–ଅନ୍ଧାରରେ କୁଆଡ଼େ ଖସି ଚାଲିଗଲା ! ଲକ୍ଷ୍ମୀ କହୁଥିଲା, ଏଘରେ କେଉଁଠି ଚୋରା ଘର କି କବାଟ ଅଛି । ସେ ଜାଣିଛି ତେଣୁ ମୁହୂର୍ତ୍ତକ ମଧ୍ୟରେ କୁଆଡ଼େ ଲୁଚି ଚାଲିଯାଉଛି କିମ୍ୱା ଏଘରେ ଲୁଚିଛି ।

 

ପରମାନନ୍ଦ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ–ସେ କୁଆଡ଼େ ଯାଇନି, ଏଇଘରେ ଅଛି । ଯେଉଁଠି ଅଛି ମୋତେ ମଧ୍ୟ ଦେଖାଯାଉଛି । ସେ ଆପେଆପେ ଆସିବ । ମୁଁ ଆଗ ମୋ କାମ ସାରେ ।

 

ରବୀନ୍ଦ୍ରଙ୍କୁ ଡାକି ପରମାନନ୍ଦ କହିଲେ–ଘିଅ ହେଉ ବା ତେଲ ହେଉ, ଯାହା ଘରେ ଅଛି, ପକାଇ ଦୀପଟିଏ ସଜାଡ଼ି ଆଣ । ଗୋଟିଏ ଢାଳ ଭଲ ଭାବରେ ମାଜି ଗାମୁଛା ବଦଳାଇ କୂଅରୁ ଢାଳେ ପାଣି ଆଣ । ଭରତକୁ କହ, ପିଢ଼ା ତିନୋଟି ଧୋଇ ଆଣିବ । ହଳଦୀଗୁଣ୍ତ ଟିକିଏ ଦବ ।

 

ଭରତ ଦୀପ ସଜାଡ଼ି ଲଗାଇ ଆଣି ଥୋଇଲା । ପିଢ଼ା ତିନୋଟି ଧୋଇ ଦେଲେ ଏବଂ ହଳଦୀଗୁଣ୍ତା ଡବାଟି ଆଣି ରଖିଲେ । ରବୀନ୍ଦ୍ର ଗାମୁଛା ବଦଳାଇ ଗୋଡ଼ହାତ ଧୋଇ, ଢାଳ ମାଜି, କୂଅରୁ ପାଣି ଆଣି ଥୋଇଲେ ।

 

ପରମାନନ୍ଦ ତାଙ୍କ ଝୁଲାମୁଣି ଭିତରୁ ମୁରୁଜ, ରାଶି, କୁଶ, ଫୁଲ ଚନ୍ଦନ କାଢ଼ିଲେ । ନିଜ ସାମନାରେ ଏବଂ ଡାହାଣ ପାଖରେ ଦୁଇଟି ବଡ଼ ମଣ୍ତଳ ମନ୍ତ୍ର ପଢ଼ି ମୁରୁଜରେ କାଟିଲେ । ପିଢ଼ା ଦୁଇଟି ପକାଇଲେ । ନିଜେ ଗୋଟିଏ ପିଢ଼ାରେ ବସି, ଡାହାଣ ପାଖ ପିଢ଼ାରେ ହେମକାନ୍ତଙ୍କୁ ବସିବାପାଇଁ କହିଲେ ।

 

ସେତେବେଳକୁ ହେମକାନ୍ତ ନିଜ ଦେହରେ ରକ୍ତ ନଥିଲା ଭଳି ଅନୁଭବ କରୁଥାନ୍ତି । ରବୀନ୍ଦ୍ର ଓ ସଦାନନ୍ଦବାବୁ ମେଲେରିଆ ରୋଗୀ ଭଳି ଥରୁଥାନ୍ତି । ସେଠାରେ ଏକ ଭୟ ଓ ଆଶଙ୍କାର ଅଶାନ୍ତ ବାୟୁମଣ୍ତଳ ସୃଷ୍ଟି ହୋଇଥାଏ ।

 

ହେମକାନ୍ତ ପିଢ଼ା ଉପରେ ବସିଲେ । ଭରତ ଏହି ସମୟରେ ଚା ଆଣି ପରମାନନ୍ଦବାବୁଙ୍କ ହାତକୁ ବଢ଼ାଇ ଦେଲେ । ରବୀନ୍ଦ୍ର ଚା ଖାଇବାକୁ ମୁଣ୍ତ ହଲାଇ ମନା କଲେ ।

 

ବୃଦ୍ଧ ତନ୍ତ୍ରସାଧକ ପରମାନନ୍ଦ ଚା ଖାଇସାରି ରବୀନ୍ଦ୍ରଙ୍କ ହାତକୁ କପ୍‌ ପ୍ଲେଟ୍‍ଟି ବଢ଼ାଇ ଦେଲେ, ଢାଳରୁ ଟିକିଏ ପାଣି ଅଜାଡ଼ି ହାତ ଧୋଇଲେ । ତା’ପରେ ଡାକିଲେ–ଆ ମା’, କେଉଁଠି ବସିଛୁ ଆ !

 

ତାଙ୍କର ପ୍ରଥମ ଡାକରେ କୌଣସି ଜବାବ ମିଳିଲା ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ରବୀନ୍ଦ୍ର ଥଟ୍ଟାକରି କହିଲେ–ଘରେତ କେହି ନାହାନ୍ତି ପିଉସା, ଡାକୁଛ କାହାକୁ ?

 

‘‘ସେ ଭୟରେ ସେ କୁଆଡ଼େ ଚାଲିଗଲାଣି ପିଉସା ।’’ ଥରିଲା କଣ୍ଠରେ କହିଲେ ହେମକାନ୍ତ ।

 

‘‘କୁଆଡ଼େ ଯାଇନି ସେ । ଏଇଠି ପରା ବସିଛି । ମୋତେ ଦିଶୁଛି ସେ ଠିକ୍‌ ଆସିବ । ସେ ମୋତେ କ’ଣ ଚିହ୍ନିନି ?’’ ପରମାନନ୍ଦ କହି କହି ଦାଢ଼ିରେ ହାତ ବୁଲାଇ ଡାକିଲେ–ଆ ମା’, ଭଲରେ ବହୁଛି, ତୁ ଚାଲିଆ । ତୁ କିଏ, କେଉଁଠୁଁ ଆସିଛୁ, କ’ଣ ଚାହୁଁଛୁ, କେଉଁଥିରେ ତୁ ଶାନ୍ତି ହେବୁ ବସି କହିବୁ । ମୁଁ କ’ଣ କାହାକୁ କେବେ କଷ୍ଟ ଦେଇଛି ଦେଖିଛୁ ? ବନ୍ଧନ କରିବା, ଫରୁଆରେ ନେଇ ମାଟି ଭିତରେ ପୋତିଦେବା, ଦୂର ଜାଗାରେ ନେଇ ଛାଡ଼ି ଦେଇ ଆସିବା, ଅନ୍ୟ ଗୁଣିଆଙ୍କ ଭଳି ଏସବୁକୁ ମୁଁ ଭଲ ପାଏନା ବୋଲିତ ତୁ ଜାଣିଛୁ । ତୁମର କିପରି ମୁକ୍ତି ହେଉ, ତୁମେ କିପରି ଆନନ୍ଦରେ କାହାରି କିଛି କ୍ଷତି ନକରି ତୁମ ବାଟରେ, ତୁମେ ଚଳପ୍ରଚଳନ, କର ଏହା ହେଉଛି ମୋ ଉଦ୍ଦେଶ୍ୟ ।’’

 

କାନ୍ଥରେ ଟଙ୍କା ହୋଇଥିବା ହେମଲତାର ଫଟୋଟି ହଠାତ୍‌ ଖସି ପଡ଼ିଲା । ତା’ ପଛରେ ଥିବା ଖଣ୍ତିଏ ଛୋଟ ହାଡ଼ ଡେଇଁ ଡେଇଁ ଆସି ପରମାନନ୍ଦ ମୁରୁଜକାଟି ତା’ ଭିତରେ ପକାଇଥିବା ପିଢ଼ାଟି ଉପରେ ସ୍ଥିର ହୋଇ ରହିଲା ।

 

ତନ୍ତ୍ରସାଧକ ପରମାନନ୍ଦ କହିଲେ–‘‘ତୁ ଯେଉଁ ରୂପରେ ଏଘରେ ଚଳପ୍ରଚଳ କରୁଥିଲୁ, ସେହି ରୂପରେ ତୁ ପିଢ଼ା ଉପରେ ବସ ମା’ ! ମନରେ ତୋର କୌଣସି ପ୍ରକାର ଭୟ କିମ୍ୱା ସଙ୍କୋଚ କରିବା ଉଚିତ ନୁହେଁ । ତୁ ଆମ୍ଭମାନଙ୍କର ଝିଅ ଭଳି । ସଙ୍କୋଚ କରିବାରେ ତୋର କ’ଣ ଅଛି ?’’

 

ହାଡ଼ ଖଣ୍ତିକ ଧୀରେ ଧୀରେ ଯୁବତୀର ରୂପ ଧରି ଓଢ଼ଣା ଭିତରେ ମୁହଁ ଲୁଚାଇ ବସିଲା-। କାନ୍ଦିବାରେ ଲାଗିଲା ।

 

‘‘କାନ୍ଦୁଛୁ କାହିଁକି ମା’ ? ତୁ ମୁହଁ ଖୋଲି ସଲଜ୍ଜ ଏବଂ ହାଲ୍‍କା ମନ ନେଇ ବସ ।’’ ପରମାନନ୍ଦ ସ୍ନେହ ଓ ଶ୍ରଦ୍ଧାବୋଳା କଣ୍ଠରେ କହିଲେ ।

 

ଯୁବତୀଟି ଓଢ଼ଣା ଭିତରୁ କାନ୍ଦିଲା କଣ୍ଠରେ କହିଲା–ତୁମେ ମୋତେ ଏଘରୁ ବାହାର କରିଦେବାକୁ ଆସିଛ । ମୁଁ ଯିବିନି, ମୁଁ ମୋ ସ୍ୱାମୀଙ୍କ ପାଖେ ରହିବି ।

 

‘‘ତୋ ସ୍ୱାମୀ କିଏ ?’’ ପରମାନନ୍ଦ ପଚାରିଲେ ।

 

ଯୁବତୀଟି ହେମକାନ୍ତଙ୍କ ଆଡ଼କୁ ହାତ ବଢ଼ାଇ ଦେଲା ।

 

‘‘କିଏ ହେମକାନ୍ତବାବୁ ?’’ ତନ୍ତ୍ରସାଧକ ପରମାନନ୍ଦ ଦାଢ଼ି ଉପରେ ହାତ ବୁଲାଇ ବୁଲାଇ ପଚାରିଲେ ।

 

ଯୁବତୀଟି କହିଲା–ହଁ ।

 

‘ତୁ କିଏ ?’ ପରମାନନ୍ଦ ପଚାରିଲେ ।

 

ମୁଁ, ମୁଁ ହେମଲତା ।

 

ହେମକାନ୍ତଙ୍କ ପାଟିରୁ ବାହାରି ଆସିଲା–ହେମଲତା !!

 

‘ହେମଲତା କିଏ ?’ ପରମାନନ୍ଦ ପଚାରିଲେ ।

 

‘‘ମୋର ଆଗ ସ୍ତ୍ରୀ ହେମଲତା ।’’ ହେମକାନ୍ତ ଆଉ କିଛି କହିପାରିଲେ ନାହିଁ । ସେ ଯୁବତୀଟିର ମୁହଁରୁ ଓଢ଼ଣାଟିକୁ ଖସାଇ ଦେବାକୁ ହାତ ବଢ଼ାଉଥିଲେ ।

 

ପରମାନନ୍ଦ କହିଲେ–ହାଁ, ହାଁ, ତାକୁ ଛୁଅଁନା ହେମକାନ୍ତ । ତାକୁ ତୁମେ ଛୁଅଁନା । ଯେ ଯାହାର ପରିସର ଭିତରେ ସଂଯତ ଭାବରେ ବସ । ତୁମକୁ ଏ ମୁହୂର୍ତ୍ତରେ ଖୁବ୍‌ ଧୈର୍ଯ୍ୟ ଧରି ବସିବାକୁ ପଡ଼ିବ । ଛାତିକୁ ପଥର କରିବାକୁ ପଡ଼ିବ । ତୁମେ ଅଧୈର୍ଯ୍ୟ ହୋଇ ପଡ଼ିଲେ ମୋର ସବୁ କାମ ଭଣ୍ତୁର ହୋଇଯିବ ।

 

‘‘ମୁଁ ହେମଲତାକୁ ଛାଡ଼ି ରହିପାରିବିନି ପିଉସା ! ମୁଁ ତାକୁ ଦୁଇବର୍ଷ ହେଲା ପାଗଳଙ୍କ ପରି ଖୋଜୁଛି । ମୋତେ ତାକୁ ଛୁଇଁବାକୁ ଦିଅ, ଦେଖିବାକୁ ଦିଅ ପିଉସା ! ସେ ଏଠାରୁ କୁଆଡ଼େ ଚାଲିଗଲେ ମୁଁ ବଞ୍ଚି ପାରିବିନି ।’’ ହେମକାନ୍ତ ପାଗଳଙ୍କ ଭଳି ନିଜ ଛାତିକୁ ଆଉଁଶି କାନ୍ଦିବାରେ ଲାଗିଲେ ।

 

‘‘ତାକୁ ଛାଡ଼ିତ ବଞ୍ଚି ପାରିବ ନାହିଁ ତେବେ ଆଉ ଗୋଟିଏ ବିବାହ କରୁଥିଲ କାହିଁକି ?’’ ରବୀନ୍ଦ୍ର କଠୋର ସ୍ୱରରେ ହେମକାନ୍ତକୁ ପ୍ରଶ୍ନ କଲେ ।

 

ହେମକାନ୍ତ କୌଣସି ଉତ୍ତର ନଦେଇ ଦୁଇ ଆଣ୍ଠୁ ମଝିରେ ମୁହଁ ରଖି ଛୋଟପିଲାଙ୍କ ପରି କୋହରେଇ ହୋଇ କାନ୍ଦିଲେ ।

 

ସାଧକ ପରମାନନ୍ଦ ଦୃଢ଼କଣ୍ଠରେ କହିଲେ–‘‘ଆଣ୍ଠୁ ସନ୍ଧିରୁ ମୁହଁ କାଢ଼ି ସିଧା ହୋଇ ବସ ହେମକାନ୍ତ ! ତୁମେ ଆଉ ପିଲା ନୁହ । ତୁମର ବୁଝିବାର ଯଥେଷ୍ଟ ବୟସ ହୋଇଛି । ମଣିଷ ମଣିଷକୁ ନେଇ ସଂସାର ଗଢ଼େ, ଭୂତପ୍ରେତଙ୍କୁ ନେଇ ସଂସାର କରିପାରେନା । ତୁମର ଆଗ ସ୍ତ୍ରୀ ହେମଲତା ଆଉ ଇହ ସଂସାରରେ ନାହିଁ । ତା’ର ପ୍ରେତାତ୍ମା ଆଜି ତୁମ ସମ୍ମୁଖରେ ଆସୀନ । ତା’ର ଅତୃପ୍ତଆତ୍ମା ହୃଦୟରେ ବହୁ କାମନା, ବାସନା ନେଇ ଘୂରି ବୁଲି ବୁଲି ଏଠାରେ ଆସି ପହଞ୍ଚିଛି । ଏତେ ଦିନ ହେଲା ସେ ତୁମ ପାଖରେ ରହିଲାଣି, ତୁମେ ତା’ ହୃଦୟ କଥା ବୁଝିବାକୁ କେବେ ଚେଷ୍ଟା କରିନ । ଫଳରେ ତା’ ଆତ୍ମା ଶାନ୍ତି ଲାଭ କରିପାରୁନି । ତୁମେ ମଧ୍ୟ ସ୍ଥିର ହୋଇ ପାରୁନ, ତେଣୁ ଏହି ସମୟରେ ହେମଲତାର ଅତୃପ୍ତ ଆତ୍ମା ଯେପରି ସ୍ଥିର ହୋଇ ବସି ରହିଛି, ତୁମକୁ ମଧ୍ୟ ସେହିଭଳି ବସି ରହିବାକୁ ପଡ଼ିବ । ଯଦି ଇଚ୍ଛାକର ତେବେ କେତେକ ପ୍ରଶ୍ନ ତାକୁ ପଚାରିପାର ।’’

 

ପରମାନନ୍ଦ ହେମଲତାଙ୍କ ଆତ୍ମା ଉଦ୍ଦେଶ୍ୟରେ କହିଲେ–ମୁହଁ ଉପରୁ ଓଢ଼ଣା କାଢ଼ିଦେ ମା’, କାନ୍ଦନା, ଅଧୀର ହୁଅନା, ଚଞ୍ଚଳ ହେବାର ମଧ୍ୟ କୌଣସି ଆବଶ୍ୟକ ନାହିଁ । ତୁ ଯେତେ ସମୟ ଚାହିଁବୁ, ସେତେ ସମୟ ବସି ରହିବାକୁ ମୋର ଧୈର୍ଯ୍ୟ ଅଛି । ତୁ ଆଖି ଖୋଲି ତୋ ସ୍ୱାମୀକୁ ଭଲଭାବରେ ଦେଖ ମା’ ! ତୋ ମନରେ ଯେଉଁ ବେଦନା, ବାସନା, କାମନା ରହିଛି, ମୁହଁ ଫିଟାଇ ତୋ ସ୍ୱାମୀଙ୍କୁ ତୁ କହ ।

 

ଯୁବତୀଟି ଧୀରେ ଧୀରେ ଓଢ଼ଣାଟି ତା’ ମଥା ଉପରକୁ ଟାଣି ନେଲା । ମୁହଁଟି ତା’ର ସାଗରର ଦିଗ୍‌ବଳୟ ତଳୁ ପୂର୍ଣ୍ଣମୀ ସନ୍ଧ୍ୟାର ଶଶୀ ନୀଳ ଆକାଶ ଉପରକୁ ଉଠି ଆସିଲା ପରି ଖୁବ୍ ସୁନ୍ଦର ଦେଖାଗଲା ।

 

‘ହେମଲତା !’ ଅସ୍ପଷ୍ଟ ଭାବରେ ହେମକାନ୍ତଙ୍କ ମୁହଁରୁ ବାହାରି ଆସିଲା ।

 

ହେମଲତାଙ୍କର ଦୁଇ ଆଖିକୋଣରୁ ଦୁଇ ବୁନ୍ଦା ଲୁହ ତଳକୁ ଗଡ଼ି ପଡ଼ିଲା ।

 

ରବୀନ୍ଦ୍ର ଓ ସଦାନନ୍ଦବାବୁ ଅପଲକ ଦୃଷ୍ଟିରେ ହେମଲତାଙ୍କ ମୁହଁକୁ ଚାହିଁ ରହିଥିଲେ । ସମସ୍ତଙ୍କୁ ଯେପରିକି ଏ ଘଟଣା ସ୍ୱପ୍ନ ଭଳି ଲାଗୁଥିଲା ।

 

ହେମକାନ୍ତ ଆତୁରଭରା କଣ୍ଠରେ ପଚାରିଲେ–ତୁମେ ଏତେ ଦିନ ଯାଏଁ କେଉଁଠିଥିଲ ହେମଲତା ? ମୁଁ ତୁମକୁ ଦୁଇବର୍ଷ ହେଲା କେତେ ଖୋଜିଲିଣି ?

 

ହେମଲତା କିଛି ଉତ୍ତର ନଦେଇ ମୁହଁକୁ ତଳକୁ ପୋତି ରହିଲେ ।

 

ପରମାନନ୍ଦ ମାଷ୍ଟ୍ରଙ୍କ ଭଳି ଦାଢ଼ି ଆଉଁଶି ଆଉଁଶି ହେମଲତାଙ୍କୁ ପଚାରିଲେ–‘‘ହେମକାନ୍ତ ତୁମକୁ କ’ଣ ପଚାରୁଛନ୍ତି ଶୁଭୁଛି ?’’

 

ହେମଲତା ଚମକି ପଡ଼ିଲାପରି ହେଲେ ଏବଂ ପରମାନନ୍ଦଙ୍କ ମୁହଁକୁ ଚାହିଁ ରହିଲେ ।

 

‘‘ତୁ ଏତେଦିନ ଯାଏଁ କେଉଁଠିଥିଲୁ ମା’ ?’’ ପରମାନନ୍ଦ ପଚାରିଲେ ।

 

ମୁଁ ଓ ମୋ ବୋଉ ବହୁଦିନ ପର୍ଯ୍ୟନ୍ତ ମାଟି ଭିତରେ ପୋତି ହୋଇ ରହିଥିଲୁ ।

 

‘‘ମାଟି ଭିତରେ ?’’ ହେମକାନ୍ତ ବିସ୍ମିତ ହୋଇ ପଚାରିଲେ ।

 

ହେମଲତା କହି ଚାଲିଲେ–ଦୁଇବର୍ଷ ତଳର କଥା ମନେପକାଅ । ସେ ବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ପୂର୍ବ ଦିନ ତୁମେ ବୋଉକୁ ଓ ମୋତେ ଚନ୍ଦନବଜାରଠାରେ କଟକ ବସ୍‍ରେ ବସାଇ ଦେଇଥିଲ ।

 

‘‘ହଁତ ! ସେହି ଦିନଠାରୁ ମୁଁ ତୁମର କୌଣସି ଖବର ଏପର୍ଯ୍ୟନ୍ତ ପାଇନାହିଁ । ବହୁତ ଆଡ଼ ଖୋଜିଛି । ନଖାଇ ନପିଇ ନଶୋଇ ବହୁ ସ୍ଥାନ ବୁଲିଛି ।’’ ହେମକାନ୍ତ କହିଲେ ।

 

‘‘ଚନ୍ଦନବଜାର ବସ୍ ନେଇ ଆମକୁ କଟକ ବାଦାମବାଡ଼ି ବସ୍‌ ଷ୍ଟାଣ୍ତରେ ଓହ୍ଲାଇ ଦେଲା । ତୁମେ କହିଥିବା ମୁତାବକ ବସ୍‍ର କଣ୍ତକ୍ଟର୍ ଯାଇ ଆମକୁ ଗୋଟିଏ ଘରୋଇ ପୁରୀ ବସ୍‍ରେ ବସାଇ ଦେଇ ଆସିଲା ।’’

 

‘‘ତା’ପରେ ? ହେମକାନ୍ତ ପଚାରିଲେ ।’’

 

ପରମାନନ୍ଦ ଦାଢ଼ିରେ ହାତ ବୁଲାଇ ସ୍ମିତ ହସି କହିଲେ–‘‘କହିଯା, କହିଯା ମା’ ।’’

 

ସଦାନନ୍ଦବାବୁ, ରବୀନ୍ଦ୍ର ଓ ଭରତ ସ୍ଥାଣୁଭଳି ଠିଆ ହୋଇଥିଲେ ।

 

ହେମଲତା କହି ଚାଲିଲେ–‘‘ସେ ବସ୍‌ର ଇଞ୍ଜିନ୍ ଖରାପ ହେବାରୁ ପୁରୀ ଯିବାରେ ଡେରି ହେଲା । ଅନ୍ୟ ଗୋଟିଏ ଘରୋଇ ପୁରୀ ବସ୍‌ ସେତେବେଳକୁ ପୁରୀ ବାହାରୁଥିଲା । ଏ ବସ୍‍ରୁ ବହୁ ଯାତ୍ରୀ ଓହ୍ଲାଇ ଯାଇ ସେ ବସ୍‍ରେ ବସିଲେ । ଆମେ ବୋଉର ମୋର ସେମାନଙ୍କ ସହିତ ଯାଇ ସେ ବସ୍‍ର ଗୋଟିଏ ଝରକା ପାଖରେ ଜାଗା ପାଇ ବସିଲୁ । ବସ୍‍ଟି ଅଳ୍ପ ସମୟ ମଧ୍ୟରେ ଯାତ୍ରୀରେ ଭରପୂର ହୋଇଗଲା ଏବଂ ପୁରୀ ଛାଡ଼ିଲା । ବସ୍‍ରେ ବସିଥିବା ସମସ୍ତ ଯାତ୍ରୀ ପୁରୀ ଯାଉଥିବାରୁ ବସ୍‌ଟି ବାଟରେ ଆଉ କେଉଁଠି ନ ଅଟକି ଖୁବ୍‌ ଜୋରରେ ଯାଉଥାଏ । ଯେତେବେଳେ ବସ୍‌ଟି ରାସ୍ତାରେ ଆଗ ବସ୍‍କୁ କଟାଇ ତା’ ଆଗକୁ ଚାଲିଯାଉଥାଏ, ବହୁ ଯାତ୍ରୀ ଉତ୍ସାହରେ ତାଳି ମାରି ବସ୍‌ ଚାଳକକୁ ଉତ୍ସାହିତ କରୁଥାନ୍ତି । କେତେକ ବୟସ୍କ ଯାତ୍ରୀ ରାସ୍ତାରେ ଏତେ ଦ୍ରୁତଗତିରେ ଗାଡ଼ି, ମଟର ଚାଳାଇବା ଉଚିତ ନୁହେଁ ବୋଲି ମଝିରେ ମଝିରେ ଅବଶ୍ୟ ସତର୍କ କରି ଦେଉଥାନ୍ତି ମାତ୍ର ବସ୍‌ ଚାଳକଙ୍କ କାନରେ ସେ କଥା ପଡ଼ୁଥାଏ କି ନାହିଁ ସନ୍ଦେହ ।’’

 

‘‘ତା’ପରେ ?’’ ହେମକାନ୍ତଙ୍କ ମୁହଁରୁ ଆପେଆପେ ବାହାରି ଆସିଲା ।

 

ହେମଲତାଙ୍କ ଚନ୍ଦ୍ରମୁଖରେ କ୍ରମେ କାଳିମାର ଛାଇ ଦେଖାଗଲା । କଣ୍ଠ ଶୁଖି ଆସିଲା । ଲାଜକୁଳୀ ଲତାଟି ଭଳି ଝାଉଁଳି ପଡ଼ିଲା ଭଳି କହିଲେ ବସ୍‌ଟି ଫୁଲନଖରା, ଭୁବନେଶ୍ୱର, ପିପିଲି, ସାକ୍ଷୀଗୋପାଳ ଡେଇଁ ସେହିଭଳି ଦ୍ରୁତଗତିରେ ପୁରୀ ଆଡ଼କୁ ଚାଲିଥାଏ । ସମଯାଜପୁର ଗେଟ୍‌ ପାଖରେ ଟ୍ରେନ୍‍ ଆସୁଥିବାରୁ ହଠାତ୍‌ ଗେଟ୍‌ଟି ପଡ଼ିଗଲା । ବସ୍‍ ଚାଳକ ବାଡ଼ିକୁ ରୋକିବାପାଇଁ ବ୍ରେକ୍ ଦେଲା; ହେଲେ ରୋକି ପାରିଲା ନାହିଁ ।’’

 

‘‘କ’ଣ ଦୁର୍ଘଟଣା ଘଟିଲା ?’’ ଅଶ୍ରୁଳ ନୟନରେ ହେମକାନ୍ତ ପଚାରିଲେ ।

 

ହେମଲତା କହିଲେ–ହଠାତ୍‌ ବସ୍ ଚାଳକ ବ୍ରେକ୍ ଦେଇ ରୋକିବାକୁ ଉଦ୍ୟମ କରିବା ଫଳରେ ବସ୍‌ଟି ବୁଲିପଡ଼ି ପାଖରେ ଥିବା ଗୋଟିଏ ବରଗଛରେ ଖୁବ୍ ଜୋରରେ ଧକ୍କା ଖାଇ ଆମେ ବସିଥିବା ଡାହାଣ ପାଖ ଯୋର ଭିତରକୁ ଓଲଟି ପଡ଼ିଲା ।’’

 

ପରମାନନ୍ଦଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ମୁହଁରୁ ଏକାବେଳକେ ବାହାରି ଆସିଲା–ହେ ଭଗବାନ !

 

ହେମଲତା ଅତି କରୁଣ କଣ୍ଠରେ କହିଲେ–ସେହି ଦୁର୍ଘଟଣା ସ୍ଥାନରେ ବହୁ ଲୋକ ମରିଗଲେ । ଘଟଣା ଘଟିବା ପରେ ପରେ ବହୁ ଲୋକ ଜମା ହୋଇଗଲେ । ପୁରୀ, ସାକ୍ଷୀଗୋପାଳରୁ ଡାକ୍ତର, ପୁଲିସ ଆସି ପହଞ୍ଚିଲେ । ଆହତ, ମୃତ ଲୋକଙ୍କୁ ଉଦ୍ଧାର ଓ ଚିକିତ୍ସା କରିବାରେ ସମସ୍ତେ ଲାଗିଗଲେ । ଯେଉଁମାନେ ଅଳ୍ପ ଆହତ ହୋଇଥିଲେ, ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଗଲା । ଯେଉଁମାନେ ମରିଯାଇଥିଲେ ସେମାନଙ୍କୁ ଓ ଗୁରୁତର ଆହତ ଲୋକମାନଙ୍କୁ ଆମ୍ୱୁଲାନ୍‌ସ୍‍ରେ ଓ ଅନ୍ୟ ଗାଡ଼ିରେ ପୁରୀ ନିଆଗଲା ।’’

 

‘‘ମୁଁ ତ ସେହି ବସ୍‌ ଦୁର୍ଘଟଣାରେ ମରିଥିବା ଲୋକଙ୍କ ଫଟୋଚିତ୍ର ପୁରୀ ସଦର ପୁଲିସ ଥାନା ଓ ସାକ୍ଷୀଗୋପାଳ ପୁଲିସ ଥାନାରୁ ଦେଖିଲି । ସେଥିରେତ ବୋଉଙ୍କର କି ତୁମର ଫଟୋଚିତ୍ର କିମ୍ୱା ତାଲିକାରେ ନାଁ ସୁଦ୍ଧା ନଥିଲା ? ପୁରୀ ଡାକ୍ତରଖାନା, ସାକ୍ଷୀଗୋପାଳ ଡାକ୍ତରଖାନାକୁତ ଯାଇ ସେଦିନର ରେଜିଷ୍ଟର ଦେଖିଲି । ମାତ୍ର ଆହତ ବ୍ୟକ୍ତିଙ୍କ ଭିତରେ ତୁମେ ଦୁହେଁତ କାହିଁ ନଥିଲ ।’’ ହେମକାନ୍ତ ବିସ୍ମିତ ହୋଇ ପଚାରିଲେ ।

 

‘‘ଆମେ ଦୁହେଁ କୁଆଡ଼ୁ ଆସିବୁ ? ବସ୍‌ର ଝରକା ପାଖରେ ଆମେ ଯେଉଁମାନେ ବସିଥିଲୁ ବସ୍ ଓଲଟିବା ସମୟରେ ଯୋର ଭିତରକୁ ଛିଡ଼ିକି ପଡ଼ିଲୁ । ଆମ ଉପରେ ବସ୍‌ ରହି ଆମକୁ ପଙ୍କ ଭିତରେ ଚାପିଦେଲା । ସେହି ଚାରି ଆଠ ଘଣ୍ଟା ଲୋକ ପଙ୍କ ପାଣି ଏକାଠି କରି ବିପନ୍ନ ଲୋକଙ୍କୁ ଖୋଜିଲେ । ଯାହାକୁ ପାଇଲେ, ତାକୁ ଉପରକୁ ଆଣିଲେ । ମାତ୍ର ଯେଉଁମାନେ ବସ୍‌ ତଳେ ପଙ୍କ ଭିତରେ ପୋତି ହୋଇଗଲେ, ସେମାନଙ୍କ କଥା କେହି ଚିନ୍ତା ସୁଦ୍ଧା କଲେ ନାହିଁ-।’’

 

‘ତା’ପରେ ?’ ହେମକାନ୍ତ ମୁଣ୍ତରେ ହାତ ଦେଇ ମୁହଁକୁ ତଳକୁ କରି ପଚାରିଲେ ।

 

‘‘ଆଠଦିନ ପରେ କ୍ରୋନ୍‌ ଆସି ବସ୍‌ଟିକୁ ଉଠାଇ ରାସ୍ତା ଉପରେ ରଖିଲା । ଆମ ଉପରେ ପଙ୍କ, ପାଣି, ଦଳ ମାଡ଼ିଗଲା ।’’ ହେମଲତା ଆଉ କହିପାରିଲେ ନାହିଁ ।

 

‘‘ତୁ ପୁଣି ଏଠାକୁ କିମିତି ଆସିଲୁ ମା’ ?’’ ପରମାନନ୍ଦ ଦୀର୍ଘନିଃଶ୍ୱାସ ପକାଇ ପଚାରିଲେ-

 

‘‘କିଛିଦିନ ପରେ ପାଣି ଶୁଖିଯିବାରୁ ମୁଁ ଓ ମୋ ବୋଉ ଉପରକୁ ଆସି ଯେଉଁ ଗଛରେ ବସ୍‌ଟି ଧକ୍କା ଖାଇଥିଲା, ସେହି ବରଗଛ ଉପରେ ବସିଲୁ ।’’

 

‘‘ବୋଉ ଓ ତୁମେ ମାଟି ଭିତରେ ପୋତିହୋଇ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହି ପାରିଲ-?’’ ହେମକାନ୍ତ ଆଶ୍ଚର୍ଯ୍ୟ ହୋଇ ହେମଲତାଙ୍କ ମୁହଁକୁ ଚାହିଁ ପଚାରିଲେ ।

 

ହେମଲତାଙ୍କ ଓଠରେ ମ୍ଳାନ ହସ ଦେଖାଦେଲା । ସେ କହିଲେ–‘‘ତିନି, ଚାରି ମାସ କାଳ ପଙ୍କ ଭିତରେ ପୋତି ହୋଇ ରହିଲେ କ’ଣ ମଣିଷ ବଞ୍ଚିପାରେ ? ମୋର ଓ ବୋଉର ଏବଂ ଆହୁରି ଅନେକ ଲୋକଙ୍କର ଏବେ ମଧ୍ୟ ଶରୀର ମାଟି ଭିତରେ ପୋତି ହୋଇ ରହିଛି । ସେ ଶରୀରରେ ମାଂସ ନାହିଁ, ରକ୍ତ ନାହିଁ, ଶିରାପ୍ରଶିରା ନାହିଁ, ସବୁ ପଚିଶଢ଼ି ଗଲାଣି । କେବଳ କଙ୍କାଳ ଅଛି ।’’

 

‘‘ଗଛ ଉପରେତ ବସି ରହିଲୁ । ଏଠାକୁ କିପରି ଆସିଲୁ ?’’ ପରମାନନ୍ଦ ପଚାରିଲେ ।

 

ହେମଲତା କହିଲେ–‘‘ସେହି ଗଛଉପରେ ଆମେ ଛଅମାସ କାଳ ରହିଲୁ । ସେତେବେଳେ ଆମେ କୁଆଡ଼େ ଯାଉଥିଲୁ, କୁଆଡ଼ୁ ଆସିଲୁ, କ’ଣ ଘଟଣା ଘଟିଲା କିଛି ହଠାତ୍‌ ଜାଣିପାରିଲୁ ନାହିଁ । ବୋଉତ ମୋ ପାଖେପାଖେ ଥିଲା । ଆମରି ଭଳି ବିଭିନ୍ନ ବୟସର ବହୁ ଲୋକ ସେ ଗଛରେ ରହୁଥିଲେ ଏବଂ ସେଠାରେ ଚଳପ୍ରଚଳ କରୁଥିଲେ । ଦିନେ ରାତିରେ ବୋଉ ଓ ମୁଁ ଦେଖିଲୁ, ଚନ୍ଦନବଜାରରୁ ଆମକୁ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ତକୁ ଆଣିଥିବା ବସ୍‌ର ଚାଳକ ଓ କଣ୍ତକ୍ଟର୍ ବିଭାଘର ବରଯାତ୍ରୀ ନେଇ ପୁରୀ ଯାଉଛନ୍ତି । ବୋଉର ଓ ମୋର ପୂର୍ବକଥା ସବୁ ମନେ ପଡ଼ିଲା । ବୋଉ ମନ ତା’ର ଘରବାଡ଼ି ସବୁ ଉଜୁଡ଼ି ଯାଉଥିବ ଭାବି ବ୍ୟାକୁଳ ହେଲା । ମୋ ମନ ୟାଙ୍କ ପାଖକୁ ଚାଲିଆସିବାକୁ ପ୍ରତି ମୁହୂର୍ତ୍ତରେ ଚାହିଁଲା । ହେଲେ ଏତେ ବାଟ ଆସିବୁ କିମିତି-? ବାଟତ ଆମେ ଦେଖିନୁ । ଦୁଇଦିନ ପରେ ଚନ୍ଦନବଜାରର ସେହି ବସ୍‌ଟି ବରକନ୍ୟା ନେଇ ପୁଣି ସେହି ବାଟେ ଫେରିଲା । ହେଲେ ସେତେବେଳକୁ ଦିନ ପ୍ରାୟ ଦଶଟା । ଆମେ ଆଉ ଦିନରେ ସେ ବସ୍‌ରେ ଆସି ପାରିଲୁ ନାହିଁ ।’’

 

‘‘କାହିଁକି ? ଦିନରେ ଆସିବାରେ ଅସୁବିଧା କ’ଣ ଥିଲା ?’’ ହେମକାନ୍ତ ପଚାରିଲେ ।

 

ହେମଲତା ଦୀର୍ଘନିଃଶ୍ୱାସ ପକାଇ କହିଲେ–‘‘ମଣିଷ ପଞ୍ଚିଥିଲାବେଳେ ବହୁ ନୀତିନିୟମର ବ୍ୟତିକ୍ରମ କରି ମନଇଚ୍ଛା କେତେକ କାମ କରିଯାଏ । ଯିବା ଆସିବାର ତା’ର ମଧ୍ୟ ସ୍ୱାଧୀନତା ଥାଏ । ଆମ୍ଭେମାନେ ଦିନର ସବୁ ସମୟରେ ଯାଇ ଆସି ପାରୁନାହୁଁ । ଯିବା ଆସିବାପାଇଁ ଆମ୍ଭମାନଙ୍କର କେତେକ ନିର୍ଦ୍ଦିଷ୍ଟ ସମୟ ରହିଛି ।’’

 

‘‘ତା’ପରେ ?’’ ପରମାନନ୍ଦ ପଚାରିଲେ ।

 

‘‘ଆମେ ଚନ୍ଦନବଜାର ବସ୍‌କୁ ଅପେକ୍ଷା କରି ସେଠାରେ ବହୁଦିନ ରହିଗଲୁ । ମାତ୍ର ସେ ବସ୍‌ ଆଉ ଆସିଲା ନାହିଁ । ତେଣୁ ବୋଉର ମୋର ଚାଲି ଚାଲି ଆସିବାକୁ ଠିକ୍‌ କରି ଆସି ଏଠାରେ ପହଞ୍ଚିବାରେ ଏତେଦିନ ଲାଗିଗଲା । ବୋଉ ମୋତେ ମଙ୍ଗଳପୁର ଗାଁମୁଣ୍ତରେ ଛାଡ଼ି ଦେଇ ତା’ ଗାଁକୁ ଚାଲିଗଲା । ମୁଁ ଶ୍ମଶାନ ପାଖ ଆମ୍ୱ ଗଛରେ ଥିଲି । ମଙ୍ଗଳପୁର ଓ ପାଖ ଅଞ୍ଚଳର ବହୁ ଲୋକ ସେଠାରେ ଅଛନ୍ତି । ମଝିରେ ମଝିରେ ଏ ଘରକୁ ଆସେ । ଦେଖେ ଘର ବାହାରୁ ଚାବି ପଡ଼ିଛି । ଅଗଣାରେ ବହୁ ସମୟ ଧରି ବସେ । ପୂର୍ବ କଥା ମନେ ପଡ଼େ । କାନ୍ଦ ଲାଗେ । ପୁଣି ଆମ୍ୱ ଗଛ ଉପରକୁ ଫେରିଯାଏ । ଏହା ଭିତରେ ବୋଉ ପାଖକୁ ଚାଲିଗଲି । ତା’ ପାଖରେ ଅନେକ ଦିନ ରହିଗଲି । ସେ ଦିନ ସନ୍ଧ୍ୟାରେ ଆସି ଦେଖିଲି, ଏଘରେ ଖିଆପିଆ ଗହଳଚହଳ ଲାଗିଛି । ମୋର ଆଉ ଏଘର ଛାଡ଼ି ଚାଲିଯିବାକୁ ଇଚ୍ଛା ହେଲା ନାହିଁ । ମୁଁ ଏଇ ଶୋଇବା ଘରେ ରହିଲି । ଦେଖିଲି, ଖିଆପିଆ ଶେଷରେ ଅନ୍ୟ ଗୋଟିଏ ଝିଅକୁ ଆଣି କାନ୍ତିଅପା, ବାସନ୍ତୀଅପା ଶୋଇବା ଘରେ ଛାଡ଼ି ଦେଇ କବାଟ ଆଉଜାଇ ଦେଇ ଗଲେ । ମୁଁ ଜାଣିପାରିଲି ମୋ ସ୍ୱାମୀ ମୋତେ ଭୁଲି ଗଲେଣି । ଅନ୍ୟ ଗୋଟିଏ ଝିଅକୁ ବିବାହ କରିଛନ୍ତି, ଆଜି ଚଉଠି । ମୋ ମନ ଦୁଃଖ ଓ ବେଦନାରେ ପୂରିଗଲା, କାନ୍ଦ ମଡ଼ିଲା । ସ୍ୱାମୀଙ୍କ ଉପରେ ମୁଁ ଭୀଷଣ ବିରକ୍ତ ହୋଇ ପଡ଼ିଲି । ପୁଣି ଭାବିଲି–ମୁଁ ତ ଏତେଦିନ ବାହାରେ ରହିଗଲି । ସେ ବା ଚଳନ୍ତେ କିପରି ? କେତେଦିନ ବା ହୋଟେଲରେ ଖାଆନ୍ତେ ? ଅନିଶ୍ଚିତ ଅବସ୍ଥାରେ ମୋତେ ଅପେକ୍ଷା କରି ରହନ୍ତେ ? ମାତ୍ର ସେ ଝିଅଟି ମୋ ସ୍ୱାମୀଙ୍କ ପାଖରେ ରହିବ, ଏକଥା ମୁଁ ସହି ପାରିଲି ନାହିଁ । ସେ ଦିନ ରାତିରେ ତା’ ଦେହରେ ପଶି ତାକୁ କନ୍ଦାଇଲି । ପ୍ରକୃତରେ ସେ କାନ୍ଦୁ ନଥିଲା । ମୋ ହୃଦୟ ଥରାଇ ଯେଉଁ କାନ୍ଦ ପେଟ ଭିତରୁ ବାହାରି ଆସୁଥିଲା, ତାହାହିଁ ତା’ ମୁହଁରେ ପ୍ରକାଶ ପାଉଥିଲା । ସେ କିଛି ଜାଣିପାରୁନଥିଲା । ମାତ୍ର ୟେ ତା’ ଉପରେ କ୍ରମେ ବିରକ୍ତ ହୋଇ ଉଠୁଥିଲେ ଓ ନାନାପ୍ରକାର ସନ୍ଦେହ କରୁଥିଲେ । ଶେଷରେ ଦେଖିଲି, ତାକୁ ଏଘରୁ ନ ତଡ଼ିଲେ ମୁଁ ନିଶ୍ଚିନ୍ତରେ ଚଳି ପାରିବି ନାହିଁ । ତେଣୁ ତାକୁ ପରିଷ୍କାର ଭୟ ଦେଖାଇ କହିଲି–ତୁ ଏ ଘରୁ ଚାଲିଯା, ନହିଲେ ମୁଁ ତୋର କ୍ଷତି କରିବି । ସେ ସାତମଙ୍ଗଳା ଦିନ ଉପରବେଳା କାନ୍ତି ଅପା, ବାସନ୍ତୀ ଅପା ତାଙ୍କ ଗାଁକୁ ଯିବା ପଛେ ପଛେ ଚାଲିଗଲା । ମୁଁ ତା’ରି ରୂପଧରି ଏଘରେ ରହିଛି ।’’

 

‘‘ହେମଲତା !’’ ହେମକାନ୍ତଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ସେ କେତେକଅଣ ପରାରିବେ ବୋଲି ଭାବୁଥିଲେ, ମାତ୍ର ପଚାରି ପାରିଲେ ନାହିଁ । ତାଙ୍କ ମୁଣ୍ତ ଯେପରିକି ଘୂରାଇ ଦେଲା ଭଳି ଜଣାଗଲା । ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା ପରି ଲାଗିଲା ।

‘‘ତୁ କ’ଣ ଚାହୁଁଛୁ ମା’ ?’’ ପରମାନନ୍ଦ ଧୀର ନରମ ଗଳାରେ ହେମଲତାଙ୍କୁ ପଚାରିଲେ-

‘‘ମୁଁ ଏଘରେ ମୋ ସ୍ୱାମୀଙ୍କ ପାଖରେ ଯେମିତି ରହିଥିଲି, ସେମିତି ରହିବି ।’’ ହେମଲତା ଅତି ଅନୁନୟ କଣ୍ଠରେ କହିଲେ ।

‘‘ମଣିଷ କ’ଣ ଭୂତପ୍ରେତଙ୍କ ପାଖରେ ରହିପାରିବ ? ତା’ପରେ, ତୋ ମନରେ କାମନା, ବାସନା ଥିବା ପର୍ଯ୍ୟନ୍ତ ତୋର ତ ମୁକ୍ତି ହେବ ନାହିଁ । ଇମିତି ତୁ ଘୂରି ବୁଲି କଷ୍ଟ ପାଉଥିବୁ । ମୁଁ ଆସିଛି ବୋଲି, ତୁ କିପରି ଶାନ୍ତି ପାଇବୁ, ଏ ପ୍ରେତ ଜନ୍ମରୁ ମୁକ୍ତି ପାଇବୁ, ମୁଁ ଚିନ୍ତା କରୁଛି ବା ତତେ ପଚାରୁଛି । କିନ୍ତୁ ଅନ୍ୟ କେହି ଗୁଣିଆ ଆସିଥିଲେ ସେ ହୁଏତ ତତେ କାଠଫରୁଆରେ ପୂରାଇ ମାଟିରେ ପୋତି ପକାନ୍ତା ବା ମନ୍ତ୍ରଦ୍ୱାରା ବାନ୍ଧି ପକାଇ ଆହୁରି କଷ୍ଟ ଦିଅନ୍ତା । ଲୁହା କଣ୍ଟା ଦେଇ କିଳି ଦିଅନ୍ତା । ତୁ ଘରକୁ ବା ଗାଁ ଭିତରକୁ ପଶି ପାରନ୍ତୁ ନାହିଁ ।’’ ତନ୍ତ୍ର ସାଧକ ପରମାନନ୍ଦ କହିଲେ-

ଏହି ସମୟରେ ସେ ଘରେ ଖୁବ୍‌ ଜୋରରେ ଗୋଟିଏ ଜିନିଷ ଖସି ପଡ଼ିଲା ପରି ଶବ୍ଦ ହେଲା । ପରମାନନ୍ଦଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଚମକି ପଡ଼ିଲେ । ଏଣିକି, ତେଣିକି ଚାହିଁଲେ, ମାତ୍ର କାହାରିକୁ କିଛି ଦେଖା ଗଲା ନାହିଁ ।

କିଛି ସମୟ ପରେ ଖଟ ପାଖ କୋଣରୁ ଗୋଟିଏ ବୟସ୍କା ସ୍ତ୍ରୀଲୋକର ସ୍ୱର ଶୁଣାଗଲା-। ସେ କହୁଥିଲେ–ପରମାନନ୍ଦ, ପିଲାଟିକୁ ଏତେକଥା କ’ଣ କହୁଛୁ ? କେତେବେଳୁ ତାକୁ ବସାଇ ରଖିଲୁଣି ? ତାକୁ କଷ୍ଟ ହେବନି ?

 

‘‘କିଏ ସେ ?’’ ପରମାନନ୍ଦ ଦୃଢ଼କଣ୍ଠରେ ପଚାରିଲେ ।

 

‘‘ତୁ ମୋତେ ଚିହ୍ନି ପାରୁନୁ ? ହଁ, କାହିଁକି ଚିହ୍ନିବୁ ? ସ୍ୱାମୀତ ସ୍ତ୍ରୀକୁ ଚିହ୍ନି ପାରୁନି, ପୁଅ ତା’ ମା’କୁ ଚିହ୍ନି ପାରୁନି, ତୁ କେମିତି ତୋ ଅପାକୁ ଚିହ୍ନି ପାରିବୁ !’’ ସ୍ତ୍ରୀଲୋକଟିର କଣ୍ଠ ଦୁଃଖ ଓ ଯନ୍ତ୍ରଣାରେ ଭାଙ୍ଗି ପଡ଼ୁଥିଲା ଭଳି ଲାଗୁଥିଲା ।

 

ପରମାନନ୍ଦ ମନ୍ତ୍ର ପଢ଼ି ମୁରୁଜରେ ମୁଣ୍ତଳାଟିଏ କରୁ କରୁ ରବୀନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଲେ, ‘‘ଖଣ୍ତିଏ ପିଢ଼ା ପାଣିରେ ଧୋଇ ଆଣ ।’’

 

ରବୀନ୍ଦ୍ର ପିଢ଼ାଟିଏ ଧୋଇ ଆଣି ପରମାନନ୍ଦଙ୍କ ହାତକୁ ବଢ଼ାଇ ଦେଲେ । ପରମାନନ୍ଦ ମୁଣ୍ତଳା ଭିତରେ ପିଢ଼ାଟି ପକାଇ ହେମଲତାଙ୍କ ଉଦ୍ଦେଶ୍ୟରେ ପଚାରିଲେ, ‘‘ସେ କିଏ ?’’

 

ହେମଲତା କହିଲେ–‘‘ମୋ ବୋଉ ।’’

 

ପରମାନନ୍ଦ ଡାକିଲେ–‘‘ଏହି ପିଢ଼ା ଉପରକୁ ଆସ ।’’

 

କୌଣସି ଧଡ଼ି ନଥିବା ଧଳା ଶାଢ଼ିଟିଏ ପିନ୍ଧି ବୁଢ଼ୀଟିଏ ଆସି ସେ ପିଢ଼ା ଉପରେ ବସିଲେ । ହେମକାନ୍ତ ଶାଶୁଙ୍କୁ ତାଙ୍କର ଚିହ୍ନି ପାରି ଲମ୍ୱ ହୋଇ ଗୋଡ଼ତଳେ ପଡ଼ି ବେହୋସ ହୋଇଗଲେ ।

 

ପରମାନନ୍ଦ ଇଙ୍ଗିତରେ ରବୀନ୍ଦ୍ରଙ୍କୁ କହିଲେ–ହେମକାନ୍ତଙ୍କୁ ଅନ୍ୟଘରକୁ ନେଇଯିବାକୁ ।

 

ସଦାନନ୍ଦବାବୁ, ରବୀନ୍ଦ୍ର ଓ ଭରତ ହେମକାନ୍ତଙ୍କୁ ଧରି ଅନ୍ୟ ଘରକୁ ନେଇ ଗଲେ ଏବଂ ତାଙ୍କୁ ମସିଣା ପକାଇ ଶୁଆଇ ଦେଇ ମୁହଁରେ ପାଣି ଛିଞ୍ଚି, ବିଞ୍ଚଣାରେ ବିଞ୍ଚି ଚେତା କରାଇବାକୁ ଚେଷ୍ଟା କଲେ । ସେ ଘରେ ଆଗରୁ ଲକ୍ଷ୍ମୀ ଓ ତାଙ୍କ ବୋଉ କମଳା ଆସି ଥିଲେ ।

ହେମକାନ୍ତଙ୍କ ଶୋଇବା ଘରେ କେବଳ ପରମାନନ୍ଦ ଏବଂ ହେମଲତା ଓ ତାଙ୍କ ବୋଉ ସାବିତ୍ରୀ ଦେବୀଙ୍କର ପ୍ରେତାତ୍ମା ଦୁଇଟି ବସି ରହିଲେ ।

ପରମାନନ୍ଦ ଚିହ୍ନିଲେ, ସେ ତାଙ୍କର ବାପାଙ୍କର ସାନ ଭଉଣୀ । ତାଙ୍କ ପାଟିରୁ ହଠାତ୍‌ ବାହାରି ଆସିଲା–‘‘କିଏ ସାବିତ୍ରୀ ଅପା !!’’

‘‘ତୁ ଏତେବେଳକେ ଯାଇ ଚିହ୍ନିଲୁ ?’’

ସାବିତ୍ରୀ ଦେବୀ ମୁହଁ ଶୁଖାଇ କହିଲେ ।

‘‘ଏ ତୁମରି ଝିଅ ହେମ ?’’ ଦୀର୍ଘନିଃଶ୍ୱାସ ପକାଇ ପରମାନନ୍ଦ ପଚାରିଲେ ।

ସାବିତ୍ରୀ ଦେବୀ ମୁଣ୍ତ ହଲାଇ ହଁ କଲେ । କହିଲେ–‘‘ଗାଁରେ ଥିଲି । ମୋତେ କାହିଁକି ଲାଗିଲା–ମୋ ଝିଅ ବିପଦରେ ପଡ଼ିଛି । ମୋତେ ଖୋଜୁଛି ।’’

‘‘ମୁଁ ହେମଠାରୁ ସବୁ ଶୁଣିଲିଣି । ଅପା, ଏଥର ତୁମେ କୁହ–ତୁମର ଆତ୍ମା ଦୁଇଟି କିପରି ମୁକ୍ତ ହେବ, ଶାନ୍ତି ପାଇବ, ଏଥିପାଇଁ ତୁମେ କ’ଣ ଚାହୁଁଛ ?’’ ପରମାନନ୍ଦ ଅତି ବିନୟର ସହିତ ପଚାରିଲେ ।

 

‘‘ଆମେତ ଗଲୁଣି । ଆଉ ମୋହ, ମାୟା ରଖି ସଂସାରରେ ଘାଣ୍ଟି ହେବା ମୁଁ କାହିଁକି ଭଲ ମନେ କରୁନି ।’’ ଟିକିଏ ରହି ସାବିତ୍ରୀ କହିଲେ–‘‘ତୋ ଶଳା ନାଁ ସଦାନନ୍ଦ ପରା ? ତା’ରି ଝିଅକୁ ହେମକାନ୍ତ ପୁଣି ବିବାହ କଲା ?’’

 

‘ହଁ’ ।

 

‘‘ଦୀର୍ଘ ନିଃଶ୍ୱାସ ପକାଇ ସାବିତ୍ରୀ ଦେବୀ କହିଲେ–‘‘ହେମକାନ୍ତ, ସଦାନନ୍ଦ, ତା’ ପୁଅ, ଝିଅ ସ୍ତ୍ରୀ, ସମସ୍ତଙ୍କୁ ଏଠାକୁ ଡାକ । ମୋ ମନର କଥା ସମସ୍ତଙ୍କ ଆଗରେ କହି ଦେଇ ଆମେ ମା’, ଝିଅ ଏଠାରୁ ଚାଲିଯିବୁ ।’’ ବେଦନା ଭରା ହୃଦୟର ଭାଷା ଯେପରିକି ସାବିତ୍ରୀ ଦେବୀ ଓ ହେମଲତାଙ୍କ କଣ୍ଠରୁ ପ୍ରକାଶ ପାଉଥିଲା ।

 

ପରମାନନ୍ଦ ଡାକିଲେ–ରବୀନ୍ଦ୍ର, ରବୀନ୍ଦ୍ର !

 

ରବୀନ୍ଦ୍ର ଆସି ନୀରବରେ ଠିଆ ହେଲେ ।

 

ପରମାନନ୍ଦ ପଚାରିଲେ–ହେମକାନ୍ତର ଚେତା ଫେରିଲାଣି ?

 

ରବୀନ୍ଦ୍ର ମୁଣ୍ତ ହଲାଇ ‘ହଁ’ କଲେ ।

 

ବୋଉ, ତୋ ଭଉଣୀ କେହି ଆସିଛନ୍ତି ? ପରମାନନ୍ଦ ପଚାରିଲେ ।

 

‘‘ଲକ୍ଷ୍ମୀ ଆଉ ବୋଉ ଆସି ପହଞ୍ଚିଛନ୍ତି ।’’ ରବୀନ୍ଦ୍ର ଉତ୍ତର ଦେଲେ ।

 

‘‘ଏହି ଘରକୁ ସମସ୍ତଙ୍କୁ ଡାକ ।’’ ପରମାନନ୍ଦ କହିଲେ । ପରମାନନ୍ଦ ତନ୍ତ୍ର ସାଧକ ହେଲେ କ’ଣ ହେଲା, ସେତେବେଳକୁ ତାଙ୍କ ଟାଣୁଆ ପଥର ଭଳି ହୃଦୟ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ୁଥିଲା । ସେ ପଚାରିଲେ–‘‘ଅପା ! କ’ଣ ଖାଇବାକୁ ତୁମର ଇଚ୍ଛା ?’’

 

‘‘ଚିନି ଦେଇ ପଣା କରି ଆଣେ, ଶୋଷ ହେଉଛି ।’’ ସାବିତ୍ରୀ ଦେବୀ କହିଲେ ।

 

ଏହି ସମୟରେ ହେମକାନ୍ତଙ୍କ ଦୁଇ ବାହୁକୁ ସଦାନନ୍ଦବାବୁ ଓ ରବୀନ୍ଦ୍ର ଦୁଇ ପାଖରୁ ଧରି ସେ ଘରେ ପ୍ରବେଶ କଲେ । ତାଙ୍କ ପଛେ ପଛେ କମଳା, ଲକ୍ଷ୍ମୀ ଓ ଭରତ ଆସିଲେ । ପରମାନନ୍ଦ ସମସ୍ତଙ୍କ ଉଦ୍ଦେଶ୍ୟରେ ଇଙ୍ଗିତ ଦେଲେ–ସମସ୍ତେ ସାଷ୍ଟାଙ୍ଗ ପ୍ରଣାମ କର ।

 

ସାବିତ୍ରୀ ଦେବୀ କହିଲେ–ଏଥର ସମସ୍ତେ ଉଠ, ବସ ।

 

ସମସ୍ତେ ବସିଲେ ।

 

ରବୀନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପରମାନନ୍ଦ କହିଲେ–କଂସା ଢାଳକୁ ଭଲକରି ମାଜି, ଭଲ ଶୁଦ୍ଧ ଜଳରେ ଚିନି ପକାଇ ପଣା କରି ଆଣ । ଦୁଇଟି କଂସା ଗ୍ଲାସ୍‌ ମଧ୍ୟ ଭଲଭାବରେ ମାଜି ସଫା କରି ଆଣିବ ।

 

ରବୀନ୍ଦ୍ର ଓ ଭରତ ଯାଇ ପରମାନନ୍ଦଙ୍କ ନିର୍ଦ୍ଦେଶ ମତେ କଂସା ଢାଳ, ଗ୍ଲାସ୍ ମାଜି ମିଠା ହେଲା ଭଳି ଚିନି ପକାଇ ଢାଳେ ପଣା କରି ଆଣି ପରମାନନ୍ଦଙ୍କ ସାମନାରେ ରଖିଲେ । ଗ୍ଲାସ୍‌ ଦୁଇଟି ରଖି ଦେଇ ଅନ୍ୟ ଆଦେଶକୁ ସେମାନେ ନୀରବରେ ଅପେକ୍ଷା କରି ରହିଲେ, କାହାରି ତୁଣ୍ତରେ ଭାଷା ନଥିଲା ।

 

ପରମାନନ୍ଦ ପଚାରିଲେ–‘‘ଅପା, କ’ଣ କହିବୁ ବୋଲି ପରା କହୁଥିଲୁ, ସମସ୍ତେ ଆସି ବସିଲେଣି, କହ ।’’

 

ସାବିତ୍ରୀ ଦେବୀ ଓ ହେମଲତା ଜଣ ଜଣ କରି ସମସ୍ତଙ୍କ ଉପରେ ଆଖି ବୁଲାଇ ଆଣିଲେ । ହେମଲତାଙ୍କ ଆଖି ଦୁଇଟି ହେମକାନ୍ତଙ୍କ ଉପରେ ଲାଖିଗଲା ଭଳି ରହିଗଲା । ହେମକାନ୍ତ ଦୁଃଖ ଏବଂ ନୀରବରେ ତଳକୁ ମୁହଁ ପୋତିଲେ ।

 

ସାବିତ୍ରୀ ଦେବୀ କହିଲେ–‘‘ମୁଁ ମୋର ସମସ୍ତ ସମ୍ପତି ହେମକାନ୍ତ ନାଁରେ କରି ଦେଇଛି । ସେ ଉଇଲ୍‌ ଓ କବଲା ମୁଁ ଶୋଉଥିବା ଘରେ ମୋ ହାତବାକ୍ସରେ ଅଛି । ସେଥିରେ ମଧ୍ୟ ପାଞ୍ଚ ହଜାର ଅଛି । କାଲି ଯାଇ ହେମକାନ୍ତ ତାକୁ ନେଇ ଆସିବ । ତା’ର ପିଲା ଛୁଆ ହେବାପରେ ବଡ଼ପୁଅଟିକୁ ମୋ କୁଳରେ ବସାଇ ହେମକାନ୍ତ ଏହି ଜମିବାଡ଼ି ତା’ ନାଁରେ ଲେଖିଦେବ । ଟଙ୍କାରେ ମୋର ଓ ମୋ ଝିଅର ଶୁଦ୍ଧଶ୍ରାଦ୍ଧ, ଅସ୍ଥି ବିସର୍ଜନ, ପୟାଶ୍ରାଦ୍ଧ ହେବ ।’’

 

‘‘ତୁମ ଅସ୍ଥି ପାଇବୁ ବା ଚିହ୍ନିବୁ କିପରି ?’’ ପରମାନନ୍ଦ ପଚାରିଲେ ।

 

‘‘ସାକ୍ଷୀଗୋପାଳ-ଚନ୍ଦନପୁର ମଝିରେ ସମଯାଜପୁର ରେଳ ଲାଇନ୍ ଗେଟ୍‌ ରହିଛି । ସାକ୍ଷୀଗୋପାଳ ଆଡ଼ୁ ଗଲେ ସେହି ଗେଟ୍‌ ପଛକୁ ଡାହାଣ ପଟେ ଗୋଟିଏ ବରଗଛ ପଡ଼ିବ । ସେଇଠି ଆମେ ଯାଉଥିବା ବସ୍‌ ଦୁର୍ଘଟଣା ହୋଇଥିଲା । ସେହି ବରଗଛ ସିଧା ଯୋର ଭିତରକୁ ଗଡ଼ି ଯିବ । ଦେଖିବ, କଞ୍ଚା ବରଡ଼ାଳ ପଡ଼ିଥିବ । ବରଡ଼ାଳକୁ ଆଡ଼େଇ ମାଟି ଖୋଳିଲେ ଦୁଇଟି କଙ୍କାଳ ସେହି ମାଟି ଭିତରୁ ପାଇବ । ଗୋଟିଏ ହେଉଛି ମୋର ଏବଂ ଅନ୍ୟଟି ହେଉଛି ହେମଲତାର । କଙ୍କାଳ ଦୁଇଟି ଦେଖିଲେ କିଏ କାହାର ନିଶ୍ଚିତ ଭାବରେ ଚିହ୍ନି ପାରିବ । ହେମକାନ୍ତତ ଆମ ଗ୍ରାମ ଚନ୍ଦ୍ରଶେଖରପୁର ଯିବା ଦରକାର ନାହିଁ । ଏହି ଘରେ ଆମ ଦୁହିଁଙ୍କୁ ଶୁଦ୍ଧି ହୋଇ ପଡ଼ିଲେ ଚଳିବ । ମୋର କ୍ରିୟା ହେମକାନ୍ତ ଧରିବ । ହେମଲତାର କ୍ରିୟା ହେମକାନ୍ତ ଶଳା ଧରିବ । ଧାର ଉଧାର କରିବ ନାହିଁ । ଏହି ପାଞ୍ଚ ହଜାର ଟଙ୍କା ଭିତରୁ ଶୁଦ୍ଧଶ୍ରାଦ୍ଧରେ ଚାରି ହଜାର ଟଙ୍କା ଖର୍ଚ୍ଚ କରିବ । ମଙ୍ଗଳପୁର ଓ ଚନ୍ଦ୍ରଶେଖରପୁର ଗାଁ ଲୋକଙ୍କୁ ଡାକି ପେଟଭରି ଖାଇବାକୁ ଦେବ ଆଉ ଅବଶିଷ୍ଟ ଏକହଜାର ଟଙ୍କାରେ ଗୟାରେ ଯାଇ ଆମ ଦୁଇଜଣଙ୍କର ଅସ୍ଥି ବିସର୍ଜନ କରିବ ଏବଂ ଶ୍ରାଦ୍ଧ ଦେଇ ଫେରିବ । ବାର ଶ୍ରାଦ୍ଧ ଦିନ ଦଶଟି ଲୋକଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବାଇଶି ପାହାଚ ଉପରେ ମହାପ୍ରସାଦ ଖାଇବାକୁ ଦେବ । ମୁଁ ଯାହା କହିଲି ସବୁ ଗୋଟି ଗୋଟି ମନେରଖିବ ଏବଂ ସେହି ଅନୁସାରେ କରିବ ।’’

 

ପରମାନନ୍ଦଙ୍କ ସମେତ ସମସ୍ତେ ମୁଣ୍ତ ହଲାଇ ସମ୍ମତି ଜଣାଇଲେ ।

 

ସାବିତ୍ରୀ ଦେବୀ ପୁଣି କହିଲେ–‘‘ତୁ ପରମାନନ୍ଦ ନିଜେ ରହି କାଲିଠାରୁ ରହି ଏ କାମ ଯେପରି ନିଷ୍ଠା ଓ ବିଧି ପୂର୍ବକ ହୁଏ, ଦେଖିବୁ ।’’ ଟିକିଏ ରହି କହିଲେ–‘‘କାହିଁ, ପଣା ଆଣିଥିଲୁ ପରା, ଭାରିଶୋଷ ହେଲାଣି, ଦେ !’’

 

ପରମାନନ୍ଦ ଦୁଇଟି ଗ୍ଲାସ୍‌ରେ ଅଜାଡ଼ି ଦେଲେ । ମାତ୍ର ସାବିତ୍ରୀ ଦେବୀ କହିଲେ, ‘‘ହେମକାନ୍ତ ହାତକୁ ଦେ । ସେ ଦେଖିଲେ, ତା’ହାତରୁ ଆମେ ଦୁଇଜଣଯାକ ପାଣି ପାଇଲେ ଆମ ପିଣ୍ତ ଶୀତଳ ହେବ ।’’ ହେମକାନ୍ତ ପ୍ରାଣହୀନ ପିତୁଳାଟିଏ ଭଳି ଆଗେଇ ଆସି ଗୋଟିଏ ପଣା ଗ୍ଲାସ୍‌ ସାବିତ୍ରୀ ଦେବୀଙ୍କ ହାତକୁ ଓ ଅନ୍ୟ ଗ୍ଲାସ୍‍ଟି ହେମଲତାଙ୍କ ହାତକୁ ବଢ଼ାଇ ଦେଲେ । ଗ୍ଲାସ୍ ବଢ଼ାଇ ଦେବା ସମୟରେ ତାଙ୍କର ଗୋଡ଼ଠାରୁ ମୁଣ୍ତ ପର୍ଯ୍ୟନ୍ତ ଥରି ଉଠୁଥାଏ । ଅଳ୍ପ ସମୟ ପରେ ଗ୍ଲାସ୍ ଦୁଇଟି ଭୂଇଁରେ ଖସି ପଡ଼ି ଠଣଠଣ ଶବ୍ଦ କଲା । ମାତ୍ର ଆଉ ସେଠାରେ ହେମଲତା ବା ସାବିତ୍ରୀ ଦେବୀ କେହି ନଥିଲେ । କେବଳ ଶୂନ୍ୟରୁ ଶୁଭିଲା ‘‘ମୋ କଥା ଅନୁସାରେ କାଲିଠାରୁ ଯେପରି କାମ ଆରମ୍ଭ ହୁଏ ସେଥିପ୍ରତି ଧ୍ୟାନ ରଖିବ । ତୁ ପରମାନନ୍ଦ ନିଜେ ରହି ଏସବୁ ବ୍ୟବସ୍ଥା କରାଇବୁ । ହେମକାନ୍ତ ପିଲା ତାକୁ ସମସ୍ତେ ସାହାଯ୍ୟ କରିବ ।’’ ‘‘ବୋଉ, ବୋଉ’’ ‘‘ହେମଲତା, ହେମଲତା’’ ବୋଲି ପାଟି କରି କାନ୍ଦି ଉଠିଲେ ହେମକାନ୍ତ । ସେମାନେ ବସିଥିବା ଜାଗାକୁ ପାଗଳଙ୍କ ଭଳି ଅଣ୍ତାଳିବାରେ ଲାଗିଲେ ।

 

ରବୀନ୍ଦ୍ର ଓ ସଦାନନ୍ଦବାବୁ ଦୁଇପଟୁ ହେମକାନ୍ତଙ୍କର ଦୁଇ ହାତକୁ ଧରି ଅନ୍ୟ ଘରକୁ ନେଇଗଲେ । ତାଙ୍କ ପଛେ ପଛେ କ୍ଷିପ୍ର ବେଗରେ ଯାଉଥିଲେ ଲକ୍ଷ୍ମୀ ଓ କମଳା ।

 

–ଏକୋଇଶି–

 

ରାତି ପାହି ସକାଳ ହେଲା । ହେମକାନ୍ତଙ୍କ ସାଙ୍ଗରେ ସଦାନନ୍ଦବାବୁ ଓ ରବୀନ୍ଦ୍ର ଚନ୍ଦ୍ରଶେଖରପୁର ଗାଁକୁ ଗଲେ । ହେମକାନ୍ତ ଗଲାବେଳେ ହେମଲତାଙ୍କ ହାତବାକ୍ସ ଖୋଜି ସାବିତ୍ରୀ ଦେବୀଙ୍କ ଘରର ଚାବିଟି ନେଇଥିଲେ । ଦାଣ୍ତଦୁଆର କବାଟ ଖୋଲିଲାବେଳେ ହେମକାନ୍ତଙ୍କ ଦୁଇ ଆଖିରୁ ଝରଣା ଭଳି ଲୁହ ବୋହି ଯାଉଥିଲା । ପୂର୍ବସ୍ମୃତି ସବୁ ମନେ ପଡ଼ୁଥିଲା । ସଦାନନ୍ଦବାବୁ ଓ ରବୀନ୍ଦ୍ର ଦେଖିଲେ, ଦୁଇବର୍ଷ ହେଲା ଘରଟି ବନ୍ଦ ହୋଇ ରହିଥିଲେ ସୁଦ୍ଧା ଖୁବ୍‌ ପରିଷ୍କାର ପରିଚ୍ଛନ୍ନ ଦିଶୁଛି । ସାବିତ୍ରୀ ଦେବୀଙ୍କର ପ୍ରେତାତ୍ମା ଯେ ଏଘରେ ଏତେ ଦିନ କାଳ ରହୁଥିଲା, ତାହା ଘରର ସାଜସଜ୍ଜୀ ଓ ପରିଷ୍କାର ପରିଚ୍ଛନ୍ନତାରୁ ବେଶ୍‌ ଅନୁମାନ କରି ହେଉଛି ।

ଗୋଟିକ ପରେ ଗୋଟିଏ କବାଟ ଖୋଲି ସମସ୍ତେ ସାବିତ୍ରୀ ଦେବୀଙ୍କ ଶୋଇବା ଘରକୁ ଗଲେ । ଦେଖିଲେ, ବୁଢ଼ୀ ଯେଉଁ ଖଟଟିରେ ଶୋଉଥିଲେ, ସେହି ଖଟ ଉପରେ ରେଜେଇ ତକିଆ ବେଡ଼୍‍ସିଟ୍‌ ସତେବା କିଛି ସମୟ ପୂର୍ବରୁ କେହି ଝାଡ଼ି, ସଜାଇ ପକାଇଥିଲା ଭଳି ଲାଗୁଥିଲା । ହେମକାନ୍ତ ସାବିତ୍ରୀ ଦେବୀଙ୍କ ହାତବାକ୍ସ ଖୋଲି ଟଙ୍କା ଓ ଉଇଲ୍‌ ବାହାର କଲେ । ରବୀନ୍ଦ୍ର ଟଙ୍କା ଥାକଟି ହେମକାନ୍ତଙ୍କ ହାତରୁ ନେଇ ଗଣିଲେ । ଦେଖିଲେ, ଠିକ୍‌ ପାଞ୍ଚ ହଜାର ଟଙ୍କା ରହିଛି । ସଦାନନ୍ଦବାବୁ ଉଇଲ୍‌ଟି ଉପରେ ଆଖି ବୁଲାଉ ବୁଲାଉ ଘର ଭିତରକୁ କେହି ଆସୁଥିବାର ପାଦ ଶବ୍ଦ ଶୁଣି ବାହାରକୁ ଆସିଲେ । ଦେଖିଲେ ଗ୍ରାମର କେତେ ଜଣ ବୟସ୍କ ଲୋକ । ସେମାନେ ପଚାରିଲେ–ବୁଢ଼ୀଙ୍କର କିଛି ଖବର ମିଳିଲା ?

ସଦାନନ୍ଦବାବୁ ମୁଣ୍ତ ହଲାଇ ଉତ୍ତର ଦେଲେ–‘‘ହଁ । ସାକ୍ଷୀଗୋପାଳ ପାଖରେ ବସ୍‌ ଦୁର୍ଘଟଣାରେ ମରି ଯାଇଛନ୍ତି ।’’

‘‘ସେମିତି ଗୋଟିଏ ଘଟଣା ଘଟିଥିବ ବୋଲି ଆମେ ଅନୁମାନ କରିଥିଲୁ ।’’ ଗ୍ରାମବାସୀମାନେ ପୁଣି ପଚାରିଲେ–‘‘ବୁଢ଼ୀଙ୍କର ଶୁଦ୍ଧ, ଶ୍ରାଦ୍ଧ ପୁଣି କେଉଁଠି କରିବାର ମନସ୍ଥ କରିଛ-?’’

ସଦାନନ୍ଦବାବୁ କହିଲେ–‘‘ବୁଢ଼ୀଙ୍କର ଇଚ୍ଛା ତାଙ୍କର ଓ ତାଙ୍କ ଝିଅଙ୍କର ଶୁଦ୍ଧକ୍ରିୟା ଝିଅ ଘରେ ମଙ୍ଗଳପୁରରେ କରିବାକୁ ।’’

ସେମାନେ କହିଲେ–‘‘ହଉ, ଯେଉଁଠି ହେଲେ କ୍ରିୟାଟି ନିଷ୍ଠାର ସହିତ ହେବା ଦରକାର-।’’

ସଦାନନ୍ଦବାବୁ କହିଲେ–‘‘ଏକାଦଶାହ ଦିନ ମଙ୍ଗଳପୁର ଓ ଚନ୍ଦ୍ରଶେଖରପୁରର ସମସ୍ତ ଲୋକଙ୍କୁ ଖାଇବାକୁ ଦେବାକୁ କହି ଯାଇଛନ୍ତି ।’’

ଗ୍ରାମବାସୀଙ୍କ ଭିତରୁ କେତେକ କହିଲେ–‘‘ତୁମେ ଯେଉଁଠି ବୁଢ଼ୀଙ୍କର କ୍ରିୟା ଧରୁଛ ଧର, କାହାରି ଆପତ୍ତି ନାହିଁ । ମାତ୍ର ବୁଢ଼ୀ ଯେତେବେଳେ ଏହି ଗ୍ରାମରେ ବାସ କରୁଥିଲେ ଏବଂ ତାଙ୍କର ସ୍ୱାମୀ, ଶ୍ୱଶୁର, ଗୋସାଇଁ ଶ୍ୱଶୁରଙ୍କ ଅମଳରୁ ଘରବାଡ଼ି ଏ ଗ୍ରାମରେ ଅଛି, ତେଣୁ ଏଗାର ଭୋଜିଟି ତୁମର ଏହି ଗ୍ରାମରେ ଦେବାହିଁ ଉଚିତ । କାରଣ ସମସ୍ତ ଗ୍ରାମବାସୀତ ଆଉ ମଙ୍ଗଳପୁର ସେ ଦିନ ରାତ୍ରିରେ ଯାଇ ପାରିବେ ନାହିଁ ।’’

ରବୀନ୍ଦ୍ର ବାହାରକୁ ଆସି କହିଲେ–‘‘ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ତା’ର ବ୍ୟବସ୍ଥା କରିବୁ ।’’

ହେମକାନ୍ତ ଟଙ୍କା ଓ ଦଲିଲ୍ ସହିତ ବୁଢ଼ୀଙ୍କର ହାତବାକ୍ସଟି ଧରି ବାହାରକୁ ଆସି କବାଟରେ ଚାବି ଦେଲେ । ତା’ପରେ ଭିତର, ବାହାର କବାଟ ବନ୍ଦ କରି ଦାଣ୍ତ କବାଟରେ ତାଲା ଦେଇ ରାସ୍ତାକୁ ଆସିଲେ । ସେତେବେଳକୁ ପଚାରୁଥିବା ଗାଁ ଲୋକେ ଚାଲି ଯାଇଥିଲେ ।

ହେମକାନ୍ତ, ସଦାନନ୍ଦବାବୁ ଓ ରବୀନ୍ଦ୍ର ମଙ୍ଗଳପୁରକୁ ଫେରି ଆସିଲେ । ସେତେବେଳକୁ ତନ୍ତ୍ରସାଧକ ପରମାନନ୍ଦ ପ୍ରସ୍ତୁତ ହୋଇ ବସିଥିଲେ । ହେମକାନ୍ତ ଟଙ୍କା, ଉଇଲ୍‌ ସହିତ ସାବିତ୍ରୀ ଦେବୀଙ୍କର ହାତବାକ୍ସଟି ଲକ୍ଷ୍ମୀଙ୍କର ଜିମା ଦେଇ ବାହାରିଲେ ହେମଲତା ଓ ସାବିତ୍ରୀ ଦେବୀଙ୍କର ଅସ୍ଥି ଦୁଇଟି ଉଦ୍ଧାର କରିବା ଉଦ୍ଦେଶ୍ୟରେ । ସାଙ୍ଗରେ ପରମାନନ୍ଦ, ରବୀନ୍ଦ୍ର ଗଲେ । ଚନ୍ଦନ ବଜାରରୁ ଟାକ୍‌ସିଟିଏ କରି ସାକ୍ଷୀଗୋପାଳ ଯିବା ସମୟରେ ଦୁଇଟି ମୂଲିଆ ଓ ମାଟି ଖୋଳିବାପାଇଁ ଫାଉଡ଼ା ଓ କୋଡ଼ି ନେଇ ଯାଇଥିଲେ ।

ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତଙ୍କୁ ହୋଟେଲରେ ଖୁଆଇ ଆଣିବା ସକାଶେ ହେମକାନ୍ତ ପକେଟରୁ ଦଶଟଙ୍କିଆ ନୋଟ୍ ତିନିଖଣ୍ତ ବାହାର କରି ରବୀନ୍ଦ୍ରଙ୍କ ହାତକୁ ବଢ଼ାଇ ଦେଲେ ।

ରବୀନ୍ଦ୍ର ପଚାରିଲେ–ତୁମେ କିଛି ଖାଇବ ନାହିଁ ?

ହେମକାନ୍ତଙ୍କର ସେତେବେଳେ କାହିଁକି ଖାଇବାକୁ ମନ ଡାକୁ ନଥିଲା କିମ୍ୱା ଭୋକ ଲାଗୁ ନଥିଲା ।

ପରମାନନ୍ଦ କହିଲେ–ଖାଲି ପେଟରେ ରହିଲେ ପେଟ ଗରମ ହୋଇ, ଦେହ ଅଧିକ ଖରାପ ହେବ । ତୁମ ପକ୍ଷରେ ଫଳ ଖାଇଲେ କିଛି ଦୋଷ ନାହିଁ ।

ରବୀନ୍ଦ୍ର ପାଖ ଦୋକାନରୁ କିଛି କମଳା, ଅଙ୍ଗୁର ବିସ୍କୁଟ୍ କିଣି ହେମକାନ୍ତଙ୍କ ହାତକୁ ବଢ଼ାଇ ଦେଲେ । ହେମକାନ୍ତ ସେହି ଗାଡ଼ି ଭିତରେ ବସି କମଳା ଛଡ଼ାଇ ଗୋଟିଏ ଗୋଟିଏ କୋଲା ପାଟିରେ ପକାଉ ପକାଉ ତାଙ୍କ ମନପରଦା ଉପରେ ଗତ ରାତ୍ରିର ସମସ୍ତ ଘଟଣା ଚଳଚ୍ଚିତ୍ର ଭଳି ଦେଖାଗଲା । ସେ କମଳାରୁ ମାତ୍ର କେତୋଟି କୋଲାଖାଇ ଅନ୍ୟମନସ୍କ ଭାବରେ ବାହାରକୁ ଚାହିଁରହିଲେ ।

ରବୀନ୍ଦ୍ର ଓ ପରମାନନ୍ଦ ଜଳଖିଆ ଖାଇଲେ ଏବଂ ଟାକ୍‍ସି ଚାଳକ ଓ ମୂଲିଆ ଦୁଇଟି ହୋଟେଲରୁ ଫେରିଲେ । ରବୀନ୍ଦ୍ର ଟାକ୍‌ସି ପାଖକୁ ଆସି ହେମକାନ୍ତଙ୍କୁ ପଚାରିଲେ–ଫଳ ଖାଇଲ ?

ହେମକାନ୍ତ କେବଳ ପାଗଳଙ୍କ ଭଳି ଜଳଜଳ ହୋଇ ଚାହିଁ ରହିଲେ । ଗାଡ଼ିରେ ସମସ୍ତେ ବସିବା ପରେ ଟାକ୍‌ସି ଚାଳକ ଗାଡ଼ି ଷ୍ଟାର୍ଟ୍ ଦେଲେ । ଗାଡ଼ିଟି ଧୀରେ ଧୀରେ ଆଗକୁ ଗଡ଼ି ଘଣ୍ଟାକୁ ଚାଳିଶି କିଲୋମିଟର ବେଗରେ ଚାଲିଲା ।

ଗାଡ଼ିଟି ପିପିଲି, ସାକ୍ଷୀଗୋପାଳ ଡେଇଁ ସାବିତ୍ରୀଦେବୀ କହିଥିବା ବରଗଛ ମୂଳେ ପରମାନନ୍ଦଙ୍କ ନିର୍ଦ୍ଦେଶରେ ରହିଲା । ଗାଡ଼ିରୁ ବୃଦ୍ଧ ପରମାନନ୍ଦ, ରବୀନ୍ଦ୍ର ଓ ମୂଲିଆ ଦୁଇଜଣ ଓହ୍ଲାଇଲେ । ହେମକାନ୍ତ ଓହ୍ଲାଇବାକୁ ଉଦ୍ୟମ କରୁଥିଲେ । ମାତ୍ର ପରମାନନ୍ଦ ଭାବିଲେ ହେମକାନ୍ତ ହୁଏତ ହେମ ଓ ସାବିତ୍ରୀ ଅପାର କଙ୍କାଳ ଦୁଇଟି ଦେଖିଲେ ପୁଣି ଅଜ୍ଞାନ ହୋଇଯିବ । ତେଣୁ ସେ ମନକଥା ମନ ଭିତରେ ରଖି କହିଲେ–ତୁମର ଆମ ସହିତ ଆସିବା ଆବଶ୍ୟକ ନାହିଁ ହେମକାନ୍ତ ! ତୁମେ ଓ ଡ୍ରାଇଭର ଗାଡ଼ିରେ ଥାଅ । ମୁଁ ରବୀନ୍ଦ୍ର ଓ ମୂଲିଆ ଦୁଇଜଣଙ୍କୁ ଧରି ଯାଉଛି ।

ହେମକାନ୍ତ ଗାଡ଼ି ଭିତରେ ବସି ରହିଲେ, ଟାକ୍‌ସି ଚାଳକ ଗାଡ଼ି ବାହାରେ ଇଞ୍ଜିନ୍‍କୁ ଆଉଜି ଠିଆହୋଇ ସିଗାରେଟ ଟାଣିଲେ ।

ସାବିତ୍ରୀ ଦେବୀ କହିବାନୁସାରେ ବରଗଛ କଡ଼ ଦେଇ ଯୋର ଭିତରକୁ ଆଗରେ ଚାଲିଥାନ୍ତି ବୃଦ୍ଧ ପରମାନନ୍ଦ । ତାଙ୍କ ପଛରେ କୋଦାଳ ଓ କୋଡ଼ି ଧରି ଯାଉଛନ୍ତି ମୂଲିଆ ଦୁଇଜଣ-। ସମସ୍ତଙ୍କ ପଛରେ ଥାନ୍ତି ରବୀନ୍ଦ୍ର । ଯୋର ଭିତରେ କଞ୍ଚା ବରଡ଼ାଳ ଦୁଇଟି ଦେଖିବାକୁ ପାଇଲେ-। ହାତରେ ବରଡ଼ାଳ ଦୁଇଖଣ୍ତି ଉଠାଇ ଦେଇ ମୂଲିଆଙ୍କୁ କହିଲେ–ଏଇଠି ମାଟି ଖୋଳ-

ଅଳ୍ପ କିଛି ମାଟି ଖୋଳା ଯାଇଛି କି ନାହିଁ ଶୋଇଥିବା ଅବସ୍ଥାରେ ଦୁଇଟି କଙ୍କାଳ ବାହାରିଲା । ଗୋଟିଏ କଙ୍କାଳର ବେକରେ ସୁନାହାର, ହାତରେ ସୁନାକାଚ ଥିଲା, ସେହି କଙ୍କାଳଟି ହେମଲତାର ବୋଲି ପରମାନନ୍ଦ ଚିହ୍ନିଲେ । ଅନ୍ୟ କଙ୍କାଳଟି ଥିଲା ସାବିତ୍ରୀ ଦେବୀଙ୍କର ।

କଙ୍କାଳ ଦୁଇଟିକୁ ସେହି ବରଡ଼ାଳରେ ବାନ୍ଧି ଗାଡ଼ି ପଛରେ ରଖି ସମସ୍ତେ ମଙ୍ଗଳପୁର ଫେରି ଆସିଲେ । ସନ୍ଧ୍ୟାରେ କଙ୍କାଳ ଦୁଇଟିକୁ ଗ୍ରାମବାସୀମାନେ ଆଗପଛ କରି ଶୋଭାଯାତ୍ରାରେ ନେଇ ଗ୍ରାମ ଶେଷମୁଣ୍ତ, ଶ୍ମଶାନରେ ସଂସ୍କାର କଲେ । ତହିଁ ପରଦିନ ଠାରୁ ହେମକାନ୍ତ ସାବିତ୍ରୀ ଦେବୀଙ୍କର ଓ ରବୀନ୍ଦ୍ର ହେମଲତାଙ୍କର କ୍ରିୟା ଧରିଲେ । ଦଶଦିନ ମଙ୍ଗଳପୁର ଓ ଚନ୍ଦ୍ରଶେଖରପୁର ଗ୍ରାମବାସୀଙ୍କୁ ମଙ୍ଗଳପୁର ଗ୍ରାମରେ ଏବଂ ଏଗାରଦିନ ମଙ୍ଗଳପୁର ଓ ଚନ୍ଦ୍ରଶେଖରପୁର ଗ୍ରାମବାସୀମାନଙ୍କୁ ସେମାନଙ୍କ ନିଜ ନିଜ ଗ୍ରାମରେ ଖାଇବାକୁ ଦିଆଗଲା । କାନ୍ତି, ବାସନ୍ତି ଏବଂ ଅନ୍ୟାନ୍ୟ ବନ୍ଧୁବାନ୍ଧବମାନେ ଏହି ସବୁ କାମରେ ଯୋଗ ଦେଇଥିଲେ ।

ବାରଦିନ ଶ୍ରାଦ୍ଧକାମ ଘରେ ଶେଷକରି ଟାକ୍‌ସି ଖଣ୍ତିଏ କରି ପରମାନନ୍ଦ, ସଦାନନ୍ଦବାବୁ, ହେମକାନ୍ତ, ରବୀନ୍ଦ୍ର, ଲକ୍ଷ୍ମୀ, କମଳା ଏବଂ ଭରତ ପୁରୀ ଗଲେ । ଘରେ କାନ୍ତି ଓ ବାସନ୍ତୀ ରହିଲେ-

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ବାଇଶି ପାବଚ୍ଛ ଉପରେ ସାବିତ୍ରୀଦେବୀଙ୍କ ନିର୍ଦ୍ଦେଶମତେ ଦଶଟି ଲୋକଙ୍କୁ ମହାପ୍ରସାଦ ଖାଇବାକୁ ଦିଆଗଲା । ସେତେବେଳେ ଶୂନ୍ୟରୁ ଶୁଭୁଥିଲା–ଆମେ ମା’, ଝିଅ ଦୁହେଁ ସନ୍ତୁଷ୍ଟ, ଆମେ ଦୁହେଁ ସବୁବେଳେ ଯେପରି ପାଣି ଟିକିଏ ପାଇବୁ, ତା’ର ବ୍ୟବସ୍ଥା କରିବ ।

ପରମାନନ୍ଦ, ସଦାନନ୍ଦବାବୁ, ହେମକାନ୍ତ, ଲକ୍ଷ୍ମୀ, କମଳା, ଭରତ ମହାପ୍ରସାଦ ସେବା କରି ଟାକ୍‌ସିକୁ ଫେରି ଆସୁଆସୁ ଭରତ କହିଲେ–ଧନ୍ୟ ତୁମେ ଚକାଡ଼ୋଳା ! ଏଇ କେତେଦିନ ଭିତରେ ଏତିକି ଲୀଳା ତୁମେ ଲଗାଇ ଦେଇ ଗଲ !

ଭରତଙ୍କ କଥାରେ ସମସ୍ତଙ୍କ ମୁହଁରେ ହସର ଈଷତ୍‌ରେଖା ଦେଖାଦେଲା । ସମସ୍ତେ ହାତଯୋଡ଼ି ନୀଳଚକ୍ର ଉଦ୍ଦେଶ୍ୟରେ ମୁଣ୍ତ ନୁଆଁଇ ପ୍ରଣାମ କଲେ । ଟାକ୍‍ସିଟି ସମସ୍ତଙ୍କୁ ନେଇ ଧୀରେ ଧୀରେ ମଙ୍ଗଳପୁର ଗ୍ରାମକୁ ପୁଣି ଫେରିବାକୁ ଲାଗିଲା ।

Image